Unknown

 

 

 

 

 

 

 

 

 

ଫୁଲର ଗୋଟିଏ ସୁରଭି

ଶ୍ରୀ ସାତକଡ଼ି ହୋତା

 

ସୂଚୀପତ୍ର

 

୧.

ପଦାଙ୍କ

୨.

ଏକାନ୍ତେ ବନ୍ଧୁର ମୁଖ

୩.

ଭୋକ

୪.

କହ୍ନେଇର ଗୀତ

୫.

ପରପୁରୁଷ

୬.

ସବୁଥିରୁ ବଞ୍ଚିତ କରି

୭.

ଅସୁନ୍ଦର ଏହି ସୁନ୍ଦର ପୃଥିବୀ

୮.

ଅପରାଜିତ

୯.

ବନ୍ଧକ

୧୦.

ପଥ ପ୍ରସାରିତ

୧୧.

ଅନ୍ଧାରର ଆଖି

୧୨.

ବୁଢ଼ାରାଉଳ କଥା

୧୩.

ଫୁଲର ଗୋଟିଏ ସୁରଭି

୧୪.

ଏତିକି, ଆଉ କିଛି ନାହିଁ

୧୫.

ନାଲିଫିତା

୧୬.

ରଘୁ ପୁହାଣର ଛତା

୧୭.

ଛାଇ

୧୮.

ବୋଝ

୧୯.

ରଥଯାତ୍ରାର ହସ

୨୦.

ମଧୁ ଦୃଷ୍ଟି

୨୧.

ମୋନାଲିସାର ହସ

୨୨.

ମୁଁ ବଡ଼ ଏକାକୀ

୨୩.

ରଙ୍ଗ ବଦଳେ

୨୪.

ଚା’ କପେ

୨୫.

ସକାଳ ପାଇଁ

୨୬.

ଏ ଆଶା ହତାଶାର

୨୭.

ପଙ୍କଜ

୨୮.

ବଞ୍ଚିବାର ଆଶା

Image

 

ପଦାଙ୍କ

 

ଚୈତାଳି ଚଇତର ପବନ ପରି ଅବାଧ ଗତିରେ ଅଗ୍ରସର ହେଲା । ବାଧା ନାହିଁ, ବନ୍ଧନ ନାହିଁ । କୌଣସି ବିନ୍ଦୁରେ ଅବସ୍ଥାନ କରିବାର ସ୍ପୃହା ନାହିଁ । କେବଳ ଚାଲୁଥିବ, ପ୍ରାଣର ଅବାରିତ ଆସ୍ପୃହାପରି ଉତ୍ସାରିତ ହେଉଥିବ । ଚଳନ୍ତି ଶିଳା ଉପରେ ଶିଉଳି ଜନ୍ମେ ନାହିଁ । ଚଳନ୍ତି ଜୀବନକୁ ସ୍ଥାବରର ଜଡ଼ତା ଆକର୍ଷଣ କରେ ନାହିଁ ।

 

ଚୈତାଳି ଜଡ଼ ନୁହେଁ, ଜୀବନ ।

 

ତା’ହେଲେ କାହିଁକି ସେ ଅଟକିଯିବ ?

 

ପରମ୍ପରା ଓ ପ୍ରଚଳିତ ବିଶ୍ୱାସଗୁଡ଼ାକ ମଣିଷର ଜୀବନକୁ ଆବୋରି ରହନ୍ତି ବୋଲି ମଣିଷର ଜୀବନ ଉଜ୍ଜ୍ୱଳ ନ ହୋଇ ମଳିନ ହୁଏ । ଏକ ଆଲୋକ ବିନ୍ଦୁହିଁ ପ୍ରାଣର ଆଧାର । ଏହି ଚରମ ସତ୍ୟକୁ ସ୍ୱୀକାର କରେ ବୋଲି ନିଜ ଚାରିପାଖରେ ଜମି ଉଠୁଥିବା ମଳିନତାକୁ ପୋଛି ପକାଇ ଫିଙ୍ଗିଦିଏ ସେ ।

 

ସେ ନୂତନର ଆହ୍ୱାନ ଶୁଣେ ।

 

ଅନିଶ୍ଚିତତାକୁ ଆକର୍ଷଣ କରେ ।

 

ଯାହା ନିଶ୍ଚିତ ସେଥିରେ ବିଜୟର ଉଲ୍ଲାସ ନାହିଁ, ଯାହା ଲବ୍‌ଧ ତାକୁ ପାଇବାର ଉପଲବ୍‌ଧିର ଆନନ୍ଦ ନ ଥାଏ ।

 

ଚୈତାଳି ଜୀବନକୁ ସ୍ୱୀକାର କରିଛି, ଆଲୋକକୁ ଆବାହନ କରିଛି ।

 

ସେଦିନ କିନ୍ତୁ ଅମାବାସ୍ୟାର ଅନ୍ଧକାର ପରି ଗଭୀର ଥିଲା ତା’ ଜୀବନର ଦୀର୍ଘଶ୍ୱାସ ।

 

ସେ କୃଷ୍ଣବର୍ଣ୍ଣାବୋଲି ଗ୍ରହଣୀୟ ହେଲାନାହିଁ ।

 

ଶରୀରର ବାହ୍ୟରୂପର ଏତେ ଗୁରୁତ୍ୱ ତା’ ଆଖି ଆଗରେ ଆଉ କେବେ ଏପରି ନିର୍ଲଜ୍ଜ ଭାବରେ ପ୍ରମାଣିତ ହୋଇ ନ ଥିଲା ।

 

କିନ୍ତୁ କୃଷ୍ଣବର୍ଣ୍ଣାର କଣ୍ଠରୁ ନିସୃତ ସ୍ୱରର ଆଦର କମିଗଲା ନାହିଁ ।

 

ତା’ର ସଙ୍ଗୀତର ସ୍ୱର ଓ ମୂର୍ଚ୍ଛନା ପୂର୍ବପରି ସହସ୍ରାଧିକ ମନକୁ ଆକର୍ଷଣ କରିବାକୁ ଲାଗିଲା ।

 

ତା’ହେଲେ ଭିତର ଏବଂ ବାହାର ଏପରି ପରସ୍ପର ବିରୋଧୀ ହେଲେ କାହିଁକି ?

 

ଯେଉଁମାନେ ତା’ର ସଙ୍ଗୀତ ଶୁଣି, ତା’ କଣ୍ଠର ଲାଳିତ୍ୟରେ ମୁଗ୍‌ଧ ହୋଇ ତାକୁ କେନ୍ଦ୍ରକରି ସ୍ତାବକ ପରି ସ୍ତୁତିଗାନ କରିବାକୁ ଶିଖିଥିଲେ ଏବଂ ସେମାନେ ଏକାନ୍ତରେ ତାକୁ ପାଇବାପାଇଁ କାମନା କରୁଥିଲେ, ହଠାତ୍ ସାମନା ସାମନି ନିଜ ନିଜର ଜୀବନରେ ତା’ର ସ୍ଥିତି ଓ ସହଯୋଗକୁ ସ୍ୱୀକାର କରିପାରିଲେ ନାହିଁ ।

 

ନିଖିଳ ବରଂ ଅନ୍ୟପ୍ରକାର ଥିଲା ବୋଲି ସେ ଆଜି ବୁଝିଲା ।

 

ସମସ୍ତେ ଯେତେବେଳେ ତା’ର ସ୍ତୁତି କରନ୍ତି, ପ୍ରଶଂସା କରନ୍ତି ପଞ୍ଚମୁଖ ହୋଇ, ନିଖିଳ ଧୀରେ ଧୀରେ ଅପସରିଯାଏ ଆସରରୁ । ସେ ଅପେକ୍ଷା କରେ ନାହିଁ, ଆଗ୍ରହରେ ଦଣ୍ଡେଅଧେ ଅଟକି ଯାଏ ନାହିଁ ।

 

ତାକୁ ସହଜରେ କିନ୍ତୁ ବୁଝିପାରି ନ ଥିଲା ଚୈତାଳି ।

 

ସୁନାମର ତୁଙ୍ଗ ଶିଖରରେ ବସି ସୂର୍ଯ୍ୟସ୍ନାନ କରୁଥିବାବେଳେ ଦିନେ ହଠାତ୍ ଚିନ୍ମୟ ଆସୁଥିବାର ସମ୍ବାଦ ପାଇଲା ସେ ।

 

ଚିନ୍ମୟ ତାକୁ ଦେଖିବା ପାଇଁ ଆସୁଥିଲା ।

 

ସେ ତା’ହେଲେ କ’ଣ ଆଜିଯାଏ ଅନ୍ଧପରି ଅନାଇଥିଲା ତାକୁ ଶୂନ୍ୟ ଦୃଷ୍ଟିରେ ! ଏତେ ସେ ଆକୁଳତା ଫୁଟାଇ ତା’ର ଯିବା ଓ ଆସିବା ପଥକୁ ଅନାଇ ରହୁଥିଲା ଏତେ ସମୟଧରି, ସେ ସବୁ କଅଣ କେବଳ ଛଳନା !

 

ନିଖିଳ ଉପରେ ଅଭିମାନ କରିଥିଲା ଚୈତାଳି ।

 

ସମସ୍ତେ ତା’ ଆସିବା ଆଗରୁ ଆସନ୍ତି, ଯିବା ପରେ ଯାଆନ୍ତି ।

 

ସମସ୍ତେ ଶତଜିହ୍ୱହୋଇ ତା’ର ପ୍ରଶଂସା କରନ୍ତି, ପଦେଅଧେ କଥା ଶୁଣି, ଆଦେଶ ପାଳନ କରି ଜୀବନକୁ ଧନ୍ୟ କରିବାପାଇଁ ଅପେକ୍ଷା କରନ୍ତି । ନିଜ ନିଜର ସମର୍ପଣ କଥା କହି କହି କୁକୁର ପରି ଲାଙ୍ଗୁଳ ହଲାନ୍ତି ଆଖିର ଚାହାଣିରେ, ମୁହଁର ହସରେ ଏବଂ ବକ୍ରୋକ୍ତିର ସରସତାରେ ।

 

ନିଖିଳ କିନ୍ତୁ କିଛି କରୁ ନ ଥିଲା । ସେ ଯେପରି ଆଉ କାହାକୁ ଖୋଜୁଥିଲା ତା’ର ଅନ୍ତର୍ଭେଦୀ ଦୃଷ୍ଟିରେ, ଆଉ କାହାର ପ୍ରତିମୂର୍ତ୍ତି ଯେପରି ଉଦ୍‌ଭାସିତ ହେଉଥିଲା । ସେ ମଝିରେ ଆସୁଥିଲା ଏବଂ ଶେଷ ହବା ଆଗରୁ ଚାଲିଯାଉଥିଲା । ସେ କାହାରି ପାଇଁ ଅପେକ୍ଷା ନ କରି ସମସ୍ତେ ଯେପରି ତାହାରି ପାଇଁ ଅପେକ୍ଷା କରୁଥିଲେ !

 

ତା’ର ସ୍ୱଚ୍ଛନ୍ଦ ଗତିରେ ବାଧା ସୃଷ୍ଟିକରି ବାଜି ଉଠିଲା ବେସୁରା ରାଗିଣୀ ।

 

ବଣର ଅନ୍ଧକାର ଭେଦକରି ଆଲୋକ ସଞ୍ଚରିତ ହୁଏ ଯେତେବେଳେ, ସେତେବେଳେ ବଣ ହସିଉଠେ କହେ- ଆସ, ସ୍ୱାଗତମ୍ । ପୃଥିବୀର ଆଲୋକକୁ ଗ୍ରାସ କରି ଅନ୍ଧକାର ଯେତେବେଳେ ଆସେ, ପୃଥିବୀ କହେ- ଆସ ସ୍ୱାଗତମ୍ ।

 

ଯେଉଁଠି ଅନ୍ଧକାର ସେଇଠାରେ ଆଲୋକର ସ୍ୱାଗତ ଏକ ସ୍ୱରରେ କରିବା କଅଣ ସହଜ ଓ ସମ୍ଭବ ?

 

ଚୈତାଳି ବୁଝିପାରେନାହିଁ ।

 

ବାଧା ପ୍ରତିବନ୍ଧକ ସ୍ୱୀକାର ନ କରି ଏକ ପରମ ପ୍ରାଣୋଚ୍ଛ୍ୱାସରେ ଚାଲି ଯାଉଁ ଯାଉଁ ହଠାତ୍ ଅଟକି ଯାଇ ନିଜକୁ ନିଜେ ପଚାରେ- କଅଣ ହେଲା ? ସେ ଶେଷ ପର୍ଯ୍ୟନ୍ତ ଆଉ ଟିକେ ରହିପାରିଲାନାହିଁ ?

 

ନିଜକୁ ନିଜେ ବୋଧଦେଇ ଉତ୍ତର ଦିଏ- ନ ରହୁ । ଅନ୍ୟାନ୍ୟ ଅନେକ ତ ଅପେକ୍ଷା କରନ୍ତି । ଜଣକର...

 

କିନ୍ତୁ ସେଇ ଜଣକହିଁ ବ୍ୟତିକ୍ରମ ।

 

ଆକାଶର କୋଟି କୋଟି ତାରକାମାନଙ୍କ ମଧ୍ୟରେ ଯେପରି ସଂଧ୍ୟାତାରା ବା ପାହାନ୍ତିଆ ତାରାର ସ୍ୱାତନ୍ତ୍ର୍ୟ ।

 

ଜଣେ ଆଲୋକର ପ୍ରତ୍ୟାଗମନ ଓ ଅନ୍ଧକାରର ଆଗମନ ଘୋଷଣା କରେ । ଆଉ ଜଣେ ଅନ୍ଧକାରର ଅପସାରଣ ଏବଂ ଆଲୋକର ଆଗମନକୁ ସୂଚନା ଦିଏ ।

 

ଚିନ୍ମୟ କେବଳ ଏକାକୀ ଆସି ନ ଥିଲା । ତା’ ସହିତ ଆସିଥିଲେ ତା’ର ପିତା, ମାତା, ଭଗ୍ନୀ ଏବଂ ବନ୍ଧୁମାନେ ।

 

ସେମାନଙ୍କ ଆଖି ଦେଇ ଶେଷଥର ଦେଖିବାପାଇଁ ଚାହେଁ ସେ ।

 

ନିଜେ ଏତେ ଦେଖିଲେ ବି ନିଜ ଉପରେ ପୂର୍ଣ୍ଣ ପ୍ରତ୍ୟୟ ହଉ ନ ଥିଲା । କାଳେ ଠକିଯିବ ବୋଲି ସଂଶୟ ହେଉଥିଲା । ମଣିଷ ନିଜର ଦୁର୍ବଳତାକୁ ସହଜରେ ଘୋଡ଼ାଇ ପକାଏ ଅନ୍ୟଦ୍ୱାରା, ନିଜ ଆଖି ଉପରେ ରଙ୍ଗ- ଚଷମା ଦେଇ ବାସ୍ତବକୁ ଅବାସ୍ତବ କରି ଦେଖିବାରେ ପାଏ ଆନନ୍ଦ ।

 

ଚୈତାଳି ସମସ୍ତଙ୍କ ଆଗରେ ଗୀତଟିଏ ବୋଲିଲା । ମଧୁଝରା କଣ୍ଠରୁ ଝରିପଡ଼ିଲା ବିଦଗ୍‌ଧର ଉତ୍କଣ୍ଠା ବିଜଡ଼ିତ ନିବେଦନ ।

 

ସମସ୍ତେ ମନ୍ତ୍ରମୁଗଧ୍‌ପରି ବସି ରହିଥିଲେ । ଚିନ୍ମୟର ମା’ ହାତକୁ ଜଳଖିଆ ଥାଳିଟି ବଢ଼ାଇ ଦବାବେଳେ ସେ ଚୈତାଳିର ହାତଟିକୁ ଧରିପକାଇ ଅବିଶ୍ୱାସୀ ଆଖିର ଦୃଷ୍ଟିରେ ପୁଣି ଆଉଥରେ ପରଖି ନେଲେ । ଚିନ୍ମୟର ଭଉଣୀ ପାଖରେ ଛିଡ଼ା ହୋଇଥିବାବେଳେ ତା’ କାନ୍ଧ ଏବଂ କଟି ଉପରେ ଦେଇ ଝୁଲିପଡ଼ିଥିବା ଘନକୃଷ୍ଣ କୁନ୍ତଳ ନକଲି କି ଅସଲି ଜାଣିବାପାଇଁ ଗୋଟିଏ ଫୁଲ ତା ଚୂଳ ଉପରେ ଗୁନ୍ଥିଦବାର ବାହାନା କରି ସେ ତାହା ତନଖି ନେଲା । ବହୁବାର ତାକୁ ବାହାରେ ଦେଖିଥିଲେ ସୁଦ୍ଧା ତା’ର ପାଦର ନିଖୁଣତାକୁ ଭଲ କରି ଦେଖିନବାପାଇଁ ଚିନ୍ମୟର ବାପା ତାକୁ କଫି ନ ଦେଇ କପେ ଚାହା ଆଣିବାପାଇଁ କହିଲେ ।

 

ସେ ସବୁ କଲା ।

 

ସବୁ ପରୀକ୍ଷାରେ କିନ୍ତୁ ଉତ୍ତୀର୍ଣ୍ଣ ହୋଇପାରିଲା ନାହିଁ ।

 

ସବୁ ଦେଖିସାରି, ସବୁ ଗୁଣର ପ୍ରଶଂସା କରି, ଶେଷକଥା ନ ଶୁଣାଇ କିନ୍ତୁ ଚାଲିଗଲେ ସେମାନେ ।

 

ଚୈତାଳି ବୁଝିପାରିଲା ।

 

ଚିନ୍ମୟର ଯଦି ନିଜ ଉପରେ ବିଶ୍ୱାସ ଥାଆନ୍ତା ! ହାୟ ! ସେ ଆଖି ଥାଇ ବି ଦେଖିପାରେନାହିଁ, କାନ ଥାଇ ବି ଶୁଣିପାରେନାହିଁ, ଆଉ ବୁଦ୍ଧି ଥାଇ ବି ବିଚାର କରିପାରେନାହିଁ ।

 

ଏଭଳି ବ୍ୟକ୍ତି ପାଖରୁ ଦୂରକୁ ଚାଲିଗଲା ବୋଲି ଶେଷରେ କିନ୍ତୁ ଆନନ୍ଦ ହେଲା ଚୈତାଳିର ।

 

ଏହା ପରେ ତା’ ଜୀବନଧାରାରେ ବି ଟିକିଏ ପରିବର୍ତ୍ତନ ଆସିଲା ।

 

ସେ ଉଚ୍ଛୁଳି ଉଠିଲା ଅଧିକ ଉଲ୍ଲାସରେ, ଯେପରି ଶ୍ରାବଣର ଜଳ ଉଲୁସି ଉଠେ ନିଜର ସଞ୍ଚରଣ ଏବଂ ପ୍ରବାହରେ ।

 

ଏତିକିବେଳେ ନିଖିଳ ଆସି ଉଭାହେଲା ତା’ ଆଗରେ ।

 

ତା’ର ଗତିପଥକୁ ଅବରୋଧ କରିବାପାଇଁ ଏତେ ସାହସୀ କେହି ଥାଇପାରନ୍ତି, ଏହା ପ୍ରଥମ ଉପଲବ୍‌ଧି କଲା ଚୈତାଳି ।

 

ସେ କ୍ଷୁବ୍‌ଧ ହୋଇ କହିଲା- ମୋ ପକ୍ଷରେ କଅଣ ଭଲ ବା ମନ୍ଦ ମୁଁ ବିଚାର କରିବି- ସେଥିରେ ତମର ମଥା ବିନ୍ଧେ କାହିଁକି ?

 

ନିଖିଳ ଦବି ନ ଯାଇ କହିଲା- ଯେତେ ଦିନଯାଏ ତାହା କରିପାରୁଥିଲ କହିବାର ପ୍ରୟୋଜନ ନ ଥିଲା; କିନ୍ତୁ ଆଜି ତୁମେ ଆଗପରି ନୁହେଁ, ଖୁବ୍ ଶୀଘ୍ର ଶୀଘ୍ର ବଦଳିଯାଉଛ ।

 

ବଦଳିବାହିଁ ଜୀବନର ଧର୍ମ- ତୀବ୍ର ସ୍ୱରରେ କହିଲା ଚୈତାଳି ।

 

ଯଦି ସେହି ବଦଳିବା ଜୀବନଧର୍ମର ଅନୁକୂଳ ହୁଏ- ଧୀରେ ଧୀରେ କହିଲା ନିଖିଳ ।

 

ଅବାକ୍ ହୋଇଯାଇ ଦଣ୍ଡେ କିଛି କହିପାରିଲାନାହିଁ ଚୈତାଳି । ତା’ପରେ ନିଜକୁ ସଜାଡ଼ି ନେଇ କହିଲା ସେ- ପ୍ରତିକୂଳ ଯାତ୍ରାରେ ବି ଉଲ୍ଲାସ ଅଛି ।

 

ମାନୁଛି, କିନ୍ତୁ ସେଥିରେ ଉତ୍କର୍ଷତା ନାହିଁ- ବେଦନାର୍ତ୍ତ କଣ୍ଠରେ କହିଲା ନିଖିଳ ।

 

ମୋର ସ୍ତାବକ ତୁମେ କେଉଁ ଦିନରୁ ହେଲ ଶୁଣେ- କର୍କଶ କଣ୍ଠରେ କହିଲା ଚୈତାଳି ।

 

-ମୁଁ ସେ ଦଳରେ ନ ଥିଲି- ଆଜି ବି ନାହିଁ ।

 

-ତା’ହେଲେ ମୋତେ ଏତେ ଉପଦେଶ ଦେଇ ନ ଥିଲେ ବି ଚଳିଥାଆନ୍ତା ।

 

ଟିକିଏ ଦବିଯାଇ କହିଲା ଚୈତାଳି ।

 

ମୋର ସ୍ୱାର୍ଥ ନାହିଁବୋଲି କହିଲି- ଯୋଗକଲା ନିଖିଳ ।

 

ସମସ୍ତେ ସ୍ୱାର୍ଥାନ୍ୱେଷୀ, ଆଉ ତୁମେ କେବଳ ନିଃସ୍ୱାର୍ଥପର, ନା ! - ବ୍ୟଙ୍ଗ କଲା ଚୈତାଳି ।

 

ମଦମତ୍ତ ହାତୀ ନିଜର ପାଗଳାମି ବୁଝି ନ ପାରି ଧରାଦିଏ ଶେଷରେ- ତାକୁ ସଂଯତ କରିବାପାଇଁ କହିଲା ନିଖିଳ।

 

ତୁମେ ଶ୍ଲୀଳତା ଲଙ୍ଘନ କରୁଛ- ଚୈତାଳି ଶାସନ କରିବା ସ୍ୱରରେ କହିଲା ।

 

-ଅଶ୍ଲୀଳ ହେବାପାଇଁ ସେ ପ୍ରତିଶ୍ରୁତି, ତା’ ପାଖରୁ ଶ୍ଲୀଳତା ଆଶା କରାଯାଇପାରିବ କି-?

 

ବ୍ୟଥିତ କଣ୍ଠରେ କହିଲା ନିଖିଳ ।

 

ମୁଁ ମୁକ୍ତ । ମୁଁ ଅବାରିତ । ମୋ ନିର୍ବାଚିତ ପଥରେ ଚାଲିବା ମୋର ସ୍ୱାଧିକାର- ଗର୍ଜି ଉଠିଲା ଚୈତାଳି ।

 

-ତୁମେ ପରାଧୀନ- ଅନ୍ୟର ଆଖିରେ ତୁମେ ବନ୍ଦୀ । ସ୍ୱାଧିକାର ସ୍ୱୈରାଚାର ଉପରେ ଆଧାରିତ ହେଲେ ହୁଏ ସୁଷମାହୀନ, ଅସୁନ୍ଦର ।

 

ଆଉ କିଛି କହିବାପାଇଁ ସହସା ଭାଷା ପାଇଲା ନାହିଁ ଚୈତାଳି ।

 

ସେ ଅଭିମାନରେ ନୁହେଁ, ଚିନ୍ମୟ ଉପରେ ଅଭିଯୋଗ କରି ପ୍ରତିଶୋଧ ନବାପାଇଁ ବାହାରି ପଡ଼ିଲା ।

 

ପ୍ରତିଶୋଧ ଅନ୍ୟ ଉପରେ ନବା ଆଗରୁ ପ୍ରଥମେ ନିଜ ଉପରେ ନିଏ ମଣିଷ । ଅନ୍ୟ ଜଣେ ଅସତ୍ ରହେ, କିନ୍ତୁ ନିଜର କ୍ଷତରେ ଶିହରିଉଠେ ସେ ।

 

ନିଜର କ୍ଷତ ଅନ୍ତଃସ୍ଥଳରେ ଗୁମୁରି ଉଠିଲା ବେଦନାର ।

 

ନିର୍ବାକ୍ ନିଷ୍ପନ୍ଦ ଚୈତାଳି ସହର ଉପକଣ୍ଠର ଉଦ୍ୟାନଆଡ଼କୁ ଯାଉଁ ଯାଉଁ ହଠାତ୍ ଅଟକି ଯାଇ ଗତିପଥ ପରିବର୍ତ୍ତନ କଲା ।

 

ସହଜ ପଥରେ ଯିବାରେ ସ୍ଫୂର୍ତ୍ତି ନ ଥାଏ । ଏଯାଏ କିନ୍ତୁ ଯାହା ସହଜ, ତାହାହିଁ ଥିଲା ତା’ର ବରଣୀୟ । ନିଖିଳ କେବେ ସହଜ ନ ଥିଲା । ଆଜି ବି ନୁହେଁ । ସେ ପୂର୍ବପରି ଦୁର୍ବୋଧ୍ୟ, ଦୁର୍ଲଙ୍ଘ୍ୟ ।

 

ତାକୁ ଫେରିବାର ଦେଖି ନିଖିଳ ପଚାରିଦେଲା - ହଠାତ୍ ଫେରିଲ ଯେ !

-ଏ ପ୍ରଶ୍ନର ଉତ୍ତର ବି ଦେବାକୁ ହବ ?

କହିଲା ଚୈତାଳି ।

-ଉତ୍ତର ଶୁଣିବାପାଇଁ ନୁହେଁ, ଉନ୍ମୋଚନ ଦେଖିବାପାଇଁ ଚାହୁଁଥିଲା ।

-ତୁମେ ଆବୃତ, ଅଥଚ ଅନ୍ୟର ଉନ୍ମୋଚନ କାମନା କର ? ଇସ୍ କି ନିଃସ୍ୱାର୍ଥପର !

ଏଥର ପ୍ରତ୍ୟାଶିତ ଉତ୍ତର ପାଇ ମୁଗ୍‌ଧ ହୋଇଗଲା ନିଖିଳ ।

 

ସେ ବହୁଦିନରୁ ଯେଉଁ ଗୋପନବାସନାଟି ସଞ୍ଚୟ କରିଥିଲା, ଅନ୍ତରାଲୋକର ଅନ୍ତରାଳରେ ତାହା ପ୍ରକାଶିତ ହବାପାଇଁ ଆବେଦନ ଜଣାଇଲା । ସେ ପଥପ୍ରାନ୍ତର ଗୋଟିଏ ଘାସଫୁଲ ତୋଳି ନେଇ ଚୈତାଳିର ଆଗରେ ରଖି କହିଲା- ଏଇ ଘାସଫୁଲର ଏତେ ଆନନ୍ଦ, ଏତେ ଆକର୍ଷଣ କାହିଁକି ଜାଣ ଚୈତାଳି ?

 

ଚୈତାଳି ପ୍ରଥମ ଥର ପାଇଁ ସହିଷ୍ଣୁହୋଇ କହିଲା- କୁହ ?

 

-ସେ ନିଜେ ନିଜକୁ ଦେଖେ, ନିଜର ପୁଲକରେ ନିଜେ ଦୋଳି ଖେଳେ । ଅନ୍ୟର ମତାମତ, ଆହ୍ଲାଦ ପ୍ରତି ଅପେକ୍ଷା ରଖେନାହିଁ ।

 

କଅଣ ବୁଝିଲା କେଜାଣି ଚୈତାଳି, ମର୍ମାହତ ହୋଇ କହିଲା- ସମସ୍ତେ ଏଇମିତି କହନ୍ତି ନିଖିଳ !

 

ସ୍ତବଧ ହୋଇ ତାପରେ ତାକୁ ବୁଝାଇଲା ସେ- ସମସ୍ତଙ୍କ ମଧ୍ୟରେ ବ୍ୟତିକ୍ରମ ବି ଥାଆନ୍ତି ଚୈତାଳି । ଏହା ବଗିଚାର କ୍ରସ୍‌କରାକ୍ରୋଟନ ବା କଲମୀକରା ଗୋଲାପ ନୁହେଁ । ଏହି ଘାସଫୁଲ ସ୍ୱଗରିମାରେ ଗରୀୟାନ, ନିଜର ସ୍ୱତନ୍ତ୍ର୍ୟଯୋଗୁ ଏହାର ସ୍ୱାଭିମାନ ।

 

-ମୋ କଥା ତୁମେ ଏତେ ଭାବ ନିଖିଳ !

 

ସହସା ପ୍ରଣତ ହୋଇ କହିଲା ଚୈତାଳି ।

 

ଭାବେ ବୋଲି ଦୌଡ଼ିଆସେ- ଆଶ୍ୱାସନା ଦେଲା ନିଖିଳ ।

 

-କିନ୍ତୁ ତୁମ ଆଗମନରେ ଅନ୍ୟମାନଙ୍କର ଶବ୍ଦ ନାହିଁ ।

 

-ପ୍ରତ୍ୟାଗମନରେ ଅନ୍ୟମାନଙ୍କର ଅବସାଦ ନାହିଁ- ସେଇ କଥାକୁ ଅନ୍ୟ ଭାବରେ ଉପସ୍ଥାପିତ କଲା ନିଖିଳ ।

 

ତା’ କଥାର ଚାତୁରୀରେ ମୋହିତହୋଇ କହିଲା ଚୈତାଳି- କେବଳ ଯେଉଁମାନଙ୍କର ଶବ୍ଦ ବା ଅବସାଦ ନାହିଁ, ସେହିମାନେ ଚୋରି କରି ଜାଣନ୍ତି- ନା ।

 

ଧରାପଡ଼ିଗଲା ନିଖିଳ ।

ଏ ଯାଏ ଯେଉଁ ଦୁଇଟି ପାଦକୁ ଲୁଚାଇବାପାଇଁ ଆପ୍ରାଣ ଚେଷ୍ଟା କରୁଥିଲା, ପଦାକୁ ସୁନ୍ଦର ଦିଶୁଥିଲା ତାହା ।

 

ଲୁଚିବା ଜିନିଷ ବାହାରକୁ ଦେଖାଗଲେ ଗୋଟାଏ ନୂଆ ଶିହରଣ ପାଏ ମଣିଷ ।

 

ନୂତନ ଆବିଷ୍କାରର ଆନନ୍ଦରେ ହୋରୀ ଖେଳୁଥିଲା ଚୈତାଳି ।

 

ତାକୁ ସବୁ ନୂତନ ଶୁଣାଯାଉଥିଲା । ସେ ଅଙ୍ଗେ ଅଙ୍ଗେ ନୂତନ ରାଗିଣୀର ଛନ୍ଦ ଅନୁଭବ କରୁଥିଲା ।

 

ହଠାତ୍ ଆଜନ୍ମ ଅବଶୋଷ ଅନ୍ତର୍ହିତ ହୋଇ କୃଷ୍ଣବର୍ଣ୍ଣା ଚୈତାଳି ଆଲୋକରେ ଉଦ୍ଭାସିତ ହୋଇଉଠିଲା ।

 

ଆଲୋକ ଆନନ୍ଦର ବାର୍ତ୍ତାବହ ।

 

ପରମ ପ୍ରତୀକ୍ଷିତ ମୁହୂର୍ତ୍ତର ଅପ୍ରତ୍ୟାଶିତ ଆଗମନରେ ଆନନ୍ଦ-ବିହଳ ହୋଇ ହୃଦୟୋଚ୍ଛ୍ୱାସରେ କାନ୍ଦି ପକାଇଲା ସେ ।

 

ତା’ର ନରମ ହାତର ପାଖୁଡ଼ା ଉପରେ ଘାସଫୁଲଟିକୁ ଗୁଞ୍ଜିଦେଇ କହିଲା ନିଖିଳ- ଶବ୍ଦ ନୁହେଁ, ନିଃଶବ୍ଦରେ ବେଶି ଅନୁଭବ କରିହୁଏ ଚୈତାଳି ! ଚାଲ ନିର୍ଜନ ନଦୀକୂଳରେ ବସି ଜୀବନର ଅସରନ୍ତି ମହିମାଦୀପ୍ତ ଶୋଭାଯାତ୍ରା ଦେଖିବା ।

 

ତାହାରି ପଦାଙ୍କ ଅନୁସରଣ କଲା ଚୈତାଳି ।

Image

 

ଏକାନ୍ତେ ବନ୍ଧୁର ମୁଖ

 

ସେମାନେ ସମସ୍ତେ ଚାଲିଗଲେ ।

 

ସେମାନଙ୍କ ଚାଲିଯିବାର ସୂଚନା ବେଶ୍ ଜାଣିପାରିଲା ଅରିନ୍ଦମ ।

 

ଆସିବାରେ ଯେତିକି ଆନନ୍ଦ ଥାଏ, ଫେରିଯିବାରେ ସେତିକି ଥାଏ ବେଦନା ।

 

ଏକାକୀ ଏକାନ୍ତ ହୃଦୟର ଦାବି ପ୍ରତିବାଦ ସବୁ ଶୁଣିଲା; କିନ୍ତୁ ଏକଛତ୍ରବାଦୀ ସମ୍ରାଟ୍‌ ପରି ସମସ୍ତଙ୍କୁ ଦବାଇ ଦେଇ ସେ ମନେ ମନେ ଘୋଷଣା କଲା- ମୁଁ ବଞ୍ଚିବି, ଏହି ସୁନ୍ଦର ପୃଥିବୀରେ ମଣିଷପରି ବଞ୍ଚିବି- ଜୀବନର ଦ୍ୱନ୍ଦ୍ୱ ଜୟ ପାଇଁ । ଜୀବନ ବରଣୀୟ ।

 

ବଞ୍ଚିବାପାଇଁ ମଣିଷ ଆସିଥାଏ- ମରିଯିବାପାଇଁ ନୁହେଁ; କିନ୍ତୁ ଦିନେ ମରିଯିବ ବୋଲି ବଞ୍ଚିବ ନାହିଁ ଏହା ଏକ ନିଷ୍ପଳ ଅଭିମାନ । ସେ ଅଭିମାନ ଅରିନ୍ଦମର । ବରଂ ଅଭିମାନ କରେ ଜୀବନକୁ ନେଇ ।

 

ସେ ଅନ୍ଧ ହୋଇଯିବାର ଏକ ବର୍ଷ ହୋଇଗଲା । ଆଜି ଠିକ୍ ଏକ ବର୍ଷ ପୂର୍ଣ୍ଣ ହେଲା । ସେଇଥିପାଇଁ ସାମ୍ବାତ୍ସରିକ ବନ୍ଧୁ ମିଳନର ଆୟୋଜନ କରିଥିଲା ସେ । ଦୃଷ୍ଟିହୀନ ହୋଇଛି ସିନା, କୃଷ୍ଟିହୀନ ତ ହୋଇନାହିଁ ! ଜୀବନ ସ୍ରୋତ ଏକାକୀ ବହେନାହିଁ । କେତେ ସ୍ରୋତର ସହାୟତା ପାଇ ପୂର୍ଣ୍ଣ ହୁଏ, ପଥପାର୍ଶ୍ୱ ପାଦପର ଛାୟା ପାଇ ଧନ୍ୟ ହୁଏ । ସ୍ନେହ-ମମତାଭରା ଏଇ ସୁନ୍ଦର ସୁଷମାମୟ ପୃଥିବୀର ଝଲମଲ ରୂପ ମଣିଷକୁ ବଞ୍ଚିବାପାଇଁ ଦିଏ ପ୍ରେରଣା ।

 

ସେଇ ପ୍ରେରଣା ଟିକକ ଆଜି ବି ପାଏ ଅରିନ୍ଦମ ।

 

ସେଇଥିପାଇଁ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିଥିଲା । ସେ ଅନ୍ଧ ହୋଇଯିବା ପରେ ଅନ୍ୟମାନଙ୍କ ଆଖିରେ ତା’ର ଆକର୍ଷଣ କମିଯାଇଥିଲେ ମଧ୍ୟ ତା’ର ନିଜର ଆକର୍ଷଣ କମି ନ ଥିଲା-। ସମ୍ପଦ ଥିଲେ ଲୋକେ ଠୁଳ ହୁଅନ୍ତି ସମ୍ପଦଶୀଳ ପାଖରେ । ସମ୍ପଦ ନ ଥିଲେ, ଅନ୍ୟମାନଙ୍କୁ ହାତ ବଢ଼ାଇ ନ ଦେଲେ, ସେମାନେ ଅଧିକ ସମୟ ହାତ ପତାଇ ଅପେକ୍ଷା କରନ୍ତି ନାହିଁ ।

 

ତାକୁ କେନ୍ଦ୍ର କରି ଯେଉଁ ମଣ୍ଡଳଟି ସମ୍ପୂର୍ଣ୍ଣ ହୋଇଥିଲା ତାହା ଉଭାଇଯିବା ଆଗରୁ ଅରିନ୍ଦମ ପୁଣି ଚାହିଁଥିଲା ତାକୁ ପୂର୍ଣ୍ଣ କରି, ସୁଦୃଢ଼ କରି ରଖିବାପାଇଁ ।

 

ବନ୍ଧୁମାନେ ଆସିଲେ, ଅନେକ କିଛି ପ୍ରୀତ୍ୟୁପହାର ବି ଆଣିଥିଲେ ।

 

ଶ୍ରୀହର୍ଷ କହିଲା- କିରେ ! ଇମିତି ଗୋଟେ କଅଣ କଲୁ ଯେ !

 

ସେ ଉତ୍ତର ନ ଦେଇ ପ୍ରଣବ ଆଡ଼କୁ ମୁହଁ କରି କହିଲା- ତୁ ଆସିବୁ ବୋଲି କିନ୍ତୁ ବିଶ୍ୱାସ ହେଉ ନ ଥିଲା ।

 

ପ୍ରଣବ କହିଲା- ଜନ୍ମଦିନ ଲୋକେ ପାଳନ କରନ୍ତି, ବିବାହ ଦିନ ଉପଭୋଗ କରନ୍ତି, ମୃତ୍ୟୁ ଦିନ ବି ସ୍ମରଣ କରନ୍ତି; କିନ୍ତୁ ଭାଇ, ଯିଏ ସବୁ ଛାଡ଼ି ସନ୍ନ୍ୟାସୀ ହୋଇଯାଏ, ଯିଏ ଦିନେ ସବୁ ସମ୍ପଦ ହରାଇ ଫତୁର ହୋଇଯାଏ, ସେ ସେଇ ଦିନଟିକୁ ସ୍ମରଣ କରିବ, ଉପଭୋଗ କରିବ, ଏହା କଅଣ କମ୍ ଅଭିନବ !

 

ଟିକିଏ ରହି ପୁଣି କହିଲା- ଆଉ ଯାହା ଅଭିନବ ତାହା ମୋତେ ସବୁବେଳେ ଆକର୍ଷଣ କରେ ଅରିନ୍ଦମ !

 

ଅରିନ୍ଦମ ଟିକିଏ ହସି କହିଲା- ଉତ୍ତର ପାଇଲୁ ଶ୍ରୀହର୍ଷ ?

 

ଶ୍ରୀହର୍ଷ କହିଲା- ଆମେ କିନ୍ତୁ ତୋତେ ଭୁଲିଯାଇଥିଲୁ ।

 

-କିନ୍ତୁ ମୁଁ ଭୁଲିଯାଉଥିଲି ଭାଇ !

 

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ତା ଆଡ଼କୁ ମୁହଁ ଫେରାଇଲେ ।

 

ତା’ ହାତକୁ ବଢ଼ାଇ ଦେଇଥିବା ଗୋଟାଏଗୋଲାପ କଳିକୁ ଏପାଖ ସେପାଖ କରୁ କରୁ ସେ କହିଲା- ଏଇ ଯେ ଗୋଲାପ ଫୁଲଟିଏ ଉପହାର ଦେଇଛି ମୋତେ ଶ୍ରୀହର୍ଷ, ଏହାକୁ ମୁଁ ଦେଖି ନ ପାରିଲେ ବି ଉପହାର ଦେଇଛି ମୋତେ ଶ୍ରୀହର୍ଷ, ଏହାକୁ ମୁଁ ଦେଖି ନ ପାରିଲେ ବି ଅନୁଭବ କରିପାରୁଛି । ଏହାର ସୁବାସ ଲାଗୁଛି ମୋର ନାକରେ, ଏହାର ସ୍ପର୍ଶ ମୁଁ ଅନୁଭବ କରୁଛି ଦେହରେ-

 

-ଦୃଷ୍ଟି ଥିଲେ ଏହି ପୃଥିବୀ କେଡ଼େ ସୁନ୍ଦର ଦିଶେ ସତରେ !

 

କହିଦେଲା ଚିନ୍ମୟ ।

 

-କିନ୍ତୁ ଭାଇ, ଦୃଷ୍ଟି ହରାଇ ବି ମୁଁ ପୃଥିବୀକୁ ଦେଖିପାରେ, କଳନା କରିପାରେ ।

 

ସମସ୍ତେ ନୀରବ ହୋଇଯାଇଥିଲେ।

 

ଅରିନ୍ଦମ କହୁଥିଲା- ଏଇ ସୁନ୍ଦର ପୃଥିବୀର କେତେ ରୂପ, ରସ, ଗନ୍ଧ ଜୀବନକୁ ଧନ୍ୟ କରେ, ପୂର୍ଣ୍ଣ କରେ । ରାଶି ରାଶିଆଲୋକର ଝଲମଲ ରୂପ, ଅସରନ୍ତି ପବନର ପ୍ରବାହ, ଲକ୍ଷ କୋଟି ଜୀବନର କୋଳାହଳ ସବୁ ମିଶି ମଣିଷକୁ କେବଳ ଗୋଟିଏ କଥା କହନ୍ତି- ଏଇ ପୃଥିବୀ ସୁନ୍ଦର, ଏଇ ଜୀବନ ଆକର୍ଷଣୀୟ ।

 

-ଆମେ କିନ୍ତୁ ଅନ୍ୟ ରକମ ଭାବିଥିଲୁ !

 

କହିଲା ଶ୍ରୀହର୍ଷ ।

 

-ତୁମେ ହୁଏତ ଭାବିଥିବ ଦୃଷ୍ଟିହୀନ ହୋଇ ମୁଁ ମୁହଁମାଡ଼ି ପଡ଼ିଥିବି, ସବୁ ସୌନ୍ଦର୍ଯ୍ୟ ଦେଖି ନ ପାରି ହତାଶାରେ ଭାସୁଥିବି ।

 

ଚିନ୍ମୟ କହିଲା- ଠିକ୍ ସେୟା ନ ହେଲେ ବି ମିଛ ନୁହେଁରେ !

 

କିନ୍ତୁ ଆଖି ଥାଇ ବି ଲୋକ ଅନ୍ଧ ହୁଏ ଚିନ୍ମୟ ! ଯେଉଁମାନଙ୍କୁ ଦୃଷ୍ଟିଶକ୍ତି ଦେଇଛନ୍ତି ଭଗବାନ, ସେମାନଙ୍କ ମଧ୍ୟରୁ କେତେ ଜଣ ସବୁ ଦେଖିପାରନ୍ତି କହ ତ ?

 

କେହି ଉତ୍ତର ଦେଇପାରିଲେ ନାହିଁ ସହସା । କିନ୍ତୁ ଟିକିଏ ପରେ ଶ୍ରୀହର୍ଷ କହିଲା- ଦେଖିପାରେ ବୋଲି ମଣିଷ ଜାଣିପାରେ ।

 

-ନା । ମୁଁ ବି ତୋପରି ଆଗରୁ ଏହି କଥା କହୁଥିଲି ଶ୍ରୀହର୍ଷ ! କିନ୍ତୁ ଏବେ ନୁହେଁ । ନ ଦେଖି ବି ଅନେକ ସମୟରେ ଆମେ ଅଧିକା ଜାଣୁ, ଆଉ ଦେଖି ବି ଆମେ ଅନେକ ଦେଖୁନା, ଜାଣୁନା ।

 

-ତୁ ଇତିହାସର ଛାତ୍ର ଥିଲୁ, ଅଥଚ ଠିକ୍ ଦାର୍ଶନିକ ଭଳି କଥା କହୁଛୁ ।

 

କହିଲା ପ୍ରଣବ ।

 

ଶ୍ରୀହର୍ଷ କହିଲା- ଦର୍ଶନଶାସ୍ତ୍ର ହତାଶାର ପ୍ରତୀକ ବନ୍ଧୁ ! ଏହାଠାରୁ ଦୂରରେ ରହିବାକୁ ଚେଷ୍ଟାକର ।

 

ସମସ୍ତେ ହସି ପକାଇଲେ ।

 

ଅରିନ୍ଦମ ଯୋଗଦେଲା ହସରେ ।

 

ସେ ଦର୍ଶନଶାସ୍ତ୍ର ପଢ଼ିନି ।

 

ମଣିଷ ସତ୍ୟ ଓ ଅସତ୍ୟ, ଆନନ୍ଦ ଓ ଦୁଃଖର ଫରକ୍ ଜାଣିବାପାଇଁ ଯାହା ବିଶ୍ଳେଷଣ କରେ, ଯେଉଁ ଆଲୋଚନା କରେ, ତାହାହିଁ ତ ଦର୍ଶନ ।

 

ସେ କିନ୍ତୁ ନିଜର ଅଭିମତ ଉପସ୍ଥାପିତ କଲାନାହିଁ । ନୀରବ ହୋଇ ବସି ରହିଲା ବନ୍ଧୁମାନଙ୍କର କଥା ଶୁଣିବାପାଇଁ ।

 

ଶ୍ରୀହର୍ଷ କହିଲା- ତୁ କୋର୍ସ କଂପ୍ଲିଟ୍ କରିଥିଲୁ, ଏ ବର୍ଷ ପରୀକ୍ଷାଟା ଦେଇଦେ ଅରିନ୍ଦମ-!

 

ଅରିନ୍ଦମ କହିଲା- ଦେଇଦେବି ବୋଲି ମୁଁ ବି ଭାବୁଛି, ଯଦିବା ଦବା ନଦବାର ଫରକମୋ ପକ୍ଷରେ ଅନେକ କମିଯାଇଛି ଶ୍ରୀହର୍ଷ !

 

-କାହିଁକି ଏତେ ହତାଶ ହୋଇପଡ଼ୁଛୁ, କାହିଁକି ?

 

କହିଲା ପ୍ରଣବ ।

 

-ହତାଶ ହୋଇନାହିଁ । ମୋତେ ନେଇ ମୋର ପରିବେଶ ହତାଶ ହୋଇ ପଡ଼ୁଛି । ମୁଁ ଆଉ କାହାର ପ୍ରୟୋଜନରେ ଆସୁନାହିଁ ।

 

ତା’ର କଣ୍ଠରେ ଏତେବେଳେ ଯାଇ ବେଦନାର ପରଶ ପାଇ କହିଲା ଚିନ୍ମୟ- ସମସ୍ତଙ୍କର ପ୍ରୟୋଜନ ଅଛି ସଂସାରରେ, ତୋର ବି ଅଛି । ତୁ ବି ସମାଜର ଏକ ଅଙ୍ଗ ।

 

ବେଦନାଝରା ଟିକିଏ ହସ ମୁହଁ ଉପରେ ଖେଳାଇ କହିଲା ଅରିନ୍ଦମ୍‌ ତାହା ହୁଏତ ସତ, କିନ୍ତୁ ସମସ୍ତେ ଏହା ସ୍ୱୀକାର କରନ୍ତି ନାହିଁ । ଅନ୍ଧ ହୋଇ ଗଲେ ମଣିଷ ଅଖୋଜା ଅଲୋଡ଼ା ହୋଇଯାଏ । ଏୟା କେବଳ ସମାଜ କହେ ।

 

ଆମେ ତା’ର ପ୍ରତିବାଦ କରୁ- ହାତ ବାଡ଼େଇ କହିଲା ପ୍ରଣବ ।

 

-ପ୍ରତିବାଦ ମୁଁ ବି କରେ ଭାଇ । କିନ୍ତୁ ଏଇ ପ୍ରତିବାଦ ନିଷ୍ଫଳ ଅଭିମାନ; କେହି ଏହାକୁ ଗ୍ରହଣ କରନ୍ତି ନାହିଁ, ପୂର୍ଣ୍ଣ କରନ୍ତି ନାହିଁ ।

 

-ସେଇଥିପାଇଁ ଆମର ସମାଜ ସ୍ଥାଣୁ ଏବଂ ଯାହା ସ୍ଥାଣୁ ତାହାର ଗତି ନାହିଁ ।

 

-ଗତି ନ ଥିଲେ ଅଗ୍ରଗତି ହବ କିପରି ?

 

କହିଲା ଚିନ୍ମୟ ।

 

-ଆମେ ସବୁ ଏଇଠି ବସିରହିଲେ ଅଗ୍ରଗତି କିପରି ହେବ କହ ତ ?

 

ହସି ହସି କହିଲା ଅରିନ୍ଦମ ।

 

ବୋତାମ ଟିପି ଚାକରକୁ ଡାକିଲା ।

 

ଆଉ ତା’ ପରେ ପରେ ସମସ୍ତେ ଟେବୁଲ୍‌ ଚାରିପାଖରେ ଘେରି ବସିଲେ ବତାଯାଇଥିବା ପୁରୀ, କ୍ଷୀରା ତରକାରି ଖାଇବାପାଇଁ ।

 

ତା’ର ମା’ ଆସି ପରିବେଷଣ କରିଦେଲେ । ସ୍ନେହ-ମମତାଭରା କଣ୍ଠରେ ଆଦର ଯତ୍ନ କରି ଖୁଆଇଲେ ।

 

ତା’ ପରେ ପୁଣି କିଛି ସମୟ ଗଳ୍ପ ଗୁଜବ କଲା ପରେ ସମସ୍ତେ ଚାଲିଗଲେ ।

 

ଅଳ୍ପ କେତେଘଣ୍ଟାର କୋଳାହଳ ପରେ ହଠାତ୍ ନିଶୂନ୍ ନିଛାଟିଆ ଲାଗିଲା ଅରିନ୍ଦମ୍‌କୁ ।

 

ଏଇ ନିଃସଙ୍ଗ ପରିବେଶକୁ ବଡ଼ ଭୟ କରେ ଅରିନ୍ଦମ ।

 

ସଙ୍ଗ ନଥିଲେ ରଙ୍ଗ ନ ଥାଏ ।

 

ଆଉ ସୁଷମା ?

 

ସୁଷମା ସହଯୋଗରେ, ସହବାସରେ ।

 

ତା’ ସହିତ କିଏ ସହଯୋଗ କରିବ ?

 

କିଏ ତା’ ସହିତ ବାସ କରିବ ?

 

କିଏ ତାକୁ ସଙ୍ଗଦେବ ?

 

ଏତେଗୁଡ଼ାଏ ଦୃଶ୍ୟ ମନକୁ ମନ ପଚାରିଦେଲା ସିନା, କିନ୍ତୁ ଉତ୍ତର ଖୋଜି ପାଇଲାନାହିଁ ସହସା ।

 

ଅଳ୍ପ ସମୟ ପାଇଁ ନିର୍ବାକ୍‌ ନିଶ୍ଚଳ ହୋଇ ବସି ରହିଲା ଅରିନ୍ଦମ୍‌ ।

 

ତା’ ପରେ ବାହାରକୁ ଯିବାପାଇଁ ଉଦ୍ୟମ କଲା ।

 

ଘର ଭିତରେ ମୁକ୍ତ ବାୟୁ ପ୍ରବାହିତ ହୁଏ ନାହିଁ ।

 

ରୁଦ୍ଧ ମନ ଭିତରେ ଆନନ୍ଦର କୋଳାହଳ ନ ଥାଏ ।

 

ସେ ସବୁକୁ ପାରି ହୋଇ ମୁକ୍ତ ବାୟୁ ସେବନ କରିବ; ଦେହର ଶିରା ପ୍ରଶିରାରେ, ରକ୍ତକଣିକାର ପ୍ରବାହରେ ଆନନ୍ଦଓ ଆଲୋକର ଉତ୍ତାପ ଅନୁଭବ କରିବ ।

 

ବାହାରକୁ ଆସି ପରିବ୍ୟାପ୍ତ ପୃଥିବୀ ଏବଂ ପ୍ରସାରିତ ଆକାଶ ଆଡ଼କୁ ଅନାଇଲା । ସ୍ଥୁଳ ଚକ୍ଷୁରେ କିଛି ଦେଖି ପାରିଲାନାହିଁ ସତ, କିନ୍ତୁ ମାନସଚକ୍ଷୁରେ ଅଭିଭୂତ ହୋଇ ନିରୀକ୍ଷଣ କଲା ଆନନ୍ଦାଲୋକର ମଙ୍ଗଳମୟସ୍ୱରୂପ । ପୃଥିବୀର ରୂପ ଏଡ଼େ ମହନୀୟ, ତହିଁରେ ବାସକରୁଥିବା ପ୍ରତ୍ୟେକ ପ୍ରାଣୀର ସ୍ୱର ଏଡ଼େ ଆକର୍ଷଣୀୟ, ଏହି ପ୍ରଥମ ଜାଣିଲା ସେ ।

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇ ରାତି ହୋଇଯାଇଥିଲା । ସେ କିନ୍ତୁ କିଛି ଜାଣିପାରିଲା ନାହିଁ । ବକୁଳ ବୃକ୍ଷ ତଳର ସିମେଣ୍ଟ ଚଉତରା ଉପରେ ବସି ବସି ଶୀତଳ ପବନର ଶାନ୍ତ ପ୍ରଲେପ ପାଇ ଶିହରିତ ହୃଦୟରେ ଅପେକ୍ଷା କରୁଥିଲା କେବଳ ।

 

କାହାର ପଦଧ୍ୱନି ଆସି ଲାଗିଲା କାନରେ ।

 

ପ୍ରତ୍ୟେକ ମଣିଷର ପଦଧ୍ୱନି ତା’ର ପରିଚିତ ।

 

ସେ ଉତ୍‌କୀର୍ଣ୍ଣହୋଇ ଅପେକ୍ଷା କରିବାରେ ଲାଗିଲା ।

 

ତା’ ଦେହ ଉପରେ ହାତ ରଖି ପଚାରିଲା ଅର୍ଚ୍ଚନା-ରାତିରେ ଏକାକୀ ଏଇଠି ବସିଛ ଯେ ଅରୁଭାଇ !

 

ଶାନ୍ତ କୋମଳ କଣ୍ଠରେ କହିଲା ଅରିନ୍ଦମ- ଏକାନ୍ତରେ ବସି ବସି ବନ୍ଧୁର ମୁଖ ନିରୀକ୍ଷଣ କରୁଥିଲି ଅର୍ଚ୍ଚନା !

 

ଅବାକ୍‌ ହୋଇଯାଇ କହିଲା ଅର୍ଚ୍ଚନା- କାହିଁ କେହି ନାହାନ୍ତି ତ ଏଠାରେ ? କେଉଁ ବନ୍ଧୁ କଥା କହୁଚ ?

 

ସେ ଟିକିଏ ରହିଯାଇ କହିଲା- ପ୍ରତ୍ୟେକ ମଣିଷ ମୋର ବନ୍ଧୁ ଅର୍ଚ୍ଚନା ! ସେମାନେ ସବୁଠାରେ ଅଛନ୍ତି । ସେମାନଙ୍କୁ ଖୋଜିବାପାଇଁ କଷ୍ଟ କରିବାକୁ ହୁଏନା ।

 

ତା’ ମଥା ଉପରେ ହାତ ବୁଲାଇ ଆଣି କହିଲା ଅର୍ଚ୍ଚନା- ତୁମେ ଆଜି ଡାକିଥିଲ; କିନ୍ତୁ ଠିକ୍‌ ସମୟରେ ଆସିପାରିଲି ନାହିଁ- ରାଗିଲ ?

 

-ନା ନା ତୁ ଆସିଛୁ ଏଇ ମୋର କେତେ ବଡ଼ ଆନନ୍ଦ ! ବର୍ଷକ ତଳର ଆଜି ଦିନଟି ତୋର ମନେପଡ଼ୁଛି ଅନି ?

 

ଅର୍ଚ୍ଚନା ବେଦନା-ବିହ୍ୱଳିତ ସ୍ୱରରେ କହିଲା- ଭୁଲିପାରୁନି ଅରୁଭାଇ !

 

-ମୁଁ ବି ଭୁଲିନାହିଁ, ଭୁଲିପାରୁନାହିଁ । ସେହି ଦିନ ଚକ୍ଷୁର ଜ୍ୟୋତି ହରାଇ ମୁଁ ଅନ୍ଧ ହୋଇଯାଇଥିଲି ନା !

 

କିଛି ଉତ୍ତର ଦେଇପାରିଲା ନାହିଁ ଅର୍ଚ୍ଚନା । ପ୍ରଶ୍ନଟା ଏଡ଼େ ଚଞ୍ଚଳ, ଅଥଚ ସେ କଅଣ କହି ଉତ୍ତର ଦବ, ଖୋଜି ପାଉ ନ ଥିଲା । ପରେ ପୁଣି କହିଲା ଅରିନ୍ଦମ- ଚୁପ୍‌ ହୋଇଗଲୁ ଯେ !

 

-କହିବାପାଇଁ ବହୁତ ଥିଲେ କହି ନ ପାରି ମଣିଷ ଇମିତି ଚୁପ୍‌ ହୋଇଯାଏ, ଅରୁଭାଇ !

 

-ମୋର ବି ବହୁତ କହିବାର ଅଛି ଅନି !

 

-କୁହ ।

 

-ଶୁଣି ପାରିବୁ ?

 

-ନିଶ୍ଚୟ, ସେଇଥିପାଇଁ ତ ବିଳମ୍ବରେ ହେଲେ ବି ଆସିଛି ମୁଁ ।

 

-ତୁ କଅଣ ଭାବୁ ମୋ ବିଷୟରେ ? କମ୍ପନହୀନ କଣ୍ଠରେ କହିଲା ଅରିନ୍ଦମ ।

 

-ଭାବେ ଅନେକ, ଅନେକ ଭାବେ ଅରୁଭାଇ !

 

-ଅଥଚ ତୋ କଥା ମୁଁ ଏତେ ଭାବିପାରେ ନାହିଁ ଅନି !

 

ଅର୍ଚ୍ଚନା ଆଘାତ ପାଇଲା ମନରେ; କିନ୍ତୁ ପ୍ରତିବାଦ କଲାନାହିଁ; ବରଂ ଆହୁରି କିଛି ଶୁଣିବାପାଇଁ ତା’ର ଆଗ୍ରହ ହେଉଥିଲା ।

 

ସେ କହିଲା- ମୁଁ ଜାଣେ ।

 

ଅରିନ୍ଦମ କହିଲା- ନାଁ, ମିଛ କହୁଛୁ । ତୁ ମୋ ମନକଥା ଜାଣିନାହୁଁ ।

 

-ତୁମେ କେମିତି ଜାଣିଲ ମୁଁ ମିଛ କହୁଛି ?

 

-ମୁଁ ଜାଣେ ।

 

-ସବୁ କଥା ସ୍ପଷ୍ଟବାଦୀ ପରି ସହଜଭାବରେ କହିଦବା ଶୋଭନୀୟ ନୁହେଁ ଅରୁଭାଇ !

 

-ଯାହା ସହଜ, ତାହା ସରଳ ଆଉ ଶୋଭନୀୟ ।

 

-ମାନୁଛି, ଯାହା ସହଜ ତାହା ସରଳ; କିନ୍ତୁ ସବୁବେଳେ ତାହା ଶୋଭନୀୟ ନୁହେଁ ।

 

-ହାର ମାନିଲି ଅନି ! ଆଚ୍ଛା କହ ତ, ତୁ କାହିଁକି ଆସୁ ?

 

-ତୁମେ ଡାକ ବୋଲି

 

-ନ ଡାକିଲେ ତୁ ଆସନ୍ତୁନି ?

 

ଟିକିଏ ରହିଯାଇ କହିଲା ଅର୍ଚ୍ଚନା - ହୁଏତ ଆସନ୍ତି ।

 

-କାହିଁକି ?

 

-ସବୁ କଥାର କାରଣ କାହିଁକି ଜାଣିବାପାଇଁ ଚେଷ୍ଟାକର ଯେ ?

 

-କାରଣ ନ ଥାଇ କିଛି କଥା ହୋଇପାରେନା !

 

-କାରଣ ନ ଥାଇ ବେଳେ ବେଳେ କାର୍ଯ୍ୟ ବି ହୁଏ, ଅସ୍ୱୀକାର କରିପାରିବ ନାହିଁ ।

 

-ସତ, କିନ୍ତୁ ଏକଥା ସେ କଥା ନୁହେଁ ।

 

-କିଛି ସମୟ କୌଣସି କଥା ନ ଥିଲା ଦୁହିଁଙ୍କ ତୁଣ୍ଡରେ ।

 

-ବକୁଳ ଗଛରୁ ଝରିପଡ଼ୁଥୁଲା କେତୋଟି ଫୁଟନ୍ତି ବକୁଳ ଫୁଲ ।

 

ସେ ଫୁଲଟିକୁ ଗୋଟାଏ ଆଣି ଅର୍ଚ୍ଚନାର ନାକ ପାଖରେ ରଖି କହିଲା- ସୁବାସ ବାରିପାରୁଛୁ ?

 

-ନିଶ୍ଚୟ ।

 

-ଆଉ କିଛି ?

 

-ଆଉ କ’ଣ ?

 

-କେବଳ ସୁବାସ- ଆଉ କିଛି ଅନୁଭବ କରୁନୁ ?

 

-କରୁଛି ।

 

-କଅଣ ?

 

-ସାନ୍ନିଧ୍ୟ ।

 

-ଏହି ସାନ୍ନିଧ୍ୟ ଟିକକ ବଡ଼ଲୋଭନୀୟ ନୁହେଁ ?

 

କିଛି ଉତ୍ତର ଦେଇପାରିଲାନି ଅର୍ଚ୍ଚନା ।

 

ତା’ର ଉତ୍ତରକୁ ଅପେକ୍ଷା ନ କରି କହିଲା ଅରିନ୍ଦମ-ଜୀବନ ଜୀବନର ସାନ୍ନିଧ୍ୟ ପାଇ ଧନ୍ୟ ହୁଏ । ଜୀବନ ଜୀବନର ପ୍ରଦକ୍ଷିଣ କରି ପୂର୍ଣ୍ଣ ହୁଏ । ଏହି ପୃଥିବୀ କେଡ଼େ ପରିଚିତ, କେଡ଼େ ସୁନ୍ଦର !

 

-କିନ୍ତୁ ?

 

ବେଦନାର୍ତ୍ତ କଣ୍ଠରେ କହିଲା ଅର୍ଚ୍ଚନା ।

 

-ଏଥିରେ କୌଣସି ବିବାଦ ନାହିଁ ଅର୍ଚ୍ଚନା ! ତୁ ପୃଥିବୀକୁ ଭଲ ପାଇଲେ ଦେଖିବୁ ତତେ ସବୁ ଭଲ ଲାଗିବ ।

 

-ଏତେ ବଡ଼ ବୃହତ୍ତର ପୃଥିବୀକୁ କେବଳ ଭଲପାଇ ବଞ୍ଚିପାରିବ ମଣିଷ ?

 

-ହଁ । ବୃହତ୍ତରକୁ ଭଲପାଇଲେ କ୍ଷୁଦ୍ରତରକୁ ଭଲ ପାଇବାରେ କଷ୍ଟ ହୁଏ ନାହିଁ ଅନି !

 

ନୂଆ କଥା ଶୁଣୁଥିଲା ଅର୍ଚ୍ଚନା । ଏତେଦିନର ବଦ୍ଧମୂଳ ଧାରଣା ଧୀରେ ଧୀରେ ବଦଳିବାକୁ ଆରମ୍ଭ କରିଥିଲା ।

 

ଅରିନ୍ଦମ କିନ୍ତୁ ଅନ୍ଧ ।

 

ସେ ତା’ର ଚକ୍ଷୁର ଦୀପ୍ତି ଆଉ ଫେରି ପାଇବ ନାହିଁ ।

 

ତା’ର ଚକ୍ଷୁ ଅଛି, ଦୀପ୍ତି ଅଛି, ଦୃଷ୍ଟି ବି ଅଛି...ସେହି ଦୃଷ୍ଟି ଦେଇ ଯଦି ଅରିନ୍ଦମ ଦେଖେ ପୃଥିବୀକୁ ।

 

-ନୀରବ ହୋଇ କେବଳ ବସିରହିଲୁ ଯେ ? କିଛି କହ ।

 

-କହିବା ପାଇଁ ଅନେକ ଥିଲେ କିଛି କହିହୁଏ ନାହିଁ ।

 

-ଶୁଣିବା ପାଇଁ ଲଜ୍ଜା ହେଉନି ?

 

-ଆଉ ଦିନେ ଶୁଣିବ ।

 

-ନାଁ ଆଜି । ଅନ୍ଧ ହୋଇଯିବାର ଏହି ସାମ୍ବତ୍ସରିକ ଦିବସରେ ମୁଁ ଜାଣିବାପାଇଁ ଚାହେଁ, ମୁଁ ପୃଥିବୀ ଚାରିପାଖରେ ପ୍ରଦକ୍ଷିଣ କରୁଛି କି ନାହିଁ ।

 

ତା’ କାନ ପାଖକୁ ମୁହଁ ଆଣି କହିଲା ଅର୍ଚ୍ଚନା- ମୋ ଆଖି ଦେଇ ଦେଖିପାରିବ ଅରୁଭାଇ ?

 

ପ୍ରଥମେ ନିର୍ବାକ୍‌ ହୋଇଗଲା ଅରିନ୍ଦମ । ତା’ ପରେ ଅର୍ଚ୍ଚନାର ହାତ ଉପରେ ହାତ ରଖି କହିଲା- ପାରିବି ।

 

-ମୋ ଦୃଷ୍ଟିରେ ପୃଥିବୀକୁ ଦେଖି କୁହ ତ କିପରି ଦିଶୁଛି ?

 

ଉର୍ଦ୍ଧ୍ୱକୁ ହାତ ଟେକି କମ୍ପିତ କଣ୍ଠରେ କହିଲା ଅରିନ୍ଦମ-ଅନନ୍ତ ଆଲୋକ ଆଉ ଅସରନ୍ତି ଆନନ୍ଦ ।

 

-ଆଉ ?

 

-ଜୀବନ ।

 

-ଆଉ ?

 

-ଆଉ କିଛି ନୁହେଁ- କେବଳ ଜୀବନ...ଜୀବନ...ଜୀବନ...

 

ସେହି ନୂତନ ଜୀବନକୁ ହାତ ଯୋଡ଼ି ପ୍ରଣାମ କଲା ଅର୍ଚ୍ଚନା । ପୃଥିବୀକୁ ପ୍ରଦକ୍ଷିଣ କରି ନୂତନ ଜୀବନକୁ ସ୍ୱାଗତ କଲା ଅରିନ୍ଦମ ।

Image

 

ଭୋକ

 

ଅନୁରାଗ ଅପେକ୍ଷା କରିଥିଲା ।

 

ସମୟ ସାମାନ୍ୟ ଉତ୍ତୀର୍ଣ୍ଣ ହୋଇଯାଇଥିଲା । ତଥାପି ମନରେ ଆଶା ଥିଲା ସେ ଆସିବ, ନିରାଶ କରିବ ନାହିଁ ।

 

ବାହାରେ ଝିପିଝିପି ବର୍ଷା ହେଉଥିଲା ଟିକିଏ ଆଗରୁ । ବର୍ଷା ବନ୍ଦ ହୋଇଗଲାଣି । ସଡ଼କ ଉପରେ ଗାଡ଼ି, ରିକ୍‌ସା ଏବଂ ପଥଚାରୀମାନେ ପୁନର୍ବାର ଦ୍ୱିଗୁଣ ବେଗରେ ଚାଲିବାକୁ ଆରମ୍ଭ କଲେଣି ।

 

ଆଉ କାହାକୁ ଏପରି ଆଗ୍ରହର ସହିତ ଅପେକ୍ଷା କରି ନ ଥିଲା ଅନୁରାଗ ।

 

ଗୋଟିଏ ରିକ୍‌ସା ଆସି ଫାଟକ ପାଖରେ ଛିଡ଼ାହେଲା ।

 

ସ୍ଥାନଟା ଟିକିଏ ଅନ୍ଧାରିଆ ଥିଲା, ତଥାପି ଜୟାକୁ ସେ ରିକ୍‌ସାରୁ ଓହ୍ଲାଉଥିବାର ସହଜରେ ଦେଖିପାରି ପାହାଚ ତଳକୁ ଓହ୍ଲାଇ ଆସିଲା ପାଛୋଟି ନବାପାଇଁ ?

 

ଜୟା ଗୋଟିଏ ଛିଟ ଶାଢ଼ି ପିନ୍ଧିଥିଲା, ହାତରେ ଏକ ଭାନିଟି ବ୍ୟାଗ୍‌ ଓହଳାଇ ଥିଲା । ସିନ୍ଥିରେ ସିନ୍ଦୁର ନ ଥିଲେ ବି କୁଙ୍କୁମର ସରୁ ଟିପାଟିଏ ଚକ୍‌ଚକ୍‌ କରିୁଥିଲା କପାଳରେ କେନ୍ଦ୍ର ବିନ୍ଦୁରେ ।

 

ଜୟା ନମସ୍କାର ଜଣାଇ କହିଲା- ବହୁତ ବେଳୁ ଅପେକ୍ଷା କଲଣି ନା ?

ଅନୁରାଗ କହିଲା- ତୁମେ ନ ଆସି ଠକିଦବବୋଲି ଭୟ କରୁଥିଲି ।

 

-ସେମିତି କେବେ କରିଛି ?

 

-ନା । ତଥାପି ମଣିଷର ମନ ତ ସବୁଦିନେ ଏକାପରି ରହେନାହିଁ ।

 

-ମୁଁ ମାନୁଛି, ମନ ବି ବଦଳେ, କିନ୍ତୁ ମୋ କ୍ଷେତ୍ରରେ ଏହା ଘଟିବ ବୋଲି ତୁମେ କାହିଁକି କଳ୍ପନା କରୁଥିଲ ଯେ ?

 

ପଥରୁ ବରଣକରି ଭିତରକୁ ପାଛୋଟି ନେଲାବେଳେ ଅନୁରାଗ କହିଲା- ତୁମର କ୍ଷୁଦ୍ରଗଳ୍ପ ସାହିତ୍ୟ ଆକାଡେମୀଦ୍ୱାରା ପୁରସ୍କୃତ ହେଲା ପରେ ତୁମ ପାଖକୁ ବହୁତ ଲୋକ ଆସୁଥିବେ !

 

ସୋଫା ଉପରେ ବସୁ ବସୁ କହିଲା ଜୟା- ହିଂସା ହେଉଚି ?

 

-ନା, ସେମାନେ ଆସନ୍ତୁ, କିନ୍ତୁ ମୋ ଆସିବା ତ ତୁମେ ବନ୍ଦ କରି ଦେଇନାହଁ ।

 

ଏଥର ସିରିୟସ୍‌ ହୋଇ କହିଲା ଜୟା- ସମସ୍ତେ ମୋ ଦୁଆରକୁ ଆସନ୍ତି ଅଭିନନ୍ଦନ ଜଣାଇବା ନାମରେ ମୋର ଟିକେ ସାନ୍ନିଧ୍ୟ ପାଇବାପାଇଁ । ମୁଁ କିନ୍ତୁ ତୁମ ପାଖକୁ ଆସେ ତୁମର ସାନ୍ନିଧ୍ୟ କାମନା କରି ।

 

ଏଥର ଅନୁରାଗର ମୁହଁଟା ଉଜ୍ଜ୍ୱଳ ଦେଖାଗଲା । ଏଯାଏଁ ଯେଉଁ ଅଭାବ ଥିଲା, ତାହା ଘୁଞ୍ଚିଗଲା । ସେ ନିଜକୁ ଉତ୍‌ଫୁଲ୍ଲ, ଉତ୍ସାହିତ ମନେକଲା ।

 

-ଆସିବାବେଳେ ପାଖରେ କେହି ନ ଥିଲେ ?

 

ପଚାରିଲା ଅନୁରାଗ ।

 

-ଥିଲେ । ସବୁବେଳେ ରହିବେ । ହେଲେ ମୋର ବି ପ୍ରୟୋଜନ ଅଛି । ମୁଁ ବି ମଣିଷ ।

 

-ବଡ଼ ହେଲେ ନିଜର ପ୍ରୟୋଜନ ଅପେକ୍ଷା ଅନ୍ୟମାନଙ୍କର ପ୍ରୟୋଜନଟା ଅନେକ ସମୟରେ ବଡ଼ ଦିଶେ ଜୟା !

 

ଦିଶୁ ଅନ୍ୟମାନଙ୍କୁ, ମୋତେ ଦିଶିବ ନାହିଁ । ବଡ଼ ହୁଏ ବା ଛୋଟ ହୁଏ, ମୁଁ ଯାହା ଭଲ ଭାବିବି କେହି ବାଧା ଦେଇପାରିବେ ନାହିଁ ।

 

-ଏ କାମଟା ଭଲ କାମ ବୋଲି କିପରି ଜାଣିଲ ?

 

-ଭଲ ଲାଗେବୋଲି ।

 

-ଅନେକ ଜିନିଷ ଭଲଲାଗେ, ଅଥଚ ଭଲ ନୁହେଁ ।

 

-ନ ହୋଇପାରେ, ମୁଁ ତର୍କ କରୁନି; କିନ୍ତୁ ଭଲ ନ ହେଲେ ବି ଯଦି ମୋତେ ଭଲଲାଗେ, ଅନ୍ୟର ସେଥିରେ ମୁଣ୍ଡବ୍ୟଥା ହବ କାହିଁକି ?

 

-ହବନି ? ତୁମେ ମୋ ପାଖକୁ ଆସିଲ, ଅଥଚ ସେମାନଙ୍କ ପାଇଁ ସମୟ ଦେଲନାହିଁ ।

 

-ସମୟ ଜଣକ ପାଇଁ ଦିଆଯାଏ । ଅନ୍ୟମାନେ ସମୟ ପାଇଁ ଅପେକ୍ଷା କରନ୍ତି, ସମୟ କିନ୍ତୁ ଅପେକ୍ଷା କରେ ନାହିଁ ।

 

-ଅସମୟ ବି ଅଛି ତ !

 

-ଅଛି । କିନ୍ତୁ ତୁମପାଇଁ ନୁହଁ ।

 

-କେହି ଯଦି ମନାକରିଥାଆନ୍ତା ଆସିବାପାଇଁ ?

 

-ମୁଁ ମନା ମାନି ନ ଥାନ୍ତି ।

 

ଏଥର ଅନୁରାଗ ସତରେ ଜୟା ପାଖକୁ ଉଠି ଆସି କହିଲା-ତୁମେ

 

-ତୁମେ ବି ଅନନ୍ୟ ।

 

-ମୋଯୋଗୁଁ ?

 

-ହଁ ।

 

-କିପରି ?

 

-ଅସାଧାରଣ ହିଁ ଅନନ୍ୟ ପାଖରେ ରହିପାରେ । ଦୁହେଁ ଖିଲ୍‌ ଖିଲ୍‌ କରି ହସିଉଠିଲେ ।

 

ଟିକିଏ ପରେ ପଚାରିଲା ଜୟା- ତୁମେ ଲେଖାଲେଖି ଛାଡ଼ିଦେଲ ?

 

-ଲେଖିପାରୁନି ।

 

-କାହିଁକି ?

 

-ମନ ଲାଗୁନି ।

 

-ମନଟାକୁ ଲଗାମ ଦେଇ କଣ୍ଟ୍ରୋଲ୍‌ କରି ଶିଖ ।

 

-ଲଗାମ ଦେଲେ ମୁହଁ ମାଡ଼ିପଡ଼ି ରହିବ ।

 

-କେବଳ ଲଗାମହୀନ ହୋଇଉଡ଼ି ବୁଲିବାପାଇଁ ଚାହଁ, ନା ?

 

-ନା, । ତୁମର ପର ଅଛି, ତୁମେ ସିନା ଉଡ଼ିବ; ମୁଁ ପାରିବି କେଉଁଠି ?

 

ଟିକିଏ ହସି କହିଲା ଜୟା- ତଥାପି ମୋ ବିଷୟରେ ନିଶ୍ଚିନ୍ତ ନୁହଁ ତୁମେ । ମୁଁ ଆଗରୁ କହିଛି ତୁମକୁ ଦେଖିଲେ ଉତ୍ସାହିତ ହୁଏ, ତୁମର ସାନ୍ନିଧ୍ୟ ପ୍ରେରଣା ଦିଏ...

 

-ଖାଲି ସେତିକି ?

 

-ଆହୁରି ଶୁଣିବାପାଇଁ ମନ ହେଉଛି ?

 

-ଶୁଣିବାପାଇଁ ଭଲଲାଗେ

 

-ପରେ ଶୁଣିବ । ବର୍ତ୍ତମାନ କିଛି ଖାଇବା- ପିଇବାର ବ୍ୟବସ୍ଥା କର । ଭୋକ କରୁଚି ।

 

ସେକଥା ଭୁଲିଯାଇଥିଲା ଅନୁରାଗ । ରେସ୍ତୋରାଁରୁ ଫିସ୍‌ ଫ୍ରାଇ, ଚିକେନ୍‌ ରୋଷ୍ଟ, ବ୍ରେଡ଼ ଏଣ୍ଡ ବଟର ଏବଂ କୁଷ୍ଟର୍ଡ଼ପୁଡ଼ିଂ ଆଣିବାପାଇଁ ଅର୍ଡ଼ର ପଠାଇ ଦେଇ ଆସି ଜୟା ପାଖରେ ବସି ତା’ର ଡାହାଣ ହାତଟି ଏପାଖ ସେପାଖ କଲା । ମନକୁ ମନ କହିଲା- ଏଇ ସାଧାରଣ ନରମ ହାତ ଖଣ୍ଡକର ଅସାଧାରଣ କୃତିତ୍ୱ ।

 

ଜୟା ସହିତ ଅନୁରାଗର ବନ୍ଧୁତ୍ୱ ଏଇ ପାଞ୍ଚବର୍ଷର । ତା’ ପୂର୍ବରୁ ଦୁହେଁ ଯେ ପରସ୍ପରର ଅପରିଚିତ ଥିଲେ, ତା’ ବି ନୁହେଁ । ପିଲାଦିନର ପରିଚୟରେ ସ୍ୱୀକୃତି ନ ଥିଲା । ପାଞ୍ଚବର୍ଷର ପରିଚୟଦ୍ୱାରା ଜୟା ସମସ୍ତଙ୍କୁ ପଛରେ ପକାଇ ତା’ ସହିତ କେବଳ ଆଗକୁ ଆସିଛି । ସେମାନଙ୍କର ଯାତ୍ରା ସୀମିତ ନୁହେଁ, କେଉଁଠି ଶେଷ ହୋଇଯିବାର ଲକ୍ଷ୍ୟ ବା ଆଶଙ୍କା ବି ନାହିଁ । ଅସରନ୍ତି ଯାତ୍ରାପଥରେ ଉଭୟେ ଏକାସାଙ୍ଗରେ ଯାତ୍ରା କରିବେ । ପରସ୍ପରର ଶ୍ରାନ୍ତି ଅପନୋଦନ କରି ଶାନ୍ତି ସ୍ଥାପନ କରିବେ । ପରସ୍ପରର ସର୍ବାଙ୍ଗରେ ଜମିଥିବା ଝାଳ, ଧୂଳି ଓ ମଳିକୁ ପୋଛିବେ ଏବଂ ସଂହତି ଓ ସମନ୍ୱୟ ରକ୍ଷା କରିବେ ।

 

ଜୟା ଅନେକ କଥା କରିପାରେ, ଅନୁରାଗ ସ୍ୱଭାବତଃ ସ୍ୱଳ୍ପଭାଷୀ; କିନ୍ତୁ ଏହା ଯେପରି ଉଭୟଙ୍କର ପରିପୂରକ, ବିରୋଧୀ ନୁହେଁ ।

 

ଅନୁରାଗ ଏ ସହରକୁ ବଦଳି ହୋଇ ଆସିଲାବେଳେ ଭାବିଥିଲା ଜୟା ହୁଏତ ଦଶଜଣଙ୍କର ପରି ସ୍ୱାଗତ କରିବ; କିନ୍ତୁ ତା’ର ଭୁଲ ଭାଙ୍ଗି ଜୟାର ଚିଠି ଆସିଲା- ତୁମର ଏ ବଦଳି ବିଧିପ୍ରେରିତ । ମୋ’ଠାରୁ ଆଉ କିଏ ଏଥିରେ ବେଶି ଖୁସି ଏହା ମୁଁ ସ୍ୱୀକାର କରିବି ନାହିଁ ।

 

ମନଟା କୁଣ୍ଢେ ମୋଟ ହୋଇଯାଇଥିଲା ଅନୁରାଗର । ଭଲ ସ୍ଥାନ ଛାଡ଼ି ଗୋଟିଏ ଛୋଟ ସ୍ଥାନକୁ ଆସୁଥିବାର ମାନସିକ ଅବସାଦ ଦୂର ହୋଇଗଲେ କ୍ଷଣକରେ । ସେ ଆସି ପହଞ୍ଚି ଟେଲିଫୋନ୍‌ କରି ଜୟାକୁ ଜଣାଇଲା-

 

-ମନେରଖିଚ ?

 

-ଏକଥା ପଚାରି ପାରୁଚ ? ଉତ୍ତର ଦେଲା ଜୟା ।

 

-ନା ଏମିତି ପଚାରିଦେଲି ।

 

-ରାଗିଗଲା ?

 

-ସକାଳୁ ରଗାଇଲେ ରାଗିବିନି ?

 

-କେବେ ଦେଖାହବ ?

 

-ଆଜି ଆସ ।

 

-ମୁଁ ଯିବି ନା ତୁମେ ଆସିବ ?

 

-ଯିମିତି କହିବ ।

 

-ତୁମେ ଆସ ।

 

-ବରଂ ନୂଆ ହୋଇ ଆସିଛ, ଆଜି ତମେ ଆସ ଖାଇଳାବେଳକୁ ମୁଁ ବାଟ ଚାହିଁ ବସିଥିବି-

 

-ଯିବି ।

 

-ନିଶ୍ଚୟ ।

 

-ହଁ ନିଶ୍ଚୟ ।

 

ତା’ପରେ ଅନୁରାଗ ତାଙ୍କ ଘରକୁ ଯାଇଥିଲା । ଭାତ, ପାଞ୍ଚ ପ୍ରକାର ତରକାରି ସହିତ ଗରମ ଇଲିସି ମାଛ ଭଜା ଖାଇ ଜୟାର ପ୍ରଶଂସାରେ ପଞ୍ଚମୁଖ ହୋଇଉଠିଲା । ଖାଇବାବେଳେ ସେଦିନ ଜୟା ପଚାରିଥିଲେ- ମୋ କଥା ମନେପଡ଼ୁଥିଲା ?

 

ସେ ଉତ୍ତର ଦେଇଥିଲା- ତୁମ କଥା ଭୁଲିଯିବି ଆଶଙ୍କା କରୁଥିଲ ? ତୁମକଥା ଯେଉଁଦିନ ଭୁଲିଯିବି ସେ’ଦିନ ଆସିବାପାଇଁ କହୁଚ, ବିଳମ୍ବ ଅଛି ।

 

ଜୟା ରାଗିଗଲା ଏହି ଅଲକ୍ଷଣା କଥା ଶୁଣି ।

 

ଟେବୁଲ ଉପରେ ଖାଦ୍ୟ ପରଷି ଦେଇଗଲା ଚାକର ।

 

ଜୟାକୁ ବସାଇ ତା’ ସାମ୍ନାରେ ବସିଲା ସେ ନିଜେ । ମାଛଭଜାରୁ ଖଣ୍ଡେ ପାଟିରେ ଜାକି ଜୟା କାନ୍ଧରୁ ଖସିପଡ଼ୁଥିବା ଆବରଣକୁ ସଜାଡ଼ିଦେଇ କହିଲା- ନିଶ୍ଚିନ୍ତରେ ଖାଅ । ଭଲ ଲାଗୁଛି ?

 

-ତୁମେ ଛୁଇଁଦେଲ । ଏଥର ସବୁ ଭଲ ଲାଗିବ ।

 

ବିହ୍ୱଳ ଚିତ୍ତରେ ଚାହିଁରହିଲା ଅନୁରାଗ ।

 

ସକାଳର ମଲ୍ଲୀଫୁଲ ପରି ପୁଲକିତ ଦିଶୁଥିଲା ଜୟା ।

 

ଜୟା ସୁସାହିତ୍ୟିକା, ପ୍ରଖ୍ୟାତ ଗଳ୍ପଲେଖିକା । ତା’ର କ୍ଷୁଦ୍ର ଗଳ୍ପ ଏବେ ଉଚ୍ଚ ପ୍ରଶଂସିତ ଏବଂ ସାହିତ୍ୟ ଆକାଡ଼େମୀ ମଧ୍ୟ ତାହା ସ୍ୱୀକାର କରି ତାକୁ ଶ୍ରେଷ୍ଠ ଗଳ୍ପ ପାଇଁ ବାର୍ଷିକ ପୁରସ୍କାର ଦେଇଛନ୍ତି । ଏତେବଡ଼ ଜଣେ ଲେଖିକା ଯେ ତା’ର ବାନ୍ଧବୀ ଏଥିପାଇଁ ଗର୍ବ ହୁଏ ମନରେ ଅନୁରାଗର । ସେ ସିନା ଲେଖିପାରୁନାହିଁ, ତା’ର ନିକଟତମ ଆଉ ଜଣେ ଏତେ ଲେଖିପାରୁଛି ତ ! ଅନୁରାଗ ଯେଉଁଦିନ ସାହିତ୍ୟ ଆକାଡ଼େମୀର ପୁରସ୍କାର କଥା ପ୍ରଥମେ ଆଞ୍ଚଳିକ ସମ୍ବାଦରୁ ଶୁଣିଲା, ନିଜେ ଦୁଇ ଇଞ୍ଚ ଅଧିକ ଉଚ୍ଚ ହୋଇଯିବାପରି ଅନୁଭବ କଲା ଏବଂ ସଙ୍ଗେ ସଙ୍ଗେ ପଚିଶ ଟଙ୍କାର ମିଠାଇ କିଣି ଆଣି ପାଖପଡ଼ୋଶୀମାନଙ୍କର ପିଲାମାନଙ୍କ ମଧ୍ୟରେ ବିତରଣ କଲା । ଜଣେ ପ୍ରୌଢ଼ା ସ୍ନେହଶୀଳା ଭଦ୍ରମହିଳା ଆସି ପଚାରିଲେ- ମିଠେଇ ବାଣ୍ଟୁଛ ଯେ...ବାହାହବ ଏଥର ?

 

ହସିଦେଇ କହିଥିଲା ଅନୁରାଗ- ସେ ସମୟ ଆଉ ନାହିଁ ଭାଉଜ !

 

ଅନୁରାଗ ସମୟ ଅନୁସାରେ ବିବାହ କରିପାରିଲା ନାହିଁ । ତେଣେ ଜୟା ବିବାହ ପରେ ଚେଷ୍ଟାକରି ମଧ୍ୟ ବୈବାହିକ ଜୀବନରେ ଜୟୀ ହୋଇପାରିଲା ନାହିଁ । ସାହିତ୍ୟ ସୂତ୍ରରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱର ଆରମ୍ଭ, କିନ୍ତୁ ଏବେ ତାହା ସାହିତ୍ୟର ଚାରିସୀମାକୁ ଅତିକ୍ରମ କରି ଜୀବନକୁ ସବୁଆଡ଼ୁ ଆବୋରି ରଖିଛି । ବନ୍ଧୁତ୍ୱର ସ୍ୱାଦ ଏତେ ବେଶି ବୋଲି କ୍ଷୟଶୀଳ ଶରୀରରେ ଏଇ ପ୍ରଥମ ଜାଣିଲା ଅନୁରାଗ । ଜୟା ବି କଅଣ କମ୍ ଖୁସି ହୁଏ ତାହା ଦେଖିଲେ ! ତା’ର ବାନ୍ଧବୀ ବୋଲି ସେ ଗର୍ବ କରେ, ଗୌରବ ବୋଲି କହେ । ଲୁଚାଛପା ନୁହେଁ, ସେଦିନ ରବିବାସରୀୟ ସାହିତ୍ୟ ସଭାରେ ଦମ୍ଭର ସହିତ ଘୋଷଣା ବି କରିଦେଲା- ଅନୁରାଗ ମୋର କେବଳ ବନ୍ଧୁ ନୁହନ୍ତି, ମୁଁ ତାଙ୍କର ଅନୁରାଗିଣୀ । ସେ ମୋତେ ଉତ୍ସାହ ଦିଅନ୍ତି, ଅନୁପ୍ରାଣିତ କରନ୍ତି । ତାଙ୍କ ସହିତ ଅନ୍ୟ କାହାର ତୁଳନା ହୋଇପାରେନା ।

 

ସମସ୍ତେ ଅବାକ୍ ହୋଇ ଶୁଣୁଥିଲେ ଏହି ଅପ୍ରିୟ ସତ୍ୟର ପ୍ରକାଶିତ ବିବରଣ ।

 

ଚିକେନ୍‌ରୋଷ୍ଟରୁ ଟିକେ ପାଟିରେ ପୂରାଇ କହିଲା ଜୟା-ତୁମେ ଏତେଦିନ ମନେପକାଉ ନ ଥିଲ କାହିଁକି ?

 

- ବ୍ୟସ୍ତ ଥିଲି ।

 

- ଏତେ ବ୍ୟସ୍ତ ଯେ ଆସି ନ ପାରିଲେ ବି ଫୋନ୍ କରିବାପାଇଁ ମଧ୍ୟ ଭୁଲିଗଲ ?

 

- ଫୋନ୍‌ରେ ଟ୍ୟାପ୍ ହୁଏ ଆଜିକାଲି । ସବୁ କଥା କହି ହୁଏନା ।

 

- ମୁଁ ଭୟ କରେନା । ଟ୍ୟାପ୍ ହେଉ । ଯାହା କୁହାଯାଏନା, ତାହା ଶୁଣିବାର ଆଶଙ୍କା କରିବା ବି ବୃଥା ।

 

- ତଥାପି ଏକ୍ସଚେଞ୍ଜର ଲେଡ଼ି ଅପରେଟର ଖୁବ୍ କରିତ୍‌ କର୍ମା ।

 

- ତମ ପଛରେ ବି ଦିନାକେତେ ଗୋଡ଼େଇଥିଲା ।

 

- ହିଂସା ହେଲାନି ? ହସି ହସି କହିଲା ଅନୁରାଗ ।

 

ମୁହଁ ଗମ୍ଭୀର କରିଦେଲା ଜୟା ।

 

- କାହିଁକି ନ ହେବ ? ମୁଁ ତମ ପଛେ ପଛେ ଗୋଡ଼ାଉଛି, ଆଉ ତମେ ଅନ୍ୟର ଅନୁସରଣ କରିବ- ବାଃରେ !

 

- ମୁଁ ତ ଗୋଡ଼ଉନି !

 

- ଗୋଡ଼େଇ ଥାଆନ୍ତ ମୁଁ ନ ଥିଲେ ।

 

- ମାନୁଛି । ଏବେ ଭଲକରି ଖାଅ ତ ଟିକେ- ପରେ ନ ହେଲେ କହିବ ଭୋକରେ ଫେରାଇଦେଲି ବୋଲି ।

 

ଅନୁରାଗ ଉପରେ ଝଲକାଏ ଅନୁରଞ୍ଜିତ ଚାହାଣି ଲେପିଦେଇ କହିଲା ଜୟା- ଖାଲି ଖାଇଲେ କି ଭୋକ ମରେ ?

 

ଜୟାର ହାତକୁ ଖେଳାଉଥିଲାବେଳେ ଏଇ ଭୋକର ପରଶ ପାଇଥିଲା ଅନୁରାଗ । କୋମଳ, ରକ୍ତିମ ହାତ ଭିତରେ ଏତେ ଉତ୍ତାପ ଠୁଳ ହୋଇଥାଏ, ଏହା ସେ ଜାଣି ନ ଥିଲା ।

 

ଅନୁରାଗ ଜୟା ମୁହଁକୁ ଚାହିଁଲା । ଟିକିଏ ରହିଯାଇ କହିଲା- ତୁମେ ଆଜି ବେଶ୍ ସୁନ୍ଦର ଦିଶୁଛ ।

 

-କଥାର ମୋଡ଼ ଭାଙ୍ଗିବାପାଇଁ ଚେଷ୍ଟାକରୁଛ ନା ?

 

ସିଧାସଳଖ ପଚାରିଦେଲା ଜୟା ।

 

ଲାଜେଇ ଗଲା ଅନୁରାଗ । ସେ ଏଇ କଥା ବାରମ୍ୱାର ଏଡ଼ି ଯାଇଛି ଅତୀତରେ, ଆଜିବି ଚାହିଁଥିଲା ଏଡ଼ିଯିବାପାଇଁ । ବାନ୍ଧବୀର ବନ୍ଧନ ଅବାରିତ ଅକୁଣ୍ଠିତ ହୃଦୟର ସୁରଭିବୋଳା ଶତ ଶତ ସୁରଭି ଛୁଆଁ ଫୁଲମାଳ । ସେଠାରେ ସମ୍ପୂର୍ଣ୍ଣତା... ସନ୍ତୋଷ ।

 

ତାକୁ କ୍ଷୟ କରିଦବ ଅନୁରାଗ ?

 

ଜୟା କହିଲା- ମୁଁ ଗୋଟେ ସିଧା ପ୍ରଶ୍ନ ପଚାରୁଛି । ତାହାର ଗୋଟେ ସିଧା ଉତ୍ତର ପ୍ରତ୍ୟାଶା କରେ ଅନୁ !

 

- ପରେ ଶୁଣିଲେ ହବନି ?

 

- ନା, ଆଜି ଏଇକ୍ଷଣି ଶୁଣିବାପାଇଁ ଚାହେଁ ।

 

କିଛି ସମୟ ଭାବିଲା ଅନୁରାଗ ।

 

ଜୟା ଏପରି ଜିଦ୍‌ କରେ । କଲିକତା’ର ଏକ ସାହିତ୍ୟ ସମ୍ମିଳନୀରେ ତାକୁ ପ୍ରଥମ ବକ୍ତାଭାବରେ ସ୍ଥାନ ନ ଦେଇ ତା’ ନାମ ପଛକୁ ରଖିବାରୁ ଜୟା ତୀବ୍ର ପ୍ରତିବାଦ କରି କହିଥିଲା- ଅନୁରାଗବାବୁ ପ୍ରଥମେ ନ କହିଲେ, ମୁଁ ମଧ୍ୟ ପ୍ରଥମେ ଗଳ୍ପ ପଢ଼ିବାପାଇଁ ପ୍ରସ୍ତୁତ ନୁହେଁ ।

 

କେତେକଙ୍କ କାନକୁ ଟିକିଏ ଅପ୍ରୀତିକର ଶୁଣାଯାଇଥିଲା କଥାଟା । କିନ୍ତୁ କହିଦେଇ ଚୁପ୍ ହୋଇ ବସି ନ ରହି ତାକୁ କାର୍ଯ୍ୟରେ ପରିଣତ କରିବାପାଇଁ ଉଦ୍ୟମ ମଧ୍ୟ କରିଥିଲା ସେ ।

 

ଆଜି ସେହି ଜୟା ତା’ ପାଖରୁ ପ୍ରତିଶ୍ରୁତି ଚାହେଁ ।

 

ପ୍ରତିଶ୍ରୁତିର ପ୍ରତିଲିପି ଲେଖିକା ହୋଇ ବି ଏଯାଏଁ ପଢ଼ିପାରିଲା ନାହିଁ ଜୟା । ଭାବୁ ଭାବୁ ଗୁଣୁ ଗୁଣୁ ହୋଇ ମନକୁ ମନ କହିଲା ଅନୁରାଗ । ତା’ପରେ ଅନ୍ତରର ସମସ୍ତ ଅନୁଭୂତିକୁ ଆହୁରି ମଧୁର ଓ ଆନନ୍ଦସିକ୍ତ କରିବାପାଇଁ ସେ କହିଲା- ତୁମ ସହିତ ମୁଁ ଏକମତ ।

 

ଜୟା ଖାଇବା ଶେଷ ନ କରି ଉଠି ଆସି ଅନୁରାଗର କାନ୍ଧ ଉପରେ ନଇଁପଡ଼ି ତା’ର କାନ ପାଖରେ କହିଲା- ଭଲପାଅ, ଅନ୍ତର ନିଃଶେଷ କରି କେବଳ ଭଲପାଅ ଅନୁ ?

 

ଆଉ ଖାଇପାରିଲା ନାହିଁ ଅନୁରାଗ । ତା’ର ପେଟ ପୁରିଯାଇଥିଲା ।

Image

 

କହ୍ନେଇର ଗୀତ

 

ହଜାର ହଜାର ବର୍ଷ ବର୍ଷ ମୁହଁ ମାଡ଼ି ପଡ଼ିରହିବା ପରେ ହଠାତ୍ ଦୁର୍ଯୋଧନର ମନେହେଲା ସେ ସମ୍ପୂର୍ଣ୍ଣ ଭାବରେ ମରିଯାଇନାହିଁ, ବଞ୍ଚିଛି । ମରିବା ମଣିଷ ନିର୍ଜୀବ ଏବଂ ନିସ୍ତେଜ ହେଲାପରି ସେ ବି ସେହିପରି ଅସ୍ତିତ୍ୱ ଶୂନ୍ୟ ହୋଇ ପଡ଼ିରହିଥିଲା । ହଜାର ହଜାର ବର୍ଷର କେତେ ସଂଗ୍ରାମ ଓ ସଂଘର୍ଷ, ସୁଖ ଓ ଦୁଃଖ ସବୁ ତାହାରି ଉପର ଦେଇ ବହିଯାଇଛି । ସେ ଏସବୁକୁ ଲକ୍ଷ୍ୟକରି ନାହିଁ- ଲକ୍ଷ୍ୟ କରିବାପାଇଁ ସାହସ ବି କରିନାହିଁ । ମାନ ଟିକକ ଚାଲିଗଲା ପରେ ସେ ଆଉ ମୁହଁଟେକି କାହାକୁ ଚାହିଁପାରୁ ନ ଥିଲା । ଅଭିମାନ ନ ଥିଲେ ମଣିଷକୁ ସାଜେନା ଯେପରି । ସେହି ଅଭିମାନଟିକକୁ ରକ୍ଷାକରିବାପାଇଁ ଏତେବଡ଼ ଗୋଟେ ଯୁଦ୍ଧରେ ସେ ଅବତୀର୍ଣ୍ଣ ହେଲା । କର୍ପୂର ଉଡ଼ିଗଲେ କନା ଖଣ୍ଡକ ପଡ଼ିରହେ । କର୍ପୂରର ସୁବାସ ବି ଟିକେ ଅଧେ ଥାଏ, କିନ୍ତୁ କର୍ପୂର ରହେ ନାହିଁ । ଅଭିମାନ ସହିତ ମାନୀ ଦୁର୍ଯ୍ୟୋଧନ ମରିଯାଇଥିଲା ବୋଲି ଲୋକେ କହୁଥିଲେ ।

 

ସେ ବି ଭାବିଥିଲା ଯେ ସେ ମରିଯାଇଛି । ଆଉ ତା’ର ଅସ୍ତିତ୍ୱ ନାହିଁ, କରିବାର କିଛି ନାହିଁ । କିନ୍ତୁ ମୁହଁ ମାଡ଼ି ତା’ର ଯେଉଁ ଜୀବନଟା ପଡ଼ିରହିଥିଲା, ତାହା ଯେ ପାଣି ପବନ ଓ ଆଲୋକ ପାଇ ପୁନର୍ବାର ସଞ୍ଜୀବିତ ହୋଇ ଉଠିବ ସେ ତ ଜାଣି ନ ଥିଲା । କାଳାନ୍ତରର ବିବର୍ତ୍ତନ ମଧ୍ୟରେ ସେ ବି ପରିବର୍ତ୍ତନ ଦେଖିଲା । ସେ ବି ଅବାକ୍ ହୋଇ ଲକ୍ଷ୍ୟ କଲା- ସେ ସମ୍ପୂର୍ଣ୍ଣ ମରିଯାଇନାହିଁ- ସରିଯାଇନାହିଁ ।

 

ଚମକି ଉଠିଲା ଦୁର୍ଯୋଧନ, ଯୁଗପତ୍ ଆନନ୍ଦ ଏବଂ ବିସ୍ମୟରେ ସେ ପ୍ରଥମେ ନିର୍ବାକ୍‌ ହୋଇ କେବଳ ଶୂନ୍ୟକୁ ଚାହିଁ ରହିଲା । ଅନେକ ସମୟ ଚାହିଁବାପରେ ସେ ଦେଖିଲା ଯେ ଆକାଶରେ ଲକ୍ଷ ଲକ୍ଷ ତାରକା । ସେମାନଙ୍କର ଚିହ୍ନା ମହୁଁଗୁଡ଼ାକ କ୍ରମଶଃ ତା’ ସ୍ମୃତିପଟରେ ଉଭା ହେଲେ ଆସି । ସେ ଶିହରି ଉଠିଲା ପୁଲକରେ । ଏତେ ଯୁଗ ପରେ ସେମାନଙ୍କୁ ସେ ଦେଖିଛି । ସେମାନେ ଯିଏ ଯେଉଁଠି ଥିଲେ ସେଇଠି ଅଛନ୍ତି । ସପ୍ତର୍ଷି ମଣ୍ଡଳ ଅଷ୍ଟର୍ଷି ବା ଏକ ଶତର୍ଷି ମଣ୍ଡଳରେ ପରିଣତ ହୋଇନାହିଁ । ଧ୍ରୁବ ତାରାଟିକୁ ଦେଖିବାପାଇଁ ଇଚ୍ଛା ହେଲା । ସପ୍ତର୍ଷି ମଣ୍ଡଳର ପ୍ରଥମ ଦୁଇ ତାରକାକୁ ଯୋଗକରି ସେ ଗାର ଟାଣିଲା ଉତ୍ତରକୁ । ବହୁ ପଥ ପରେ, ବଡ଼ ଦୂରରେ ସେହି ଗାର ଗୋଟିଏ ଉଜ୍ଜ୍ୱଳ ତାରକାକୁ ବିଦ୍ଧ କଲା- ଆଉ ଚମକିପଡ଼ି ଦେଖିଲା ଦୁର୍ଯ୍ୟୋଧନ ସେହି ତାରକାକୁ । ସମାନ ଓ ଠିକ୍ ସେହି ପୂର୍ବପରି । ଆକାଶର ନକ୍ଷତ୍ର-ମଣ୍ଡଳକୁ ଉଜ୍ଜ୍ୱଳ କରି ଆଖି ଆଗରେ ଅଭିନନ୍ଦନ ଜଣାଇଲା ଧ୍ରୁବତାରା ।

 

ସମସ୍ତେ ସେ ଯାହା ସ୍ଥାନରେ ଅଧିଷ୍ଠିତ ଅଛନ୍ତି । କକ୍ଷ ତ୍ୟାଗକରି କାହାକୁ ହଜି ଯାଇଥିବାର ସେ ଦେଖିଲାନାହିଁ । ଟିକିଏ ରାତି ହବାକ୍ଷଣି ଚନ୍ଦ୍ର ଉଦୟ ହେଲା । ଚକାମୁହଁର ହସିଲାରୂପ ଦେଖି ଠିକ୍ ଚିହ୍ନିପାରିଲା ଏବଂ ଜାଣିପାରିଲା, ବ୍ୟତିକ୍ରମ ହୋଇନାହିଁ । ଏହା ସେହି ଏକ ଓ ଏହାର ବିକଳ୍ପ ନାହିଁ ।

 

ଆକାଶ, ନକ୍ଷତ୍ର, ଚନ୍ଦ୍ର ଓ ସୂର୍ଯ୍ୟ ସମସ୍ତେ ଅଛନ୍ତି ।

 

ଦେହରେ ପବନ ବାଜି ତାକୁ ସତେଜ କରି ଦେଇଗଲା । ଆଲୋକ ତାକୁ ଆଗରୁ ଜାଗ୍ରତ କରିଦେଇ ଯାଇଥିଲା । ମାଟିର ଗନ୍ଧ ନାକରେ ବାଜି ତା’ର ଇନ୍ଦ୍ରୟମାନଙ୍କୁ ଉଲୁସାଇ ଦେଲା-

 

ସେ ଉଠି ବସି କହିଲା- ଏତେ କାଳ ଶୋଇଗଲା ।

 

ରାତ୍ରିର ନିସ୍ତବ୍ଧତା ଭଙ୍ଗକରି ସେଇ ଗୋଟେ କଥା ପ୍ରତିଧ୍ୱନିତ ହୋଇ ସାରା ପୃଥିବୀରେ ଗୁଞ୍ଜରି ଉଠିଲା ।

 

ଦୁର୍ଯ୍ୟୋଧନ ମୁଗ୍ଧ, ବିସ୍ମିତ ହୋଇ ଅନୁଭବ କଲା- ତା’ ଦେହରେ ପୂର୍ବ ବଳ ଫେରିଆସୁଛି । ରକ୍ତ ମାଂସରେ ଅତୀତର ଉନ୍ମାଦନା ଏବେ ବି ବେଶ୍ ଜାଣିହେଉଛି ।

 

ସେ ଉଠି ଛିଡ଼ା ହୋଇଗଲା ।

 

ହଜାର ହଜାର ବର୍ଷ ତଳେ ଗୋଟେ ନିର୍ଦ୍ଦିଷ୍ଟ ତାରିଖରେ ତା’ର ଭାଙ୍ଗି ଯାଇଥିବା ଊରୂ ପୁଣି ଯୋଡ଼ି ହୋଇଯାଇଛି। ସେ ଆଉ ଖଞ୍ଜ ନୁହେଁ- ଅଥର୍ବ ନୁହେଁ ।

 

ନିଶରେ ହାତ ମାରିଲା ଦୁର୍ଯ୍ୟୋଧନ ।

 

ଦେହରେ ବହୁ ଆଗରେ ଗୋଟିଏ ଅଲିଭା ଦାହ ପୁଣି ଦଗ୍ଧ କରିବାପାଇଁ ଆରମ୍ଭ କଲା ତାକୁ ।

 

ସେମାନେ ସବୁ ଗଲେ କୁଆଡ଼େ ?

 

ବିଜୟୀ ହୋଇ ବୋଧେ ବେଶ୍ ଆରାମରେ ଶୋଇଯାଇଥିବେ !

 

ଆରାମ ହାରାମ୍ ହୈ...

 

ବିଜୟ ସମୃଦ୍ଧି ସୃଷ୍ଟିକରେ ଏବଂ ସମୃଦ୍ଧି ଆଣେ ସୁଖ । ସୁଖ ସୃଷ୍ଟି କରେ ଆରାମ... ଆଉ ଆରାମ ଭୋଗିଭୋଗି ମଣିଷର ତାତିଲା ରକ୍ତ ହାରାମ୍ ହବାପାଇଁ ଦୁର୍ନିବାର ହୋଇଉଠେ ।

 

ଦ୍ରୌପଦୀ କଥା ମନେପଡ଼ିଲା ।

 

ତାହାରି ପାଇଁ ତା’ର ଊରୁଭଙ୍ଗ ହୋଇଥିଲା ।

 

ସେ ଗଲା କୁଆଡ଼େ ?

 

ସେମାନେ ସବୁ କାହିଁ ଆଉ ଦେଖାଯାଉନାହାନ୍ତି ତ !

 

ଦ୍ରୌପଦୀ ଥିଲେ ସିନା ସେ ଦେଖେଇ ଦିଅନ୍ତା ଯେ ତା’ର ଊରୁ ଭାଙ୍ଗିନାହିଁ- ଏବେବି ତାହା ଅତୁଟ । ଏବେବି ସେଠାରେ ସ୍ଥାନ ଅଛି ।

 

ଭୀମଟା ବଞ୍ଚି ନ ଥିବ, ଥିଲେ ଏତେବେଳଯାଏ ଶୋଇରହିଥାନ୍ତା କି ? ଯୁଧିଷ୍ଠିରଟା ମାଇଚିଆ । ସତ୍ୟ ରକ୍ଷା କରିବାପାଇଁ ଅଯଥାରେ କଷ୍ଟ ସହିଲା ସିନା; କିନ୍ତୁ କେହି କେବେ ଅମର ହୋଇ ରହିପାରେନି ।

 

ଏ ବସୁନ୍ଧରା ବୀରଭୋଗ୍ୟା । ସେ ବୀର । ଏହି ବସୁନ୍ଧରାକୁ ସେ ଭୋଗ- କରିବାପାଇଁ ପୁଣି ଉଠିଛି ।

 

କୂଳ ବା ପରିବାରର ପରିଚୟ ନେଇ ଏବେବି ମଣିଷ ଅଧିକାର ଜାହିର କରୁଛି ଓ ସୁଖ ସମୃଦ୍ଧିର ଅଧିକାରୀ ହେଉଛି । ଏଥିପାଇଁ ବୋଧେ କର୍ଣ୍ଣ ଦେଖାଯାଉନାହିଁ । କର୍ଣ୍ଣ ନ ଥିଲେ ଅର୍ଜୁନର କାମ ରହିଲା କେଉଁଠି ଯେ ସେ ଆସିବ ?

 

ସେମାନେ ଶୋଇ ଥାଆନ୍ତୁ । ସେମାନଙ୍କୁ ଉଠାଇ ଅଯଥା ନିଜର ବୋଝ ବଢ଼ାଇବ କାହିଁକି ? ଦୁର୍ଯ୍ୟୋଧନ ଛିଡ଼ା ହୋଇଥିଲା ଏ ଯାଏ-କିନ୍ତୁ ଏବେ ଚାଲିବାପାଇଁ ଆରମ୍ଭ କଲା ।

 

ଏହି ଯାତ୍ରାର ଶେଷ ନାହିଁ । ଏହି ରତ୍ନଗର୍ଭା ବସୁନ୍ଧରାକୁ ଭୋଗ କରିବାର ଅନ୍ତ ନାହିଁ ।

 

ସର୍ବାଙ୍ଗରେ ପାଞ୍ଚ ଇନ୍ଦ୍ରିୟ ପ୍ରକୃତ ନୃତ୍ୟ ଆରମ୍ଭ କରିଦେଲେ । ଭଲ ଜିନିଷ ଦେଖିବାପାଇଁ ଇଚ୍ଛାହେଲା, ଭଲ ଜିନିଷ ଶୁଣିବାପାଇଁ କାନ କାତର ହେଲା, ଭଲ ଗନ୍ଧ ଶୁଂଘିବା ପାଇଁ ନାକ ଉଦ୍‌ଗ୍ରୀବ ହୋଇଉଠିଲା, ଟିକିଏ ଈପ୍‌ସିତ ରସାଳ ସ୍ପର୍ଶ ପାଇବାପାଇଁ ଦେହ ଉନ୍ମୁଖ ହୋଇ ଅପେକ୍ଷା କଲା ଏବଂ ପୃଥିବୀର ସବୁ ସୁଆଦକୁ ଉଦରସାତ୍ କରିବାପାଇଁ ତୁଣ୍ଡ ଉନ୍ମତ୍ତ ହୋଇଉଠିଲା ।

 

ଦୁର୍ଯ୍ୟୋଧନ ଚାଲିବାପାଇଁ ଆରମ୍ଭ କରିଦେଲା ।

 

ଚରାଚର ଏହି ସମଗ୍ର ବିଶ୍ୱକୁ ସେ କେବଳ ଆବିଷ୍କାର କରିଛି । ଏ ଧରିତ୍ରୀ ତାହାର । ସେ ଏହାର ପ୍ରଥମ ମଣିଷ । ଅନ୍ୟମାନଙ୍କର ଅଂଶ ଏଠାରେ ନାହିଁ । ସେ ଆଉ କାହାର ଅଧିକାରକୁ ସ୍ୱୀକାର କରେନାହିଁ । ପୃଥିବୀର ସବୁ ରସ ଓ ଗନ୍ଧକୁ ସେ ଭୋଗ କରିବ ଏବଂ ସବୁ ସମ୍ପଦ ତାହାର ବିଳାସପାଇଁ ବିନିଯୋଗ କରାହେବ ।

 

ସେମାନେ ସବୁ ମରିଯାଇଥିବେ । ...ମରି ନ ଥିଲେ ମଧ୍ୟ ମଲା ମଣିଷ କରି ନିସ୍ତେଜ, ନିର୍ଜୀବ ହୋଇ ପଡ଼ିରହିଥିବେ କେଉଁ ଅପାଙ୍‌କ୍ତେୟ କୋଣରେ । ସେମାନଙ୍କ ଖୋଜଖବର କେହି ରଖେନାହିଁ- ସେମାନଙ୍କର ଠିକଣା କେହି ଜାଣନ୍ତି ନାହିଁ ।

 

ଯାହାର ଠିକଣା ନାହିଁ, ତାହାର କିଛି ନାହିଁ- ସେ ସର୍ବହରା ।

 

ସର୍ବହରାର ସମାପ୍ତି ନେଇ ତା’ହେଲେ ନିଦରେ ଶୋଇଛନ୍ତି ପାଣ୍ଡବମାନେ ।

 

ଶୋଇଥାଆନ୍ତୁ ।

 

ସେମାନଙ୍କୁ ଉଠାଇବା ଆବଶ୍ୟକ ନାହିଁ । କେହି ଯେପରି ସେମାନଙ୍କୁ ଉଠାଇବାର ଦୁଃସାହସ ନ କରନ୍ତି, ସେଥିପାଇଁ ସମସ୍ତଙ୍କୁ ସାବଧନ କରିଦେଲା ଦୁର୍ଯ୍ୟୋଧନ ।

 

ପୃଥିବୀସାରା ଗୋଟାଏ ଅଟ୍ଟହାସ୍ୟର ଲହରୀ ବିଛାଇ ହୋଇପଡ଼ିଲା । ସେ ବଜ୍ରସ୍ୱରରେ ଘୋଷଣା କଲା- ସା...ବ...ଧା...ନ !

 

ସାବଧାନ ହୋଇ ପାରି ନ ଥିଲେ ବୋଲି ବିଜୟ ପରେବି ଆବର୍ତ୍ତ ମଧ୍ୟରେ ପଡ଼ିଯାଇ ପଥ ଖୋଜୁଥିଲେ ପାଣ୍ଡବମାନେ ।

 

ଦ୍ରୌପଦୀ ପ୍ରଦୀପ୍ତ ଯୌବନର ସବୁ ଲଜ୍ଜା ଲୁଚାଇ ରଖିବାପାଇଁ ବସ୍ତ୍ରଟିଏ ଖୋଜୁଥିଲା ।

 

ଅପମାନ, ଅବହେଳା ଏବଂ ଲାଞ୍ଛନାର ଅସହନୀୟ ଭାର ଆଉ ବୋହିବାପାଇଁ ଅସମର୍ଥ ବୋଲି ଗୋଟିଏ ଭଙ୍ଗା କୁଡ଼ିଆ ଭିତରେ ଆତ୍ମଗୋପନ କରିଥିଲା ।

 

ପାଣ୍ଡବ ପାଞ୍ଚଭାଇ ମୂଲ ଲାଗିବାକୁ ଯାଇଛନ୍ତି ଯେ ଏ ଯାଏ ଫେରିଲେ ନାହିଁ । କଲିକତା’ର ଚଟକଳରେ, କାଳିମାଟିର ଲୁହା କାରଖାନାରେ ଏବଂ ଆସାମର ଚାହା ବଗିଚାରେ ଭିଣି ହୋଇ ରହିଛନ୍ତି ଯେ ପରସ୍ପରକୁ ଜାଣିବା କଠିନ । ଯୋଗାଯୋଗ ନାହିଁ । ସହଯୋଗ କମିଯାଇଛି । ନକୁଳ ଓ ସହଦେବ ପର ଜମିକୁ ଉଠିଆ କରି ପେଟ ପୋଷି ପାରୁନାହାନ୍ତି ବୋଲି ଲଜ୍ଜା ଓ ଯନ୍ତ୍ରଣାରେ ଆସିପାରୁନାହାନ୍ତି ସ୍ତ୍ରୀ ପାଖକୁ ।

 

ଦ୍ରୌପଦୀ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା ।

 

ଦୁର୍ଯ୍ୟୋଧନ ଯାଉଁ ଯାଉଁ ଗୋଟିଏ ଭଙ୍ଗା କୁଡ଼ିଆ ଦେଖି ଅଟକି ଯାଇ ଭାବିଲା...

 

ତା’ ପାଖରେ କେବଳ ତା’ ନିଜର ଗୋଟିଏ ଠିକଣା । ତା’ ପାଖରେ ନିଜର ଗୋଟିଏ ପରିଚୟ । ସେ ଆଉ କାହାର ଠିକଣା ଓ ପରିଚୟ ସ୍ୱୀକାର କରେନାହିଁ; କରିପାରିବନାହିଁ ।

 

ଏହି ଅପନ୍ତରା ଭୂଇଁର ଗୋଟାଏ ବନସ୍ପତି ପାଖରେ ଠିକଣା ଜାହିର କରିବାପାଇଁ ଶତ୍ରୁ ନିଶ୍ଚୟ କୌଶଳ କରିଥିବ- ନୋହିଲେ ଏଭଳି ସ୍ଥାନରେ ଅବସ୍ଥାନ କରିବାପାଇଁ କୁଡ଼ିଆଟିଏ କରିବାପାଇଁ କିଏ ଆଉ ସାହସ କରିବ ?

 

ଶତ୍ରୁ !

 

ହଠାତ୍ ପୂର୍ବ ସ୍ମୃତି ମନେପଡ଼ିଗଲା ଦୁର୍ଯ୍ୟୋଧନର । ସର୍ବାଙ୍ଗ ଶିହରି ଉଠିଲା ଈର୍ଷା ଏବଂ ହିଂସାରେ ।

 

ଶତ୍ରୁକୁ ସେ କେବେ ସହ୍ୟ କରେନାହିଁ ।

 

ଏହି ବସୁନ୍ଧରା ବୀରଭୋଗ୍ୟା । ସେ ବୀର । ସେ ଏ ପୃଥିବୀକୁ ଆୟତ୍ତ କରିଛି ନିଜର ଶୌର୍ଯ୍ୟ ଏବଂ ବୀର୍ଯ୍ୟଦ୍ୱାରା । ଏ ଭୂମିରେ ଆଉ କାହାରି ଅଧିକାରକୁ ସେ ମାନିନେଇ ପାରିବ ନାହିଁ-

 

ଦୁର୍ଯ୍ୟୋଧନ ଜଳିଉଠିଲା କ୍ରୋଧରେ ।

 

କିଏ ?

 

କିଏ ଅଛି ଏଠାରେ ?

 

ଜଣେ ସାଧାରଣ ସ୍ତ୍ରୀ ଲୋକ ଏତେ ରାତିରେ କାହାର ପାଟି ଶୁଣି ଉଠି ବସି କିରାସିନି ବତିଟିକୁ ଟିକେ ଜାଳିଦେଇ କହିଲା ଭିତରୁ- କିଏ ସେ ? ଏତେ ରାତିରେ କିଏ କାହାକୁ ଖୋଜୁଛି ?

 

ଆଜିଯାଏ କେହି ତା’ର ପରିଚୟ ଚାହିଁ ନ ଥିଲେ । ତା’ର ପରିଚୟ ବ୍ୟାପକ ବୋଲି କାହାକୁ ପରିଚୟ ନ ଦେଇ କେବଳ ଅନ୍ୟର ପରିଚୟ ପଚାରି ଆସିଛି । ଯେଉଁ ଠିକଣାରେ ଚିଠି ଦେଲେବି ତାହାର ପାଖରେ ପହଞ୍ଚି ଯାଏ ବୋଲି ନିଜ ଠିକଣା ସମସ୍ତଙ୍କୁ ଜଣାଇବାପାଇଁ ପ୍ରୟୋଜନ ହୁଏ ନାହିଁ ।

 

କିନ୍ତୁ ତାହାର ପରିଚୟ ଆଉ କିଏ ପଚାରିପାରେ- ଏହି ପ୍ରଥମେ ଜାଣିଲା ଦୁର୍ଯ୍ୟୋଧନ ।

 

କିଏ ସେ ?

 

କିଏ ସେ ଏତେ ରାତିରେ ଡାକୁଛି ?

 

ମୁଁ...ମୁଁ...ମୁଁ ...

 

ତୀବ୍ର ସ୍ୱରରେ ଘୋଷଣା କଲା ଦୁର୍ଯ୍ୟୋଧନ ।

 

-ତୁମେ କିଏ ସେ ? ତୁମର ପରିଚୟ କଅଣ ? କେଉଁଠୁ ଆସିଛ ? କଅଣ ଚାହଁ ? ପଚାରିଲା ସେ ସ୍ତ୍ରୀଲୋକଟି ।

 

ଦୁର୍ଯ୍ୟୋଧନ କ୍ରୋଧରେ ଫାଟିପଡ଼ିଲା । ହଜାର ବର୍ଷର ବ୍ୟବଧାନ ପରେ ଲୋକଗୁଡ଼ା ଏଭଳି ବଦ୍‌ସାହସୀ ହୋଇଥିବାର ସେ ପ୍ରଥମେ ଦେଖିଲା । ସମ୍ରାଟର ପରିଚୟ ପଚାରିବାର ଧୃଷ୍ଟତା ଦେଖି ସେ ଅବାକ୍ ହୋଇଗଲା । ସୌଜନ୍ୟ ଶିଖିନାହାନ୍ତି ଲୋକେ ବା କାଳାନ୍ତର ମଧ୍ୟରେ ସମସ୍ତେ ସମାନ ହୋଇଯିବାର ସୁଖ-ସ୍ୱପ୍ନ ଦେଖୁଥିବେ ।

 

ସେ ସ୍ଥିର କଲା- କୌଶସି ପ୍ରଶ୍ନର ଉତ୍ତର ଦବ ନାହିଁ ।

 

ସେ ପାଲଟା ପ୍ରଶ୍ନ କଲା- କିଏ... କିଏ ସେ ଅଛ ଏଠାରେ ?

 

- ତୁମେ କିଏ ସେ ? ଏତେ ରାତିରେ କେଉଁ ଅଧିକାରରେ ଆସି ମୋ ଘର ସାମ୍ନାରେ ଚିତ୍କାର କରୁଛ ?

 

କମ୍ପି ଉଠିଲା ଦୁର୍ଯ୍ୟୋଧନ । ଭୂମିକମ୍ପ ହବା ପୂର୍ବରୁ ଯିମିତି ଦୋହଲି ଯାଏ ବନ, ପର୍ବତ, ସେହିପରି ଦୋହଲି ଉଠିଲା ତା’ର ସର୍ବାଙ୍ଗ ।

 

ହଜାର ବର୍ଷର ବ୍ୟବଧାନ । ଲୋକଗୁଡ଼ାକୁ କେବଳ ବେସାହସୀ କରିନାହିଁ ବଦ୍‌ତମିଜ୍ କରିଛି । ସେ ଆହୁରି ଜୋରରେ ଗର୍ଜନ କରିଉଠିଲା- ଜବାବ୍ ଦିଅ- ମୋ କଥାର ଜବାବ୍ ଦିଅ ...

 

ସ୍ତ୍ରୀଲୋକଟା ପାଟିକଲା ଭିତରୁ- ମୋ କଥାର ଉତ୍ତର ଆଗ ଦିଅ !

 

ସେହି ଉଦାତ୍ତ ସ୍ୱରର କଠୋରତାରେ ଅବାକ୍ ହୋଇଗଲା ଦୁର୍ଯ୍ୟୋଧନ ।

 

ସେ ନିଜକୁ ସମ୍ଭାଳିନେଇ ଉଦ୍ଦିପ୍ତ କଣ୍ଠରେ କହିଲା- ଜବାବ ନ ଦେଲେ ଶାସ୍ତି ପାଇବ ।

 

ସ୍ତ୍ରୀଲୋକଟି ଉତ୍ତର ଦେଲା- ସେ ଅଧିକାର ତୁମେ ପାଇଲ କେଉଁଠୁ ? ଅନ୍ୟକୁ ଶାସ୍ତି ଦେବା ଅଧିକାର ତୁମକୁ ଦେଲା କିଏ ?

 

ଆଉ ସହ୍ୟ କରି ପାରିଲା ନାହିଁ ଦୁର୍ଯ୍ୟୋଧନ ।

 

ହଜାର ହଜାର ବର୍ଷ ତଳର ଅଧିକାର କଥା ମନେପଡ଼ିଗଲା ତା’ର ।

 

ହଜାର ହଜାର ବର୍ଷ ପୂର୍ବର ଅଭିମାନ ଏବଂ ଅହଙ୍କାରର ସ୍ୱର ସ୍ମରଣ ହୋଇଗଲା ମୁହୂର୍ତ୍ତକରେ ।

 

ସେ ସେତେବେଳେ ମଧ୍ୟ ନିଜର ଅଧିକାରକୁ ଜାହିର କରିବାକୁ ଯାଇ ଅନ୍ୟର ଅଧିକାରକୁ ପଦଦଳିତ କରିବାପାଇଁ ପ୍ରଚେଷ୍ଟା କରିଥିଲା ।

 

ତା’ ବ୍ୟତୀତ ଆଉ କାହାରି ଅଧିକାର ଥାଇପାରେ, ଏହା ସେ କେବେ ଭାବିପାରି ନ ଥିଲା ବା କଳ୍ପନା କରି ନ ଥିଲା । ସେଥିପାଇଁ ଆଉ ବିଳମ୍ବ ନ କରି ଭଙ୍ଗା କୁଡ଼ିଆର ଦରଜା ଉପରେ ଆଘାତ କରି କହିଲା ସେ- ଏ ଅଧିକାର ମୋ ନିଜସ୍ୱ-ଜନ୍ମଗତ ।

 

ଆଲୋକ ହାତରେ ଧରି ସ୍ତ୍ରୀଲୋକଟି ଦରଜା ସମ୍ମୁଖରେ ଛିଡ଼ାହୋଇ ନିଷ୍କମ୍ପ କଣ୍ଠରେ ଦୃଢ଼ତାର ସହିତ ଘୋଷଣା କଲା-ମଦ ପିଇ ମାତାଲ ହେବାର ସ୍ଥାନ ଏ ନୁହେଁ । ଏହା ଅନ୍ୟର ଘର, ଏଠାରେ ଅନ୍ୟ ଲୋକଙ୍କର ଅଧିକାର । ଏହା ଭୁଲିଯାଇ ଆଉ ଯଦି କିଛି କରିବାପାଇଁ ଚାହଁ ଅନନ୍ୟୋପାୟ ହୋଇ ମୁଁ ପୁଲିସର ଦ୍ୱାରସ୍ଥ ହେବି ।

 

ହସରେ ଫାଟିପଡ଼ି କହିଲା ଦୁର୍ଯ୍ୟୋଧନ- ପୁଲିସର ଭୟ ମୋତେ ଦେଖଉଚ । ଜାଣ, ପୋଲିସ କେବଳ ମୋହରି ସୁରକ୍ଷାପାଇଁ...ତୁମପାଇଁ ନୁହେଁ ।

 

-ପାଗଳ !

 

ଆପେ ଆପେ ସ୍ତ୍ରୀଲୋକଟିର ମୁହଁରୁ ଖସିଗଲା ଶବ୍ଦଟି ।

 

ପାଗଳ !

 

ପୃଥିବୀର ଲୋକମାନେ ପାଗଳ ହୋଇ ଯାଇ ନ ଥିଲେ ଏ କଥା କହନ୍ତେ ?

 

ଏତେଦିନ ଯାଏ ସେ କେବଳ କହିଆସିଥିଲା ଏବଂ ଅନ୍ୟମାନେ ଶୁଣୁଥିଲେ । ଯୁଗ ଯୁଗ ଧରି କେବଳ ତାହାରି ଅଧିକାରକୁ ସାବ୍ୟସ୍ତ କରିବାପାଇଁ ପାତ୍ର, ମନ୍ତ୍ରୀ, ସୈନ୍ୟ ସାମନ୍ତ କାର୍ଯ୍ୟ କରିଆସୁଥିଲେ ।

 

ସେ ସବୁ ସ୍ୱପ୍ନ ନ ଥିଲା ।

 

ତା’ହେଲେ ?

 

ଏ ସବୁ ସହ୍ୟ କରିପାରିଲା ନାହିଁ ଦୁର୍ଯ୍ୟୋଧନ । ଏହି ପୃଥିବୀର ଲୋକଗୁଡ଼ାକ ହଜାର ବର୍ଷର ବ୍ୟବଧାନରେ ଏତେ ବେଶି ସଚେତନ ହୋଇଯିବେବୋଲି ସେ ସ୍ୱପ୍ନରେବି ଭାବି ନ ଥିଲା ।

 

ସ୍ତ୍ରୀଲୋକଟିକୁ ଏଥର ଭଲକରି ଚାହିଁଲା ଦୁର୍ଯ୍ୟୋଧନ ।

 

ଚିହ୍ନିଲା ଚିହ୍ନିଲା ମୁହଁ । କେଉଁଠି ଦେଖିଥିଲା ପରି ମନେକଲା ସେ, କିନ୍ତୁ ସ୍ମରଣ କରିପାରିଲାନାହିଁ ।

 

ସ୍ତ୍ରୀଲୋକଟି ଦୃଢ଼ କଣ୍ଠରେ କହିଲା- ତୁନି ହୋଇଗଲ ଯେ, ମୋ କଥାର ଜବାବ ଦିଅ...ତୁମେ କିଏସେ ? କେଉଁ ଅଧିକାରରେ ରାତିଅଧରେ ଆସି ଗୋଳମାଳ କରୁଛ ଏଠି ?

 

ଜଣେ ନାରୀ ସାହସ କରି ତା’ ପରି ଜଣେ ସାର୍ବଭୌମ, ସର୍ବଶକ୍ତିମାନ ପୁରୁଷକୁ ପ୍ରଶ୍ନ ପଚାରିପାରେ, ନିଦରୁ ଉଠି ଏହି ପ୍ରଥମ ଜାଣିଲା ଦୁର୍ଯ୍ୟୋଧନ ।

 

ସେ ଟିକିଏ ନରମି ଯାଇ ପଚାରିଲା ପୁଣି- ମୁଁ ସାର୍ବଭୌମ...ମୋ କଥାର ଉତ୍ତର ଦେବାର ଶିଷ୍ଟାଚାର ଟିକକ ତୁମେ ଜାଣିନାହଁ ?

 

-ସାର୍ବଭୌମ !

 

କହି କହି ହସରେ ଫାଟି ପଡ଼ିଲା ସ୍ତ୍ରୀଲୋକଟି ।

 

ଦୁର୍ଯ୍ୟୋଧନ ପ୍ରକୃତରେ ବିସ୍ମିତ ହେଲା । ଯାହା କେବେ ସେ ଶୁଣି ନ ଥିଲା ବା ଦେଖି ନ ଥିଲା ସେ ସବୁ ଦେଖି ଏବଂ ଶୁଣି ଅସମ୍ଭବ ସମ୍ଭବ ହେବାର ଝଲକରେ ତା’ ଆଖି ଝଲସି ଉଠିଲା ।

 

ତଥାପି ସେ ଆଦେଶ ଦବା ଭଙ୍ଗୀରେ କହିଲା- ମୋତେ ପ୍ରସନ୍ନ କରିବାପାଇଁ ତୁମେ ହସିପାର-କ୍ରୁଦ୍ଧ କରିବାପାଇଁ ନୁହେଁ । ମୋର ପରିଚୟ ଭୁଲି ଯାଅନା ।

 

ସ୍ତ୍ରୀଲୋକଟି କହିଲା- କିନ୍ତୁ ଏଯାଏ ଦେଲନାହିଁ ତ ତୁମର ପରିଚୟ ?

 

ଦୁର୍ଯ୍ୟୋଧନ ବିସ୍ମିତ ହୋଇ କହିଲା- ମୁଁ ପରିଚୟ ଦିଏନା...କେବଳ ନିଏ । ମୁଁ ସାର୍ବଭୌମ...ଏ ବସୁନ୍ଧରା ମୋର...ସବୁ ସମ୍ପତ୍ତି ମୋର ।

 

ସ୍ତ୍ରୀଲୋକଟି ଟିକିଏ ଶାନ୍ତ ହୋଇ କହିଲା- ମୁଁ ଦ୍ରୌପଦୀ ।

 

ଭଲକରି ତାକୁ ଆଉଥରେ ଅନେଇଲା ଦୁର୍ଯ୍ୟୋଧନ । ଦ୍ରୌପଦୀ ନିଶ୍ଚୟ, ନୋହିଲେ ଦେହରେ ଏତେ ଅଳ୍ପ ବସ୍ତ୍ର ରହନ୍ତା ନାହିଁ । ତାହାରି ଆଦେଶରେ ଦୁଃଶାସନ ତ ସବୁ ଟାଣି ନେଇଥିଲା ତାକୁ ବିବସ୍ତ୍ର କରିବାପାଇଁ, ଚକ୍ରଧାରୀର କୂଟରୁ ଯାହା ଟିକେ ରହିଯାଇଛି । ଇସ୍ !

 

ସର୍ବାଙ୍ଗରେ ପ୍ରତି ଲୋମକୂପମୂଳ ବିପ୍ଳବରେ ଫାଟିପଡ଼ିଲା ଦୁର୍ଯ୍ୟୋଧନର । ଦ୍ରୌପଦୀର ତନୁ ଉପରୁ ଶେଷ ବସ୍ତ୍ର ଖଣ୍ଡକ କାଢ଼ି ନବାପାଇଁ ପୁଣି ଆଉଥରେ ସୁଯୋଗ ପାଇଗଲା ବୋଲି ଭାବି ସେ ସ୍ୱଗତୋକ୍ତି ନ କରି ପ୍ରକାଶ୍ୟରେ କହିଲା- ପାଣ୍ଡବମାନଙ୍କୁ ପରିତ୍ୟାଗ କରି ଏକାକିନୀ ହୋଇ ଭଲ କରିଛ ପାଞ୍ଚାଳୀ । ପାଣ୍ଡବମାନେ ମଣିଷ ନୁହନ୍ତି, ମାଇଚିଆ । ତୁମେ ମୋର ଅନୁଗ୍ରହ ଗ୍ରହଣ କରିବାରେ ଆଉ ବାଧା ନାହିଁ ।

 

ଦ୍ରୌପଦୀ ଦୁର୍ଯ୍ୟୋଧନର ଅଶ୍ଳୀଳ କଥା ଶୁଣି ଆଦୌ ବିଚଳିତ ହେଲାନାହିଁ । ଯୁଗାନ୍ତରକୁ ବହନ କରି କେତେ ପାଣି ବୋହି ଯାଇ ନ ଥିବ ଏଇ ଗଙ୍ଗା ନଦୀରେ; କିନ୍ତୁ ମଣିଷ ଭିତରର ଆଦିମ ପ୍ରବୃତ୍ତିର ସଂଶୋଧନ ହେଲା ନାହିଁ ଏ ଯାଏ ।

 

ରାତିର ନିକାଞ୍ଚନ ପରିବେଶ ସେଦିନ ଥିଲାନାହିଁ ସତ, କିନ୍ତୁ ପାଞ୍ଚ ଭାଇଙ୍କ ମୁଣ୍ଡରେ ଏକ କପଟ ପରାଜୟର ଭାର ଲଦିଦେଇ କାଳାନ୍ତରକୁ ତ୍ଵରାନ୍ୱିତ କରି ବିଦୂଷକ ପରି ସେଦିନ କହିଥିଲା ଶକୁନି- ପାଣ୍ଡବମାନେ ପରାଜିତ । ସତ୍ୟରକ୍ଷାର୍ଥେ ପାଞ୍ଚାଳୀକୁ ସେମାନେ ପଣ କରିଥିଲେ । ପାଞ୍ଚାଳୀ ବିଜେତାର । କୌଣସି ସଂଶୟ ନ କରି ତାରୁଣ୍ୟ ଏବଂ ସୌନ୍ଦର୍ଯ୍ୟକୁ ସ୍ୱାଗତ କର ଦୁର୍ଯ୍ୟୋଧନ !

 

ଊରୁ ଉପରେ ସ୍ଥାନ ଦେଖାଇ ସ୍ୱାଗତ ଜଣାଇଥିଲା ଦୁର୍ଯ୍ୟୋଧନ ।

 

ପ୍ରତିଶୋଧ ନବା ପାଇଁ ପଣକରି ସେହିଦିନୁ କେବଳ ପ୍ରତି ଜନପଦ ଓ ନଗରରେ, ଗିରି ଅରଣ୍ୟ ଓ ପ୍ରାନ୍ତରରେ, ରାଜପଥ ବା ରଙ୍ଗାଳୟରେ ବୁଲି ନ ଥିଲା ଭୀମ- ସେ ଯାହାକୁ ପାଉଥିଲା ତିଳ ତିଳ କରି ଯାଞ୍ଚ କରି ଦେଖୁଥିଲା ଦୁର୍ଯ୍ୟୋଧନର ସନ୍ତକ ତା’ ପାଖରେ ଅଛି କି ନାହିଁ । ସେ ଶାସ୍ତି ଦେବାପାଇଁ ଚାହେଁ । ଶାସ୍ତି ପାଇ ବି କାଳଜୟୀ ହେଲାପରି ପୁଣି ଯୁଗାନ୍ତର ମଧ୍ୟରେ ମଣିଷ ମନର ସେଇ ଆଦିମ ପ୍ରବୃତ୍ତି ବିକଶିତ ହୋଇଉଠିଲା ଶହ ଶହ ପ୍ରାସାଦ ଏବଂ ପ୍ରମୋଦ କାନନରେ-। ଅସଲି ଦୁର୍ଯ୍ୟୋଧନ ମୁହଁମାଡ଼ି କେଉଁଦିନ କେଉଁଠାରେ ପଡ଼ିରହିଥିଲା ଇତିହାସ ହୁଏତ ମନେରଖିଥିବ; କିନ୍ତୁ ଶହ ଶହ ନକଲି ଦୁର୍ଯ୍ୟୋଧନଙ୍କର ଉତ୍ପାତ ଓ ଉତ୍ପୀଡ଼ନର ଯନ୍ତ୍ରଣାରେ ଶିହରି ଉଠିଥିଲେ କୋଟି କୋଟି ଅତି ସାଧାରଣ ପାଣ୍ଡବ ।

 

ଦୁର୍ଯ୍ୟୋଧନର ଶୋଣିତ ପ୍ରବାହ ଉଷ୍ମ ହବାକୁ ଲାଗିଲା । ସେ ସ୍ମରଣକଲା ଯୁଗାତୀତର କଥା । ଦ୍ରୌପଦୀ ସ୍ୱାଧୀନା ବା ଅନ୍ୟ କାହାରି ହୋଇ ନ ପାରେ । ସେ ବନ୍ଧକ ପଡ଼ିଛି ଦୁର୍ଯ୍ୟୋଧନର ସମ୍ପଦ, ଶକ୍ତି ଏବଂ ସାର୍ବଭୌମତ୍ୱ ପାଖରେ ।

 

ଦ୍ରୌପଦୀ ଆଡ଼କୁ ହାତ ବଢ଼ା‌ଇଲା ଦୁର୍ଯ୍ୟୋଧନ ।

 

ବାଧା ଦେଇ ପଛରୁ କିଏ ଜଣେ କହିଲା- ବହୁ ଦିନର ଅନ୍ୱେଷଣ ଶେଷ ହୋଇଛି । ଆଜି ତୋତେ ପ୍ରକୃତ ଶାସ୍ତି ଦେବାକୁ ଆଉ ବିଳମ୍ବ ହେବନାହିଁ ।

 

ଦ୍ରୌପଦୀ ଆଡ଼କୁ ଅଗ୍ରସର ନ ହୋଇ ପ୍ରତିପକ୍ଷକୁ ଦେଖିବାପାଇଁ ମୁହଁ ଫେରାଇ ଯାହାକୁ ଦେଖିଲା, ସେଥିରେ ମୁହୂର୍ତ୍ତେ ନିର୍ବାକ୍‌ ହୋଇଗଲା ଦୁର୍ଯ୍ୟୋଧନ ।

 

ଚିହ୍ନା ଚିହ୍ନା ମୁହଁ- ଅତି ପରିଚିତ ପରି ମନେହେଲା ।

 

ଅଧା ନଙ୍ଗଳା, କଳା, ଫୁଙ୍ଗୁଳା ଚେହେରା । ଅତି ସାଧାରଣ ମଣିଷ ଭିତରେ ସେ ଦିନର ଅସାଧାରଣତ୍ୱ ପରି ଏକ ଦୀପ୍ତି ନବାଗତର ସର୍ବାଙ୍ଗରୁ ଉଛୁଳି ପଡ଼ୁଥିଲା ।

 

ତୁ କିଏସେ ?

 

ଚିତ୍କାର କଲା ଦୁର୍ଯ୍ୟୋଧନ ।

 

ଦୁର୍ଯ୍ୟୋଧନ ଚିହ୍ନି ପାରିଲାନାହିଁ । ଯୁଗାନ୍ତରର ବିବର୍ତ୍ତନରେ ମାର୍ଜିତ, ମନୋରମ ହୋଇ ମଣିଷ ସଭ୍ୟ ହୋଇଯାଇଛି ବୋଲି ସେ କଳ୍ପନା କରିଥିଲା । କିନ୍ତୁ ସେଦିନ ଭୀମର ବ୍ୟକ୍ତିତ୍ୱରେ ଯେଉଁ ଅସାଧାରଣତ୍ୱ ପ୍ରକାଶିତ ହୋଇଥିଲା, ଆଜି ତାହା ଯେପରି ଅସିଧାର ପରି ଆହୁରି କ୍ଷିପ୍ର ଏବଂ ଉଜ୍ଜ୍ୱଳ ହୋଇଛି । ସେ କହିଲା- ତୁ ଭୀମ ବୋଧହୁଏ । ଭୀମ ତା’ ଆଡ଼କୁ ଚାହିଁ ହସି ଉଠିଲା ପ୍ରବଳ ବେଗରେ ।

 

ସେ ଶଙ୍କି ନ ଯାଇ ପ୍ରତିଶୋଧ ନବାପାଇଁ କହିଲା- ଏକା ଏକା ବୁଲୁଛ ଯେ ! ସେ ଦିନର ପରାଜୟ ମୁଁ ଭୁଲିଯାଇନାହିଁ । ଆଜି ଆଉ ମୁଁ ଏକା ନୁହେଁ...ଯୁଗ ଯୁଗ ଧରି ମୋର ସମ୍ପଦ ଏବଂ ଶକ୍ତି ବୃଦ୍ଧି ପାଇଛି, ତୁମ ପାଞ୍ଚ ଭାଇର ମୁକାବିଲା କରିବାପାଇଁ । ପ୍ରସ୍ତୁତ ହୋଇଯାଅ ।

 

ପଛରୁ ଆଉ କେତେଜଣ ଆସିବାର ପଦ ଧ୍ୱନି ଶୁଣାଗଲା ।

 

ତା’ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶକରି କହିଲା ଜଣେ- ସମସ୍ତଙ୍କୁ ଚିହ୍ନିପାରୁଛ ତ ?

 

ସମସ୍ତଙ୍କର ଚିହ୍ନାମୁହଁ । ସମସ୍ତଙ୍କୁ ଯେପରି ଜାଣେ ସେ । ସ୍ମୃତିପଟରେ ଜଣ ଜଣ କରି ସମସ୍ତଙ୍କର ପରିଚୟ ନବାପାଇଁ ପୂନର୍ବାର ପ୍ରୟାସ କଲା ଦୁର୍ଯ୍ୟୋଧନ ।

 

ଇତିହାସକୁ ଭୁଲି ଯିବା ପାଇଁ ଚେଷ୍ଟାକରି ବହୁ ବ୍ୟକ୍ତି ବିଫଳ ହୋଇଛନ୍ତି । ଇତିହାସ କିନ୍ତୁ କାହାକୁ ଭୁଲି ନାହିଁ । ବଜ୍ର-ଗମ୍ଭୀର କଣ୍ଠରେ କିଏ ଯେପରି ଆକାଶବାଣୀ କଲା- ଚିହ୍ନ...ଭଲ କରି ଦେଖି ନିଅ ଭ୍ରାତାଙ୍କ ବଦନ...ଏଥର ମନେପଡ଼ୁଛି...ଇତିହାସର ପୃଷ୍ଠାରେ ଜୟଲାଭ କରିବି ଯୁଗାନ୍ତରର ପରାଜୟ ଆଉ ଗ୍ଳାନି ବହନ କରି ଯେଉଁମାନେ ନିଷ୍ପେସିତ ନିପୀଡ଼ିତ ଏବଂ ଅବହେଳିତ, ସେହି ପାଣ୍ଡବମାନେ ତୋ ସମ୍ମୁଖରେ ଅବତୀର୍ଣ୍ଣ ।

 

ଦୁର୍ଯ୍ୟୋଧନ ଆଖି ଦୁଇଟା ରାଗରେ ଲାଲ ହୋଇଉଠିଲା । ପରାଜୟର ପ୍ରତିଶୋଧ ନବାପାଇଁ ତରବାରିରେ ହାତ ରଖିଲା ସେ ।

 

ସୈନ୍ୟ ଏବଂ ସେନାପତିମାନେ କୁଆଡ଼େ ଗଲେ ? ପାତ୍ର ମନ୍ତ୍ରୀମାନଙ୍କୁ ସ୍ମରଣ କଲା ଦୁର୍ଯ୍ୟୋଧନ । ସାର୍ବଭୌମ ରାଜଶକ୍ତି ତା’ର ପାଦତଳେ ଠୂଳହୋଇ ଥିଲା ତାକୁ ଏକକ ଓ ସର୍ବଶକ୍ତିମାନ୍ ଏବଂ କାଳଜୟୀ କରିବାପାଇଁ । ସେଇ ରାଜ-ଶକ୍ତିକୁ ଆବାହନ କଲା ଦୁର୍ଯ୍ୟୋଧନ ।

 

ସ୍ତ୍ରୀଲୋକଟି ସମସ୍ତଙ୍କ ଆଡ଼କୁ ଚାହିଁ କହିଲା-

 

ରାତି ଅଧରେ ମୋ ପରି ଜଣେ ଅନାଥିନୀ, ନିରଶ୍ରିତାକୁ ନିଷ୍ପେଷିତ କରିବାପାଇଁ ଇଏ ଆସିଥିଲା ଚୋରପରି ।

 

ତା’ର ହାତ ଉପରେ କଡ଼ି ବାନ୍ଧି, ଅଣ୍ଟାରେ ଦଉଡ଼ି ଲଗାଇ କହିଲା ପୁଲିସ କନେଷ୍ଟବଳ ଜଣକ- ପାତ୍ର, ମନ୍ତ୍ରୀ, ସୈନ୍ୟ, ସାମନ୍ତ ଆଉ ତୋର ନୁହଁନ୍ତି ।

 

ସମ୍ପଦ ଏବଂ ସାର୍ବଭୌମ ରାଜଶକ୍ତି ଆଉ ତୋର ସ୍ୱୈରାଚାରିତାକୁ ପୁଷ୍ଟ ଓ ପରିତୋଷ କରିବାପାଇଁ ସଜାଗ ହୋଇ ରହିନାହିଁ । ସେମାନେ ସମସ୍ତେ ସର୍ବସାଧାରଣଙ୍କର । ଅତି ସାଧାରଣ ଆଜି ଅସାଧାରଣର ସେବା, ସାନ୍ତ୍ୱନା ଏବଂ ଶ୍ରୁଶ୍ରୂଷା ପାଇବ ।

 

-ଶାସ୍ତି ପାଇବାପୂର୍ବରୁ ପଦାନତ ହୋଇ ଏମାନଙ୍କର କ୍ଷମା ଭିକ୍ଷାକର । କିଏ ଜଣେ କହିଲା ଭିଡ଼ ଭିତରୁ ।

 

ଚାରିଆଡ଼କୁ ଚାହିଁଲା ଦୁର୍ଯ୍ୟୋଧନ । ଯେଉଁମାନେ ତାକୁ ଜାଣିଥିଲେ ଏବଂ ଯେଉଁମାନଙ୍କୁ ନେଇ ତା’ ଠିକଣାର ସୁରକ୍ଷା ହେଉଥିଲା ଆଜିଯାଏ, ସେମାନେ କେତେବେଳେ ଅନ୍ତର ହୋଇ ଯାଇଥିଲେ ସେଠାରୁ । ସେ ବାହାରକୁ ଦେଖି ପାରିଲା ନାହିଁ ।

 

ସେ ବିସ୍ମୟରେ ହତବାକ୍‌ ହୋଇ ଆଉଥରେ ଆଖି ମଳି ଚାହିଁଲା- ଆଗରେ କେବଳ ଜଣେ ସ୍ତ୍ରୀ ଆଉ ପାଞ୍ଚ ଜଣ ପୁରୁଷ ନାହାନ୍ତି- ଛିଡ଼ା ହୋଇଛନ୍ତି ଶହ ଶହ- କୋଟି କୋଟି...ଅର୍ବୁଦ ଅର୍ବୁଦ ମଣିଷ ।

 

-ସେମାନଙ୍କୁ ପ୍ରଣାମ କର ।

 

ପଛରୁ କିଏ କହିଲା ଦୃପ୍ତକଣ୍ଠରେ ।

 

ସେ ଆଉ ଛିଡ଼ାହୋଇ ରହିପାରିଲା ନାହିଁ । ଯେଉଁ ଜାନୁଟା ବହୁ କାଳ ଆଗରୁ ଭାଙ୍ଗିଯାଇ ପୁଣି କାଳାନ୍ତର ମଧ୍ୟରେ ଯୋଡ଼ିହୋଇ ଯାଇଥିଲା- ତାହା ପୁଣି କେତେବେଳେ ଯେ ଅଲଗା ହୋଇଯାଇଛି, ସେ ଜାଣିଲା ପ୍ରଥମ କରି ଯେତେବେଳେ ଯନ୍ତ୍ରଣାରେ ଛଟପଟ ହୋଇ ଧରାଶାୟୀ ହୋଇପଡ଼ିଲା ଆଉ ଛିଡ଼ାହୋଇ ନ ପାରି ।

 

ସେଦିନ ପରି ଆଜି ବି କହ୍ନେଇ ଗୀତ ଗାଇଥିଲା...ଜନ ଗଣ ମନ ଅଧିନାୟକ ଜୟ ହେ...

Image

 

ପରପୁରୁଷ

 

ସତ୍ୟଜିତ୍‌କୁ ରଥ ଉପରୁ ଓହ୍ଳାଉ ଥିବାର ଦେଖି ସ୍ତବ୍‌ଧ ହୋଇଗଲା ଅଲିଭା ।

 

ସେ ଏକା ନ ଥିଲା । ତା’ ସହିତ ଆଉ ଜଣେ ଭଦ୍ରମହିଳା, ମଥାରେ ନୂଆ ସିନ୍ଦୂର ପରଖ, ସର୍ବାଙ୍ଗରେ ଏକ ଅନୁପମ ଲାବଣ୍ୟର ଉଜ୍ଜ୍ୱଳତା- ଠିକ୍‌ ସେମିତି ବିବାହ ପରେ ଅଙ୍ଗେ ଅଙ୍ଗେ ରଙ୍ଗ ଲାଗେ ।

 

ରଥ ଉପରକୁ ଉଠୁଥିଲା ଅଲିଭା, ସ୍ତବ୍‌ଧ ହୋଇ ଛିଡ଼ା ହୋଇଗଲା ମୁହୂର୍ତ୍ତେ । ପ୍ରଥମେ ଆଖିକୁ ବିଶ୍ୱାସ କରିପାରିଲା ନାହିଁ । ସେ ମହିଳା ଜଣକ କିଏ ବୋଲି ବାରମ୍ବାର ପ୍ରଶ୍ନକଲା ମନକୁ ଏବଂ ଭାବିଲା, ସେ ତା’ର ସ୍ତ୍ରୀ ନ ହୋଇ ଭଗ୍ନୀ ବା ବାନ୍ଧବୀ ହୋଇପାରେ; କିନ୍ତୁ ରଥର ଶିଡ଼ି ଉପରେ ଓହ୍ଲାଉଥିବାବେଳେ ଯେପରି ସମାଦର ଏବଂ ଯତ୍ନର ସହିତ ହାତଧରି ପଥ କଢ଼ାଇ ନେଇ ଆସୁଥିଲା ସତ୍ୟଜିତ୍, ତାହା ଦେଖି ସେ ଦୁହିଁଙ୍କ ମଧ୍ୟରେ ଯେ ଅନ୍ୟ ପରିଚୟ ଥାଇପାରେ, ଏହା ଲିଭିଗଲା ମନରୁ ।

 

ନିସ୍ତେଜ ପାଦ ଏବଂ ସ୍ତବ୍‌ଧ ମନ ନେଇ ଧୀରେ ଧୀରେ ଉପରକୁ ଉଠିବାପାଇଁ ଚେଷ୍ଟା କଲା ଅଲିଭା ।

 

ସେମାନଙ୍କ ପାଇଁ ସମସ୍ତ ଜାଗା ଛାଡ଼ିଦେଇ ସେ ଗୋଟିଏ ପାଖରେ ସଙ୍କୁଚିତ ହୋଇ ଉଠୁଥିଲା ଉପରକୁ । ନିମ୍ନମୁଖୀ ଆଖିରେ ସେ ସାହସ କରି ଆଉଥରେ କଣେଇ କରି ଚାହିଁଲାବେଳକୁ ଦେଖିଲା ଅମସୃଣ ଶିଡ଼ିରେ ଖସି ପଡ଼ିଥିବା ମହିଳାଙ୍କୁ ପ୍ରାୟ ଦୁଇହାତ ପ୍ରସାରିତ କରି ଆଶ୍ରୟ ଦେଲା ସତ୍ୟଜିତ୍ ।

 

ଜଗନ୍ନାଥଙ୍କ ରଥ ଉପରକୁ ଉଠୁ ଉଠୁ ପୁଣି ଥରେ ଛିଡ଼ାହୋଇଗଲା ଅଲିଭା ।

 

ଏହିପରି ବରାଭୟ ହାତର ଆଶ୍ରୟ ଦେଇ ତାକୁ ଆପଣାର କରିବାପାଇଁ ପ୍ରତିଶ୍ରୁତି ଦେଇଥିଲା ସତ୍ୟଜିତ୍ ।

 

ସେଦିନ ବି ଥିଲା ଏହିପରି ଏକ ରଥଯାତ୍ରା ।

 

ଜଗନ୍ନାଥଙ୍କ ବାହୁଡ଼ା ବିଜୟ ଦେଖିବାକୁ ଆସି ବାପାଙ୍କ ସହିତ ପୁରୀ ରେଳବାଇ ହୋଟେଲରେ ରହୁଥିଲା ସେ ।

 

ରୁମ୍‌ ନମ୍ବର ନାଇନ୍‌ରେ ସେ ଏବଂ ଟ୍ରେନ୍‌ରେ ତା’ର ବାପା ଆଉ ମା’ ।

 

ନଅ ନମ୍ବର କୋଠରିର ବାଲ୍‌କୋନୀ ଉପରେ ବସି ଢେଉ ଗଣୁଥିଲା ଅଲିଭା । ଏକ...ଦୁଇ...ତିନ୍...

 

ଗୋଟିକ ପରେ ଗୋଟିଏ ହୋଇ ଛୁଟି ଆସୁଥିଲେ ତରଙ୍ଗମାନେ । ଏତେ ବେଶ ଏବଂ ଆବେଶ କଅଣ କେବଳ ସମର୍ପଣର ଗୀତ ଗାଇ ଗାଇ ଭାଙ୍ଗିଯିବାପାଇଁ- ମନକୁ ମନ ସେଦିନ ପ୍ରଶ୍ନ ପଚାରିଥିଲା ସେ ।

 

ଅଲିଭାର ମନ ଅସ୍ଥିର, ଅଶାନ୍ତ ହୋଇଉଠିଲା । ବଡ଼ଠାକୁରଙ୍କ ଚକାଡୋଳାର ଆଡ଼ ଚାହାଣୀରେ ଉଦ୍ଭାସିତ ସତ୍ୟଜିତ ସେତେବେଳକୁ ଅନ୍ତର୍ହିତ ହୋଇଯାଇଥିଲା ସଙ୍ଗିନୀ ସହିତ ଆଖି ଆଗରୁ ।

 

ସେ ଏକାକୀ ରଥ ଉପରକୁ ଉଠିଲା ।

 

ସେଦିନ ବି ବାପା ମାଆକୁ ଏମାର ମଠରେ ଛାଡ଼ି ସେ ଏକା ଉଠିଥିଲା ରଥ ଉପରକୁ ।

 

କମ୍‌ ଭିଡ଼ ନ ଥିଲା ସେଦିନ । ବଡ଼ଦେଉଳର ରତ୍ନବେଦି ଉପରକୁ ବାହୁଡ଼ା ବିଜେ କରିବାପୂର୍ବରୁ କେତେ ପାପୀ ତାପୀ, ବଡ଼ଛୋଟ ଭିଡ଼ କରିଥିଲେ ବଳିୟାର ଭୁଜଙ୍କ ବାହୁତଳେ ଆଶ୍ରୟ ନେଇ ନିଜର ସବୁ ପାପପୂଣ୍ୟ ତାଙ୍କରି ଚରଣ ତଳେ ଅର୍ପଣ କରିବାପାଇଁ ।

 

ସେ କିଛି ଦବାପାଇଁ ବା ନବାପାଇଁ ଆସି ନ ଥିଲା । ଆସିଥିଲା କେବଳ ତାଙ୍କୁ ଥରେ ଦେଖିଯିବା ପାଇଁ । ପୂର୍ଣ୍ଣତା ଭିତରେ ତାଙ୍କ ଅପୂର୍ଣ୍ଣତାକୁ ଥରେ ମାପିଯିବାପାଇଁ ।

 

ଭୟାନକ ଭିଡ଼ ହୋଇଥିଲା ବଡ଼ଠାକୁରଙ୍କ ରଥ ଉପରେ । ସମସ୍ତେ ମାଡ଼ିମକଚି ଆଗକୁ ଯାଇ ତାଙ୍କରି ଶ୍ରୀଅଙ୍ଗ ଛୁଇଁବାପାଇଁ ଶପଥ ନେଇଥିଲେ ଯେପରି ।

 

ଅଲିଭାର ବି ବଡ଼ ଇଚ୍ଛା ହୋଇଥିଲା ତାଙ୍କ ଅଙ୍ଗ ଛୁଇଁବାପାଇଁ, ତାଙ୍କରି ଟିକିଏ ପରଶ ସର୍ବାଙ୍ଗରେ ବୋଳି ହେବାପାଇଁ । ଭାବପ୍ରବଣ ହୋଇ ଧର୍ମକୁ ସେ କେବେ ଗ୍ରହଣ କରି ନ ଥିଲା, ଆଜିବି କରିନାହିଁ; କିନ୍ତୁ ଜଗନ୍ନାଥଙ୍କ ଚକାଆଖି, ହସିଲାମୁହଁ ଏବଂ ପ୍ରସାରିତ ହାତ ଦେଖି ସେ ଅବାକ୍ ହୋଇଯାଇଥିଲା ।

ବାରମ୍ବାର ମନକୁ ମନ ସେଦିନ କହିଥିଲା ସେ-ଏତ ପର ନୁହେଁ, ଆପଣାର- ଅତି ଆପଣାର ।

ଦଳା ଚକଟା ଭିତରେ, ଭିଡ଼ ଠେଲି ତାଙ୍କରି ପାଦ ଛୁଇଁବାପାଇଁ ନଇଁ ପଡ଼ିଥିବାବେଳେ, ଭିଡ଼ର ଢେଉରେ ଗୋଟିଏ ପାଖକୁ ଛିଟିକି ପଡ଼ିଲାବେଳେ ତାକୁ ଉଠାଇ ନେଇଥିଲା ସତ୍ୟଜିତ୍ । ଅଜଣା, ଅପରିଚିତ ଜଣେ ଲୋକର ସହାୟତା ପାଇ ସେ ରକ୍ଷାପାଇଗଲା ସିନା, କିନ୍ତୁ ନିଜକୁ ରକ୍ଷା କରିପାରିଲାନାହିଁ । ସାଗରର ତରଙ୍ଗପରି ସେ ବି ଭାଙ୍ଗିପଡ଼ିଥିଲା ଗୋଟାଏ ମୁହୂର୍ତ୍ତର ଉଚ୍ଛ୍ୱାସରେ । ନିବେଦିତା ହୋଇ, ସମର୍ପଣର ଚାହାଣୀ ଚାହିଁ ହସିନେଇ କହିଥିଲା ସରୁ ଗଳାରେ-ଧନ୍ୟବାଦ, ଆପଣଙ୍କ ସାହାଯ୍ୟ କେବେ ଭୁଲିପାରିବି ନାହିଁ ।

ସେଇ ଦିନୁ ଆଉ ସତ୍ୟଜିତ୍‌କୁ ଭୁଲି ନ ଥିଲା ଅଲିଭା ।

ସେହିଦିନୁ ସନ୍ଧ୍ୟାରେ ଯେତେବେଳେ ବାଲ୍‌କୋନୀ ଉପରେ ବସି ଢେଉ ଗଣୁଥିଲା ସେ, ସତ୍ୟଜିତ୍ ଉପରକୁ ଉଠିଆସି କହିଲା-ଗଣି ନ ହେଲେ ବି ଢେଉ ଗଣିବାରେ ଆନନ୍ଦ ଅଛି, ଉତ୍ତେଜନା ଅଛି ।

ଧରା ନ ପଡ଼ିବାପାଇଁ କହିଲା ଅଲିଭା- ଆପଣ ଜ୍ୟୋତିଷ ନୁହନ୍ତି, ଅନ୍ୟର ମନକଥା ଜାଣିଲେ କିପରି ?

ସତ୍ୟଜିତ୍‌ ଗୋଟିଏ ବେତ ଚୌକିରେ ବସିପଡ଼ି କହିଲା-ଜ୍ୟୋତିଷ ନୁହେଁ, କିନ୍ତୁ ତରୁଣୀ ହୃଦୟ ଚିହ୍ନିପାରେ ।

-ସତେ ?

ହସିଦେଇ ପଚାରିଥିଲା ଅଲିଭା ।

ସତ୍ୟଜିତ୍ ସେ ଦିନ କେଡ଼େ ସୁନ୍ଦର ଦିଶୁଥିଲା । ପୌରୁଷର ତେଜରେ ଉଦ୍ଭାସିତ ହେଉଥିଲା ତା’ର ସର୍ବାଙ୍ଗ । ସେ କଫି କପେ ଅଲିଭା ହାତରୁ ନେଇ କହିଲା- ସାଙ୍ଗ ହୋଇ ଗପିବା ଏଇ ଗରମ୍‌ କଫି ପରି ଲୋଭନୀୟ ।

ଅଲିଭା ସ୍ମରଣ କରାଇ ଦେଇ କହିଲା- ଆଉ ଦୁଇଦିନ ପରେ ଚାଲିଯିବା ଆମେ ।

-ଏତେ ଆଗରୁ ଦୁଇଦିନ ପରର କଥାଟାକୁ ଭାବୁଛ କାହିଁକି ଅଲିଭା ? ବର୍ତ୍ତମାନ ତୁମ ପାଖରେ ବଢ଼ିଲା ନଦୀର ସୁଅପରି ପରିପୂର୍ଣ୍ଣ ଏବଂ ପ୍ରଖର । ବର୍ତ୍ତମାନ ପାଇଁ ବଞ୍ଚିବାରେ କଅଣ କମ୍ ଆକର୍ଷଣ ?

କିନ୍ତୁ ଅଲିଭା କେବଳ ବର୍ତ୍ତମାନ ଆକର୍ଷଣ କଥା ନ ଭାବି ଭବିଷ୍ୟତ ରୋମାଞ୍ଚ କଥା ବି ଭାବୁଥିଲା ।

ବର୍ତ୍ତମାନ ଭିତରେ ଭବିଷ୍ୟତର ଭ୍ରୂଣ ଯଦି ଶୁକ୍ଳ ପକ୍ଷର ଚନ୍ଦ୍ରପରି ଦିନକୁଦିନ ଆଗାମୀକାଳର ଅଫୁରନ୍ତ ଆନନ୍ଦ ଏବଂ ଆଲୋକିତ ଜୀବନର ଇସାରା ନ ଦିଏ, ତା’ହେଲେ ବର୍ତ୍ତମାନ ମୂର୍ତ୍ତ ନ ହୋଇ ମୃତର ବିଫଳତାରେ ପୂର୍ଣ୍ଣ ହୋଇଉଠିବ ।

ଅଲିଭା କହିଲା- ମୁଁ କିନ୍ତୁ ବର୍ତ୍ତମାନ ଭିତରେ ଭବିଷ୍ୟତକୁ ଦେଖିବାପାଇଁ ଚେଷ୍ଟାକରେ, ବସନ୍ତର ଉଲ୍ଲାସରେ ଗ୍ରୀଷ୍ମର ପ୍ରତ୍ୟଶାକୁ ଅବଲୋକନ କରେ ।

 

ଭାଙ୍ଗିପଡ଼ୁଥିବା ଗୋଟାଏ ଢେଉଆଡ଼କୁ ଅଙ୍ଗୁଳି ଦେଖାଇ କହିଲା ସତ୍ୟଜିତ୍ ଏଇ ଦେଖ ଅଲିଭା, କେତେ ବଡ଼ଢେଉ ଗୋଟେ ଜୀବନୋଚ୍ଛ୍ୱାସର ଭାର ସହି ନ ପାରି ବର୍ତ୍ତମାନକୁ ପ୍ରଦୀପ୍ତ କରାଇ ଭାଙ୍ଗିପଡ଼ୁଛି କିପରି !

 

ସେଇ ଆଡ଼କୁ ଅନାଇଁ ଧୀରେ ଧୀରେ କହିଲା ଅଲିଭା- କିନ୍ତୁ ଭାଙ୍ଗି ଯାଇଥିବା ଢେଉରେ ଫେରିଯାଉଥିବା ସ୍ରୋତର ବେଦନାକୁ ଥରେ ଅନୁଭବ କରିବାପାଇଁ ଚେଷ୍ଟାକର ସତ୍ୟଜିତ୍ ! ବୁଝିପାରିବ, କେବଳ ବର୍ତ୍ତମାନକୁ ନେଇ କେହି ବଞ୍ଚିପାରେନାହିଁ ।

 

ସତ୍ୟଜିତ୍ କଫି କପ୍‌ରୁ ଶେଷ କଫି ଟିକକ ମୁହଁ ଭିତରେ ଢାଳି ଦେଇ କହିଲା-

 

ଆଜି ପରା ବାହୁଡ଼ା ଯାତ୍ରା- ଯିବନି ?

 

ରଥ ଦେଖିବାପାଇଁ ଆସି ନ ଥିଲା ଅଲିଭା । ଆଗ୍ରହ ବି ନ ଥିଲା । ଲୋକ ଗହଳି, କୋଳାହଳ କେବେ ଭଲ ଲାଗେନା ତାକୁ; କିନ୍ତୁ କୌତୂହଳ ପ୍ରକାଶ କରି କହିଲା- ତୁମେ ଧର୍ମ କରିବାପାଇଁ ଆସିଛ ପରା ?

 

ସତ୍ୟଜିତ୍ କହିଲା- ଧର୍ମ ନୁହେଁ, ଯଦି ଅଧର୍ମ ନ କରି ଦିନଟିଏ କଟିଯାଇପାରେ, ସେଇ କ’ଣ ଯଥେଷ୍ଟ ନୁହେଁ ଅଲିଭା !

 

କହିସାରି ବେଶ୍ ଅର୍ଥପୂର୍ଣ୍ଣ ହସ ହସିଥିଲା ସତ୍ୟଜିତ୍ ।

 

ତା’ର ଉତ୍ସାହରେ ବାଧା ନ ଦେଇ କହିଥିଲା ସେ- କେତେବେଳେ ଯିବା କୁହ ?

 

ଖୁସିହୋଇ ସତ୍ୟଜିତ୍ କହିଥିଲା- ଦୁଇଟାବେଳକୁ ଗଲେ ଚଳିବ । ତୁମେ ପ୍ରସ୍ତୁତ ହୋଇ ରହିଥିବ, ମୁଁ ଆସି ନେଇଯିବି ।

 

ସେଦିନ ସାଙ୍ଗହୋଇ ରଥଯାତ୍ରା ଦେଖିବାପାଇଁ ଯାଇଥିଲେ, ରଥ ଦଉଡ଼ି ଟାଣିଥିଲେ ଦୁହେଁ । ରଥ ଉପରକୁ ଉଠି ତିନି ଠାକୁରଙ୍କୁ ଦର୍ଶନ କରି ଫେରି ଆସିଥିଲେ ହୋଟେଲକୁ ।

 

ରଥ ଦଉଡ଼ି ଧରି ଟାଣିବାରେ କି ଉତ୍ସାହ ସେହିଦିନ ଅନୁଭବ କରିଥିଲା ଅଲିଭା ।

 

ବସି ଶୋଇ ଚଳନ୍ତି ଜୀବନ ବଢ଼େ ନାହିଁ । ଗୋଟାଏ ସ୍ଥାନରେ ସ୍ଥାଣୁପରି ପଡ଼ି ନ ରହି ବହିଗଲେ ବୋଲି ପ୍ରବାହିତ ନଦୀର ଏତେ ଆନନ୍ଦ, ଏତେ ଉଲ୍ଲାସ । ପୋଖରୀର ପ୍ରବାହ ନ ଥାଏ ବୋଲି ସେ ଏତେ ରୁଦ୍ଧଶ୍ୱାସୀ ବେଦନାର ଅନ୍ତର୍ଦାହରେ ସଙ୍କୁଚିତ ଏବଂ ସୀମାବଦ୍ଧ ।

 

ଚଳନ୍ତି ଜୀବନର ରଥ ଯଦି ବଡ଼ଦାଣ୍ଡ ଉପରେ ଏହିପରି ହଲି ଦୋହଲି ପଡ଼ି ଯାଇ ପାରନ୍ତା !

 

ରଥ ଟାଣିବାବେଳେ ତା’ ହାତ ଉପରେ ହାତ ରଖି କହିଥିଲା ସତ୍ୟଜିତ୍- ଦଉଡ଼, ଅଲିଭା ! ଆଗକୁ ନ ଗଲେ ପଛରେ ପଡ଼ି ରହି ଦଳିଚକଟି ହୋଇଯିବାର ସମ୍ଭାବନା ।

 

ରଥ ଦଉଡ଼ି ଧରି ଅପୂର୍ବ ଉତ୍ସାହରେ ସେ ଦିନ ଦଉଡ଼ିଥିଲା ସେ ।

 

ଆଜି ବି ରଥଟଣା ହବ, ଆଜି ବି ତିନିଠାକୁରଙ୍କ ରଥର ଦଉଡ଼ି ଭିଡ଼ିବାପାଇଁ ହଜାର ହଜାର ହାତ ଉନ୍ମୁଖ ହୋଇରହିଛି ।

 

ସେଦିନ ପଛରେ ପଡ଼ି ନ ଯାଇ ଅନ୍ୟମାନଙ୍କଠାରୁ ଆଗେଇ ଯାଇଥିଲା ଅଲିଭା ।

 

ଆଜି ବରଷକ ପରେ ମନେହେଲା, ସେ ଯେପରି ଆଗକୁ ନ ଯାଇ ପଛେଇ ଯାଇଛି ।

 

ଜଗନ୍ନାଥଙ୍କ ଚରଣ ତଳେ ମଥା ନତକରି ସେ ଦେଖିଲା, ତାଙ୍କରି ଅତି ଆପଣାର ରୂପ-ଚକା ଚକା ଆଖି, ହସିଲା ହସିଲା ମୁହଁ, ସ୍ୱାଗତ କରୁଥିବା ପ୍ରସାରିତ ହାତ ।

 

ରଥରୁ ଓହ୍ଳାଇଲାବେଳକୁ ସତ୍ୟଜିତ୍ ଆଉ ନ ଥିଲା ସେଠାରେ ।

 

ହୁଏତ ଚାଲିଯାଇଥିବ ।

 

ଆଉ ସେହି ଭଦ୍ରମହିଳା ଜଣକ ?

 

ସ୍ତ୍ରୀ ନ ହୋଇ ବାନ୍ଧବୀ ହୋଇଥିବେ, ଭଗ୍ନୀ ବି ହୋଇପାରନ୍ତି । ମନେ ମନେ ଯୁକ୍ତି କଲା ଅଲିଭା ।

 

ସତ୍ୟଜିତ୍ ସହିତ ସାକ୍ଷାତ୍ ହେଲାନାହିଁ ବୋଲି କ୍ଷୋଭ ହେଲା ମନରେ । ଦେଖା ହୋଇଯାଇଥିଲେ ଅନ୍ତତଃ ପରିଚୟ ତ ପାଇଥାଆନ୍ତା !

 

ରଥ ଉପରୁ ଅନ୍ୟମନସ୍କ ହୋଇ ଓହ୍ଲାଇଲାବେଳେ, ଝୁଣ୍ଟି ପଡ଼ୁଥିବାବେଳେ ନିଜକୁ ନିଜେ ସମ୍ଭାଳିନେଲା ସେ ।

 

ଝୁଣ୍ଟି ପଡ଼ିବାର ଆନନ୍ଦ ଥାଏ, ଯଦି ଉଠାଇବାପାଇଁ ହାତ ପ୍ରସାରିତ କରି କେହି ଛିଡ଼ା ହୋଇଥାଏ ପାଖରେ । ଭଦ୍ରମହିଳା ଜଣକ ଏଇମିତି ଝୁଣ୍ଟି ପଡ଼ିଲାବେଳେ ତାଙ୍କୁ ତୋଳି ନେଇଥିଲା ସତ୍ୟଜିତ୍; କିନ୍ତୁ ସେ ଝୁଣ୍ଟିପଡ଼ି ଯେପରି ଉଠି ବସିଲା, ସେହିପରି କେହି ଆହା କଲେନାହିଁ । କେହି ଉଠାଇ ନେଲେ ନାହିଁ ।

 

ନିଜ ପାଇଁ ବଞ୍ଚିବାପାଇଁ ଭଲ ଲାଗେନାହିଁ ବୋଲି ମଣିଷ ସଙ୍ଗୀଖୋଜେ, ଖାଲି ମୁହଁଟାକୁ ଦେଖାଇବାରେ ଲାଜ ଲାଗେ ବୋଲି ରଙ୍ଗ ବୋଳେ ।

 

ରଥଯାତ୍ରାର କୋଳାହଳ ଭିତରେ କେତେ ଜୀବନ-ଯାତ୍ରାର ସଙ୍ଗୀତ, ଅଗଣିତ ଲୋକମାନଙ୍କର ଆଗକୁ ଚାଳିବାର କେତେ ଆବେଗ ।

 

ସେ ବି ଆଗକୁ ଯାଆନ୍ତା କି ?

 

ଆଗକୁ ଯିବା ଆଗରୁ ପଛକୁ ଚାହିଁ ପୁଣି ଥରେ ସ୍ତବ୍‌ଧ ହୋଇଛିଡ଼ା ହୋଇଗଲା ସେ ।

 

ସତ୍ୟଜିତ୍‌ ଗୋଟାଏ ଟାକ୍ସିରେ ବସୁଥିଲା । ବେଶ୍ ଭଲକରି ଦେଖିପାରିଲା ଅଲିଭା, ସେହି ଟାକ୍ସିର ପଛ ସିଟ୍‌ର ଗୋଟିଏ ପାଖରେ ବସି ସାରିଥିଲେ ଭଦ୍ରମହିଳା ଜଣକ ।

 

ଟାକ୍ସି ସିଂହଦ୍ୱାର ରାସ୍ତା ଦେଇ ପୂର୍ବଆଡ଼କୁ ଅଗ୍ରସର ହେଲା ।

 

ସେଇ ତଳେ ଛିଡ଼ାହୋଇ ତିନି ରଥର ଶୋଭା ପଲକରେ ଦେଖିନେଇ ହୋଟେଲ ଆଡ଼କୁ ଯିବାପାଇଁ ପାଦ ବଢ଼ାଇଲା ଅଲିଭା ।

 

ଭିଡ଼ ଠେଲି ବାହାରକୁ ଆସିଲା । ଗୋଟାଏ ରିକ୍‌ସା ଉପରେ ବସିପଡ଼ି ହୋଟେଲଆଡ଼କୁ ଯିବାପାଇଁ କହିଲା ।

 

ଆଜି ରିକ୍‌ସାଟା ଯେପରି ଅନେକ ଘୂରି ଘୂରି ଯାଉଛି । ବହୁତ ସମୟ ଲାଗୁଛି ପହଞ୍ଚିବାପାଇଁ । ଆସିଲାବେଳେ ଏହି ଅଳ୍ପ ରାସ୍ତା ଅତିକ୍ରମ କରିବାପାଇଁ ଅଧଘଣ୍ଟାଏ ବି ଲାଗି ନ ଥିଲା । ବର୍ତ୍ତମାନ ମନେହେଉଥିଲା ଯେପରି ସେ ସେହି ରାସ୍ତାକୁ ଅତିକ୍ରମ କରିବାପାଇଁ ଘଣ୍ଟା ଘଣ୍ଟା ଧରି ଚାଲିଲେ ବି ଶେଷ ହେଉନାହିଁ । ଛୋଟ ସୀମାବଦ୍ଧ ପଥଟା ହଠାତ୍ ଅଶେଷ ଅସରନ୍ତି ହୋଇଉଠିଛି ।

 

ମନଟା ଉଦାସ ହୋଇଗଲା ଅଲିଭାର । କିଛି ଭାବିବାପାଇଁ ଇଚ୍ଛା ହେଲାନାହିଁ, ଆନନ୍ଦ ନୁହେଁକି ଦୁଃଖ ନୁହେଁ, ଏକ ବିଷର୍ଣ୍ଣ ବିଧୂର ସ୍ଥିତି ନିରୀକ୍ଷଣ କଲା, ଗୋଟେ କଥା ଭାବିବାକୁ ଯାଇ ଆଉ ଗୋଟେ କଥା ଭାବିବାକୁ ଲାଗିଲା ।

 

ଗାନ୍ଧିଘାଟ ପାଖରେ ରିକ୍‌ସାରୁ ଓହ୍ଲାଇ ସମୁଦ୍ର କୂଳେ କୂଳେ ଚାଲିଲା ଅଲିଭା ।

 

କେତେ କିଏ ବସି ବସି ଗଳ୍ପ କରୁଥିଲେ, କିଏ କିଏ ଖେଳୁଥିଲେ, କିଏ କିଏ ବି ଧ୍ୟାନସ୍ଥ ହୋଇ କ’ଣ ଭାବୁଥିଲେ ।

 

ସେ ଆଡ଼କୁ ନଜର ନ ଥିଲା ତା’ର । ନିଜ କଥା ବି ଭାବୁ ନ ଥିଲା ସେ, ଅନ୍ୟମନସ୍କହୋଇ ଚାଲୁଥିଲାବେଳେ ଗୋଟାଏ ଭାଙ୍ଗି ପଡ଼ିଥିବା ବଡ଼ ଢେଉର ଫେଣ ଆସି ଲାଗିଲା ତା’ର ପାଦତଳେ ।

 

ଶାଢ଼ିର ତଳ ଅଂଶ ଟିକେ ଓଦା ହୋଇଗଲା, ପାଦ ଧୋଇ ହୋଇଗଲା ।

 

ସେ ଦିନ ସମୁଦ୍ର କୂଳରେ ସତ୍ୟଜିତ୍ ସହିତ ବୁଲିଲାବେଳେ ଭାଙ୍ଗିପଡ଼ିଥିବା ଗୋଟିଏ ବଡ଼ ଢେଉର ଦଉଡ଼ି ଆସୁଥିବା ପାଣିରୁ ତାକୁ ରକ୍ଷାକରିବାପାଇଁ ତା’ର ହାତ ଧରି ଜୋର୍‌ରେ କୂଳ ଉପରକୁ ଟାଣିନେଇ ଧାଇଁ ଯାଇଥିଲା ସତ୍ୟଜିତ୍ ।

 

ତଥାପି ପାଣି ଛିଟିକା ଲାଗି ଶାଢ଼ିର ତଳ ଅଂଶ ଭିଜି ଯାଇଥିଲା ଟିକିଏ ।

 

ଆଉ ଦଉଡ଼ି ଯାଉ ଯାଉ ବେଗ ସମ୍ଭାଳି ନ ପାରି ସତ୍ୟଜିତ୍ ଉପରେ ଆଉଜି ପଡ଼ିଥିଲା ସେ ।

 

ସେଇ ପ୍ରଥମ ସ୍ପର୍ଶର ଶିହରଣ ଆଜିଯାଏ ଜୀବନ୍ତ ହୋଇ ରହିଯାଇଛି, ମନରେ ଦେହରେ ।

 

ଫୁଟିବାର ପ୍ରଥମ ଆନନ୍ଦରେ ଆତ୍ମହରା ହୋଇ ଫୁଲ ମହକି ଉଠିଲା ପରି ସେ ବି ସେ ଦିନ ପୁଲକି ଉଠିଥିଲା ହୃଦୟରେ । ସର୍ବାଙ୍ଗରୁ ଏକ ନୂତନ ସଙ୍ଗୀତର ରାଗିଣୀ ସେ ଦିନ ସେ ସ୍ତବ୍‌ଧ ହୋଇ ଶୁଣିଥିଲା ପରମ ଆବେଗରେ ।

 

ସେଇ ସଙ୍ଗୀତ ସମୁଦ୍ରର ତରଙ୍ଗ ପରି ଫୁଲି ଫୁଲି ତାକୁ କେତେବେଳେ କେଉଁ ଦିଗକୁ ଭସାଇ ନେଇଥିଲା । ଗଭୀର ସମୁଦ୍ରର ଅକଳନ୍ତି ନୀଳିମା ମଧ୍ୟରେ ନିଜର ସତ୍ତା ଭୁଲି ଆସୁଥିବା ଛୋଟ ନୌକାଟି ପରି ସେ ବି ଆତ୍ମହରା ହୋଇ ଭାସି ବୁଲୁଥିଲା ଅପାସୋରା ଉଲ୍ଲାସରେ ।

 

ଏବେ ଭାବିଲେ ବି ରୋମାଞ୍ଚ ହୁଏ ଅଲିଭାର ।

 

ହୋଟେଲ ପାଖରେ କେତେବେଳେ ଆସି ପହଞ୍ଚି ଯାଇଥିଲା ଜାଣି ବି ପାରିଲା ନାହିଁ ।

 

ପଛପଟୁ ହର୍ଣ୍ଣ ଦେଲା ଗୋଟିଏ ଗାଡ଼ି ।

 

ବାଟ ଛାଡ଼ି ଆଡ଼ ହୋଇଗଲା ଅଲିଭା ।

 

ଟାକ୍ସିଟା ଯାଇ ଛିଡ଼ା ହେଲା ରିସେପନ୍‌ସନ କାଉଣ୍ଟର ସମ୍ମୁଖରେ ।

 

ନବାଗତ ଅତିଥିମାନଙ୍କୁ ସମ୍ବର୍ଦ୍ଧନା କରି ଉପର ମହଲାକୁ ନେଇଗଲେ ମ୍ୟାନେଜର ।

 

ଅଲିଭାର ଏତେ ନଜର ନ ଥିଲା ସେଆଡ଼େ ।

 

ସେ ରିସେପ୍‌ସନକାଉଣ୍ଟର ଆଗରେ ଛିଡ଼ାହୋଇ କହିଲା- ମୁଁ ଗଲାବେଳେ ନଅ ନମ୍ବର ରୁମ୍ ପାଇଁ କହିଯାଇଥିଲି- ହୋଇଯାଇଛି ତ ?

 

ନଅ ନମ୍ବର ରୁମ୍‌ରେ ସତ୍ୟଜିତ୍‌ଠାରୁ ସେ ପାଇଥିଲା ପ୍ରଥମ ସନ୍ଧ୍ୟାର ସାନ୍ନିଧ୍ୟ ।

 

ସେଇ କୋଠରିର ବାଲ୍‌କୋନୀରେ ବସି ସେ ଢେଉ ଗଣୁଥିଲାବେଳେ ସତ୍ୟଜିତ୍ ଆସି ତାକୁ କହିଥିଲା-ହୃଦୟର ସ୍ପନ୍ଦନ ଜାଣିହୁଏ, ଗଣିହୁଏ ନାହିଁ ଅଲିଭା ! ସୀମାହୀନ ସମୁଦ୍ରର ତରଙ୍ଗ ଜୀବନର ପରମ ଉଚ୍ଛ୍ୱାସ; ତାହା ଦେଖିଯାଅ, ଅନୁଭବ କର, କିନ୍ତୁ ଗଣନାହିଁ, ଗଣିବାପାଇଁ ଚେଷ୍ଟା କରି ତା’ର ଅଗଣତି ଆବେଦନକୁ ସୀମାବଦ୍ଧ କରନାହିଁ ।

 

ଅଲିଭା ସତ୍ୟଜିତ୍‌ର କହିବାର ଢଙ୍ଗରେ ମୁଗ୍‌ଧହୋଇ କହିଥିଲା- କିଛି ନ କହି କେବଳ ଶୁଣିବାପାଇଁ ଇଚ୍ଛା ହେଉଛି, କହିଯାଅ ।

 

ସତ୍ୟଜିତ୍-ମୁଁ ବସି ବସି ଶୁଣେ ।

 

ଆଉ ତା’ ନିଜ କଥା କହିବା ଆଗରୁ କହିଥିଲା ସତ୍ୟଜିତ୍- ଯେପରି ସାଗର ଖାଲି କହିଯାଉଛି...ଆଉ ପୃଥିବୀ ଖାଲି ଶୁଣିଯାଉଛି ।

 

ସେ ବୁଝି ନ ପାରି ପଚାରିଲା- ମାନେ ?

 

ବୁଝାଇ ଦେଇ କହିଥିଲା ସତ୍ୟଜିତ୍- ଏଇ ଶୁଣୁନ ଏଇଠି ବସି ବସି । ସାଗର ଗୀତ ଗାଇ ନିବେଦନ କରୁଛି, ଗୋଟିଏ ଗୋଟିଏ ତରଙ୍ଗ ଗୋଟିଏ ଗୋଟିଏ ମୁହୂର୍ତ୍ତର ଆବେଗ ନେଇ ଆବେଦନ ଜଣାଉଛନ୍ତି- ମୁଁ ଭାଙ୍ଗୁଛି ନିଜପାଇଁ ନୁହଁ ତୁମରିପାଇଁ; ଶେଷ ହୋଇଯାଉଛି ନିଜପାଇଁ ନୁହଁ, ତୁମକୁ ପୂର୍ଣ୍ଣ କରିବାପାଇଁ ।

 

ଆଉ ବେଳାଭୂମି କହୁଛି- କହ, ଆହୁରି କହ, ମୁଁ କେବଳ ଯୁଗ ଯୁଗ ଧରି ଶୁଣିଯାଏ ।

 

ଆଜି ସତ୍ୟଜିତ୍‌ ପାଖରେ ଥିଲେ ଏଇମିତି କେତେ କଥା ଶୁଣିବାପାଇଁ ଆଗ୍ରହ ହୋଇ ଥାଆନ୍ତା ଅଲିଭାର ।

 

ଖାତା ଦେଖିସାରି କହିଲା ରିସେପ୍‌ସନିଷ୍ଟ-ସରି ମ୍ୟାଡ଼ାମ୍ !, ନଅ ନମ୍ବରରେ ରହିସାରିଛନ୍ତି ।

 

-ଅଥଚ ମୁଁ କହିଥିଲି । କହିଲା ଅଲିଭା ।

 

-କ୍ଷମା କରିବେ ଆମର ଭୁଲପାଇଁ । ମୁଁ ଆସିବା ଆଗରୁ ପୂର୍ବ ସିଫ୍ଟର ରିସେପ୍‌ସନିଷ୍ଟମିଃ ରାୟଙ୍କୁ ଦେଇଛନ୍ତି ରୁମ୍‌ଟା ଖାଲି ହବା ମାତ୍ରେ ।

 

-ମିଃ ରାୟ ? ଅନ୍ୟମନସ୍କା ହୋଇ ପଚାରିଦେଲା ଅଲିଭା ।

 

-ହଁ, ବାରିଷ୍ଟର ମିଃସତ୍ୟଜିତ୍ ରାୟ । ନୂଆ ବାହାହୋଇ ଆସିଛନ୍ତି ହନିମୁନ୍ କଟାଇବାପାଇଁ ।

 

ସର୍ବାଙ୍ଗ ଏକ ଅବ୍ୟକ୍ତ ଯନ୍ତ୍ରଣାରେ ଶିହରି ଉଠିଲା ଅଲିଭାର ।

 

ଉପରକୁ ଉଠିଲାବେଳେ ଉପରୁ ସତ୍ୟଜିତ୍ ସହିତ ଓହ୍ଲାଉଥିବା ଏକ ନବବଧୂର ଲାବଣ୍ୟଝରା ରୂପ ଆଖି ଆଗରେ ଉଦ୍ଭାସିତ ହୋଇଗଲା ।

 

ସବୁ ସ୍ପଷ୍ଟ ହୋଇଗଲା କ୍ଷଣକରେ । ନଅ ନମ୍ବର ଆଉ ତା’ର ନୁହେଁ, ହେଇପାରେନା ।

 

ନଅ ନମ୍ବର ସହିତ ସମସ୍ତ ସ୍ମୃତି ଯେପରି ଗୋଟିଏ ମୁହୂର୍ତ୍ତରେ ନିଶ୍ଚିହ୍ନ ହୋଇ ଯିବାପାଇଁ ଭାଙ୍ଗି ପଡ଼ୁଥିବା ତରଙ୍ଗରେ ବେଦନା ନେଇ ମର୍ମରି ଉଠିଲା ।

 

ସେ କହିଲା- ନୋ ନୋ, ନଅ ନମ୍ବର ନୁହେଁ, ଦଶ ନମ୍ବରରେ ରହିବାପାଇଁ କହିଯାଇଥିଲି ମୁଁ ।

 

ଦଶ ନମ୍ବର ରୁଦ୍ଧ ପ୍ରକୋଷ୍ଠ ଭିତରେ ଶୋଇ ଅସ୍ଥିର ସମୁଦ୍ରର ନୁହେଁ, ଅଶାନ୍ତ ହୃଦୟର ତରଙ୍ଗ ଗଣୁଥିଲା ଅଲିଭା ।

Image

 

Unknown

ସବୁଥିରୁ ବଞ୍ଚିତ କରି

 

ପୃଥିବୀର ସମସ୍ତ ଅବସାଦ ନେଇ ଫେରିଆସିଲା ଶେଫାଳି; କିନ୍ତୁ ସୈକତର ସନ୍ଧନା ପାଇଲା ନାହିଁ କେଉଁଠି ।

 

ଉଦାସ ଅନୁଭବ କଲା । ମରୁଭୂମି ପରି ସମସ୍ତ ଅନ୍ତରଟା ଶୂନ୍ୟତା’ର ହାହାକାରରେ ପୂର୍ଣ୍ଣ ହେଇଗଲା ।

 

ସୈକତ ତା’ହେଲେ ଗଲା କୁଆଡ଼େ ?

 

ରେସ୍ତୋରାଁ, ସିନେମା ହଲ, ନଦୀକୂଳ, ପାର୍କ, ଷ୍ଟେସନ ପ୍ଳାଟ୍‌ଫର୍ମ ସବୁଠି ତାକୁ ଖୋଜିଛି ଶେଫାଳି; କିନ୍ତୁ ସନ୍ଧାନ ପାଇନି ।

 

ବସଷ୍ଟାଣ୍ଡକୁ ଯାଇଥିଲେ ହୁଏତ ଭଲ ହୋଇଥାଆନ୍ତା । ସନ୍ଧ୍ୟା ବସ୍‌ରେ ଯଦି ଚାଲିଯାଏ ସୈକତ ! ନା, ବିଶ୍ରାମ ଲୋଡ଼ାନାହିଁ । ଆରାମ ଆବଶ୍ୟକ ନାହିଁ । ପାଣି ଗିଲାସେ ପିଇ ବାହାରି ପଡ଼ିଲା ବସଷ୍ଟାଣ୍ଡ୍ ଆଡ଼କୁ ।

 

ସାଇକଲଟା ନିଅନ୍ତା; କିନ୍ତୁ ସେଟା ବି ଅଚଳ ହୋଇ ପଡ଼ିଛି । କ୍ରେଙ୍କଟା ଖରାପ ହୋଇଯାଇଛି । ମରାମତି ପ୍ରୟୋଜନ । ସମୟ ହେଲେ ସଜାଡ଼ି ନବ ।

 

ରିକ୍‌ସା.....

 

ନା, ରିକ୍‌ସାର ପ୍ରୟୋଜନ ନାହିଁ । ମାସ ଶେଷ । ସାଧାରଣ ଶିକ୍ଷୟିତ୍ରୀ ସେ । ସମ୍ବଳ ଶେଷ ହୋଇଆସୁଛି । ବାକ୍‌ସ ଭିତରେ ଯେଉଁ ଅଳ୍ପ କେଇଟା ଟଙ୍କା ପଡ଼ିଛି, ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବାପାଇଁ ନିଅଣ୍ଟ । ଜଣକର ରୋଜଗାରରେ ସଂସାର ଚଳେନା ଆଜିକାଲି । ସୈକତ ଛଅ ମାସ ହେଲା ଘରେ ବସିଛି । ଛୁଟି ପାଊଣା ନାହିଁ । ତା’ ରୋଜଗାର ଉପରେ ସଂସାରଟା ସମ୍ପୂର୍ଣ୍ଣ ନିର୍ଭର କରୁଛି । ତେଣେ ଛୋଟ ପୁଅଟି ପୋଲିଓ ଭୋଗୁଛି । ବଡ଼ପୁଅ ହଷ୍ଟେଲରେ ରହି ପବ୍ଳିକ୍ ସ୍କୁଲରେ ପଢ଼ୁଛି । ଗହଣା ବିକିବା ଆରମ୍ଭ ହୋଇଛି ତା’ ପଢ଼ାଖର୍ଚ୍ଚ ତୁଲାଇବାଇଁ । ମା’ ଯକ୍ଷ୍ମା ଭୋଗୁଛି ଗାଆଁରେ । ତା’ ପାଇଁ ପଇସା ନାହିଁ ହାତରେ । ପାରିଲେ ଦଶ ପନ୍ଦର ଟଙ୍କା ପଠାଇଦବ ଆସନ୍ତା ମାସ ଘରଭଡ଼ା ବାକି ରଖି । ଇଚ୍ଛାଥିଲେ ବି ଯାଇପାରୁନି । ଛଅମାସ ହେଲା ସ୍ୱାମୀଙ୍କର ମସ୍ତିଷ୍କବିକୃତି । କେତେବେଳେ କ’ଣ ଘଟିବ କିଏ ଜାଣେ ?

 

ମୁହଁର ଝାଳ ପୋଛି, ଦରଜାରେ ତାଲା ଦେଇ ପୁଣି ବାହାରିପଡ଼ିଲା ଶେଫାଳି । ତିନିଦିନ ହେଲା ଚାକର ଟୋକାଟା ଛୁଟି ନେଇ ଘରକୁ ଯାଇଛି । ଆସିବ କି ନାହିଁ କିଏ ଜାଣେ ? ଦୁଇମାସର ଦରମା ବାକି ରହିଯାଇଛି- ଦେଇ ପାରିନି ଅସୁବିଧା ଯୋଗୁଁ ।

 

ଯେମିତିହେଲେ ସୈକତକୁ ବାହାର କରିବାକୁ ହବ । ମଥା-ଖରାପ ଲୋକ । କେଉଁଠି କଅଣ ଯେ କରୁଥିବେ ? ସେଇ ଯେ ଭୋରରୁ ବାହାରି ଯାଇଛନ୍ତି...ହୁଏତ ପାଣି ଟୋପାଏ ବି ପଡ଼ି ନ ଥିବ ପାଟିରେ ! ଆହାରେ, କେଉଁଆଡ଼େ ବୁଲୁଥିବେ କିଏ ଜାଣେ ? ନିଘା ନ ଥିବ ନିଜ ପ୍ରତି । ରେଳଗାଡ଼ି ବା ବସ୍ ଆଗରେ ପଡ଼ିଗଲେ...

 

ମନକୁ ପାପ ଛୁଇଁଲା କ୍ଷଣି ଭୟରେ ଆଖି ବୁଜି ହୋଇଗଲା । ସର୍ବାଙ୍ଗ ଶିତେଇ ଉଠିଲା ଶେଫାଳିର । ପ୍ରଭୁ ହେ...

 

ବଞ୍ଚିବାପାଇଁ କେବଳ ପାଥେୟ ନୁହଁ, ସାହସ ବି ପ୍ରୟୋଜନ । ସେଇ ସାହାସ ବଳରେ ଘୋଷାରି ହୋଇ ଆଗକୁ ଚାଲିଥିଲା ସେ ।

 

ନିଜ ଭିତରର ଭୟଟିକକୁ ଆତ୍ମବିଶ୍ୱାସଦ୍ୱାରା ଗଣ୍ଡୁଷେ ଜଳ ପରି ଶୋଷିନେଇ ଅଙ୍କାବଙ୍କା ପଥ ଦେଇ ବସ୍‌ଷ୍ଟାଣ୍ଡଆଡ଼କୁ ଆଗେଇଗଲା ଶେଫାଳି ।

 

ଅନ୍ଧାର ହୋଇ ଆସୁଥିଲା ।

 

ମ୍ୟୁନିସିପାଲିଟିର ରାସ୍ତାକଡ଼ର ଆଲୁଅଗୁଡ଼ିକ ଜଳିଉଠିଲାଣି ଅସ୍ପଷ୍ଟ ଭାବରେ । ବଡ଼ ରାସ୍ତାରେ ବିଜୁଳିବତି । ଗଳି ରାସ୍ତାରେ ଏପର୍ଯ୍ୟନ୍ତ ବିଜୁଳି ଆଲୁଅ ଲଗାଯାଇନାହିଁ ।

 

ଗଳି ରାସ୍ତା ଦେଇ ଗଲେ ବସ୍‌ଷ୍ଟାଣ୍ଡ ପାଖ ହୁଏ । ବଡ଼ ରାସ୍ତାରେ ଗଲେ ବୁଲି ବୁଲି ଯିବାକୁ ହୁଏ । ହାତରେ ସମୟ କମ୍ । ସେଇଥିପାଇଁ ଗଳି ରାସ୍ତା ଦେଇ ଆଗେଇ ଯାଉଥିଲା ଶେଫାଳି ।

 

ଆଗରେ ମୋଡ଼ଟା ଶୂନ୍‌ଶାନ୍। କେହି ଦେଖାଯାଉ ନ ଥିଲେ ଏ ପାଖରୁ ।

 

ଶୀଘ୍ର ଶୀଘ୍ର ପାଦ ବଢ଼ାଉଥିଲା ସେ । ମୋଡ଼ ଭାଙ୍ଗି ଆଉ ଗୋଟେ ଗଳି ରାସ୍ତା ଆରମ୍ଭକଲାବେଳକୁ ପ୍ରାୟ ତା’ ସାମ୍ନାରେ ଆସି ଛିଡ଼ା ହୋଇଗଲା ଗୋଟିଏ ଅଚିହ୍ନା ଲୋକ । ଅପରିଚ୍ଛନ୍ନ ବେଶଭୂଷା । ମୁହଁରୁ ଅନନୁଭୂତ ଏକ ବିକଟ ଗନ୍ଧ ବାହାରୁଥିଲା ଭକ୍‌ ଭକ୍‌ ହୋଇ ।

 

ହିଃ...ହିଃ...

 

ଆଶ୍ଚର୍ଯ୍ୟ ଚକିତ ଶେଫାଳି ଭୟରେ ନୁହେଁ, ଲୋକଟାର ସାହସ ଦେଖି ମୁହୂର୍ତ୍ତକ ପାଇଁ ଛିଡ଼ାହୋଇ ନାକରେ ରୁମାଲ ଜାକି ଆଡ଼ହୋଇ ଆଡ଼େଇ ଯିବାପାଇଁ ପାଦ ବଢ଼େଇଲା ।

 

‘‘ପ୍ୟାରୀ ପ୍ୟାରୀ ସୁରତ୍‌ କୋ...’’

 

ଛି, ଛି ! କି ଅସଭ୍ୟ କି ସଇତାନ ସେଇ ଲୋକଟା । ତ୍ରସ୍ତପଦରେ ଆଗେଇ ଚାଲିଲା ଶେଫଳି । ଆଗରେ କେହି ଲୋକ ଦେଖାଯାଉ ନ ଥିଲେ । ଛାତି ଭିତରଟା ଏକ ଅଜଣା ଭୟରେ ଶିହରି ଉଠିଲା । ନିଜକୁ ଧିକ୍କାର କଲା କାହିଁକି ଏଇ ଅପନ୍ତରା ଗଳି ରାସ୍ତାରେ ଆସିଲା ବୋଲି ।

 

ଲୋକଟା ବି ଟଳି ଟଳି ଆଗେଇ ଆସୁଥିବାର ଅନୁମାନ କଲା ଶେଫାଳି ।

 

‘‘ପ୍ୟାରୀ ପ୍ୟାରୀ ସୁରତ୍‌ କୋ...’’

 

‘‘ଅସଭ୍ୟ, ପଶୁ...’’

 

ଫେରିପଡ଼ି ତା’ର ସମଗ୍ର ଶକ୍ତି ଦେଇ ଚିତ୍କାର କରି ଉଠିଲା ଶେଫାଳି । ରାଗରେ ସର୍ବାଙ୍ଗ ଥରୁଥିଲା ତା’ର ।

 

ଲୋକଟା ସ୍ତବ୍‌ଧ ହୋଇ ଅନାଇ ରହିଲା କ୍ଷଣକପାଇଁ; କିନ୍ତୁ ତା’ପରେ ମୁହଁ ଭିତରେ ଆଙ୍ଗୁଳି ଗେଞ୍ଜି ସୁସୁରି ମାରି ଗୋଟିଏ ଜଘନ୍ୟ ଇଙ୍ଗିତ କରି କହିଲା ଖତେଇ ହୋଇ-

 

ଅସଭ୍ୟ ହେଲେ ସିନା ପ...ସ...ନ୍ଦ ହୁଏ ଗୋ... ରୀ...ର...ହିଃ...ହିଃ...

 

ସଟ୍ଅଫ୍, ସଟ୍ଅପ୍‌ ଟ୍ରୁଟ୍...

 

କିନ୍ତୁ ତଥାପି ତାରି ଆଡ଼କୁ ମାଡ଼ି ଆସୁଥିବାର ଦେଖି ଅନନ୍ୟୋପାୟ ହୋଇ ଆଗକୁ ଦଉଡ଼ିଲା ଶେଫାଳି ।

 

କେତେବେଳ ଯାଏ କେଉଁ ପଥ ଦେଇ ଦଉଡ଼ି ଥିଲା ମନେନାହିଁ, କିନ୍ତୁ ଯେତେବେଳେ ରାସ୍ତା ଉପର ଏକ ଭଗ୍ନାଂଶ ଉପରେ ଝୁଣ୍ଟିପଡ଼ି ପ୍ରାୟ ତଳେ ପଡ଼ି ଯାଉଁ ଯାଉଁ ପାଖରେ ଛିଡ଼ା ହୋଇଥିବା ଗୋଟିଏ ରିକ୍‌ସାର ହୁଡ଼୍‌କୁ ଧରି ନିଜକୁ ସମ୍ଭାଳି ନେଲା ସେ, ସେତେବେଳେ ଅନୁମାନ କରି ନେଇଥିଲା ଯେ ସେ ଅନେକ ପଥ ପାରି ହୋଇ ପ୍ରାୟ ବସ୍‌ଷ୍ଟାଣ୍ଡ୍ ପାଖରେ ଆସି ପହଞ୍ଚିଯାଇଛି ।

 

ଡାହାଣ ପାଦର ବୁଢ଼ା ଆଙ୍ଗୁଠିରୁ ରକ୍ତ ଝରି ଜ୍ୱାଳା କରୁଥିଲା କ୍ଷତଟା ।

 

ସେଆଡ଼କୁ ନଜର ଦବାକୁ ସମୟ ନ ଥିଲା ଶେଫାଳିର ।

 

‘‘ରିକ୍‌ସାରେ ଯିବ ମା’...’’

 

‘‘ନା...’’

 

କହି କହି ବସ୍‌ଷ୍ଟାଣ୍ଡଆଡ଼କୁ ଅଗ୍ରସର ହେଲା ସେ । ସମ୍ମୁଖରେ ବସ୍‌ଷ୍ଟାଣ୍ଡ ।

 

କଟକ ବସ୍‌ ଛିଡ଼ା ହୋଇଥିଲା । ଯାତ୍ରୀମାନଙ୍କଦ୍ୱାରା ପୁରିଯାଇଥିଲା ବସ୍‌ଟି । ଭିଡ଼ମଧ୍ୟରେ ଆଗେଇ ଯାଇ ଭଲ କରି ପ୍ରତ୍ୟେକ ଯାତ୍ରୀଙ୍କୁ ନିରୀକ୍ଷଣ କଲା ଶେଫାଳି । ନା, ସେ ନାହାନ୍ତି ଏଠାରେ ।

 

ପାଖରେ ଦୁଇଟା ଚାହା ଦୋକନ । ଭିତରେ ପଶି ଦେଖିଆସିଲା ଶେଫାଳି ।

 

ଏଠାରେ ବି ସୈକତ ନାହିଁ ।

 

ତା’ହେଲେ ଗଲା କେଉଁଆଡ଼େ ?

 

ଛୋଟ ସହର । ସବୁ ଗଳିକନ୍ଦି, ବଜାର, ସିନେମା, ପାର୍କ, ରେସ୍ତୋରାଁ, ନଦୀକୂଳ ବୁଲି ଆସିଛି । କାହିଁ କେଉଁଠି ସୈକତର ସନ୍ଧାନ ପାଇନି ।

 

ଅସୀମ ଧୈର୍ଯ୍ୟ ଶେଫାଳିର । ତଥାପି ଆଖି ଭିଜି ଲୁହ ଦୁଇଟୋପା ଟଳମଳ ହେଉଥିଲା ଡୋଳା ତଳେ । ପାଦରେ ବଳ ନ ଥିଲା ଚାଲିବାପାଇଁ । ଦେହରେ ଅବସନ୍ନତା ଅନୁଭବ କରୁଥିଲା । ଆଉ ଅପେକ୍ଷା ନ କରି ସେଇପରି ଟଳି ଟଳି ଧୀରେ ଧୀରେ ଆଗେଇ ଗଲା ଶେଫାଳି-

 

କଚେରୀ-ମାର୍କେଟ-କଲେଜ ଛକ-

 

ସବୁ ପାରି ହୋଇ ଆଗ ମୋଡ଼ରେ ବାଟ ଭାଙ୍ଗିଲା ସେ ।

 

ଘରକୁ ଫେରିଯିବ ।

 

ଶୂନ୍ୟ ସଂସାର ଭିତରେ ଏକାକୀ ବସି ବସି ବା ଶୋଇ ମନଇଚ୍ଛା କାନ୍ଦିବ । ଠାକୁରଙ୍କ ପାଖରେ ଅଳି କରି ମଥା ପିଟିବ ଭୂଇଁ ଉପରେ ।

 

‘‘କିଏ ଶେଫାଳି...’’

 

ସାଇକେଲ୍‌ରେ ଚାଲି ଯାଉଁ ଯାଉଁ ଖୁବ୍ ଜୋର୍‌ରେ ବ୍ରେକ୍ ଦେଇ ଛିଡ଼ା ହୋଇଗଲା ଅମରେଶ ।

 

ଅନ୍ୟମନସ୍କ ହୋଇ ପଥ ଚାଲୁଥିଲା ଶେଫାଳି । ଅମରେଶର ପ୍ରଶ୍ନ ସେ ଶୁଣିପାରି ନ ଥିଲା । ଆଗେଇ ଯିବାର ଦେଖି ଅମରେଶ ପୁଣି କହିଲା-‘‘ଶେଫାଳି ଯେ...’’

 

ତା’ ମୁହଁକୁ ଚାହିଁ ବିସ୍ମିତ ହୋଇ ମୁହୂର୍ତ୍ତକ ପାଇଁ ଅନାଇ ରହିଲା ଶେଫାଳି । ଅତୀତର କେତେ ସ୍ମୃତି ଭାସିଗଲା ମନର ରୁପେଲି ପର୍ଦ୍ଦା ଉପରେ । ତା’ପରେ ନିଜକୁ ସଂଯତ କରି ନେଇ କହିଲା ଉତ୍ସାହହୀନ କଣ୍ଠରେ-‘‘ତୁମେ...’’

 

ମୁହଁ ଉପରେ ହସ ଖେଳାଇ କହିଲା ଅମରେଶ- ‘‘ହଠାତ୍ ଏଠି ମୋତେ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଛ ନା ? ସେଇଥିପାଇଁ ମୋର ପ୍ରଥମ ଡାକପ୍ରାୟ ଶୁଣି ବି ପାରିଲନି ।’’

 

ନିଜର ଅନ୍ୟମନସ୍କତା ପାଇଁ ଟିକିଏ ଲାଜେଇଗଲା ଶେଫାଳି । ତା’ପରେ ଧୀରେ ଧୀରେ କହିଲା- ‘‘କେବେ ଆସିଛ ? ଅଛ କେଉଁଠି ? ସବୁ ଭଲ ତ ?’’

 

‘‘ବଦଳି ହୋଇ ପଅରଦିନ ଆସିଛି ବାରିପଦା । କାଲି ଜଏନ୍ କରିଛି କଲେଜରେ । ଏଇ ପାଖରେ ଗୋଟିଏ ଭଡ଼ାଘରେ ରହିଯାଇଛି ଆପାତତଃ କଲେଜ କ୍ୱାଟର ମିଳିବା ଯାଏ ।’’

 

ଅମରେଶ ବିଶେଷ ବଦଳି ଯାଇନାହିଁ । ପୂର୍ବପରି ପ୍ରଗଳ୍ଭ, ହସ ହସ ।

 

‘‘-ଭାଉଜ ଆସିଛନ୍ତି ?’’

 

ନିରୁତ୍ତାପ କଣ୍ଠରେ ପଚାରିଲା ଶେଫାଳି ।

 

ଆଶ୍ଚର୍ଯ୍ୟ ହୋଇ ଲକ୍ଷ୍ୟକଲା ଅମରେଶ ତା’ ସ୍ୱରର ଅବସାଦ ଟିକକୁ ।

 

‘‘-ମୁଁ ସେଇ ଏକା ରହିଯାଇଛି ଶେଫାଳି ।’’

 

‘‘ଏକା ରହିଯାଇଛ ?’’ କହୁଁକହୁଁ କହି ନ ପାରି ସ୍ୱଗତୋକ୍ତି କଲା ଶେଫାଳି । ତା’ରି ପାଇଁ ଶେଷରେ ତା’ ହେଲେ ଏକା ରହିଗଲା ଅମରେଶ; ଅଥଚ ସେ ବୋହୂହୋଇ ମଧ୍ୟ ଏକା ଜୀବନ-ଯନ୍ତ୍ରଣାରେ ଅସ୍ଥିର । ଭଦ୍ରତା ଭିତରେ ଅମରେଶର ଶ୍ଳେଷଟିକକ ବେଶ୍ ବୁଝିପାରିଲା ସେ ।

 

ତାକୁ ନୀରବ ଦେଖି ପଚାରିଲା ଅମରେଶ- ‘‘ତୁମ ବସା କେଉଁଠି ଯେ ?’’

 

‘‘-ହଁ, ଏଇ ରାସ୍ତାର ଶେଷରେ । ଡାହାଣ ପାଖର ଛୋଟପକ୍କା ଘରଟା ।’’

 

‘‘ସେତିକି ବାବୁ ଭାଗ୍ୟବାନ୍ । ବଦଳି ନ ହୋଇ ଏଇଠି ରହିଯାଇଛନ୍ତି ବହୁଦିନ ହେଲା-।’’

 

କହିଲା ଅମରେଶ ।

 

ଆଉ ଛିଡ଼ାହୋଇ ପାରୁ ନ ଥିଲା ଶେଫାଳି । ପାଦରେ ସମଗ୍ର ପୃଥିବୀର ଶ୍ରାନ୍ତି । ଦେହରେ ଥଳକୂଳ ନ ଥିବା ଅସରନ୍ତି ଶିଥିଳତା ।

 

ଅମରେଶ ବଦଳି ଯାଇନାହିଁ; ଅଥଚ ସେ କେତେ ବଦଳିଯାଇଛି । ଦୀର୍ଘ ସାତ ବର୍ଷର ବ୍ୟବଧାନ ପରେ ଆଜି ପ୍ରଥମ ସାକ୍ଷାତ୍ ଅମରେଶ ସହିତ । ଆଜି ବି ଚାହିଁଲେ ତାକୁ ସାହାଯ୍ୟ କରିବାପାଇଁ ଆଗେଇ ଆସିବ କୁଣ୍ଠା ନ କରି । ସମାଜର ଶାସନ, ସାଙ୍ଗ ସାଥୀମାନଙ୍କର ପ୍ରତିବାଦ କେହି ତାକୁ ରୋକିଦେଇ ପାରିବେନି । ଅମରେଶ ଯଦି ସାହାଯ୍ୟ କରିପାରନ୍ତା...ସୈକତକୁ ସନ୍ଧାନ କରିବାରେ ଯଦି ତା’ର ସହାୟ ହୋଇପାରନ୍ତା...

 

ରାସ୍ତା ଉପରେ ଛିଡ଼ାହୋଇ ଏପରି ଭାବରେ କଥା କୁହାଯାଏନା । ଅମରେଶକୁ ତା’ ସଙ୍ଗରେ ଆସିବା ପାଇଁ କହିଲା ଶେଫାଳି । ଦୁହେଁ ଆଗେଇ ଚାଲିଲେ ଗଳିରାସ୍ତା ଉପରେ । ଏଇ ଆଗରେ ସୈକତର ବସା । ସୈକତ ଇନ୍‌କମ ଟିକସ ବିଭାଗରେ ଇନ୍ସପେକଟର । ଶେଫାଳି ଶିକ୍ଷୟିତ୍ରୀ ସ୍ଥାନୀୟ ବାଳିକା ବିଦ୍ୟାଳୟରେ ।

 

‘‘ଦୁଆରେ ତାଲା ଦେଇଛ ଯେ ।’’

 

ପ୍ରଶ୍ନରେ ବିସ୍ମୟ ଅମରେଶର ।

 

‘‘ଏଇମିତି ଅନେକ ଦିନ ତାଲା ପଡ଼େ ଦୁଆରେ ।’’

 

ବହୁ କଷ୍ଟକରି ଉଦ୍‌ଗତ କୋହକୁ ଚାପିରଖି କମ୍ପିତ କଣ୍ଠରେ କହିଲା ଶେଫାଳି । ବିସ୍ମୟ ବିମୂଢ଼ ଅମରେଶ କିଛି ନ ବୁଝି ତାଲା ଖୋଲିବା ସଙ୍ଗେ ସଙ୍ଗେ ସାଇକେଲଟିକୁ ଉପରକୁ ଉଠାଇ ଦିଆସିଲି କାଠି ଗୋଟିଏ ଜାଳି ଶେଫାଳିକୁ ବତି ଜାଳିବାରେ ସାହାଯ୍ୟ କଲା ।

 

ବତି ଲଗାଇଲା ଶେଫାଳି । ଝରକା ଖୋଲିଦେଇ ବସିବା ଘରେ ନେଇ ବସାଇଲା ଅମରେଶକୁ ।

 

ବସିବା ଘରର ଗୋଟିଏ କୋଣରେ ସାଗରର ତିନିଚକିଆ ସାଇକଲଟା ପଡ଼ି ରହିଥିଲା ଯତ୍ନ ଅଭାବରୁ । କାନ୍ଥରେ ସୈକତ, ଶେଫାଳି, ଶୋଭନ ଏବଂ ସାଗରର ଗୋଟିଏ ପାରିବାରିକ ଗ୍ରୁପ୍‌ ଫଟୋ । ସାଗରର ଛୋଟ ମୁହଁଟିରୁ ମିଠା ହସ ଉପୁଚି ପଡ଼ୁଛି ।

 

‘‘ଚମତ୍କାର ।’’

 

‘‘କ’ଣ ଚମତ୍କାର ଦେଖିଲ ଅମରେଶ ।’’

 

‘‘ଏଇ ତୁମ ବଡ଼ ଆଉ ସାନ ପୁଅନା ?’’

 

ଫଟୋର ନିର୍ଦ୍ଦିଷ୍ଟ ସ୍ଥାନରେ ଅଙ୍ଗୁଳି ନିର୍ଦ୍ଦେଶ କରି ପଚାରିଲେ ଅମରେଶ ।

 

‘‘ହଁ...’’

 

‘‘କି ସୁନ୍ଦର ! ହସଟିକକରେ ମହୁ ବୋଳାହୋଇଛି ଯେପରି ।’’

 

ଆଉ ଶୁଣିବା ପାଇଁ ଧୈର୍ଯ୍ୟ ନ ଥିଲା ଶେଫାଳିର । ସେ କଇଁ କଇଁ ହୋଇ କାନ୍ଦି ଉଠିଲା ଶିଶୁପରି ।

 

ବିସ୍ମୟ-ବିମୂଢ଼ ଅମରେଶ କଅଣ କରିବ କିଛି ବୁଝି ନ ପାରି କେବଳ ବିସ୍ଫାରିତ ନୟନରେ ଅନ୍ତରଭରା ସହାନୁଭୂତି ନେଇ ଅନାଇ ରହିଲା ଚୌକି ଉପରେ ଲୋଟିପଡ଼ିଥିବା କ୍ରନ୍ଦନରତା ଶେଫାଳିକୁ ।

 

କିଛି ସମୟ ଅତିବାହିତ ହେଇଗଲା । ଆହତ ମନକୁ ଅଶ୍ରୁଦ୍ୱାରା ଧୋଇ ଦେଇ ଟିକିଏ ଦମ୍ ନେଲା ଶେଫାଳି । ତା’ ପରେ ଧୀରେ ଧୀରେ କହିଲା-‘‘ମୁଁ ବଡ଼ଦୁଃଖିନୀ ଅମରେଶ !’’

 

ପୁଣି ଆଖିରୁ ଲୁହ ଝରିଲା । ପୁଣି କୋହ ଉଠିଲା ଶେଫାଳିର ।

 

‘‘କଅଣ ହୋଇଛି ଶିପା...’’

 

ଶିପା ନାମ ଅତି ଆଦର କରି ଦେଇଥିଲା ଅମରେଶ । ସେତେବେଳେ ସେମାନେ ସୁନୀଳ ଆକାଶର ବିପୁଳ ବକ୍ଷରେ ମୁକ୍ତ ବିହଙ୍ଗର ଆଶା ନେଇ ଉଡ଼ିଯାଉଥିଲେ ଦିଗରୁ ଦିଗନ୍ତକୁ ନୀଡ଼ ରଚନା କରିବାର ସ୍ୱପ୍ନ ଦେଖି ଦେଖି ।

 

‘‘ନା, ନା, ନା । ମୋତେ ସେ ନାମରେ ଆଉ ଡାକନା ଅମରେଶ ! ମୁଁ ଯେ ଆଉ ସହ୍ୟ କରିପାରୁନି ।’’

 

ଆହତ ଅମରେଶ ସଙ୍କୁଚିତ ହୋଇଗଲା । କଅଣ କରିବ ବା କହିବ କିଛି ସ୍ଥିର କରି ନ ପାରି ଅବୋଧ ଶିଶୁ ତା’ ଶୋକ-ଜର୍ଜରିତ ଜନନୀକୁ ସ୍ପର୍ଶ ଦେଇ ପ୍ରବୋଧ ଦେଲାପରି, ଆଳୁଲାୟିତ ଶେଫାଳିର ମଥା ଉପରେ ହାତ ରଖିଲା ଯାଇ । ସମ୍ବେଦନଶୀଳତାର ସଞ୍ଚରିତ ସ୍ପର୍ଶରେ ସର୍ବାଙ୍ଗରେ ନୂତନ ଚେତନା ଅନୁଭବ କଲା ଶେଫାଳି ।

 

ସେଇପରି ଅମରେଶର ଅଯାଚିତ ସାନ୍ନଧ୍ୟ ପାଖରେ କିଛି ସମୟ ଧରାଦେଇ ପୁଣି କହିଲା ଉଠି ଶେଫାଳି-

 

‘‘ମୋ କଥା ଟିକେ ଶୁଣିବ ଅମରେଶ ?’’

 

‘‘ସେଇଥିପାଇଁ ତ ଆସିଲି ଶେଫାଳି !’’

 

‘‘ବସ !’’

 

ବସିଲା ଅମରେଶ । ଟିକିଏ ବ୍ୟବଧାନ ରକ୍ଷାକରି ବସିଲା ଶେଫାଳି ।

 

‘‘ଶୋଭନ ସ୍କୁଲରେ । ସାଗର ପୋଲିଓ ହସ୍ପିଟାଲରେ । ଗାଆଁରେ ମା’ ଯକ୍ଷ୍ମା ଭୋଗୁଛି । ବାପା ଯାହା ରଖି ଯାଇଥିଲେ, ସବୁ ପ୍ରାୟ ଶେଷ ହୋଇ ଆସିଛି । ସୈକତ ମସ୍ତିଷ୍କବିକୃତି ଯୋଗୁ ସକାଳଠାରୁ ନିଖୋଜ । ମୋର ସମସ୍ତ ଅନୁସନ୍ଧାନ ବ୍ୟର୍ଥ ହୋଇଛି...।’’

 

ପ୍ରତ୍ୟେକ ଶବ୍ଦରୁ ଝରିପଡ଼ୁଥିଲା କ୍ଷତବିକ୍ଷତ ଜୀବନର ଅଶ୍ରୁଳ କାହାଣୀ ।

 

ନିର୍ବାକ ନିରୁତ୍ତର ଅମରେଶ କେବଳ ଶୁଣିଯାଉଥିଲା । ପୃଥିବୀରେ ଏତେ ଦୁଃଖ ! ଏତେ କଷ୍ଟ ! ! ସବୁ କ’ଣ ଶେଫାଳି ଉପରେ ଲଦିଦେଇ ଅନ୍ୟମାନଙ୍କୁ ଆନନ୍ଦରେ ବାଟ ଚାଲିବାପାଇଁ ଛାଡ଼ି ଦେଇଛନ୍ତି ଭଗବାନ ! ଅନ୍ତର ଭିତରଟା ହାୟ ହାୟ କରି ଉଠିଲା ଅମରେଶର-

 

କିନ୍ତୁ କାଳ ବିଳମ୍ବ ନ କରି କହିଲା- ‘‘ତୁମେ ତାଙ୍କୁ ଖୋଜିବାପାଇଁ ଯାଇଥିଲ ପରା ?’’

 

‘‘ହଁ’’

 

‘‘ତା’ ହେଲେ ତ ଆଉ ବିଳମ୍ବ ନ କରିବା ଉଚିତ ଶିପା । ରାତିର ଶେଷ ଗାଡ଼ି ଏଇ ଦଶଟାରେ । ମୁଁ ଥରେ ଷ୍ଟେସନଆଡ଼ୁ ଦେଖିଆସେ ।’’

 

‘‘ମୁଁ ଯାଇଥିଲି ସେଆଡ଼େ; କିନ୍ତୁ ସନ୍ଧାନ ପାଇନି ।’’

 

‘‘ଆଉଥରେ ଚେଷ୍ଟାକରି ଦେଖେ । ତୁମେ ଟିକିଏ ବିଶ୍ରାମ କର । ଶାନ୍ତ ହୁଅ । ବରଂ ଭଗବାନଙ୍କୁ ଡାକ...ଯଦି ତୁମର କିଛି ସୁକୃତି ଥାଏ...ଯଦି ସେ ଶୁଣନ୍ତି !’’

 

କମ୍ପନ ଜାଗୁଥିଲା ଅମରେଶର କଣ୍ଠରେ- ବିଷାଦ, ସମ୍ବେଦନ ଏବଂ ଅଭିମାନର କମ୍ପନ-

 

ଯେଉଁ ଅମରେଶ ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ ସର୍ବଦା ବୀତସ୍ଫୃହ, ଆଜି ତା’ର ସମସ୍ତ ବିଶ୍ୱାସ ବଦଳି ଯାଉଛି । ଆଶ୍ଚର୍ଯ୍ୟ ହୋଇ ତା’ଆଡ଼କୁ ଅନାଇ ରହିଲା ଶେଫାଳି ।

 

ସାଇକଲଟିକୁ ତଳକୁ ଓହ୍ଲାଇ ତା’ଉପରେ ବସିବା ପୂର୍ବରୁ, ଦ୍ୱାର ସାମ୍ନାରେ ହସ୍ପିଟାଲର ଆମ୍ବୁଲାନ୍‌ସ ଗାଡ଼ିଟି ଛିଡ଼ାହେଲା ଆସି ।

 

ଆଗକୁ ନ ଯାଇ ଅପେକ୍ଷା କଲା ଅମରେଶ । ବନ୍ଦକରି ଆଣୁଥିବା ଦରଜା ପୁଣି ଖୋଲି ଦେଇ ଆଗେଇ ଆସିଲା ଶେଫାଳି ।

 

‘‘କିଏ ?’’

 

‘‘ଥାନା ବାବୁଙ୍କୁ ଆପଣ ଖବର ଦେଇଥିଲେ ମା’ ?

 

ଜଣେ କନେଷ୍ଟବଳ ଆମ୍ବୁଲାନ୍‌ସ ଭିତରୁ ଓହ୍ଲାଇ ଆସୁ ଆସୁ କହିଲା ଶେଫାଳିକୁ ଲକ୍ଷ୍ୟକରି ।

 

‘‘ହଁ, ସେ ତ ସକାଳର କଥା । କିଛି ଖବର ପାଇଲେ ବାବୁ ?’’

 

‘‘ହଁ ମା’, ଆପଣ ଭିତରକୁ ଚାଲନ୍ତୁ ।’’

 

ଅସ୍ୱାଭାବିକ ବିଷର୍ଣ୍ଣତା ମୁହଁ ଉପରେ ଖେଳାଇ କହିଲା କନେଷ୍ଟବଳ ଜଣକ ।

 

ଆଗେଇ ଆସି ଶେଫାଳିର ଗୋଟିଏ ହାତକୁ ଧରି ଘର ଭିତରକୁ ପଥ କଢ଼ାଇ ନେଇଗଲା ଅମରେଶ ।

 

ପଛପଟୁ ସୈକତର ମୃତ ଦେହଟିକୁ ଷ୍ଟ୍ରେଚରରେ ବାହାର କରି ଆଣି ବସିବା କୋଠରି ଭିତରେ ନେଇ ରଖିଲେ ଆମ୍ବୁଲାନ୍‌ସର ଲୋକ କେଇଜଣ ।

 

‘‘ଆକ୍‌ସିଡ଼େଣ୍ଟ ମା’ ! ଗୋଟିଏ ଚଳନ୍ତା ଟ୍ରକ ସାମ୍ନାରେ...’’

 

ଆଉ କହିପାରିଲା ନାହିଁ ଲୋକଟି । ଖନି ବାଜିଗଲା ତୁଣ୍ଡରେ । ବିଦାୟ ନେଇ ଚାଲିଗଲେ ସେମାନେ ।

 

ନିର୍ବାକ୍ ନିଷ୍ପନ୍ଦ ଶେଫାଳି କଥା କହିପାରିଲା ନାହିଁ । ଦଉଡ଼ି ଯାଇ ସୈକତର ନିଷ୍ପ୍ରାଣ ଶରୀରଟିକୁ କୋଳ ଉପରକୁ ଉଠାଇ ନେଇ ଲୋଟି ପଡ଼ିଲା ଶୋକରେ- କେବଳ ପ୍ରାଣହୀନ ପଥର ପରି ନିର୍ବେଦ ଭାବରେ ଛିଡ଼ାହୋଇ ରହିଲା ଅମରେଶ ।

 

ତାକୁ ନିଜର ପ୍ରଶସ୍ତ ବକ୍ଷ ଉପରେ ପରମ ସ୍ନେହରେ ଆଉଯାଇ ନଉଁ ନଉଁ ବାଷ୍ପ ଗଦ୍‌ଗଦ କଣ୍ଠରେ କହିଲା ଅମରେଶ-

 

‘‘ପଥର ପରି ଛିଡ଼ାହୋଇ ରୁହନା ଶିପା । କାନ୍ଦ...କାନ୍ଦ । ଟିକିଏ...ତୁମର ଅଶ୍ରୁଧାର ବୋହିଯାଉ ଶ୍ରାବଣର ଧାରାପରି...’’

 

କାନ୍ଦ ଶିପା କାନ୍ଦ...

 

ଅମରେଶ ପାଖରୁ ଘୁଞ୍ଚିଆସି କାନ୍ଥରେ ଝୁଲୁଥିବା କ୍ୟାଲେଣ୍ଡରର ଭଗବାନଙ୍କ ତ୍ରିମୂର୍ତ୍ତି ରୂପକୁ ଅନାଇ ନତଜାନୁ ହୋଇ ଚଟାଣ ଉପରେ ବାରମ୍ବାର ମଥା ପିଟି ପିଟି ଆକୁଳ ଆବେଗରେ ଚିତ୍କାର କରି କରି ପାଗଳିନୀ ପରି ଗୋଟିଏ କଥାକୁ ବାରମ୍ବାର ପଚାରିଲା ଶେଫାଳି- କୁହ ଭଗବାନ...କୁହ । ଆଉ କଅଣ ନବ ମୋ’ଠାରୁ...ଆଉ କଅଣ ନବ ମୋଠାରୁ... ?

 

ସୈକତର ଶବ ଉପରେ ଅଶ୍ରୁ ଝରୁଥିଲା ଉପରୁ...ଅନ୍ତରୀକ୍ଷରୁ...ଚତୁର୍ଦ୍ଦିଗରୁ ।

Image

 

ଅସୁନ୍ଦର ଏହି ସୁନ୍ଦର ପୃଥିବୀ

 

ଈଶ୍ୱରଙ୍କ ଅନାଦି ସୃଷ୍ଟିର ମୂଳତତ୍ତ୍ୱ ସେ ପାଇଲେ ନାହିଁ ସତ; କିନ୍ତୁ ତାଙ୍କର ଏହି ସୁନ୍ଦର ପୃଥିବୀରେ ଏତେ ଅସୁନ୍ଦର ଆବର୍ଜନା ଆସି ଠୂଳହେଲା କିପରି, ଏହା ଭାବି ଭାବି ବିସ୍ମୟ ବିମୂଢ଼ ହୋଇଗଲା ଭୁବନ ।

 

ମଣିଷ ଏଡ଼େ ସୁନ୍ଦର ଉପଗ୍ରହଟିକୁ ବାସଭୂମି ଭାବରେ ବାଛି ନେଇଥିଲା କଅଣ ନିଜେ ଅସୁନ୍ଦର, ଅଶୋଭନୀୟ ହୋଇଯିବାପାଇଁ । ସେ ମାଙ୍କଡ଼ର ରୂପାନ୍ତର ମଧ୍ୟ ଦେଇ ଯଦି ଏକ ସଭ୍ୟ, ମାର୍ଜିତ ରୂପ ଗ୍ରହଣ କରିପାରିଲା, ତାହାହେଲେ ତା’ର ବ୍ୟବହାର ଓ ଆଚରଣରେ ଏତେ ଅଶ୍ଳୀଳତା ଆସିଲା କେଉଁଠୁ ।

 

କିଛି ଠିକ୍ କରିପାରିଲା ନାହିଁ ଭୁବନ । ମଥାଟା ଭାରି ଭାରି ଲାଗୁଥିଲା । ଗିଲାସେ ଥଣ୍ଡାପାଣି ପିଇଦେଇ ସପ ଉପରେ ଶୋଇପଡ଼ିଲା ଟିକିଏ ଆରାମ କରିବାପାଇଁ ।

 

ହାତରେ କାମ ନ ଥିଲା । ଖରାଦିନେ ହାତରେ କାମ ନ ଥାଏ ବେଶି । ବରଷା ହେଲେ ବିଲବାଡ଼ି କାମ ଆରମ୍ଭ ହୁଏ । ଏଯାଏ ବରଷା ହୋଇନାହିଁ । ତଥାପି ଚୁପ୍ ହୋଇ ନିଜ ଘର ଭିତରେ ବସିରହେ ନାହିଁ ଭୁବନ ନାୟକ । ଶଗଡ଼ ମରାମତି କରେ । କମାରଶାଳକୁ ଯାଇ କୋଡ଼ି, ଦାଆ ସବୁ ଧାରୁଆ କରି ଆଣେ । ବାରି ଭିତରେ ଲେଉଟିଆ ଶାଗର ପଟାଳି ଉପରେ କୂଅରୁ ପାଣି ଉଠାଇ ଢାଳେ । ପୁଅ ଝିଅଙ୍କୁ ସନ୍ଧ୍ୟାବେଳେ ପାଖରେ ବସାଇ ପୁରାଣର ସେ ଗୋଟିଏ ଗୋଟିଏ କହେ ।

 

ଭୁବନ ନାୟକ ବେଶି ପାଠ ପଢ଼ି ନ ଥିଲା । ବର୍ଣ୍ଣବୋଧ ପରେ ସ୍କୁଲ ଶେଷ ହୋଇଥିଲେ ବି ଘରେ ବସି ବସି ରାମାୟଣ, ମହାଭାରତ, ଭାଗବତ ପଢ଼ିଥିଲା । ମଣିଷ ହୋଇ ଜନ୍ମ ହୋଇଛି ବୋଲି ଈଶ୍ୱରଙ୍କ ପାଖରେ କୃତଜ୍ଞତା ଜଣାଏ । ଯେଉଁ କେତେଦିନ ସଂସାରରେ ଅଛି, ଭଲ ମଣିଷ ହୋଇ ରହିବାପାଇଁ ଅଳି କରେ ତାଙ୍କର ପାଖରେ । ପୁଅ ଝିଅଙ୍କୁ ସନ୍ଧ୍ୟାବେଳେ ସପ୍ତର୍ଷି ମଣ୍ଡଳର ସାତ ଋଷିଙ୍କ ସହିତ ପରିଚୟ କରାଇଦେଇ, ସେମାନଙ୍କର ତ୍ୟାଗ, ନିଷ୍ଠା, ତପସ୍ୟା ଓ ସିଦ୍ଧିର କଥା କହେ ।

 

ସେଦିନ କଲେଜ ପଢ଼ୁଆ ମନମୋହନ ସହିତ ତୋଟା ଭିତରେ ଦେଖା ହୋଇଗଲା । ମନମୋହନ ବସ୍‌ରୁ ଓହ୍ଲାଇ ତୋଟାରେ ଅପେକ୍ଷା କରୁଥିଲା ଘରୁ କେହି ଆସିବ ବୋଲି ।

 

ଭୁବନ ପଚାରିଦେଲା-କେତେବେଳେ ଆସିଲ ମନବାବୁ ?

 

ମନମୋହନ କହିଲା- ଘଣ୍ଟାଏ ହେବ ବସିଲିଣି ଯେ ଘରୁ କେହି ଆସିବାର ଦେଖୁନି । ମୂଲିଆଟିଏ ବି ପଠାଇ ନାହାନ୍ତି, ଅଥଚ ତିନିଦିନ ଆଗରୁ ଚିଠି ଦେଇଥିଲି ସକାଳ ବସ୍‌ରେ ଆସିବି ବୋଲି ।

 

ମନମୋହନର ଅବସ୍ଥା ସହଜରେ ବୁଝିପାରିଲା ଭୁବନ ନାୟକ । ପାଠ ପଢ଼ୁଆ ପୁଅ । ପ୍ୟାଣ୍ଟ ଜାମା ଦେହରେ । ସୁଟ୍‌କେଶ ଆଉ ହାତବ୍ୟାଗ ଧରି ଗାଁ ଦାଣ୍ଡରେ ଚାଲିଯିବାପାଇଁ ଅସୁବିଧା ହେବ ।

 

ସେ କହିଲା- ଏଇଠି ବସି ଲାଭନାହିଁ । ମୁଁ ଧରୁଛି ସୁଟ୍‌କେଶ ଆଉ ହାତ ବ୍ୟାଗ ଚାଲ ।

 

ମନମୋହନର ଟିକିଏ ସଙ୍କୁଚିତ ହେଲା ପରି ମନେହେଲା; କିନ୍ତୁ ଭରସା ଦେଇ କହିଲା ଭୁବନ- ଲାଜ କଅଣ ଏଥିରେ ? ଜଗନ୍ନାଥ ଯେତେବେଳେ କାମ କରିବାପାଇଁ ଏଇ ଦୁଇଟି ହାତ ଦେଇଛନ୍ତି, ସେତେବେଳେ ତାକୁ ନିକମା କରି ରଖିବି କାହିଁକି ?

 

ହାତ ବଢ଼ାଇ ସୁଟ୍‌କେଶ୍ ଆଉ ହାଣ୍ଡବ୍ୟାଗ୍‌ଟିକୁ ଉଠାଇ ନେଇ କହିଲା ଭୁବନ-ଚାଲ ।

 

ଚାଲୁ ଚାଲୁ କହିଲା ସେ- ତମେ ସବୁ ପଢ଼ୁଆ ପିଲା । କାମ ତୁମକୁ ସୁହାଏ ନାହିଁ, ସାଜେ ବି ନାହିଁ । ପଙ୍ଖାତଳେ ବସିବ, କଲମ ଚଳାଇ ହୁକୁମ କରିବ ।

 

ମନମୋହନ ଉତ୍ସାହିତ ହୋଇ କହିଲା- କିନ୍ତୁ କଲେଜ, ସେଇତକ ସରକାର କରି ଦେଉନାହାନ୍ତି ବୋଲି ଦେଶରେ କେତେ ଅଶାନ୍ତି ଦେଖିପାରୁଥିବ ।

 

ଭୁବନ ଭଲ ଭାବରେ କଥାଟା ବୁଝିପାରିଲା ନାହିଁ । ସେ କହିଲା- ସରକାର ଆଉ ଏଥିପାଇଁ କଅଣ କରନ୍ତେ ଯେ...

 

ମନମୋହନ କହିଲା- କରିବାପାଇଁ ଅନେକ କିଛି ଅଛି କକେଇ ! ପାଠ ପଢ଼ିବାପାଇଁ କିଛି କରିଦେଲେ ତାଙ୍କର କର୍ତ୍ତବ୍ୟ ଶେଷ ହୋଇଗଲା ନାହିଁ । କଲେଜମାନଙ୍କରୁ ବାହାରକୁ ଆସିଥିବା ହଜାର ହଜାର ପିଲାମାନଙ୍କୁ କାମ ଦେବା ବି ସରକାରଙ୍କର କାମ ।

 

-କାମର ଅଭାବ କେବେ ହୁଏ ନାହିଁ ବାପ ! ଏତେ ବଡ଼ ଦେଶରେ ସମ୍ପଦ ରହିଛି, ଆମେ ଚାହିଁଲେ ସବୁ କରିପାରିବା ।

 

ମନମୋହନ ସ୍ୱର ଉଚ୍ଚ କରି କହିଲା- ସବୁତ ଲୁଟିନେଲେ କକେଇ ! ସମ୍ପଦ ଆଉ କାହିଁ ଯେ ଆମେ ସବୁ ଭୋଗ କରିବା ? ସେଇଥିପାଇଁ ପରା ଏତେ ଅସ୍ଥିରତା, ଏତେ ଆନ୍ଦୋଳନ ।

 

-ମୁଁ କିନ୍ତୁ ବୁଝିପାରୁନାହିଁ ବାପା ! ଏଇ ଜମିବାଡ଼ିରେ କାମ କଲେ, ପଡ଼ିଆ ଜମି ଉଠିଆ କଲେ, ବଣ ଜଙ୍ଗଲରେ ଲୁଚି ଛପି ପଡ଼ିରହିଥିବା ସମ୍ପଦକୁ କାମରେ ଲଗାଇଲେ ହଜାର ହଜାର କାମ ନଚଥିବା ହାତକୁ କାମ ଆସିବ, ରୋଜଗାରୁଚବଢ଼ିବ, ଲୋକେ ସୁଖୀ ହେବେ ।

 

-କିନ୍ତୁ ସବୁ ଲୋକ ତ ଆଉ ହାତରେ କାମ କରିବେ ନାହିଁ କକେଇ । ଯେଉଁମାନେ ଏତେ ପରିଶ୍ରମ କରି ସ୍କୁଲ କଲେଜରେ ପଢ଼ିଲେ, ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କଲେ, ସେମାନଙ୍କୁ ଯଦି ଅନ୍ୟ ସମସ୍ତଙ୍କ ସହିତ ଏକ କରି ଦିଆହୁଏ, ଏ ଦେଶ ଆହୁରି ପଚାଶ ବର୍ଷ ତଳକୁ ଚାଲିଯିବ ।

 

ଭୁବନ ନାୟକ ଯେପରି ନୂଆ କଥା ଶୁଣୁଥିଲା । ପାଠ ପଢ଼ିଲେ କାମ କରିବାର ନୂଆ ନୂଆ କୌଶଳ, ନୂଆ ବ୍ୟୁତ୍ପତ୍ତି ଆସେ ବୋଲି ଆଜିଯାଏ ସେ ଭାବି ଆସିଥିଲା ।

 

ସେ ଟିକିଏ ରହିଯାଇ କହିଲା- ଏତେ ପାଠପଢ଼ୁଆ ପିଲାଙ୍କୁ ସ୍ଥାନ ଦବାପାଇଁ ଅନେକ ଅଫିସ ଦରକାର ହେବ, କାଗଜ କଲମର ଆବଶ୍ୟକତା ରହିବ; କିନ୍ତୁ କାଗଜ କଲମରେ ତ ଉତ୍ପାଦନ ବଢ଼ିଯିବ ନାହିଁ ବାପା !

 

-କାଗଜ କଲମ ବ୍ୟବହାର କରିବାପାଇଁ ଯେଉଁମାନଙ୍କର ବୁଦ୍ଧି ଅଛି, ସେମାନେ ନୂଆ ନୂଆ ଯୋଜନା କରିବେ, କରିବାର କୌଶଳ ଲେଖି ଦେବେ, ଆଉ ଲୋକମାନଙ୍କୁ କାମରେ ଲଗାଇବାପାଇଁ ନିର୍ଦ୍ଦେଶ ଦେବେ ।

 

-ହଁ, ସତ ଯେ, କେବଳ ଅର୍ଡ଼ର ପାସ୍ କରିଦେଲେ ଚାଷ ହୋଇଯିବ ନାହିଁ କି କଳ ଚାଲିପାରିବ ନାହିଁ ବାପା ! ହାତ ମଇଳା ନ କଲେ ଉତ୍ପାଦନ ବଢ଼ିବ ନାହିଁ ।

 

ମନମୋହନ କଲେଜ ନିର୍ବାଚନରେ ଛିଡ଼ା ହେବାପାଇଁ ସିଦ୍ଧାନ୍ତ କରିଥିଲା । ସେଥିପାଇଁ ବକ୍ତୃତା ଦେବାର ଯେଉଁ କେତେକ କାଏଦା ଶିଖିଥିଲା, ସେଇଥିରୁ ଗୋଟେ ପ୍ରୟୋଗ କରି କହିଲା- ତୁମେ ଅନ୍ୟ କାହାରି କଥା ଶୁଣି ଏପରି କହୁଛ କକେଇ ! ସହରକୁ ଆସ ଦେଖିବ ଦେଶ କିପରି ଆଗଉଚି ।

 

ଭୁବନ ନାୟକ ସହରକୁ ଯେ ଯାଇନାହିଁ, ଏପରି ନୁହେଁ, ହେଲେ ସହରୀ ଜୀବନ ସହିତ ତା’ର ସମ୍ପର୍କ ନିବିଡ଼ ନୁହେଁ । ସହରବାଲାଙ୍କୁ ସେ ଭୟକରେ । ବାବୁଭାୟା, ବଡ଼ବଡ଼ିଆ ଲୋକ, ସଭ୍ୟ ଶିକ୍ଷିତ । ଆଉ ସେ ମଳିମୁଣ୍ଡିଆ ମଫସଲି, ଅସଭ୍ୟ, ଅଶିକ୍ଷିତ କଥା କହି ଜାଣେନାହିଁ । କୋଟ ପ୍ୟାଣ୍ଟ ଜୀବନରେ ପିନ୍ଧି ନାହିଁ । ସେଥିପାଇଁ ଯେଉଁମାନେ ଆଣ୍ଠୁଲୁଚା ଧୋତି ଆଉ ଜାମା ବା ଚାଦର ଖଣ୍ଡେ ଦେହରେ ପକାଇ ଅଦାଲତ ବା ଅଫିସ୍‌କୁ ଯାଆନ୍ତି, ଅନାଦର ଅବହେଳା ପାଇ ଫେରି ଆସନ୍ତି, ସେମାନଙ୍କୁ କେହି ଚିହ୍ନନ୍ତି ନାହିଁ, ସେମାନଙ୍କର ଆପତ୍ତି ଅଭିଯୋଗ କାହାରି କାନରେ ଶୁଭେ ନାହିଁ ।

 

ଭୁବନ ନାୟକ ନିଜକୁ ଅସହାୟ ମନେକରେ । ସେଇଥିପାଇଁ କହିଲା- ସେ କଥା ସତ ଯେ ବାପ, ହେଲେ ଆମ କଥା ବି ତ ବିଚାର କରିବ । କାମିକା ଲୋକ ନ ଥିଲେ ଦେଶ ବଞ୍ଚି ରହନ୍ତା ?

 

-ଆମେ କଅଣ କାମ କରନ୍ତୁ କକେଇ ? ପଚାରିଦେଲା ମନମୋହନ । ସହସା ଉତ୍ତର ଦେଇ ପାରିଲା ନାହିଁ ଭୁବନ ।

 

ଗାଁ ଦାଣ୍ଡରେ ଚାଲୁଥିଲେ ସେମାନେ । ମନମୋହନକୁ ଘରେ ପହଁଞ୍ଚାଇ ଦେଇ ଘରକୁ ଫେରି ଆସୁ ଆସୁ ଭାବିଲା ସେ, ସହର ଆଉ ମଫସଲ, ଶିକ୍ଷିତ ଆଉ ଅଶିକ୍ଷିତ ଭିତରେ ଏହି ମୌଳିକ ଫରକ୍‌ଟି ଆସିଲା କେଉଁଠୁ ? ଶିକ୍ଷା ଓ ସଭ୍ୟତା ସହିତ ବେକାର ରହିବାର ଗୌରବ, ଭେଜାଲ ଖାଇବାର ଆନନ୍ଦ ଜଡ଼ିତ ହୋଇଗଲା କିପରି ?

 

ଉତ୍ତର ଖୋଜିଖୋଜି କିନ୍ତୁ କିଛି ସ୍ଥିର କରି ପାରିଲାନାହିଁ ଭୁବନ । ସେ ମଫସଲି, ତା’ ମୁଣ୍ଡରେ ଏତେ ବୁଦ୍ଧି କାହିଁ ଯେ ସେ ଦେଶ କଥା ଭାବିବ, ଦଶଜଣଙ୍କ କଥା ବିଚାର କରିବ ।

 

ଆପଣା ହାତ ଜଗନ୍ନାଥ । ଏଇ ହାତ ଉପରେ ତା’ର ବିଶ୍ୱାସ । କରଣୀ ଚଳାଇ କାମ କରିଯିବାରେ ତା’ର ଆନନ୍ଦ । କାମକରା ମଣିଷର ବିଶ୍ୱାସ ଜଗନ୍ନାଥେ ତା’ କଥା ବୁଝିବେ, ଆଡ଼ନୟନରେ ଥରେ ତା’ ଆଡ଼କୁ ଚାହିଁବେ । ସେ ଧନ ସମ୍ପଦ ଚାହେଁ ନାହିଁ, ସେ ପ୍ରାର୍ଥନା କରେ ହାତେ ଶରଧା ବାଲି ପାଇଁ, ଟିକିଏ ସ୍ନେହ ମମତା ପାଇଁ ।

 

ମନମୋହନର କଥାରେ ମନଟା ଗୋଳେଇ ଘାଣ୍ଟିହେଲା, କିଛି ସୁଖ ଲାଗିଲା ନାହିଁ । କ୍ରମଶଃ ମନ ଭିତରେ ଗୋଟାଏ ଅସ୍ୱସ୍ତି, ଅସହାୟଭାବ ସ୍ଥାନ ଜମାଇବାକୁ ଲାଗିଲା ।

 

ସେ ଦିନ ସେ ସହରକୁ ଯାଇଥିଲା ଲୁଗା ଖରିଦ କରିବାପାଇଁ । ସୁନା ମାଆ ପାଇଁ ନାଲି କସ୍ତା ଖଣ୍ଡେ କିଣିବା ପାଇଁ ଯାଇ ଯେଉଁ ଅପଦସ୍ଥ ହୋଇଥିଲା ଭୁଲିଯାଇ ନ ଥିଲା ସେ । ରକମ ରକମର ଶାଢ଼ି ଦେଖାଇଥିଲା ଦୋକାନୀ । ଗୋଟିଏ ଅତି ପତଳା ଶାଢ଼ିକୁ ତା ଆଡ଼କୁ ଫିଙ୍ଗିଦେଇ କହିଲା ସେ- ଏଇ ଦେଖ- ନାଇଲନ୍ । ପିନ୍ଧିଲେ ରୂପ ଚହଟି ଉଠିବ ।

 

ହାତକୁ ଟାଣିନେଇ ଅବାକ୍ ହୋଇଗଲା ଭୁବନ । ତା’ ଆଙ୍ଗୁଳି ଉପରେ ଲୁଗା ଥିଲେ ବି ଆଙ୍ଗୁଳିର ସରୁ ଗାରଗୁଡ଼ିକ ବି ବାରିହୋଇ ଯାଉଛନ୍ତି । ଛି, ଛି, ଏତେ ପତଳା ଲୁଗା ପିନ୍ଧି ଶେଷରେ ଲଙ୍ଗଳା ପରି ବୁଲିବ ସୁନାମାଆ ।

 

ସେ କହିଥିଲା ସଙ୍କୋଚ କରି- ଖଣ୍ଡେ ଦେହଲୁଚା ଭଲ ଶାଢ଼ି ଦିଅ ଦୋକାନୀ । ଏ ଲୁଗାରେ ଦେହ ଲୁଚିବ ନାହିଁ, ଲଜ୍ଜା ନିବାରଣ ହବନାହିଁ ।

 

ତା କଥା ଶୁଣି କେବଳ ଦୋକାନୀ ନୁହେଁ, ପାଖରେ ଦୁଇ ତିନିଜଣ ଗରାଖ ବି ହସି ଉଠିଲେ ଜୋର୍‌ରେ ।

 

ନିପଟ ମଫସଲିଆ...

 

ଗାଉଁଲିଆଟାଏ...

 

ଅଶିକ୍ଷିତ...

 

କେତେ ମନ୍ତବ୍ୟ ଭାସିଆସିଲା ବିଭିନ୍ନ ସ୍ଥାନରୁ । କୌଣସି ଆଡ଼କୁ ଚାହିଁପାରିଲା ନାହିଁ ଭୁବନ ।

 

ତର ତର ହୋଇ ଦୋକାନ ଭିତରୁ ଅପମାନିତ ହୋଇ ତଳକୁ ମୁହଁକରି ବାହାରି ଆସୁଥିଲାବେଳେ ଜଣେ ଝିଅ ସହିତ ପ୍ରାୟ ଧକ୍କା ଲାଗିଯାଇଥିଲା କହିଲେ ଚଳେ । ଝିଅଟି ଘୃଣା ଭରା ସ୍ୱରରେ କହିଲା- ଇସ୍‌ କି ନାଷ୍ଟି, ରାସ୍ତା ଦେଖାଯାଉନି ?

 

କଥାର ଅର୍ଥ ବୁଝି ନ ପାରିଲେ ବି ସ୍ୱରର ଅର୍ଥ ବୁଝିପାରିଲା ଭୁବନ । ଆଡ଼ହୋଇ ଯାଉଁ ଯାଉଁ ଆଡ଼ ନୟନରେ ଦେଖି ନେଇ ସ୍ତମ୍ଭିତ ହୋଇ ଛିଡ଼ା ହୋଇଗଲା ସେ ।

 

ବସନ ଭିତରେ ଫୁଟି ଉଠୁଥିଲା ଝିଅର ଅଙ୍ଗ ପ୍ରତ୍ୟଙ୍ଗ । ଦେହର ରୂପ କାନ୍ତିକୁ ଅନ୍ୟ ଆଖିରୁ ଲୁଚାଇବା ପାଇଁ ନୁହେଁ, ଅନ୍ୟ ଆଗରେ ଖୋଲି ଦେବାପାଇଁ ଥିଲା ଅବ୍ୟର୍ଥ ଉଦ୍ୟମ । ଦେହଟା ଶୀତେଇ ଉଠିଲା ଭୁବନର ।

 

ଝିଅ ବୋହୂମାନେ ଏଇପରି ବେଶଭୂଷା ହୋଇ ବାଟ ଚାଲିଲେ ଆମକୁ କଅଣ ସଭ୍ୟ ବୋଲି କହିବେ ?

 

ତାକୁ ଭୋକ ଲାଗୁଥିଲା, ଶୋଷ ବି କରୁଥିଲା ।

 

ସବୁ ଖାଇବା ଦୋକାନ ବାହାରେ ଚୌକି ଆଉ ବେଞ୍ଚ ପଡ଼ିଥିଲା । ସାହସ କରି ବସିଯାଇ ପାରିଲା ନାହିଁ ଭୁବନ । ଛିଡ଼ାହୋଇ ମିଠେଇ ଖଣ୍ଡେ ପାଟିରେ ପୁରାଇ ପାଣି ଗିଲାସେ ପିଇଲା । ପଇସା ଦେଇ ଫେରି ଗଲାବେଳେ ସ୍କୁଲ ଆଗରେ ଦଳେ ପିଲା ରୁଣ୍ଡ ହୋଇ ପାଟି କରୁଥିବାର ଦେଖିଲା । କାହାକୁ ଗାଳିଗୁଳଜ କରୁଥିଲେ ଜାଣିବାପାଇଁ ଆଗ୍ରହ ହେଲା । ପାଖରେ ପହଞ୍ଚିବା ପରେ ତା’ର ମଫସଲ ବୁଦ୍ଧିରେ ମଧ୍ୟ ସହଜରେ କଥାଟି ବୁଝିପାରି ଥକ୍କା ହୋଇ ଛିଡ଼ା ହୋଇଗଲା ସେ ।

 

ସ୍କୁଲ ଭିତରେ ପରୀକ୍ଷା ଚାଲୁଥିଲା, ବାହାରୁ ଦଳେ ପିଲା ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଶ୍ନର ଉତ୍ତର ବଡ଼ପାଟିରେ କହିଦେଉଥିଲେ ।

 

ଏହି ତା’ହେଲେ ପରୀକ୍ଷା !

 

ମୁନା ତା’ହେଲେ ଇସ୍କୁଲରେ ପଢ଼ି ଏଇପରି ପରୀକ୍ଷା ଦେବ !

 

ମନମୋହନ ଏହିପରି ପାସ୍‌କରି ତା’ହେଲେ ବଡ଼ ହେବାକୁ ଯାଉଛି !

 

ସେମାନଙ୍କୁ କିଛି କହିବାପାଇଁ ଇଚ୍ଛାହୋଇଥିଲା ଭୁବନର; କିନ୍ତୁ ସାହସ କରିପାରିଲାନାହିଁ । ହତାଶ୍‌ ହୋଇ ଫେରିଆସିଲା ।

 

ଆଜି ସପ ଉପରେ ଶୋଇ ଗୋଟି ଗୋଟି କରି ସବୁ କଥା ଭାବୁଥିଲା; ମଣିଷର ପରିବର୍ତ୍ତିତ ସ୍ୱରୂପକୁ ଭଲ ଭାବରେ ନିରୀକ୍ଷଣ କରୁଥିଲା ।

 

ଏଇ ତା’ହେଲେ ଆଧୁନିକ ସଭ୍ୟ ଶିକ୍ଷିତ ସମାଜ ।

 

କାମ ନ କରି ଫଳ ପାଇବାପାଇଁ, ସାଧନା ନ କରି ସିଦ୍ଧି ଲାଭପାଇଁ, ଉପରେ ସଭ୍ୟହେଲେ ଭିତରେ ଅସଭ୍ୟ, ଅଶୋଭନୀୟ ହବାପାଇଁ ଯେଉଁ ଉଦ୍ୟମ ଚାଲିଛି, ତାହାହିଁ ତା’ହେଲେ ଆଧୁନିକ ଜୀବନରେ ମୂଳଦୁଆ ।

 

ମୁନା ଇସ୍କୁଲରୁ ଫେରି ବହିପତ୍ର ରଖିଦେଇ ମାଆ ପାଖକୁ ଦୌଡ଼ିଯାଇ କହିଲା- ଦେଖିଲୁ ଦେଖିଲୁ ମାଆ, ଆମ କ୍ଳାସର ରତନ ସହରକୁ ଯାଇଥିଲା ଯେ, ମୋ ପାଇଁ ଖଣ୍ଡେ କିମିତି ସୁନ୍ଦର କାଲେଣ୍ଡର ଆଣିଦେଇଛି ।

 

ମୁନା ମାଆ କାଲେଣ୍ଡର ଜୀବନରେ କେବେହେଲେ ଦେଖି ନ ଥିଲା । ସେ ଚାହିଁଦେଇ ଖୁସି ହୋଇଯାଇ କହିଲା- ବଡ଼ ସୁନ୍ଦର ଛବିଟିଏ ତ ! ସୀତା କି ସାବିତ୍ରୀ ହୋଇଥିବେ । ବାପାଙ୍କୁ କହ ଫଟ ବନ୍ଧାଇ ଦେବେ ।

 

କାନରେ ପଡ଼ୁଥିଲା ସବୁକଥା ଭୁବନର । ସେ କହିଲା- କି କାଲେଣ୍ଡର ଆଣିଛୁ କିରେ ମୁନା !

 

ମୁନା ମାଆ ସହିତ ପାଖକୁ ଯାଇ ବାପ ହାତକୁ ବଢ଼ାଇ ଦେଲା କାଲେଣ୍ଡରଟି ।

 

ପଲକରେ ସେଇ ଛବିଟିକୁ ଦେଖି କହିଉଠିଲା ଭୁବନ- ଶେଷରେ ଏଇ ଫଟୋଟାକୁ ବାନ୍ଧି ଘରେ ଟାଙ୍ଗିବ ମୁନା ମାଆ ?

 

କହିବାବେଳେ ରାଗରେ ଥରୁଥିଲା ଭୁବନ । ସେଇ ସୁନ୍ଦର କାଲେଣ୍ଡରଟା ତା’ ହାତରୁ ମୁନା ମାଆ ନେଇଯିବା ଆଗରୁ ସେ ତାକୁ ଛିଣ୍ଡାଇ ଟିକି ଟିକି କରି ଫିଙ୍ଗି ଦେଲା ।

 

ମୁନାର ଆଖିରେ ପାଣି । ସେ କିଛି ବୁଝି ନ ପାରି କଅଣ ଦୋଷ କଲା ବୋଲି ମୁହଁ ତଳକୁ କରି ଥକ୍କା ହୋଇ ଛିଡ଼ା ହୋଇ ରହିଥିଲା ।

 

ଛିଣ୍ଡା କାଗଜ ପଡ଼ିରହିଲା ଚାରିଆଡ଼େ ।

 

ଟିକିଏ ପରେ ଧୀରେ ଧୀରେ କହିଲା ଭୁବନ- ସିନେମା ଛବି; ସୀତା କି ସାବିତ୍ରୀର ନୁହଁରେ ! ଇସ୍‌ କି ଅସୁନ୍ଦର, ଅଶ୍ଳୀଳ ଆଉ ଅଶୋଭନୀୟ !

 

ଇଏ କି ସଭ୍ୟତା !

 

ଖତେଇ ହେଲା ପରି କହିଲା ଭୁବନ ।

 

କିଛି ବୁଝି ନ ପାରି ଧୀରେ ଧୀରେ ପୁଅକୁ ସାଙ୍ଗରେ ନେଇ ସେଠାରୁ ଚାଲିଗଲେ ମୁନା ମାଆ ।

Image

 

ଅପରାଜିତ

 

ନଦୀ ସେପାରିର ଶ୍ମଶାନ ପାଖରୁ ବିଲୁଆ ଡାକିଲା ହୁକେ ହୋ...

 

ଡରିଗଲା ନାହିଁ ଅଭିଜିତ୍ । ବହୁଦିନ ପରେ ଗାଆଁକୁ ଫେରୁଛି ବିଦେଶରୁ । ନଦୀ ପାର ହୋଇ ସେ ପାଖକୁ ଯିବାପାଇଁ ହେବ । ସେଇ ପାଖରେ ଗାଆଁ । ଏ ପାଖରେ ରେଳ ଷ୍ଟେସନ । ଛୋଟ ନଦୀ । ବର୍ଷାଦିନେ ଅସୁବିଧା ହୁଏ ଯିବା ଆସିବା କରିବାପାଇଁ । ବେଶି ପାଣି ହେଲେ ନାଆ ଲାଗେ, ନ ହେଲେ ପାଦରେ ଚାଲି ଚାଲି ମାଇଲିଏ ବାଟ ଅତିକ୍ରମ କରିବାକୁ ହୁଏ । ଗୋଷ୍ଠୀ ବିକାଶ ଯୋଜନା ଆରମ୍ଭ ହବା ପରେ ଷ୍ଟେସନରୁ ଗାଆଁଯାଏ କେବଳ ନଦୀକୁ ବାଦ୍ଦେଇ ଗୋଟିଏ ଅଣଓସାରିଆ ମାଟିସଡ଼କ ପଡ଼ିଛି । ଆଗେ ବେଶି କାଦୁଅ ହେଉଥିଲା, ଗତବର୍ଷ ଗୋଡ଼ି ପଡ଼ିଛି; ଆଉ କାଦୁଅ ହୁଏ ନାହିଁ ।

 

ନୂଆ ରାସ୍ତା ଦେଖି ଖୁସି ହେଲା ଅଭିଜତ୍ । ବାଃ, ବେଶ୍ ସଡ଼କଟିଏ ତ ! ଗାଆଁକୁ ଆସିବାପାଇଁ ଆଉ କଷ୍ଟ କରିବାକୁ ପଡ଼ିବ ନାହିଁ । ସାଇକଲର ଚକ ଘୂରିଲେ ସାଙ୍ଗେ ସାଙ୍ଗେ ପାରି ହୋଇଯିବ । ଯଦି ଏଇ ଛୋଟ ନଦୀଟା ଉପରେ ପୋଲଟିଏ ହୋଇ ଯାଆନ୍ତା, ସିଧା ଷ୍ଟେସନରୁ ସାଇକେଲରେ ଘରଯାଏ ଚାଲିଯାଇ ପାରନ୍ତା । ଆଉ ତ ସେ ଫେରିଯିବ ନାହିଁ କଲିକତା, ନିଜେ ଚେଷ୍ଟା କରି ଦେଖିବ ଯଦି ସମସ୍ତେ ମିଳିମିଶି ବ୍ଳକ୍ ଅଫିସରଙ୍କୁ ଧରାଧରି କରି ପୋଲଟିଏ କରାଇ ନେଇ ହୁଏ । ଗୋଟିଏ ପାଣିପମ୍ପ୍ ଲଗାଇ ଯଦି ପାଣି ମଡ଼ାଇ ଦୁଇଟି ବା ତିନୋଟି ଫସଲ ଅମଳ କରହୁଏ...

 

ତିନିବର୍ଷ ତଳେ ଗାଆଁ ଛାଡ଼ିଥିଲା ଅଭିଜିତ୍ । ଏଇ ପ୍ରଥମ ଫେରୁଛି ତିନିବର୍ଷ ପରେ । ଚାକିରି କରିବାପାଇଁ ଯାଇ ଚାକିରିଟିଏ ପାଇଯାଇ ରହିଯାଇଥିଲା ସେ କଲିକତାରେ । ସେ ଖଣ୍ଡକ କିନ୍ତୁ ଆଉ ବେଶିଦିନ ରହିଲା ନାଇଁ ତା’ ହାତରେ । ଝୋଟକଳମାନଙ୍କରେ ତା’ ପରି ଓଡ଼ିଶାରେ ବିଭିନ୍ନ ଅଞ୍ଚଳର ଅନେକ ଲୋକ କାମ କରନ୍ତି । ସେମାନେ ଜୀବିକା ଅର୍ଜନ କରିବାପାଇଁ ଯାଇ ରହିଯାଇଥିଲେ ପ୍ରବାସରେ; ଦେହର ରକତ ପାଣି କରି ପର ମୁହଁରେ ହସର ଫୁଆରା ଖେଳାଇଥିଲେ । ସେତେବେଳେ ସ୍ଥାନୀୟ ଲୋକେ କାମ କରୁ କରୁ ନ ଥିଲେ ବେଶି; କିନ୍ତୁ ଏବେ ସମୟ ବଦଳିଛି, ଘର ପୁଅ ଘରେ କାମ ନ କରି ଆଉ ତ ପ୍ରବାସ କରିବାକୁ ଯିବନାହିଁ । ଓଡ଼ିଆମାନେ ଘରେ ପର ହୋଇ ପ୍ରବାସକୁ ଯାଆନ୍ତି, ପର ମୁହଁରେ ହସ ଫୁଟାଇ ନିଜେ ଉପାସରେ ରହି ପରର ନେହୁରା ଖଟନ୍ତି । ସେ ଘରେ ପର ଘିଅ ମହୁର ସୁଆଦ ପାଇ ଆରାମ କରେ । ପ୍ରବାସକୁ ଯାଇ ଯାଇ ପରବାସିଆ ହୋଇଯାଇଛି ମନ । ଅନ୍ୟର ଗୋଲାମି କରି ନିଜର ଗୌରବ ଟିକକୁ, ଗର୍ବ ଟିକକୁ ପାସୋରି ପକାଇଛି ସେ । ସେଇଥିପାଇଁ ଯେତେବେଳେ ପ୍ରବାସର କଳକାରଖାନାର ନିଯୁକ୍ତିବେଳେ ନୂଆ କରି ‘ଘର ପୁଅ’କୁ ସୁବିଧା ଦିଆଗଲା, ଦୀର୍ଘଶ୍ୱାସ ମାରି ବସିପଡ଼ିଲା ଓଡ଼ିଆପୁଅ । ମହାନଦୀର ମହାନତା ତା’ ଆଖି ଆଗରୁ ଉଭେଇଗଲା, ମଳିନ ପଡ଼ି ଆସିଲା ନଦୀମାତୃକା ଦେଶର ସବୁଜ ଶସ୍ୟକ୍ଷେତ୍ର । ସେ ଅନ୍ୟର ଘର ସଜାଉ ଥିଲା ଏତେଦିନ, ନିଜ ଘର ଉପରେ କୁଟାଖିଏ ଲଦି ଦେବାପାଇଁ ବେଳ ପାଇ ନ ଥିଲା । ତା’ ହେଲେ ସେ ଭୋଗିବ ନାହିଁ ତ ଭୋଗିବ କିଏ ?

 

ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବା ଫଳରେ ବିଦେଶରେ ବେକାର ହୋଇଗଲେ ଓଡ଼ିଆ ପୁଅ । ତା’ ଉପରେ ଅନେକ କାରଖାନାରେ ଲଗାଣ ଧର୍ମଘଟ ଫଳରେ ବନ୍ଦ ହୋଇଗଲା ଉତ୍ପାଦନ । ଗତ ତିନିମାସର କ୍ରମାଗତ ଧର୍ମଘଟ ଫଳରେ ଅନେକ ଅସ୍ଥାୟୀ ଶ୍ରମିକଙ୍କ ସହିତ ଚାକିରି ଗଲା ଅଭିଜିତର । ସେ ଛଟେଇ ହୋଇଗଲା । ଦେଢ଼ଶହ ଟଙ୍କାର ଚାକିରି ଖଣ୍ଡିକ ଖସିଗଲା ହାତରୁ । ରାତାରାତି କର୍ମରତ ଅଭିଜିତ୍ ବେକାର ହୋଇଯାଇ ଛିଡ଼ାହେଲା ଆସି ରାସ୍ତା ଉପରେ । ବହୁ ଚେଷ୍ଟାକଲା କିନ୍ତୁ ବିକଳ୍ପ ବ୍ୟବସ୍ଥା କରି ପାରିଲା ନାହିଁ । ପୋଷ୍ଟ ଅଫିସରେ ଜମା ଥିବା ଦୁଇଶହ ସତୁରି ଟଙ୍କା ଏବଂ ଛଟେଇର ଭରଣା ଦରମା ବାବଦ ଦେଢ଼ଶହ ଟଙ୍କା ହାତରେ ଧରି ଫେରି ଆସିଲା ଗାଆଁକୁ

 

ଏଇ ଗାଆଁରୁ ତିନିବର୍ଷ ତଳେ କଲିକତାରେ କାମ କରିବାପାଇଁ ଯେତେବେଳେ ପାଦ ବଢ଼ାଇଥିଲା ସେ, ସେତେବେଳେ ଆଖି ଛଳ ଛଳହୋଇ ଯାଇଥିଲା ତା’ର ଗାଆଁଛାଡ଼ି ବିଦେଶକୁ ଯାଉଛି ବୋଲି । ମ୍ୟାଟ୍ରିକ ପାଶ୍‌କରି ପଇସା ଅଭାବରୁ କଲେଜରେ ଭର୍ତ୍ତିହୋଇ ପାରିଲା ନାହିଁ । ଘରେ ମା’ ଛୋଟ ଭାଇ ଭଉଣୀ ଦୁଇଟି । ଆୟ ଉପାୟ ନ ଥିଲେ ସଂସାର ଅଚଳ । ପେଟ ପୋଷ ନାହିଁ ଦୋଷ । ସେଥିପାଇଁ ଯେଉଁ କାମ ପାଇଲା ଧରି ପକାଇଲା ଅଭିଜିତ୍ । କୁଲି ହୋଇ ବୋଝ ବୋହିବାପାଇଁ ଲାଜ କରୁଥିଲା ପ୍ରଥମେ ପ୍ରଥମେ, କିନ୍ତୁ କ୍ରମଶଃ ଦେହସୁହା ହୋଇଗଲା ସବୁ । ବରଂ ଭଲ ଲାଗିଲା କାମ କରି ନିଜର ରୋଜାଗାର କରିବାପାଇଁ । ପର ଉପରେ ନିର୍ଭର କରିବାର ଆନନ୍ଦ ଟିକକ ଫୁଲାଇ ଦେଲା ଛାତିକୁ । ନିଜର ଶ୍ରମ ପବିତ୍ର ସମ୍ପଦ ଉଠିଲା ଆଖି ଆଗରେ । ସେଇଥିପାଇଁ ଚଟକଳରେ ହାପ୍‌ ପ୍ୟାଣ୍ଟ ଏବଂ ଖାକିହାପ୍‌ ପ୍ୟାର୍ଟ ପିନ୍ଧି କାମ କଲାବେଳେ ଦେହରେ ନୂଆ ଫୂର୍ତ୍ତି, ଅଫୁରନ୍ତ ଉତ୍ତେଜନା ଏବଂ ଆତ୍ମସଚେତନତା ଜାଗୁଥିଲା ତା’ ମନରେ, ଦେହରେ । ଟିଫିନ୍ ସମୟରେ ପକେଟରୁ ପାନିଆ ବାହାର କରି ମଥା ଉପରେ ବୁଲାଇ ନେଇ ମୁହଁ ପୋଛି ଚା’ ପିଉଥିଲା ମନଖୁସିରେ ।

 

ଆଜି ଆଉ ତାକୁ କାମକୁ ଯିବାପାଇଁ ହବ ନାହିଁ । ସିଫ୍ଟ ଡିଉଟିରେ ଯୋଗ ଦେବାପାଇଁ ତର ତର ହୋଇ ଦଉଡ଼ିବା ପାଇଁ ପଡ଼ିବ ନାହିଁ । କାମ ନାହିଁ । କାମ ନ ଥାଇ ବଞ୍ଚିବ କିପରି ? ଅକର୍ମା ମଣିଷର ହାତଗୋଡ଼ ପଙ୍ ଗୁହୋଇଯାଏ, ମନ ଶୋଇ ଶେଷ ହୋଇଯାଏ ।

 

ଅନ୍ଧାର କଟିଯାଇ ପ୍ରଭାତର ପ୍ରଥମ ଆଲୋକ ଧୀରେ ଧୀରେ ସଞ୍ଚରି ଯାଉଥିଲା ପ୍ରାନ୍ତର, ସଡ଼କ, ନଦୀ ଉପରେ । ସେ ନଦୀ ପାର ହୋଇ ହାତ ଘଡ଼ିକୁ ଚାହିଁଲା । ପାଞ୍ଚଟା ତିରିଶ ମିନିଟ୍ । ଏତେବେଳକୁ ସେ ମୁହଁ ହାତ ଧୋଇ ଦଉଡ଼ି ଥାଏ ଫାକ୍ଟରୀକୁ । ସକାଳ ସିଫ୍ଟ ଛଅଟାରୁ ଆରମ୍ଭ ହୁଏ । ଆଜି ଆଉ ଡିଉଟି ନାହିଁ । ଏଇ କେତେଦିନ ହେଲା ସେ ବେକାରୀ ଜୀବନର ବିଡ଼ମ୍ବନା, ବିଷାଦ ଅଙ୍ଗେ ନିଭଉଛି । ଭିଡ଼ିମୋଡ଼ି ହୁଏ ଦେହ । ଗଭୀର ଅବସାଦରେ ମୁହଁମୋଡ଼ି ପଡ଼ି ରହେ ଜୀବନାବେଗ । ଅବସର ନୁହେଁ, ସେ ଚାହେଁ କାମ । କାମ କରିବାପାଇଁ ଦେହ ମନ ଉଚ୍ଚାଟ ହୁଏ । ମୁଣ୍ଡଠାରୁ ଗୋଡ଼ ଯାଏ ତାତିଯାଏ ରକ୍ତକଣିକା । ଅସ୍ଥିର ହୁଏ ଅଭିଜିତ୍ ।

 

ବଡ଼ିଭୋରରେ ଡାକ ଦେଇ ବିଲୁଆଟା ବୋଧେ ନିରୋଳାରେ ବସି ବସି ଖରା ପୋହିବ-। ଦେଖିବ ଆଖିମେଲି ମଣିଷମାନଙ୍କର ଆତଯାତ । ଅନ୍ଧକାର ଜାଗାରେ ଆଲୁଅର ଫୁଆରା ମାଡ଼ି ଆସୁଛି ପୂର୍ବ ଦିଗରୁ । ଆଲୋକ ସଙ୍ଗେ ସଙ୍ଗେ ପାଦ ପକାଇ ଆଗେଇ ଆସିଲା ଅଭିଜିତ୍ । ଗାଆଁ ଦିଶୁଛି । ଦିଶୁଛି ସରପଞ୍ଚଙ୍କ ନୂଆ କୋଠାଘର । ଗାଁରେ ଏଇ ଗୋଟିଏ ପକ୍କା ଘର । ଅନ୍ୟସବୁ ଚାଳ ବା ଖପରାଲି ଘର । ସରପଞ୍ଚ ପାରିବାର ଲୋକ । ସରପଞ୍ଚ ହବାର ପାଞ୍ଚ ବରଷ ନ ପୂରୁଣୁ କୋଠା ଉଠେଇ ଦେଲେ, ସର୍ବସାଧାରଣଙ୍କ ପାଇଁ ସ୍ଥିର ହୋଇଥିବା କୂଅ ନିଜ ଜମି ଉପରେ ନିଜ ସୁବିଧା ଦେଖି ଖୋଳାଇ ନେଲେ । ଷ୍ଟେସନ ପାଖରେ ସରକାରୀ ଅନାବାଦୀ ଜମିକୁ ମାଡ଼ି ବସିଲେ ବ୍ଳକ ବିଭାଗ ସହିତ ଭିତରି ମସୁଧା କରି । ଶେଷରେ ସବୁ କର୍ମ ବା ଅପକର୍ମକୁ ଘଣ୍ଟ ଘୋଡ଼ାଇ ରଖିବା ପାଇଁ ବି.ଡ଼ି.ଓ ଙ୍କ ଶଳା ସହିତ ନିଜ ଝିଅକୁ ବିଭା କରାଇଦେଲେ ।

 

ତାଙ୍କ କରାମତି ପଣିଆ ନିଜ ଆଖିରେ ବି କିଛି କିଛି ଦେଖିଥିଲା ଅଭିଜିତ୍ । ଆଜି ତିନି ବରଷ ପରେ ଘର ବାହୁଡ଼ାବେଳେ ବି ଦେଖିବାକୁ ପାଉଛି ଆଖି ଆଗରେ । ଧଳା କୋଠା ଉପରୁ ଆଲୁଅ ଛିଟିକି ପଡ଼ୁଛି । ଅଭିଜିତ୍ ନଦୀ ପାର ହୋଇ ସଡ଼କ ଧରିବା ଆଗରୁ ଛିଡ଼ା ହୋଇଗଲା ଦଣ୍ଡେ ।

 

କାର୍ତ୍ତିକ । ଶ୍ୟାମଳ ଶସ୍ୟ କେଦାର ସକାଳର କନକନିଆ ଶୀତଳ ପବନରେ ଦୋହଲୁଥିଲା ହସି ହସି । ଦୁଇ ପାଖର ସମତଳ ଶସ୍ୟ କେଦାରକୁ ଭାଗ କରି ଲମ୍ବି ଯାଇଛି ସଡ଼କ-। ସକାଳର କୋମଳଆ ଲୋକଚିକ୍‌ଚିକ୍ କରୁଥିଲା ଚାରିଦିଗରେ । ସଡ଼କ ଉପରେ ଆଲୋକ ଛିଟା ପରି ସତେ ଯେପରି ଅଭିଜିତ୍‌ର ବାଟ ବରଣ କରୁଥିଲା ।

 

ମୁଗ୍‌ଧ ବିଭୋର ହୋଇ ପୂରିଲା ଆଖିରେ ଚାରିଆଡ଼କୁ ଥରେ ଆଖି ପୂରାଇ ଚାହିଁଲା ସେ । ଏଇ ଗାଆଁ ଏଇ ମାଟି ତା’ ନିଜର । ଏହାରି ମଧୁ ବୋଳା ସ୍ନିଗ୍ଧରୂପ ଭିତରେ ଲୁଚିଥାଏ ଅସରନ୍ତି ଆନନ୍ଦ, ଅପାଶୋରା ଅନୁରାଗ । ପୁଣି ଏହାରି ଭିତରେ କେତେ ପାପ, ଅଭାବ, ଅନାଚାର, ଅସତ୍ୟ ଓ ଅଂହକାର ମଣିଷକୁ ଦଳି ମକଚି ଅସହାୟ କରିଦିଏ । ଏତେ ସମ୍ପଦର ସମ୍ଭାବନା ଛାଡ଼ି ସେ ବିଦେଶ ଯାଏ କୁଲିଗିରି କରିବାପାଇଁ । ଏତେ ମାଧୁର୍ଯ୍ୟ ଥାଉଁଥାଉଁ ସହରର ଚାକଚକ୍ୟରେ ମନ ଭୁଲାଇବାପାଇଁ ସମସ୍ତେ ତେବେ ଧାଆନ୍ତି କାହିଁକି ? ଏଇ ମାଟି ଗୋଡ଼ି ଭିତରେ ଲୁଚି ରହିଥିବା ଅସରନ୍ତି ମଣି ମାଣିକ୍ୟକୁ ଉଦ୍ଧାର କରିବ ସେ । ଉଦ୍ଧାର କରିବ ଦଳିତ ପତିତ ଅସହାୟ ମଣିଷକୁ ।

 

ସ୍ୱୟଂସମ୍ପୂର୍ଣ୍ଣ ବସୁନ୍ଧରାର ଅକଳନ୍ତି ସମ୍ପଦ । ଖଣି ଭିତରୁ ମଣି ମୁକ୍ତା ଆହରଣ କଲା ପରି ଏହାରି ଭିତରୁ ଆହରଣ କରିବ ପାଥେୟ । ଶ୍ରମ ଦେଇ ସୃଷ୍ଟି କରିବ ସମ୍ପଦ । ସମ୍ପଦର ସୁଷମ ବଣ୍ଟନଦ୍ୱାରା ମଣିଷକୁ ଦବ ମର୍ଯ୍ୟାଦା, ବଞ୍ଚିବାର ମୋହ । ଏହାହିଁ ସେମାନଙ୍କ ଜୀବନକୁ ଭରିଦେବ ପ୍ରାଚୁର୍ଯ୍ୟରେ ।

 

କେତେ କ’ଣ ଭାବି ଭାବି ପଥ ଚାଲୁଥିଲା ସେ । ପଥ ଶେଷ ହୋଇଯାଇଛି । ନିଜ ଗାଆଁ ଦାଣ୍ଡରେ ହଠାତ୍ ଘରେ ପହଞ୍ଚି ଯାଇ ଚମକାଇ ଦେବ ମା’, ଭାଇ ଭଉଣୀଙ୍କୁ । ଆସିବାର ଖବର ଦେଇ ନ ଥିଲା ସେମାନଙ୍କୁ । ଶୁଭ ଖବର ତ ନୁହେଁ, ବେକାର ହବାର ଜଣାଇ କାହିଁକି ଦୁଃଖ ଦେଇଥାନ୍ତା ସେମାନଙ୍କୁ ।

 

ଘର ଭିତରକୁ ପଶି ଯାଉଁ ଯାଉଁ ଡାକ ଛାଡ଼ିଲା ସେ-ମା’...ମା’...ମା’ଲୋ...

 

ସେଇ ଡାକର ଅଳିଅଳ ସ୍ୱରରେ ସ୍ନେହର ପରଶ, ମମତା’ର ମହକ ଥିଲା । ମୁହୂର୍ତ୍ତକରେ ତିନୋଟି ମଣିପରି କଳକଣ୍ଠ ଗୁଞ୍ଜରି ଉଠିଲା ତିନିଆଡ଼ୁ ।

 

ଅଭି ଆସିଛି...

 

ଭାଇ ଆସିଛି...

 

ଭାଇ ଆସିଛି..

 

ଦଉଡ଼ି ଆସିଲେ ସୁରଜିତ୍ ଏବଂ ସୁରଭି । ବାଡ଼ିପଟୁ ଧାଇଁ ଆସିଲେ ସୁଧନ୍ୟା ।

 

ତାଙ୍କ ପାଦରୁ ଧୂଳି ନେଇ ମଥାରେ ଛୁଆଁଇ ମା’ର କୋଳରେ ଲୋଟି ପଡ଼ିଲା ଅଭିଜିତ୍-। ଭାଇ ଭଉଣୀ ଦୁଇଆଡ଼ୁ ଦଉଡ଼ି ଆସି କୁଣ୍ଢାଇ ପକାଇଲେ ତାକୁ । ଅନବଦ୍ୟ ଅନୁଭୂତି, ସ୍ନେହ ମମତା’ର ଅଫୁରନ୍ତ ପ୍ରବାହ ।

 

-ଏତେ ଦିନରେ ମନେପକାଇଲୁ ବାପା ? ଆଖିରେ ଆଖିଏ ଲୁହ ଭରି କହିଲେ ସୁଧନ୍ୟା ।

 

ତାଙ୍କର ଶୀର୍ଣ୍ଣ ବୁକୁ ଉପରେ ମୁହଁ ଲୁଚାଇ କହିଲା ଅଭିଜିତ୍ ‘‘ଆଉ ଯିବି ନାହିଁ । ଆଉ ତତେ ଏକା ଛାଡ଼ି ଯିବି ନାହିଁ ମା’ ।’’

 

ଜଳି ଉଠିଲା ସୁଧନ୍ୟାଙ୍କର ଅଶ୍ରୁପୂର୍ଣ୍ଣ ଆଖି ଦୁଇଟି । ସେ ଆଖି ଦୁଇଟିକୁ ଚାହିଁ ଧନ୍ୟ ହୋଇଗଲା ଅଭିଜିତ୍ । ସକାଳର ସେଇ ଶସ୍ୟଶ୍ୟାମଳା ଶୁଭଦା ଧରିତ୍ରୀର ମୁଗ୍‌ଧ ଚାହାଁଣୀ ସହିତ କଲ୍ୟାଣଝରା ଏଇ ମାତୃ ଚାହାଣୀର କେତେ ଐକାନ୍ତିକ ଏକତ୍ୱ । ଦୁହେଁ ସତରେ କେତେ ସମାନ !

 

ଏଇ ଜନନୀ ଏବଂ ଜନ୍ମଭୂମି ପାଇଁ ତା’ର ଅନ୍ତର ଭିତରେ ଲୁଚି ରହିଥିବା ସୁପ୍ତ ବାସନା ଟିକକ ଚେଇଁ ଉଠିଲା ମୁହୂର୍ତ୍ତକରେ । ମା’କୁ ସୁଖରେ ରଖିବା ଯେପରି ତା’ର କର୍ତ୍ତବ୍ୟ, ମାତୃଭୂମିକୁ ସୁଖୀ ଏବଂ ସମୃଦ୍ଧ କରିବା ସେହିପରି ତା’ର ଧର୍ମ । ଏହି କର୍ତ୍ତବ୍ୟକୁ ଆଉ ଅବହେଳା କରିପାରିବନାହିଁ । ଏହି ଧର୍ମକୁ ଆଉ ଲଙ୍ଘନ କରିପାରିବନାହିଁ ।

 

ସୁଧନ୍ୟା ଆଶୀର୍ବାଦ କଲେ ପୁଅକୁ । ଭାଇ ଭଉଣୀ ଦୁଇଜଣଙ୍କୁ କାନ୍ଧରେ, କାଖରେ ବସାଇ ଥରେ ଘର ଅଗଣା ଯାକ ନାଚି ନାଚି ଘୂରି ଆସିଲା ଅଭିଜିତ୍ । କିଛିସମୟ ପରେ ତାହାକୁ ଚା’ କପେ ବଢ଼ାଇ ଦଉଁ ଦଉଁ କହିଲେ ସୁଧନ୍ୟା-କେତେଦିନ ଛୁଟି ନେଇଛୁ ବାପା ?

 

କି ଉତ୍ତର ଦେବ ଅଭିଜିତ୍ ? କିପରି କହିବ ଯେ ସେ ଛୁଟି ନ ନେଇ ଛଟେଇ ହୋଇ ଫେରିଆସିଛି ? କ’ଣ କହି ସାନ୍ତ୍ୱନା ଦବ ସମସ୍ତଙ୍କୁ ?

 

-ଆଉ ଫେରି ଯିବାପାଇଁ ହବ ନାହିଁ ମା’ । ଛଟେଇ ହୋଇ ଫେରିଆସିଛି ମୁଁ ।

 

-ଛଟେଇ ହୋଇ ଫେରିଆସିଛୁ !

 

ବିସ୍ମୟ ବିସ୍ଫାରିତ ନୟନରେ ବେଦନାର୍ତ୍ତ କଣ୍ଠରେ କହିଲେ ସୁଧନ୍ୟା

 

-ହଁ ମା’ ।

 

ଆଉ ଶୁଣିବାପାଇଁ ସାହସ ନ ଥିଲା ତାଙ୍କର । ସେ ଥରି ଉଠିଲେ ଟିକିଏ, ତା’ ପରେ କାନ୍ଥ ଉପରେ ଆଉଜି ପଡ଼ିଲେ କ୍ଷଣକରେ । ଘନ ଘନନିଶ୍ୱାସ ଉଠିଲା । ମଥା ବୁଲାଇ ଦେଲା ।

 

ଦଉଡ଼ିଯାଇ ମା’କୁ ଛାତି ଉପରକୁ ଆଉଜାଇ ନେଇ କହିଲା ଅଭିଜିତ୍ ମା’, ମା’ଲୋ ।

 

ଦଉଡ଼ି ଆସିଲେ ଛୋଟଛୋଟ ଦୁଇଟି ଭାଇ ଭଉଣୀ ।

 

ଆଜି କାଲି ଏଇପରି ହୁଏ ତାଙ୍କର । ଆଶଙ୍କା ହେଲେ, ଉଦ୍‌ବେଗ ଆସିଲେ ଚେତନା ହରାଇ ବସନ୍ତି । ନିଜର କେତେ ବାଧା ବିପଦ ଭୁଲିଯାଆନ୍ତି କିଛିସମୟ ପାଇଁ ବାହ୍ୟଜଗତରୁ ଚେତନା ହରାଇ । ତା’ପରେ ପୁଣି ଫେରି ଆସନ୍ତି ବାସ୍ତବ ଜଗତକୁ, ବାହାରର ଅସରନ୍ତି ଆଲୋକ ଏବଂ ଅନ୍ଧକାର ସହିତ ମୁକାବିଲା କରିବାପାଇଁ ।

 

ଆଜି କିନ୍ତୁ ଏତେଶୀଘ୍ର ଉଠିଲେ ନାହିଁ ସେ ।

 

ତାଙ୍କର ଶୀର୍ଣ୍ଣ ଶରୀରଟିକୁ କୋଳ ଉପରେ ରଖି ବାଷ୍ପାକୁଳ କଣ୍ଠରେ କହି ଚାଲିଲା ଅଭିଜିତ୍‌- ଭୟ କ’ଣ ମା’ ! ବେକାର ହୋଇଯାଇଛି ବୋଲି, ବସି ରହିବାପାଇଁ ଫେରି ଆସିନାହିଁ ମୁଁ-। ମାଟି, ଗୋଡ଼ି, ପଥର କାଟି ଶସ୍ୟ ଆହରଣ କରିବି, ଶ୍ରମ ଦେଇ ସମ୍ପଦ ଉପାର୍ଜନ କରିବାପାଇଁ ଉଦ୍ୟମ କରିବି । ଦୁଃଖ ଭିତରେ ସୁଖପାଇଁ ସଂଗ୍ରାମ କରିଯିବା ହିଁ ତ ପୌରୁଷ । ମୁଁ ଦବିଯାଇନାହିଁ, ଡରିଯାଇନାହିଁ ମା’ । ମୁଁ ଲଢ଼ିବି । ବାରବାର ଲଢ଼ିବି ମା’ । ମତେ କେବଳ ଲଢ଼ିଯିବାପାଇଁ ଆଶୀର୍ବାଦ ଦେ, ସାହସ ଦେ ମା’ ।

 

ଚେତା ଫେରିପାଇଲେ ସୁଧନ୍ୟା ।

 

ଅଭିଜିତ୍‌ର ଦେହ ଉପରେ ହାତ ବୁଲାଇ କହିଲେ ସ୍ନିଗ୍ଧ କଣ୍ଠରେ-ତୋ ତୁଣ୍ଡରେ ଫୁଲଚନ୍ଦନ ପଡ଼ୁ ବାପା, ତୁ ସଂଗ୍ରାମୀ ହୁଅ, ସୁଖୀ ହୁଅ...

 

ସକାଳର ସୂର୍ଯ୍ୟାଲୋକ ଚାଳ ଡେଇଁ ବିଛାଡ଼ି ହୋଇ ପଡ଼ିଥିଲା ଅଗଣା ଉପରେ; ବାରନ୍ଦା ଉପରେ ଓ ଚାରିଆଡ଼େ । ସେଇ ଆଲୋକର ଆହ୍ୱାନ ଆଗାମୀ ସଂଗ୍ରାମପାଇଁ ଉଦ୍‌ବୁଦ୍ଧ କରୁଥିଲା ଅଭିଜିତ୍‌କୁ ଅପରାଜିତାକୁ ।

Image

 

ବନ୍ଧକ

 

ସନାତନ ମୂକ ପାଲଟି ଯାଇଥିଲା ।

 

ତା’ର କହିବାର ଶକ୍ତି ସହିତ ପ୍ରତିବାଦ ବା ପ୍ରତିରୋଧ କରିବାର ଶକ୍ତି ମଧ୍ୟ ନିଶ୍ଚିହ୍ନ ହୋଇଯାଇଥିଲା ।

 

ତୁଣ୍ଡ ଥାଇ କଥା କହି ନ ପାରି, ପାଟି ଥାଇ ପ୍ରତିବାଦ କରି ନ ପାରି ସେ ପଡ଼ି ରହୁଥିଲା ଗୋଟିଏ ନିର୍ଜୀବ ଜଡ଼ର ସ୍ଥିତି ହୋଇ । ତା’ର ନିଜର ଇଚ୍ଛା, ଆଶା ବା ଆକାଂକ୍ଷା ଆଉ ନ ଥିଲା କିଛି-। ଜଣକର ବୋଲ ମାନି, ଆଦେଶ ତାଲିମ କରି ସେ କେବଳ ନିର୍ବାକ ହୋଇ ଚାହିଁ ରହୁଥିଲା-। ବୋଝ ବୁହା ବୋଲକରା ପଶୁ ପରି ।

 

ତା’ର ଶୁଖିଲା ଆଶାହୀନ ମୁହଁକୁ ଚାହିଁ ମାଣିକ ଚମକି ପଡ଼ୁଥିଲା । ଆଲୋକ ନ ଥିବା ଆଖି ଦୁଇଟିର ଅନ୍ଧକାର ଭିତରେ ଅଣନିଶ୍ୱାସୀ ହୋଇ ସେ ଯେପରି କିଛି ଖୋଜିବାପାଇଁ ଚେଷ୍ଟା କରି ପାଉ ନ ଥିଲା ।

 

ସାହସ ହଉ ନ ଥିଲା ମାଣିକର ପଚାରିବାପାଇଁ । ପେଟ ଭିତରର କଥା ଆସି ବାଧା ପାଇ ତୁଣ୍ଡ ଆଗରେ ଅଟକି ରହୁଥିଲା ।

 

ସାହସ କରି ରହି ରହି ଶେଷରେ କହିଲା- ଇମିତି ଆକାଶକୁ ଚାହିଁ ବସି ରହିଲ ଯେ ?

 

ଏଇ ଆକାଶକୁ ଚାହିଁ ଆଜି ନୁହେଁ ବହୁକାଳ ଧରି ବସି ରହିଛି ମଣିଷ ।

 

ଆଶା ଟିକକ ନ ଥିଲେ, ନିଃସମ୍ବଳ ହୋଇଗଲେ ମଣିଷ ଆଖିରୁ ଯେ କେବଳ ଆଲୁଅ ଲିଭିଯାଏ ତାହା ନୁହେଁ; ଆକାଶର ବୁକୁରେ ସେ କେବଳ ଦେଖେ ଘନ ଅନ୍ଧକାର ଏବଂ ସେଇ ଅନ୍ଧାର ଭିତରେ ପହଁରୁଥିବା ଲକ୍ଷ କୋଟି ଜୁଳୁଜୁଳିଆ ପୋକ ।

 

ଜୁଳୁଜୁଳିଆ ପୋକର ଆଲୋକ ଏତେ ସାମାନ୍ୟ ଏବଂ କ୍ଷୀଣ ଯେ, ସେଇ ଅନ୍ଧାର ଭିତରେ କୂଳ କିନାରା ନ ପାଇ କେବଳ ଚାହିଁ ରହେ ସନାତନ ।

 

ବୋଝବୋହି ନ ପାରି ଥକାମାରି ଛିଡ଼ା ହୋଇଯାଏ ବାସୁଆ ବଳଦ ।

 

କେଉଁ କାଳରୁ ବୋହିବୋହି ବେକରେ ବିଣ୍ଡି ବସିଗଲାଣି, ଦେହରେ ରକତ ପାଣି ହୋଇ ଗଲାଣି, କିନ୍ତୁ ସେ ଚାଲିଛି, ବୋଲ ମାନି ପଡ଼ିଉଠି ଆଗକୁ ପାଦ ବଢ଼ାଇବାପାଇଁ ଚେଷ୍ଟା କରିଛି ।

 

ସନାତନ ବାସୁଆ ବଳଦ ସହ ନିଜକୁ ତୁଳନା କରେ ମନେ ମନେ ।

 

ମାଣିକର ହାତ ଉପରେ ହାତ ରଖି କହିଲା-ଏଇ ଦେଖ.ବାସୁଆ ବଳଦ ବୋଝ ବୋହି ବୋହି ଚାଲିଛି କିପରି । ସେ କଥା କହେନାହିଁ, କହିପାରେନାହିଁ । ବୋହିବାପାଇଁ ଜନମ ହୋଇଛି କେବଳ; ଉତାରି ଦେଇ ଉଲ୍ଲାସ କରିବାପାଇଁ ନୁହେଁ ।

 

ସନାତନ ସତୁରୀ ବର୍ଷ ତଳେ ବନ୍ଧା ପଡ଼ିଥିବା ତା’ର ବାପ ଗୋସବାପ କଥା ଭାବେ ।

 

ସତୁରୀ ବର୍ଷ କେତେବେଳେ କେଉଁ ବାଟଦେଇ ଝରକାର ଫାଙ୍କଦେଇ ଚୋରା ଚାହାଁଣୀ ଚାଲିଗଲା ପରି ଚାଲିଯାଇଛି ।

 

ସେ ଜନ୍ମ ହେବା ପରେ ହେତୁ ହେଲା ଦିନଠୁ କେବଳ ଜାଣି ଆସିଛି ଯେ, ତା ପୂର୍ବପୁରୁଷ ପରି ସେ ବି ବନ୍ଧାପଡ଼ିଛି ।

 

ଦିନେ ସାହସ କରି ସନାତନ ପଚାରିଥିଲା ସାଆନ୍ତକୁ- ଗୋସେଇଁ ବାପ କେତେ ଟଙ୍କା କରଜ କରିଥିଲା ସାଆନ୍ତେ ?

 

ହସିଦେଇ ତା ଆଡ଼କୁ ତେରେଛେଇ ଚାହିଁ କହିଥିଲେ ସେ- କାହିଁକିରେ ! ଶୁଝି ଦବୁନା କଅଣ ?

 

ତା’ପରେ ଟିକିଏ ରହିଯାଇ କହିଥିଲେ ତାକୁ ସଳଖ କରିଦେଇ- ଏ କରଜ ଶୁଝି ହୁଏ ନାହିଁ- କେହି ଶୁଝି ପାରେନାହିଁ ସନାତନ । ଚନ୍ଦ୍ର ସୂର୍ଯ୍ୟ ଥିବାଯାଏ ସାଆନ୍ତ ଘର ଗୋଲାମ ଦାସ କରି ରଖିବାପାଇଁ ଏ ଋଣ ଦିଆହୁଏ-ଆଉ ଯିଏ ନିଏ ସେ ଏବଂ ତା’ପରେ ଚଉଦ ପୁରୁଷ କି ଛପନ ପୁରୁଷ ଯାଏ ସୁଧ ମୂଳ ବଢ଼ି ବଢ଼ି ତାହାରି ଚେରରେ ବାନ୍ଧିହୋଇ ଯାଆନ୍ତି ସବୁ । ନିସ୍ତାର ମିଳେ ନାହିଁ ।

 

ସ୍ତବ୍‌ଧ ହୋଇ ସେଦିନ ଶୁଣିଥିଲା ସନାତନ । କେବଳ ଗୋସବାପ ନୁହେଁ, ଆଉ ତା’ପରେ ଆସୁଥିବା ବଂଶଧରମାନେ ସମସ୍ତେ ବନ୍ଧା ପଡ଼ିଛନ୍ତି ସାଆନ୍ତ ଘରେ । ଏ ବନ୍ଧନ ଜନ୍ମିବା ଆଗର ବନ୍ଧନ ।

 

ଛାତିଫଟା ଦୀର୍ଘ ନିଃଶ୍ୱାସ ଗୋଟେ ଧୀରେ ଧୀରେ ବାହାରି ଆସିଲା ଭିତରୁ । ଯେପରି ଡରି ଡରି ଦୀର୍ଘ ନିଃଶ୍ୱାସ ଛାଡ଼ିଛି ସେ- କାଳେ କିଏ ଦେଖି ନବ, କାଳେ ସେ କରଜ ଶୁଝି ଦବାର କଳ୍ପନା କରୁଛି ବୋଲି ସାଆନ୍ତେ ଜାଣିନେବେ ।

 

ତା’ର ଥରିଲା ଛାତିକୁ ଆଉଁସି ଦେଇ କହିଲା ମାଣିକ- ଯାହା ଆଣୁଛ ଦୁହିଁଙ୍କ ପେଟ ତ ପୁରୁନି ସେଥିରେ । ଆଉ ଜଣେ ଯେ ଆସିବାପାଇଁ ଇସାରା ଦେଇଛି ତା’ କଥା କେବେ ଭାବିଛ !

 

ନା, ସେ ଆଉ କାହାର କଥା ଭାବିନାହିଁ । ସତ କହିବାକୁ ଗଲେ ତା’ ନିଜ କଥା ବି ଭାବିନାହିଁ, ଭାବିବାପାଇଁ ସାହସ ହୋଇନାହିଁ, ବେଳ ବି ହୋଇନାହିଁ ।

 

ଦିନେ ନିଜକଥା ଭାବିବାପାଇଁ ଚେଷ୍ଟାକରି ସେ ଗୋଟିଏ ମାତ୍ର ପ୍ରଶ୍ନ ପଚାରିଥିଲା ସାଆନ୍ତଙ୍କୁ । ସେହି ପ୍ରଶ୍ନର ଉତ୍ତର ଶୁଣି ସେହିଦିନଠାରୁ ସେ ସ୍ତବ୍‌ଧ ହୋଇଯାଇଥିଲା-ନିର୍ବାକ ହୋଇ ରହିଯାଇଥିଲା ।

 

ମାଣିକର ମାଆ ହବା ଆଗର ଉଚ୍ଛୁଳା ରୂପକୁ ଆଉ ସାହସ କରି ଚାହିଁ ନ ପାରି ତଳକୁ ମୁହଁପୋତି କହିଲା ସନାତନ- ଆମ ଥାଳିରୁ ସେ ଖାଇବ ମାଣିକ । ତା’ର ଭାଗ ସେ ଛାଡ଼ିବ କାହିଁକି ? ଆମ ଭାଗ କମିଯିବ ବୋଲି ଭାବୁଛୁ କାହିଁକି ?

 

ସେ କଥା ଭାବୁ ନ ଥିଲା ମାଣିକ । ଯିଏ ତା’ର ଦେହ ଭିତରେ ସକାଳର ପୃଥିବୀର ଚେତନା ଆଣି ବାହାରକୁ ଆସିବାପାଇଁ ଶଙ୍ଖ ବଜାଉଥିଲା, ତାକୁ ପାଛୋଟି ନବାପାଇଁ ସେ ଚାହୁଁଥିଲା । ସେ ଚାହୁଁଥିଲା ଲାଲ ଫୁଲର ଗୋଟେ ଶେଯ ତା’ ରାସ୍ତା ଉପରେ ପାରିଦବାପାଇଁ । କିନ୍ତୁ ସପନ ଦେଖିଲାପରି ସେ ଦେଖିଲା ସେଇ ଲାଲ ଫୁଲର ଶେଯଟାରେ ଫୁଲ ନାହିଁ, ଅଛି କେବଳ ଲକ୍ଷ ଲକ୍ଷ କଣ୍ଟା-ଧାରୁଆ ଆଉ ବିଷାକ୍ତ ।

 

ସେ କହିଲା ଧୀରେ ଧୀରେ- ସେ ଦିନ ସଭାକୁ ଯାଇଥିଲ,...କଅଣ ଶୁଣିଲ ମନେନାହିଁ ତମର ?

 

ଅନେକ କଥା ମନେଥିଲା ସନାତନର । କିନ୍ତୁ କହିବା କଥା ଏବଂ କରିବା କାମ ଭିତରେ ଦିନ ରାତିର ଫରକ । ସେ କୁହୁଳି ଉଠୁଥିବା ମାଣିକର ଆଶା ଉପରେ କଳସିଏ କାକର ପାଣି ଢାଳି ଦେଇ କହିଲା- ଯାହା ଶୁଣିବୁ ତାହା କାନପାଇଁ ଲୋ ମାଣିକ...ପେଟପାଇଁ ନୁହଁ, ହାତପାଇଁ ନୁହଁ ।

 

-ଏଡ଼େବଡ଼ ସେମାନେ- ଏତେ ମିଛ କହନ୍ତି ତା’ ହେଲେ ? ବୁଝି ନ ପାରି ସରଳା ମାଣିକ ପଚାରି ଦେଲା ତାକୁ । ତା’ ପାଟି ଉପରେ ହାତ ଦେଇ କହିଲା ସନାତନ-ଚୁ-ଉ-ପ୍, ଚୁ-ଉ-ପ୍, କେହି ଶୁଣି ପକାଇଲେ କ’ଣ ଭାବିବ କହିଲୁ ?

 

ଅବାକ୍ ହୋଇ ତା’ ଆଡ଼କୁ ମୁହୂର୍ତ୍ତେ ଅନାଇ ରହିଲା ମାଣିକ ।

 

ସେ ମୂକ ହୋଇ ରହିଯିବାପାଇଁ ଚାହୁଁଥିଲେ ବି ତା’ ଭିତରୁ ଆଉ କିଏ ଯେପରି ଚିତ୍କାର କରିଉଠୁଥିଲା ।

 

ପାହାନ୍ତିରେ ଅନ୍ଧକାରକୁ ଦୂରକୁ ଫିଙ୍ଗିଦେଇ ଯିମିତି ପକ୍ଷୀର ଗୀତ, ଶିଶିର ବିନ୍ଦୁର ସ୍ୱାଗତ ଭିତରେ ରଥ ଉପରୁ ଛିଟିକି ପଡ଼େ ଆଲୋକ, ସିମିତି ତା’ର ଅସରନ୍ତି ସ୍ନେହ, ଅକଳନ୍ତି ଆଶାକୁ ମୂର୍ତ୍ତ କରି ଏକା କୁଦାକେ ଦିନେ ତାହାରି ଭିତରୁ ବାହାରକୁ ଚାଲି ଆସିବ ଅମୃତର ପୁତ୍ର,- କୁଳର କଳଙ୍କହୀନ ଚନ୍ଦ୍ରମା- ସେ ପ୍ରସ୍ତୁତ ହେଉଥିଲା ସେହି ଶୁଭ ମୁହୂର୍ତ୍ତପାଇଁ ।

 

ସନାତନ କଅଣ ଅନୁଭବ କଲା କେଜାଣି, ମାଣିକର ନୁଆଁଣିଆ ମୁହଁକୁ ଉପରକୁ କରିଦେଇ କହିଲା-ଉପରକୁ ଚାହଁ...ଆମପାଇଁ ଏତେବଡ଼ ଜଣେ ଯଦି ଭାବୁଛି- ପରୁଆ କରିବା କାହିଁକି ?

 

ଟିକିଏ ଖୁସିହୋଇ ସାହସ ପାଇ କହିଲା ମାଣିକ ଏବର୍ଷ ଫସଲ ଦେଖି ଆଖି ପୁରି ଯାଉଛି ।

 

-ସୁନା ଫଳିଛି ଲୋ ମାଣିକ । ସାଆନ୍ତେ ଭାଗ୍ୟବାନ୍, ଖଳାରେ ତାଙ୍କର ଜାଗା ହବ ନାହିଁ ଲୋ ଏଥର ।

 

ଆମ ଘର କିନ୍ତୁ ଉଜ୍ଜ୍ୱଳ ହବନାହିଁ- ଆମ ଘରୁ ଅଭାବ ଚାଲିଯିବ ନାହିଁ ।

 

ଆଜି ଏତେକଥା କିପରି କହିପାରୁଥିଲା ମାଣିକ, ତାହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସନାତନ ।

 

ସେ ଡରିଯାଇ ଭାବିଲା- କାଳେସୀ ଲାଗିନାହିଁ ତ ?

 

କିନ୍ତୁ ସନାତନ ଭାବିଲା- ମାଣିକ କିଛି ତ ମିଛ କହିନାହିଁ । ବରଷ ବରଷ ଧରି ତାହାର ଚଉଦ ପୁରୁଷ ସାଆନ୍ତ ଘରେ ମୂଲଲାଗି ପେଟ ପାଳୁଛନ୍ତି । ତାଙ୍କରି ପଡ଼ିଆ ଜମିକୁ ଉଷତ କରିବାପାଇଁ, ରକତ ନିଗାଡ଼ି ତାଙ୍କରି ବଢ଼ତି ପାଇଁ କାମ କରି ଆସିଛନ୍ତି । ଦିନେ ହେଲେ ପ୍ରତିବାଦ କେହି କରିନାହାନ୍ତି । କାହିଁକି ଏତେ କାମ କରି ଉପାସ ରହେ କେହି ତାହା ନିଜକୁ ପଚାରି ନାହିଁ । ତାହାରି ପରି ତାହାର ବାପ, ଗୋସବାପ, ପଣଗୋସବାପ ସମସ୍ତେ କେବଳ ସକାଳୁ ସନ୍ଧ୍ୟାଯାଏ ବରଷଯାକ ଶୀତ, ଖରା, ବର୍ଷା ନ ମାନି ସାଆନ୍ତଙ୍କ ସୁଖ ଆଉ ସମୃଦ୍ଧି ପାଇଁ କାମ କରି ଆସିଛନ୍ତି ।

 

ଆଜି କିନ୍ତୁ ପ୍ରଥମଥର ପାଇଁ ତା’ର ମନରେ ପ୍ରଶ୍ନ ଜାଗିଲା । ମାଣିକ ପରିଷ୍କାର କରି ଏତେଦିନ ଧରି କହି ପାରୁ ନ ଥିବା କଥାଟିକୁ ଅଳପରେ କହି ପକାଇଲା ।

 

ନା, ମାଣିକକୁ କାଳେସୀ ଲାଗିନାହିଁ, ସେ ଭଲ ଅଛି । ଭୋକ ଉପାସରେ ଜାକିହୋଇ ରହିଥିବା ତା’ର ଉଛୁଳା ରୂପକୁ ଆଉ ଥରେ ଭଲକରି ଦେଖିନେଇ କହିଲା ସନାତନ- ମାଣେ ଜମି ଚାଷ କରିବାପାଇଁ, ନିଜ ଜମିରେ ନିଜେ ଚାଷ କରି ମନଫୁଲିଆ ଗୀତ ଗାଇବାପାଇଁ ମୋର ବି ମନ ହୁଏଲୋ ମାଣିକ ! ହେଲେ ଜମି କାହିଁ, ଜମା ନାହିଁ । ସାତପୁରୁଷକୁ ବନ୍ଧା ପଡ଼ିଛୁ..ମୁକ୍ତି କାହିଁ ?

 

ମୁକ୍ତିର ସୁଆଦ ଚାଖିବାପାଇଁ ମାଣିକ ଅସ୍ଥିର ହେଉଥିଲା । ନିଜ ପାଇଁ ବଖରାଏ ଘର, ମାଣେ ଜମି ହେଲେ ସେ କଅଣ ଆଜିଯାଏ କୋଳ ଖାଲି କରି ଏହିପରି ଶୂନ ହୋଇ ରହିଯିବାର ହାହାକାରକୁ ନିଜ ଭିତରୁ ଠେଲିପେଲି ବାହାର କରି ଦିଅନ୍ତା ନାହିଁ !

 

ଶୂନ ଆଗରେ କି ପଛରେ କିଛି ଯୋଗକରି ପାରିଲେ ସିନା ତା’ର ମୂଲ ବଢ଼ନ୍ତା !

 

ସାଆନ୍ତକୁ ଆଉଥରେ କହିବାପାଇଁ ସାହସ କରୁଥିଲା ସନାତନ ।

 

ସେ ସାପ ନୁହଁନ୍ତି କି ବାଘ ନୁହଁନ୍ତି ଯେ ଗିଳି ପକେଇବ କହିଲେ । ହୁଏତ କଥାଟା ମନକୁ ନ ପାଇଲେ ରାଗିଯାଇ ମାରିବେ ଚାପୁଡ଼ାଏ ବା ନନ୍ଦ ଗୁମାସ୍ତାକୁ କହି ମୂଲ ବନ୍ଦ କରିଦେବେ ପାଞ୍ଚଦିନ ।

 

ପାଞ୍ଚଦିନ ମୂଲ ନ ପାଇଲେ ସେ ଏବଂ ମାଣିକ ମରିଯିବେ ନାହିଁ । ପାଞ୍ଚଦିନ ନ ଖାଇ ମଣିଷ ମରିଯାଏ ନାହିଁ । ପୋଖରୀ କୂଳର ଅନାବନା ଶାଗ ଅଛି, ବଣରେ ଚେରମୂଳ ଅଛି ।

 

ଅନେକ ସମୟ ନୀରବରେ ବସିରହିଲେ ସ୍ୱାମୀ ସ୍ତ୍ରୀ । ମୁହଁ ଟେକି ଯେତେବେଳେ ସ୍ୱାମୀଆଡ଼କୁ ଚାହିଁଲା ମାଣିକ, ଦେଖିଲା ସନାତନ ତାହାରି ଆଡ଼କୁ ଅନେଇଛି । ଦୁହେଁ ଦୁହିଁଙ୍କୁ ଦେଖିଲେ ।

 

ପ୍ରତିଦିନ ଦୁହେଁ ଦୁହିଁଙ୍କି ଅନେକଥର ଦେଖୁଥିଲେ ବି ଏହି ଦେଖିବାରେ ନୂତନ କରି ଦେଖିବାର ସୁଆଦ ଥିଲା ଯେପରି ।

 

ସନାତନ ମାଣିକର ହାତଟିକୁ ଟାଣିନେଇ କହିଲା-ସପନ ଦେଖୁଛୁ ମାଣିକ ?

 

ଲାଜେଇଗଲା ସେ । ମୁହଁ ଉପରେ ଟିକିଏ ହସ ଖେଳାଇ କହିଲା ଧୀରେ ଧୀରେ-ସପନ ଦେଖିବାପାଇଁ ଭଲ ଲାଗେ ଯେ...

 

ତାକୁ ସାହସ ଦେବାପାଇଁ କହିଲା ସନାତନ-ହଁ, ମୋତେ ବି ସପନ ଦେଖିବାପାଇଁ ଭଲ ଲାଗେ । ସପନରେ ସୁନାର ଫସଲ ଅମଳ କରି ନିଜ ଘରକୁ ବୋହିଆଣେ, ସାଆନ୍ତଙ୍କ ଘର ନୁହେଁ ନିଜ ଘର ଖଣ୍ଡିକୁ ଛପର କରେ, ଆଉ...

 

ତାକୁ ରହିଯିବାର ଦେଖି କହିଲା ମାଣିକ- କହୁଁକହୁଁ ହଠାତ୍ ରହିଗଲ ଯେ...

 

ଆଉ ଦେଖେ ତୋ କୋଳ ପୂରେଇ ହସିଉଠୁଛି ଆଉ ଜଣେ- ବଡ଼ ସୁନ୍ଦର ଲୋ-ଯିମିତି ବଡ଼ି ଭୋର୍‌ରେ ଦିଶନ୍ତି ସୂରୁଯ ଦେବତା ।

 

ଲାଜେଇଗଲା ମାଣିକ ।

 

ତା’ର ସେହି ଲାଜମିଶା ମୁହଁ ଉପରେ କେତେ ସ୍ୱପ୍ନ, କେତେ ଆଶାର ତରଙ୍ଗ ମଥା ପିଟୁଥିଲେ ଆକୁଳ ଆବେଗରେ ।

 

ମାଣିକର ଅନ୍ତର ମହକି ଉଠିଲା । ସେ ଶିହରି ଉଠିଲା ଆନନ୍ଦରେ ଏବଂ ଭାବିଲା-ତାହାରି ପରି ତା’ହେଲେ ଏକା ସପନ ଦେଖେ-ଏକା କଥା ଭାବେ ସନାତନ !

 

ଏ ବରଷ ଭଲ ଫସଲ ହୋଇଥିଲା । ମାଣେ ଜମି ଚାଷ କରିଥିଲେ ବରଷଯାକ ଖାଇ ଥାଆନ୍ତେ ଦୁହେଁ । ପରିବା ପଟାଳିଟିଏ କରିଥିଲେ ଶାଗ ବାଇଗଣର ଅଭାବ ରହନ୍ତା ନାହିଁ ।

 

ଆଉ ଭାବିବାପାଇଁ ସାହସ କଲା ନାହିଁ ସନାତନ । ମାଣିକର ହସିଲା ମୁହଁ ଉପରୁ ଦୃଷ୍ଟି ଫେରେଇ ଆଣି ଧୀରେ ଧୀରେ କହିଲା ସେ-ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି-ସତ୍ୟଧର୍ମ ଅଛି । ଆମ କଥା ଦିନେ ହେଲେ କେହି ଭାବିବ ଲୋ ମାଣିକ !

 

-ମାନୁଛି । କିନ୍ତୁ କେବେ-ଆଉ କେତେ ଯୁଗ ପରେ ? ସାତପୁରୁଷର ବନ୍ଧକ ପାଊଣା ପରିଶୋଧ କରିବ କିଏ ?

 

-ସେ ଋଣ ପରିଶୋଧ ହୁଏନା ଲୋ ମାଣିକ ! ବରଗଛର ଚେର ପରି ତାହା ଲମ୍ବିଯାଏ ତଳକୁ ତଳକୁ । ତା’ର ଆରମ୍ଭ କେଉଁଠି ଆଉ ଶେଷ କେଉଁଠାରେ ଆଖିକୁ ଦେଖାଯାଏ ନାହିଁ ।

 

-ତା’ହେଲେ କଅଣ ସେଇ ବନ୍ଧକୀ ଜୀବନର ବୋଝ ବୋହି ବୋହି ଆମେ ବି ଶେଷ ହୋଇଯିବୁ-ଆମ କୋଳକୁ ଯିଏ ଆସିବ ସେ ବି...

 

ଆଉ କହି ନ ପାରି କୋହ ସମ୍ଭାଳି ନ ପାରି କାନ୍ଦି ପକାଇଲା ମାଣିକ ।

 

କ୍ଷଣକ ପାଇଁ ଅଧୀର ହୋଇପଡ଼ିଲା ସନାତନ । ତା’ପରେ ନିଜକୁ ସମ୍ଭାଳି ନେଇ ମାଣିକ ଉପରେ ହାତ ବୁଲାଇ କହିଲା ସେ ସ୍ପଷ୍ଟ ଭାଷାରେ-

 

ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି ଯେତେବେଳେ ସତ୍ୟ ଧର୍ମ ଅଛି-ଭଗବାନ ବି ଅଛନ୍ତି ଲୋ ମାଣିକ ! ଦେଖିବୁ ଏ ଦିନ ସବୁଦିନପାଇଁ ରହିବ ନାହିଁ । ନୂଆ ଦିନ ଆସିବ, ନୂଆ ମନ ବି ଆସିବ । ଆମେ ଦିନେ ଉଦ୍ଧରି ଯିବୁ ଏହି ନାଗଫାଶର କବଳରୁ ।

 

ମୁଗ୍‌ଧ ହୋଇ ତାହାରି ସାନ୍ତ୍ୱନାକୁ ପରମ ଆଗ୍ରହରେ ଗ୍ରହଣ କରୁଥିଲା ମାଣିକ । ବାହା ହୋଇ ଆସିବାର ପାଞ୍ଚବରଷ ପରେ ଆଜି ପ୍ରଥମ ଥର ପାଇଁ ସେ ଦେଖିଲା ସନାତନରେ ଆଉ ଗୋଟିଏ ଅଯୋଚିତ ଅଭିରାମ ରୂପ-ସେହି ରୂପ ଆଜନ୍ମ ବିଶ୍ୱାସରେ ବଳିଷ୍ଠ, ସତ୍ୟଧର୍ମ ଆତଯାତ ହଉଥିବା ଏହି ଦେଶର ମୁନିଋଷିଙ୍କ ପ୍ରତିଶ୍ରୁତି ବାଣୀରେ ସମୃଦ୍ଧ ।

 

ମଣିଷ ଯେଉଁ ପ୍ରତିଶ୍ରୁତି ଏଯାଏ ଅନନ୍ତକାଳରୁ ପାଇଆସିଥିଲା, ତାହା ଆଉ କେବଳ ପ୍ରତିଶ୍ରୁତି ହୋଇ ରହିବ ନାହିଁ । ପ୍ରତିପାଳନ ହେବ ପ୍ରକୃତିର ଧର୍ମ, ଯୁଗ ଯୁଗ ଧରି ଦିଆଯାଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟରେ ପରିଣତ କରିବାପାଇଁ ଯେଉଁ ପ୍ରବୁଦ୍ଧ-ପୁରୁଷ ଦେହ ଧରି ଆସିବ ଏଇ ପୃଥିବୀକୁ, ତାକୁ ମୂଢ଼ମତିରେ ନ ଚିହ୍ନି ପାରିଲେ ବି ମନେ ମନେ ସ୍ୱାଗତ ଜଣାଇଲା ସନାତନ ।

 

ବେଳ ହୋଇଯାଇଥିଲା । ସାଆନ୍ତଙ୍କ ଘରକୁ କାମ କରିବାପାଇଁ ତରତର ହୋଇ ବାହାରିଗଲା ସେ ।

 

ମାଣିକ ବସି ବସି ଆହୁରି କେତେ କଅଣ ଭାବିଲା; ଅନେକ ସ୍ୱପ୍ନ ଦେଖିଲା, ଅନେକ ଆଶାର ଅମୃତ ମାଖିହେଲା ଦେହରେ ମନରେ ।

 

ଅତୀତର ପ୍ରତିଶ୍ରୁତିକୁ ପାଳନ କରି କାର୍ଯ୍ୟକାରୀ କରିବାପାଇଁ ତା’ହେଲେ କେଉଁ ଏକ ଅମର-ପୁରୁଷ ଉଭା ହବ ଜଗତରେ । ତାହାରି ବାଣୀରେ ଉଦ୍‌ବୁଦ୍ଧ ହୋଇ ତାହାରି ଶକ୍ତିରେ ପ୍ରଚ୍ଛନ୍ନ ଭାବରେ ଯେଉଁ ଶକ୍ତି କାର୍ଯ୍ୟ କରୁଛି ତାକୁ ଦେଖିବାପାଇଁ କୃତାଞ୍ଜଳି ହୋଇ ପ୍ରାର୍ଥନା କଲା ମାଣିକ ।

 

ବେଳ ବୁଡ଼ୁଥିଲେ ବି ମନଟା କାହିଁକି ଆଗକୁ ନ ବଢ଼ି ପଛଆଡ଼କୁ ମୁହଁ ମୋଡ଼ି ପଡ଼ିରହିଲା ।

 

ସେ ଦେଖୁଥିଲା ସୁଖ ଏବଂ ଦୁଃଖ ଭିତରେ ଆତଯାତ ହେଉଥିବା ସାଧାରଣ ଜୀବନକୁ-। କେତେ ପରିବର୍ତ୍ତନ ହୋଇଛି ସମାଜର-କିନ୍ତୁ ସାଧାରଣ ମଣିଷ ବନ୍ଧନର ଯେଉଁ ନାଗଫାଶଦ୍ୱାରା ବନ୍ଦୀ ହୋଇଥିଲା ଶତାବ୍ଦୀର ଶୃଙ୍ଖଳ ମଧ୍ୟରେ ତହିଁରୁ ବାହାରି ଆସିବାର ବାଟ ପାଇନାହିଁ ।

 

ସନାତନ-ଆଉ ସେ ବି ସାଧାରଣ ମଣିଷ । ସାଧାରଣ ମଣିଷର ସ୍ନେହ ଓ ଶୋଣିତରେ ହୋରୀ ଖେଳି ଅଏସର ଶୀତତାପ-ନିୟନ୍ତ୍ରିତ ଘର ଭିତରେ ଲୀଳାଖେଳା କରୁଥିଲା ଆଉ ଏକ ଜୀବନ । ନିଜଦ୍ୱାରା ନୁହେଁ, ଅନ୍ୟଦ୍ୱାରା ପରିପୁଷ୍ଟ ହୋଇ ସେ ଭୋଗ କରୁଥିଲା ଧରଣୀର ସମସ୍ତ ସମ୍ପଦ । ତାହାରି ପାଖରେ ବନ୍ଧକ ପଡ଼ିଥିଲା ସାଧାରଣ ମଣିଷ । ତା’ର ସୁଖଦୁଃଖ, ସମ୍ପଦ ଓ ସମୃଦ୍ଧି ଆକାଶକୁ ଆଖି ପାଏନା । ସମୁଦ୍ରରେ ଗଭୀରତା ମାପି ହୁଏ ନାହିଁ ।

 

ଏତେ କଥା ଭାବିପାରେନାହିଁ ମାଣିକ । ଟିକିଏ ଭାବିଲେ ମଥାଟା ଘୂରିଯାଏ, ନିଜ ଭିତରେ କିଏ ଯେପରି ପ୍ରତିବାଦ କରି ତାକୁ ଉଠାଇ ଦେବାପାଇଁ ଚେଷ୍ଟା କରେ । ସେତେବେଳେ ଅସ୍ଥିର ଆଉ ଅଶାନ୍ତ ହୁଏ ମାଣିକ । କାରଣ ନ ଥାଇ ସନାତନକୁ ପାଖରେ ପାଇଲେ ସେତିକିବେଳେ ଶୁଣାଇଦିଏ ଅନେକ କିଛି ।

 

ସେ ଆଜି ବି ଅସ୍ଥିର ହଉଥିଲା । ଗୁମୁରୁଥିବା ଅସନ୍ତୋଷ ତାକୁ ଅଶାନ୍ତ କରିଥିଲା ।

 

ସନାତନ ବି ହୁଏତ ଏହିପରି ହେଉଥିବ । ନାଗଫାଶର ବନ୍ଧନରୁ ବାହାରକୁ ବାହାରି ଆସି ଚାରିପାଖରେ ପଡ଼ିରହିଥିବା ପରିବ୍ୟାପ୍ତ ପୃଥିବୀକୁ ଭଲ କରି ପରଖି ନବାପାଇଁ ଚେଷ୍ଟା କରିବ ।

 

ମାଣିକ ଆଉ ବିଳମ୍ବ କଲା ନାହିଁ । ଗାଧୋଇ ଆସି ଧୂପବତି ଜାଳିଲା, ଫୁଲ ଦେଲା ଜଗତ-ଜନନୀଙ୍କ ବରାଭୟ ପାଦତଳେ ।

 

ଆକୁଳ ହୋଇ ଟିକିଏ ଶାନ୍ତି ଏବଂ ସାନ୍ତ୍ୱନା ପାଇଁ ଅଳି କଲା ସେ ।

 

ଖଞ୍ଜା ଭିତରକୁ ପଶିଆସିଲାବେଳେ ପାଟି କରି କରି ଆସୁଥିଲା ସନାତନ । ମାଣିକ.ମାଣିକଲୋ.ଗଲୁ କୁଆଡ଼େ.ଶୀଘ୍ର ଶୁଣିଯା ।

 

ପ୍ରଣାମ ଶେଷ କରି ମୁହଁ ବୁଲାଇ ଚାଲିଲାବେଳକୁ ଦୁଆର ମୁହଁରେ ହସ ହସ ମୁହଁରେ ତା’ପାଇଁ ଅପେକ୍ଷା କରିଥିଲା ସନାତନ ।

 

ଏଇ ଅବେଳରେ ସାଆନ୍ତ ଘରୁ ଫେରି ଆସିବାର କାରଣ ନ ଥିଲା କିଛି ।

 

ସାଆନ୍ତେ କେବେ ଛୁଟି ଦିଅନ୍ତି ନାହିଁ । ତାଙ୍କ କାମରେ କୁଆଡ଼େ ଛୁଟି ନ ଥାଏ । ତା’ହେଲେ ?

 

-ଇମିତି ବଲବଲ କରି ଚାହିଁଛୁ କାହିଁକିଲୋ ? ଠାକୁରଙ୍କ ପାଖରେ କଅଣ ନିବେଦନ କରୁଥିଲୁ ଶୁଣେ ?

 

ମାଣିକ କହିଲା- ସେ କଥା କେହି କହେ ?

 

ତା’ର ମଧୁର ରୂପ ଆହୁରି ଚିକ୍କଣ ଦିଶିଲା ।

 

ସନାତନ ବି ପଲକ ନ ପଡ଼ୁଣୁ ଠାକୁରଙ୍କ ପାଖରେ ମଥା ନୁଆଁଇ, ବାହାରକୁ ଆସି କହିଲା ମାଣିକକୁ-ଆଜି ବଡ଼ ସଉଭାଗ୍ୟଲୋ ମାଣିକ !

 

ମାଣିକ ବୁଝିପାରୁ ନ ଥିଲା ।

 

-କାମରୁ ଛୁଟି କରିଦେଲେ ସାଆନ୍ତେ ?

 

ଅବାକ୍ ହୋଇ ସେ ପଚାରିଲା ।

 

-ହଁ, ଏଥର ସବୁଦିନ ପାଇଁ ଛୁଟି ପାଇଛି ।

 

ମାଣିକ ସ୍ତବ୍‌ଧ ହୋଇ ଛିଡ଼ାହୋଇ ରହିଲା ।

 

ତା’ର ଦୁଇ କାନ୍ଧରେ ହାତ ରଖି ହଲାଇ ଦେଇ କହିଲା ସନାତନ- ଉପରୁ ହୁକୁମ ଆସିଛି ଲୋ ମାଣିକ, ସାଆନ୍ତେ ଆଉ କାହାକୁ ବନ୍ଧକ ରଖି ପାରିବେନି ।

 

ସବୁ ଶୁଣୁଥିଲେ ବି ବିଶ୍ୱାସ କରିପାରୁ ନ ଥିଲା ମାଣିକ ।

 

ସନାତନ ବୁଝାଉଥିଲା ତାକୁ-ପୁରୁଷ ପୁରୁଷ ଧରି ବନ୍ଧା ପଡ଼ିଥିବା ମଣିଷକୁ ମୁକ୍ତି ଦେବାପାଇଁ ଉପରୁ ହୁକୁମ ଆସିଛି । ସେଇଯୋଗୁ ତ ଆଉ କେବେହେଲେ ସେ ତାଙ୍କ ଘରେ ଖଟିବ ନାହିଁ । ସେ ମୁକ୍ତି ପାଇଛି । ସତୁରିବର୍ଷ ତଳେ ପଚିଶଟି ଟଙ୍କାପାଇଁ ବନ୍ଧକ ପଡ଼ିଥିବା ତା’ର ଗୋସେଇଁ ବାପ ଏବଂ ଭବିଷ୍ୟତ ବଂଶଧର ସେ ବନ୍ଧନରୁ ଖଲାସ ହୋଇଯାଇଛନ୍ତି ।

 

ଏତିକିବେଳେ ଟିକିଏ ହସିଦେଇ କହିଲା ମାଣିକ-ତା’ହେଲେ ଆମର ଘର ହବ, ଚାଷ ବି ହବ-ନା ?

 

ହଁ ହଁ, ସବୁ ହବ ଲୋ ଏଥର । ମୋ ବାପ, ଗୋସେଇଁବାପ ଆଉ ମୁଁ ନିଜେ ବନ୍ଧକ ପଡ଼ିଥିଲୁ । ହେଲେ ତୋ କୋଳ ପୂରେଇ ମୋ ପୁଅ ଆଉ ବନ୍ଧା ପଡ଼ିବାପାଇଁ ଆସିବ ନାହିଁଲୋ ମାଣିକ । ସେ ସ୍ୱାଧୀନ ମଣିଷର ସୁଆଦ ଚାଖିବ, ସାଆନ୍ତଙ୍କ ଗୋଲାମ ନ ହୋଇ ଦେଶର ଗୋଲାମ ହବ ।

 

ମୁକ୍ତିର ନୂତନ ଆଲୋକରେ ଝଲସି ଉଠିଲା ଦୁହିଁଙ୍କର ମୁହଁ ଏବଂ ଦେହ । ନୂତନ ଜୀବନର ଶଙ୍ଖଧ୍ୱନିରେ ଜାଗିଉଠିଲେ ଦୁହେଁ ।

 

ଲାଜମିଶା ହସ ଟିକିଏ ତା’ ମୁହଁରୁ ଝରିପଡ଼ୁଥିଲାବେଳେ ତାକୁ ପାଖକୁ ଟାଣିନେଲା ସନାତନ ।

 

ଏତେଦିନର ପୁରୁଣା ମାଟି ଉପରୁ ମହ ମହ ଗନ୍ଧ ଉଠୁଥିବା ପରି ମନେକରୁଥିଲେ ଦୁହେଁ ।

Image

 

ପଥ ପ୍ରସାରିତ

 

ସହରତଳିର ଗୋଟିଏ ଅପନ୍ତରା, ଅପରିଚ୍ଛନ୍ନ ଗଳିର ଅବସ୍ଥା ଦେଖି ଶିହରି ଉଠିଲା ଶୈଳ । ପାରି ପାରି କୁଡ଼ିଆ-ଖପର, ଟାଇଲି ବା ଚାଳ ଛପର । ଅପ୍ରଶସ୍ତ ରାସ୍ତାର ଦୁଇକଡ଼ରେ ମଇଳା ପାଣି ଓ କାଦୁଅ । ସ୍ଥାନେ ସ୍ଥାନେ ପିଲାମାନେ ମଳତ୍ୟାଗ କରିବାର ସଦ୍ୟ ଆଭାସର ଅଭାବ ନାହିଁ । ମାଛି, ଡାଆଁଶ ଭଣଭଣ କରୁଛନ୍ତି । ଟିକିଏ ଦୂରରେ ମଲା ବିରାଡ଼ି ନାଳର ପଚା ପାଣିରେ ପଡ଼ି ପଚୁଛି । ଦୁର୍ଗନ୍ଧରେ ଭରପୁର ହୋଇଉଠୁଛି ସ୍ଥାନଟି । ନାକରେ ରୁମାଲ ଜାକି ଆଗେଇ ଚାଲିଲା ।

 

ଏଇ ହେଉଛି ଶ୍ରମିକ ବସ୍ତି । ବିଖ୍ୟାତ ସହରର ଅଖ୍ୟାତ ଅଞ୍ଚଳ ।

 

କେଉଁଠାରେ ପଚାସଢ଼ା ପରିବା, କେଉଁଠାରେ ମାଛକାତି, ପାଉଁଶ ବା ପିଆଜ ଚୋପା ପଡ଼ିଛି । ଗୋଟାଏ ପଚା ବିଲାତି ବାଇଗଣ ଚପଳ ତଳେ ମକଚି ଦେଇ ପାଦରେ ଛିଟା ଲାଗିବାରୁ ଆତଙ୍କରେ ଶିହିରି ଉଠିଲା ଶୈଳ-ନା, ଶାଢ଼ିରେ ଛିଟା ଲାଗିନି । ଅଳ୍ପକେ ରକ୍ଷା ପାଇ ଯାଇଛି । ପାଣି ! କାହିଁ ଧୋଇବା ପାଇଁ ? ନା, କେଉଁଠାରେ ପିଇବା ବା ଧୋଇବାପାଇଁ ପାଣିର ଟ୍ୟାପ ନାହିଁ-। ଲୋକଗୁଡ଼ାକ ତେବେ ଚଳନ୍ତି କିମିତି ? ଅଧିକ ସମୟ ଅପେକ୍ଷା କରିବାପାଇଁ ହେଲାନି । ଅଳ୍ପ ଦୂରରେ ଟିକିଏ ଫାଙ୍କା ସ୍ଥାନ ଦେଖିଲା ଡାହାଣ ପଟକୁ । ଛୋଟ ପୋଖରୀଟିଏ । ପାଣି ଉପରେ ନୀଳ ଆସ୍ତରଣ, ପତର ପଡ଼ିଛି ଠାଏ ଠାଏ । ଦଳ ଜମିଛି ଅନେକ ସ୍ଥାନରେ । ପାଣି ଜମି ଜମି ମଇଳା ହୋଇଯାଇଛି । ପବନରେ ପଚା ପାଣିର ଗନ୍ଧ ପାଇଲା ସେ । କେତେ ଜଣ ସ୍ତ୍ରୀଲୋକ ଲୁଗା ଧୋଉଥିଲେ । ଜଣେ ଦୁଇଜଣ ଗାଧୋଉଥିଲେ ପୋଖରୀ ତୁଠରେ । ଗୋଟିଏ କୋଣରେ ବୁଲା କୁକୁର ଗୋଟେ ପାଣି ପିଉଥିଲା ଚାକୁ-ଚାକୁ କରି ।

 

ନା, ଅସମ୍ଭବ । ଏ ପାଣିରେ ଗୋଡ଼ ଧୋଇବା ଅପେକ୍ଷା ପଚା ବିଲାତି ବାଇଗଣର ଛିଟା ପାଦରେ ଲାଗି ରହିବା ବୋଧେ ଅଧିକ ଶ୍ରେୟସ୍କର । ନାକରେ ରୁମାଲ ଜାକି ଆଗେଇ ଚାଲିଲା ଶୈଳ । ଆଉକିଛି ବାଟ ଗଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିଯିବ ।

 

କିନ୍ତୁ ହଠାତ୍ ଶୈବାଳ ସଙ୍ଗେ ଦେଖା ହୋଇଗଲା। ପ୍ରଥମେ ଆଖିକୁ ଆଦୌ ବିଶ୍ୱାସ କରିପାରିଲାନାହିଁ ସେ । ହତଚକିତ ଅବସ୍ଥାର ପ୍ରଥମ ଧକ୍କାଟା କଟିଗଲା ପରେ ସିଧା ଶୈବାଳର ମୁହଁକୁ ପୁଣିଥରେ ଭଲ କରି ଚାହିଁନେଲା । ନା, ଭୁଲ୍ ହୋଇନି । ଶୈବାଳ ପଟ୍ଟନାୟକ ତା’ ସମ୍ମୁଖରେ ସଶରୀରରେ ଦଣ୍ଡାୟମାନା । ମୁହଁରେ ମନଛୁଆଁ ହସରୁ ଚେନାଏ ଲାଗିରହିଛି । ଆଖିର ଚାହାଣିରେ ସ୍ୱପ୍ନ ଏବଂ ଦର୍ଶନର ଝଲକାଏ ଆସି ଦେହକୁ ଛୁଇଁଲା ଶୈଳର ।

 

ମନ ଅବନତି ହୋଇଗଲା; କିନ୍ତୁ ଶୈବାଳର ହସକୁ ହସଦ୍ୱାରା ପ୍ରତ୍ୟୁତ୍ତର ଦେଇପାରିଲା ନାହିଁ । କାହିଁକି କେଜାଣି ଆଜି ବୋଧହୁଏ ପ୍ରଥମ ଥର ପାଇଁ ତା’ ଆଗରେ ନିଜକୁ ଛୋଟ ମନେକଲା ଶୈଳ ।

 

‘‘ପଥ ଭୁଲି ଏଆଡ଼େ କିମିତି...’’

ଅପ୍ରତ୍ୟାଶିତ ଦର୍ଶନର ପ୍ରଥମ ଭାବଟିକୁ ଲାଘବ କରିବାପାଇଁ ପ୍ରଥମେ ପଚାରିଲା ଶୈବାଳ ।

 

‘‘ପଥ ଭୁଲି ତମେ ଏଆଡ଼େ କିମିତି...’’

 

ପାଲଟା ପ୍ରଶ୍ନ କଲା ଶୈଳ । ଦୁଷ୍ଟାମି କରିବାର ଇଚ୍ଛା ନ ଥିଲା; କିନ୍ତୁ ଶୈବାଳର ଶ୍ଳାଘା ଉପରେ ଆଘାତ ହାଣିଲେ ବେଳେ ବେଳେ ଭଲ ଲାଗେ ତାକୁ । ସବୁବେଳେ ସେ ତାକୁ ବିଜୟୀ ହେବାପାଇଁ ଛାଡ଼ିଦବ କାହିଁକି ?

 

କିନ୍ତୁ ଆହତ ନ ହୋଇ ତା’ ଆସିବାର କାରଣ ସମ୍ପର୍କରେ ସେ ଯେ ସମ୍ପୂର୍ଣ୍ଣ ଅବିଦିତ, ତାହା ପ୍ରକାରନ୍ତରେ ତା’କୁ ଜଣାଇ ଦେଇ ଧୀର ଏବଂ ଶାନ୍ତ କଣ୍ଠରେ କହିଲା-‘‘ଆସ । ରାସ୍ତା ଉପରେ ଛିଡ଼ାହୋଇ କଥା କୁହାଯାଏନା ।’’

 

ସେ କୌଣସି ଉତ୍ତର ଦେଲାନି । ଶୈବାଳ ଆଗେ ଆଗେ ଏବଂ ତା’ ପଛେ ପଛେ ପଦାଙ୍କ ଅନୁସରଣ କଲା ପରି ଆଗେଇ ଚାଲିଲା ଶୈଳ ।

 

ଗଳିର ମୋଡ଼ ଉପରେ ଛିଡ଼ାହୋଇ ଠିକ୍ ସାମ୍ନାର ଗୋଟିଏ ଛୋଟ ଟାଇଲ୍ ଘରକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା ଶୈବାଳ-‘‘ଅପାତତଃ ଏହି ମୋର ବାସସ୍ଥାନ । ଆପତ୍ତି ନ ଥିଲେ ଭିତରକୁ ଆସିପାର ।’’

 

ଆପତ୍ତି ଅଛି କି ନିଃସଂକୋଚରେ ଯାଉଛି, ଏହା ଦେଖିବାପାଇଁ କିନ୍ତୁ ଶୈଳର ମୁହଁକୁ ଫେରି ପଡ଼ି ଦେଖିଲା ନାହିଁ ଶୈବାଳ । ଟିକିଏ ଆଗେଇ ଯାଇ ଦରଜାର ତାଲା ଖୋଲିଦ୍ୱାର ପ୍ରାନ୍ତରେ ନୂତନ ଅତିଥିଙ୍କୁ ସ୍ୱାଗତ ଜଣାଇବାପାଇଁ ଛିଡ଼ାହୋଇ ରହିଲା ।

 

ଦ୍ୱିଧା ନ କରି ଶୈଳ ଭିତରେ ପ୍ରବେଶ କରୁ କରୁ କହିଲା-‘‘ଏଇ କୃଚ୍ଛ୍ର ସାଧନା ଜାଣି ବରଣ କରି ନେଇଛ କେଉଁ ଉଦ୍ଦେଶ୍ୟ ସାଧନ ପାଇଁ, ଜାଣିବାରେ କ୍ଷତି ଅଛି କି ?’’

 

କିନ୍ତୁ ଉତ୍ତର ଶୁଣିବାପାଇଁ ଅପେକ୍ଷା ନ କରି ପ୍ରାୟ ସଙ୍ଗେ ସଙ୍ଗେ ନିଜ ପ୍ରଶ୍ନର ଉତ୍ତର ଦେଲା ଶୈଳ-‘‘ମୋ ପାଖରୁ ମୁକ୍ତି ପାଇବାପାଇଁ; କିନ୍ତୁ କହ ତ ମୁଁ କ’ଣ ତୁମର ଅନିଚ୍ଛା ସତ୍ତ୍ୱେ ତୁମକୁ ବାନ୍ଧି ରଖିପାରିଥାନ୍ତି ?’’

 

ଯେଉଁ ଦୃଢ଼ତା ନେଇ ପ୍ରଶ୍ନ ପଚାରିଥିଲା ସେହି ଦୃଢ଼ତା, କିନ୍ତୁ ନିଜର ଅଯାଚିତ ଉତ୍ତର ମଧ୍ୟରେ ଫୁଟାଇ ପାରିଲା ନାହିଁ ଶୈଳ । ଶେଷ କଥା ପଦକର କରୁଣତାରେ ସେ ନିଜେ ଶିହରି ଉଠିଲା ।

 

ଉତ୍ତର ନ ଦେଇ ଶାନ୍ତ କଣ୍ଠରେ କହିଲା ଶୈବାଳ-‘‘ବସ ! ଚା’ର ସରଞ୍ଜାମ ଆଣିଦଉଛି-। ଦୁଇ କପ୍ ଚା’ କଲେ ଅନ୍ତତଃ ଦୁହେଁ ପିଇପାରିବା ବର୍ତ୍ତମାନ ।’’

 

ସେ ସବୁଦିନ ଏହିପରି । ଉତ୍ତର ନ ଦେଇ ଏଡ଼ାଇଯାଏ । ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଶେଷରେ ଶ୍ରାନ୍ତି ଅନୁଭବ କରେ ଶୈଳ । ଆଜି କେଇ ମାସର ବ୍ୟବଧାନରେ ସେଇ ପ୍ରକୃତିକୁ ପାସୋରି ଯାଇନାହିଁ ସେ; କିନ୍ତୁ ସବୁଦନି କ’ଣ ସବୁ ପ୍ରଶ୍ନର ସମାଧାନ ଉତ୍ତର ନ ଦେଇ ଏଡ଼ି ଯାଇପାରିବ ଶୈବାଳ-ମନକୁ ମନ ପ୍ରଶ୍ନ କଲା ଶୈଳ ।

 

ଷ୍ଟୋଭ, କେଟି୍ଲ, ଚାହାଡ଼ିବା, ଗୁଣ୍ଡଦୁଧ, ଚିନି କପ୍ ଓ ପ୍ଳେଟ ଦୁଇଟି ଆଣି ସାମ୍ନାରେ ରଖିଲା ସେ । କୋଠରିର ଏକ କୋଣରେ ଗୋଟିଏ ପାଣିସୁରେଇ, ପାଖରେ କେଇଟିସିଲ୍‌ଭର ବାସନ ଓ ରାନ୍ଧିବା ସାମଗ୍ରୀ । ପରିପାଟୀ ଦେଖି ଆଖିରେ ଲୁହ ଆସିଲା ଶୈଳର । ଯେଉଁ ସୁଯୋଗ ତା’ର ହୋଇଥାନ୍ତା, ତାହା ନିଜ ହାତରେ ତୁଲାଇ ନେଉଛି ଶୈବାଳ । ନିଜକୁ କିନ୍ତୁ ପରକ୍ଷଣରେ ସଂଯତ କରିନେଲା ସେ । ମୁହୂର୍ତ୍ତରେ ଯେଉଁ ସୁଯୋଗ ଟିକକ ପାଇଛି ସେ ସେବା କରିବାପାଇଁ, ତାହା ତା ପକ୍ଷରେ କ’ଣ କମ୍ ଗୌରବର କଥା !

 

ଏଇ ଶୈବାଳ ପାଇଁ ସବୁ କରିପାରିବ ସେ; ସବୁ ଦେଇପାରିବ । ତା’ପାଖରେ ଅକୁହା କିଛି ନାହିଁ, ଅଶୁଣା କିଛି ଥାଇ ନ ପାରେ । ଦିନେ ବିଶ୍ୱବିଦ୍ୟାଳୟର ଲାବୋରେଟାରୀରେ ଗୋଟାଏ ଏକ୍ସପେରିମେଣ୍ଟ କରୁ କରୁ ଟିକିଏ ଭୁଲ କରିଥିଲା ଶୈଳ । ତାକୁ ନିର୍ଭୁଲ ଉପାୟ କହି ଦଉଁ ଦଉଁ ଟିକିଏ ହସି କହିଥିଲା ଶୈବାଳ-‘‘ମୁଁ ପାଖରେ ଥିଲେ ତମେ ଜାଣି ଜାଣି ଭୁଲ୍ କର, ନା ?’’

 

ତା ମୁହଁକୁ ଲଜ୍ଜାରେ ସେତେବେଳେ କିନ୍ତୁ ଚାହିଁ ପାରି ନ ଥିଲା ସେ । କେବଳ ଆନତ ଚକ୍ଷୁର ଅବନତ ଦୃଷ୍ଟି ଦେଇ କହିଥିଲା, ‘‘ଏଇ ଟିକକ ପାଖାପାଖି, ସାନ୍ନିଧ୍ୟପାଇଁ କ’ଣ ମୁଁ ଉପଯୁକ୍ତ ନୁହେଁ ଶୈବାଳ !’’

 

ଶୈବାଳ ଅନ୍ତର୍ଯ୍ୟାମୀ ନୁହେଁ; କିନ୍ତୁ ସେ ଦିନ କେଜାଣି କାହିଁକି ବୁଝିପାରିଥିଲା ଶୈଳର ଅନ୍ତରତମ ଅନ୍ତଃସ୍ଥଳରେ ନିଗୂଢ଼ ଆତ୍ମ ଯାତନା । ଗ୍ୟାସ୍‌ସୁଇଚ୍‌ଟା ଟିପି ଦଉଁ ଦଉଁ ଶୈଳର କନିଷ୍ଠ ଆଙ୍ଗୁଳି ଉପରେ ଟିକିଏ ଚାପ ଦେଇ କହିଥିଲା ଶୈବାଳ, ‘‘ଶୋଚନା କର ନା, ମୁଁ ଥିଲେ ନିର୍ଭୟରେ ପଥ ଚାଲିପାରିବ ତୁମେ ।’’

 

ସେଦିନ ତା’ ମୁହଁକୁ ଚାହିଁ ଭସା ଭସା ସ୍ୱପ୍ନର ଇସାରା ପାଇଥିଲା ଶୈଳ । ଆଶା ଏବଂ ସ୍ୱପ୍ନ, ସଂଗ୍ରାମ ଏବଂ ସାର୍ଥକତା ଶୈବାଳର ଆଖିର ଚାହାଣିରେ, ମୁହଁର ହସରେ ଏବଂ ଦେହର ପୌରୁଷରେ ଲାଗି ରହିଥିଲା ଯେପରି । ସେହିଦିନୁ ତା’ଉପରେ ପରମ ବିଶ୍ୱାସର ସହିତ ନିର୍ଭର ନିର୍ଦ୍ଦେଶ କରି କହିଲା ଶୈବାଳ- ‘‘ଆପାତତଃ ଏହି ମୋର ବାସସ୍ଥାନ; ଆପତ୍ତି ନ ଥିଲେ ଭିତରକୁ ଆସିପାର ।’’

 

ହୁଏତ ହୋଇପାରିବ । ଏବେବି ସମୟ ଅତିକ୍ରାନ୍ତ ହୋଇଯାଇନାହିଁ । ହୁଏତ ନ ହୋଇବି ପାରେ; କିନ୍ତୁ କାହିଁକି ସେ ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ଜଳାଞ୍ଜଳି ଦେଇ ବାଛି ନେଇଛି ଏଇ ପଥ ? ସ୍ୱେଦ ଏବଂ ସଂଗ୍ରାମ ବ୍ୟତୀତ ଏଠାରେ ଆଉ କ’ଣ ଥାଇପାରେ ? ମଣିଷର ପ୍ରଗଲ୍ଭ ଜୀବନ ସ୍ରୋତରେ ସ୍ୱଚ୍ଛଳତା ପୁଷ୍କରିଣୀର ସ୍ଥିର ଜଳର ଅପରିଚ୍ଛନ୍ନତାରେ ଆସିବ କେଉଁଠୁ ? ବାପା ତାକୁ କହିଥିଲେ, ଭାବିଚିନ୍ତି ଜୀବନସାଥୀ ନିର୍ବାଚନ କରିବାପାଇଁ; ଭାବପ୍ରବଣତାରେ ଭାସି ନ ଯାଇ, ଭାବ ମଧ୍ୟରେ ଅଭାବର ମାତ୍ରାଟା ପରଖି ନେବାପାଇଁ । କିନ୍ତୁ ସ୍ପୃହା ନ ଥିଲା ତା’ର । ଯାହାକୁ ଭଲପାଇଛି, ତା’ର ଦୋଷ-ଦୁର୍ବଳତା ଦେଖି ଭଲ ପାଇନି, ଭଲପାଇଛି ତା’ ଭିତରର ପୌରୁଷ ପାଇଁ । ଦୋଷ ଥାଇପାରେ, ରହିବା ସ୍ୱାଭାବିକ; କିନ୍ତୁ ପଙ୍କ ମଧ୍ୟରୁ ପୁଣି ତ ପଙ୍କଜର ଜନ୍ମ ହୁଏ । ପଦ୍ମ ତୋଳିବାପାଇଁ ଇଚ୍ଛା ଥିଲେ ପଙ୍କ ଭିତରକୁ ପଶିବାପାଇଁ ଡରିଲେ ଚଳିବ କିମିତି !

 

ସେ ପ୍ରାୟ ବର୍ଷକ ଆଗର କଥା । ଏଇ ବର୍ଷକର ବ୍ୟବଧାନରେ ମହାନଦୀର ବୁକୁ ଭରି କେତେ ପାଣି ବୋହିଯାଇଛି ସାଗର ବକ୍ଷକୁ । ତା’ର ହିସାବ କେହି ରଖିନି, ରଖିବାର ଆବଶ୍ୟକତା ହୁଏତ ହୋଇନି; କିନ୍ତୁ ପ୍ରତିଟି ଦିନ, ପ୍ରତିଟି ମୁହୂର୍ତ୍ତ ମୂର୍ତ୍ତ ହୋଇରହିଛି ଶୈଳର ଅନ୍ତର ମଧ୍ୟରେ । ସେ ମାସ, ସପ୍ତାହ, ଦିନ, ଘଣ୍ଟା, ମିନିଟ୍ ଓ ସେକେଣ୍ଡର ଟିକ୍‌ଟିକ୍ ଶବ୍ଦ ଅବିକଳ ଶୁଣିପାରିଛି ନିଜ ହୃଦୟର ସ୍ପନ୍ଦନ ମଧ୍ୟରେ । ଚେହେରାର ଶିହରଣ ସତ୍ତା ଭିତରେ ସେ ଅନୁଭବ କରିଛି ଶୈବାଳର ଅନୁପସ୍ଥିତି । ବୁଝିପାରିଛି ତା’ ଜୀବନର ସର୍ବସ୍ୱ କେଉଁଠାରେ । କିନ୍ତୁ ଶୈବାଳ ସେଇ ଯେ ଯାଇଛି, ଫେରିଆସିନାହିଁ ।

 

କିନ୍ତୁ ସେଥିପାଇଁ ସ୍ଥିର ହୋଇ କ’ଣ ବସିରହିଥିଲା ଶୈଳ ? ବହୁତ ଖୋଜା-ଲୋଡ଼ା କରିବା ପରେ ଆଜି ତା’ର ସନ୍ଧାନ ପାଇଛି । ସ୍ମୃତି ଓ ଚେତନାର ରାଜପଥ ଉପରେ ତାକୁ ଫେରିପାଇଛି । ଅନ୍ତଲୋକରେ ଅପରୂପ ଉଜ୍ଜ୍ୱଳତା ଏବଂ ଆନନ୍ଦ ଅନୁଭବ କରୁଥିଲା ସେ । ହୁଏତ ଆମେରିକା ଆବିଷ୍କାର କରି କଲମ୍ବସ ଏତେ ଆନନ୍ଦ ପାଇ ନ ଥିବେ ।

 

-‘‘ବସିରହିଲେ ସେ..ମୁଁ ତା ହେଲେ ଚା’ କରେ...’’ ଲାଜେଇ ଗଲା ଶୈଳ ନିଜର ଅନ୍ୟମନସ୍କତା ଯୋଗୁଁ ।

 

‘‘ନା ନା, ମୋତେ ଅନ୍ତତଃ ଏ ସୁଯୋଗରୁ ବଞ୍ଚିତ କରିବ ନାହିଁ ଆଶାକରେ ।’’

 

କହୁ କହୁ ଆଶାଝରା ଚାହାଣି ନେଇ ଶୈବାଳର ମୁହଁକୁ ଚାହିଁଲା ଶୈଳ । ତା’ପରେ ସେ ଷ୍ଟୋଭ ଜାଳିଲା । କେଟିଲରେ ପାଣି ଢାଳି ଷ୍ଟୋଭ୍ ଉପରେ ବସାଇଲା । ଗୋଟାଏ ସାମୟିକ ପତ୍ରିକାର ପୃଷ୍ଠା ଓଲଟାଉଥିଲା ଶୈବାଳ ।

 

‘‘କେମିତି ଅଛ...’’

 

ପତ୍ରିକାର ପୃଷ୍ଠା ଉପରୁ ଆଖି ଅପସାରଣ ନ କରି ପଚାରିଲା ସେ ।

 

ତା ମୁହଁକୁ ସିଧା ଚାହିଁଲା ଶୈଳ । ସତରେ କ’ଣ ଜାଣିବାପାଇଁ ଚାହେଁ ଶୈବାଳ ସେ କିପରି ଅଛି, କ’ଣ କରୁଛି...

 

‘‘କିଛି କହୁନ ଯେ ?’’

 

ପୂନର୍ବାର ଅନୁନୟ କଲା ଶୈବାଳ ।

 

‘‘ଭଲ, ଅନେକ ଭଲ...’’

 

କମ୍ପିତ ଅଧର ମଧ୍ୟରୁ ଭଙ୍ଗା ଭଙ୍ଗା କଣ୍ଠରେ ଏଇ ପଦକ କେବଳ କହିପାରିଲା ଶୈଳ ।

 

‘‘ମିଛ କଥା-’’

 

ତା ଆଖିର କ୍ରନ୍ଦସୀ ଦୃଷ୍ଟିକୁ ଅବରୋଧ କରି କହିଲା ଶୈବାଳ ।

 

‘‘ତୁମେଇ କ’ଣ କେବଳ ସତ କହ ଦୁନିଆରେ !ମୁଁ ତ ତୁମପରି ଆତ୍ମପ୍ରବଞ୍ଚନା କରିନି-? ଭିତରେ ଯାହା, ବାହାରେ ଅନ୍ୟ ଭାବରେ ତାହା ପ୍ରକାଶ କରିନି ।’’

 

ତା’ର ଉତ୍ତର ପାଇଁ ନୁହେଁ, କଣ୍ଠ ରୂଢ଼ତାରେ ଟିକିଏ ମର୍ମାହତ ହେଲା ଶୈବାଳ; କିନ୍ତୁ ଏହା ସେ ତ ପ୍ରତ୍ୟାଶା କରିଥିଲା । ନିଜକୁ ସଂଯତ ଓ ସମାହିତ କରି ନେଇ ଅନୁଚ୍ଚ କଣ୍ଠରେ କହିଲା ସେ, ‘‘ଏ କିନ୍ତୁ ତୁମ ଅନ୍ତରର କଥା ନୁହଁ ।’’

 

‘‘ଅନ୍ତରର କଥାଟା କ’ଣ ତେବେ ଶୁଣେ ?’’

ଅଭିମାନିନୀର ଝଙ୍କାର ତୋଳି କହିଲା ଶୈଳ ।

କିନ୍ତୁ ଉତ୍ତର ଦେଲାନି ଶୈବାଳ । ଶୈଳକୁ ସେ ଜାଣେ, ତା’ର ପ୍ରତ୍ୟେକ କଥା ବୁଝେ; କିନ୍ତୁ କ’ଣ ସେ କରିପାରିବ ଆଜି ! ଦୁହେଁ ନିକଟକୁ ଆସୁ ଆସୁ ଦୂରକୁ ଚାଲିଯାଇଛନ୍ତି । ଦୁହିଁଙ୍କର ଚଲାପଥ ଅଲଗା ହୋଇଯାଇଛି.. । ଶୈଳ ଅଧ୍ୟାପିକା, ଆଉ ସେ ଜଣେ ନଗଣ୍ୟ ସାଧାରଣ କର୍ମୀ ।

ଦୁଇଟି ମଣିଷର ଦୁଇଟି ପଥ । କିନ୍ତୁ ଦୁଇ ପଥର ମିଳନ କ’ଣ ଆଗ ଛକରେ ହବାର ସମ୍ଭାବନା ନାହିଁ ? ମନକୁ ମନ ପ୍ରଶ୍ନ କଲା ଶୈବାଳ ।

ଚା’ କପ୍‌ଟା ହାତକୁ ବଢ଼ାଇ ଦଉଁ ଦଉଁ ତା ଅଙ୍ଗୁଳିରେ ସ୍ପର୍ଶ ଲାଗିଲା ଶୈଳର ଅଙ୍ଗୁଳିରେ-

ମୁହୂର୍ତ୍ତେ କିମିତି ଥରିଉଠିଲା ସେ-ଯେପରି ଥରିଉଠେ ୟା କୋହାମାର ପର୍ବତ ଶିଖର ଆସନ୍ନ ଭୂମିକମ୍ପ ପୂର୍ବରୁ ।

କିନ୍ତୁ ସମ୍ଭାଳି ନେଲା । ଚା’ରେ ଚୁମୁକ ଦେଇ କହିଲା- ‘‘ବାଃ, ବେଶ୍ କରିଛ ତ ! ବହୁଦିନ ପରେ ଭଲ ଚା’ କପେ ମିଳିଲା ଆଜି ।’’

ଲକ୍ଷ୍ୟ କଲା ଶୈଳ, ଶୈବାଳର ମୁହଁ ଉପରେ ସଦା ପ୍ରସନ୍ନ ହସର ଲହରୀ ଉପୁଚି ପଡ଼ୁଚି ।

ଛୁଆଁ ଲାଗିଲା ମନରେ ଓ ଦେହରେ । କିମିତି କେଜାଣି ପୁଣିଥରେ ଉଲୁସି ଉଠିଲା ଶୈଳ । ଶୈବାଳର ଏଇ ହସକୁ ଯେତିକି ଭଲପାଏ, ସେତିକି ଡରେ ସେ । ଏଇ ହସଟିକକ ଦେଇ ତ ସେ ତା’ର ସର୍ବସ୍ୱ ଜୟ କରି ନେଇଛି । ଏଇ ପ୍ରସନ୍ନତା’ର ବୀରଦେଶରେ ତା’ର ଅରକ୍ଷିତ ଅନ୍ତଃସ୍ଥଳରେ ଅସୀମ ଯାତନା ଆତ୍ମନିବେଦନ କରିଛି ବାରମ୍ବାର...

 

ଆଉ ଆଜି !

 

ଆଜି କି କ’ଣ ତା’ହେଲେ ଶୈବାଳ ଚାହେଁ ତାକୁ ? ଭଲ ପାଏ ପୂର୍ବ ପରି ?

 

‘‘ଏଇ ତ ଏଠାକୁ ଆସିବାର ସପ୍ତାହେ ମଧ୍ୟ ହୋଇନି, କିନ୍ତୁ ତୁମେ ମୋର ଠିକଣା କିମିତି ପାଇଲ ଯେ...’’

 

କହିଲା ଶୈବାଳ ।

 

‘‘ମଣିଷର ଠିକଣା ଜାଣିବା କ’ଣ ଏତେ କଷ୍ଟ ?’’

 

କପ୍ ଓ ପ୍ଳେଟଗୁଡ଼ାକୁ ଧୋଉ ଧୋଉ କହିଲା ଶୈଳ ।

 

‘‘ବହୁ ଭାବିଚିନ୍ତି ଶେଷରେ ଏଇ ପଥ ବାଛି ନେଲି ।’’ ତାକୁ ବୁଝାଇବାପାଇଁ କହିଲା ଶୈବାଳ ।

 

‘‘କେଉଁ ପଥ ? ଅପନ୍ତରା ଏହି ସହରତଳିର ପଚାସଢ଼ା ଗନ୍ଧରେ ତୁମେ କ’ଣ ସତରେ ପଥ ପାଇପାରିବ ?’’

 

‘‘ହୁଏତ ପାଇବି, ହୁଏତ ନାହିଁ । ନିଷ୍ଠାର ସହିତ ଉଦ୍ୟମ କରିଯିବି । ଯେଉଁମାନେ ଏଇ ଅପନ୍ତରା ଭିତରେ ପଡ଼ିରହିଛନ୍ତି, ଏଇ ପଚାସଢ଼ା ଓ ପୁତିଗନ୍ଧମୟ ବାତାବରଣ ଭିତରେ ରହି ରହି ଜୀବନର ସୁଆଦଟିକକ କି ପାଇ ପାରୁନାହାନ୍ତି, ସେମାନଙ୍କୁ ଆଉକିଛି ନ ହେଉ, ବଞ୍ଚିବାପାଇଁ ଶିଖାଇ ପାରିଲେ ମୁଁ ଧନ୍ୟ ହେବି ଶୈଳ ।’’

 

ସେ ଚାହିଁଲା ଶୈବାଳର ମୁହଁକୁ ସେଇ ମୁହଁରେ ନୂତନ ଅଥଚ ମନଛୁଆଁ ପୁରାତନ ହସର ଅନ୍ତରାଳରେ ନୂତନ ଆତ୍ମପ୍ରତ୍ୟୟ ଏବଂ ଦୃଢ଼ତାର ଆଭାସ ଦେଖିଲା ସେ ।

 

‘‘ଏଇ ଲକ୍ଷ୍ୟର କ’ଣ ଗୋଟିଏ ପଥ ଶୈବାଳ ?’’

 

ଦ୍ୱିଧା ନ କରି ପଚାରିଲା ଶୈଳ ।

 

‘‘ହଁ, ଯେଉଁମାନେ ଅସହାୟ ଏବଂ ବଞ୍ଚିତ, ଜୀବନଭାର ସହି ସହି ଯେଉଁମାନେ କୂର୍ମ ପାଲଟି ଯାଇଛନ୍ତି, ସେମାନଙ୍କ ମଧ୍ୟରେ ଆଶା, ସ୍ୱପ୍ନ ଏବଂ ସାର୍ଥକତା’ର ସଞ୍ଚାର କରିବାପାଇଁ ହେଲେ ସେମାନଙ୍କ ପାଖରୁ ଅଲଗା ରହିଲେ ଚଳିବ କିମିତି ?’’

 

ତା’ ସରଳ କଥାର ସାରତତ୍ତ୍ୱ ବୁଝିପାରିଲା ଶୈଳ । ଉଷର ଭୂଇଁରେ ଫୁଲ ଫୁଟାଇବାପାଇଁ ଉଦ୍ୟମ ଓ ତ୍ୟାଗର ପ୍ରୟୋଜନ । ଶୁଖିଲା ମୁହଁରେ ହସର, କୋଟରାଗତ ଆଖିରେ ସ୍ୱପ୍ନର ଏବଂ ମାଂସହୀନ ଦେହରେ ସ୍ୱାସ୍ଥ୍ୟର ଦୀପ୍ତି ଫୁଟାଇବାପାଇଁ ହେଲେ ଶୈବାଳର ଅନ୍ୟତ୍ର ରହିବା ଅସମ୍ଭବ ।

 

‘‘କିନ୍ତୁ ଏଇ ପଥରେ ବହୁ କଷ୍ଟ, ବହୁ ନିର୍ଯ୍ୟାତନା ଭୋଗ କରିବା ବ୍ୟତୀତ କୃଚ୍ଛ୍ରସାଧନ ଏବଂ ତିତିକ୍ଷା ମଧ୍ୟରେ ତୁମର ମୁକୁଳିତ ବ୍ୟକ୍ତିତ୍ୱର ବିଲୟ କି ହୋଇପାରେ ଶୈବାଳ !’’

 

ଚେନାଏ କରୁଣ ହସ ଓଠପ୍ରାନ୍ତରେ ଖେଳାଇ କହିଲା ଶୈବାଳ-‘‘ତୁମେ ଯାହାକୁ କୃଚ୍ଛ୍ର ସାଧନ ଭାବୁଛ, ମୁଁ ଭାବୁଛି ତାହାହିଁ ତ ସଂକଳ୍ପ ସାଧନାର ପନ୍ଥା । ତପସ୍ୟା କେବଳ ଭଲ ଉଦ୍ଦେଶ୍ୟ ପାଇଁ କରାଯାଏ ଶୈଳ, ମନ୍ଦ ପାଇଁ ନୁହେଁ । ଭଲ କରିବାର ଉଦ୍ୟମ କର, ଆନନ୍ଦ ପାଇବ ।’’

 

ଛୋଟ ଝରକାଦେଇ ବାହାରକୁ ଚାହିଁଲା ଶୈଳ । ଦିନ କେତେବେଳେ ଶେଷ ହୋଇ ସନ୍ଧ୍ୟା ନଇଁଆସିଛି ଧରଣୀ ଉପରେ । ସହରତଳିର ଅପନ୍ତରା ଗଳିରେ ସୂର୍ଯ୍ୟୋଦୟ ଯେପରି ଏହାର କୁତ୍ସିତ ନଗ୍ନତାକୁ ଅଧିକ ତୀବ୍ରଭାବରେ ପ୍ରକାଶ କରେ, ସାୟାହ୍ନ ସେହିପରି ନିଜର ଛାୟା ଦେଇ ଘୋଡ଼ାଇ ରଖେ ଏହାର କୁତ୍ସିତ ରୂପକୁ । ଏଠାରେ ସୂର୍ଯ୍ୟୋଦୟର କୋଳାହଳ ଅଛି, କିନ୍ତୁ ସୂର୍ଯ୍ୟାସ୍ତର ବିଳାସ ନାହିଁ । ଜୀବନର ସ୍ଥିତି ଅଛି; ସଞ୍ଚାର ନାହିଁ ।

 

ଏହି ସଞ୍ଚାର ନ ହେଲେ, ସ୍ଥିତିଶୀଳତା ମଧ୍ୟରେ ପୋଖରୀର ପାଣି ପରି ମଇଳା ହୋଇଯାଏ ଜୀବନ । ସେଥିପାଇଁ ଜନଯାତ୍ରାର ନାୟକ ହେବ ଶୈବାଳ ପଟ୍ଟନାୟକ । ବିଜୟ ନ ଆସୁ, ପରାଜୟ ଯେ ଏ ଯାତ୍ରାର ପରିଣତି ହୋଇପାରେନା, ଏହା ଅବଧାରିତ ।

 

ମନରେ ଆଉ ସଂଶୟ ନ ଥିଲା ଶୈଳର । ସେ ଉଠି ଛିଡ଼ାହୋଇ କହିଲା-‘‘ତେବେ ଆସୁଛି ଆଜି । ବସୁ ବସୁ ସନ୍ଧ୍ୟା ହୋଇଗଲା ।’’

 

‘‘ଯଦି ଭଲଲାଗେ ପାଖକୁ ନ ଆସ, ଦୂରରୁ ଅନ୍ତତଃ ଏମାନଙ୍କ କଥା ଭାବିବ ଟିକିଏ...’’

 

କାହିଁକି କେଜାଣି ତାକୁ ଆଗେଇ ଦଉଁଦଉଁ କହିଲା ଶୈବାଳ ।

 

ପଛକୁ ଫେରି ଚାହିଁଲା ଶୈଳ । ଅଭିମାନ, ଅଭିଯୋଗ ନ ଥିଲା ଆଉ । ଅବାରିତ ଭଲପାଇବାର ସ୍ୱାକ୍ଷର ବହନ କରି ଦୁଇବିନ୍ଦୁ ଅଶ୍ରୁ ଢଳଢଳ ହେଉଥିଲା ତା’ ଚକ୍ଷୁକୋଣରେ । ଅନ୍ଧକାରରେ କିନ୍ତୁ ତାହା ଦେଖିପାରିଲା ନାହିଁ ଶୈବାଳ ।

 

‘‘ଭାବିବି, ବହୁତ ଭାବିବି । ଆଜି ଆସୁଛି ତା’ହେଲେ...’’ ଆଗେଇ ଯାଉଁ ଯାଉଁ ସାନ୍ତ୍ୱନା ଦେଲା ପରି କହିଲା ଶୈଳ ।

 

ସହରତଳିର ଅପନ୍ତରା ବସ୍ତିରେ ସେଦିନ ବି ସବୁଦିନ ପରି ସନ୍ଧ୍ୟା ହୋଇଥିଲା । ଦୂରରେ ଦୂରରେ ମ୍ୟୁନିସିପାଲିଟିର ବତିଖୁଣ୍ଟରେ କିରାସିନି ଆଲୋକରେ ନିଷ୍ପ୍ରଭ, ଅନୁଜ୍ଜ୍ୱଳ ବତି କେଇଟି କେବଳ ପଥଚାରୀକୁ ଜୀବନର ଆଭାସ ଦେଉଥିଲେ ମାତ୍ର ।

 

ଆଗେଇ ଚାଲିଲା ଶୈଳ ।

 

ଆସିବା ବେଳର ଅପ୍ରଶସ୍ତ, ଅପରିଚ୍ଛନ୍ନ ଏବଂ ପୂତିଗନ୍ଧମୟ ରାସ୍ତାଟି ଯିବାବେଳକୁ ପ୍ରସରି ଯାଇଥିଲା ରାଜପଥର ଗୌରବ ନେଇ । ଅନ୍ଧକାର ମଧ୍ୟରେ ଆଲୋକର ଉଜ୍ଜ୍ୱଳତା ଆଖିରେ ପଡ଼ିଲା ତା’ର । ଭଲ ଲାଗୁଥିଲା ଚାଲିବାପାଇଁ, ଭଲଲାଗୁଥିଲା ପଚାସଢ଼ା ଗନ୍ଧର ଆବିଳତା ମଧ୍ୟରୁ ନବାଗତ ଜୀବନ-ଯାତ୍ରାର ପଦଧ୍ୱନି ଶୁଣିବାପାଇଁ ।

 

ପଛକୁ ଫେରି ଚାହିଁଲା ଶୈଳ । ଲଣ୍ଠନ ହାତରେ ଶୈବାଳ ସେହିପରି ତା’ର ବାହୁଡ଼ା ପଥକୁ ଅନାଇ ରହିଛି ।

Image

 

ଅନ୍ଧାରର ଆଖି

 

ସମସ୍ତେ ତାକୁ ସୁନ୍ଦର କହନ୍ତି ବୋଲି ସେ ବି ନିଜେ ଧରିନେଇଥିଲା ଯେ ସେ ଦେଖିବାକୁ ସୁନ୍ଦର, ଅନ୍ୟମାନଙ୍କ ଅପେକ୍ଷା ଏଇଥିରେ ତା’ର ବିଶେଷତ୍ୱ । ଦଶଜଣଙ୍କ ମଧ୍ୟରେ ସେ ଛିଡ଼ାହେଲେ ଆପେ ଆପେ ବାରି ହୋଇପଡ଼େବୋଲି ମନରେ ଯେ ଅହଙ୍କାର ଟିକେ ନ ଜନ୍ମେ ଏମନ୍ତ ନୁହେଁ; ଦେଖେଇ ହବାପାଇଁ ବେଳେ ବେଳେ ଇଚ୍ଛା ବି ହୁଏ । ସାହି ଭିତରେ ଚାଲିଗଲା ବେଳେ ବା ସିନେମା ହଲ୍ ଆଗରେ ଛିଡ଼ାହୋଇ ଗୀତ ଶୁଣିଲାବେଳେ, ସେ ଏପରି ସ୍ଥାନରେ ଚାଲେ ବା ଛିଡ଼ାହୁଏ ଯେମିତିକି ତାକୁ ସହଜରେ ସମସ୍ତେ ଦେଖିପାରିବେ ।

 

ଏଇଥିପାଇଁ ସହରରେ ତାକୁ ଅନେକ ଲୋକ ଜାଣିଥିଲେ । ସେ ଅନେକଙ୍କୁ ଚିହ୍ନି ନ ଥିଲେ ବି ସେମାନେ ତାକୁ ଚିହ୍ନିଥିଲେ । ସେ ବେକାର ବୋଲି ହୁଏତ ଅନେକେ ଜାଣି ନ ଥିଲେ, ନ ହେଲେ ସେମାନଙ୍କର ଆଖିରେ ତା’ର ସମ୍ମାନ, ସମ୍ଭ୍ରାନ୍ତପଣିଆ ଯେ କମିଯାଇଥାଆନ୍ତା, ଏଥିରେ ସନ୍ଦେହ ନାହିଁ । ବେକାର ନିଜକୁ ନେଇ ବଞ୍ଚେ, ସଂସାର ତାକୁ ନେଇ ବଞ୍ଚେ ନାହିଁ । ଏଥିପାଇଁ ବିଭୂତି ମନରେ ବ୍ୟଥା ପାଏ; ତାକୁ ଯେଉଁମାନେ ସୁନ୍ଦର ବୋଲି ଏତେ ନିରେଖି ନିରେଖି ଦେଖନ୍ତି, ସେମାନେ ଯେ ତା’ର ପ୍ରକୃତ ପରିଚୟ ଜାଣିଲେ ତାକୁ ମୁହଁ ଫେରାଇ ଚାହିଁବେ ନାହିଁ, ଏହି ଭାବନା ତା’ ପ୍ରାଣକୁ ଅଥୟ କରେ ।

 

ତଥାପି ଦେଖେଇ ହବାପାଇଁ ଇଚ୍ଛା ହୁଏ । ଏଇ ଗୁଣଟି ଯେପରି ସହଜାତ । ମନର ଗୋପନ କକ୍ଷରେ ଆହୁରି ଅନେକ ଇଚ୍ଛା ଆତଯାତ ହୁଅନ୍ତି; କିନ୍ତୁ ସେସବୁର ପ୍ରକାଶ ପଥ ଗୋଟିଏ ବା ଅନେକ, ଏ କଥା ଜାଣିପାରେ ନାହିଁ ସେ; କାରଣ ଗୋଟିଏ ଇଚ୍ଛା ଅନ୍ୟମାନଙ୍କୁ ଦବାଇଦେଇ ବାରମ୍ବାର ପ୍ରକାଶ ପାଏ ।

 

ସିନେମା ହଲ୍ ଆଗରେ ଛିଡ଼ା ହୋଇ ଗୋଟାଏ ଆଧୁନିକ ଗୀତ ଶୁଣୁଥିଲା ବିଭୂତି ।

 

ଦୁଇଜଣ ଝିଅ କଲେଜବସ୍‌ରୁ ଓହ୍ଲାଇଲେ । ସେମାନଙ୍କର ହାତରେ ଗୋଟେ ଗୋଟେ ନୋଟ୍ ବହି ।

 

ଜଣେ ତାକୁ ଦେଖି ଦେଇଥିଲା ଓହ୍ଲାଇଲାବେଳେ । ତା’ ସାଙ୍ଗର ହାତକୁ ଚିପିଦେଇ କହିଲା କିଛି । ତା’ପରେ ସେ ବି ମୁହଁ ଫେରାଇ ଆଖି ପିଛୁଳାକେ ଦେଖିଦେଲା ତାକୁ । କିଛି ବାଟ ଯାଇ ଦୁହେଁ ଫେରିଚାହିଁଲେ ପୁଣି । ସେମାନଙ୍କ ଆଡ଼କୁ ମୁହଁ କରି ହସିଦେଲା ବିଭୂତି । ଆଗ ଗଳିରେ ଅଦୃଶ୍ୟ ହୋଇଗଲେ ଝିଅ ଦୁଇଟି ।

 

ତା’ର ହସିବା ଏବଂ ସେମାନଙ୍କର ତାକୁ ଚାହିଁବା ଭିତରେ ଗୋଟିଏ ଅଦୃଶ୍ୟ ସେତୁ ନିର୍ମାଣ ହୋଇଗଲା । ସେତୁ ଥିଲେ ଯୋଗସୁତ୍ର ପାଇଁ ସୁବିଧା ହୁଏ, ଯିବାଆସିବା ସମ୍ଭବ ହୁଏ । ମନଟା ଗର୍ବରେ ଫୁଲିଉଠିଲା ବିଭୂତିର । କେବଳ ପିଲା, ବୁଢ଼ା, ଯୁବକ ନୁହନ୍ତି, ଯୁବତୀମାନେ ପଶିବାକୁ ଦେଖିବାର ଲୋଭ ସମ୍ବରଣ କରିପାରନ୍ତି ନାହିଁ । ସିନେମା ହଲ୍ କାନ୍ଥରେ ଆଗାମୀ ଛବିର ବିଜୟୀ ନାୟକର ଚିତ୍ର ଦେଖାଯାଉଥିଲା । ସେଆଡ଼କୁ ଥରେ ଚାହିଁଲା ବିଭୂତି । ତା’ ପରେ ନିଜ ଛାତି ଉପରକୁ ଚାହିଁଲା ଟିକିଏ । ଛୁଆର ଝାମ୍ପୁଲା ବାଳ ଉପରେ ହାତ ବୁଲାଇନେଲା । ପକେଟ ଭିତରୁ ରୁମାଲ କାଢ଼ି ମୁହଁ ପୋଛିଦେଲା ।

 

ସେ ହିରୋ ହୋଇଗଲା । ସିନେମାର ହିରୋ ଏବଂ ତା’ ଭିତରେ ଜମିଉଠୁଥିବା ତଫାତ୍‌ଟା ଅନେକ କମିଗଲା । ସେ ନିଜକୁ ସିନେମା ହିରୋର ସମକକ୍ଷ ପ୍ରତିଦ୍ୱନ୍ଦୀବୋଲି ମନେକଲା । ତା’ର ମଧ୍ୟ ହିରୋଇନ୍ ଥାଇପାରନ୍ତି, ଏହା ଭାବି ମନରେ ପରମ ପୁଲକ ଓ ଆତ୍ମସନ୍ତୋଷ ଜାତହେଲା ।

 

କିନ୍ତୁ ପକେଟ ଯେ ଖାଲି ଏ କଥା ମନେ ନ ଥିଲା ବିଭୂତିର । ପାଖ ରେସ୍ତୋରଁରେ ଜଳଖିଆ ଆଉ ଚାହା ଖାଇବାପାଇଁ ଇଚ୍ଛା ହେଲା ପେଟରେ ଯେମିତି ଅନେକ ଭୋକ ଜମିରହିଛି ସେଇଆ ଅନୁଭବ କଲା; କିନ୍ତୁ ରେସ୍ତୋରାଁ ଭିତରକୁ ଯାଇପାରିଲା ନାହିଁ, ପକେଟରେ ପଇସା ନ ଥିଲା । ଦଶପଇସିଗୋଟେ ପଡ଼ିଥିଲା କାଲିଠାରୁ । ସେଇଟିର ବିନିମୟରେ ଗୋଟେ‘ପାସିଂସୋ’ ସିଗାରେଟ୍ କିଣି ନିଆଁ ଧରାଇ ଚୁମ୍ବନ କଲା ବିଭୂତି ।

 

ଧୂଆଁ ଛାଡ଼ିଲା ସେ ଏବଂ ସେଇ ଧୂଆଁର କୁଣ୍ଡଳୀକୁ ଖୁସିମନରେ ଲକ୍ଷ୍ୟ ବି କଲା । ଅନ୍ତର ଭିତରର ଅନେକ ଆଶା ଏଇ ଧୂଆଁପରି ଶେଷରେ ଅଦୃଶ୍ୟ ହୋଇ ଯାଆନ୍ତିବୋଲି ଏବଂ ସକାଳର କୁହୁଡ଼ି ପରି ରାତିର ଭ୍ରମ ଦିନର ବାସ୍ତବତାକୁ ଲୁଚାଇ ରଖି ନ ପାରି ପରେ ବିଫଳତା’ର ବେଦନାରେ ଅପସରି ଯାଏ ବୋଲି ମନରେ ଟିକିଏ ବ୍ୟଥା ପାଇଲା ସେ ।

 

ତା’ର ଯଦି ପଇସା ଥାଆନ୍ତା !

 

ସେ ବି ଯଦି ସିନେମାର ହିରୋ ପରି ସିଗାରେଟ୍ ଟାଣି ନିଜ ଗାଡ଼ିରେ ବସି ବୁଲିଯାଇପାରନ୍ତା, ତା’ହେଲେ ତା’ର ସୁନ୍ଦର ମୁହଁଟା ଆହୁରି ଅନେକ ଉଜ୍ଜ୍ୱଳ ଦେଖାଯାଆନ୍ତା, ତାକୁ ଦେଖିବାପାଇଁ ରାସ୍ତା ଉପରେ ଭିଡ଼ ଜମନ୍ତା ଏବଂ ହୁଏତ କୌଣସି ଓଡ଼ିଆ ଫିଲ୍ମ କମ୍ପାନୀ ତାକୁ ହିରୋ କରିବାପାଇଁ ପ୍ରସ୍ତାବ ବି ଦିଅନ୍ତା । ଏ ପର୍ଯ୍ୟନ୍ତ ବେକାର ଜୀବନର ବିଫଳତା ତାକୁ କେବେ ଅଶାନ୍ତ, ଅସ୍ଥିର କରି ନ ଥିଲା । ଆଜି କିନ୍ତୁ ସତରେ ସେ ନିଜକୁ ବଡ଼ ଅସହାୟ ମନେକଲା ଜୀବନ ଅଶାନ୍ତ ଅସ୍ଥିର ମନେହେଲା ।

 

ତାକୁ ଯଦି କୌଣସି ସୂତ୍ରରେ ଗୁଡ଼ାଏ ଟଙ୍କା ମିଳିଯାଆନ୍ତା, ତା’ ହେଲେ ସେ ଯେ ହିରୋ ହେବାପାଇଁ କୌଣସି ଗୁଣରେ ଅନୁପଯୁକ୍ତ ନୁହେଁ, ଏହା ସହଜରେ ପ୍ରମାଣ କରିଦିଅନ୍ତା । ଏଇ ଟଙ୍କା ନ ଥିବାରୁ, ତା’ର ସୌନ୍ଦର୍ଯ୍ୟ ମଧ୍ୟ ମଇଳା ଦିଶୁଛି ବୋଲି ତା’ର ହୃଦ ବୋଧ ହେଲା ଏବଂ ଏହା ଭାବି ସେ ଆହୁରି ଅଶାନ୍ତ ଓ କ୍ଷୁବ୍ଧ ହେଲା ।

 

ସିନେମା ହଲ୍‌ର କାନ୍ଥରେ ଯେଉଁ ଛବିଟା ଲାଗିଛି, ତହିଁରେ ନାୟକ କିପରି ଅନ୍ୟର ପକେଟରୁ କଳାଟଙ୍କା ନେଇ ନିଜ ଉଦ୍ୟମଦ୍ୱାରା ତାକୁ ଧଳା କରିପାରୁଛି, ତା’ର ପ୍ରତିଫଳନ ରହିଥିଲା । ଆଉ ଟିକିଏ ପାଖକୁ ଲାଗିଯାଇ ନିରେଖି ନିରେଖି ସେଇ ଛବିଟାକୁ ଦେଖିଲା ବିଭୂତି ।

 

ସମାଜରେ ଏପରି ଦୃଶ୍ୟ ବିରଳ ନୁହେଁ । କଳାଟଙ୍କାର ଯେପରି ଅଭାବ ନାହିଁ, କଳାଟଙ୍କା ଜମା କରିଥିବା ଲୋକମାନଙ୍କର ସଂଖ୍ୟା ବି ସେମିତି କମ୍ ନୁହେଁ । ଭେଜାଲ ଜିନିଷର କାଟତି ଯେତିକି ବଢ଼ୁଛି, ବିଜ୍ଞାପନ ସାହାଯ୍ୟରେ ସାଧାରଣ ଖାଉଟିକୁ ଯେତିକି ବିଭ୍ରାନ୍ତ କରାଯାଇ ପାରୁଛି ଏବଂ ଅଫିସରମାନଙ୍କର ହାତ ଚିକ୍କଣ କରାଇ ମୁନାଫା ବଢ଼ାଇବାର ରାସ୍ତା ଯେତିକି ପ୍ରଶସ୍ତ ହେଉଛି, ସେତିକି ବେଗରେ ରାତାରାତି ଧନ-କୁବେର ହୋଇଯିବାର ବାସନା ମଧ୍ୟ ବଳବତୀ ହେଇଛି । ଆଉ ସେଇ ବଳବତୀ ଇଚ୍ଛାକୁ ଯେଉଁ କେତେଜଣ ଦମନ କରିପାରୁନାହାନ୍ତି, ସେମାନଙ୍କୁ ବଡ଼ଲୋକର ଗୌରବ ସହଜରେ ମିଳିଯାଉଛି । ସେମାନଙ୍କ ପାଖରେ ଠୂଳହୋଇ କଳାଟଙ୍କାର ମୁହଁ ଆହୁରି କଳା ନ ହୋଇ ବରଂ ଧଳା ହୋଇଯାଉଛି ।

 

ଟଙ୍କା କେବଳ ଟଙ୍କା । ଧଳା ଯେପରି କଳା ନୁହେଁ, ଟଙ୍କା ସେପରି କଳା ହୋଇଯାଇପାରିବ ନାହିଁ । ବିଭୂତିର ମନକୁ ଏଇ କଥାଟା ବାରମ୍ବାର ଆଲୋଡ଼ିତ କଲା । ସେ ଧଳା ନ ହେଲେ କଲାଟଙ୍କାର ବି ଅଧିକାରୀ ନୁହେଁ । ତେଣୁ ତା’ ପାଖରେ କଳା ଆଉ ଧଳା ଟଙ୍କାର ପ୍ରଭେଦ ମୋଟେ ନାହିଁ, ଏଇ କଥାଟା ବାରମ୍ବାର ମନକୁ ବିଦ୍ଧ କଲା ।

 

ଗୋଟିଏ କଳା ଚକ୍‌ଚକିଆ ମଟରଗାଡ଼ି ଆସି ପାଖରେ ଛିଡ଼ାହେଲା । ଜଣେ ତରୁଣୀ ଓହ୍ଲାଇ ପଡ଼ିଲେ ସେଥିରୁ । ସେ ବୋଧହୁଏ ନିଜେ ଗାଡ଼ି ଚଳାଉଥିଲେ । ବୟସ ତିରିଶ ଓ ଚାଳିଶ ଭିତରେ ହେଲେ ବି କୋଡ଼ିଏ କି ବାଇଶ ଭିତରେ ତାକୁ ସୀମାବଦ୍ଧ କରି ରଖିବାପାଇଁ ପ୍ରୟାସ କରି କେତେକାଂଶରେ ସଫଳତା ହାସଲ କରିଯାଇଥିବାର ଲକ୍ଷ୍ୟକଲା ବିଭୂତି । ଇସ୍ ! ବୟସକୁ ଏଡ଼ିଯିବାପାଇଁ କି ପ୍ରଚେଷ୍ଟା !

 

ପଡ଼ନ୍ତ ବୟସର ମନ କିନ୍ତୁ ନ ଥିଲା ତାଙ୍କର । ସେ ବି ମୁହଁ ଫେରାଇ ତାକୁ ଦେଖିନେଲେ । ଟିକିଏ ଆଗକୁ ଯାଇ ଆଉ ଥରେ ଫେରି ଚାହିଁଲେ ।

 

ବିଭୂତି ନିଜକୁ ଗୌରବାନ୍ୱିତ ମନେକଲା, ଗର୍ବ ବି ମନରେ ରକେଟ୍ ପରି ଉପରକୁ ଉଠିଲା ।

 

ସମୟ ହୋଇଯାଇଥିଲା । ଅନେକ ଦର୍ଶକ ଟିକଟ କାଟି ହଲ୍ ଭିତରକୁ ପ୍ରବେଶ କରୁଥିଲେ । ଭଦ୍ରମହିଳା ଜଣକ ବି ଟିକଟ କାଟି ଭିତରକୁ ଗଲେ ।

 

ସେ ରହିଗଲା ବାହାରେ ଚିନାବାଦାମ, କୋକାକୋଲା, ପାଁପଡ଼ବିକାଳିମାନଙ୍କ ମଧ୍ୟରେ ଏବଂ କେତେଜଣ ପରିବାର-ପରିତ୍ୟକ୍ତ ପିଲାମାନଙ୍କ ଗହଣରେ । ଖରାପ ଲାଗିଲା ତାକୁ, ଲଜ୍ଜା ବି ହେଲା ବିଭୂତିର । ସାମ୍ନାରେ ଭଦ୍ରମହିଳାଙ୍କର ନୂଆ ଫିଆଟ ଗାଡ଼ିଟା ତା’ ଆଡ଼କୁ ଚାହିଁ ହସୁଥିଲା ଯେପରି !

 

ଆଉ ସ୍ଥିର ହୋଇ ସେଠାରେ ଛିଡ଼ା ହୋଇପାରିଲା ନାହିଁ ସେ । ଧୀରେ ଧୀରେ ଆଗକୁ ଯାଇ, ମୋଡ଼ ଭାଙ୍ଗି ଗୋଟିଏ ସରୁ ଗଳିରେ ଅଦୃଶ୍ୟ ହୋଇଗଲା ।

 

ଅନ୍ଧାରିଆ ଗଳି ଭିତରେ ଯାଉଁ ଯାଉଁ ହଠାତ୍ ଆଲୋକ ଝଲାକାଏ ଦେଖି କଣେଇ ଚାହିଁଲା ବିଭୂତି ।

 

ଗୋଟାଏ ଗୋଦାମଘର ଭିତରୁ ଆଲୋକ ଛିଟିକି ପଡ଼ୁଥିଲା ଝରକା ଦେଇ । ଭିତରକୁ ଚାହିଁଲା ବିଭୂତି । ଗଦି ଉପରେ ଜଣେ ପୃଥୁଳକାୟ ବ୍ୟକ୍ତି ବସି ନୋଟ୍ ଗଣୁଥିଲେ । ଦରଜା ବୋଧେ ଭିତର ପଟୁ ବନ୍ଦ ଥିଲା । ଝରକାର ଫାଙ୍କ ଦେଇ ସେ ଅନାଇଲା । ହଠାତ୍ ମନରେ ଧନୀ ହୋଇଯିବାପାଇଁ ଇଚ୍ଛା ହେଲା । ବିଭିନ୍ନ ଉପାୟ ଅବଲମ୍ବନ କରି ରାତାରାତି ଧନୀ ହୋଇଯିବାର ଦୃଷ୍ଟାନ୍ତ ଏ ଦେଶରେ ଅଭାବ ନାହିଁ ।

 

ସେ ଯଦି ସେହିପରି ଧନୀ ହୋଇଯାଇପାରନ୍ତା !

 

ନିଜକୁ ବଡ଼ ଅସହାୟ ମନେକଲା ବିଭୂତି । ଦାରିଦ୍ର୍ୟର ସୀମାରେଖା ତଳେ ଉଦ୍ୟୋଗହୀନ ହୋଇ ସଢ଼ୁଥିବାରୁ ନିଜକୁ ଧିକ୍କାର ବି କଲା । ଯେଉଁମାନେ କଳାଟଙ୍କା ସାହାଯ୍ୟରେ ସମାଜରେ ସମସ୍ତ ଦୁଷ୍କୃତି ସତ୍ତ୍ୱେ ପ୍ରତିଷ୍ଠା ଲାଭ କରିଛନ୍ତି, ସେମାନେ ନିଶ୍ଚୟ ବେକାରର ବେଦନା, ବଞ୍ଚିତର ଗ୍ଲାନି ବା ସଦାଚାରୀର ପୀଡ଼ା ଅନୁଭବ କରି ନ ଥିବେ ।

 

ପଇସା ଥିଲେ ସେ ଚାହାକପେ ପିଇଥାଆନ୍ତା, ସିନେମା ଦେଖିଯାଆନ୍ତା ଏବଂ ହୁଏତ ସେହି ଭଦ୍ରମହିଳାଙ୍କ ପାଖ ସିଟ୍‌ରେ ବସି ତାଙ୍କ ଦେହର ବାସ୍ନା ବି ଉପଭୋଗ କରିଥାଆନ୍ତା । ପଇସା ନ ଥିବାରୁ ତା’ର ସୁନ୍ଦରପଣିଆ କାମରେ ଲାଗୁନାହିଁ; ସେ କେବଳ ପ୍ରଦର୍ଶନୀର ବସ୍ତୁପରି ରହିଯାଉଛି; ସଂସାରର ସୁଖସମ୍ଭୋଗ ସହିତ ଜଡ଼ିତ ହୋଇପାରୁ ନାହିଁ ।

 

ଧନ ଅର୍ଜନ କରିବାପାଇଁ ଉଚ୍ଚାଟ ହେଲା ତା’ର ମନ । ଆଉ ସର୍ବାଙ୍ଗରେ ଗୋଟାଏ ଅଦ୍ଭୁତ ଉତ୍ତେଜନା ଯେପରି ସେ ଅନୁଭବ କରିବାକୁ ଆରମ୍ଭ କଲା ।

 

ନୋଟ୍‌ଗୁଡ଼ା ଗଣିସାରି ହାତବାକ୍‌ସ ଭିତରେ ରଖିଲେ ସେ ପୃଥୁଳକାୟ ବ୍ୟକ୍ତି ଜଣକ । ଗଦି ଉପରେ ଥିବା ଟେଲିଫୋନଟା ହଠାତ୍ ବାଜି ଉଠିଲା ।

 

ରିସିଭର୍ଟା ଉଠାଇନେଲେ ସେ ।

 

-ହ୍ୟାଲୋ !

 

ସେପାଖରୁ କଅଣ କହିଲା ଆଉ ଜଣେ କିଏ । ଏପାଖରୁ ଉତ୍ତର କଲେ କଲେ ବ୍ୟକ୍ତିଜଣକ- ଆସନ୍ତୁ ସାର୍ ! ଆପଣଙ୍କୁ ହମେ ନାରାଜ କରିବା ନେହିଁ ।

 

ସେ ପାଖରୁ ଆଉକିଛି ଶୁଣିବା ପର ରସିଦପଟା ରଖିଦେଲେ ନାଗରମଲ ।

 

ଦରଜା ଖୋଲି ଗୁମାସ୍ତା ସଙ୍ଗେ ସଙ୍ଗେ କିଛି ପାନୀୟ ଆଣି ମହଜୁଦ କରି ରଖିବାପାଇଁ ବାହାରିଗଲେ; ଆଉ ଆଗନ୍ତୁକଙ୍କ ଉପସ୍ଥିତିଙ୍କୁ ଯଥାଯାଧ୍ୟ ସୁଖମୟ କରିବାପାଇଁ ତରତର ହୋଇ ଉଠି ବସିଲେ ନାଗରମଲ ।

 

କଅଣ ଗୋଟେ ଆଣିବାପାଇଁ ଭିତରକୁ ପଶିଗଲେ ସେ ।

 

ଆଖି ପିଛୁଳାକେ ଗୋଟାଏ ନୂତନ ଜିଦ ଜାଗିଉଠିଲା ବିଭୂତି ମନରେ । ମୁହୂର୍ତ୍ତେମାତ୍ର ବିଳମ୍ବ ନ କରି ସେ ବିଜୁଳି ବେଗରେ ଘର ଭିତରକୁ ପଶିଯାଇ ଗୋଟାଏ ନୋଟ୍‌ବିଡ଼ା ଧରି ପଳାଇ ଆସିଲା ବାହାରକୁ; ଦେହଟା ଥରୁଥିଲା ଉତ୍ତେଜନାରେ । ନିଜର ସାହସ ଦେଖି ନିଜେ ମଧ୍ୟ ଅବାକ୍ ହୋଇଯାଇଥିଲା ବିଭୂତି ।

 

ବାହାରକୁ ଆସି ସେଇ ଅନ୍ଧାରୁଆ ଗଳି ଉପରେ ଦଉଡ଼ିବାପାଇଁ ଆରମ୍ଭ କରିଦେଲା ସେ-। କିଛି ବାଟ ଯାଇ ଅନ୍ୟ ରାସ୍ତା ଧରିଲା, ତା’ ପରେ ପୁଣି ସେ ରାସ୍ତା ପରିବର୍ତ୍ତନ କରି ବସ୍ତିର ଆଉ ଗୋଟେ ଅଣଓସାରିଆ ରାସ୍ତାରେ ଦଉଡ଼ିଲା ।

 

ପ୍ରାୟ ଘଣ୍ଟାକ ପରେ ନିଜ କୋଠରି ଭିତରକୁ ପଶିଯାଇ ଭିତରପଟୁ କବାଟ କିଳିଦେଲା ବିଭୂତି । ଝରକା ବନ୍ଦକରି ଦେଇ ପ୍ରଥମେ ଖଟ ଉପରେ ବସିପଡ଼ିଲା ଥକ୍କାହୋଇ । ଝାଳ ପୋଛିସାରି ନୋଟ୍‌ ବିଡ଼ାଟା ବାହାରକଲା ସାର୍ଟ ତଳୁ । କେହି ନ ଥିଲେ ବି ଥରୁଥିଲା ହାତ ଦୁଇଟା । କାଳ କିଏ ଦେଖି ପକାଇବ ବୋଲି ସନ୍ଦେହ କରି ପୁଣି ଆଉଥରେ ସେ ପରଖିନେଲା କବାଟ ଝରକା ଭଲଭାବରେ ବନ୍ଦ ହୋଇଛି କି ନାହିଁ । ରାତି ହୋଇଥିଲେ ବି ଆଲୁଅ ଲଗାଇବାପାଇଁ ଇଚ୍ଛା ବା ସାହାସ ହେଲା ନାହିଁ ତା’ର । ସେ ଏକୁଟିଆ ସେହି ଅନ୍ଧକାରପୂର୍ଣ୍ଣ କୋଠରି ଭିତରେ ନିଃଶବ୍ଦରେ ବସି ବସି ନିଜର ନିଃଶ୍ୱାସପ୍ରଶ୍ୱାସର ପ୍ରଖରତାରେ ନିଜେ ଚମକି ପଡ଼ିଲା ।

 

ଏତେ ଭୟ କେଉଁଠି ଲୁଚିରହିଥିଲା ଏତେଦିନ ଯାଏ, ଜାଣି ନ ଥିଲା ସେ । ନିଜ ମୁହଁ ଆଉ ଦେହକୁ ବି ଦେଖିବାପାଇଁ ସାହସ ହେଲାନାହିଁ । ସେହି ଅନ୍ଧାର ରାତି ଅନେକ ସମୟ ପର୍ଯ୍ୟନ୍ତ ଲାଗିରହିଲେ ସେ ବୋଧହୁଏ ଅଧିକ ସୁଖୀ ହୁଅନ୍ତା । ଆଲୋକ ପୁଣି ଏଡ଼େ ଖରାପ ମନେହୁଏ ବୋଲି ଏଇ ପ୍ରଥମ ଜାଣିଲା ସେ ।

 

ଅନ୍ଧାରର ବି ଆଖି ଅଛି । ସେହି ଆଖି ଦେଇ ସେ ନିଜକୁ ଧୀରେ ଧୀରେ ନିରୀକ୍ଷଣ କଲା । ଥରିଲା ହାତରେ ନୋଟଗୁଡ଼ାକ ଗଣିଲା । ଦଶଟଙ୍କିଆ ହେଲେ ହଜାରେ, ଆଉ ଯଦି ଶହେଟଙ୍କିଆ ହୁଏ, ତା’ ହେଲେ ଦଶ ହଜାର । ଜୀବନରେ ଏତେଗୁଡ଼ାଏ ଟଙ୍କା ଏକାବେଳକେ ସେ ଦେଖିନାହିଁ କେବେ । ସେଇ ଟଙ୍କାଗୁଡ଼ାକ ଯେ ଏତେ ଲୋଭନୀୟ ତାହା ବି ଏଇ ପ୍ରଥମ ସେ ଅନୁଭବ କଲା ।

 

ଏଇ ପୃଥିବୀରେ କୋଟି କୋଟି ଅର୍ବୁଦ ଅର୍ବୁଦ ଟଙ୍କା ରହିଛି । ଜଣେ ଜଣେ ଧନ କୁବେରଙ୍କ ପାଖରେ ଅସରନ୍ତି ଟଙ୍କାର ଭଣ୍ଡାର । ସେସବୁ ଟଙ୍କା କ’ଣ କିପରି ଓ କେଉଁଠି ଉପାର୍ଜନ କଲା, ତା’ର ହିସାବ କେହି ରଖିନାହିଁ । କେବଳ ଗୋଟାଏ ହିସାବ ସମାଜ ରଖେ-ତାହା ହେଉଛି କେଉଁ ସମୟର କିଏ ସେ ଟଙ୍କାର ଅଧିକାରୀ । ତାକୁ ସମାଜ ସ୍ୱୀକାର କରେ, ତା’ର ସମ୍ପଦକୁ ସ୍ୱୀକୃତି ମିଳେ ଏବଂ ତା’ର ବ୍ୟକ୍ତିତ୍ୱ ସମ୍ମାନିତ ହୁଏ ।

 

ତାକୁ ଲୋକେ ସୁନ୍ଦର ବୋଲି ଆଡ଼ନୟନରେ ଚାହିଁ ଦେଉଥିଲେ ସିନା, ତା’ର ଟଙ୍କା ନ ଥିଲା ବୋଲି ସେମାନଙ୍କ ସହିତ ତା’ର କୌଣସି ଯୋଗାଯୋଗ ବା ସମ୍ପର୍କ ନ ଥିଲା । ତା’ର ହସ-କାନ୍ଦର ସେ ନିଜେ ଥିଲା ସର୍ବସ୍ୱତ୍ୱାଧିକାରୀ ।

 

ଆଜି ଏତେଗୁଡ଼ାଏ ଟଙ୍କା ମୁଠା ଭିତରେ ରଖିଛି ବୋଲି ସେ ନିଜକୁ ଆଉ ଅର୍ଥହୀନ ବୋଲି ମନେକଲା ନାହିଁ । ଚାହା ଜଳଖିଆ ଖାଇବାପାଇଁ ,ସିନେମା ଦେଖିବାପାଇଁ ବା ସିଗାରେଟ୍ ଗୋଟେ ଟାଣିବାପାଇଁ ଆଉ ବିକଳ ହୋଇଗୋଟେ ବା ଯୋଡ଼େ ଟଙ୍କାର ଅନୁସନ୍ଧାନ ସେ କରିବ ନାହିଁ ।

 

ଦରଜା ସେପଟୁ ଭାଇ ଆସି ଡାକିଦେଇଗଲା ଖାଇବାପାଇଁ; ଗଲା ନାହିଁ ବିଭୂତି । ମା’ ବି ଆସି ଡାକିଲେ; କିନ୍ତୁ ଯିବାପାଇଁ ଇଚ୍ଛା ହେଲା ନାହିଁ ତା’ର । ସେ ଭିତରପଟୁ ଜବାବ ଦେଲା-ଭୋକ ନାହିଁ; ଭଲ ଲାଗୁନି ।

 

ସମସ୍ତେ ଖାଇପିଇ ନିଶ୍ଚିନ୍ତରେ ଶୋଇପଡ଼ିଲେ ।

 

ରାସ୍ତାକଡ଼ର ବତିଖୁଣ୍ଟ ପରି ଚାହିଁ ରହିଲା ବିଭୂତି ।

 

ନୋଟ୍‌ଗୁଡ଼ାକୁ ସୁଟ୍‌କେଶ ଭିତରେ ରଖିବାକୁ ତାଲାଚାବି ଖୋଜିଲା । ଦିଆସିଲି ଲଗାଇ କେଉଁଠି ଅଛି ଦେଖିବାପାଇଁ ଚେଷ୍ଟାକଲା; କିନ୍ତୁ ପାଇଲା ନାହିଁ । ଆଜି ଯାଏ ତାଲାଚାବିର ପ୍ରୟୋଜନ ହୋଇ ନ ଥିଲା; ସେଥିପାଇଁ ସେ ବିଷୟରେ କେବେ ଏଡ଼େ ସଚେତନ ହୋଇ ନ ଥିଲା ସେ । ଜାମାଟା ଖୋଲିଦେଇ ଆଲଣାରେ ଝୁଲାଇ ଦେଲା ।

 

ଖଟ ଉପରେ ଆରାମ କରିବାପାଇଁ ଲମ୍ବ ହୋଇ ଶୋଇପଡ଼ିଲା; କିନ୍ତୁ ଆଖିରେ ନିଦ ନ ଥିଲା ।

 

ବହୁ ସମୟ ଏପାଖ ସେପାଖ ହେବା ପରେ କେତେବେଳେ ଅବସନ୍ନ ଦେହ ତା’ର ଶୋଇଗଲା ନିଦରେ ।

 

ବାହାରେ ଶବ୍ଦ ଶୁଣି ଚମକି ପଡ଼ି ଚାହିଁଲା ବିଭୂତି । ଝରକା ଓ ଦରଜାର ଫାଙ୍କ ଦେଇ ଦିନର ଆଲୋକ ପଶିଆସୁଥିଲା ବାହାରୁ । ବିରକ୍ତ ଲାଗିଲା ତାକୁ । ରାତିଟା ଏତେ ଶିଘ୍ର କାହିଁକି ଶେଷ ହେଇଗଲାବୋଲି ମନେ ମନେ ତିରସ୍କାର ବି କଲା ।

 

ବାହାରକୁ ଆସିବାପାଇଁ ଭୟ ହେଲା ମନରେ । ଦରଜା ଖୋଲିବାପାଇଁ ଦୁଇଥର ଯାଇ ପୁଣି ପଛକୁ ଫେରିଆସିଲା ବିଭୂତି । ଶିକୁଳି ଖୋଲିବାପାଇଁ ସାହସ ହେଲାନାହିଁ; ଅଥଚ ଏଇ ଗତକାଲି ପର୍ଯ୍ୟନ୍ତ ସକାଳ ହେଲେ ଲୁଙ୍ଗି ଏବଂ ଗେଞ୍ଜି ଦେହରେ ସେ ଯାଇ ବାରଣ୍ଡା ଉପରେ ଘଣ୍ଟା ଘଣ୍ଟା ଛିଡ଼ାହୋଇ ରହୁଥିଲା । ରାସ୍ତା ଉପରେ ପ୍ରତିଦିନ ଯାଅଆସ କରୁଥିବା ଚିହ୍ନା-ଅଚିହ୍ନା ଅନେକ ଲୋକ ତାକୁ ଅନାଇଁ ଅନାଇଁ ଯାଉଥିଲେ ।

 

ସେମାନଙ୍କର ଦେଖିବାର ଆଗ୍ରହ ଯେତେ, ତା’ ମନରେ ଦେଖେଇ ହବାର ଇଚ୍ଛା ତା’ଠାରୁ ଯେ ଅଧିକ ଥିଲା, ସେ କଥା ସେ ଭଲଭାବରେ ଜାଣିଥିଲା; କିନ୍ତୁ ଆଜି କାହିଁକି ବାହାରକୁ ଯିବାପାଇଁ ଆଉ ଇଚ୍ଛା ହେଲାନାହିଁ । ଦିନର ପ୍ରଖର ଆଲୁଅର ଉଜ୍ଜ୍ୱଳତା ଆଉ ଭଲ ଲାଗିଲା ନାହିଁ ।

 

କିଛି ସମୟ ପରେ ଧୀରେ ଧୀରେ ଝରକାର ଫାଳେ କବାଟ ଖୋଲି ଦେଇ ସେ ବାହାରକୁ ଚାହିଁଲା ।

 

ରାସ୍ତା ସେପାଖରେ ସାମନା ଘର ଆଗରେ ଛିଡ଼ା ହୋଇଥିବା ଗୋଟିଏ ପରିଚିତ ମୁହଁ ତା ଆଖିରେ ପଡ଼ିଲା । ଏଇ ଝିଅଟି ପ୍ରତିଦିନ ତାକୁ କଣେଇ କଣେଇ ଦେଖେ । ଅନ୍ୟମାନେ ଯେ ତାକୁ ନ ଦେଖନ୍ତି ସେପରି ନୁହେଁ; କିନ୍ତୁ ତା’ର ଚାହାଣିରେ ଗୋଟାଏ ତରଳ ଆବେଦନର ଇଙ୍ଗିତ ଥିଲାପରି ଆଜିଯାଏ ଅନୁଭବ କରୁଥିଲା ସେ । ସେଥିପାଇଁ ଟିକିଏ ଆଗ୍ରହ ହେଲା ମନରେ । ଦରଜା ଖୋଲି ମୁହଁ ଧୋଇ ବାରଣ୍ଡା ଉପରେ ଆସି ଛିଡ଼ାହେଲା ଦଣ୍ଡେ । ଝିଅଟି ସେତେବେଳକୁ ଚାଲିଯାଇଥିଲା ଚକ୍ଷୁର ଅନ୍ତରାଳକୁ ।

 

ବିଭୂତି ରାସ୍ତାର ମୋଡ଼ଆଡ଼କୁ ଥରେ ଚାହିଁଲା । କାଲି ରାତିରେ ସେଇ ମୋଡ଼ ଦେଇ ଘରକୁ ଫେରିଥିଲା ।

 

ମୋଡ଼ ଉପରେ ଦୁଇଜଣ ଲୋକ କଥା ହେଉଥିଲେ ।

 

ଖରାପ ଲାଗିଲା ବିଭୂତିକୁ । ରାସ୍ତା ଉପରେ ଛିଡ଼ାହୋଇ ଏତେକଥା ହବାର ଆବଶ୍ୟକତା ସେ ବୁଝିପାରିଲା ନାହିଁ । ତା’ ପରେ ତାକୁ କେହି ଅନାଉଁ ନ ଥିବାରୁ ସେ ମନେ ମନେ ରୀତିମତ ବିରକ୍ତ ବି ହେଲା ।

 

ନିଜ କୋଠରି ଭିତରକୁ ପଶିଆସି ଦରଜା ବନ୍ଦ କରିଦେଲା ବିଭୂତି ।

 

ସେ କେବଳ ଚାହୁଁଥିଲା ଆଲୁଅ ଶେଷ ହୋଇଯାଇ ଅନ୍ଧାର ଘୋଟିଆସନ୍ତା କି !

 

ହଠାତ୍ ଛୋଟ ହାତ ଦର୍ପଣଟିରେ ନିଜ ମୁହଁ ଦେଖି ଆତଙ୍କରେ ଶିହରି ଉଠିଲା ସେ ! ସୁନ୍ଦର ମୁହଁଟା ରାତିକ ଭିତରେ ଏଡ଼େ ଅସୁନ୍ଦର ହୋଇଯାଇଥିବାର ଦେଖି ସେ ହତବାକ୍‌ ହୋଇ ଅନ୍ତରର ଉଦ୍‌ବେଳିତ ଶୋକରେ ମୁହ୍ୟମାନ ହୋଇପଡ଼ିଲା ।

 

ସକାଳ ସୂର୍ଯ୍ୟର ଆଲୋକକୁ ମଳିଦେଇ ଗୋଟିଏ ବଡ଼ କଳାମେଘ ଆସି ଛାପି ହୋଇଗଲା ସୂର୍ଯ୍ୟ ଉପରେ ।

Image

 

ବୁଢ଼ାରାଉଳ କଥା

 

ହରିବନ୍ଧୁ ତନ୍ମୟ ହୋଇ ମାତୃଭୂମିର ଚିନ୍ମୟ ରୂପ ଦେଖୁଥିଲେ । ବୁଢ଼ା ରାଉଳ ଆଗରେ ବସି ଘର ଏବଂ ପିଲାମାନଙ୍କ କଥା ଭାବିବାପାଇଁ ଯାଇ କେତେବେଳେ ଯେ ଏହି ଦେଶ, ଏହି ଜାତି କଥା ଭାବିବାପାଇଁ ଲାଗିଲେ, ତାହା ଜାଣି ମଧ୍ୟ ପାରିଲେ ନାହିଁ । ଏହିପରି ଅନେକ ସମୟରେ ନିଜକଥା ବା ପରିବାର କଥା ଭାବିବାପାଇଁ ଯାଇ ସେ ଭାବିବସନ୍ତି ଗାଁ କଥା, ସମାଜ କଥା, ଦେଶ ଓ ଦଶଙ୍କ କଥା । ଯେତିକି ଭାବନ୍ତି, ସେତିକି ବିଭୋର ହୋଇପଡ଼ନ୍ତି ସେ । ଏଇ ବିରାଟ ଦେଶର ରତ୍ନଗର୍ଭା ରୂପ ତାଙ୍କୁ ଅନୁପ୍ରାଣିତ କରେ, ଆଶାୟୀ କରେ । ସେ ଭୁଲିଯାଆନ୍ତି ସମୟ ଓ ସ୍ଥାନର ବ୍ୟବଧାନ ଏବଂ ବେଳେବେଳେ ବୁଢ଼ା ରାଉଳର ଠାକୁରାଣୀ ମନ୍ଦିରଆଡ଼କୁ ଚାହିଁ ମଥା ନୁଆଁଇ କହିପକାନ୍ତି ନିଜେ ନିଜେ-ଜାଗିବ, ଜାଗିବ, ଜାଗିବାପାଇଁ ଏ ଜାତିର ଜନ୍ମ-ଶୋଇବାପାଇଁ ନୁହେଁ ।

 

ହରିବନ୍ଧୁ ଦିନେ ଦିନେ ବିସ୍ମିତ ହୁଅନ୍ତି, ଏଇ ସ୍ଥାନର ନାମକରଣର କାରଣ ଖୋଜିବାକୁ ଯାଇ । ବଳଙ୍ଗ ନଦୀ କୂଳରେ ଚିରପ୍ରବହମାନ ଜଳଧାରର ସଙ୍ଗୀତ ଶୁଣି ଶୁଣି ଛିଡ଼ା ହୋଇଛି ବରଗଛଟିଏ । ତାକୁ ଲାଗି ଠାକୁରାଣୀ ମନ୍ଦିର । କାହିଁକି, କେବେ ଏବଂ କିଏ ଏହାର ନାମକରଣ କଲା ବୁଢ଼ା ରାଉଳ ନାମରେ, ସେ କଥା ଇତିହାସରେ କେହି ଲେଖିଯାଇନାହିଁ ବା ଭୂଗୋଳରେ ତା’ର ସୂଚନା ଦିଆଯାଇନାହିଁ । ସମୟ ଏବଂ ସରହଦକୁ ଟପି ଏଇ ନାମଟା ସ୍ଥାନ କରିନେଇଛି ମହାକାଳ ବକ୍ଷରେ ।

 

ଲୋକେ କିନ୍ତୁ ଅନ୍ୟ ପ୍ରକାର କହନ୍ତି । ବୁଢ଼ା ରାଉଳର କାହାଣୀ କହି ବୁଢ଼ୀ ମା’ ନିଦ ଆଣିଦିଏ ନାତି ଆଖିରେ । ପରୀ ରାଇଜର କାହାଣୀ ପରି ବୁଢ଼ା ରାଉଳର କାହାଣୀ ଶୁଣି ଅବାକ୍ ଆନନ୍ଦରେ ଶୋଇପଡ଼େ ଶିଶୁ ।

 

ହରିବନ୍ଧୁ ମଧ୍ୟ ପିଲାଦିନେ ବୁଢ଼ା ରାଉଳର କାହାଣୀ ଶୁଣିଛନ୍ତି । ତନ୍ମୟ ହୋଇ ମନ ଏବଂ ପ୍ରାଣରେ ସେହି ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

 

ବହୁ ପୂର୍ବକାଳରେ ବୁଢ଼ା ରାଉଳ ନାମରେ ଜଣେ ମାଳୀ ଥିଲା । ସେ ବଳଙ୍ଗ ନଦୀ କୂଳରେ ଏଇ ଝଙ୍କାଳିଆ ବରଗଛ ମୂଳରେ ଗୋଟିଏ କୁଡ଼ିଆ ଗଢ଼ିଦେଇ ପରିବାର ନେଇ ରହୁଥିଲା-। ବଡ଼ିଭୋରରୁ ଉଠି ବଗିଚାରୁ ଫୁଲ ତୋଳି ଠାକୁରାଣୀ ମସ୍ତକରେ କିଛି ରଖି ବାକିତକ ନେଇ ରଜାଘରେ ଦେଇଆସୁଥିଲା । ତା’ ଝିଅବୋହୂ ମାଳଗୁନ୍ଥି ଠାକୁରାଣୀଙ୍କୁ ଦେଉଥିଲେ । ସେ ନିଜେ ମାଳଗୁନ୍ଥି ରଜାଘରକୁ ନେଇ ଯାଉଥିଲା । ସତ୍ୟ ଧର୍ମରେ ମତି ଥିଲା ବୁଢ଼ା ରାଉଳର । ରାଜା ଦିନେ ପାରିଧି କରି ଯାଉଥିବାବେଳେ ବୁଢ଼ା ରାଉଳର ବଗିଚା ପାଖରେ ମୁଗ୍‌ଧ ହୋଇ ଅଟକି ଗଲେ ଘଡ଼ିଏ । ବୁଢ଼ା ରାଉଳ ଯତ୍ନରେ ଗୁନ୍ଥିଥିବା ଗଜରାମାଳ ଗୋଟିଏ ତାଙ୍କ ଗଳାରେ ଲମ୍ବାଇ ଦେଇ ସାଷ୍ଟାଙ୍ଗ ପ୍ରଣାମ କରି ଖନେଇ ଖନେଇ କହିଲା- ମଣିମାଙ୍କ ଜୟ ହେଉ, ଏ ରାଜ୍ୟର ଜୟ ହେଉ, ସମସ୍ତେ ସୁଖରେ ରହନ୍ତୁ ।

 

ରାଜା ଆଶ୍ଚର୍ଯ୍ୟ ହୋଇଯାଇ କହିଲେ- ତୁମେ ନିଜ କଥା କିଛି କହିଲ ନାହିଁ ଯେ ରାଉଳେ-!

କୃତକୃତ୍ୟ ହୋଇ କହିଲା ବୁଢ଼ା ରାଉଳ-ରାଜା ଓ ରାଜ୍ୟର ଜୟ ହେଲେ ଲୋକମାନେ ସୁଖୀ ହୁଅନ୍ତି ମଣିମା ! ମୁଁ ଜଣେ ଅତି ସାଧାରଣ ମଣିଷ । ମୋର ସୁଖ ସମସ୍ତଙ୍କ ସୁଖରେ । ସ୍ୱତନ୍ତ୍ରହୋଇ କେବଳ ମୋର ନିଜର ସୁଖ ହୋଇପାରେନା ।

 

ଗୁଣଗ୍ରାହୀ ରାଜା ଆନନ୍ଦରେ ବୁଢ଼ାରାଉଳକୁ କୁଣ୍ଢେଇ ପକେଇ କହିଲେ-ଏଇ ଗାଁ ଖଣ୍ଡକ ଆଜିଠାରୁ ତୁମର ହେଲା ରାଉଳେ ! ଏ ରାଜ୍ୟରେ ମୁଁ ଯେପରି ରଜା, ଏ ଗାଆଁରେ ତୁମେ ସେହିପରି ରଜା । ତୁମେ ଆଜିଠାରୁ ମୋର ପ୍ରଜା ନୁହଁ-ମିତ୍ର ।

 

ବାଷ୍ପାକୁଳ ଆଖିରେ ସାଷ୍ଟାଙ୍ଗ ପ୍ରଣାମ କରିବାକୁ ଯାଉଥିଲା ବୁଢ଼ା ରାଉଳ; କିନ୍ତୁ ତାକୁ ଛାତି ଉପରେ ଆଉଜାଇ ନେଇ କହିଲା ରାଜା-ନା, ନା, ଆଉ ତଳେ ନୁହେଁ, ଏଇଠି ତୁମର ସ୍ଥାନ ।

 

ବୁଢ଼ାରାଉଳର ଆଖିରୁ ଦୁଇଧାର ତତଲା ଲୁହ ଗଡ଼ିପଡ଼ିଥିଲା ସେଦିନ ।

 

ରାଜା ଆଉ ପାରିଧିକୁ ନ ଯାଇ ବଗ ସାମଲ ଗଡ଼କୁ ଫେରିଯାଇଥିଲେ ସେଦିନ ।

 

ତହିଁପରଦିନ ଗାଆଁର ଶହ ଶହ ଲୋକ ଯେତେବେଳେ ଖୋଳ, କରତାଳ, ଶଙ୍ଖ ବଜାଇ ଠାକୁରାଣୀ ମନ୍ଦିରର ନାଟମନ୍ଦିରରେ ଅଭିଷେକ କଲେ ବୁଢ଼ା ରାଉଳକୁ ସେମାନଙ୍କ ରାଜା ଭାବରେ, ସେତେବେଳେ ବଡ଼ ଅଡ଼ୁଆ, ବଡ଼ ନିଛାଟିଆ ମନେହେଲା ବୁଢ଼ା ରାଉଳକୁ । ହଠାତ୍ ତା’ର ମନେହେଲା, ସେ ଯେପରି ଶହ ଶହ ଅତି ସାଧାରଣ ମଣିଷ ଭିତରୁ ବିଚ୍ଛିନ୍ନ ହୋଇଯାଉଛି। ସେ ଅନୁଭବ କଲା ଏଇ ଦେଶର ସାଧାରଣ ଜୀବନଧାରାଠାରୁ ସେ ଯେପରି ଏକାରାତିକେ ସ୍ୱତନ୍ତ୍ର ହୋଇଯାଇଛି । ବଡ଼ ବିକଳ ଲାଗିଲା ତାକୁ । ଯେଉଁ ରାମା, ଦାମା, ଯଦୁ ଆଉ ମଧୁ ତାକୁ କକେଇ, ଦଦେଇ, ମଉସା ବା ଭାଇ ବୋଲି ଡାକୁଥିଲେ, ସେମାନେ ତାକୁ ହଠାତ୍ ସମୀହ କରି କଥା କହିବାକୁ ଲାଗିଲେ । ଯେଉଁ ଛୋଟ ଛୋଟ ପିଲାମାନେ ତାକୁ ଅଜା କହି ଥଟ୍ଟା କରୁଥିଲେ, ସେମାନେ ଆଉ ତା’ ପାଖ ମାଡ଼ିଲେ ନାହିଁ ।

 

ବେଦନାର୍ତ୍ତ ଚକ୍ଷୁରେ ରାଉଳ ଦେଖିଲା, ସମସ୍ତଙ୍କ ଆଖିରେ ସ୍ନେହ ଶ୍ରଦ୍ଧାର ଝର ଶୁଖିଯାଇ ସମ୍ମାନର ଝର ଫୁଟିଉଠୁଛି ।

 

ବୁଢ଼ା ରାଉଳ ଠାକୁରାଣୀଙ୍କ ପାଦତଳେ ମଥା ପିଟି ପ୍ରତିବାଦ ଜଣାଇଲା- ଏ କଅଣ କଲୁ ମା’ ! ମୁଁ ତ ଅସାଧାରଣ ନ ହୋଇ ଅତି ସାଧାରଣ ହୋଇ ରହିବାପାଇଁ ଚାହିଁଥିଲି...ଏ ତୁ କଅଣ କଲୁ ମା’... ?

 

ଠିକ୍ ମାସକ ପରେ ବଳଙ୍ଗରେ ବଢ଼ି ଆସିଲା । ସେଇ ବଢ଼ି ପାଣି ଦେଖି ପ୍ରାଣବିକଳରେ ସମସ୍ତେ ଆଶ୍ରୟ ଖୋଜୁଥିଲାବେଳେ ଗୋଟିଏ ହାତରେ ଲଣ୍ଠନ ଏବଂ ଆଉ ଗୋଟିଏ ହାତରେ ଗୋଟେ ବାଡ଼ି ଧରି ଗାଆଁଯାକର ଘର ଘର ବୁଲି ଜଣ ଜଣ କରି ଭିଡ଼ି ଆଣି ମୁଣ୍ଡିଆ ଉପରେ ଛାଡ଼ିଦେଇ ପୁଣି ଅନ୍ୟମାନଙ୍କୁ ଆଣିବାପାଇଁ ଦଉଡ଼ୁଥିଲା ସେ । ଘର ସମ୍ପତ୍ତିର ମୋହଛାଡ଼ି ସମସ୍ତେ ଆସିଲେ; କିନ୍ତୁ ଶେଷକୁ ନିଜ ପରିବାର କଥା ମନେପଡ଼ିଲାବେଳକୁ ବୁଢ଼ା ରାଉଳ ସ୍ତବ୍‌ଧହୋଇ ଦେଖିଲା, ମୁଣ୍ଡିଆ ଚାରିପାଖରେ ଛାତିଏ ପାଣି, ଠାକୁରାଣୀ ମନ୍ଦିର ଭିତରେ ପାଣି ପଶିଯାଇଛି, ଆଉ ତା’ର ଛୋଟକୁଡ଼ିଆଟିର ଚାଳ ଉପରେ ଚାରି ଛଅଟା ହାତ ଉପରକୁ ଉଠୁଛି ସାହାଯ୍ୟ ପ୍ରାର୍ଥନା କରି ।

 

ପାଣିକୁ ଡେଇଁପଡ଼ିଲାବେଳେ ପଛରୁ ରୋକି ନେଲେ ତିନି ଚାରିଜଣ ।

 

ବୁଢ଼ାରାଉଳ କହିଲା-ମୋତେଛାଡ଼...ଛାଡ଼...ମୋ ପରିବାର ପିଲାକବିଲା ଭାସିଗଲେ...

 

ଜଣେ କିଏ ପଛରୁ କହିଲା-କିନ୍ତୁ ମଣିମା ତ ଭାସିଯାଇ ପାରିବେ ନାହିଁ । ମଣିମା ଆଉ ଗୋଟିଏ ପରିବାରର ନୁହଁନ୍ତି, ଏଇ ଗାଁର ସମସ୍ତଙ୍କର । ବାରଶହ ବଢ଼େଇପାଇଁ ପୁଅକୁ ବଳିଦେଇଥିଲା ବିଶୁ ମହାରଣା ।

 

ବୁଢ଼ରାଉଳ ଆଉ ପାଟି କଲା ନାହିଁ, ଗୁମୁରି ଗୁମୁରି କାନ୍ଦିଲା ନାହିଁ ବା ସମସ୍ତଙ୍କ ଅଲକ୍ଷ୍ୟରେ ଆଖିରୁ ଲୁହ ଗଡ଼ାଇଲା ନାହିଁ । ସେ ସବୁ ଦୁଃଖ, ସବୁ ବେଦନାକୁ ଏକାନିଃଶ୍ୱାସରେ ଶୋଷି ନେଇ ଲୁଚାଇ ରଖିଲା ଛାତିତଳେ ।

 

ତା’ପରେ ବନ୍ୟା ଛାଡ଼ିଗଲା; ବୁଢ଼ା ରାଉଳର ସମସ୍ତେ ନିଜ ଲୋକ ହୋଇଗଲେ, କିନ୍ତୁ ସେ କାହାରି ହୋଇପାରିଲା ନାହିଁ । ତାକୁ ଦେଖିଲେ ଦୂରରୁ ପ୍ରଣାମ କରି ଆଜ୍ଞାପାଇଁ ଅପେକ୍ଷା କରି ରହିଲେ । ଗତଦିନର ଭାଇ, ପୁତୁରା, କକେଇ, ଖୁଡ଼ୀମାନେ-ସେ ସମସ୍ତଙ୍କର ଦୁଃଖ ନେଲା ସତ, କିନ୍ତୁ ତାହାର ଦୁଃଖ କଥା କେହି ବୁଝିପାରିଲେ ନାହିଁ ।

 

ଦିନେ ସକାଳେ ଗାଆଁରେ ଚହଳ ପଡ଼ିଗଲା ବୁଢ଼ା ରାଉଳ ମରିଗଲା ବୋଲି । ଛାତିରେ ଛନକା ନେଇ ଲୋକେ ଧାଇଁଲେ ଦେଖିବାପାଇଁ ।

 

ବୁଢ଼ା ରାଉଳର ମଥା ତଳୁ ଗୋଟେ ଚିଟାଉ ମିଳିଲା । ସେଥିରେ ବଡ଼ ବଙ୍କା ବଙ୍କା ଅକ୍ଷରରେ ଲେଖାଥିଲା-‘‘ଅସାଧାରଣ ନୁହେଁ, ତୁମ ସମସ୍ତଙ୍କ ପରି ଜଣେ ଅତି ସାଧାରଣ ଲୋକ ହେବାପାଇଁ ମୁଁ ଚାଲିଯାଉଛି । ମୋର ସମୟ ହୋଇଗଲା । ତୁମେ ସବୁ ସତ୍ୟ ଆଉ ଧର୍ମରେ ରହ, ସୁଖୀ ହୁଅ ।

 

ତୁମ ସମସ୍ତଙ୍କର

 

“ବୁଢ଼ା ରାଉଳ’’

 

ଲୋକମାନେ ସେଇ ସ୍ମୃତିକୁ ଜାଗ୍ରତ କରି ରଖିବା‘ପାଇଁ ଗୋଟେ ସମାଧି ତିଆରି କରିଥିଲେ; କିନ୍ତୁ ତାହାବି ରହିଲା ନାହିଁ, ବଳଙ୍ଗର ଆଉ ଗୋଟେ ବଡ଼ ବନ୍ୟାରେ କେଉଁଆଡ଼େ ନିଶ୍ଚିହ୍ନ ହୋଇଗଲା ।

 

ହରିବନ୍ଧୁ ଉଠି ବସି କହିଲେ ନିଜେ ନିଜକୁ- କେମିତି ରହନ୍ତା ଯେ ! ସେ ତ ଅସାଧାରଣ ହେବାପାଇଁ ଚାହିଁ ନ ଥିଲା-ଅତି ସାଧାରଣ ହେବାପାଇଁ ପ୍ରାର୍ଥନା କରୁଥିଲା ସବୁବେଳେ । ସତ୍ୟ ଧର୍ମ ସଂସାରେ ଅଛି ବୋଲି ସିନା ଠାକୁରାଣୀ ତା’ କଥା ରଖିଲେ ।

 

ହରିବନ୍ଧୁ ଅବାକ୍ ହୋଇ ଭାବନ୍ତି ସେଇ ଅସାଧାରଣ ମଣିଷଟି କଥା । ସେ ଅସାଧାରଣ ହୋଇ ବି ପୁଣି ସାଧାରଣ ହୋଇସ୍ୱର୍ଗକୁ ଚାଲିଗଲା, ବଞ୍ଚିଥିବାବେଳେ ଛୋଟ ହେବାପାଇଁ ଯାଇ ବଡ଼ ହୋଇଗଲା ।

 

ହରିବନ୍ଧୁଙ୍କର କେତେ ସ୍ମୃତି ଏଇ ବଳଙ୍ଗର ପ୍ରବାହିତ ଜଳଧାର ପରି କୁଳୁକୁଳୁ ନିନାଦ କରି ମୁଖରିତ କଲେ ତାଙ୍କର ମାନସପଥକୁ । ସେ ବି ଦିନେ ବୁଢ଼ାରାଉଳ ପରି ବଡ଼ ନ ହୋଇ ଅତି ସାଧାରଣ ହେବାପାଇଁ ଚାହିଁଥିଲେ, କିନ୍ତୁ ପାରିଲେ ନାହିଁ- ତାଙ୍କର ଅନିଚ୍ଛା ସତ୍ତ୍ୱେ ସେ ଧୀରେ ଧୀରେ ସାଧାରଣ ସ୍ତର ପାରହୋଇ ଅସାଧାରଣ ସ୍ତରକୁ ଚାଲିଗଲେ ।

 

ଆଜି ବି ହିସାବ ନିକାଶ କରି ଜମାଖାତାରେ କେତେ ସଞ୍ଚୟ କରିଛନ୍ତି, ଦେଖିବାପାଇଁ ଇଚ୍ଛା ହୁଏ ତାଙ୍କର; କିନ୍ତୁ ସାହସ ହୁଏ ନାହିଁ । ସଞ୍ଚୟଠାରୁ ବ୍ୟୟର ତାଲିକାଟା ବଡ଼ ବେଶି ମନେହୁଏ । ସେ ଅନ୍ୟ ପ୍ରସଙ୍ଗ ଉପରକୁ ଚାଲିଯାଆନ୍ତି ।

 

ଏହି ସାଧାରଣ ଲୋକ ଭିତରେ ଲୁଚିରହିଛି ଏଇ ଅସାଧାରଣ ଭାରତବର୍ଷ । କୋଟି କୋଟି ଲୋକଙ୍କର ନାଡ଼ିର ସ୍ପନ୍ଦନରେ ଏବଂ ନିଃଶ୍ୱାସପ୍ରଶ୍ୱାସର ସମନ୍ୱୟରେ ଜୀବନର ଗୋଟିଏ ପାର୍ଥିବ ସତ୍ୟ ଭାସ୍ୱରିତ ହେଉଛି ।

 

ପରିବାରର ସମସ୍ତ ଲୋକ ବୁଢ଼ା ରାଉଳର ଠାକୁରାଣୀ ମନ୍ଦିରରେ ପୂଜା ଶେଷ କରି ଫେରିଆସି ଥାଆନ୍ତି ସେତେବେଳକୁ । ଶାଳଗଛମୂଳେ ବଣଭୋଜିର ବିରାଟ ଅୟୋଜନ ଚାଲିଥାଏ ସମସ୍ତଙ୍କ ପାଇଁ । ଖିରି, ଖେଚେଡ଼ି, ମାଂସ, ମାଛ, ଖଟା, ବେସର, ଭଜା ପ୍ରଭୃତିର ରକମ ରକମ ଆୟୋଜନ । ପ୍ରତ୍ୟେକର ସୁଆଦିଆ ଗନ୍ଧରେ ମହକି ଉଠୁଥାଏ ସ୍ଥାନ ।

 

ରତ୍ନମୟୀ ଆସି କହିଲେ- ସବୁ ତ ହୋଇ ଆସିଲାଣି, ଆଉ ଟିକେ ପରେ ବସିଯିବ ସଭିଏଁ; କିନ୍ତୁ ନାକରେ ବାରିପାରୁଛ କିଛି ?

 

-ହଁ ହଁ, ମାଇଲିଏ ବାଟଯାଏ ମହକି ଉଠୁଛି ରନ୍ଧା ସୁଆଦ ।

 

-ରନ୍ଧାର ସୁଆଦ ନୁହେଁ, ସ୍ଥାନର ମହିମା । ଯାହା ରନ୍ଧା ହବ ସବୁ ସୁଆଦ ଲାଗିବ ଏଠାରେ ।

 

-ସେଇ ପିଲାଗୁଡ଼ାଙ୍କୁ ଦେଖିଛ ?

 

ଟିକିଏ ଦୂରରେ ଗୋଟିଏ ଗଛମୂଳେ ବସି ରୋଷ ସ୍ଥାନଆଡ଼କୁ ଅନେଇଁ ଅପେକ୍ଷା କରିଥିବା କେତେଜଣ ଲଙ୍ଗଳା ପିଲାଙ୍କୁ ଦେଖାଇ କହିଲେ ହରିବନ୍ଧୁ ।

 

ରତ୍ନମୟୀ ଅସନ୍ତୋଷ ପ୍ରକାଶ କରି କହିଲେ- ଦେଖିବାପାଇଁ ସମୟ ନାହିଁ ମୋର ।

 

ଏବଂ ତା’ପରେ ଯୋଗ ଦେଲେ-

 

ସେମାନଙ୍କୁ ଦେଖିବାଯାଏ ବସି ରହିବାପାଇଁ ଅସରନ୍ତି ସମୟ ଅଛି ସେମାନଙ୍କର । ଆସିଛନ୍ତି ଯେତେବେଳେ ଦେଖାଦେଖି ନ କରିବାଯାଏ ଫେରିଯିବେ ନାହିଁ ତ ।

 

ରତ୍ନମୟୀ ବୁଝିଥିଲେ, ସେ ଯେତେ ରୁଷ୍ଟ ହେଲେ ବି ସବୁ ବାହାରେ ନଡ଼ିଆ ପରି ଭିତରଟା କୋମଳ । ସେଠାରେ କେବଳ ଜନନୀର ବରାଭୟ ରୂପ, ଅମୃତ ପରି ସୁଆଦିଆ ଅସରନ୍ତି ସ୍ନେହ ।

 

ହରିବନ୍ଧୁ ଶାଳବଣରେ ଘେରାଏ ବୁଲିଆସି କହିଲେ- ନଦୀ ମଝିରେ ସେଇ ବଡ଼ କଳାପଥରଟା ଦେଖୁଛ ?

 

-ହଁ । ରତ୍ନମୟୀ ଉତ୍ତର ଦେଲେ ।

 

-ତା ଚାରିପାଖରେ ନାଚି ନାଚି, ଗୀତ ଗାଇ, ନଦୀର ସୁଅ କିମିତି ଟିକେ ଅଟକି ଯାଇ ପୁଣି ଆଗେଇ ଯାଉଛି ଦେଖୁଛ ?

 

-ହୁଁ ।

 

ଅନ୍ୟମନସ୍କ ହୋଇ କହିଲେ ରତ୍ନମୟୀ ।

 

-ସେଇଥିରୁ ଶିଖ, ସେଇପରି ହେବାପାଇଁ ଚେଷ୍ଟା କର ।

 

ରତ୍ନମୟୀ କିଛି ଉତ୍ତର ଦେଲେନାହିଁ । ପିଲାମାନେ ଲୁଚକାଳି ଖେଳୁଥିଲେ ଟିକିଏ ଦୂରରେ; ଚାହିଁ ରହିଥିଲେ ସେଇଆଡ଼େ ।

 

ବଡ଼ବୋହୂ, ଗୁଣୁଗୁଣୁ ହୋଇ ଗୋଟେ ଭଜନ ଗାଉଥିଲା; ସାନବୋହୂ ହାତରେ ତାଳି ବଜାଇ ତାଳ ସୃଷ୍ଟି କରୁଥିଲା ।

 

ହରିବନ୍ଧୁ ନୂଆ ନାତିକୁ କାନ୍ଧରେ ବସାଇ କହିଲେ- ସେଇ ପାଣିପରି ହୋଇପାରିବୁ ରଜା-?

 

ରଜା ଛୋଟ, ବଲବଲ କରି ଚାହେଁ, ମୁଚକିନା ହସିଦିଏ, ଉତ୍ତର ଦେଇପାରେ ନାହିଁ ।

 

ରତ୍ନମୟୀ କହିଲେ- ଏତେ ଶିଖିବା ଜାଣିବାପାଇଁ ଅଛି ଦୁନିଆରେ । କେତେ ମୁନିଋଷି, ଗୁଣୀ, ମାନୀ ଅଛନ୍ତି-ସେମାନଙ୍କ ପରି ନ ହୋଇ ଏଇ ପାଣିଧାର ପରି କାହିଁକି ହବ ସେ !

 

-ପାଣିଧାରର ବେଗ ଅଛି । ଆଉ ବେଗହିଁ ଜୀବନର ଲକ୍ଷଣ ।

 

ଯୋଗ କଲେ ହରିବନ୍ଧୁ।

 

-ଏତେ କଥା କହିଆସେ !

 

ଅନୁଯୋଗ କଲେ ରତ୍ନମୟୀ।

 

-କେବଳ ସେତିକି ! ସେଇ ନଦୀର ସୁଅକୁ ଦେଖ ! ତା’ର ପଥ ରୋଧ କରି ବାଧାରୂପେ ପଡ଼ିରହିଛି ଯେଉଁ ବିରାଟ ଶିଳାଖଣ୍ଡ, ତାକୁ ବି ଦେଖ । ଏଇ ପ୍ରତିବନ୍ଧକକୁ କିନ୍ତୁ ସ୍ୱୀକାର କରିନାହିଁ ନଦୀର ପ୍ରବାହ, ବିରୋଧ ବି କରିନାହିଁ । ନିଜଗୁଣରେ ଗୀତ ଗାଇ ଗାଇ ପ୍ରଦିକ୍ଷଣ କରିଛି ଶିଳାଖଣ୍ଡ ଚାରିପାଖରେ । ଟିକିଏ ମନ୍ଥର ହୋଇଯାଇଛି ସିନା, ଅଟକି ଯାଇନାହିଁ । ବାଧା ପ୍ରତିବନ୍ଧକକୁ ପଛରେ ପକାଇ ପୁଣି ଆଗକୁ ଯାଇଛି । ପଥଧାରରେ କେତେ ପାଦପକୁ ରସ ଯୋଗାଇଛି । କେତେ ଉପର ଜମିକୁ ସବୁଜ ଶ୍ୟାମଳ କରିଛି । କେତେ ତୃଷା ହରଣ କରିଛି, ପୁଣି ନିଜର ସବୁକଥା ଭୁଲିଯାଇ ଅତି ସାଧାରଣ ହୋଇ ଅସାଧାରଣରେ ମିଶିଯାଇଛି ।

 

ହରିବନ୍ଧୁ ଆଜି ଯେପରି ପ୍ରଗଲ୍ଭ ହୋଇ ପଡ଼ିଛନ୍ତି...ମୁହଁ ଭିତରୁ ଅନର୍ଗଳ କଥା ବାହାରି ଆସୁଛି ଠେଲିହୋଇ ।

 

ଜାଗା ପରିଷ୍କାର ହୋଇସାରିଥିଲା । ଗଛର ଛାଇତଳେ ଘାସର ଗାଲିଚା ଉପରେ ସମସ୍ତଙ୍କ ପାଇଁ ପତର ପଡ଼ୁଥିଲା ।

 

-ସମସ୍ତଙ୍କ ପାଇଁ ଅଣ୍ଟିବ ତ ! ବଡ଼ପୁଅ କହିଲା ଆସି ।

 

-ନ ଅଣ୍ଟିଲେ ତୁମ ଭାଗରୁ ଦେଇଦେବ କିଛି ।

 

ସାନଭଉଣୀ ଉମା ଖତେଇହେଲା ଆସି ।

 

-ତୋତେ କିନ୍ତୁ ଦେବିନି...ଦେବି ସେଇ ଲଙ୍ଗଳା ପିଲାମାନଙ୍କୁ ।

 

ଜିଭ ଲେଉଟାଇ କହିଲା ହରିବନ୍ଧୁଙ୍କବଡ଼ ପୁଅ ଅମର ।

 

ଉମା କୃତ୍ରିମ ରୋଷ ପ୍ରକଟ କରି କହିଲା- ବାଃ’ରେ ! ବୁଢ଼ା ରାଉଳ ରଜା ହେଲା ପରି ଆଜି ତା’ହେଲେ ରଜା ହୋଇଯିବେ ଏମାନେ !

 

-ବୁଢ଼ା ରାଉଳ ଲଙ୍ଗଳା, ନାକରୁ ସିଙ୍ଘାଣି ଗଡ଼ୁଥିବା ନୁଖୁରା ପିଲାମାନଙ୍କୁ ଖୁବ୍‌ ଭଲ ପାଉଥିଲାବୋଲି କିମ୍ବଦନ୍ତୀ ଅଛି, କହିଲା ଅମର ।

 

ହରିବନ୍ଧୁ କହିଲେ-ହଇହେ ଶୁଣିଲଣି !

 

ତାଙ୍କ କଥା ଶୁଣିବାପାଇଁ ସେତେବେଳେ ପାଖରେ ନ ଥିଲେ ଆଉ କେହି ।

 

କିନ୍ତୁ ସେ ଚୁପ୍ ହୋଇ ନ ଯାଇ କହିବାପାଇଁ ଲାଗିଲେ- ସେ ଥିଲେ ନିଜେ ଆଗ ନ ଖାଇ ଏଇମାନଙ୍କୁ ଆଗ ଖୁଆନ୍ତା ।

 

-ବାପା ବସ ଆସି ।

 

ଉମା ଡାକିଲା ସେପାଖରୁ ।

 

ହରିବନ୍ଧୁ କାତର ଭାବରେ ଅନାଇଁଲେ ସେଇ ଭୋକିଲା ଆଖିରେ ନିଦାରୁଣ ଦୃଷ୍ଟିରେ ଚାହିଁ ରହିଥିବା ପିଲାଗୁଡ଼ାଙ୍କ ଆଡ଼କୁ । ସେମାନଙ୍କ ପେଟରେ ଯେପରି ଅଜସ୍ର ଭୋକ, ଆଖିରେ ଅକଳନ୍ତି ଶୋଷ ।

 

ପୃଥିବୀର ସବୁ ଶସ୍ୟ, ସମୁଦ୍ରର ସବୁ ପାଣି ଯେପରି ନିଅଣ୍ଟ ହେବ ସେଇ ଭୋକ ଆଉ ଶୋଷକୁ ନିବୃତ୍ତ କରିବାପାଇଁ ।

 

ହରିବନ୍ଧୁ ଧୋଇବାର ବାହାନା କରି ଗଛମୂଳକୁ ଯାଇ ଥିରି ଥିରି କହିଦେଇ ଆସିଲେ- ଟିକିଏ ଦୂରରେ ବସ ପିଲେ ! ପେଟ ପୂରେଇ ସଭିଏଁ ଖାଇବ । ବହୁତ ଖାଇବାର ଅଛି । କିଛି ଅଭାବ ହବ ନାହିଁ ।

 

ଭରସା ପାଇ ଉଜ୍ଜ୍ୱଳି ହୋଇ ଉଠିଲେ ପିଲାମାନେ । ଶୂନ୍ୟଦୃଷ୍ଟି ପୂର୍ଣ୍ଣ ହୋଇ ଲୀଳା କରିବାପାଇଁ ଆରମ୍ଭ କରିଦେଲା ବୁଢ଼ା ରାଉଳର ବଗିଚାରେ, ବୁଢ଼ାବଳଙ୍ଗର ପାଣିଧାରରେ ।

 

ଖେଚେଡ଼ିରୁ ଗୁଣ୍ଡାଏ ମୁହଁରେ ଗୁଞ୍ଜିବା ପୂର୍ବରୁ ସାଷ୍ଟାଙ୍ଗ ଦଣ୍ଡବତ କରି ଅଳପ ଦୂରରେ ଛିଡ଼ା ହୋଇଗଲା ଜଗବନ୍ଧୁ ।

 

-କିଏରେ ତୁ, ଚିହ୍ନିପାରିଲି ନାହିଁ ଯେ !

 

-ଆଜ୍ଞା, ଦୀନବନ୍ଧୁର ପୁଅ...

 

-କେଉଁ ଦୀନବନ୍ଧୁ !

 

ଆପଣଙ୍କ ଘରେ ମୂଲ ଲାଗୁଥିଲା । ପାଞ୍ଚ ବରଷ ହେଲା ମରିଯାଇଛି ।

 

ଅବାକ୍ ହୋଇଗଲେ ହରିବନ୍ଧୁ । ଯେଉଁ ଦୀନବନ୍ଧୁକୁ ସେ ଏତେ ବିଶ୍ୱାସ କରୁଥିଲେ, ଆଉ ଏତେ ଭଲ ପାଉଥିଲେ, ଏଇ ପାଞ୍ଚବରଷ ଭିତରେ ଏକାବେଳକେ ଭୁଲିଯାଇଛନ୍ତି ତାକୁ । ଛି...ଛି...

 

ଆଉ ତାହାରି ପୁଅ ଏଡ଼େଟିଏ ହେଲାଣି ! ଏତେ ସ୍ୱାର୍ଥପର ହୋଇ ଯାଇପାରିଲେ ସେ-! ମୁଣ୍ଡର ଝାଳ ତୁଣ୍ଡରେ ମାରି, ରକତ ପାଣି କରି ଯିଏ କାମ ଉତାରୁଥିଲା ତାଙ୍କର, ତାହାରି ପୁଅ ଏଡ଼େଟିଏ ହେଲାଣି- ଅଥଚ କିଛି ଖବର ରଖିନାହାନ୍ତି ସେ ।

 

ମନଟା ଅସ୍ଥିର ହେଲା ଜାଣିବାପାଇଁ । ପଚାରିଦେଲେ-

 

ଏତେ ବଡ଼ ହେଲୁଣି...କିମିତି ଅଛୁ...ବାହାସାହା ହେଲୁଣି ?

 

-ଆପଣଙ୍କ ଦୟାରୁ ଭଲ ଅଛି ସାଆନ୍ତେ, କଷ୍ଟେମଷ୍ଟେ ଚଳିଯାଉଚି ।

 

-ଭଲ, ବେଶ୍ ଭଲ । କଷ୍ଟେମଷ୍ଟେ ଚଳିଯିବା ତ ସାଧାରଣ ମଣିଷର ବିଜୟ ନିଶାଣ । ମରିହଜି ନ ଯାଇ ବଞ୍ଚିରହିବା- ଏହାହିଁ ତା’ର ପ୍ରମାଣ ।

 

ହରିବନ୍ଧୁଙ୍କୁ ଭଲ ଲାଗୁଥିଲା ଶୁଣିବାପାଇଁ । ସାଧାରଣ ମଣିଷର ଭଲମନ୍ଦ କଥା ଶୁଣିଲେ ସେ ଉତ୍ସାହ ପାଆନ୍ତି ଯେପରି ।

 

ବୁଢ଼ା ରାଉଳ ସେଇ ସାଧାରଣ ଲୋକଙ୍କୁ ଦେଖିଲେ ଅନୁପ୍ରାଣିତ ହେଉଥିଲା, ସେଇଥିପାଇଁ ରାଜା ହୋଇ ବି ପ୍ରଜା ପରି ରହିଗଲା ।

 

ହରିବନ୍ଧୁ କହିଲେ- ଜାଣିଲୁ କିମିତି ଯେ ଚାଲିଆସିଲୁ ଏଠାକୁ ?

 

-ଘରକୁ ଯାଇଥିଲି ସାଆନ୍ତେ ! ସେଇଠୁ ଶୁଣିଲି ଯିମିତି ଫେରି ନ ଯାଇ ଚାଲିଆସିଲି । ଆଉ ପୁଣି କେବେ ଆସିବେ କିଏ ଜାଣେ ? ଟଙ୍କାଟା ଅନେକ ଦିନ ରହିଗଲା । ବାପ କହିଥିଲା ଜଲଦି ଦେଇଦେବାପାଇଁ ।

ହରିବନ୍ଧୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ- କି ଟଙ୍କା, କାହାର ଟଙ୍କା ?

ଧୀରେ ଧୀରେ କହିଲା ଜଗବନ୍ଧୁ-ଆପଣ ଭୁଲିଯାଇଛନ୍ତି ସାଆନ୍ତେ, ହେଲେ ମୋ ବାପ ଭୁଲି ନ ଥିଲା, ମୁଁ ବି ଭୁଲି ଯାଇନାହିଁ । ମରିବାର ମାସେ ଆଗରୁ ଆପଣଙ୍କ ପାଖରୁ ଶହେ ଟଙ୍କା କରଜ ନେଇଥିଲା ପଥି ଔଷଧ କରିବାପାଇଁ । ବହୁତ ଦିନ ଭୋଗିଲା ତ ।

ହରିବନ୍ଧୁ କହିଲେ- ହଁ ହଁ, ଏବେ ମନେପଡ଼ୁଛି...

ଜଗବନ୍ଧୁ କହିଲା ଅନୁନୟ କରି-ଇଚ୍ଛା ଥିଲେ ବି ବିଳମ୍ବ ହେଇଗଲା, ଆଗରୁ ଯୋଗାଡ଼ କରିପାରିଲିନାହିଁ । ଆଜି ଆଣିଛି ସାଙ୍ଗରେ- ଆପଣଙ୍କ ହାତରେ ଦେଇଗଲେ ବାପର ଆତ୍ମା ବଡ଼ ଖୁସି ହବ ।

ଆଉ ଖାଇପାରିଲେ ନାହିଁ ହରିବନ୍ଧୁ । ପେଟ ତାଙ୍କର ପୂରିଯାଇଥିଲା ଯେପରି । ପାଣି ଗିଲାସେ ପିଇ ଦେଇ କହିଲେ ସେ- ଆରେ ! ସେ ଟଙ୍କା ନ ଦେଇଥିଲେ କଅଣ ଚଳି ନ ଥାଆନ୍ତା ! ମୁଁ ତ ମାଗୁ ନ ଥିଲି ।

-କିନ୍ତୁ ମୁଁ ଆଉ ଥୟ ଧରି ରହିପାରୁ ନ ଥିଲି ସାଆନ୍ତେ ! ଦୁଇଥର ସପନ ଦେଖିଛି ବାପକୁ । ସେ ପଚାରିଲା ସପନରେ- ସାଆନ୍ତଙ୍କ ଟଙ୍କା ପରିଶୋଧ କରିଛୁ ?

ଆଜି ଋଣ ପରିଶୋଧ କରିବାପାଇଁ ଆସିଥିଲା ଜଗବନ୍ଧୁ । ସେ ଟଙ୍କା କରଜ ଦେଇ ଭୁଲି ଯାଇଥିଲେ; ହେଲେ ଜଗବନ୍ଧୁ ବା ତା’ ବାପ ଦୀନବନ୍ଧୁ ଭୁଲିପାରି ନ ଥିଲେ ଟଙ୍କା ନବା କଥା ।

ଭୁଲିପାରିବେ କିପରି- ବୁଢ଼ା ରାଉଳର ବଂଶଧର ତ !

 

ମନଟା ଭରିଗଲା ଏକ ଅପୂର୍ବ ସନ୍ତୋଷରେ, ହୃଦୟ ପୂରିଗଲା ଏକ ଅନନୁଭୂତ ଅନୁଭୂତିରେ ।

 

ସେ ଏଇ ଲଙ୍ଗଳା ପିଲାମାନଙ୍କୁ ପାଖକୁ ଡାକି ଖାଇବାପାଇଁ ନିଜେ ବାଢ଼ି ଦେଲେ । ଜଗବନ୍ଧୁଙ୍କୁ ନିଜେ ବସି ଖୁଆଇଲେ ।

 

ପୃଥିବୀ ଅତି ସୁନ୍ଦର ଦିଶୁଥିଲା, ସମସ୍ତେ ଅତି ସୁନ୍ଦର ଦିଶୁଥିଲେ ହରିବନ୍ଧୁଙ୍କୁ ।

 

ଟଙ୍କାଟା ନ ନେଲେ ଦୀନବନ୍ଧୁର ଆତ୍ମା ଶାନ୍ତିରେ ସମ୍ମାନରେ ରହିପାରିବନାହିଁ ବୋଲି ଭାବି, ଥରିଲା ଥରିଲା ହାତରେ ହାତ ବଢ଼ାଇଲେ ହରିବନ୍ଧୁ ।

 

ପିତୃଋଣ ପରିଶୋଧ କରିବାର ସୁଯୋଗ ପାଇ କୃତ କୃତ୍ୟ ହୋଇ ହାତ ଲମ୍ବାଇ ଦେଲା ଜଗବନ୍ଧୁ । ସାଧାରଣକୁ ଅସାଧାରଣ କରିବାପାଇଁ ଶିଖାଇ ଯାଇଥିଲେ ବୁଢ଼ା ରାଉଳ।

 

ସାଧାରଣ ମଣିଷର ଲକ୍ଷ ଲକ୍ଷ ହାତ ଲମ୍ବିଗଲା ଅସାଧାରଣ ମଣିଷର କାମ କରିବାପାଇଁ, ପୃଥିବୀକୁ ଆହୁରି ସୁଖୀ ସମୃଦ୍ଧ କରିବାପାଇଁ ଶିଖାଇ ଯାଇଥିଲେ ବୁଢ଼ା ରାଉଳ ।

 

ଏଇ ଛୋଟ ଅତି ସାଧାରଣ ଲୋକଟିର ସ୍ମୃତି ପାଖରେ ନତଜାନୁ ହୋଇ ମନେ ମନେ ପ୍ରାର୍ଥନା କଲେ ହରିବନ୍ଧୁ- ଏ ଜାତିକୁ ଆଶୀର୍ବାଦ କର ଦୀନବନ୍ଧୁ ! ଏ ଦେଶକୁ ରକ୍ଷାକର ବୁଢ଼ା ରାଉଳ !

 

ବଳଙ୍ଗ ନଦୀର ଧାର ଉପରେ ପଡ଼ନ୍ତ ସୂର୍ଯ୍ୟର ସୁନେଲି କିରଣ ଚକ୍‌ଚକ୍ କରି ପ୍ରତିଶ୍ରୁତି ଦେଉଥିଲା ଯେପରି । ପ୍ରବୁଦ୍ଧ ପ୍ରଶାନ୍ତିରେ ବୁଢ଼ା ରାଉଳର ଜଣେ ସାଧାରଣ ପ୍ରଜା ତାହାରି ପରି ସାଧାରଣରୁ ଅସାଧାରଣ ସ୍ତରକୁ ଆରୋହଣ କରୁଥିଲା ।

Image

 

ଫୁଲର ଗୋଟିଏ ସୁରଭି

 

ଶକୁନ୍ତଳାର ଶେଷ ଅଭିମାନ ଟିକକ ଏଭଳି ଭାବରେ ଭାଙ୍ଗିଯାଇ ଧୂଳିରେ ମିଶିଯିବ ବୋଲି ସେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନ ଥିଲା । ଜୀବନର କେତେ ଆଶା, ଅନୁରାଗ ହଠାତ୍ ଯେପରି ମଉଳି ପଡ଼ିଲା । ସେ ପ୍ରଥମେ କିଛି ଭାବିପାରିଲାନାହିଁ । ତା’ପରେ କ୍ରମଶଃ ଶାନ୍ତ ମନରେ ଯେତେବେଳେ ଗୋଟିଗୋଟି କରି ସମସ୍ତ ଘଟଣାବଳୀକୁ ବିଶ୍ଳେଷଣ କଲା,ସେତେବେଳେ କଳ୍ପନା ସହିତ ବାସ୍ତବ ଜଗତର, ଆଲୋକ ସହିତ ଅନ୍ଧାରର, ପୁଣି ପ୍ରତିଶ୍ରୁତି ସହିତ ପ୍ରତିପାଳନର ଫରକ୍ତା ଆଖିଆଗରେ ଅତ୍ୟନ୍ତ ସ୍ପଷ୍ଟ ହୋଇଉଠିଲା । ପ୍ରଥମେ କିନ୍ତୁ ଯାହା ଘଟିଗଲା, ତାହା ସତ ହେଲେ ବି ସେ ବିଶ୍ୱାସ କରିପାରିଲା ନାହିଁ । ହୁଏତ ଜାଣିଶୁଣି ବିଶ୍ୱାସ କରିବାପାଇଁ ସେ ଇଚ୍ଛା କରୁ ନ ଥିଲା; କିନ୍ତୁ ତା’ର ଇଚ୍ଛା ଅନିଚ୍ଛା ଉପରେ ତ ସବୁ ଘଟଣା ନିର୍ଭର କରେନାହିଁ; ଯେଉଁମାନଙ୍କର ଇଚ୍ଛା କାର୍ଯ୍ୟକାରୀ ହୁଏ, ସେମାନେ ଏହାହିଁ ଚାହିଁଥିଲେ ।

 

ବରପକ୍ଷର ସମସ୍ତ ଦାବି ମାନିନେଇ ଅନିମେଷ ସହିତ ଝିଅର ବିବାହ ସ୍ଥିର କରିଦେଲେ କୃପାସିନ୍ଧୁ । ନିର୍ବନ୍ଧ ହୋଇଗଲା । ଅନିମେଷ ସହିତ ଶକୁନ୍ତଳାର ବିବାହ ପ୍ରସ୍ତାବ କାର୍ଯ୍ୟକାରୀ କରିବାପାଇଁ ମହାପ୍ରସାଦ ଧରି ଉଭୟ ପକ୍ଷ ପ୍ରତିଜ୍ଞା କଲେ, ଭାବୀ ବର ଓ ବଧୂଙ୍କୁ ଆଶୀର୍ବାଦ ଜଣାଇଲେ ।

 

ବହୁଦିନର ଗୋଟିଏ ଅବରୁଦ୍ଧ ଆଶା ବାହାରକୁ ଆସି ମୁକ୍ତ ସ୍ନାନର ସାର୍ଥକତା ପାଇଥାଆନ୍ତା । ଯାହାକୁ ମନେ ମନେ ପସନ୍ଦ କରି ତା’ ସହିତ ନିଜର ଜୀବନକୁ ଯୋଡ଼ି ଦେବାପାଇଁ ସେ ସମ୍ମତି ଦେଇଥିଲା, ସେ ଯେ ଏତେ ଶୀଘ୍ର ତା’ର ଏଡ଼େବଡ଼ ଅଭିମାନକୁ ଏପରି ନିଷ୍ଠୁର ଭାବରେ ପାଦରେ ଦଳି ଦେଇଯିବ ଏହା କଅଣ ସେ ଜାଣିଥିଲା ?

 

ଶକୁନ୍ତଳାର କିଛି ଅଭାବ ନ ଥିଲା । ସେ ଥିଲା ସୁନ୍ଦରୀ ଆଉ ସ୍ୱାସ୍ଥ୍ୟବତୀ । ଏମ୍.ଏ. ପାଶ୍ କରିଥିଲା, ଶାସ୍ତ୍ରପୁରାଣ ପାଠକରି ବିଦ୍ୟା ଓ ଯୋଗ୍ୟତା ଅର୍ଜନ କରିଥିଲା । ସକାଳ ଫୁଲର ନିବେଦନ ନେଇ ଅନାଇଥିଲା ଅନିମେଷକୁ; କିନ୍ତୁ ଅନିମେଷ ଶେଷରେ ଏତେ ଛୋଟ ହୋଇଗଲା-!

 

ଶକୁନ୍ତଳା ସହି ପାରିଲା ନାହିଁ; ତା’ ଆଖିଆଗରେ ଯିଏ ରୂପକଥାର ମାନସ-ପ୍ରତିମା ଯୁଗ ପରେ ଆଶା-ଆକାଂକ୍ଷା ଓ ଆବେଗକୁ ମୂର୍ତ୍ତ କରି ଆସି ଛିଡ଼ାହେଲା ନବାରୁଣର ଉଦ୍ଭାସିତ ଅଲୋକରେ, ତାକୁ ସବୁବେଳେ ସମ୍ପୂର୍ଣ୍ଣ ଅକ୍ଷତ ଓ ଆଦର୍ଶ ରୂପରେ ଦେଖିବାପାଇଁ ଭଗବାନଙ୍କ ପାଖରେ ପ୍ରଥମ ଅଳି କରିଥିଲା ସେ; କିନ୍ତୁ ଭଗବାନ ମଧ୍ୟ ଏତେଶୀଘ୍ର ଯେ ତା’ର ଅଳିକୁ ଦଳିଦେବେ. ତାହା ସେ କେବେ ଭାବି ନ ଥିଲା ।

 

ବାପାଙ୍କ ଉପରେ ପ୍ରଥମେ ରାଗ ହେଲା ଶକୁନ୍ତଳାର । ସେ ସମ୍ଭ୍ରାନ୍ତ ଓ ସମ୍ପଦଶାଳୀ । ଅନିମେଷ ଯାହା ଦାବି କରିଥିଲା ତାହା ପୂର୍ଣ୍ଣ କରିବାର କ୍ଷମତା ଅଛି ତାଙ୍କର; କିନ୍ତୁ ସ୍ୱେଚ୍ଛାପ୍ରଣୋଦିତ ହୋଇ ଦେବା, ଆଉ ତାଙ୍କ ଆଗରେ ମୁଣ୍ଡ ନୁଆଇଁ ସବୁ ମାନିନେବା, ଏକାକଥା ନୁହେଁ । ଏଥିରେ ଯେ ନିଏ ତା’ର ଯେପରି ଗ୍ଳାନି, ଯେ ଦିଏ ତା’ର ମଧ୍ୟ ସେହିପରି ଅଧୋଗତି । ତାକୁ ଆଇ. ଏ. ଏସ. ପାତ୍ର ହାତରେ ସମର୍ପଣ କରିବାପାଇଁ ବାପାଙ୍କର ଯେଉଁ ଅଭିଳାଷ ଥିଲା, ତାହା ପୂର୍ଣ୍ଣ କରିବାପାଇଁ ସେ ଏତେ ତଳକୁ ଖସିଗଲେ, ତାକୁ ଏଥିପାଇଁ ଥରେ ହେଲେ ପଚାରିଲେ ନାହିଁ ।

 

ଅନିମେଶକୁ ବିବାହ କରିବ ବୋଲି ସମ୍ମତି ଦେଇଥିଲା ଶକୁନ୍ତଳା; କିନ୍ତୁ କେବଳ ଆଇ. ଏ. ଏସ. ନ ହୋଇ ଯଦି ଅନିମେଷ ଅଧ୍ୟାପକ ହୋଇଥାଆନ୍ତା, ଅରାଜି ହୋଇ ନ ଥାଆନ୍ତା ଶକୁନ୍ତଳା । ମଣିଷର ଆପେକ୍ଷିକ ବାହ୍ୟାବସ୍ଥା ଉପରେ ତା’ର ମଣିଷପଣିଆର ମୂଲ୍ୟାଙ୍କନ କରେନାହିଁ ଶକୁନ୍ତଳା । ମଣିଷର ସଦ୍‌ଗୁଣଗୁଡ଼ିକ ଉପରେ ସେ ପିଲାକାଳରୁ ଆସ୍ଥା ରଖି ଆସିଛି । ନିଷ୍ଠା, ସତ୍ୟତା, ଉଦ୍ୟୋଗଶୀଳତା, ଦୟା, କ୍ଷମା, ସମତାବୋଧ ପ୍ରଭୃତି ମାନବୀୟ ସଦ୍‌ଗୁଣଗୁଡ଼ିକର ବିକାଶ ମଣିଷକୁ ମହତ୍ତର କରେ; ତାକୁ ନିମ୍ନ ଚରିତ୍ରର ଆକ୍ରମଣରୁ ମୁକ୍ତି କରି ଉର୍ଦ୍ଧ୍ୱକୁ ନିଏ । ମଣିଷ ଜୀବନ ଉର୍ଦ୍ଧ୍ୱରୁ ଆସିଛି; ତେଣୁ ତା’ର ଗତି ସ୍ୱଭାବତଃ ଊର୍ଦ୍ଧ୍ୱାୟନ ହେବା ସେ ଆଶା କରେ । ତାହା ନ ହୋଇ ଯଦି ନିମ୍ନଗାମୀ ହୁଏ, ତେବେ ଅସ୍ୱାଭାବିକ ହୁଏ ତା’ର ଅଧୋଗତି।

 

କିନ୍ତୁ ଅଧୋଗତିକୁ ହିଁ ଅନେକ ସମୟରେ ଊର୍ଦ୍ଧ୍ୱଗତିବୋଲି ମଣିଷ ଭାବେ ।

 

ଅନିମେଷ ଯେଉଁ ବାଙ୍‌ମୟ ରୂପଟି ଶକୁନ୍ତଳାର ଅନ୍ତରାଲୋକରେ ନବ ନବ ରୂପରେ ପ୍ରତି ମୁହୂର୍ତ୍ତରେ ଉଦ୍ଭାସିତ ହେଉଥିଲା, ତାହା ହଠାତ୍ ଉଭେଇ ନ ଗଲେ ମଧ୍ୟ ମେଘଢଙ୍କା ଆକାଶ ପରି ମ୍ଳାନ ପ୍ରତୀୟମାନ ହେଲା ।

 

ଅସ୍ଥିର ହୋଇପଡ଼ିଲା ସେ ।

 

ଶକୁନ୍ତଳାର ଶାନ୍ତ ଚିତ୍ତ ପ୍ରଥମ ଥରପାଇଁ ଅଶାନ୍ତ ହୋଇଉଠିଲା । ଅନିମେଷକୁ ସେ ମନେ ମନେ ପୂଜା କରିବା ଆରମ୍ଭ କରିଦେଇଥିଲା । ଯାହାର ହାତଧରି ପଥ ଚାଲିବ, ଛାତିତଳର ନିଶ୍ୱାସପ୍ରଶ୍ୱାସର ଶବ୍ଦ ଶୁଣି ମାନ-ଅଭିମାନ ସୁଖ-ଦୁଃଖ ବୁଝିପାରିବ, ଯାହା ସହିତ ପୃଥିବୀର ପ୍ରଶସ୍ତ ପଥ ଉପରେ ଚାଲିବାରେ ପାଇବ ଗର୍ବ ଓ ଗୌରବ, ସେ ତା’ ବିଷୟରେ ଟିକିଏ ଭାବିଲା ନାହିଁ; ତା’ ଆଡ଼କୁ ନ ଚାହିଁ ବାପା କେତେ ଦେଇପାରିବେ ସେଆଡ଼କୁ ବଡ଼କରି ଦେଖିଲା ।

 

ଅନିମେଷ ପାଖରେ ସବୁ ସମର୍ପଣ କରିଦେବାପାଇଁ ସିଦ୍ଧାନ୍ତ କରିଥିଲା ଶକୁନ୍ତଳା । ସର୍ବସ୍ୱ ସମର୍ପଣ କରି ସମର୍ପିତାର ଚରମତୃପ୍ତି ପାଇବାପାଇଁ ହୃଦୟ ତା’ର ବ୍ୟାକୁଳ ହୋଇଥିଲା । ମୁଗ୍‌ଧହୋଇ ମୋହିତାର ଦୃଷ୍ଟି ଦେଇ ସେ ପ୍ରଥମ ଦର୍ଶନ କରିଥିଲା ଅନିମେଷକୁ ।

 

କିନ୍ତୁ ତାକୁ ତା’ପରି ସମାନ ଦୃଷ୍ଟି ଦେଇ ଦେଖି ନ ଥିଲା ଅନିମେଷ । ତା’ ହୃଦୟରେ ଯଥେଷ୍ଟ ସ୍ଥାନ ଛାଡ଼ିଦେବାପାଇଁ ତା’ହେଲେ ସେ ବୋଧେ ଭାବି ନ ଥିଲା କେବେହେଲେ ।

 

ଆଉ ତାହାହିଁ ଯଦି ହୁଏ, ତା’ହେଲେ ଆଲୋଡ଼ା ଅଖୋଜା ଭାବରେ କେବଳ ସେ ଧାଇଁଯିବ କାହିଁକି ? ସେ ପଦପଦବୀର ମୋହରେ ଆକୃଷ୍ଟ ହୋଇ ନ ଥିଲା । ଅନିମେଷ ଭିତରେ ଯେଉଁ ପ୍ରଚ୍ଛନ୍ନ ପୁରୁଷ ଊର୍ଦ୍ଧ୍ୱଗତି କରିବାପାଇଁ ଉଭା ହୋଇଥିଲା, ନୟନାଭିରାମ ରୂପରେ ତାକୁହିଁ ମୁକୁଳିତ ପୁଲକିତ ଅନ୍ତରରେ ଦେଖିଥିଲା; ପ୍ରାଣର ନୈବେଦ୍ୟ ଦେଇ ତା’ର ପଥ ବରଣ କରିବାପାଇଁ ମନ କରିଥିଲା ।

 

ସାତଦିନର କଥା ସବୁ ଗୁନ୍ଥି ହୋଇ ରହିଥିଲା ମାନସପଟରେ ।

 

ଏଇ ସାତଦିନରେ ଦଳ ଦଳ ହୋଇ ତାକୁ ଦେଖିବାପାଇଁ ଆସିଥିଲେ ଅନିମେଷର ବାପା, ମାଆ, ଭାଇଭଉଣୀ, ପିଉସୀ, ମାଉସୀମାନେ । ଅନିମେଷ ବି ଦୁଇଥର ଆସିଥିଲା । ସବୁଥର ସେ ସେମାନଙ୍କ ଆଗରେ ବସିଥିଲା, କଥା ହୋଇଥିଲା, ସେମାନଙ୍କୁ ଜଳଯୋଗରେ ଆପ୍ୟାୟିତ କରିଥିଲା । ନିଜର ଅନିଚ୍ଛାସତ୍ତ୍ୱେ କେତେବେଳେ ମା’ର ଆଦେଶରେ ଭଲ ଶାଢ଼ିଟିଏ ପିନ୍ଧି, ଭଉଣୀର ଅନୁରୋଧ ଏଡ଼ିଯାଇ ନ ପାରି ମୁହଁରେ ଟିକିଏ ପାଉଡ଼ର ବୋଳି ଏବଂ ସାଙ୍ଗମାନଙ୍କ ସ୍ନେହକୁ ପକାଇ ଦେଇ ନ ପାରି ଗଭାରେ ଫୁଲ ଦୁଇପେନ୍ଥା ଖୋସି ଆସି ବସିଥିଲା ସେମାନଙ୍କ ସାଙ୍ଗରେ ।

ବଡ଼ ମଜା ଲାଗୁଥିଲା ସେତେବେଳେ ଚିଡ଼ିଆଖାନାର ଚିତାବାଘକୁ ବିଭିନ୍ନ ଦିଗରୁ ଅନେଇ ଅନେଇ ଦେଖିଲା ପରି । ତା’ ସହିତ ଖତେଇ ହୋଇ ବା ତା’ ଆଡ଼କୁ ଖଣ୍ଡେ ମାଂସ ଟୁକୁରା ଫୋପାଡ଼ି ଦେଇ ତା’ର ଭାବ ବୁଝିଲା ପରି ଜଣେ ଝିଅକୁ ସେମାନେ ଦେଖିଥିଲେ ଏବଂ ପରୀକ୍ଷା କରିଥିଲେ । ଚାଲି ନିଖୁଣ କି ନାହିଁ, କଥା ସ୍ପଷ୍ଟ ବା ତୁଣ୍ଡ ଲାଗେ, ବାଳ ଗୋଛାକ ଲମ୍ବ ନା ନକଲି, ଦେହର ରଙ୍ଗ ପାଉଡ଼ର ବୋଳା ନା ସ୍ୱଭାବଜାତ ତାହା ନିରେଖି ନିରେଖି ପରଖି ନେଇଥିଲେ ସେମାନେ । କିନ୍ତୁ ଅନିମେଷକୁ ଏତେପ୍ରକାର ଦେଖି ନ ଥିଲା ସେ; ତା’ କଥା ଶୁଣି ଶୁଣି ମନଟା ତା’ ଆଡ଼କୁ ଅଜାଣତରେ ଅବନତ ହୋଇଯାଇଥିଲା । ତାକୁ ପ୍ରଥମ ଦୃଷ୍ଟିରେ ହୃଦୟ ଭିତରେ ଅଭିଷକ୍ତ କରିନେଲା ଶକୁନ୍ତଳା ।

ସେଦିନର କଥା ସେ ପାସୋରି ଯାଇ ନ ଥିଲା । ନୂଆ ହୋଇ ମନରେ ଯେଉଁ ସୁରଭି ଜାଗେ, ଅଙ୍ଗରେ ଯେଉଁ ରଙ୍ଗ ଲାଗେ, ଛାତିତଳର ନିଶ୍ଚଳ ମହୋଦଧିରେ ଯେଉଁ ତରଙ୍ଗ ଉଠେ, ତାହା କେହି ପାସୋରି ଯାଏ ନାହିଁ । ପ୍ରଥମ କାବ୍ୟର ମାଧୁରୀ ପରି ତାହା ମୁଖରିତ, ପ୍ରଥମ ଫୁଲର ସୁବାସ ପରି ତାହା ଲାଳାୟିତ ।

ଅନିମେଷର ଅନୁରୋଧଏଡ଼ି ନ ପାରି ସେ ଗୋଟିଏ ଗୀତ ଗାଇଥିଲା ।

ଅନେକ ଫୁଲର ଆଖି...

ଫୁଲର ଗୋଟିଏ ଆଖି, ଗୋଟିଏ ସୁବାସ । ମନର ଗୋଟିଏ ମହକ, ଗୋଟିଏ ଅନୁରାଗ । ଗାଇ ସାରି ସଲ୍ଲଜ କଣ୍ଠରେ କିନ୍ତୁ ସହଜଭାବରେ କହିଥିଲା ଶକୁନ୍ତଳା- ଗାଇଲି ସିନା, କିନ୍ତୁ ଏ ଅର୍ଥ ସହିତ ମୁଁ ଏକମତ ନୁହେଁ । ଫୁଲର ଗୋଟିଏ ଆଖି, ପୁଣି ଆଖିର ଗୋଟିଏ ଦୃଷ୍ଟି, ଆଉ ଲୁହର ଗୋଟିଏ ଲିପି ।

 

ଅନିମେଷ ଅବାକ୍ ହୋଇଯାଇଥିଲା ପରି ସେ ଅନୁଭବ କରିଥିଲା ।

 

ତା’ ଆଖିରେ ଅନିମେଷ ତା’ ଆଡ଼କୁ ଢଳୁଥିବାର ସ୍ପଷ୍ଟ ଇଙ୍ଗିତ ଦେଖିଥିଲା ସେ ।

 

କିନ୍ତୁ ସେ ସବୁ ତା’ହେଲେ କ୍ଷଣକର ଭାବାନ୍ତର; ଯୁଗାନ୍ତରର ସଙ୍ଗୀତ ନୁହେଁ !

 

ଏତେ ଶୀଘ୍ର ତା’ହେଲେ ବଦଳିଯାଇପାରେ ମଣିଷ ! ଏତେଶୀଘ୍ର ପୁଣି ରଙ୍ଗ ବଦଳାଏ ତା’ର ମନ !

 

ସେ ବହୁରୂପୀ ନୁହେଁ ।

 

ତା’ର ଗୋଟିଏ ରୂପ ପରି ସେ ଧ୍ୟାନମଗ୍ନ ତପସ୍ୱିନୀ ପରି କେବଳ ରୂପର ଗୋଟିଏ ଧ୍ୟାନ କରିଛି; ଗୋଟିଏ ମାଧୁର୍ଯ୍ୟ ଏବଂ ଗୋଟିଏ ଐଶ୍ୱର୍ଯ୍ୟର କଳ୍ପନା କରିଛି ।

 

ପୃଥିବୀର ପ୍ରଶସ୍ତ ପଥ ଯେ ଏତେ ଅସମତଳ ଏଇ ପ୍ରଥମ ଜାଣିଲା ସେ । ମନଟା ବଡ଼ ବିଷର୍ଣ୍ଣ ହୋଇଗଲା । ହୃଦୟରେ ସେ ପ୍ରକୃତରେ ବ୍ୟଥା ଅନୁଭବ କଲା ।

 

ଅନିମେଷ ଯଦି ତାକୁ ପସନ୍ଦ କରିଥିଲା, ଭଲ ପାଇବାର ପ୍ରଥମ ନିବେଦନ ଗ୍ରହଣ କରିବାପାଇଁ ସିଦ୍ଧାନ୍ତ କରିଥିଲା- ତା’ ହେଲେ କେଉଁ ମୁହଁରେ କହିପାରିଲା ଏତେ କଥା !

 

ଗାଡ଼ିଟିଏ ଲୋଡ଼ା ।

 

ହୁଏତ ନ କହିଥିଲେ ବି କୃପାସିନ୍ଧୁ ବାବୁ ଗାଡ଼ିଟିଏ ଦେଇଥାଆନ୍ତେ ।

 

ଘରଟିଏ ଆବଶ୍ୟକ ।

 

ନୂଆ ଘରଟିଏ ତୋଳିଦେବାପାଇଁ ସମର୍ଥ ଥିଲେ ତା’ର ପିତା ।

 

କିନ୍ତୁ ୟା ବୋଲି ଏହି ସର୍ତ୍ତ ସହିତ ବିବାହ ହେବା ନ ହେବାର ନିଷ୍ପତ୍ତିକୁ ଯୋଡ଼ିଦେବା କେଡ଼େ ସଂକୀର୍ଣ୍ଣ ମନ ଏବଂ ଶକ୍ତ ହୃଦୟର ନିଦର୍ଶନ ତାହା ଦେଖି ଅନ୍ତରର ଅବସାଦରେ ଦଣ୍ଡେ ମୂକ ପରି ସ୍ଥିର ହୋଇଗଲା ଶକୁନ୍ତଳା ।

 

ଯେଉଁ ଜୀବନର ଐଶ୍ୱର୍ଯ୍ୟକୁ ସେ ମହନୀୟ ଚକ୍ଷୁରେ ଦେଖିଆସିଥିଲା, ତାହା ତେବେ ଗୋଟିଏ ଗାଡ଼ି ସହିତ ସମାନ ?

 

ନିଜ ଉପାର୍ଜନରେ ଯେଉଁ ମୋଟରଗାଡ଼ି ଚାଲେ ତହିଁରେ ବସିବାରେ ଚଳମାନର ଗତି ଓ ଗୌରବ ଅଛି । ଅନ୍ୟର ଶକ୍ତି ଓ ସମ୍ପଦ ଉପରେ ଚାଳିତ କୌଣସି ଗାଡ଼ିର ଶକ୍ତି ପଟ, ଗଜ ବା ମାଇଲ ଦେଇ ମପାଯାଇପରେ; କିନ୍ତୁ ତା’ର ଗ୍ଳାନିର ପରିସର ଅସରନ୍ତି ।

 

ବିବାହ ଆଉ ମାତ୍ର ତିନିଦିନ ପରେ ।

 

କୃପାସିନ୍ଧୁ ସବୁ ସର୍ତ୍ତ ପୁରଣ କରି ଆଇ. ଏ. ଏସ. ପାତ୍ରଟିଏ ପାଇବପାଇଁ ରାଜି ।

 

ଶକୁନ୍ତଳା କିନ୍ତୁ ମଉଳିଗଲା ଅନ୍ତର ଭିତରେ ।

 

ଗାଡ଼ି ସହିତ ତା’ହେଲେ ତା’ର ନୈବେଦ୍ୟର ବିଚାର କରାଗଲା ! ଅନିମେଷ ତା’ ଅପେକ୍ଷା ଗାଡ଼ିକୁ ତା’ହେଲେ ଅଧିକ ଭଲପାଏ !

 

ଏଇ ଦେଶର ଲକ୍ଷ ଲକ୍ଷ କନ୍ୟାଙ୍କୁ କେହି ଭଲ ପାଆନ୍ତି ନାହିଁ; ଭଲ ପାଆନ୍ତି ସେମାନଙ୍କର ପିତାମାତାଙ୍କର ସମ୍ପଦକୁ, ଦେଇପାରିବାର କ୍ଷମତାକୁ । ସେଥିପାଇଁ ଏ ଦେଶର କନ୍ୟାମାନଙ୍କୁ ନ ଦେଖି ସମସ୍ତେ ଦେଖନ୍ତି ତା’ସହିତ ମିଳୁଥିବା ସମ୍ପଦକୁ । ଅନ୍ତରର ନିଷ୍ଠା, ପ୍ରାଣର ନିବେଦନ, ହୃଦୟର ପବିତ୍ରତା ଏବଂ ଦୁଇଟି ନିଷ୍ପାପ ଆଖିର ଆକୁଳତା ଅପେକ୍ଷା ଗୋଟିଏଗାଡ଼ିର ମାୟା, କେତେ ଭରି ସୁନାର ବନ୍ଧନ ଅଧିକ ବିବେଚିତ ହୁଏ ସମାଜରେ !

 

ହାୟରେ ଦେଶ !

 

ଶକୁନ୍ତଳାର ଆଖିକୋଣରେ ଦୁଇବିନ୍ଦୁ ଲୁହ ଢଳଢଳ ହେଲା ।

 

ରାତିଅଧରେ ବି ଶୋଇ ନ ପାରି ସେ ଚାହିଁ ରହିଥିଲା ।

 

ଝରକା ଦେଇ ବାହାରକୁ ଅନାଇଲା ଶକୁନ୍ତଳା ।

 

ନିସ୍ତବ୍‌ଧ ରାତିରେ ପୃଥିବୀର ମୋହିନୀରୂପ ତାକୁ କେଉଁ ଏକ ଗଭୀର ଚିନ୍ତାରେ ନିମଗ୍ନ କରିଦେଲା ସଙ୍ଗେ ସଙ୍ଗେ।

 

ଆକାଶର କୋଟି କୋଟି ତାରାଙ୍କର ପରିଚୟ ଆଜିଯାଏ କେହି ପାଇନାହିଁ । କିନ୍ତୁ ଏହି ପୃଥିବୀର ଅଧିବାସୀ ଭାବରେ ପ୍ରତ୍ୟେକଙ୍କୁ ସେମାନେ ଦେଇଛନ୍ତି ଆଲୋକ, ଆଉ ଆନନ୍ଦ । ସେମାନଙ୍କର ସୁଷମା, ସତ୍ୟତା ଓ ସମନ୍ୱୟ ମଧ୍ୟରେ ଶୁଣାଇଛନ୍ତି କୋଟି କୋଟି ମରଣଶୀଳ ମଣିଷକୁ ଅମର ଅମୃତତତ୍ତ୍ୱ; କିନ୍ତୁ ମରିବାପାଇଁ ଆସିଥିବା ମଣିଷ ଅମୃତ ପିଇବାପାଇଁ ହାତ ବଢ଼ାଇ ନାହିଁ ।

 

ଆକାଶର ସେହି ସୌମ୍ୟ ରୂପ ଦେଖି ଅନେକ ପରିମାଣରେ ଶାନ୍ତ ହେଲା ଶକୁନ୍ତଳା ।

 

ସଂସାରର ସ୍ନେହ ଓ ସମ୍ପଦ, ମାୟା ଓ ମୋହ ପରିତ୍ୟାଗ କରି ଏହିପରି ଏକ ଗଭୀର ରାତିରେ ଜାୟା ପାଖରୁ ଚାଲିଯାଇଥିଲା ସିଦ୍ଧାର୍ଥ । ସେହି ରାତି ଭିତରେ ପୃଥିବୀ ଏଡ଼େ ମହାନ୍ ଏକ ଉଜ୍ଜ୍ୱଳଆଲୋକକୁ ଜନ୍ମଦେବାର ଦେଖି ବିଶ୍ୱ ବିସ୍ମୟ-ବିମୂଢ଼ ହୋଇଯାଇଥିଲା ।

 

ଆଉ ଦୁଇ ବିନ୍ଦୁ ଲୁହ ବାଧା ନମାନି ଗଡ଼ିପଡ଼ିଲା ଶକୁନ୍ତଳାର ଚିବୁକ ଉପରେ ।

 

ବିବାହ !

 

ବିବାହର ବନ୍ଧନ ଭିତରେ ସେ କଳ୍ପନା କରିଥିଲା ଏକ ଅନୁରଞ୍ଜିତ ଜୀବନର ଅସରନ୍ତି ଆନନ୍ଦ ।

 

କିନ୍ତୁ...

 

ପ୍ରଥମ ଥପାଇଁ ହୃଦୟ ଭିତରେ ଏକ ପ୍ରଶ୍ନବାଚୀ ବିପ୍ଳବ ଘୋଷଣା କଲା । ଶକୁନ୍ତଳା ଅବାକ୍ ହୋଇ ଅନାଇ ରହିଲା ପରିବର୍ତ୍ତିତ ଅନ୍ତର୍ଦୃଶ୍ୟଆଡ଼କୁ।

 

ନେପଥ୍ୟର କେତେ କୋଳାହଳ, ପିତାମାତା ଏବଂ ପରିବାର-ପରିଜନଙ୍କ କେତେ ଅନୁରୋଧ, ଅଳି-ଅର୍ଦ୍ଦଳି ଶୁଣି ବି ସେ ସେପରି ଶୁଣିପାରୁ ନ ଥିଲା ।

 

ନିଜ ଅନ୍ତର ଭିତରେ ଯେଉଁ ସଂଘର୍ଷ ଲାଗିଥିଲା ଦୁଇଟା ଚିରନ୍ତନ ଶକ୍ତି ମଧ୍ୟରେ, ସେଥିରେ କ୍ଷତ-ବିକ୍ଷତ ହୋଇ ମଧ୍ୟ ଆତ୍ମସମର୍ପଣ କଲାନାହିଁ ସେ ।

 

ଅନିମେଷକୁ ପାଇବାର ଆନନ୍ଦ ଅସୀମ । ତାକୁ ପରିତ୍ୟାଗ କରିବାର ବେଦନା ମଧ୍ୟ ଅସରନ୍ତି ।

 

କ୍ଷଣକପାଇଁ ନିଜକୁ ନିଃସହାୟ ମନେକଲା ଶକୁନ୍ତଳା ।

 

ବାପା କଥା ଦେଇସାରିଛନ୍ତି । ନିର୍ବନ୍ଧ ହୋଇଯାଇଛି । ସମସ୍ତେ ତାକୁ ଅନିମେଷର ବାଗ୍‌ଦତ୍ତା ବୋଲି ଜାଣିଯାଇଛନ୍ତି ।

 

ଏହି ନୂତନ ପରିଚୟ ସତରେ କେଡ଼େ ପ୍ରୀତିକର ହୋଇ ନ ଥାଆନ୍ତା ଯଦି ଅନିମେଷ ତାକୁ ସହଜରେ ଓ ବିନା ସର୍ତ୍ତରେ ଗ୍ରହଣ କରିଥାଆନ୍ତା ! ସର୍ତ୍ତ ଶାଳୀନତା, ସୌନ୍ଦର୍ଯ୍ୟ ଏବଂ ସୁଷମାକୁ ନଷ୍ଟ କରେ, ପ୍ରାଣର ଅବିରାମ ମିଳନ-ସ୍ରୋତକୁ ପ୍ରତିହତ କରେ । ଯେଉଁ ସ୍ରୋତରେ ସ୍ରୋତସ୍ୱିନୀର ବେଗ ଏବଂ ଅନୁରାଗର ଆବେଗ ନେଇ ପ୍ରବାହିତ ହେଉଥିଲା, ତାହା ଯେପରି ହଠାତ୍ ବନ୍ଦ ହୋଇଗଲା । ଯେଉଁ ପ୍ରବଣତାକୁ ପ୍ରଶୟ ଦେଇ ଗୋଟିଏ ମୂର୍ତ୍ତିକୁ ପ୍ରାଣର ପ୍ରତି କୋଣରେ ସଂଜୀବିତ କରିଥିଲା ଶକୁନ୍ତଳା, ତାହା ହଠାତ୍ ମରୀଚିକା ପରି ଅବାସ୍ତବ ମନେହେଲା ।

 

ନିସ୍ତବ୍‌ଧ ରାତ୍ରିରେ ସେହି ସନ୍ଧିକ୍ଷଣରେ ସେ ଗୋଟିଏ କାଗଜ ଉପରେ ଲେଖିଥିଲା ନିଜର ଶେଷ ସିଦ୍ଧାନ୍ତ ।

 

ଅନିମେଷ ! ଯାହା ଚାହିଁଥିଲ ସବୁ ପାଇବ; କିନ୍ତୁ ମୁଁ ? ମୁଁ ଏତେଦିନ ଧରି ଯେଉଁ ସ୍ୱପ୍ନ ଦେଖିଥିଲି ଯେଉଁ ମୋହନମୂର୍ତ୍ତିର ଉପାସନା କରିଥିଲି, ହୃଦୟ ଭରି ଯାହାର ଆଗମନ ପାଇଁ ଯୁଗଯୁଗର ପ୍ରତୀକ୍ଷାକୁ ମୂର୍ତ୍ତକରି ଛାତି ତଳର ପ୍ରତି ସ୍ପନ୍ଦନରେ ଯାହାର ଅପେକ୍ଷା କରୁଥିଲି, ତାଙ୍କୁ ଆଉ ପାଇଲି ନାହିଁ । ମରୁଭୂମିର ଝରପରି ସେ ପଥ ମଝିରେ କେଉଁଠି ଅଦୃଶ୍ୟ ହୋଇଗଲେ । ଆଜୀବନ ଯେଉଁ ନିଷ୍ଠା, ତପସ୍ୟା ଓ ପବିତ୍ରତା ନେଇ କୁମାରୀ ଜୀବନରୁ ବିବାହିତ ଜୀବନକୁ ବରଣ କରିବାପାଇଁ ସଂକଳ୍ପ କରିଥିଲି, ତାହା କେବଳ ସଂକଳ୍ପରେ ରହିଗଲା । ହୁଏତ ଗାଡ଼ି,ଘର ଓ ସମ୍ପଦ ତାଙ୍କ ପକ୍ଷରେ ମୋ’ଠାରୁ ବଡ଼ । ମୋତେ ନ ପାଇଲେ ତାଙ୍କର କିଛି କ୍ଷତି ବୃଦ୍ଧି ନାହିଁ । ସେ ନିଜର ପ୍ରମାଣପତ୍ର ଦେଖାଇ ଅନ୍ୟ କେଉଁଠୁ ଏହା ହାସଲ କରି ନେଇପାରିବେ । ମୁଁ କିନ୍ତୁ ମୋର ପ୍ରମାଣପତ୍ର ଥରେ ମାତ୍ର ଦେଖାଇଥିଲି, ଆଉ କୁମାରୀ ପ୍ରମାଣପତ୍ର ଥରେ ମାତ୍ର ଦେଖାଏ । ସେ ମୋତେ ଗ୍ରହଣ କରିବାପାଇଁ ଚାହିଁଲେ ବି ମୁଁ କିନ୍ତୁ ଆଉ ପାରୁନାହିଁ । ନିରୁପାୟ ମୁଁ; ନିଜର ଆଦର୍ଶକୁ ବଳିଦେଇ ମଣିଷ କେବେ ସୁଖୀ ହୋଇଛି ?

 

କିନ୍ତୁ ଆଉ କାହାକୁ ବରଣ କରିବା ମଧ୍ୟ ମୋ ପକ୍ଷରେ ସମ୍ଭବ ନୁହେଁ । ନାରୀ ଥରେ ବାଟବରଣ କରି ପାଛୋଟି ନିଏ ତା’ର ମାନସ ପ୍ରତିମାକୁ । ତାହା ମୋ ପକ୍ଷରେ ଶେଷ ହୋଇଯାଇଛି । ମୁଁ ମନରେ କୁମାରୀ ହୋଇ ଆଉ ରହିନାହିଁ; ତେଣୁ ଶରୀରର ମିଳନ ନ ହେଲେ ମଧ୍ୟ ଆଉ ବ୍ରହ୍ମଚାରିଣୀ ହୋଇପାରବି ନାହିଁ । ଏହା କଅଣ କମ୍ ବେଦନା ଓ ଗ୍ଳାନି ? ବ୍ରହ୍ମଚାରିଣୀର ଆନ୍ତରିକତା ନେଇ ବଞ୍ଚିରହିବି- ଯେଉଁମାନେ ଅବହେଳିତ, ଅସହାୟ ଏବଂ ନିପୀଡ଼ିତ ସେହିମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବି ।

 

ମୋ ପାଇଁ ବ୍ୟସ୍ତ ହେବା ନିଷ୍ପ୍ରୟୋଜନ । ମୁଁ ନିଜ ଇଚ୍ଛାରେ ସାଧାରଣ ଜୀବନର ସବୁ ଆକର୍ଷଣ ପରିତ୍ୟାଗ କରି ଏକ ନୂତନ ପଥ ବାଛିନେଲି ।

 

ଆଉ ଅନିମେଷ ମୋ ବିନା ବେଶ୍ ସୁଖରେ ରହିପାରିବେ । ଗାଡ଼ିର ଧୂଳି ଉଡ଼ାଇ ଗଲାବେଳେ, କୋଠା ଉପରୁ ତଳକୁ ଚାହିଁଲାବେଳେ ଯଦି କେବେ ତାଙ୍କର ଅନ୍ତରରେ ଆର୍ତ୍ତ, ଉପେକ୍ଷିତ ଓ ନିଷ୍ପେଷିତଙ୍କ ପାଇଁ ଦୀର୍ଘ ନିଃଶ୍ୱାସ ବାହାରିଆସେ ବା ଟିକିଏ ବେଦନା ସଞ୍ଚାରିତ ହୁଏ, ତା’ହେଲେ ତାହାରି ରୂପାନ୍ତର ହୋଇ ତାଙ୍କରି ଦୀର୍ଘଶ୍ୱାସରେ ମୁଁ ଆସିବି; ନିଶ୍ଚିତ ପାଦରେ ସେଇ ଉଷ୍ମତାରେ ମୁଁ ହେବି ବିଦଗ୍‌ଧା ଏବଂ ସେଇ ଟିକକ ଶ୍ରଦ୍ଧାପାଇଁ ମୁଁ ଫୁଟିବି ବଣର ଏକ ନଗଣ୍ୟ ଫୁଲର ଶୋଭା ନେଇ ।

 

ଆଉ ମୁହୂର୍ତ୍ତେ ମାତ୍ର ଶୋଚନା ନ କରି ନୂତନ ସଂକଳ୍ପରେ ପ୍ରଦୀପ୍ତ ଶକୁନ୍ତଳା ନିଃଶବ୍ଦରେ ଗୃହ ଭିତରୁ ନିଷ୍କ୍ରାନ୍ତ ହୋଇଗଲା । ରାସ୍ତା ଉପରେ ଦୁବଘାସ ଉପରେ ଶତ ସହସ୍ର ଶିଶିରବିନ୍ଦୁ ନିଃଶବ୍ଦରେ ଠୂଳ ହେଉଥିଲେ ଅନ୍ତରର କରୁଣାର୍ଘ୍ୟ ନିବେଦନ କରି ।

Image

 

Unknown

ଏତିକି, ଆଉ କିଛି ନାହିଁ

 

କଟକ ଯିବା ପୂର୍ବରୁ ଜିନିଷପତ୍ର ସବୁ ସଜ କରୁଥିଲା ମୁକ୍ତା । ଭାରତୀୟ ଧାନ ଗବେଷଣା କେନ୍ଦ୍ରର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସେମିନାରରେ ଯୋଗଦାନ କରିବାପାଇଁ ରାଞ୍ଚି ବିଶ୍ୱବିଦ୍ୟାଳୟଦ୍ୱାରା ମନୋନୀତ ହୋଇଥିଲା ସେ । ବହୁ ବର୍ଷ ପରେ କଟକ ଯିବାର ସୁଯୋଗ ଆସିଛି, ସେଥିପାଇଁ ମନରେ ବେଶ୍ ଫୂର୍ତ୍ତି । ମାନସପଟରେ ଅସ୍ପଷ୍ଟ ହୋଇ ଆସୁଥିବା କେତେ ପରିଚୟକୁ ପୁଣିଥରେ ଝଲସାଇ ନେବ, ମାତୃଭାଷାର ପ୍ରଧାନ ପୀଠସ୍ଥଳୀକୁ ପୁଣିଥରେ ଭଲକରି ଦେଖିନେବାର ସୁଯୋଗ ପାଇବ ।

 

ବିହାରରେ ଅନ୍ୟାନ୍ୟ ଅନେକ ପ୍ରତିଷ୍ଠିତ ଓଡ଼ିଆ ପରିବାରଙ୍କ ପରି ତା’ର ପିତାମାତା ମଧ୍ୟ ରହିଯାଇଥିଲେ । ପାଟଣା ବିଶ୍ୱବିଦ୍ୟାଳୟରୁ ଉଦ୍ଭିଦବିଦ୍ୟାରେ ଶେଷ ଡିଗ୍ରୀ ଅର୍ଜ୍ଜନ କରି ରାଞ୍ଚି ବିଶ୍ୱବିଦ୍ୟାଳୟର ଉଦ୍ଭିଦବିଜ୍ଞାନର ବର୍ତ୍ତମାନ ମୁଖ୍ୟ ଅଧ୍ୟାପିକା ସେ ।

 

ଉଦ୍ଭିଦ ବିଜ୍ଞାନକୁ ନିଜ ଜୀବନ ସହିତ ଏକାତ୍ମ କରିନେଇଥିଲା ମୁକ୍ତା । ଏହି କ୍ଷୁଧିତ ପୃଥିବୀର କୋଟି କୋଟି ଅସହାୟ ମଣିଷଙ୍କର ଆସନ୍ନ ଅନ୍ଧକାର ଭବିଷ୍ୟତକୁ ଉଜ୍ଜ୍ୱଳ ଏବଂ ସମ୍ଭାବନାପୂର୍ଣ୍ଣ କରିବାପାଇଁ ନିଜକୁ ସେ ଉତ୍ସର୍ଗ କରିଥିଲା । ଗତ ଦଶବର୍ଷର ଗବେଷଣା ଭିତରେ ସେ ଭୁଲିଯାଇଥିଲା ନିଜକୁ, ନିଜର ପ୍ରୟୋଜନ ବା ବ୍ୟକ୍ତିଗତ ଅଭିଳାଷକୁ । କ୍ଷୁଧିତ ପୃଥିବୀର ଜନସଂଖ୍ୟା ବୃଦ୍ଧି ପାଉଛି ମାଲଥୁଙ୍କ ବହୁ ସମାଲୋଚିତ ପ୍ରବନ୍ଧର ଭବିଷ୍ୟତବାଣୀ ଅନୁସାରେ । ଉତ୍ପାଦନ ବୃଦ୍ଧି ପାଉନି, ଖାଦ୍ୟ ପଦାର୍ଥ ନିଅଣ୍ଟ ପଡ଼ୁଛି । ଅଖାଦ୍ୟ ଖାଇ ବା ଅନାହାରରେ ରହି ମରୁଥିବା ବୁଭୁକ୍ଷୁ ଜନତାର ସେବାରେ ସେଥିପାଇଁ ନିଜକୁ ଉତ୍ସର୍ଗ କରିଛି ସେ । ନିଜର ସମସ୍ତ ପ୍ରୟୋଜନ ଭୁଲିଯାଇ ଅନ୍ୟମାନଙ୍କର ପ୍ରୟୋଜନକୁ ପରିପୂର୍ଣ୍ଣ କରିବାପାଇଁ ପ୍ରୟାସ ଏବଂ ପ୍ରଚେଷ୍ଟା କରିଆସିଛି । ସେଥିପାଇଁ ଗବେଷଣା କରି, ନିଜର ସୃଜନଶୀଳ ଉଦ୍ୟମଦ୍ୱାରା ଖାଦ୍ୟପଦାର୍ଥ ଉତ୍ପାଦନକୁ ତ୍ୱରାନ୍ୱିତ ଓ ବହୁଗୁଣିତ କରିବାପାଇଁ ସାଧନା କରିଆସିଛି । ଏହି ଉଦ୍ଦେଶ୍ୟରେ କଟକ ବିଦ୍ୟାଧରପୁରଠାରେ ଅବସ୍ଥିତ ଭାରତୀୟ ଧାନଗବେଷଣା କେନ୍ଦ୍ରର ଏକ ବିଶେଷ ସେମିନାରରେ ଯୋଗଦାନ କରିବାପାଇଁ ଏତେ ଆଗ୍ରହ ତା’ର ।

 

ଜିନିଷପତ୍ର ସଜାଡ଼ିବାପାଇଁ ବେଳ ହେଉ ନ ଥିଲା । ଚଳନ୍ତି ଜୀବନରେ ଟିକିଏ ବସି ପଡ଼ିବାପାଇଁ, ଘଣ୍ଟାଏ ଅଏସ କରିନେବା଼ପାଇଁ ସମୟ ପାଇନି । ତରତର ହୋଇ ସୁଟକେଶ୍ ଭିତରର ପୁରୁଣା ଲୁଗା ଓ ଅଯତ୍ନରେ ପଡ଼ିଥିବା କାଗଜପତ୍ରଗୁଡ଼ାକୁ ବାହାର କରି ଆଣିବାବେଳକୁ ହଠାତ୍ ଗୋଟିଏ ନୀଳ ଲଫାପା ଉପରେ ଦୃଷ୍ଟି ପଡ଼ିଲା ମୁକ୍ତାର ।

 

ମଧୁ ଦୃଷ୍ଟିର ଆଲୋକରେ ସେ ନିଜର ଅମୁହାଁ ଅନ୍ତଃସ୍ଥଳର ଏକ ନିଭୃତ କୋଣରେ ହୃଦୟର ସମସ୍ତ ସରାଗ ଦେଇ ସାଇତି ରଖିଥିବା ଦୁର୍ଲଭ ମଣିକୁ ମୁଗ୍‌ଧ ମୋହିତ ହୋଇ ଦେଖିନେଲା ପଲକରେ ।

 

ସହସା ଏକ ମଧୁର ଅନୁଭୂତି ମଣିଷ ଅନୁଭବ କଲେ ଯେପରି ଅପ୍ରସ୍ତୁତ ହୋଇ କୋଉଠି ସାଇତି ରଖିବ, ସେଇ ପରମ ପ୍ରତୀକ୍ଷିତ ଉଚ୍ଛ୍ୱାସକୁ ଖୋଜି ପାଏନା ସହଜରେ, ସେହିପରି ଏତେବର୍ଷ ପରେ ପ୍ରାୟ ଭୁଲି ଆସିଥିବା ଅତୀତ ମଧ୍ୟରୁ ଏକ ବାଙ୍‌ମୟ ସ୍ମୃତି, ଆଲୋକର ଉତ୍ତାପ ଏବଂ ଉଲ୍ଲାସ ନେଇ ତା’ ଆଖିର ପଲକରେ, ହୃଦୟର କମ୍ପନରେ ଏବଂ ଅଧରର ଅରୁଣିମାରେ ଏପରି ପଲ୍ଲବିତ ହୋଇ ଦେଖାଦେବ, ଏହା ସ୍ୱପ୍ନରେ ମଧ୍ୟ ସେ କେବେ ଭାବି ପାରି ନ ଥିଲା ।

 

ପ୍ରଶାନ୍ତ ରାତ୍ରିର ନୀଳକଇଁ ଆକାଶର ପୂର୍ଣ୍ଣଚନ୍ଦ୍ରକୁ ବିହ୍ୱଳିତ ଚିତ୍ତରେ ଯେପରି ଅନାଇ ରହି ମଳୟରେ ଦୋଳି ଖେଳେ, ପାଇଥିବା ସିହରଣକୁ ସଞ୍ଚୟ କରିବାପାଇଁ ସେହିପରି ପୂଜାରିଣୀର ଦୃଷ୍ଟି ଦେଇ ଲଫାପାଟିକୁ ସ୍ପନ୍ଦିତ ହାତରେ, କମ୍ପିତ ଅନ୍ତରର ଦୋଳିଖେଳ ମଧ୍ୟ ଦେଇ ଉଠାଇ ନେଲା ମୁକ୍ତା ।

 

ଏଇ ନୀଳ ଲଫାପା ପରି ସେଇ ଅତୀତ ଥିଲା ମଧୁର, ମନୋରମ । ମଧୁକ୍ଷରା ଅନେକ ସମ୍ଭାବନା ଜାଗିଥିଲା କୈଶୋରର ଶେଷପାଦରେ, ଯୌବନରେ ମହୋତ୍ସବର ମହକ ନେଇ ମହୁରୀ ବାଜିଥିଲା ଛାତି ଭିତରେ ଗୁଣୁଗୁଣୁ ଗୁରୁଗୁରୁ ଗୁଞ୍ଜନ କରି । ଆଜି ଏତେବର୍ଷ ପରେ ଯୌବନକୁ ଅତିକ୍ରମ କରିବାବେଳେ ସେ ଯେ କୈଶୋରର ଚପଳତା, ତାରୁଣ୍ୟର ତାଡ଼ନା ସହସା ଏକାବେଳକେ ଅନୁଭବ କରିବ ସର୍ବାଙ୍ଗରେ, ତାହା କଳ୍ପନା ବି କରି ନ ଥିଲା ।

 

ଅଙ୍ଗେ ଅଙ୍ଗେ ରଙ୍ଗ ଲାଗିଥିଲା ସେତେବେଳେ ମହମବତି ପରି ବିଗଳିତ, ବିହ୍ୱଳିତ ମୁକ୍ତା, କମ୍ପିତ ଅଙ୍ଗ ଓ ମର୍ମରିତ ଅନ୍ତରରେ ଉଦ୍‌ଘାଟନ କଲା ଅତୀତର ଏକାନ୍ତ ଆପଣାର ଗୋଟିଏସ୍ୱପ୍ନଝରା ମୁହଁ, ଦୁଇଟି କଥାକୁହା ଆଖି, ଗୋଟିଏମଧୁଭରା ଅନୁପମ ଆନନ୍ଦାୟିତ ତରଳ ଦୃଷ୍ଟି ।

 

ଶେଷାଂଶୁ !

 

ବିଜ୍ଞାନମୁଗ୍‌ଧା ଗୋଟିଏ ସୁରକ୍ଷିତ ଅନ୍ତଃସ୍ଥଳରେ ହଠାତ୍ ଅତୀତର ଏକ ଅପାଶୋରା, ଅବିସ୍ମରଣୀୟ ଅପରୂପ ଲାବଣ୍ୟମୟ ରୂପ ଝଲକି ଉଠିଲା ।

 

ଅଙ୍ଗରେ ରଙ୍ଗ, ଆଖିରେ ଆବେଗ ଲାଗିବାର ପ୍ରଥମ ଯାମରେ ଯଦି ଚିପିଚିପି ଶଙ୍କା ଏବଂ ସଂକେତ ମଧ୍ୟରେ ତା’ ପଥଧାରରେ ଭରା ହୋଇଥିଲା ଶେଷାଂଶୁ ।

 

ସାନଭଉଣୀ ଲୀନାର ଗୃହଶିକ୍ଷକ ଭାବରେ ତାଙ୍କ ଘରକୁ ଯେତେବଳେ ପ୍ରଥମେ ଆସିଲା ସେ, ସେତେବେଳେ ଜଣେ ସାଧାରଣ କଲେଜ ଛାତ୍ରର ଦାରିଦ୍ର୍ୟ ପ୍ରତି ସମବେଦନା ଜଣାଇଥିଲା କେବଳ । ଦିନେହେଲେ କଥା ହୋଇ ନ ଥିଲା, ଦେଖାଦେଇ ପରିଚୟ ନେଇ ନ ଥିଲା-। ପ୍ରାୟ ତିନିମାସ ପରେ ଲୀନା ସହିତ ତାକୁ ଗଙ୍ଗାକୂଳକୁ ବୁଲାଇ ନେବାପାଇଁ ଆଦେଶ ପାଳନ କରିଥିଲା ଶେଷାଂଶୁ ।

 

ସେତିକିବେଳେ ପନ୍ଦର ବର୍ଷ ହେବ । ମୁକ୍ତା ଏକାଦଶରେ ପଢ଼ୁଥାଏ । କୈଶୋରର କୁଣ୍ଠା ପରିତ୍ୟାଗ କରି କଣ୍ଠରେ ତା’ର ସେତେବେଳେ ତାରୁଣ୍ୟର ନୂଆ ସ୍ୱର, କଥାରେ ମନଛୁଆଁ ନୂଆ ମୂର୍ଚ୍ଛନା ।

 

ଉଛୁଳି ଉଠୁଥିବା ଶ୍ରାବଣର ଗଙ୍ଗାକୁ ଚାହିଁ ଗୋଟିଏ ବରଗଛର ଛାଇରେ ନିର୍ଲିପ୍ତ ଭାବରେ ବସି ବସି କଅଣ ସବୁ ଦେଖୁଥିଲା ଶେଷାଂଶୁ । ମୁକ୍ତା ଖେଳୁଥିଲା ଲୀନା ସହିତ । ସେଦିନ ତାକୁ ଏତେ ପାଖରୁ ପ୍ରଥମକରି ଦେଖିଲା ମୁକ୍ତା । ତା ଆଡ଼କୁ ବାରମ୍ବାର ଚାହିଁ କଳନା କରିବାପାଇଁ ଚେଷ୍ଟା କରିଥିଲା ତା’ର ବ୍ୟକ୍ତିତ୍ୱ । କିନ୍ତୁ ନିର୍ବିକାର, ନିର୍ଲିପ୍ତ ସେଇ ପ୍ରସାରିତ ଆତ୍ମଗତ ଦୃଷ୍ଟିରେ ସ୍ୱାଗତ ନ ଥିଲା; ନ ଥିଲା ପାଖକୁ ଡାକିବାର ଆବାହନ । ଆଶ୍ଚର୍ଯ୍ୟ ହୋଇଯାଇଥିଲା ମୁକ୍ତା ।

 

ଗୋଟିଏ ମସ୍ତବଡ଼ ବ୍ୟତିକ୍ରମ !

 

ନିଜ ମନରେ ସୁନ୍ଦରୀ ବୋଲି ଅଭିମାନ ଥିଲା ତା’ର । ପିଲାବୟସରେ ବି ସେ ପ୍ରଥମେ କଥା ନ କହି ଅନ୍ୟଜଣେ ତା’ ସହିତ ପ୍ରଥମେ କଥା କହୁ, ଏହି ଅଭିଳାଷ ଥିଲା ତା’ର । ଦୁଇଘଣ୍ଟା ଖେଳି ବୁଲି ଯେତେବେଳେ ଘରକୁ ବାହୁଡ଼ିବାପାଇଁ ମନ ହେଲା, ସେତେବେଳେ ସୁଦ୍ଧା ଶେଷାଂଶୁ ପଦଟିଏ କଥା କହିଲା ନାହିଁ, ଆଡ଼ନୟନରେ ଥରେହେଲେ ଚୋରା ଚାହାଣୀ ଦେଇ ତା’ ପଥ ରୋକିଦେଲା ନାହିଁ । ବ୍ୟତିକ୍ରମ ନୁହେଁ ତ ଆଉ କଅଣ ?

 

ମନକୁ ମନ ସେଦିନ ଅଭିମାନରେ କୁହୁଳିଥିଲା ମୁକ୍ତା ।

 

ସୂର୍ଯ୍ୟ ପଶ୍ଚିମରେ ନଇଁପଡ଼ୁ ଥାଆନ୍ତି ସେତେବେଳକୁ । ଆଉ ବେଳ ନାହିଁ ଯେ କଥା ହେବ ଶେଷାଂଶୁ !

 

ପାଦ କଚାଡ଼ି କଚାଡ଼ି ରାଗରେ ଗରଗରହୋଇ ସେଦିନ ତା’ ଆଗକୁ ଆସି ଲୀନାକୁ ଶୁଣାଇ ଶୁଣାଇ କହିଲା- ବୁଦ୍ଧମୂର୍ତ୍ତି ଦେଖିଲୁ ଲୀନା ?

 

ଆଶ୍ଚର୍ଯ୍ୟ ହୋଇ ତା’ ଆଡ଼କୁ ଚାହିଁଲା ଲୀନା ।

 

ଜିଭ କାଢ଼ି ଖତେଇ ହୋଇ ଇଙ୍ଗିତ କରି କହିଲା ମୁକ୍ତା- ସାମ୍ନାରେ ଯେ...ସେପଟକୁ ଚାହୁଁଛୁ କିଆଁ !

 

ଉଠି ବସି ଶେଷାଂଶୁ କହିଲା- ବୁଲାବୁଲି ଶେଷ ହେଲା ଲୀନା !

 

ଲୀନା ଯେପରି ସବୁ, ସେ କିଛି ନୁହେଁ । ତା’ର ଉପସ୍ଥିତିକୁ ଏକାବେଳକେ ଏଡ଼ି ଦେଇଗଲା ଶେଷାଂଶୁ !

 

କାହିଁକି କେଜାଣି କାନ୍ଦ ଲାଗିଲା ତାକୁ । ଗୁମମାରି ବସିପଡ଼ି କହିଲା ସେ -ତୁ ଯାଆ...ମୁଁ ପରେ ଯିବି...।

 

ପଥରର ବି ହୃଦୟ ଅଛି ।

 

ବୁଝିପାରିଲା ଶେଷାଂଶୁ । ପାଖକୁ ଆସି କହିଲା- ସନ୍ଧ୍ୟା ହୋଇଆସୁଛି ଯେ ! ଆଉ ଦିନେ ଆସିବା-ଉଠ ।

 

ତା’ ଆଡ଼କୁ ନ ଚାହିଁ ଶୂନ୍ୟଦୃଷ୍ଟିରେ ଅନାଇ ରହିଲା ମୁକ୍ତା ।

 

ଗୋଟିଏ ନୌକା ଉପରେ ଗଙ୍ଗା ପାରି ହେଉଥିଲେ କେତେଜଣ ଲୋକ ।

 

ଭୋଜପୁରି ଭାଷାର ଗୋଟିଏ କଅଁଳିଆ ପଦ ଭାସିଆସିଥିଲା ପବନର ତାଳେ ତାଳେ ଗଙ୍ଗାର କୁଳୁ କୁଳୁ ନାଦ ସହିତ ତାଳ ରଖି ।

 

ଏଇ ମନ ଯେବେ ଛୁଆଁ ଲାଗେ ସଖି

ଆଡ଼ନୟନରେ ଦେଖିଛ କି ?

ଅନ୍ତରୁ ଯେବେ ଝରେ ଅନୁରାଗ

ଦେହଭରି ତାକୁ ମାଖିଛ କି ?

 

ଅନୁରାଗ !

 

ସେଇ ଚାରୋଟି ଅକ୍ଷରବିଶିଷ୍ଟ ଶବ୍ଦଟିକୁ ସେଦିନ ମନେ ମନେ ଶହେ ଥର ଉଚ୍ଚାରଣ କରିଥିଲା ମୁକ୍ତା ।

 

ତା’ପାଖକୁ ଆସି ଏଥର ଆଉ କେବଳ ଡାକିବାରେ ରହି ନ ଯାଇ କହିଲା ଶେଷାଂଶୁ- କପାଳ କହୁଛି ସୃଜନଶୀଳ ପ୍ରତିଭାର ଅଧିକାରିଣୀ ହେବି, ନଖର ସ୍ୱରୂପ କହୁଛି ଭବିଷ୍ୟତ ଉଜ୍ଜ୍ୱଳମୟ...

 

ଲୀନା ତାଳି ଦେଇ କହିଲା- ମୁଁ କହିଥିଲି ନା ସେଦିନ; ସାର୍ ହାତ, ନଖ, କପାଳ ଦେଖି ଭବିଷ୍ୟତ କଥା କହିପାରନ୍ତି । ବିଶ୍ୱାସ କରୁ ନ ଥିଲୁ ନା ! ଏଥର ମାନିଲୁ ତ !

 

ସତକୁସତ ସେତେବେଳେକୁ ଶେଷାଂଶୁ ଯେ କିଛି କାରଣ ସେ ବିଷୟରେ ତା’ ମନ ଭିତରେ ତ ପ୍ରତ୍ୟୟ ଟିକିଏ ଅଙ୍କୁରିତ ହୋଇସାରିଥିଲା । ସେ ସବୁ ଅଭିମାନ ଭୁଲିଯାଇ, ସବୁ ଅଭିଯୋଗକୁ ଗଙ୍ଗାର କୁଟାକାଠି ସହିତ ଭାସିଯିବାପାଇଁ ଠେଲି ଦେଇ ନିଃସଙ୍କୋଚରେ ହାତ ବଢ଼ାଇ ଦେଇ କହିଲା- ଇମିତି ନୁହେଁ, ଭଲ କରି କୁହନ୍ତୁ ।

 

ତା’ର କୋମଳ ରକ୍ତାଭ ଦୁଇଟା ହାତପାପୁଲିକୁ ନିଜ ହାତ ଉପରେ ରଖି କିଛି ସମୟ ନିରୀକ୍ଷଣ କଲା ଶେଷାଂଶୁ ।

 

ନିଜ ଭିବଷ୍ୟତ ଜାଣିବାପାଇଁ ଯେତେ ନୁହେଁ, ନିଜ ଭିତରେ ଉପଲବ୍ଧ ହେବାକୁ ଆରମ୍ଭ କରୁଥିବା ଗୋଟାଏ ଅଭିନବ, ଅନନ୍ୟ ନୂତନ ଆବେଗର ଉଷ୍ମତାକୁ କିପରି ଚାପିଧରିବ ସେଥିପାଇଁ ପ୍ରାଣାନ୍ତକ ପ୍ରଚେଷ୍ଟା କରୁଥିଲା ମୁକ୍ତା ।

 

ଆଜିଯାଏ ବାହାରର କେହି ବ୍ୟକ୍ତି ତା’ର ଅଙ୍ଗ ସ୍ପର୍ଶ କରି ନ ଥିଲେ ।

 

ସେଇ, ପ୍ରଥମ ସ୍ପର୍ଶର ଏକ ଅମୋଘ ଆକର୍ଷଣ ତା’ର ସର୍ବାଙ୍ଗକୁ ମୋହିତ କରିବାକୁ ଲାଗିଲା ।

 

କିନ୍ତୁ ପାଞ୍ଚ ମିନିଟ ।

 

ତା’ ପରେ ତାକୁ ଟାଣି ଉଠାଇ ଦେଇ କହିଲା ଶେଷାଂଶୁ- ସନ୍ଧ୍ୟା ହବ ପ୍ରାୟ । ଉଠ, ଆଉ ଡେରି କରନା ।

 

-କ’ଣ ଦେଖିଲେ କହିଲେ ନାହିଁ ଯେ କିଛି ।

ଅତି ସନ୍ତର୍ପଣରେ ପଚାରିଦେଲା ମୁକ୍ତା ।

ତାକୁ ନିଶ୍ଚୟତାର ନିର୍ଭରତା ଦେଇ କହିଲା ଶେଷାଂଶୁ- ତୁମେ ଖୁବ୍ ବଡ଼ ହବ ମୁକ୍ତl !

ଭୂଇଁତଳକୁ ଚାହିଁ ଆପେ ଆପେ କମ୍ପିତ କଣ୍ଠରେ କହି ପକାଇଥିଲା ଏତିକି ଆଉ କିଛି ନୁହେଁ ?

କୌଣସି ଉତ୍ତର ଦେଇ ନ ଥିଲା ଶେଷାଂଶୁ । ଲୀନା ଖିଲିଖିଲି କରି ହସି ପକାଇ କହିଲା-ବାଃ ରେ ! ଏକାଦିନକେ ସବୁ ଶୁଣିବାପାଇଁ ଚାହୁଁଛୁ ନା ?

ଏକଥାରେ ନ ହେଲେ ମଧ୍ୟ ସେହି ଦିନଠାରୁ ପ୍ରଥମ ଶେଷାଂଶୁର ପଦେକଥା ଶୁଣିବାପାଇଁ ଉଦ୍‌ଗ୍ରୀବହୋଇ ଉଠିଲା ମୁକ୍ତା ।

ନୂଆ ହୋଇ ଯେପରି ସେ ଜନ୍ମ ନେଉଛି, ନୂଆ ନୂଆ ରଙ୍ଗ ଯେପରି ଉପୁଚି ପଡ଼ୁଛି ଦେହରୁ । ନୂଆ ଆବେଗ, ନୂଆ ଅନୁଭବ...।

ଦିନେ ଚମକି ପଡ଼ି ଦେଖିଲା ମୁକ୍ତା ସେ ପଢ଼ୁନାହିଁ, ଖେଳୁନାହିଁ, ଖାଉ ନାହିଁ...କେବଳ ଶେଷାଂଶୁର କଥାହିଁ ଭାବୁଛି ।

ଅଥଚ ଶେଷାଂଶୁଟା ଏଡ଼େ ନିଷ୍ଠୁର ! ଦିନେ ହେଲେ ଭାବିଲାନି, ଆଉଥରେ ଆସି ତା’ ହାତ ଦେଖି କହିଲାନି- ଏତିକି ନୁହେଁ, ଆହୁରି ଅନେକ... ଅନେକ ବାକି ଅଛି କହିବାପାଇଁ ।

ଜିନିଷପତ୍ରଗୁଡ଼ାକୁ ସେଇପରି ପକାଇ ଦେଲା ପଲଙ୍କ ଉପରେ, ଶୋଇପଡ଼ି ଛାତି ଉପରେ ନୀଳ ଲଫାପାଟିକୁ ଜାକି ଧରିଲା ସେ, କମ୍ପିତ ଅଧର ଦେଇ ଚୁମା ଦେଲା, ଆଉ ବାରମ୍ବାର ଗଳାରେ ଗାଲରେ କପାଳରେ ଲଗାଇ ଆଦର ବି କଲା ।

ଏତେବର୍ଷ ପରେ ଶେଷାଂଶୁର ପ୍ରଥମ ତାରୁଣ୍ୟର ସେଇ ଉଦ୍‌ବେଳିତ ରୂପ ଦେଖି ବହୁ ପଛକୁ ପୁଣିଥରେ ଫେରିଗଲା ମୁକ୍ତା ।

ଜୀବନର ବହୁ ଆବେଗକୁ ପ୍ରଥମ ଆବେଗର ଅଦମନୀୟତା ସତ୍ତ୍ୱେ ଅବରୋଧ କରି ରଖିପାରିଥିଲା ଆଜିଯାଏ । ସଂସାର କରି ମଧ୍ୟ ସଂସାରୀ ହୋଇପାରିଲା ନାହିଁ । ନିଜକୁ ସର୍ବସ୍ୱାନ୍ତ କରି ସମର୍ପଣ ନ କଲେ, ନିଜର ସମସ୍ତ ସମ୍ପଦ ଓ ସାଧନାକୁ ଅନ୍ୟ ଜଣକର ପାଦତଳେ ତିଳ ତିଳ କରି ଦାନ ନ କଲେ ଯେ ସଂସାର କରି ହୁଏ ନାହିଁ-ଏହା ସେତେବେଳେ ବୁଝି ନ ଥିଲା ସେ । ତଥାପି ଦବାପାଇଁ କାମନା କରିଥିଲା, କିନ୍ତୁ ପାରିଲା ନାହିଁ ।

 

ପ୍ରଥମ ଆଷାଢ଼ର ସହସ୍ର ବାରିଧାରାର ସ୍ୱାଦ ଓ ମାଧୁର୍ଯ୍ୟ ଭିନ୍ନ ପ୍ରକାର । ଅନ୍ତରର ଆଲୋକ ଓ ଉତ୍ତାପ ଦେଇ ଯେଉଁ ମୂର୍ତ୍ତିଟିକୁ ସଞ୍ଜୀବିତ କରି ରଖିଥିଲା ମୁକ୍ତା, ତାହା ନ ପାଇ କିଛିଦିନପାଇଁ ସେ ନିର୍ବେଦ, ନିର୍ଲିପ୍ତ, ନିଗୃହୀତ ହୋଇ ରହିଥିଲା, ତାହା ନୁହେଁ । ନିଜକୁ ସବୁଥିରୁ ବଞ୍ଚିତ କରି କେବଳ ନିଜର ଗବେଷଣାପାଇଁ ବଞ୍ଚି ରହିବାପାଇଁ ପଣ କରିଥିଲା ସେ ।

 

ସେହିଦିନୁ ସେ ବି ସାଧନାର ଭିନ୍ନ ମାର୍ଗରେ ଅବିରତ ସଂଗ୍ରାମ କରି ଆସିଛି । ସମୂହର କଲ୍ୟାଣପାଇଁ ନିଜକୁ ନିର୍ମମ ଭାବରେ ନିଗୃହୀତ କରିଛି, କିନ୍ତୁ ବୈଜ୍ଞାନିକ ହୃଦୟର ନିରୁଦ୍‌ବେଗ ଅନ୍ତଃସ୍ଥଳ ଯେ ସବୁବେଳେ ସୁରକ୍ଷିତ ନୁହେଁ, ସେଠାରେ ନିଃସହାୟ ଏକ କରୁଣ ଆକୃତି ଝଙ୍କୃତ ହୁଏ ପ୍ରକାଶ ହବାପାଇଁ, ତାହା ଶୁଣି ବି ନ ଶୁଣିଲାପରି ରହି ଆସିଛି ସେ । ଆଜି ନୀଳ ଲଫାପା ଭିତରର ସେଇ ନିରୂପମ ମୁହଁଟି ଆଖିର ଲିପିରେ, ଅଧରର ରସାଳତାରେ ହୃଦୟକୁ ତା’ର ଭିଜାଇ ଦେଇଗଲା ବାରମ୍ବାର ।

 

ଚିତ୍ର ପରେ ଚିତ୍ର ଉଦ୍ଭାସିତ ହେଲା ପରି କେତେକଥା ଆହୁରି ମନେପଡ଼ୁଥିଲା ମୁକ୍ତାର ।

 

ସେତେବେଳେ କଲେଜରେ ପାଠପଢ଼ୁଥିଲା ସେ । ଦ୍ୱିତୀୟ ବାର୍ଷିକ ବିଜ୍ଞାନ ଶ୍ରେଣୀର ଛାତ୍ରୀ । ଶେଷାଂଶୁ ସେ ବର୍ଷ ଇତିହାସର ଉପାଧ୍ୟୁତ୍ତର ଶ୍ରେଣୀର ଶେଷ ବର୍ଷର ଛାତ୍ର । ଦିନେ କଲେଜ ହଲ୍‌ରେ କଲେଜର ବାର୍ଷିକୋତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ଯେଉଁ କବି ସମ୍ମିଳନୀ ହେଲା ସେଥିରେ ଶେଷାଂଶୁର କବିତା ଶୁଣି ସେ ଶିହରି ଉଠି ନିଜର ଉଦ୍ଭାସିତ ଅନ୍ତରାଲୋକରେ ଗୋଟିଏ ମଧୁର ରାଗିଣୀର ଯେଉଁ ମୂର୍ଚ୍ଛନା ଶୁଣିଲା ତାହା ତା’ର ପୂଜାରିଣୀର ନିବେଦିତା ହୃଦୟର-। ସେଇ କବିତା’ର ରଚନାକାଳ ଜାଣି ଗଙ୍ଗା କୂଳର ପ୍ରଥମ ପରଶ କଥା ଯେତେବେଳେ ଆବିଷ୍କାର କଲା, ସମଗ୍ର ସତ୍ତାର ମଧୁମାଦକତାରେ ଉଚ୍ଚାରଣ କଲା- ଗୋଟିଏ ତାରିଖକୁ ଇତିହାସର ପୃଷ୍ଠାରେ ନୁହେଁ, ପ୍ରାଣତନ୍ତ୍ରୀରେ ସୁର ଦେଇ ବଜାଇବାପାଇଁ କେତେ ଆପ୍ରାଣ ପ୍ରଯତ୍ନ କରାଯାଇପାରେ ।

 

ଶେଷାଂଶୁ ତା’ର ‘ପ୍ରଥମ’ କବିତାରେ ଲେଖିଥିଲା-

 

ଏଇ ଯେ ପ୍ରଥମ

ଅନ୍ତର ସମର୍ପିତ ମମ

ତୁମ ପାଦତଳେ....

ଅନୁପମ ଏ ଉଲ୍ଲାସ,

ପୁଷ୍ପର ପ୍ରଥମ ବାସ,

ତୁମ ଅଙ୍ଗ ଭରି ।

 

ଜ୍ୟୋସ୍ନାଭରା ଆକାଶକୁ

ନୀଳକଇଁ ଚାହିଁଥିଲା ପରି-

ମୁଁ ଚାହିଁଛି ।

 

ମୁଁ ଦେଖୁଛି ଅପୂର୍ବ ପୁଲକେ,

ତୁମେ ଅଛ ବିଶ୍ୱ ଭରି

ପ୍ରତି ପୁଷ୍ପେ, ପଦ୍ମ କୋରକେ।

 

ସେଇ କବିତାଟି ଆଜିଯାଏ ସମ୍ପୂର୍ଣ୍ଣ ମନେଅଛି ମୁକ୍ତାର । କବିତା-ଉତ୍ସବ ପରେ ଅଭିନନ୍ଦନ ଜଣାଇ କହିଲା ସେ-ତୁମେ ଧନ୍ୟ ଶେଷାଂଶୁ ! ତୁମର ସୃଷ୍ଟି ଚିରନ୍ତନ ହେଉ ।

 

ଶେଷାଂଶୁ କଲେଜ ଫାଟକ ନିକଟରେ ତା’ କାନ ପାଖରେ ଫିସ୍ ଫିସ୍ କରି କହିଥିଲା- ଏତିକି, ଆଉ କିଛି ନୁହେଁ ?

 

ତାହାରି ତୁଣ୍ଡର କଥାକୁ ଏପରି ଭାବରେ ତାକୁ ଫେରାଇ ଦବା ଶୁଣି ଲଜ୍ଜାନତ ଆରକ୍ତିମ ଦୃଷ୍ଟି ଦେଇ ଶେଷାଂଶୁର ପଥ ପ୍ରକ୍ଷାଳନ କରି କହିଲା ମୁକ୍ତା-ଆଉ ଦିନେ ହାତ ଦେଖ ! ଏକା ଦିନକେ ସବୁ ପାଇଯିବାପାଇଁ ମନା ନା !

 

ଏହାପରେ ଆଉ ଏକାନ୍ତ ହେବାର ସମୟ ବା ସୁଯୋଗ ହୋଇ ନ ଥିଲା ଦୁଇଜଣଙ୍କର-। ହଠାତ୍ ପାଟଣାରୁ ବଦଳି ହୋଇ ଜାମସେଦପୁର ଚାଲିଯାଇଥିଲେ ମୁକ୍ତାର ବାପା ଏବଂ ପାଟଣା କଲେଜ ଛାଡ଼ି ଜାମସେଦପୁର କଲେଜରେ ଯାଇ ପଢ଼ିଥିଲା ସେ । ବ୍ୟବଧାନର ଦୂରତ୍ୱ ଥିଲା ଅନେକ । ପୁଣି ପାଞ୍ଚବର୍ଷ ପରେ ସେତେବେଳେ ସେମାନେ ଫେରିଆସିଲେ ପାଟଣା, ସେତେବେଳକୁ ପୃଥିବୀର ବହୁତ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଗଙ୍ଗା ନଦୀରେ ଅନେକ ଜଳ ବହିଯାଇଥିଲା ।

 

ଆଜି ଶେଷାଂଶୁ କେଉଁଠି ? ସତରେ କଅଣ କଅଣ ଆଉ ଥରଟିଏ ତା’ ସହିତ ଦେଖା ହେବନି ମୁକ୍ତାର ?

 

ଅନେକଦିନ ଛାତି ଭିତରେ ଏତେ ଆକୁଳତା, ଏପରି ନିଃସହାୟ ମିନତି ସେ କେବେ ଅନୁଭବ କରି ନ ଥିଲା । ଆଜି ସାଧନାର କୃତୀ ତା’ର ପଥକୁ ପୁଷ୍ପିତ କରିବା ସତ୍ତ୍ୱେ ସେ ଦେଖିଲା ସବୁ ଯେପରି ନିରର୍ଥକ ହୋଇଯାଇଛି । ତା’ର ପଥ ନିର୍ଜନ, ପଦଧ୍ୱନିର ମୂର୍ଚ୍ଛନା ନାହିଁ ସେଠାରେ । ତା’ର ପଥଧାର ନୀରବ-ପକ୍ଷୀର କାକଳି ବି ଶୁଣାଯାଏ ନାହିଁ ସେଠାରେ । ନିଃଶବ୍ଦରେ ନିଃସଙ୍ଗ ଜୀବନର ବୋଝ ବହି ସବୁଦିନ ସେ ଚାଲି ପାରିବ ଏତେବଡ଼ ଏଇ ଅସରନ୍ତି ପଥ ଉପରେ ?

 

ରାସ୍ତାଧାରର ଫୁଟା ଫୁଲ ଝରିପଡ଼େ ପଥିକର ଅଗୋଚରରେ, ଅନାଦର ଉପେକ୍ଷା ସହି ନ ପାରି ।

 

ଦୁଇ ବିନ୍ଦୁ ଲୁହ ଆଖି କୋଣରେ ମୁକ୍ତା ବିନ୍ଦୁର ଶୋଭା ନେଇ ଢଳଢଳ ହେଲା ।

 

ପୋଛି ଦେଲା ନାହିଁ ମୁକ୍ତା । ଦେହର କେତେ ଧୂଳିମଳି ପୋଛି ନେଇ ନିଜର ସ୍ୱାଭିମାନ ରୂପଟିକୁ ଏବେବି ଉଜ୍ଜ୍ୱଳ କରି ରଖିଛି । କିନ୍ତୁ ଯାହାର ଧୂଳି ମଳି ଝାଡ଼ି ଦେଇ ନିଜର ସର୍ବାଙ୍ଗରେ ତା’ର ସ୍ୱରୂପ ଏବଂ ପ୍ରକାଶକୁ ଧାରଣ କରିଥାନ୍ତି, ସେ ଇତିହାସର ଚରିତ୍ର ପରି କେବଳ ମାନସ ପଟରେ ରହିଗଲା । ତାରିଖ କେତୋଟିକୁ ସମ୍ବଳ କରି ଇତିହାସ ବଞ୍ଚିପାରେନା; ମଣିଷର ରକ୍ତମାଂସର ଶରୀର ନେଇ ତାହାହେଲେ ବଞ୍ଚିବ କିପରି ମୁକ୍ତା ?

 

କିନ୍ତୁ ତାକୁଇ ସମ୍ବଳ କରି ଏ ଯାଏ ଆଗେଇ ଆସିଲା ସେ, ଗୋଟିଏ ଜିଦ୍ର, ନିଜ ମନୀଷାର ପ୍ରଖରତାରେ ।

 

ଶେଷାଂଶୁର କଥାଭାବିଲେ ଆଜି ଗୋଡ଼ କିନ୍ତୁ ଅଟକି ଯାଉଛି । ଦିନେହେଲେ ମୁହଁ ଖୋଲି ମାଗିଲା ନାହିଁ, ହାତ ବଢ଼ାଇ ତାକୁ ଟାଣି ନେଲା ନାହିଁ । ସେ କ’ଣ ମନା କରିପାରିଥାଆନ୍ତା... ।

 

କେତେବେଳେ ଶୋଇପଡ଼ିଥିଲା ଜାଣିପାରିଲା ନାହିଁ ।

 

ସେ ଦେଖୁଥିଲା ତା’ର ଆଲୋଚିତ ପଥ ଉପରେ ଆଗେଇ ଆସୁଛି ଶେଷାଂଶୁ । ସୁନ୍ଦର ମୁଖଶ୍ରୀ, ଲାବଣ୍ୟଝରା, ଯୌବନୋଦ୍ଦୀପ୍ତ ସର୍ବାଙ୍ଗ । ସେହି କବିତାଟି ଆବୃତ୍ତି କରି କରି ତା ଆଗକୁ ଅଗ୍ରସର ହେଉଥିଲା ସେ ।

 

ଅଭିମାନ କରି ଅନ୍ୟଆଡ଼କୁ ମୁହଁ ଫେରାଇ ଛିଡ଼ାହୋଇଗଲା ମୁକ୍ତା ।

 

ପାଖକୁ ଆସି ଆଉ କାହାକୁ ନେପଥ୍ୟରେ ଦେଖି କହିଲା ପରି କହିଲା ଶେଷାଂଶୁ-କପାଳ କହୁଛି ସୃଜନଶୀଳ ପ୍ରତିଭା ହବ, ନଖ କହୁଛି ଭବିଷ୍ୟତ ଉଜ୍ଜ୍ୱଳ ହବ, ପାପୁଲିର ରକ୍ତାଭ ମାଉଣ୍ଟଗୁଡ଼ା ଇଙ୍ଗିତ ଦେଉଛନ୍ତି ଏକ ସ୍ୱୟଂସମ୍ପୂର୍ଣ୍ଣ ଜୀବନର ।

 

ଏତେକଥା ଶୁଣି ଅଭିମାନ କରି କିଏ ରହିପାରନ୍ତା ?

 

ତା’ ଆଡ଼କୁ ମୁହଁ କରି ହସିଦେଇ କହିଲା ମୁକ୍ତା-ଏତେଦିନେ ମନେପଡ଼ିଲା !

 

ଶେଷାଂଶୁ କହିଲା- ମୋର କବିତା ସେଦିନ ଶୁଣିଥିଲା ନା ?

 

-ହଁ । ମୋ କଥା ଛାଡ଼ି ଆଉ କିଛି ଆସୁନି ନା !ମୋତେ କବିତାରେ ବେଶ ଖୁଞ୍ଚା ଦେଇଛ ତ !

 

ତା’ର ଆରକ୍ତିମ, ଅନୁରକ୍ତ ଓଠଟିକୁ ଆଙ୍ଗୁଳିରେ ଟେକିଧରି କହିଲା ଶେଷାଂଶୁ- ସେଇଥିରେ ମୁଁ ତୁମକୁ ଯୁଗଯୁଗ ଧରି ବନ୍ଦୀ କରି ରଖିବି ମୁକ୍ତା ।

 

ମୁକ୍ତାର ସର୍ବାଙ୍ଗରେ ଅନିର୍ବଚନୀୟ ଏକ ଉଦ୍ଦାମ ଉଲ୍ଲାସର ବହ୍ନିଶିଖା ଖେଳିଗଲା ମୁହୂର୍ତ୍ତକରେ । ସେ କାମନା କରୁଥିଲା ଶେଷାଂଶୁ ତାକୁ ପାଖକୁ ଟାଣି ନେଉନାହିଁ କାହିଁକି, ତା’ର ପୃଥକ୍ ଅସ୍ତିତ୍ୱକୁ ସମାପ୍ତ କରି ଦେବାର ଏବେ ବିଳମ୍ବ କରୁଛି କାହିଁକି ?

 

କିନ୍ତୁ ସବୁ କାମନା, ବାସନାକୁ ଧୂଳିସାତ୍ କରି ଭାଙ୍ଗିପଡ଼େ ଆକାଶର ଘର । ତା’ର ଚିବୁକ ଉପରେ ଚାପି ଟିକେ ଦେଇ ଅପସରି ଗଲା ଶେଷାଂଶୁ !

 

ସେଇ ଯିବା ପଥକୁ ବର୍ଷଣୋନ୍ମୁଖ ଆକାଶକୁ ଚାହିଁ ଚାତକ ବାହୁନି ଉଠିଲା ପରି ବିଦଗ୍ଧା, ବିଗଳିତା ମୁକ୍ତା ମିନତି କଲା ଏତିକି !

 

ନା, ଆଉ କିଛି ନୁହେଁ ।

 

ଏତିକି ପାଇବା ବି କଅଣ କମ୍ ମଣିଷ ଜୀବନରେ !

 

ଏ ଜୀବନରେ ବଞ୍ଚିବାପାଇଁ ହେଲେ ପାଣି ଓ ପବନ ପରି, ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନର ପ୍ରୟୋଜନ ହୁଏ । ସେଇ ପ୍ରୟୋଜନକୁ ପରିପୂର୍ଣ୍ଣ କରିବାପାଇଁ ବିଗତ ପନ୍ଦର ବର୍ଷ କେବଳ ଆପ୍ରାଣ ଉଦ୍ୟମ କରି ଆସିଛି ଶେଷାଂଶୁ । ପ୍ରାଣର ଉଚ୍ଛ୍ୱାସରେ ଅନେକ କବିତା ଲେଖିଥିଲା, କିନ୍ତୁ ସଂସାରରେ ବଞ୍ଚିବାପାଇଁ ହେଲେ କେବଳ କବିତା ଲେଖିବା ଯଥେଷ୍ଟ ନୁହେଁ । ମୁଢ଼ି ଦଶପଇସାର କିଣିବାପାଇଁ କବିତା ମୂଲ୍ୟ ଦେଇପାରେନା ।

 

ତା ପରେ ଜୀବନ ସଂଘାତରେ ଭାସି ଯାଉଁଯାଉଁ ପରିବହନ ବିଭାଗର କର୍ମୀ ମଙ୍ଗଳ ଅଫିସର ଭାବରେ ଭର୍ତ୍ତିହୋଇଯାଇ କଟକରେ ଅବସ୍ଥାପିତ ହୋଇଥିଲା ଶେଷାଂଶୁ । ଚାକିରୀ ଜୀବନର ଗତାନୁଗତିକତାରେ ସେ ଭୁଲିଗଲା ପ୍ରଥମ ଯୌବନର ଅରୁଣିମା, ପୂର୍ବରାଗର ଅନୁରାଗିଣୀକୁ । ପଲ୍ଲବିତ ଯୌବନ ଆଜି କେବଳ ଇତିହାସ ।

 

ଏଇ ଇତିହାସ ଭିତରେ ତାରିଖ ରହେ, ଚରିତ୍ର ବି ରହେ । ପୁଣି ରକ୍ତମାଂସ ଦେଇ ସେମାନଙ୍କୁ ଜୀବନ୍ତ କଲେ ଶୁଣାଯାଏ ସେମାନଙ୍କର ପଦଧ୍ୱନି, ଅନୁଭବ କରାଯାଏ ସେମାନଙ୍କର ଆକୃତି ଓ ଆର୍ତ୍ତନାଦ, ବୁଝିହୁଏ ସେମାନଙ୍କର ସୁଖ ଦୁଃଖ...ଉପଲବ୍ଧି କରିହୁଏ ହତାଶା ଓ ଦୀର୍ଘଶ୍ୱାସ-

 

ସେଇ ଗୋଟିଏ ତାରିଖ ଉପରେ ବାରମ୍ବାର ଆଖି ବୁଲାଇ ଗୋଟିଏ ମୋଟା ପୁରୁଣା ଲଫାପା ଭିତରେ ଯତ୍ନର ସହିତ ରଖିଥିବା ଗୋଟିଏ ଚିଠି ଉଠାଇ ଆଣି ପଢ଼ିଲା ଶେଷାଂଶୁ-ତମର ଲେଖାପଢ଼ି ଆନନ୍ଦରେ ଅଭିଭୂତ ହୋଇଛି । ଥରେ ନୁହେଁ, ଦୁଇଥର ନୁହେଁ, ଗୋଟିଏ କବିତାକୁ କେତେଥର ସେ ପଢ଼ିଛି ତାହା ହିସାବ କରି କହିପାରିବି ନାହିଁ । କବିତା’ର ପ୍ରତ୍ୟେକ ଛନ୍ଦରେ ମୋ ନାଡ଼ିର ସ୍ପନ୍ଦନ, ଶବ୍ଦରେ ମୋ ଭାଷାର ପ୍ରତିଲିପି... ଏବଂ ଛାତି ଉପରେ ଜାକିଧରି ମୁଁ ଅନୁଭବ କରିଛି ଏହାର ପ୍ରାଣର ପ୍ରବଣତାକୁ, କାନ ପାଖରେ ରଖି ଶୁଣିଛି ତାହାର ଆବେଦନ...କିନ୍ତୁ କେବଳ ଏତିକି ?

 

ନା, ନା...

 

ଏତିକି ।

 

ବଡ଼ଲୋକର ଭିଡ଼ରେ ପଶିପାରିବି ନାହିଁ ଶେଷାଂଶୁ । ସେଥିପାଇଁ ତାକୁ କାମନା କରି ଶେଷରେ ଇତିହାସର ଅପାଙ୍‌କ୍ତେୟ ଚରିତ୍ର ପରି ସମୟର ଡଷ୍ଟବିନ୍ ଭିତରେ ନିଜର କବିତା ସହିତ ପଡ଼ିରହିବା ପାଇଁ ଇଚ୍ଛା କଲାନି ସେ । ଗୃହ ଶିକ୍ଷକର ସଙ୍କୋଚନ ନେଇ ସେ ଯାଇଥିଲା ତାଙ୍କ ଘରକୁ- ପ୍ରେମରେ ପ୍ରସାରଣ ନେଇ ଫେରି ଆସିବ କିପରି ?

 

ଆଉ ଯଦି ସେ ବଡ଼ ହୁଏ...ନିଜର ସ୍ୱେଦ ଓ ଶ୍ରମ ଯଦି ସ୍ୱର୍ଣ୍ଣ ସିଂହାସନରେ ବସିବାପାଇଁ ସୁଯୋଗ ଦିଏ...ସେତେବେଳକୁ କଅଣ ଅପେକ୍ଷା କରିଥିବ ମୁକ୍ତା ?

 

ଆଉ ଅପେକ୍ଷା ନ କରି ଲାଗିପଡ଼ିଲା ଶେଷାଂଶୁ । ସେ ଉଦ୍ୟମ କରିବ । କବିତା’ର କଳ୍ପନାବିଳାସରେ ଭାସି ବଞ୍ଚିବାର ଦୁଃସ୍ୱପ୍ନ ଆଉ ଦେଖିବ ନାହିଁ । ଖାଦ୍ୟ ବସ୍ତ୍ର ବାସସ୍ଥାନ ତା’ର ପ୍ରୟୋଜନ ।

 

ଉଦ୍ୟମ ମଣିଷକୁ ଇତିହାସରେ ସ୍ଥାନ ଦେଇଛି, ତାକୁ ନିର୍ଦ୍ଦିଷ୍ଟ ତାରିଖ ଦେଇଛି । ତା’ ପାଇଁ ସ୍ଥାନ ଖାଲି ରଖିଛି ନିଜ ଅଙ୍ଗରେ... ।

 

ସେ ଅକ୍ଷୟ, ଅମର ହେବାପାଇଁ ଆସି ନ ଥିଲା ପୃଥିବୀକୁ, କିନ୍ତୁ କେବଳ ଦେଖିଯିବାପାଇଁ ଚାହୁଁଥିଲା ଏଇ ପୃଥିବୀର ଅଗଣିତ ଚରିତ୍ରର ଯିବା ଆସିବା ମଧ୍ୟରେ ମଣିଷର ପ୍ରେମ, ତା’ର ନିଷ୍ଠା ଓ ସତ୍ୟତା, ସେବା ଓ ସାଧନା ବଞ୍ଚି ରିହିଛି କି ନାହିଁ ।

 

ଚିଠିଟିକୁ ଯଥା ସ୍ଥାନରେ ରଖିଦେଇ ଆଗାମୀ ଦିନର ପରୀକ୍ଷାପାଇଁ ଅପେକ୍ଷା କରି ରହିଲା । ଯଦି ଥରେ ମାତ୍ର ଦେଖାହୁଏ !

 

ସେଦିନ ଅଫିସରୁ ଘରକୁ ଫେରିବାବେଳକୁ ହାତରେ ଗୋଟିଏ ନିମନ୍ତ୍ରଣ ପତ୍ର ଗୁଞ୍ଜିଦେଇ ଦୁଇଜଣ ଯୁବକ କହିଉଠିଲେ ଏକାବେଳେ-ଶେଷାଂଶୁ ବାବୁ ନା !

 

-ଆଜ୍ଞା ହଁ ।

 

ବିନମ୍ର କଣ୍ଠରେ ପରିଚୟ ଦେଲା ଶେଷାଂଶୁ ।

 

-ଆପଣଙ୍କୁ ଆସିବାକୁ ହବ । ଓଡ଼ିଶାର ସମ୍ମାନ...

 

ଆହୁରି କହିବାପାଇଁ ଯାଉଥିଲେ ସେମାନେ ।

 

-ଯେଉଁମାନଙ୍କ ଉପରେ ଓଡ଼ିଶାର ସମ୍ମାନ ନିର୍ଭର କରେ ସେମାନେ ମୋ ପରି ପରିବହନ ବିଭାଗରେ ଦିନକୁ ଦଶକଥା ଅଣନିଶ୍ୱାସୀ ଭାବରେ ଖଟି ଷ୍ଟେସନ ରୋଡ଼ରେ ହାଓ୍ୱା ଖାଇବାପାଇଁ ବୁଲିବେ ନାହିଁ ଆଜ୍ଞା ! ସେମାନଙ୍କର ଯାନ ବାହନର ବେଗରୁ ହିଁ ଜାଣିହେବ ଦେଶ ପ୍ରଗତି କରୁଛି...ରଥ ଚକ ଠିକ୍ ବାଟରେ ଆଗେଇ ଚାଲିଛି ।

 

ସେମାନଙ୍କୁ କୁହାଇ ନ ଦେଇଏତେଗୁଡ଼ା କଥା ଏକାଥରେ କହିଗଲା ଶେଷାଂଶୁ । ତା’ କଥା ଶୁଣି ଟିକିଏ ନୀରବ ରହି କହିଲେ ସେ ଦୁହେଁ- ସେଇଥିପାଇଁ ତ ଆପଣଙ୍କୁ ଚାହାଁନ୍ତି ସମସ୍ତେ । ତା’ ପରେ ଓଡ଼ିଶା ବାହାରୁ ଅନେକ ଜ୍ଞାନୀ ଗୁଣୀ ବୈଜ୍ଞାନିକ ଆସୁଛନ୍ତି ଯେତେବେଳେ...

 

-ହଉ, ହଉ...ଛାଡ଼ିବେ ନାହିଁ ଯେତେବେଳେ...ଯିବି...ନିଶ୍ଚୟ ଯିବି ।

 

ସେମାନେ ଫେରିଗଲା ପରେ ଭିତରକୁ ଯାଇ ସିଧା ସଳଖ ବିଛଣା ଉପରେ ଶୋଇପଡ଼ିଲା ଶେଷାଂଶୁ ।

 

ସନ୍ଧ୍ୟାବେଳେ କବି ସମ୍ମିଳନୀରେ ଯୋଗଦାନ କରିବାପାଇଁ ମନ ହେଉ ନ ଥିଲା । ବାସସ୍ଥାନ ବା ବସନ ଭୂଷଣ ନ ଥାଉ, ଯଦି କବିତା ବୋଲି ସେ ଦେଶର ସୃଜନଶୀଳ ପ୍ରତିଭାକୁ ଉତ୍ସାହିତ କରିପାରିବ ତା’ ହେଲେ ତାହାହିଁ ଯଥେଷ୍ଟ ।

 

ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ରରେ ଆବିଷ୍କୃତ ଜୟା, ପଦ୍ମା, ଜଗନ୍ନାଥ ପରି ସେଦିନ ଅନେକ ଜୟା, ପଦ୍ମା, ଜଗନ୍ନାଥ ଆସିଥିଲେ କବିତା ଶୁଣିବାପାଇଁ । ବୈଜ୍ଞାନିକମାନଙ୍କ ମଧ୍ୟରେ ପୁଣି ଭାବପ୍ରବଣତା ପ୍ରତି ଏତେ ଆଦର ! ଆଶ୍ଚର୍ଯ୍ୟ ହୋଇଗଲା ଶେଷାଂଶୁ ।

 

ମଞ୍ଚ ଉପରକୁ ଉଠିବା ପରେ ବିଶିଷ୍ଟ ଦର୍ଶକ ମଣ୍ଡଳୀ ଆନନ୍ଦ ଧ୍ୱନି କରି ଅଭିନନ୍ଦନ ଜଣାଇଲେ ।

 

ପକେଟ ଭିତରେ ହାତ ପୁରାଇଲା, କିନ୍ତୁ କାହିଁ ? ଛି, ଛି...କ’ଣ ଭାବିବେ ସମସ୍ତେ । ତରତରରେ ଜାମା ବଦଳାଇ ଆସିଲା ସିନା ଲେଖା ହୋଇଥିବା କବିତାଟିକୁ ଆଣିବାପାଇଁ ଏକାବେଳକେ ଭୁଲିଯାଇଥିଲା ଶେଷାଂଶୁ ।

 

ମାଇକ୍‌କୁ ମୁହଁ ପାଖରେ ରଖି ଉଦ୍‌ଘୋଷକ ଘୋଷଣା କରୁଥିଲେ- ଆଧୁନିକ ରୋମାଞ୍ଚ କବି ଶ୍ରୀ ଶେଷାଂଶୁ ଦାସ ।

 

ଶେଷାଂଶୁ ଶୀତତାପ ନିୟନ୍ତ୍ରିତ ମଞ୍ଚ ଉପରେ ଛିଡ଼ାହୋଇ ମଧ୍ୟ ଝାଳେଇ ଯାଇଥିଲା ସେତେବେଳେକୁ ।

 

ସେଇ ମୁହଁଟି ମନେପଡ଼ିଗଲା ।

 

ନୂଆ ହୋଇ ଫୁଟିଥିବା ନୀଳକଇଁଟି ଆଖି ଆଗରେ ଭାସିଉଠିଲା ।

 

ଆଲୋକିତ ସେଇ ପ୍ରଥମ ଅବିସ୍ମରଣୀୟ ତାରିଖଟି ଝଲସି ଉଠିଲା ।

 

ସେ ସୁସ୍ପଷ୍ଟ କଣ୍ଠରେ ମାଇକ୍ ସାମ୍ନାରେ ଛିଡ଼ାହୋଇ ଆବୃତ୍ତି କଲା-

 

ଏଇ ଯେ ପ୍ରଥମ

ଏ ଅନ୍ତର ସମର୍ପିତ ମମ

ତୁମ ପାଦ ତଳେ...

ଅନୁପମ ଏ ଉଲ୍ଲାସ,

ପୁଷ୍ପର ପ୍ରଥମ ବାସ,

ତୁମ ଅଙ୍ଗ ଭରି ।

 

ଜ୍ୟୋତ୍ସ୍ନାଭରା ଆକାଶକୁ

ନୀଳକଇଁ ଚାହିଁଥିଲା ପରି

ମୁଁ ଚାହିଁଛି ।

 

ମୁଁ ଦେଖୁଛି ଅପୂର୍ବ ପୁଲକେ,

ତୁମେ ଅଛ ବିଶ୍ୱଭରି

ପ୍ରତି ପୁଷ୍ପେ ପଦ୍ମର କୋରକେ।

 

x

x

x

x

 

କବିତା ପାଠ ଶେଷ ହେବାବେଳକୁ ସହସ୍ର କରତାଳିରେ କମ୍ପି ଉଠିଲା ସଭାସ୍ଥଳ ।

 

ଏତେ ଲୋକଙ୍କର ନିଶ୍ୱାସପ୍ରଶ୍ୱାସର ଶବ୍ଦ ଭେଦ କରି ଗୋଟାଏ ଅତି ପରିଚିତ, ଅତୀତରେ ପଛରେ ଛାଡ଼ି ଆସିଥିବା ଗୋଟିଏ ଅତି ଆପଣାର ଦୀର୍ଘଶ୍ୱାସ ହଠାତ୍ ଆସି କାନରେ ବାଜିଲା, ବୁକୁକୁ ଛୁଇଁଲା ଶେଷାଂଶୁର । ଅବାକ୍ ହୋଇ ସେ ଦେଖିଲା ତା’ର ସମ୍ମୁଖରେ ବିଶିଷ୍ଟ ଦର୍ଶକ ମଣ୍ଡଳୀର ପ୍ରଥମ ସୋପାନରେ ଯେଉଁମାନେ ବସିଥିଲେ ସେମାନଙ୍କ ମଧ୍ୟରେ ମଧ୍ୟମଣି ପରି ଗୋଟାଏ ଅନୁପମ ଆବେଗ ଚଞ୍ଚଳ ବିହ୍ୱଳିତ ମୁହଁ ଝଟକି ଉଠୁଥିଲା ।

 

ମୁକ୍ତା ପଛପଟୁ ଘୁରି ଆସି କହିଲା- ଶେଷାଂଶୁ !

 

ତା’ ଆଖି କୋଣରେ ଲୁହର ଫୁଆରା ଦେଖି ଉଦ୍‌ବିଗ୍ନ ହୋଇ କହିଲା ଶେଷାଂଶୁ ଟାକ୍ସିଟା ଛିଡ଼ା ହୋଇଛି । ଚାଲ୍, ଘରେ ବସି କଥାବାର୍ତ୍ତା ହବା ।

 

ଏତେ ଦିନର ବ୍ୟବଧାନ ପରେ ଆହୁରି ଅନେକ ଶୁଣିବାପାଇଁ ଇଚ୍ଛା ହେଉଥିଲା ମୁକ୍ତାର-

 

ଟାକ୍ସି ଆଣି ଦୁହିଁଙ୍କୁ ଓହ୍ଳାଇଦେଇଗଲା ଷ୍ଟେସନ ରୋଡ଼ର ଏକ ଧାରରେ ଥିବା ଶେଷାଂଶୁର ଘର ଆଗରେ ।

 

ପଥବରଣ କରି ପଥ କଢ଼ାଇ ତାକୁ ଭିତରକୁ ନେଇଯାଇ କହିଲା ଶେଷାଂଶୁ ବହୁତ ଦିନ ପରେ ଚିହ୍ନିପାରିଲ ମୁକ୍ତା !

 

ମୁକ୍ତା କିଛି ନ କହି କେବଳ ଅପଲକ ନୟନରେ ଅନାଇ ରହିଲା ତା’ର ମଧୁ ଦୃଷ୍ଟିରେ ଅବଗାହନ କରୁଥିବା ଶେଷାଂଶୁଆଡ଼କୁ... ।

 

ଗୋଟିଏ ଚୌକିରେ ବସିପଡ଼ି ସେ କହିଲା- ସେଇ ତାରିଖରେ ଲେଖିଥିଲ ନା ? ମୋର ଆଜିବି ଗୋଟାକଯାକ ମନେଅଛି ।

 

କିନ୍ତୁ ଜାଣ, ମୁଁ ଆଉ କବିତା ଲେଖୁନି । କବିତା ବହିର ଛିଡ଼ା ପୃଷ୍ଠା ପାନ ଦୋକାନରେ କାମରେ ଲାଗୁଛି ଯେ...

 

ଅଶ୍ରୁଳ ନୟନରେ ଚାହିଁଲା ମୁକ୍ତା ।

 

-ଲେଖୁନ ତା’ହେଲେ ?

 

-ଲେଖୁଛି...କବିତା ନୁହେଁ, ଡିଟେକଟିଭ ଗଳ୍ପ ।

 

- ମୋତେ କେନ୍ଦ୍ରକରି ଗୋଟିଏ ଗଳ୍ପ ଲେଖିବ ଶେଷାଂଶୁ ?

 

-ନିଶ୍ଚୟ । ତୁମ କଥା କହିଲନି ଯେ ଏ ଯାଏ !

 

-ତୁମର ସବୁ ଭବିଷ୍ୟତ ବାଣୀ ସଠିକ ପ୍ରମାଣିତ କରି ମୁଁ ବଡ଼ ହୋଇଛି ଶେଷାଂଶୁ । ସୃଜନଶୀଳ ପ୍ରତିଭାର ଅଧିକାରିଣୀ ହୋଇଛି...ଯଶସ୍ୱିନୀ ହୋଇଛି...

 

-ଆଉ କିଛି ହୋଇନ ?

 

-ତମେ କଅଣ ଆଉ କିଛି କହିଥିଲ ?

 

ସ୍ମରଣ କରିବାପାଇଁ ଚେଷ୍ଟା କଲା ଶେଷାଂଶୁ ।

 

ନା । ଆଉକିଛି କହି ନ ଥିଲା ସେ ।

 

ସେ ମୁକ୍ତାର ହାତ ଦୁଇଟିକୁ ନିଜ କୋଳ ଉପରେ ରଖି ପୁଣି ନିଷ୍ଠାର ସହିତ ତନ୍ନତନ୍ନ କରି ନିରୀକ୍ଷଣ କଲା ଆଗ୍ରହରେ । ଆଗ ଅପେକ୍ଷା ଅଧିକ ରକ୍ତାଭ, ଉଷ୍ମ କରି ମନେହେଉଥିଲା ତା’ର ପାଖୁଡ଼ାଗୁଡ଼ିକ ।

 

-ତମେ ଆହୁରି ଉପରକୁ ଉଠିବ ମୁକ୍ତା ।

 

-ହୁଁ...

 

-ବିଦେଶ ଯିବ ।

 

-ହୁଁ...

 

-ନେତ୍ରୀ ବି ହେବ ।

 

ତା’ ମୁହଁକୁ ଅନାଇଲା ମୁକ୍ତା । ଉତ୍ତର ଦେଲାନାହିଁ । ସର୍ବାଙ୍ଗ ସେତେବେଳକୁ ଥରୁଥିଲା-। ଭୂମିକମ୍ପ କିପରି ହୁଏ ଦେଖିନାହିଁ, ନ ହେଲେ ଜାଣିଥାଆନ୍ତା ତା’ର ସମଗ୍ର ସତ୍ତାକୁ ଦୋହଲାଇ ଦେଇ କିପରି ଗୋଟିଏ ଅଦମନୀୟ ଆଗ୍ନେୟ ଆକାଙ୍‌କ୍ଷା ତିଳ ତିଳ କରି ପ୍ରତ୍ୟେକ ପ୍ରାଣତନ୍ତ୍ରୀକୁ ଥରାଇ ଦେଉଥିଲା ।

 

-ତମ ନଖର ରକ୍ତାଭ ଆଉ ଲକ୍ଷ୍ୟ କରିଛ ?

 

ଆଙ୍ଗୁଳିର ଅଗ୍ରଭାଗକୁ ଚିପିଦେଇ କହିଲା ଶେଷାଂଶୁ ।

 

ସର୍ବାଙ୍ଗରେ ସେତେବେଳକୁ ଇନ୍ଦ୍ରଧନୁର ସପ୍ତରଙ୍ଗ ଲାଗିସାରି ସୁନ୍ଦର ଦିଶୁଥିଲା ମୁକ୍ତା । ଅଙ୍ଗେ ଅଙ୍ଗେ ଏକ ଅନନୁଭୂତ ଉତ୍ତପ୍ତ ବିହ୍ୱଳିତା ସଞ୍ଚରିତ ହେଉଥିଲା ତଡ଼ିତ୍ ବେଗରେ ଏକ ଆକାଙ୍‌କ୍ଷିତ ଆଲୋକ ବିନ୍ଦୁରେ ଏକାତ୍ମ ହେବାପାଇଁ । ସେ ଆଖି ମୁଦି ଥରି ଥରି କହିଲା-ଭଲକରି ଆଉ ଟିକେ ଦେଖ ଶେଷାଂଶୁ ।

 

ଶେଷାଂଶୁ ମନପ୍ରାଣ ଏକ କରି ମୁକ୍ତାର ଦୁଇଟି ହାତର ରେଖାଗୁଡ଼ିକୁ ନିରୀକ୍ଷଣ କଲା ।

 

-ତୁମେ ଅନୁରାଗିଣୀ ହବ ମୁକ୍ତା ।

 

ଆଖିର ଲୁହ ଆଉ ସମ୍ଭାଳି ନ ପାରି ଶେଷାଂଶୁ ଉପରେ ଥରିଲା ଦେହଟାକୁ ଢାଳିଦେଇ ସେ କହିଲା- କେବଳ ଏତିକି, ଆଉ କିଛି ନୁହେଁ ?

 

ମୁକ୍ତାର ପୁଲକିତ ସର୍ବାଙ୍ଗରେ ପୁଣି ପ୍ରଥମ ଯୌବନର ଶ୍ରୀ ଓ ଶିହରଣ ଫେରାଇ ଆଣିବାପାଇଁ ସମର୍ପିତ ହୃଦୟର ସ୍ୱାଦ ଓ ମଧୁରତା ଦେଇ ମୁଦ୍ରିତ ଅଧର ଉପରେ ଫୁଲର ସୁରଭି ପରି ଗୋଟିଏ ତରଳ, କୋମଳ ଚୁମ୍ବନ ଆଙ୍କି ଦେଲା ଶେଷାଂଶୁ ।

Image

 

ନାଲିଫିତା

 

ଅଫିସ୍‌ରେ କାମର ଭିଡ଼ଯୋଗୁ ମନୋଜବାବୁ ଜଟିଳ ବିଷୟ ସମ୍ପୃକ୍ତ ଫାଇଲ୍‌ଗୁଡ଼ାକୁ ଘରକୁ ନେଇ ଆସୁଥିଲେ । ସକାଳ ଦଶରୁ ସନ୍ଧ୍ୟା ଛଅଟା ଯାଏ ଅଫିସରେ ଯେଉଁ ସମୟ ମିଳେ ତାହା ତାଙ୍କୁ ଯଥେଷ୍ଟ ହୁଏ ନାହିଁ । ଆଉ ଅଫିସରେ କେବଳ ତ ଫାଇଲ୍‌ କାମ ହୁଏ ନାହିଁ । ଘର ସଂସାରର ଭଲ ମନ୍ଦଠାରୁ ଆରମ୍ଭ କରି ବାରବାଟି ଷ୍ଟାଡ଼ିୟମରେ ହେଉଥିବା ଜାତୀୟ ହକି ପ୍ରତିଯୋଗିତା ଖେଳର ହାରଜିତ୍, ଚାହାଖିଆ, ମୁଣ୍ଡଚନ୍ଦା ନ ହେବା ପାଇଁ ପାଗଳା ବାବାଙ୍କ ପ୍ରତିଷେଧକ ଔଷଧ ଏବଂ ବାହା ନ ହୋଇ ଅଫିସ୍‌ରେ କାମ କରୁଥିବା କୁମାରୀ ଝିଅମାନଙ୍କ ଦୁଃଖ ସୁଖ ସମ୍ପର୍କରେ ବହୁତ ଆଲୋଚନା ହୁଏ । ମୁହଁ ପୋତିଫାଇଲ୍‌ର ଚରିତ୍ରମାନଙ୍କୁ ଅଧ୍ୟୟନ କରୁଥିବାବେଳେ ଅନ୍ୟମନସ୍କ ଭାବରେ ମନୋଜବାବୁ ଥରେ ବୋଧେ ନା- ହଁ ମାଧ୍ୟମରେ ବା ଟିକିଏ ହସଖୁସିରେ ଯୋଗଦେଇ ନିଜର ସହଯୋଗ ଜଣାନ୍ତି । ସେଥିପାଇଁ ଜଟିଳତା ଫାଇଲ୍‌ରେ ଥିଲେ ସେ ଏକ ଲୟରେ ମନଲଗାଇ ପାରନ୍ତି ନାହିଁ ବୋଲି ମନୋରମାଙ୍କ ତୀବ୍ର ପ୍ରତିବାଦ ସତ୍ତ୍ୱେ ଜଟିଳଫାଇଲ୍‌ଗୁଡ଼ାକୁ ହାଣ୍ଡ୍‌ବ୍ୟାଗ ଭିତରେ ପୂରେଇ ନେଇଯାଆନ୍ତି ଘରକୁ ।

 

ଅଫିସର୍‌ କିଏ କିଏ ହାତକୁ ଆସୁଥିବା ଉପୁରିଦ୍ୱାରା ଶାଗ ମାଛରେ ଥଳି ଭର୍ତ୍ତି କରି ବଜାରରୁ ଫେରିଲାବେଳେ ଖାଲି ହାତରେ ଫାଇଲ୍, ବ୍ୟାଗ କାଖତଳେ ଜାକି ମନୋଜବାବୁ ଫେରିଲେ ରାଗିଯାଆନ୍ତି ମନୋରମା । ପ୍ରଥମେ ପ୍ରଥମେ ସେ ପ୍ରତିବାଦ କରିଥିଲେ, ପ୍ରତିରୋଧ ବି କରିଥିଲେ; କିନ୍ତୁ ସେତିକି-କୌଣସିଥିରେ ବିଚଳିତ ନ ହୋଇ ମନୋଜବାବୁ ସେହିପରି ଫାଇଲ୍ କେତୋଟି ଆଣିବାକୁ ଭୁଲିଗଲେ ନାହିଁ । ଦିନେ ମନୋରମା ରାଗିଯାଇ କହିଲେ-ଘରକୁ ଆଉ ଫେରୁଛ କାହିଁକି ଯେ, ସେଇ ଫାଇଲ୍‌ଗୁଡ଼ା ସାଙ୍ଗରେ ଶୋଇପଡ଼ୁନ !

 

ମନୋଜବାବୁ ଟେବୁଲ ଲ୍ୟାମ୍ଫର ଆଲୋକରେ ଗୋଟିଏ ଫାଇଲ୍ ତନ୍ନତନ୍ନ କରି ଅଧ୍ୟୟନ କରିବାରୁ ବିରତ ନ ହୋଇ, ଟିକିଏ ମୁହଁ ଟେକି ହସି ଦେଇ ଜବାବ ଦେଲେ-ଚୁପ୍, ଚୁପ୍ ! ତୁମ ବାପଘର ଜାଣିଲେ ମୋ ନାଆଁରେ ଚୁକ୍ତି ଭାଙ୍ଗ ପାଇଁ ଥାନାରେ ନାଲିସ୍ କରିଦେବେ ଯେ !

 

ଏଭଳି ଲୋକଙ୍କୁ ବେହିଆ ଆଖ୍ୟା ଦେଇ ନିରସ୍ତ୍ର ହେବା ବ୍ୟତୀତ ଆଉ କୌଣସି ଅସ୍ତ୍ର ରହେନାହିଁ ମନୋରମାଙ୍କ ପାଖରେ । ସେ ଭାତ ବାଢ଼ି ସ୍ମରଣ କରାଇ ଦେଇ କହନ୍ତି-ରାତି ସାଢ଼େ ଦଶଟା ହେଲାଣି-ଭାତଗୁଡ଼ା ଥଣ୍ଡା ହୋଇ ଗଲାଣି, ତମେ ଫାଇଲ ଘାଣ୍ଟୁଥା । ଦିନଯାକର ଖଟଣି ପରେ ଆଉ କେତେ ବେଳ ମୋତେ ହଇରାଣ କରିବ କର ।

 

ମନୋରମା ନିଜ କଥା କହିଲେ ମନୋଜବାବୁଙ୍କ ମନଟା ଚହଲିଯାଏ । ଚଷମା ଖୋଲିଦେଇ, ଫାଇଲ୍ ଉପରେ ଉପରେ ନାଲିଫିତାର ଡୋର ବାନ୍ଧି ଟିକିଏ ସମବେଦନା ଝରା କଣ୍ଠରେ କୁହନ୍ତି-ନା, ଆଉ ନୁହେଁ-ଏଇ ଗଲି, କୁହ । ଲୋକଟା ପାଇଁ ମୁଁ ତ ଆଉ ତୁମକୁ ରାତି ଅଧଯାଏ ବସେଇ ରଖିପାରିବି ନାହିଁ ।

 

କିଛି ବୁଝି ନ ପାରି ମନୋରମା କହନ୍ତି-ଏଡ଼େ ଦରଦ କେଉଁଦିନୁ ହେଲାଣି ମୋ ପାଇଁ ଶୁଣେ । ତା’ପରେ ଯୋଗ କରନ୍ତି-ସେଇ ଲୋକଗୁଡ଼ାକୁ ନେଇ ରହୁନ-ସେମାନେ ତୁମ କଥା ବୁଝନ୍ତେ ।

 

ମନୋଜବାବୁ ହାତ ଧୋଇ ଆସନରେ ବସିପଡ଼ି ଚଳୁ କରିବା ଆଗରୁ କହନ୍ତି- ସେଇମାନଙ୍କ ସାଙ୍ଗ ଲୋକବୋଲି ସିନା ସେମାନେ ମୋ ପାଖକୁ ଆସନ୍ତି, ନ ହେଲେ କଅଣ ଆସନ୍ତେ ମନୁ ! ନିଜ ଲୋକ ଭାବନ୍ତି ବୋଲି ସିନା ଆପଦ ବିପଦ ବେଳେ ସାଇପଡ଼ିଶାର ଲୋକେ ଧାଇଁଆସନ୍ତି ତୁମ ପାଖକୁ- ଅନ୍ୟ କାହା ପାଖକୁ ତ ଦଉଡ଼ି ଯାଆନ୍ତି ନାହିଁ !

 

ମନୋରମା କଅଁଳି ଯାଇ କହନ୍ତି- ଅନ୍ୟର ବିପଦ ହେଲେ ବସି ରହନ୍ତି କହୁଛ !

 

-ନା, ବସି ନ ରହି ଅନ୍ୟର ବିପଦବେଳେ ସହାୟ ହେଲେ ଘରକୁ ଫାଇଲ ବୋହିବାକୁ ହୁଏ ମନୁ !

 

ଆଶ୍ଚର୍ଯ୍ୟ ହୋଇଯାଆନ୍ତି ମନୋରମା । ଫାଇଲ୍‌ଗୁଡ଼ା ମଣିଷ ନୁହନ୍ତି- ପଶୁ ପରି ବି ସେମାନଙ୍କର ଜୀବନ ନାହିଁ । କାଗଜ-ଖାଲି ଫର୍ଦ୍ଦ ଫର୍ଦ୍ଦ ଲେଖା କାଗଜ । ଅଥଚ ସେଇ କାଗଜ ବଣ୍ଡିଲ ଧରି ବେଳେ ବେଳେ ହସି ଉଠନ୍ତି, ପୁଣି କେତେବେଳେ ଦୀର୍ଘ ନିଃଶ୍ୱାସ ଛାଡ଼ି ବା ଆଉ କେତେବେଳେ ଆଖି କୋଣରେ ଜକେଇ ଆସୁଥିବା ଲୁହ ଟୋପାକୁ ରୋକି ନେଇ ପୁଣି ପୃଷ୍ଠାପରେ ପୃଷ୍ଠା ଓଲଟାଇ ଚର ଚର କରି କଅଣ ସବୁ ଟିପି ପକାନ୍ତି ମନୋଜବାବୁ । ପାଖରେ ନ ହେଲେ ମଧ୍ୟ ଦୂରରୁ ଦେଖି ମନୋରମା ଅବାକ୍ ହୋଇଯାଆନ୍ତି ।

 

ଖାଇବାବେଳେ ହଠାତ୍ ରହିଯାଇ କହିଲେ ମନୋଜବାବୁ- ଆମର କିଛି ଅସୁବିଧା ନାହିଁ ମନୁ । ସୁଖରେ ରହିଛେ । କିନ୍ତୁ ସେ ତ ଖାଇବାପାଇଁ ପାଉ ନ ଥିବ...ବା ସ୍ତ୍ରୀକୁ ନାଲି କସ୍ତା ଖଣ୍ଡେ ଦେଇ ପାରୁ ନ ଥିବ...

 

କଲରା ଭଜାରୁ ଆଉ ଦୁଇଖଣ୍ଡ ଥାଳିରେ ଦେଇ କହିଲେ ମନୋରମା-“କିଏ ଖାଇବାକୁ ପାଉ ନ ଥିବ ? କାହା ସ୍ତ୍ରୀ ନାଲି କସ୍ତା ଖଣ୍ଡେ ପିନ୍ଧିବାପାଇଁ ଅପେକ୍ଷା କରି ବସିଥିବ ?”

 

ଶେଷ ଗୁଣ୍ଡାକ ପାଟି ଭିତରୁ ପେଟ ଭିତରକୁ ଠେଲି ଦେଇ କହିଲେ ମନୋଜବାବୁ...ତାହାରି ପାଇଁ ତୁମକୁ ଏତେ ରାତି ଯାଏ ଅଟକାଇ ଦେଲି ମନୁ ! ସେଇ ଯେ ଫାଇଲ୍‌ଟା ଦେଖୁଛ ଟେବୁଲ ଉପରେ-ସେଟା ତ ଗୋଟିଏ ନିର୍ଜୀବ କାଗଜ ବଣ୍ଡିଲ ନୁହେଁ- ଗୋଟେ ଜୀବନ୍ତ ଚରିତ୍ର ।

 

ମନୋରମା ତାଙ୍କ ହାତକୁ ଗାମୁଛାଟା ବଢ଼ାଇ ଦେଇ କହିଲେ- ଫାଇଲ୍‌ ଭିତରେ ମଣିଷ ଅଛି-ମ୍ୟାଜିକ୍‌ କରୁଛ ନା କଅଣ !

 

-ମ୍ୟାଜିକ୍‌ ଦେଖି ଦେଖି ତ ମଣିଷର ସବୁ ଦୁଃଖ ସୁଖ ଏହି ଫାଇଲ ଭିତରେ ଲୁଚିଗଲା ମନୁ । ମ୍ୟାଜିକ୍ ନ ଦେଖି ଯଦି ସତକଥାଟା ମଣିଷ ଦେଖି ଥାଆନ୍ତା ରାମ, ହରି, ମଧୁ ଏତେ କଷ୍ଟ ପାଆନ୍ତେନି ।

 

ମନୋରମା ମଣିଷର ଦୁଃଖ କଷ୍ଟ ସହିପାରନ୍ତି ନାହିଁ- ଏଇଟା ତାଙ୍କର ଦୁର୍ବଳତା । ଯାହା କରିବେ ନାହିଁ ବୋଲି ଜିଦ୍ କରିଥିବେ ସେଇ କଥା କରିବାପାଇଁ ନିମିଷକରେ ରାଜି ହୋଇଯିବେ ଯଦି କେହି କହିଦିଏ ଯେ, ଏଇ କାମଟା କଲେ ଅମୁକର ଦୁଃଖ ଊଣା ହୋଇଯିବ- ସମୁକର ଟିକିଏ ଉପକାର ହବ ।

 

ମନୋଜବାବୁ ପାନଖଣ୍ଡେ କଳରେ ଜାକି କହିଲେ- ମଣିଷ ଯେତେ ସେମାନଙ୍କର ଦୁଃଖ ସୁଖ ତା’ଠାରୁ ଅନେକ ବେଶି ମନୁ । ଏଇ ଯେ ମାଳ ମାଳ କିରାଣୀ, ଚପରାଶୀ, କୁଲି, ମିସ୍ତ୍ରୀ, ବାବୁ, ଅର୍ଦ୍ଦଳି, ସାହେବ, ମେମ୍ ସାହେବ ଦେଖୁଛ, ଏମାନଙ୍କୁ ଉପରୁ ଦେଖି କିଛି ଜାଣିପାରିବ ନାହିଁ-। ସେମାନଙ୍କର ଜୀବନ ଛୋଟ ହେଲେବି ଏଇ ଫାଇଲଗୁଡ଼ା ସେମାନଙ୍କୁ ଏତେ ଲମ୍ବ କରି ଦେଇଛି ଯେ ବିଚରା ନିଜ ଦୁଃଖର ଦହନରେ ମରି ବି ପାରୁନାହାନ୍ତି ।

 

ରାତିର ଖିଆପିଆ ଶେଷ ହେଲେ ଶୋଇବା ଆଗରୁ ଦୁହେଁ ଦୁଃଖ ସୁଖ ହୁଅନ୍ତି, ଘର ସଂସାରର ଯାବତୀୟ କଥାର ହିସାବ ନିକାସ କରନ୍ତି । କଥା କହୁଁ କହୁଁ ତାଙ୍କର କୋଳରେ କେତେବେଳେ ଶୋଇପଡ଼ନ୍ତି କ୍ଳାନ୍ତ ମନୋରମା, କିନ୍ତୁ ଅନେକ ସମୟ ଯାଏ ଶୋଇ ନ ପାରି କେବଳ କଡ଼ ଲେଉଟାନ୍ତି ମନୋଜବାବୁ । ମନଟା ସ୍ଥିର ହେଲେ ସିନା ସେ ଶୋଇପାରନ୍ତେ । ଅସ୍ଥିର ମନ ଦେହକୁ ବି ଅଶାନ୍ତ କରେ । ଦିନେ ଦିନେ ନିଦରେ ବି ସେଇ ଚରିତ୍ରମାନଙ୍କର ସ୍ୱପ୍ନ ଦେଖନ୍ତି ସେ ।

 

ଏଇ ଫାଇଲଗୁଡ଼ା ଗୋଟିଏ ଗୋଟିଏ ମଣିଷର ପ୍ରତିକୃତି ନେଇ ଛିଡ଼ା ହୁଅନ୍ତି ତାଙ୍କ ଆଗରେ; ତାଙ୍କ ପରି ପ୍ରବଳ ପ୍ରତାପୀ ହେଡ଼୍‌ ଆସିଷ୍ଟାଣ୍ଟଙ୍କ ଟିକିଏ ଅନୁକମ୍ପା ଏବଂ ଟିକିଏ କରୁଣାପାଇଁ ହାତ ଯୋଡ଼ି ଅଳି କରନ୍ତି ।

 

ମନୋରମାଙ୍କ ଦେହ ଭଲ ନ ଥିଲା କିଛିଦିନ ହେଲା । ଖୁବ୍ ଶୀଘ୍ର ସ୍ୱାମୀଙ୍କ ଉପରେ ହାତରଖି, ନିଜର ବୋଝ ବସେଇ ଦେଇ ଶୋଇପଡ଼ିଲେ ।

 

ମନୋଜବାବୁ ସେଇ ଜଟିଳ ଫାଇଲ୍‌ର ଦୟନୀୟ ଚରିତ୍ରଟି କଥା ଆହୁରି ଭାବିଲେ, ଫାଇଲ ଭିତରେ ସମାଧାନ ନ ହୋଇ ବର୍ଷ ବର୍ଷ ଧରି ପଡ଼ି ରହିଥିବା ସମସ୍ୟାଗୁଡ଼ିକର ସମାଧାନ କଥା ଚିନ୍ତାକଲେ ।

 

ରାତି ବେଶୀ ହେଉଥିଲା । ସହରର ରାଜପଥ ନିର୍ଜ୍ଜନ ହୋଇ ଆସୁଥିଲା । ସହରର କୋଳାହଳ ସ୍ତମିତ ହୋଇଗଲେ ଏବଂ ଜୀବନଯାତ୍ରାର ପଦଧ୍ୱନି କେଉଁ ଦୂରରେ ନିଶ୍ଚିହ୍ନ ହୋଇଗଲେ, ମନୋଜବାବୁଙ୍କ ଜୀବନର ବଡ଼ଦାଣ୍ଡ ଉପରେ ଭିଡ଼ ଜମେ ଓ ଶହ ଶହ ମଣିଷର ଅଳି ଅର୍ଦ୍ଦଳି ଆକୁତି କାକୁତିର କୋଳାହଳ ଶୁଣାଯାଏ ।

 

ସେ ଶୋଇପାରିଲେ ନାହିଁ । ନିଦ ପରିବର୍ତ୍ତେ ସେଇ ଜଟିଳ ଫାଇଲ୍‌ର ଜୀବନଚରିତ ଆସି ଉଭା ହେଲା ତାଙ୍କ ଆଖି ଆଗରେ ।

 

ଜୀବନାନନ୍ଦ ଦାସଙ୍କର ଜନ୍ମ ଏବଂ କର୍ମ ବୃତ୍ତାନ୍ତ ସବୁ ପୁଣି ମନେପଡ଼ିଗଲା ତାଙ୍କର ।

 

ଯେତେବେଳେ ପୃଥିବୀ ପ୍ରଥମ ମହାଯୁଦ୍ଧର ଆସୁରିକ ଲୀଳାର ଭୟାବହତାରେ ସ୍ତବ୍‌ଧ ବିହ୍ୱଳ ହୋଇ ପଥ ଖୋଜୁଥିଲା ପରିତ୍ରାଣର, ସେତିକିବେଳେ ୧୯୧୭ ମସିହାର କ୍ରୁଶବିଦ୍ଧ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ଏକ ଅଖ୍ୟାତ ପଲ୍ଲୀର ଗୋଟାଏ ଅଜ୍ଞାତ ପରିବାରରେ । ମାଇନର ପାସ୍‌ କରି ସଂସ୍କୃତ ପଢ଼ିଥିଲେ ଟୋଲ୍‌ରେ । ତା’ପରେ ନିଜ ଗୁଣ ବଳରେ ରାଜକୀୟ କରୁଣା ଲାଭ କରି ସଂସ୍କୃତ ପଣ୍ଡିତ ଭାବରେ ଯୋଗ ଦେଇଥିଲେ ଗୋଟାଏ ସ୍କୁଲରେ । ସେତେବେଳକୁ ବୋଧହୁଏ ଜନ୍ମଗ୍ରହଣ କରି ନ ଥିଲେ ମନୋଜବାବୁ ।

 

ସରଳ, ସହଜ ଜୀବନାନନ୍ଦଙ୍କର ଜୀବନ କିନ୍ତୁ ଶାସନର ଜଟିଳତା ଯୋଗୁଁ ବଡ଼ ଜଟିଳ ହୋଇଗଲା । ପ୍ରତି ଧାପରେ ସେ ନିଜର ଦାବି ପାଇବାରୁ ବଞ୍ଚିତ ହୋଇ ପ୍ରତିବାଦ ଜଣାଇଲେ । ଚାହୁଁ ଚାହୁଁ ଚାକିରୀର ତିରିଶଟି ବର୍ଷ ଅତିକ୍ରମ କରି କେତେବେଳେ ସେ ଅବସର ନେବାର ଦ୍ୱାରଦେଶରେ ଆସି ଅବତୀର୍ଣ୍ଣ ହୋଇଗଲେ ଜାଣି ବି ପାରିଲେ ନାହିଁ । ଏହି ତିରିଶ ବର୍ଷ ଭିତରେ ପଚାଶ ଖଣ୍ଡ ନିବେଦନ ପତ୍ର ଉପରିସ୍ଥଙ୍କ ପାଖକୁ ପଠାଇଛନ୍ତି, କୋଡ଼ିଏ ଥର ବ୍ୟକ୍ତିଗତ ଭାବରେ ସାକ୍ଷାତ୍‌ କରି ତାଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ପ୍ରତିବିଧାନ କରିବାପାଇଁ ପ୍ରାର୍ଥନା କରିଛନ୍ତି ।

 

ମନୋଜବାବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଜୀବନାନନ୍ଦଙ୍କର ଧୈର୍ଯ୍ୟ ଦେଖି । ଅନ୍ୟାୟର ପ୍ରତିବାଦ ନ କରି ତାହାର ପ୍ରତିବିଧାନ ପାଇଁ କେବଳ ପ୍ରାର୍ଥନା ଜଣାଉଥିଲେ ସେ । ଏ ଯୁଗରେ ଯାହାର ଦାବି ଯେତିକି କ୍ଷୀଣ ତାହାର ପ୍ରତିବାଦ ସେତିକି ପ୍ରଖର । କର୍ତ୍ତବ୍ୟ ନ କରି କେବଳ ଦାବି ହାସଲ ପାଇଁ କେତେ ସଂଘ, ସମିତିକୁ ଜନ୍ମ ଦେଇଛି ଦ୍ୱିତୀୟ ମହାଯୁଦ୍ଧ ପରର ପରବର୍ତ୍ତିତ ସମାଜ, ସାମାଜିକ ମୂଲ୍ୟବୋଧର ପରିବର୍ତ୍ତିତ ସମାଜ । ସାମାଜିକ ମୂଲ୍ୟବୋଧର ପରିବର୍ତ୍ତିତ ରୂପ ଦେଖି ଜୀବନାନନ୍ଦଙ୍କ ପରି ସରଳ, ସହଜ, ସାଧୁ ମଣିଷମାନେ ଚିତ୍କାର କରିଉଠୁଛନ୍ତି ବେଦନାରେ ।

 

ସେହି ଜୀବନାନନ୍ଦ ଦାସଙ୍କ ଶେଷ ଅପିଲ ତାଙ୍କ ହାତରେ ଆସି ପଡ଼ିଥିଲା ମାସକ ତଳେ । ଏତେ ହେଡ଼୍ ଆସିଷ୍ଟାଣ୍ଟ୍ ଥିବାବେଳେ କାହିଁକି ବଡ଼ ସାହେବ ତାଙ୍କୁ ଏଇ ଫାଇଲ୍‌ଟା ଦେଖିବାପାଇଁ କହିଲେ ବୁଝିପାରିଲେ ନାହିଁ ମନୋଜବାବୁ । ଆଉ ମନଦେଇ ଯେତିକି ସେ ଅନୁସନ୍ଧାନ କଲେ ଫାଇଲ୍‌ର ପୃଷ୍ଠା ଭିତରେ ଲୁଚିଯାଇଥିବା ଗୋଟିଏ ସାଧାରଣ ମଣିଷର ଜୀବନ ଚରିତ ସେତିକି ତାଙ୍କ ଆଖି ଆଗରେ ଝଲସି ଉଠିଲା ସର୍ବଂସହା ଧରଣୀ ପରି ସବୁ ଦୁଃଖ କଷ୍ଟ, ନିର୍ଯ୍ୟାତନା, ନିପୀଡ଼ନ ମଧ୍ୟରେ ବଞ୍ଚି ରହି ଆତ୍ମବିଶ୍ୱାସ ଭିତରେ ଲଳିତ ହେଉଥିବା ଗୋଟିଏ ଅସାଧାରଣ ଚରିତ୍ର ।

 

ଜୀବନାନନ୍ଦ ନାଲିଫିତା’ର କରାମତି କେବେ ବୁଝିପାରିଥିଲା ପରି ମନେହେଲା ନାହିଁ ମନୋଜବାବୁଙ୍କର । ନାଲି ଫିତା’ର ବନ୍ଧନ ଖାଲି ହାତରେ ଖୋଲି ହୁଏ ନାହିଁ । ହାତ ଚିକ୍କଣ କଲେ ହାତ ବୋଲ ମାନେ-କାମ କରେ । ନିଜ ହାତ ବିଣ୍ଡି ବସି ଯାଉଥିବାବେଳେ ଅନ୍ୟର ହାତ ଚିକ୍କଣ କରିବାପାଇଁ ସମୟ ବା ସୁଯୋଗ ବୋଧହୁଏ ନ ଥିଲା ଜୀବନାନ୍ଦଙ୍କର । ସେଇଥିପାଇଁ ପାଞ୍ଚ ବରଷ ପରେ ଚାକିରୀରେ ଯୋଗ ଦେଇଥିବା ମାୟାଧର ତାଙ୍କୁ ଟପି ଉପରକୁ ଉଠିଗଲେ । ତାଙ୍କ ଯୋଗ୍ୟତା’ର ଅଧା ନ ଥାଇ ଶଶଧର ତାଙ୍କ ଆଗରୁ ସିଲେକ୍ସନ ଗ୍ରେଡ଼୍‌ ପାଇ ତାଙ୍କ ଆଡ଼କୁ ଚାହିଁ ମୁରୁକି ହସିପାରିଲେ । ସେ କିନ୍ତୁ ଯେଉଁ ତିମିରେ ସେହି ତିମିରେ ରହିଗଲେ । ତାଙ୍କର ଆବେଦନ ନିବେଦନ କାହାରି କାନକୁ ଶୁଣାଗଲା ନାହିଁ, ତାଙ୍କ କଥା ବୁଝିବାପାଇଁ କାହାରି ପାଖରେ ସମୟ ରହିଲା ନାହିଁ ।

 

ଅବସର ଗ୍ରହଣ ଶେଷ ତାରିଖ ପୂର୍ବରୁ ଏଇ ଶେଷ ନିବେଦନ ଜୀବନାନନ୍ଦଙ୍କର । ସେଇ ଶେଷ ନିବେଦନ ପତ୍ରର ପୃଷ୍ଠାର ଶୀର୍ଷ ଦେଶରେ ଲାଲ କାଳିରେ ଲେଖାଥିଲା- ଶେଷ ନିବେଦନ । ଅପିଲ୍‌ ପଢ଼ିବା ଆଗରୁ ଓ ଫାଇଲ ଘାଣ୍ଟିବା ଆଗରୁ ଲାଲ କାଳିରେ ଲେଖିଥିବା ସେଇ ଦୁଇଟି ଶବ୍ଦର ଛଅଟି ଅକ୍ଷରକୁ ବାରମ୍ବାର ପଢ଼ିଥିଲେ ମନୋଜବାବୁ । ଆଉ ଯେତିକି ପଢ଼ିଲେ ସେତିକି ତାଙ୍କ ଭିତରେ ମଣିଷ ପାଇଁ ସାଇତା ହୋଇଥିବା ସହାନୁଭୂତି ଟିକକ ଫାଇଲର ସେହି ଜୀବନ ଚରିତ ଆଡ଼କୁ ଟିକିଏ ସହାୟତା ଦେବାପାଇଁ ଅବନତ ହୋଇଯାଇଥିଲା ।

 

ଜୀବନାନନ୍ଦଙ୍କର ଅଠାବନ ବର୍ଷର ପଣ୍ଡିତିଆ ପ୍ରତିକୃତି ତାଙ୍କର ଅନୁମାନକୁ ଆସିଲା । ମନୋଜବାବୁ ତାଙ୍କୁ କେବେ ନ ଦେଖିଥିଲେ ମଧ୍ୟ ମନେ ମନେ ଜଣେ ସାଧାରଣ ନିରୀହ, ଧର୍ମଭୀରୁ, ବିଶ୍ୱୀସୀ ମଣିଷର ପୂର୍ଣ୍ଣାଙ୍ଗ ରୂପ ଦେଖିବାକୁ ପାଇଲେ । ଏଇ ସାଧାରଣ ମଣିଷ ଏ ଦେଶର ଏକାନ୍ତ ନିଜସ୍ୱ ଏବଂ ଆପଣାର । ସେ ଅନ୍ୟର ଦାବି ପୂର୍ଣ୍ଣ କରିବାକୁ ଯାଇ ନିଜର ଦାବି ଭୁଲିଯାଏ, ଅନ୍ୟର ଅଧିକାରକୁ ବଜାୟ ରଖିବାପାଇଁ ଯେଉଁ ଅଭିଯାନ ଚାଲେ ତାକୁ ଅପ୍ରତିହତ କରିବାପାଇଁ ବାଟ ଛାଡ଼ିଦିଏ ।

ଅତି ସାଧାରଣ ଜଣେ ସଂସ୍କୃତ ପଣ୍ଡିତର ଅସାଧାରଣ ଚରିତ ଦେଖି ଅବାକ୍ ହୋଇଗଲେ ମନୋଜବାବୁ ।

ଫାଇଲ୍ ମଝିରେ ଚିହ୍ନ ଦେଇ ରଖିଥିବା ପନ୍ଦର ବର୍ଷ ତଳର ଗୋଟିଏ ନିବେଦନ ପତ୍ରରେ ଲେଖାଥିବା କାହାଣୀ ତାଙ୍କ ଆଗରେ ଜୀବନ୍ତ ହୋଇ ଛିଡ଼ାହେଲା ଆସି ।

ଜୀବନାନନ୍ଦ ଅଳି କରିଥିଲେ- ସାର୍, ମୋ କଥା ଟିକିଏ ଶୁଣନ୍ତୁ । ମୁଁ କାହାରି ଅନିଷ୍ଟ କରିବାପାଇଁ ଚାହେଁ ନାହିଁ, କାହାର ସୁବିଧା ସୁଯୋଗ ଛଡ଼ାଇ ନେଇ ନିଜର ସୁବିଧା କରିବାପାଇଁ ଚାହେଁନାହିଁ । ମୋର ପ୍ରାର୍ଥନା ମୋ କଥା ଟିକେ ବୁଝନ୍ତୁ, ମୋର ନ୍ୟାଯ୍ୟ ପ୍ରାପ୍ୟ ମୋତେ ଦେଇଦିଅନ୍ତୁ ।

ମୁଁ ଗୃହୀ ମଣିଷ ସାର୍ । ସଂସାରରେ ବୋଝ ଅନେକ ବଡ଼ ଜଣେ ସାମାନ୍ୟ ସଂସ୍କୃତ ପଣ୍ଡିତର । ମୋର ସ୍ତ୍ରୀର ବ୍ୟାଧିପାଇଁ ମୁଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିପାରିନାହିଁ, ମୋ ଝିଅର ବିବାହ ବୟସ ଗଡ଼ିଗଲେ ବି ତାକୁ ଆଜିଯାଏ ବିବାହ ଦେଇପାରିଲି ନାହିଁ । ପୁଅଟି ପ୍ରଥମ ଶ୍ରେଣୀରେ ପାସ୍ କଲେ ବି ତାକୁ କଲେଜ ପଠାଇ ପାରିଲି ନାହିଁ । ଆଉ ମୋ କଥା ଛାଡ଼ନ୍ତୁ ସାର୍- ସାମାନ୍ୟ ସଂସ୍କୃତ ପଣ୍ଡିତ ମୁଁ । ମୋର ସମ୍ମାନ ନାହିଁ ଯେତେବେଳେ ଅସମ୍ମାନ ହବାର ପ୍ରଶ୍ନ ବି ଉଠୁନାହିଁ । ହେଲେ ସହିବା ମଣିଷର ଯେପରି ଗୋଟାଏ ଧର୍ମ, ଅନ୍ୟାୟର ପ୍ରତିବାଦ ନ କରିବା ସେହିପରି ଅଧର୍ମ । ମୁଁ ତ ଆଉ ପ୍ରତିବାଦ କରିପାରିଲି ନାହିଁ ପ୍ରତିବିଧାନ ପାଇଁ କେବଳ ପ୍ରାର୍ଥନା କରୁଛି, ଆପଣ ଟିକିଏ ବିଚାର କରନ୍ତୁ ସାର୍ ! ମୋର ନ୍ୟାଯ୍ୟ ଦାବି ଗୃହୀତ ହୋଇଗଲେ ଶେଷ ଜୀବନରେ ପେନ୍‌ସନ ଟିକିଏ ବେଶୀ ପାଇବି ସାର୍ ! ସବୁଦିନ ତ କେହି ବଞ୍ଚିବ ନାହିଁ- ତଥାପି ଯେତେଦିନ ପରମାୟୁ ଅଛି ବଞ୍ଚାଇ ରଖିବାପାଇଁ ମୋ ସ୍ତ୍ରୀର ଚିକିତ୍ସା ବ୍ୟବସ୍ଥା କରାଇ ପାରିବି ସାର୍-! ଆଉ ସବୁ ଝିଅ ତ ବାହା ହଉ ନାହାନ୍ତି, ମୋ ଝିଅ ବାହା ନ ହେଉ, ହେଲେ ଘରେ ବସି ରହିଲେ ତ ପେଟ ପୋଷି ପାରିବ ନାହିଁ । ବାକିପାଉଣାଟା ପାଇଗଲେ ଏଇ ବାକି କାମଗୁଡ଼ା କରନ୍ତି ସାର୍ ! ଆପଣ ଧର୍ମାବତା’ର ବଳୀୟାରଭୁଜ । ଦୟାକରି ଏଇ ସାମାନ୍ୟ ସଂସ୍କୃତ ପଣ୍ଡିତର ଛୋଟ ଗୁହାରୀଟି ଶୁଣନ୍ତୁ ସାର୍ ! ମୁଁ କାହାରି ଅନିଷ୍ଟ କରିବାପାଇଁ କହୁନାହିଁ । ଅନ୍ୟକୁ ଯାହା ମିଳୁଛି ତା ବିରୁଦ୍ଧରେ ମୁଁ ପ୍ରତିବାଦ କରୁନାହିଁ । ମୁଁ କେବଳ ପ୍ରାର୍ଥନା କରୁଛି, ମୋ କଥା ବି ଶୁଣାହେଉ- ମୋ ଗୁହାରୀ ବି ହଜୁର ବିଚାର କରନ୍ତୁ ।

ଆଖିରେ ଲୁହ ଦୁଇ ବିନ୍ଦୁ ଢଳ ଢଳ ହେଲା ମନୋଜବାବୁଙ୍କର । ସେ ଆଉ ଶୋଇପାରିଲେ ନାହିଁ । ଉଠି ବସି ବାହାରକୁ ଆସିଲେ ।

ରାତି ଅନେକ ହେଲାଣି । ବେଶ୍ ନିଶ୍ଚିନ୍ତରେ ଶୋଇପଡ଼ିଛି ସମ୍ଭୋଗଶାଳୀର ସମ୍ଭ୍ରାନ୍ତ ପୃଥିବୀ । ରାତିର ସେଇ ଶାନ୍ତରୂପକୁ ଅଶାନ୍ତ ହୃଦୟରେ ଚାହିଁଲେ ମନୋଜବାବୁ । କାନ ଡେରି ଶୁଣିବାପାଇଁ ଚେଷ୍ଟା କଲେ ଅବହେଳିତର ଦୀର୍ଘଶ୍ୱାସ । ନିର୍ଜନ ନିସ୍ତବ୍‌ଧ ରାତିର ଗୋଟାଏ ଅବ୍ୟକ୍ତ ଯନ୍ତ୍ରଣା ବାହୁନି ଉଠୁଥିଲା ପରି ମନେହେଲା ତାଙ୍କର ।

ଟେବୁଲ ଲ୍ୟାମ୍ଫଟି ଜାଳି ପୁଣି ଆସି ଚୌକିରେ ବସି ଫାଇଲଟିକୁ ଟାଣିନେଲେ ମନୋଜବାବୁ ।

ତିରିଶ ବର୍ଷର ଚାକିରୀ କାଳରେ ଜୀବନାନନ୍ଦଙ୍କର ଆଉକିଛି ନ ହେଉ ତାଙ୍କର ଫାଇଲଟା ଏତେ ମୋଟା ହୋଇଥିବାର ଯଦି ସେ ଦେଖିନ୍ତେ, ନିଶ୍ଚୟ କିଛି ସନ୍ତୋଷ ପାଆନ୍ତେ ପରା ! ସାତଶହ ପୃଷ୍ଠାର ଫାଇଲ୍ ଭିତରେ ତାଙ୍କର ନିଜ ନିବେଦନ ପତ୍ର, କେତେ ଟିକା ଆଉ ଟିପ୍ପଣୀ ଓ କେତେ ବିଚାର । କିନ୍ତୁ ଯେତିକି ବୃଦ୍ଧି ପାଇଛି ଫାଇଲ୍‌ର କଳେବର, ସେତିକି ଲୁଚି ଯାଇଛି ଜୀବନାନନ୍ଦଙ୍କର ପ୍ରକୃତ ପରିଚୟ । ମଣିଷ ମୋଟା ହୋଇଗଲେ ତା’ର ନିଜସ୍ୱ ପରିଚୟ ରହେନାହିଁ । ସେ ନିଜ ଭିତରର ଚେହେରାଟା ଦେଖିପାରେନାହିଁ । ସେଥିପାଇଁ ବୋଧେ ସମ୍ପଦଶାଳୀ, କ୍ଷମତାଶାଳୀ ଅସହାୟ ଏବଂ ଅବହେଳିତର ରୂପଟା ଦେଖିପାରେ ନାହିଁ ।

 

ମନୋଜବାବୁ ମନଦେଇ ପଢ଼ି ଚାଲିଲେ ଫାଇଲର ପୃଷ୍ଠା ପରେ ପୃଷ୍ଠା । ଖୋଜି ଚାଲିଲେ ଫାଇଲ୍ ଅରଣ୍ୟ ଭିତରେ ହଜି ଯାଇଥିବା ନିଃସହାୟ ମଣିଷର ଆତ୍ମିକ ପରିଚୟ ।

 

ଯେତିକି ପଢ଼ିଲେ ଏବଂ ଖୋଜିଲେ, ଅବୋଧ୍ୟ ଏବଂ ଦ୍ୱନ୍ଦ୍ୱାତ୍ମକ କରାଯାଇଥିବା ଜୀବନ ଚରିତ୍ରଟା ସେତିକି ପ୍ରାଞ୍ଜଳ ଓ ସୁବୋଧ୍ୟ ମନେହେଲା ତାଙ୍କର ।

 

କଲମଟା ଟାଣିନେଇ ସେ ଲେଖିବାକୁ ଆରମ୍ଭ କରିଦେଲେ ।

 

ତାଙ୍କର କଲମ ମୁନରେ ଜୀବନାନନ୍ଦ ଦାସଙ୍କର ସ୍ୱରୂପ ଉଦ୍ଭାସିତ ହୋଇଉଠିଲା । ସହଜ ସରଳ ଜଣେ ସାମାନ୍ୟ ସଂସ୍କୃତ ପଣ୍ଡିତର ଜୀବନ ଆଲେଖ୍ୟ ଲେଖିବାକୁ ଯାଇ ସେ ଅନ୍ତର ବେଦନାରେ ଶିହରି ଉଠିଲେ ।

 

ଜୀବନାନନ୍ଦଙ୍କୁ ସେ କେବେ ଦେଖି ନ ଥିଲେ ମଧ୍ୟ ବା ତାଙ୍କର କଥା ଶୁଣି ନ ଥିଲେ ମଧ୍ୟ, ତାଙ୍କର ଅବିକଳ ପ୍ରତିକୃତି ଆସି ଉଭା ହେଲା ତାଙ୍କ ଆଖି ଆଗରେ ଏବଂ ତାଙ୍କର ଗୁହାରୀ ସେ ଶୁଣିପାରିଲେ ନିଜ କାନରେ ।

 

କଲମ ମୁନରେ ଲେଖି ଚାଲିଲେ ମନୋଜବାବୁ । ପାଞ୍ଚ ପୃଷ୍ଠାର ନୋଟ୍‌ ଭିତରେ ଅବୋଧ୍ୟ କରି ଲୁଚାଇ ରଖାଯାଇଥିବା ଚରିତ୍ରଟିକୁ ସେ ସୁବୋଧ୍ୟ କରି ଆଣିଲେ ଏବଂ ଶେଷରେ ତାଙ୍କର ପ୍ରାପ୍ୟ ଅଙ୍କଟା ଲେଖି ସାରି ଭଲ କରି ଆଉଥରେ ପଢ଼ିଲେ ମନୋଜବାବୁ- ଭୁଲ ହୋଇନାହିଁ ତ, ଆଉକିଛି ତଥ୍ୟ ଛପି ରହିନାହିଁ ତ ! ପୁଣି ତନ୍ନତନ୍ନ କରି ହିସାବ କଲେ । ମାନୁଏଲର ପ୍ରଯୁଯ୍ୟ ନିୟମଟିକୁ ବାରମ୍ବାର ପଢ଼ି ସନ୍ତୋଷର ହସ ମୁହଁ ଉପରେ ବିକର୍ଷିତ କରି ଲେଖିଲେ ପୁଣି ଅକ୍ଷରରେ ସେହି ଅଙ୍କଟାକୁ । ଜୀବନାନନ୍ଦ ଦାସ ନ୍ୟାଯ୍ୟ ଦାବିରୁ ବଞ୍ଚିତ ହୋଇଥିବା ବାକି ପାଉଣାଟା ଏତ ବେଶୀ ହେବ ବୋଲି ସେ ବି ଭାବି ପାରି ନ ଥିଲେ । ସତର ହଜାର ସତୁରୀ ଟଙ୍କା ।

 

ମନୋଜବାବୁଙ୍କ ମନଟା ପୁଣି ଖରାପ ହୋଇଗଲା । ସେ ବେଦନାରେ ଗୁମୁରି ଉଠିଲେ-। ଜୀବନାନନ୍ଦ ଜୀବନରେ ଆଉ ଅଛନ୍ତି କି ନାହିଁ ସନ୍ଦେହ ହେଲା । ଯଦି ଥିଲେ ନିଶ୍ଚୟ ସେ ଏ ପାଉଣା ପାଇବେ । ଶେଷ ଜୀବନରେ ହେଲେ ବି ନିଜ ପୀଡ଼ିତ ପତ୍ନୀର ଚିକିତ୍ସା ବ୍ୟବସ୍ଥା କରିପାରିବେ । ବୟସ ଗଡ଼ି ଯାଇଥିବା ଯୁବତୀ ଝିଅକୁ ବାହା କରାଇ ପାରିବେ । ପୁଅର ଉଚ୍ଚ ଶିକ୍ଷା ନ ହେଉ ତା’ ପାଇଁ ହୁଏତ ନିଜର ଜୀବନକାଳ ଭିତରେ ସଂସାର ଚଳାଇବା ପାଇଁ କରିଥିବା ଋଣଭାର ଆଉ ରଖିଦେଇ ଯିବେ ନାହିଁ ।

 

ଆଗରୁ ଏଇ ଟଙ୍କା ପାଇ ପାରିଥାଆନ୍ତେ ସେ, ଯଦି ଆଗରୁ ତାଙ୍କର ପ୍ରାପ୍ୟ ସ୍ୱୀକାର କରାଯାଇ ପାରିଥାଆନ୍ତା ।

 

ଅନେକ କଥା ଇମିତି ହୋଇପାରିନାହିଁ । ଅନେକ ଜୀବନ ଇମିତି ସେମାନଙ୍କର ପ୍ରାପ୍ୟ ଠିକ୍ ସମୟରେ ପାଇ଼ପାରନ୍ତି ନାହିଁ । ସେମାନଙ୍କର ପାଉଣା ଅନ୍ୟମାନେ ନେଇ ବେଶ୍ ସୁଖରେ ରୁହନ୍ତି ।

 

ସକାଳ ହେଲେ ବଡ଼ ସାହେବଙ୍କ ଆଗରେ ଜୀବନାନନ୍ଦ ଦାସଙ୍କର ଫାଇଲଟା ଉପସ୍ଥାପିତ କରି ସବୁ ବୁଝାଇ ଦେବେ ସେ । ବଡ଼ ସାହେବ ଦରଦୀ । ଜଣେ ନିରୀହ ନିଷ୍ଠାପର ସଂସ୍କୃତ ପଣ୍ଡିତ ପ୍ରତି କରାଯାଇଥିବା ଅନ୍ୟାୟ କଥାଟା ନିଶ୍ଚୟ ବୁଝିପାରିବେ ।

 

କିନ୍ତୁ ନାଲି ଫିତାକୁ ବାନ୍ଧୁଥିବା ଓ ଖୋଲୁଥିବା ନିଜକୁ ଏବଂ ସହଯୋଗୀମାନଙ୍କୁ କଅଣ କେବେ କ୍ଷମା କରି ପାରିବେ ଜୀବନାନନ୍ଦ ?

 

ମୋଟା ଫାଇଲ୍‌ର ପୁଞ୍ଜିଭୂତ ପୃଷ୍ଠା କେବଳ ଜଣେ ସାଧାରଣ ମଣିଷର ଆର୍ତ୍ତନାଦରେ ପୂର୍ଣ୍ଣ । କେହି ତାହା ଶୁଣି ନାହିଁ । ଶୁଣିବାପାଇଁ ଆଜିଯାଏ ଚେଷ୍ଟା ବି କରିନାହିଁ । ସମସ୍ତଙ୍କର ହୋଇ ସେ ଜୀବନନନ୍ଦଙ୍କ ପ୍ରତି କରା ହୋଇଥିବା ଅନ୍ୟାୟର ସଂଶୋଧନ କରିବେ, ସମସ୍ତଙ୍କ ପକ୍ଷରୁ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବେ ।

 

ମନୋଜବାବୁ ହାତ ଯୋଡ଼ି ନିର୍ବାକ୍‌ ହୋଇ ବସି ରହିଲେ ଘଡ଼ିଏ । ତା’ପରେ ଶିଶୁ ପରି କୋହରେ ଭାଙ୍ଗିପଡ଼ି ବାରମ୍ୱାର କହିବାକୁ ଲାଗିଲେ-କ୍ଷମାକର-ଆମ ସମସ୍ତଙ୍କୁ କ୍ଷମାକର ଜୀବନାନନ୍ଦ ! ବିଳମ୍ବରେ ହେଲେବି ତୁମ କଥା ଆମେ ଶୁଣିଛୁ । ତୁମେ ସାମାନ୍ୟ ସାଧାରଣ ସଂସ୍କୃତ ପଣ୍ଡିତ ନୁହଁ, ତୁମେ ଅସାଧାରଣ-ତୁମେ ଏ ଦେଶର କୋଟି କୋଟି ନିରୀହ, ଅବହେଳିତ, ସରଳ, ସହଜ ମଣିଷର ପ୍ରତିନିଧି । ତୁମେ ଆମର ପ୍ରଣାମ ନିଅ ଜୀବନାନନ୍ଦ...ତୁମେ ଆମ ସମସ୍ତଙ୍କୁ କ୍ଷମାକର...ସାନସାହେବ, ବଡ଼ସାହେବ ସମସ୍ତଙ୍କୁ କ୍ଷମା କର ।

Image

 

ରଘୁପୁହାଣର ଛତା

 

ବନ୍ୟାରେ ଘର ଖଣ୍ଡିକ ଭାସିଗଲା, ଡିହ ଖଣ୍ଡିକ ବାଲିଚର ହୋଇଗଲା । ସ୍ତ୍ରୀ ପାଣି ସୁଅରେ କେଉଁଆଡ଼େ ଯେ ଚାଲିଗଲା ବହୁ ଚେଷ୍ଟା କରି ବି କିଛି ଜାଣିପାରିଲା ନାହିଁ ରଘୁପୁହାଣ । ଝିଅଟା ସାତଦିନ ଆଗରୁ ହଇଜାରେ ଚାଲି ଯାଇଥିଲା । ଅନେକ ଦିନ ଅଖାଦ୍ୟ ଖାଇ ଶେଷରେ ହଇଜାରେ ପଡ଼ିଲା ଯେ ରକ୍ଷା ପାଇବାର ଉପାୟ ଆଉ ରହିଲା ନାହିଁ ।

 

କିନ୍ତୁ ଆଖିରେ ଆଉ ଲୁହ ଆସି ନାହିଁ ପୁହାଣର, ଯେତେ ଲୁହ ସବୁ ଯେପରି ବଢ଼ିପାଣିରେ ଭାସିଗଲା କୂଳ ଅକୂଳ ନ ମାଡ଼ି । ଆଖିରେ ମହାଶୂନ୍ୟର ନିର୍ବାକ ସ୍ତବ୍‌ଧତା, ହୃଦୟରେ ଅପହୃତର ଦୀର୍ଘ ଅବସାଦ । କିନ୍ତୁ ଏସବୁ ଅଚଳ କରିପାରିଲା ନାହିଁ ରଘୁପୁହାଣକୁ । ସେ ସାତଦିନ ମାତ୍ର ପାଗଳ ପରି ପ୍ରତ୍ୟେକ ଘର, ଗାଆଁ ମୁଣ୍ଡର ପ୍ରତ୍ୟେକ ଗଛ ଏବଂ ନଦୀକୂଳର ପ୍ରତ୍ୟେକ ପ୍ରତିବନ୍ଧକକୁ ତନ୍ନତନ୍ନ କରି ଦେଖିଥିଲା କାଳେ ଯଦି ଜେମାର ଜୀବନ ନ ଥିବା ଦେହଟା ମିଳିଯାଏ-ସତ୍କାର କରିପାରନ୍ତା । କିନ୍ତୁ ମିଳିଲା ନାହିଁ, ସତ୍କାର କରିବା ସୁବିଧା ରଘୁ ପାଇଲା ନାହିଁ ।

 

ଘର ଖଣ୍ଡିକ ଭାସିଯାଇଥିଲା, ସମ୍ବଳ ସବୁ ବାଲିଚର ଭିତରେ ପୋତିହୋଇ ଯାଇଥିଲା-

 

କିନ୍ତୁ ଯେଉଁଠି ଚାରିବର୍ଷ ତଳର ଆମ୍ବ ଗଛଟା ମୁଣ୍ଡ ଟେକି ଥିଲା, ଆଜି ତା’ର ଚିହ୍ନ ନ ଥିଲେ ବି ତାହାର ପାଖରେ ପଙ୍କ ଆଉ ବାଲି ଭିତରୁ ଗୋଟେ କଅଣ କଳା ହୋଇ ଦିଶିଲା ।

 

ମଣିଷ ଆଙ୍ଗୁଳି ନୁହେଁ ତ ?

 

ନା ।

 

ଆଙ୍ଗୁଳି ନୁହେଁ, ଛତା’ର ବେଣ୍ଟ ।

 

ନଇଁ ପଡ଼ି ସେଇ ଛତା ବେଣ୍ଟଟାକୁ ଏକା ନିଃଶ୍ୱାସରେ ଟାଣି ଆଣିଲା ରଘୁପୁହାଣ ।

 

ଆଶ୍ଚର୍ଯ୍ୟ !

 

ସମସ୍ତେ ଭାସିଗଲେ- ମରି ହଜିଗଲେ- କେବଳ ଭାସି ନ ଯାଇ ପୋତିହୋଇ ପଡ଼ିରହିଲା ଛତାଟିଏ ।

 

ଏଇ ଛତାହିଁ ଥିଲା ରଘୁପୁହାଣର ଖରା ଆଉ ବର୍ଷା, ଶୀତ ଏବଂ ବସନ୍ତର ସାଥି । ସବୁ କାଳେ ସବୁଦିନେ ସେ ଘରୁ ବାହାରକୁ ପାଦ କାଢ଼ିଲେ ଛତାଟିକୁ କାଖତଳେ ଜାକି ନେଇ ଯିବାପାଇଁ ଭୁଲି ନ ଥିଲା । ହାହାକାର କରୁଥିବା ନିଶୂନ ଛାତି ତଳେ ଟିକିଏ ସ୍ପନ୍ଦନ ଅନୁଭବ କଲା ପୁହାଣ ।

 

ସମସ୍ତେ ଚାଲିଗଲେ ବି ଛତା ଖଣ୍ଡିକ ଗଲାନାହିଁ ।

 

ଗାଡ଼ିଆ ପାଣିରେ ଧୋଇ ଆଣିଲା ।

 

ଚାରିଆଡ଼କୁ ଭଲକରି ଆଉଥରେ ଚାହିଁଲା । ଉପରକୁ ଚାହିଁ କାହା ଉଦ୍ଦେଶ୍ୟରେ ହାତ ଯୋଡ଼ିଲା ।

 

-କିଏ ଆଉ ଅଛି ହୋ ପୁହାଣେ ?

 

କାନ୍ଦ କାନ୍ଦହୋଇ ଚାଲିଯାଉଥିବା ପଧାନ ପୁଅ ପଚାରିଦେଲା ।

 

କେହି ନାହିଁ, କିନ୍ତୁ ବିଶ୍ୱାସ ମରିଯାଇ ନାହିଁ । ଆକାଶରେ ଚନ୍ଦ୍ର, ସୂର୍ଯ୍ୟ ଅଛନ୍ତି, ପୃଥିବୀରେ ଧର୍ମ ଅଧର୍ମ ରହିଛି । ସେ ନିଃସ୍ୱ, ନିଃସମ୍ବଳ ହୋଇଗଲାବୋଲି ଧର୍ମ ଚାଲିଯିବ ନାହିଁ, ଚନ୍ଦ୍ର ସୂର୍ଯ୍ୟ ଅନ୍ତର୍ଦ୍ଧାନ ହୋଇଯିବେ ନାହିଁ । ସତ୍ୟଟିକକ ରହିବ । ଯେ ପୃଥିବୀକୁ ଆତଯାତ କରୁଛନ୍ତି ସେ ରହିବେ ।

 

ସେ ସବୁ କାଳରେ ଥିଲେ, ସବୁ କାଳରେ ରହିବେ । ତା’ର ପୂର୍ବ ପୁରୁଷ ତାଙ୍କୁ ଦେଖିଥିଲେ, ସେ ନ ଦେଖିଥିଲେ ବି ପ୍ରତ୍ୟୟ କରିଛି ।

 

ପଧାନ ପୁଅକୁ ଆଗରେ ଦେଖି କହିଲା ପୁହାଣ-ସବୁ ଅଛି ପଧାନ ପୁଅ-ଧର୍ମ ଅଛି, ସତ୍ୟ ଅଛି- ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି, ସେ ଅଛନ୍ତି ।

 

ହୋ ହୋ କରି ହସିଉଠିଲା ପଧାନ ପୁଅ ।

 

ପାଗଳ ହୋଇଯାଇଛି । ଏତେ ଜମି ଜମା, ଘରଦ୍ୱାର, ସମ୍ପତ୍ତି ସବୁ ବାଲିଚର ହୋଇଯାଇଛି ।

 

ବିଶ୍ୱାସ ହେଉନାହିଁ ।

 

ବିଶ୍ୱାସ ରହୁନାହିଁ ।

 

କିନ୍ତୁ ସର୍ବହରା ରଘୁପୁହାଣର ବିଶ୍ୱାସ ଟିକକ ସରିଗଲା ନାହିଁ; ବରଂ ସେ ଭାବିଲା ସେ ଅଛି, ପୃଥିବୀ ଅଛି, ସେ ଅଛନ୍ତି ।

 

ସେଇ ଛତା ଖଣ୍ଡକୁ ଆଶ୍ରୟ କରି ସେହି ଦିନ ଦିପହର ବେଳେ ଗାଆଁଛାଡ଼ି ସହର ଆଡ଼କୁ ଗୋଡ଼ ବଢ଼ାଇଲା ପୁହାଣ ।

 

ସହର ଅନେକ ଦୂରରେ...ଦିଲ୍ଲୀ ଆହୁରି ଦୂରରେ ।

 

ବାହା ହେଲା ପରେ ଥରେ ସର୍କସ ଦେଖିବାକୁ ଯାଇଥିଲା ସହରକୁ ।

 

ସବୁ ମନେପଡ଼ିଲା ରଘୁପୁହାଣର ।

 

ସେଇ ସର୍କସରେ କେତେ କଅଣ ଦେଖିଥିଲା, କାହାର କଥା ମନେ ନ ଥିଲେ ବି ସେ କିନ୍ତୁ ସେହି ନକଲ ନବିଶକୁ ଭୁଲି ପାରି ନ ଥିଲା । ଜୋକର୍‌ର ନିର୍ଲିପ୍ତ ଅଭିନୟ ସେ ମଣିଷ ଜୀବନର ଏକ ଜ୍ୱଳନ୍ତ ଆକୁଳତା ଲକ୍ଷ୍ୟ କରିଥିଲା ।

 

ଜୋକର୍‌ର ନିଜର କିଛି ନ ଥିଲା । ସେ ସମସ୍ତଙ୍କଠାରୁ ଧାରକରା ଗୁଣ ନେଇ ନାଚୁଥିଲା, କାନ୍ଦୁଥିଲା, ହସୁଥିଲା ଏବଂ ଖତେଇ ହେଉଥିଲା ।

 

ସମସ୍ତେ ବାହାବା ପାଉଥିଲେ । କିଏ କେତେ ବାହାଦୂରୀ ନେଉଥିଲେ ।

 

ସେ କିନ୍ତୁ କିଛି ପାଇ ନ ଥିଲା । ତା’ର ନିଜସ୍ୱ କିଛି ନ ଥିଲା, ସେ ଧାର କରା ଗୁଣକୁ ବିକଶିତ କରିବାକୁ ଯାଇ ଅପୂର୍ଣ୍ଣତା ଭିତରେ ଫୁଲଝରି ପରି ଟିକେ ହସ ଫୁଟାଇ ପୁଣି ଅନ୍ତର ହୋଇଯାଇଥିଲା ।

 

ସେଇ ଜୋକର୍‌ ହବାପାଇଁ ସେଦିନ ବଡ଼ ଅଭିଳାଷ ହୋଇଥିଲା ପୁହାଣର ।

 

ନକଲ ନବିଶର ନିଜସ୍ୱ ଟିକକ ଯେ କିଛି ନାହିଁ ଏହା ସେ ଭାବୁ ନ ଥିଲା; ବରଂ ସେ ଭାବୁଥିଲା ନ ଥିବାର ବେଦନାକୁ ଲୁଚାଇ ରଖି ଯିଏ ଆନନ୍ଦ ଓ ଆଲୋକଦ୍ୱାରା ଅନ୍ୟକୁ ଉଦ୍ଭାସିତ କରିପାରେ ସେଇହିଁ ପ୍ରକୃତ ମଣିଷ ।

 

ତା’ର ଛତା ଖଣ୍ଡକ ବି ସୁନାମୁଖୀ ଅସଲ ଛତା । କେତେ ଝଡ଼ ବର୍ଷା ଶୀତ ଓ ଖରାରୁ ତାକୁ ରକ୍ଷା କରେ ବୋଲି ଦିନ ଅଦିନର ସଖା ଭାବି ସବୁବେଳେ ପାଖେ ପାଖେ ରଖିଥାଏ ପୁହାଣ-

 

ଗାଁ ଗୋହୀରି ପାରି ହୋଇ ଷ୍ଟେସନ ରାସ୍ତା ଧରି ବେଳ ଦୁଇ ପ୍ରହର ବେଳକୁ ଆସି ପହଞ୍ଚିଲା ଅତାବିରା ଷ୍ଟେସନରେ । ଟିକଟ କରିବାପାଇଁ ପଇସା ନ ଥିଲା । ବିନା ଟିକଟରେ ଯିବାପାଇଁ ମନ ନ ଥିଲେ ବି ବସି ପଡ଼ିଲା ଗାଡ଼ିରେ ।

 

ଆଜି ପ୍ରଥମକରି ଆଇନ ଭାଙ୍ଗିଲା ପୁହାଣ । ଅନ୍ତର ଭିତରେ ଯନ୍ତ୍ରଣା ଅନୁଭବ କଲା । ପଇସା ଦେଇ ଟିକଟ ନ କରି ସେ ବିନା ଟିକଟରେ ଚୋର ପରି ଯାଉଛି । ଗରିବ ହେଲେ ବି ପୁହାଣ ମନରେ ମଣିଷର ଗରମ ଟିକକ ଅଛି । ସେ ମଣିଷ, ପଶୁ ନୁହେଁ । ସେ ଛୋଟ ମଣିଷଟିଏ ହେଲେ ବି ସମାଜର ଅଙ୍ଗ । ସମାଜକୁ ବାଧିଲା ଭଳି କାମ କରିବା ଅନ୍ୟାୟ ।

 

ଏଇ ମଣିଷ ଗଢ଼େ ସମାଜ, ପୁଣି ସେଇ ମଣିଷ ଭାଙ୍ଗେ କାହିଁକି ? ଯେଉଁ ନିୟମ ଅନ୍ୟମାନଙ୍କ ପାଇଁ କରେ, ନିଜେ ତାହା ମାନି ଚଳିବାପାଇଁ ପଛଘୁଞ୍ଚା ଦିଏ କାହିଁକି ?

 

ସେ ସମସ୍ତଙ୍କ ଭିତରୁ ଜଣେ-ବାହାର ନୁହେଁ । ସମାଜ ଭିତରେ ସମାନ ହୋଇ ରହିବାକୁ ହେଲେ ସାଧାରଣଠାରୁ ସ୍ୱତନ୍ତ୍ର ହେଲେ ଚଳିବ କିପରି ? ଏଇ ବଡ଼ଲୋକମାନେ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ରବୋଲି ସୁନ୍ଦର ଦିଶନ୍ତା ନା ଅସୁନ୍ଦର ଦିଶନ୍ତି- ବସି ବସି ଭାବୁଥିଲା ପୁହାଣ।

 

ଗାଡ଼ି ଦୌଡ଼ୁଥିଲା ।

 

ପୁହାଣକୁ ଆଶ୍ଚର୍ଯ୍ୟ ଲାଗେ । ମଣିଷ ଦିନଯାକର ଯାହା ଚାଲିବ, ଗାଡ଼ିଘଣ୍ଟାକରେ ସେତିକି ପାରି ହୋଇଯାଏ ।

 

ଜେମାକୁ ଗାଡ଼ିରେ ଦିନେ ସହରକୁ ନେଇଯିବ ବୋଲି କଥା ଦେଇଥିଲା ପୁହାଣ । ସେଦିନ ବି ଏକା ଏକା ଯାଇଥିଲା ସହରକୁ । ଆଉ ଆଜି ବି ଏକା ଯାଉଛି । ସ୍ତ୍ରୀ ପାଖରେ କଥା ରଖିପାରିଲା ନାହିଁ ବୋଲି ମନରେ ବ୍ୟଥା ପାଇଲା ।

 

ଛତା ବେଣ୍ଟଟିକୁ ଦାଢ଼ିଭର୍ତ୍ତି ଗାଲରେ ଆଣି ଘସିଲା ପୁହାଣ । ଏଇ ବେଣ୍ଟ ଧରି ଝିଅ ଖେଳୁଥିଲା । ଏଇ ବେଣ୍ଟ ବେକ ଚାରି ପାଖରେ ଘୂରାଇ ଦେଇ ସେ ମୋଟା କି ପତଳା ହେଉଛି ମାପ କରୁଥିଲା ଜେମା ।

 

ଛତା ବେଣ୍ଟରେ ଜେମାର ପରାଶ ଥିଲା ବୋଲିପୁହାଣ ଆଗରେ ଭାସି ଉଠିଲା ତା’ର ମୁହଁ ।

 

ଦୁଇଜଣ କିଏ ଉଠିଆସିଲେ ଗାଡ଼ି ଭିତରକୁ । ଗାଡ଼ି ଛିଡ଼ା ହୋଇଥିଲା କେଉଁ ଗୋଟେ ଷ୍ଟେସନରେ ।

 

ସ୍ୱାମୀ ସ୍ତ୍ରୀ ହେବେ ବୋଧହୁଏ ।

 

ଭାଇ ଭଉଣୀ ବି ହୋଇପାରନ୍ତି । ଦୁହେଁ ଚୁପ୍‌ଚାପ୍‌ । କଥାଭାଷା ହେଉଥିଲେ ଜାଣିହୁଅନ୍ତା ସେମାନଙ୍କର ଭିତର ସମ୍ପର୍କ ।

 

ଟିକିଏ ଓଢ଼ଣା ଟାଣି ବସିଥିଲା ସ୍ତ୍ରୀଲୋକଟି ।

 

ସେ ଲକ୍ଷ୍ୟକଲା ପୁରୁଣା ଲୁଗା ତଳେ ଗୋଟିଏ ମଇଳା ମୁହଁ ଦିଶୁଥିଲା ଶେଷ ଦିନର ଆଲୋକରେ । କେତେ ଦିନର ସଞ୍ଚିତ ବେଦନା ଯେପରି ଠୂଳ ହୋଇଥିଲା ଆଖି ଯୋଡ଼ିକରେ ।

 

ମଣିଷ ଅସହାୟ ହୋଇଗଲେ ଏହିପରି ହୁଏ ।

 

ପୁରୁଷ ଲୋକଟି ଏ ପାଖ ସେ ପାଖ ହେଉଥାଏ । ଚଞ୍ଚଳ, ବେଶ୍ ଚତୁର ବୋଲି ମନେହେଲା ପୁହାଣର ।

 

ବିଡ଼ିରେ ନିଆଁ ଧରାଇବାପାଇଁ ଦିଆସିଲି ମାଗିଲା ଲୋକଟା ।

 

ତା’ ପାଖରେ ଦିଆସିଲି ନ ଥିଲା । ଆଉ ଜଣକୁ ମାଗିଲା ଲୋକଟା, ସେ ବି ନାହିଁକଲା-

 

ଆଗ ଷ୍ଟେସନରେ ଦିଆସିଲି କିଣିବାପାଇଁ ଅପେକ୍ଷାରେ ବସି ରହିଲା ସେ ।

 

ପୁହାଣର ପରିଚୟ ଜାଣିବାପାଇଁ ପଚାରିଲା ସେ-ଘର କେଉଁଠି ?

 

ରଘୁପୁହାଣ ଗାଁର ବିବରଣୀ ଦେଲା ।

 

-ରାଉରକେଲା ଯାଉଛ ? ପଚାରିଲା ସେ ।

 

-ନା, ସମ୍ବଲପୁର । କହିଲା ପୁହାଣ ।

 

-ଚାକିରୀ କରୁଛ ସେଇଠି ? ପୁଣି ପଚାରିଲା ସେ ।

 

-ନା’ । କଥା ଶେଷ କରିବାପାଇଁ ଚାହୁଁଥିଲା ପୁହାଣ ।

 

-ତା’ହେଲେ ? ପୁଣି ସେ ପ୍ରଶ୍ନକଲା ।

 

-କିଛି ଠିକ୍ ନାହିଁ, ଏମିତି ଯାଉଛି ।

 

ଲୋକଟାର ପ୍ରକୃତ କଥା ଜାଣିବାପାଇଁ କୌତୁହଳ ବଢ଼ିଗଲା ଯେପରି । ସେ ପୁହାଣ ପାଖକୁ ଉଠି ଆସି କହିଲା- କାମ ଧନ୍ଦା କିଛି କରିବ ତ ?

 

ପୁହାଣ କହିଲା- ସେ ସବୁ ଭାବିନି କିଛି...

 

-ମୋ ସାଙ୍ଗରେ ଯିବ ? କହିଲା ସେ ।

 

-କେଉଁଠିକି ? ଆଶ୍ଚର୍ଯ୍ୟ ହୋଇ କହିଲା ପୁହାଣ ।

 

-ରାଉରକେଲା । କାମର ଅଭାବ ନାହିଁ ।

 

ନିଶ୍ଚୟତା ଦେଇ କହିଲା ସେ ।

 

ମନଟା ଟିକିଏ ଉଷତ ହେଲା ପୁହାଣର। ବଢ଼ିରେ ତ ସବୁ ଯାଇଛି, ବଞ୍ଚିବାପାଇଁ କାମଧନ୍ଦା କିଛି ଗୋଟେ ଦରକାର । ସେ ତ ଆଉ ଭିକ ମାଗି ପାରିବ ନାହିଁ ! ପାଖରେ ଦଶ ପଇସାବି ନାହିଁ ଯେ ମୁଢ଼ି ମୁଠାଏ ଖାଇବ ।

 

ପେଟ ଭୋକରେ ହୁ ହୁ ଜଳୁଥିଲା । ନିର୍ଜନ ମନ ନିଜ ଲୋକଙ୍କର ଠିକଣା ନ ପାଇ ବିଳାପ କରୁଥିଲା ।

 

ରଘୁ କହିଲା-ସାହସ ଦେଲେ ଯିବି।ମୋର ତ ଆଉ ଭରସା ନାହିଁ କିଛି ।

 

ଲୋକଟା ଟିକିଏ ଆଶ୍ୱସ୍ତ ହୋଇ କହିଲା-ସେ ଭାର ମୋ ଉପରେ । ମୋ ସାଙ୍ଗରେ ଚାଲ, ମୁଁ ଯାହାହେଲେ କିଛି ଗୋଟେ ଠିକ୍ କରିଦେବିନି !

 

ରଘୁପୁହାଣ ମଣିଷର ସହାନୁଭୂତି ପାଇ ଶିହରି ଉଠିଲା । ମଉଳି ଆସୁଥିବା ଜୀବନରେ ଲୋଭ ଲାଗିଲା ବଞ୍ଚିବାପାଇଁ ।

 

ଏ ପୃଥିବୀ କେତେ ବଡ଼ । ଏଇ ମଣିଷ ସମାଜ କେତେ ପ୍ରସାରିତ । ମଣିଷ ପାଇଁ ଆଉ ଜଣେ ମଣିଷର ସହଯୋଗ ଆଉ ସହାନୁଭୂତି ହେଲେ ଏତେ ବଡ଼ ପୃଥିବୀଟା କେଡ଼େ ଛୋଟ ହୋଇଯାଏ ସତରେ, ଏତେ ବିରାଟ ସମାଜଟା ପରିବାର ହୋଇଯାଏ କେତେ ଶୀଘ୍ର !

 

ସମସ୍ତଙ୍କୁ ସହଜରେ ଆପଣାର ବୋଲି ଭାବିନିଏ ପୁହାଣ ।

 

ଆଗ ଷ୍ଟେସନରେ ଗୋଟେ ଦିଆସିଲି କିଣିବାପାଇଁ ତଳକୁ ଓହ୍ଲାଇଗଲା ଲୋକଟି ।

 

ସ୍ତ୍ରୀ ଲୋକଟି ଓଢ଼ଣା ଟେକି ଦେଇ ଆଡ଼ ନୟନରେ ଟିକିଏ ଚାହିଁଲା ତା’ ଆଡ଼କୁ ।

 

ପୁହାଣ ଏବେ ଭଲକରି ଦେଖିଲା ତା’ର ମୁହଁ । ବୟସ ବେଶୀ ନୁହେଁ । ଆଖି ଯୋଡ଼ିକରେ ଭସାମେଘର ବେଦନା ।

 

ବାହାର ଆଡ଼କୁ ପଲକରେ ଚାହିଁଦେଇ କହିଲା ସେ ଧୀରେ ଧୀରେ- ମୁଁ ବଡ଼ ଅଭାଗିନୀ-। ଦରକାର ହେଲେ ଛୋଟ ଭଉଣୀଟାକୁ ସହାୟ ହବ ଟିକେ ।

 

କିଛି ପଚାରିବା ଆଗରୁ ଡିଆସିଲି କିଣି ବିଡ଼ି ଟାଣି ଟାଣିଗାଡ଼ି ଭିତରକୁ ପଶିଆସିଲା ଲୋକଟି ।

 

ରଘୁଆଡ଼କୁ ବିଡ଼ି ଗୋଟେ ବଢ଼ାଇ ଦେଇ କହିଲା ସେ-ନିଅ ।

 

-ନା-ମୋର ଚଳେ ନାହିଁ । କହିଲା ପୁହାଣ ।

 

-ଭଲଲୋକ ତା’ହେଲେ- କୁ ଅଭ୍ୟାସ କିଛି ଶିଖିନାହଁ ।

 

ସେ କହିଲା ଘନିଷ୍ଠ ହେବାପାଇଁ ।

 

କେତେ ରାତିରେ ଝାରସୁଗୁଡ଼ାରେ ଗାଡ଼ି ପହଞ୍ଚିଲା ଯାଇ । କିଏ କିଏ ଓହ୍ଲାଇ ଗଲେ । ଆହୁରି କେତେ ଉଠିଲେ ।

 

ଛାଇନିଦ ଲାଗିଆସୁଥିଲା ପୁହାଣର ।

 

ତାକୁ ହଲାଇ ଦେଇ କହିଲା ସ୍ତ୍ରୀ ଲୋକଟି-ଶୀଘ୍ର ଆସ ମୋ ପଛେ ପଛେ । ଏଇ ପାଖଟା ଟିକେ ଅନ୍ଧାରୁଆ, ଏଇ ଆଡ଼େ ବେଗି ବେଗି ଚାଲିଆସ ।

 

ତା’ର କଥା ଶୁଣି ଅବାକ୍ ହୋଇଗଲା ରଘୁପୁହାଣ । ଯିବନି ନାହିଁ ବୋଲି ଦୋଦୋ ପାଞ୍ଚ ହେଲା । ହେଲେ ସ୍ଥିର ହୋଇ ବସି ରହିପାରିଲା ନାହିଁ । ଦୁଆର ମୁହଁରୁ ତା’ ଆଡ଼କୁ ଚାହିଁ କହିଲା ଲୋକଟି-ବିଳମ୍ବ କରନାହିଁ, ଶୀଘ୍ର ଆସ...ମୁଁ ଆଗେ ଆଗେ ଚାଲିଲି ।

 

ଆଶ୍ଚର୍ଯ୍ୟ ହୋଇ ଦେଖିଲା ପୁହାଣ ତା’ର ଛତାଟି ସ୍ତ୍ରୀଲୋକର ହାତରେ ।

 

ବିମୂଢ଼ ପରି ଆଉ କିଛି ଚିନ୍ତା ନ କରି ତା’ ପଛେ ପଛେ ଜୋର୍‌ଜୋର୍ ଚାଲିଲା ପୁହାଣ ।

 

ଷ୍ଟେସନ ପାରିହୋଇ ଗୋଟେ ଗଳି ଭିତରେ ଅଦୃଶ୍ୟ ହୋଇଗଲେ ଦୁହେଁ ।

 

ନିରୋଳା ସ୍ଥାନକୁ ଆସି ସ୍ତ୍ରୀ ଲୋକଟି କହିଲା-ମୋ କଥାରେ ଚାଲି ଆସିଲ ଯେ-ଅଜଣା ଲୋକ ଉପରେ ଏତେଟା ନିର୍ଭର କରିବା କଅଣ ଭଲ ?

 

ପୁହାଣ ରାତିର ଅନ୍ଧକାରରେ ତା’ର ଆଖି ବା ମୁହଁ କିଛି ଭଲ ଭାବରେ ଦେଖି ପାରୁ ନ ଥିଲା; କିନ୍ତୁ ଚାଲୁ ଚାଲୁ ପଛପଟୁ କହିଲା-ମୋ ଛତା ଯେଉଁଆଡ଼େ-ମୁଁ ସେଇଆଡ଼େ । ମୋ ଛତା ତ ନେଇଆସିଲ, ମୁଁ ଏକା ରହିପାରନ୍ତି କିମିତି ?

 

ବେଶ୍ କୌତୂହଳୀ ହୋଇ ଛିଡ଼ା ହୋଇଗଲା ସ୍ତ୍ରୀ ଲୋକଟି ।

 

ମଣିଷଠାରୁ ଏଇ ଛତା’ର ଟାଣ ଅଧିକ ? ତା’ ମୁହଁକୁ ଚାହିଁ ସିଧାସଳଖ ପଚାରିଲା ସେ-

 

-ପରେ କହିବି । ବର୍ତ୍ତମାନ କୁହ କେଉଁଆଡ଼େ ଯିବାପାଇଁ ହେବ ? ମୁଁ ଏ ଯାଗା ଆଉ କେବେ ଦେଖିନାହିଁ । କହିଲା ପୁହାଣ ।

 

ତାକୁ ଗଳି ପାରକରି ଆଉ ଗୋଟେ ଛୋଟ ଗଳି ଭିତରେ ଦେଇ ନେଇା ପୁଣି ଷ୍ଟେସନଆଡ଼କୁ ଅନ୍ୟ ଏକ ନିଛାଟିଆ ବୁଲା ରାସ୍ତାରେ ଚାଲିବାପାଇଁ ଆରମ୍ଭ କଲା ସ୍ତ୍ରୀଲୋକଟି ।

 

ରଘୁପୁହାଣ କହିଲା- ପୁଣି ଫେରୁଛ ଯେ ?

 

-ଫେରୁଛି ଧରା ନ ପଡ଼ିବାପାଇଁ । ସେ ଲୋକଟା ସ୍ଥିର ହୋଇ ବସି ନ ଥିବ- ବୁଝିପାରୁଛ ତ ? ଖୋଜିଖୋଜି ଏଇ ଆଡ଼କୁ ଆସିବ ନିଶ୍ଚୟ । ସେ କହିଲା ।

 

-ତୁମେ କେମିତି ଜାଣିଲ ? କହିଲା ପୁହାଣ ।

 

-ଯେ କେହି ଜାଣିପାରିବ । ସହରର ଏଇ ଗୋଟେ ରାସ୍ତା ଷ୍ଟେସନକୁ ଯିବାପାଇଁ । ଆମେ ଯେଉଁ ରାସ୍ତା ଧରିଛୁ ଏହା ଷ୍ଟେସନର ଅନ୍ୟ ପାଖରେ ବାହାରିବ । ସେ ବୁଝାଇଲା ।

 

ଯଦି ସେ ଲୋକଟା ସେ ଆଡ଼େ ଅପେକ୍ଷା କରିଥାଏ ? –ଡରି ଡରି କହିଲା ପୁହାଣ ।

 

-ନା, ତାକୁ ଠକି ପାରିବାର ସାହସ ଅଛି ବୋଲିତ ତୁମକୁ ସାଙ୍ଗରେ ନେଇ ପଳେଇ ଆସିଲି ମୁଁ ! କହିଲା ସେ ।

 

-ଷ୍ଟେସନକୁ କାହିଁକି ଯାଉଛ ? -ପଚାରିଲା ପୁହାଣ ।

 

-ଅନ୍ୟ ଗାଡ଼ି ଆସିଯିବ ଏଇନାଗେ । ସେ ଆମକୁ ଷ୍ଟେସନରେ ନ ପାଇ ଖୋଜିବାକୁ ଯିବ ସହରକୁ । ଆଉ ଏଇ ଅବସରରେ, ଆଉ ଗୋଟେ ଗାଡ଼ିରେ ପଳାଇ ନ ଗଲେ ସକାଳ ହେଲେ ଧରାପଡ଼ିଯିବାର ଭୟ ଅଛି ଯେ...

 

ସେ ସରଳ କରିଦେଲା ପୁହାଣ ଆଗରେ ।

 

ଏତେ ବୁଦ୍ଧି, ଅଥଚ ତା’ ପାଖରେ କିପରି ଧରାପଡ଼ିଥିଲା ବୁଝିପାରିଲା ନାହିଁ ପୁହାଣ । ଜାଣିବାପାଇଁ ଇଚ୍ଛା ହେଲା, କିନ୍ତୁ ପଚାରିପାରିଲା ନାହିଁ । କାହିଁକି ସେ ଚେଷ୍ଟା କରିବ କାହାର ଅତୀତକୁ ଜାଣିବାପାଇଁ ? ବର୍ତ୍ତମାନ ଯେଉଁଠି ଯଥେଷ୍ଟ, ଅତୀତର ପ୍ରୟୋଜନ ନାହିଁ ।

 

ସେ ବୁଝିପାରିଲା କି କଅଣ, କହିଲା- ଏଇ ଗୋଟେଗାଡ଼ି ଷ୍ଟେସନକୁ ଆସିଲା- ବ୍ରଜରାଜ ନଗର ଆଡ଼କୁ ଯିବ । ଶୀଘ୍ର ଶୀଘ୍ର ଚାଲ । ଉଠି ବସିଲେ ସବୁ କହିବି ।

 

ଦୁହେଁ ପୁଣି ଶୀଘ୍ର ଶୀଘ୍ର ଚାଲିଲେ ଷ୍ଟେସନ ଆଡ଼କୁ । ଗାଡ଼ିଟା ଛାଡ଼ିଦେବା ଆଗରୁ ଆଲୁଅ ନ ଥିବା ପଛର ଗୋଟିଏ କୋଠରୀରେ ଉଠିଯାଇଥିଲେ ଦୁହେଁ ।

 

ପାସେଞ୍ଜରଗାଡ଼ି । ଯାତ୍ରୀ କୋଡ଼ିଏ କି ପଚିଶଜଣ ବସିଥିଲେ ।

 

ଷ୍ଟେସନ ପ୍ଳାଟଫର୍ମ ଉପରୁ ଗାଡ଼ି ଅଦୃଶ୍ୟ ହୋଇଗଲାବେଳେ ଝରକା ବାଟେ ଦେଖିଲା ସ୍ତ୍ରୀଲୋକଟି ପ୍ଳାଟଫର୍ମ ଉପରେ ଛିଡ଼ା ହୋଇ ଯୋଡ଼ାଏ ତିକ୍ଷ୍‌ଣ ଆଖି ନିରୀକ୍ଷଣ କରୁଥିଲା ସମସ୍ତଙ୍କୁ ।

 

ଅନ୍ୟ ଆଡ଼କୁ ମୁହଁ ଫେରାଇ ଛତାଟାକୁ ଅଧଫୁଟା କରି ଧରି ଧରି ରଖିଲା ପୁହାଣ ଆଗରେ ।

 

ପୁହାଣ କହିଲା- ଛତା ଫୁଟାଇଲ ଯେ...

 

ସେ ତୁନି ତୁନି କହିଲା- ବର୍ଷା ଛିଟା ପଡ଼ିଛି ଯେ...

 

ଝରକାଟା ବନ୍ଦ କରିଦେବାପାଇଁ ହାତ ବଢ଼ାଇଲା ପୁହାଣ । ପ୍ଳାଟଫର୍ମର ଶେଷ ଆଲୋକ ସ୍ତମ୍ଭରୁ ଝଲକାଏ ଆଲୋକ ଆସି ପଡ଼ିଲା କୋଠରୀ ଭିତରେ ।

 

ଚାରିଆଡ଼କୁ ଆଖି ପିଛୁଳାକେ ଥରେ ଭଲରେ ଚାହିଁ ଦେଇ ପୁହାଣ ପାଖକୁ ଲାଗି ଆସି କହିଲା ଯେ- ସେ ଲୋକଟା କିଏ ଜାଣ ?

 

ରଘୁ କହିଲା ନା’ତ !

 

-ସେ ମୋର ସ୍ୱାମୀ । ମାସେ ହେଲା ବାହା ହୋଇଥିଲା ମୋତେ । କହିଲା ସ୍ତ୍ରୀଲୋକଟି-

 

ଆଶ୍ଚର୍ଯ୍ୟ ହୋଇ କହିଲା ପୁହାଣ-ତୁମର ସ୍ୱାମୀ ଅଥଚ ତାଙ୍କୁ ଛାଡ଼ି ପଳାଇ ଆସିଲ !

 

ସେ ଧୀରେ ଧୀରେ କହିଲା- ହଁ, ଅନ୍ୟ ଉପାୟ ନ ଥିଲା ।

 

-କିନ୍ତୁ ? ଅନେକ ବୁଝିବାପାଇଁ ଇଚ୍ଛା ହେଲା ପୁହାଣର ।

 

-ମୋ ପରି ତା’ର ଅନେକ ସ୍ତ୍ରୀ ଅଛନ୍ତି । ଜଣକ ପରେ ଜଣକୁ ବାହାହୁଏ, ଆଉ ମାସେ ଦି ମାସ ଭୋଗକରି ପୁଣି ରାଉରକେଲା ବା କଲିକତା ବଜାରରେ ବିକିଦିଏ ।

 

ସ୍ୱାମୀ ସ୍ତ୍ରୀକୁ ବିକିଦିଏ- ନୂଆ କଥା ଶୁଣୁଥିଲା ରଘୁପୁହାଣ ।

 

ସ୍ତ୍ରୀ ଲୋକଟି କହିଲା- ବିଶ୍ୱାସ ହଉନାହିଁ, ନା ?

 

ମଣିଷ ଉପରେ ପୁହାଣର ଏତେ ବିଶ୍ୱାସ ଥିଲା ଯେ ସତରେ ଏସବୁ ବିଶ୍ୱାସ ହେଉ ନ ଥିଲା ତା’ର । ସେ କହିଲା- ମୁଁ କିନ୍ତୁ ବୁଝିପାରୁନି ଇମିତି କିପରି ହୁଏ ।

 

-ତୁମେ ସମସ୍ତଙ୍କୁ ବିଶ୍ୱାସ କର ବୋଲି । -କହିଲା ସେ ।

 

-ହଁ, ଚନ୍ଦ୍ର ସୂର୍ଯ୍ୟ ଥିବାଯାଏ ଏ ପୃଥିବୀକୁ ଅସ୍ୱୀକାର କରି ହବନାହିଁ । ସତ୍ୟ ଟିକକ ଅଛି ବୋଲି ସମସ୍ତେ ଆତଯାତ ହେଉଛନ୍ତି । ବିଶ୍ୱାସ ନ ଥିଲେ କେବଳ ବିଷଟିକକ ହିଁ ରହିବ ।

 

ବିସ୍ମିତ ହୋଇ କହିଲା ସ୍ତ୍ରୀ ଲୋକଟି- ଏତେ ବିଶ୍ୱାସ ଅଛି କେବେ ବିଷର ଜ୍ୱାଳା ସହିନାହିଁ ବୋଲି ।

 

-ବିଷର ଜ୍ୱାଳା ଅଛି- ମାନୁଛି; କିନ୍ତୁ ବିଷ ତ ସବୁ ନୁହେଁ, ବିଶ୍ୱାସହିଁ ସବୁ ।

 

ତର୍କ କଲା ନାହିଁ ସେ । ବାହାରେ ବର୍ଷା ହେଉଥିଲା ।

 

ଏଇ ବର୍ଷାର ପ୍ରବଳ ଧାରାରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲା ଜେମା ।

 

ସେ ଥିଲାବେଳେ ଏଇ ପୃଥିବୀଟା କେଡ଼େ ଛୋଟ ମନେହେଉଥିଲା ପୁହାଣର । ସରଗର ତାରା ହାତରେ ଥିଲାପରି ଖୁସି ହୋଇ ଅନେକ ସମୟରେ କହୁଥିଲା ତାକୁ ତୁ ଥିଲେ ମୋର ଆଉକିଛି ଅଭାବ ନାହିଁଲୋ ଜେମା !

 

ଜେମା ହସିଦେଇ ଚାଲିଯାଉଥିଲା ।

 

ସେଇ ହସଟିକକ ଆଜିକୁ ସାତଦିନ ହେଲା ଦେଖିନାହିଁ ବୋଲି ବଡ଼ ବିକଳ ଲାଗୁଥିଲା ପୁହାଣକୁ । ସାତଦିନ ସାତରାତିରେ ସେ କେତେ କଅଣ ଦେଖିଛି । ନଦୀର ବନ୍ୟାଜଳ ଜୁଆର ପରି ମାଡ଼ି ଆସିବା ଦେଖିଛି, କିନ୍ତୁ ଜୀବନ ଦେଖିନାହିଁ ।

 

ଜେମା ହୁଏତ ଆଉ ଏକ ରାଜ୍ୟକୁ ଚାଲିଗଲା ତାକୁ ପଛରେ ପକାଇ ଦେଇ ।

 

ସେ ପୁଣି ସ୍ତ୍ରୀ ଲୋକଟିଆଡ଼କୁ ଚାହିଁ କହିଲା- ସ୍ୱାମୀକୁ ଛାଡ଼ି ଆସି କିଛି ଭଲ କଲନାହିଁ ଭଉଣୀ !

 

-ଯେଉଁ ସ୍ୱାମୀ ରକ୍ଷକ ନ ହୋଇ ଭକ୍ଷକ ହୁଏ, ତା ପାଖରେ ରହି ପାରେନା ସ୍ତ୍ରୀ । -କହିଲା ସେ ।

 

କିଛି ବୁଝିପାରୁ ନ ଥିଲା ରଘୁପୁହାଣ ।

 

ଏଇ ସଂସାର ସ୍ୱାମୀ ଏବଂ ସ୍ତ୍ରୀର- ଏକାକୀ କାହାରି ନୁହେଁ । ଯେଉଁଠାରେ ମଣିଷ ନିଜକୁ ଏକାକୀ ଦେଖିବାକୁ ଯାଇଛି, ସେଇଠାରେ ସେ ଅସମ୍ପୂର୍ଣ୍ଣ ରହିଯାଇଛି । ସେତିକିବେଳେ ଜୀବନ ଯୁଦ୍ଧରେ ହାରିଯାଇଛି ସେ ।

 

ତା’ ହାତ ଉପରେ ହାତ ରଖି କହିଲା ସ୍ତ୍ରୀ ଲୋକଟି- ମୋ କଥାତ ଶୁଣିଲ, କିଛି କହିଲ ନାହିଁତ ତୁମେ କିଏ, କାହିଁକି ଚାଲିଆସିଲ ମୋ କଥାରେ ?

 

-ତୁମେ ସ୍ୱାମୀକୁ ଛାଡ଼ି ପଳେଇ ଆସିଲ, ମୁଁ କିନ୍ତୁ ସ୍ତ୍ରୀକୁ ଛାଡ଼ି ପଳାଇ ଆସିନି । ବରଂ ତାକୁ ମୋ ଭିତରେ ଏକାନ୍ତରେ ବାରମ୍ବାର ଦେଖିବାପାଇଁ ଏକୁଟିଆ ହୋଇ ଚାଲିଆସିଥିଲି । ସେ’ ତ ନାହିଁ ଯେ ଦେଖିବ ମୋତେ ! ଆଉ ତୁମ କଥାରେ ଚାଲିଆସିନି ଯେ, ଆସିଲ କାଳେ ତୁମ ଭିତରେ ତାକୁ ଖୋଜି ପାଇବି ବୋଲି ।

 

ସେ ମୁଗ୍‌ଧ ହୋଇଯାଇ କହିଲା- ପାଇଲ କିଛି ? ବିଦଗ୍ଧ କଣ୍ଠରେ କହିଲା ରଘୁପୁହାଣ- ସୂର୍ଯ୍ୟ ଚନ୍ଦ୍ରକୁ ସାକ୍ଷୀ କରି ଯେଉଁମାନେ ସଂସାର କରନ୍ତି, ସେମାନଙ୍କର ବିଶ୍ୱାସ ତୁଟିଯାଏ ନାହିଁ ।

 

ଇବ୍ ଷ୍ଟେସନ୍ ଆସିଗଲା । ଗାଡ଼ିରୁ ଓହ୍ଲାଇ ପଡ଼ି କହିଲା ସ୍ତ୍ରୀ ଲୋକଟି- ଓହ୍ଲାଇପଡ଼ ଏଇଠି । ଛୋଟ ସ୍ଥାନ-କାହାରି ନଜର ପଡ଼ିବ ନାହିଁ ।

 

ବୋଲ ମାନି ଓହ୍ଲାଇ ପଡ଼ି କହିଲା ରଘୁପୁହାଣ- ବର୍ଷାରେ ଭିଜ ନାହିଁ, ଏଇ ଛତାଟି ନିଅ-

 

-ଆଉ ତୁମେ ? କହିଲା ସେ ।

 

ରଘୁପୁହାଣ ଛତାଟି ଫୁଟାଇ ତା’ ହାତକୁ ବଢ଼ାଇ ଦେଇ କହିଲା- ଭିଜିବା ମୋର ଅଭ୍ୟାସ -କିଛି ହବନାହିଁ ।

 

ସେ କହିଲା- ଏଇ ଛତା ତଳକୁ ଆସୁନ !

 

-ସେ ଛତା ତଳକୁ ଆଉ ମୁଁ ଯିବି ନାହିଁ ଭଉଣୀ- ସେ ଛତା ତୁମର ।

 

ସ୍ତ୍ରୀଲୋକଟି ବିମୂଢ଼ ହୋଇ ଅନାଇଁ ଥିଲା ପୁହାଣଆଡ଼କୁ । ପୁହାଣ କହିଲା- ମିଛଟାରେ ମୁଁ ତାକୁ ଖୋଜିବାପାଇଁ ଚେଷ୍ଟା କରୁଥିଲି । ସେ ମୋ ଭିତରେ ଅଛି ବୋଲି ତା’ର ଦେହ ଲଗା ଏଇ ଛତା ଏତେଶୀଘ୍ର ତୁମ ମଥା ଉପରେ ଟେକି ଦେଇପାରିଲି ।

 

ଆଉ କିଛି ବୁଝିବାପାଇଁ ଚେଷ୍ଟା ନ କରି, ସେଇ ପୁରୁଣା, ଠାଏ ଠାଏ ତାଳିପକା ଛତା’ର ବେଣ୍ଟରେ ମୁହଁ ଘସିଲା ସ୍ତ୍ରୀ ଲୋକଟି ।

 

ରଘୁପୁହାଣ ଆଉ ଜଣକୁ ସହାୟତା ଓ ସହାନୁଭୂତି ଦେଇ ପାରିଲା ବୋଲି ଉଠି ଆସୁଥିବା ସୂର୍ଯ୍ୟକୁ ନମସ୍କାର କଲା ।

 

ସେଇ ଉଦୟମାନ ସୂର୍ଯ୍ୟର ଆଲୋକ ସହିତ ପ୍ରଶସ୍ତ ପୃଥିବୀ ଉପରେ ବିଛାଡ଼ି ହୋଇ ପଡ଼ିଥିଲା ଜେମାର ଲାଜମିଶା ହସ ଟିକକ ।

Image

 

ଛାଇ

 

ବନାନୀ ଚାଲୁ ଚାଲୁ ହଠାତ୍ ଲକ୍ଷ୍ୟକଲା ଛାଇ ତା’ଠାରୁ ଲମ୍ବା ଦିଶୁଛି ।

 

ସେ ଛିଡ଼ା ହୋଇଗଲା ।

 

ଚଳନ୍ତି ବି ସ୍ଥିର ହୋଇଗଲା ।

 

ସେ ଜୀବନ୍ତ, ବାସ୍ତବ ।

 

କିନ୍ତୁ ଛାଇ ନିର୍ଜୀବ, ଅବାସ୍ତବ ।

 

ଜୀବନ ସହିତ ତା’ହେଲେ ଜୀବନ ନ ଥିବା ବସ୍ତୁ ଯୋଡ଼ି ହୋଇଯାଏ କାହିଁକି ?

 

ସେ ହାତ ହଲାଇଲା । ଛାଇ ବି ହାତ ହଲାଇଲା ।

 

ସେ ଆଗପଛ ହେଲା ।

 

ଛାଇ ବି ଆଗପଛ ହେଲା ।

 

ଏଥର ଆଉ ସମ୍ଭାଳି ନ ପାରି ହସିଦେଲା ବନାନୀ । ସେ ଯାହା କରେ ଛାଇ ତାହାହିଁ ପୁନରାବୃତ୍ତି କରେ । ସେ ସ୍ୱତନ୍ତ୍ର, କିନ୍ତୁ ଛାଇ ତା’ ଉପରେ ନିର୍ଭର କରେ ।

 

ଦୁଇ ହାତକୁ ମୁଷ୍ଟିବଦ୍ଧ କରି ସଙ୍ଘର୍ଷ କଲା ବନାନୀ । ଛାଇ ବି ସଙ୍ଘର୍ଷରେ ଯୋଗଦେଲା-

 

ଏହାହିଁ ତା’ହେଲେ ଛାଇ ଯୁଦ୍ଧ-ଅବାସ୍ତବ, ଅଳୀକ ।

 

କିନ୍ତୁ ଛାଇ ଶରୀରକୁ ଛାଡ଼ି ଯାଏ ନାହିଁ ।

 

ଶରୀର ଥିଲେ ଛାଇ ଥାଏ, ଶରୀରର ଅବର୍ତ୍ତମାନର ଛାଇ ରହିପାରେ ନାହିଁ ।

 

ସେ ତାହାହେଲେ ଦୁଇଟି ସତ୍ତାର ଅଧିକାରିଣୀ- ଗୋଟିଏ ବାସ୍ତବ, ଆଉ ଗୋଟିଏ କୃତ୍ରିମ ।

 

ବାସ୍ତବତା ଭିତରେ ମଣିଷ ସବୁବେଳେ ଆତ୍ମସନ୍ତୋଷ ପାଏ ନାହିଁ ବୋଲି ସେ କୃତ୍ରିମ ହେବାକୁ ଭଲପାଏ । ନିଜର ପ୍ରକୃତ ସ୍ୱରୁପକୁ ନ ଦେଖି ଛାଇର ଦୀର୍ଘତା ମାପି ନିଜର ବ୍ୟକ୍ତିତ୍ୱ କଳନା କରେ ।

 

ସେଥିପାଇଁ ତା’ହେଲେ ସେ ଆଜିଯାଏ ଛାଇଯୁଦ୍ଧ କରୁଥିଲା ନିଜେ ନିଜ ସହିତ ।

 

ଛାଇ ଯୁଦ୍ଧରେ ବି ମଣିଷ ତା’ହେଲେ କ୍ଷତ ବିକ୍ଷତ ହୁଏ, ନ ହେଲେ ସେ ଅନ୍ତର ଭିତରେ ଏତେ ବେଦନା ଅନୁଭବ କରିଥାନ୍ତା କାହିଁକି ?

 

ନିଜ ସହିତ ନିଜେ ଯୁଦ୍ଧ କରେ ମଣିଷ ।

 

ବନାନୀ ନିଜ ଯୁଦ୍ଧରେ ନିଜେ ହାରି ଯାଉଥିଲା ବୋଲି ବ୍ୟଥା ପାଉଥିଲା ଏତେ ।

 

ସେ ସିଦ୍ଧାନ୍ତ କରିଥିଲା ବିବାହ କରି ମଧ୍ୟ ସ୍ୱତନ୍ତ୍ର ରହିବ । ଅନ୍ୟର ଅନୁଗାମିନୀ ନ ହୋଇ ନିଜର ଅନୁଗମନ କରିବ । ସହଯୋଗ ଦାସତ୍ୱ ନୁହେଁ । ଏକ ପଥରେ ଯାଉଁ ଯାଉଁ ଆବଶ୍ୟକ ହେଲେ ବାଟଭାଙ୍ଗି ସେ ଅନ୍ୟ ପଥରେ ଯାଇପାରେ ଏବଂ ପୁଣି ଆଗଛକରେ ବିନୋଦ ସହିତ ମିଳିତ ହୋଇପାରେ ।

 

ଦୁହେଁ ଏକ ସାଙ୍ଗରେ ଏକ ପଥରେ ଆସୁଁ ଆସୁଁ ହଠାତ୍ ଆଉଗୋଟିଏ ଉପପଥ ଦେଖି ବାଟ ଭାଙ୍ଗିଲା ବନାନୀ ।

 

କିନ୍ତୁ ବିନୋଦ ସେଇ ଏକ ପଥରେ ଚାଲିଲା ।

 

ପୃଥିବୀ ଯଦି ଗୋଲ ତା’ହେଲେ ଯେଉଁ ପଥରେ ଗଲେ ବି ଦିନେ ନା ଦିନେ ଦେଖା ହୋଇଯିବ ।

 

ସେ ଦିନର ଆଜିକଥା ସ୍ପଷ୍ଟ ମନେଅଛି ବନାନୀର ।

 

ସେ ଦୋଛକୀ ଉପରେ ଛିଡ଼ାହୋଇ ଯାଇ କହିଥିଲା-ଡାହାଣ ନା ବାମ ପଟକୁ ଯିବ ?

 

ବିନୋଦ କହିଥିଲା-ଡାହାଣ ପଟକୁ ଯିବା ବୋଲି ତ ସିଦ୍ଧାନ୍ତ କରି ବାହାରିଥିଲି !

 

-ନା, ବାମପଟେ ଗଲେ ରାସ୍ତା କମ୍, ସୁବିଧା ବେଶି ।

 

-ରାସ୍ତା କମ୍ ହେଲେ କଅଣ ହବ ପଥ ଅଧିକ କଷ୍ଟସାଧ୍ୟ ।

 

-କଷ୍ଟ ନ କଲେ ସୁବିଧା ମିଳେ ନାହିଁ ।

 

-ସହଜ ପଥ ପରିତ୍ୟାଗ କରିବା ବୋକାମି ।

 

-ତୁମେ ତୁମ ନିର୍ବାଚିତ ପଥରେ ଚାଲ । ଆଗରେ ପୁଣି ଦେଖାହବ ।

 

ବାଟଭାଙ୍ଗି ବାମଆଡ଼କୁ ଗତି ପରିବର୍ତ୍ତନ କରିଥିଲା ବନାନୀ ।

 

ବିନୋଦ ଆହତ ହୋଇଥିଲା ।

 

ଦଣ୍ଡେ ନିର୍ବାକ୍‌ ପରି ଛିଡ଼ାହୋଇ ପୁଣି ଧୀରେ ଧୀରେ ଆଗେଇ ଚାଲିଲେ ନିର୍ବାଚିତ ପଥରେ ।

 

ଏକାକୀ ପୁଣି ଚାଲିଲେ ପଥ ଲମ୍ବିଯାଏ । କିନ୍ତୁ ଦୁହେଁ ଏକା ସାଙ୍ଗରେ ଚାଲୁଥିବାବେଳେ ପଥ ଚାଲିବାର କଷ୍ଟ ଜଣାପଡ଼ୁ ନ ଥିଲା ।

 

ଦେହରେ ଅବସାଦ ଆସିଲେ ବିନୋଦ ବସି ଯାଉଥିଲା ତା’ ସହିତ ।

 

ଆଜି ସେ ଏକା ପଥ ଚାଲୁଛି ।

 

ଅବସାଦ ଆସିଛି, କିନ୍ତୁ ତାକୁ ସ୍ୱୀକାର କରିବାପାଇଁ ଭୟ ହେଉଛି ବନାନୀର ।

 

ଉତ୍ସାହ ଟିକକ ନ ଥିଲେ ଜୀବନଯାତ୍ରାର ଉତ୍ସ ଟିକକ ଶୁଖିଯିବ ।

 

ସେ ଛାଇଆଡ଼କୁ ନ ଚାହିଁ ପୁଣି ଚାଲିଲା, ଏବଂ କେଉଁଠାରେ ଜୀବନର ଉତ୍ସ ଲୁଚି ରହିଛି ତାହା ଉପଲବ୍ଧି କରିବାପାଇଁ ମନେ ମନେ ଉଦ୍ୟମ କଲା ।

 

ଅନେକ ଅନୁସଦ୍ଧାନ ପରେ ସେ ଅବାକ୍ ହୋଇ ଅନୁଭବ କଲା ଯେ, ସେ ବିନୋଦକୁ ତା’ ସାଙ୍ଗରେ ଆଣିପାରିଥିଲେ ଭଲ କରି ଥାଆନ୍ତା ।

 

ପୁଣି ପର ମୁହୂର୍ତ୍ତରେ ଭାବିଲା ସେ ସ୍ୱତନ୍ତ୍ର ସତ୍ତା, ସ୍ୱତନ୍ତ୍ର ପଥର ଅଧିକାରିଣୀ- ଅନ୍ୟର ଦାସ ନୁହେଁ, ଅନୁଗାମିନୀ ନୁହେଁ ।

 

ସେ ଯଦି ଏହି ପଥ ବାଛିପାରିଲା, ଏହା ତାହାର ନିଜସ୍ୱ ସିଦ୍ଧାନ୍ତ । ବିନୋଦ ତାକୁ ତା’ ସହିତ ଚାଲିବାପାଇଁ ନ କହି ଏହି ପଥରେ ଆସିପାରି ଥାଆନ୍ତା, କିନ୍ତୁ ସେ ଆସିଲାନାହିଁ । ନିଜ ସିଦ୍ଧାନ୍ତକୁ ବଡ଼ କରି ଦେଖିଲା, ଅନ୍ୟର ମତାମତ ପ୍ରଶ୍ନ ସେତିକି ସମ୍ମାନ ଦେଲା ନାହିଁ । ସେ ବି ମଣିଷ, ତା’ର ବି ବ୍ୟକ୍ତିତ୍ୱ ଅଛି, ମହତ୍ତ୍ୱ ଅଛି...

 

ଏହି ମହତ୍ତ୍ୱକୁ ରକ୍ଷା କରିବାପାଇଁ ଯାଇ ନାରୀ ଅନେକ ସମୟରେ ଦାସୀ ହୋଇଯାଇଛି, ପୁରୁଷ କିନ୍ତୁ ସବୁବେଳେ ତା’ର ବ୍ୟକ୍ତିତ୍ୱ ଓ ମହତ୍ତ୍ୱକୁ ରକ୍ଷା କରିନାହିଁ, ବରଂ ଅନେକ ସମୟରେ ସେ ତାହା ନଷ୍ଟ କରିବାର କାରଣ ହୋଇଛି ।

 

ନିଜେ ନିଜ ଗୋଡ଼ରେ ଛିଡ଼ା ହବା ସତରେ କେଡ଼େ ଭଲ !

 

ପୁଣି ଏକାକୀ ନିଜ ପଥରେ ଚାଲୁଥିବାରୁ ଉତ୍ସାହ ପାଇଲା ବନାନୀ ।

 

ଆଗରେ ଗୋଟିଏ ଅରଣ୍ୟ, ବନସ୍ପତିମାନଙ୍କ ପରି ସରୀସୃପ ଶ୍ୱାପଦମାନଙ୍କର ବାସସ୍ଥାନ । ଅରଣ୍ୟରେ ଅନ୍ଧକାର ଥାଏ । ଅନ୍ଧକାର ସବୁବେଳେ ମଣିଷର ଭୟର କାରଣ ହୋଇ ଆସିଛି । ଯାହା ସବୁ ଦେଖି ନ ହୁଏ ତାହା ଉପରେ ବିଶ୍ୱାସ କରିହୁଏ ନାହିଁ ।

 

ମନ ସହିତ ଏହି ଅରଣ୍ୟ ସତରେ କେତେ ସମାନ !

 

ମନ ଭିତରେ କୋଟି କୋଟି ଭାବ, ଅଭାବ ମେଳା ବସାନ୍ତି ।

 

ଅରଣ୍ୟ ଭିତରେ କୋଟି କୋଟି ବନସ୍ପତି ସରିସୃପ ଓ ଶ୍ୱାପଦଙ୍କର ସଭା ବସେ ।

 

ଅରଣ୍ୟ ଅନ୍ଧାର-ମନ ବି ଅନ୍ଧାର । ଅରଣ୍ୟରସ୍ୱରୂପ ବାହାରୁ ଦେଖି ଜାଣି ହୁଏନାହିଁ । ମନରସ୍ୱରୂପ ମଧ୍ୟ ବାହାରର କେହି ଜାଣିପାରନ୍ତି ନାହିଁ ।

 

ସେ ମନେ ମନେ ବିନୋଦ ପ୍ରତି ଆସକ୍ତ ହେଉଥିଲା, କିନ୍ତୁ ତାହା ବାହାରକୁ ପ୍ରକାଶ କରିବାପାଇଁ ଭୟ ହେଉଥିଲା ମନରେ । ଆସକ୍ତି ଥିଲେ ଅନୁରକ୍ତି ଆସେ । ଦୁହିଁଙ୍କର ସମ୍ମିଶ୍ରଣ ହେଲେ ନିଜ ସିଦ୍ଧାନ୍ତରେ ଅଟଳ ରହିବା କଷ୍ଟକର ହୁଏ, ଯାହା ପ୍ରତି ଆସକ୍ତ ତାହାରି ସିଦ୍ଧାନ୍ତହିଁ ବଡ଼ ବୋଲି ମନେହୁଏ ।

 

ପଥ ଅନେକ ଦୀର୍ଘ ବୋଲି ମନେହେଉଥିଲା ।

 

ଅଥଚ ପଥ ଅଳ୍ପ ହେବବୋଲି ସେ ବିନୋଦକୁ ବୁଝାଇଥିଲା ।

 

ଆଗରେ ଅରଣ୍ୟ, ଅନ୍ଧକାର ଆଉ ସରୀସୃପ ।

 

ଭୟହେଲା ବନାନୀର ।

 

ଏକାକୀ ମୁକାବିଲା କରିବାକୁ ହେବ ବିପଦ ସହିତ । କିନ୍ତୁ ପୃଥିବୀର କୌଣସି ଯୁଦ୍ଧ କେହି ଏକାକୀ ଲଢ଼ିନାହିଁ । ଏକର ନୁହେଁ, ଅନେକଙ୍କର ସହଯୋଗଦ୍ୱାରା ସିଦ୍ଧି ଆସିଛି- ସମସ୍ତଙ୍କର ସ୍ୱରୂପ ନିଶ୍ଚିହ୍ନ ହୋଇଯାଇ ଗୋଟିଏ ସିଦ୍ଧାନ୍ତ ପ୍ରତିପାଦିତ ହୋଇଛି ।

 

ଧର୍ମର ଜୟ ସବୁବେଳେ ।

 

ବନାନୀ ଖୁସିହେଲା । ସେ ଅଧର୍ମ କରିନାହିଁ, ଏଣୁ ହାରିଯିବାର ଭୟ ନାହିଁ ।

 

ଉତ୍ସାହିତ ହୋଇ ପଥ ଚାଲିଲା ବନାନୀ । ପାଦ ଆହୁରି କ୍ଷିପ୍ର ହେଲା । ଆଲୁଅ ଥାଉଁ ଥାଉଁ ଯଦି ଏଇ ଅରଣ୍ୟଟା ପାରିହୋଇଯାଏ ଆତଙ୍କର କାରଣ ରହିବ ନାହିଁ । ପାରିହୋଇ ନ ପାରିଲେ ?

 

ସନ୍ଦେହ ବିଶ୍ୱାସର ଶତ୍ରୁ ।

 

ସନ୍ଦେହ ଆତ୍ମପ୍ରତିଷ୍ଠାକୁ ଆହତ କରେ ।

 

ସେ ନିଃସନ୍ଦେହ ହୋଇପାରୁନାହିଁ।

 

ଗୋଟେବଡ଼ ଯୁଦ୍ଧରେ ଜୟ କରିବା ଆଗରୁ ବେଳେ ବେଳେ କେତେକ ଛୋଟଛୋଟ ଯୁଦ୍ଧରେ ମଣିଷ ପରାଜୟ ବରଣ କରିନିଏ ।

 

ତା’ ସମ୍ମୁଖରେ ବଡ଼ ଯୁଦ୍ଧ କି ଛୋଟ ଯୁଦ୍ଧ ରହିଛି କିପରି ଜାଣିବ ବନାନୀ ?

 

ସେ ଚିନ୍ତାକଲା । ଅନେକ ଭାବିଲା । ବୁଦ୍ଧି ଖେଳାଇ ବିଚାର କରିବାପାଇଁ ଚେଷ୍ଟା କଲା-

 

ଅରଣ୍ୟ ଆଉ ବେଶି ଦୂର ନୁହେଁ । ବାହାରୁ କି ଭୟଙ୍କର ଦିଶୁଛି ସତରେ ! ଏଡ଼େ ନିଘଞ୍ଚ, ଏତେ ଜଟିଳ । ଭିତରେ ଜମାଟବନ୍ଧା ରାଶି ରାଶି ଅନ୍ଧକାର । ନିର୍ଜନ ବନଭୂମି ଶଙ୍କା ସୃଷ୍ଟିକଲା ମନରେ ।

 

ସନ୍ଧ୍ୟା ଆସୁଥିବାର ସୂଚନା ଦେଇ ଗୋଟିଏ ବଣ ବିଲୁଆ ଡାକିଲା ହୁ-କେ-ହୋ ।

 

ଚାଲୁ ଚାଲୁ ହଠାତ୍ ଛିଡ଼ା ହୋଇଗଲା ବନାନୀ ।

 

ଏହି ସ୍ୱର ବି ପ୍ରାଣୀର ।

 

ଏହି ସ୍ୱର କିନ୍ତୁ ତାକୁ ସାନ୍ତ୍ୱନା ଦେଲାନାହିଁ । ନିଜ ଘରେ ଶୁଆଟିଏ ପୋଷିଥିଲା । ସେ ସକାଳ ସନ୍ଧ୍ୟାରେ ରାମ ରାମ କହେ । ବିନୋଦ ଘରେ ନ ଥିଲେ ଶୁଆର ସ୍ୱର ତାକୁ ସଙ୍ଗଦିଏ, ସାହସ ଦିଏ ।

 

କିନ୍ତୁ ଏହି ନିର୍ଜନ ପଥରେ ପକ୍ଷୀର କୂଜନ, ପଶୁର ଶବ୍ଦ ତା’ର ସଙ୍ଗ ହେଲା ନାହିଁ, ସାହସ ଦେଲାନାହିଁ । ବରଂ ଅରଣ୍ୟର ଭୟଙ୍କର ସ୍ୱରୂପକୁ ଆଖିଆଗରେ ଆହୁରି ଭଲ ଭାବରେ ଉଦ୍‌ଘାଟିତ କରିଦେଇଗଲା ।

 

ଏହି ଅରଣ୍ୟରେ ବୁଢ଼ୀ ଅସୁରୁଣୀ ରଜାପୁଅକୁ ମେଣ୍ଢାକରି ନିଜ ଉଆସ ଭିତରେ ରଖିଥିବାର ଗଳ୍ପ ବୁଢ଼ୀ ମା’ ପାଖରୁ ପିଲାବେଳେ ଅନେକ ଥର ଶୁଣିଥିଲା ।

 

ବୁଢ଼ୀ ଅସୁରୁଣୀ ରଜାପୁଅକୁ ମେଣ୍ଢା କରି ଦେଇ ନ ଥିଲେ, ସେ ମନ ଆନନ୍ଦରେ ସ୍ୱାଧୀନ ହୋଇ ବୁଲୁଥାଆନ୍ତା । ରଜାପୁଅକୁ ନ ପାଇ ରଜାଝିଅ ସତରେ କେତେ ଝୁରି ହଉ ନ ଥିବ-

 

ବିନୋଦ ସାଙ୍ଗରେ ଆସିଥିଲେ ଭଲ କରିଥାଆନ୍ତା । ଯଦି ତାକୁ ସେ ଭଲପାଏ (ଅନ୍ତତଃ ଅନେକଥର ବିନୋଦ କହିଛି ତାକୁ) ତା’ହେଲେ ତା’ ସହିତ ସହମତ ହୋଇ ଆସିଲା ନାହିଁ କାହିଁକି-? ନିଜର ସିଦ୍ଧାନ୍ତକୁ ନେଇ ଜିଦ୍ କରି ରହିଲା । ଏତେ ଜିଦ୍ କଲେ ସଂସାରରେ ସହଯୋଗ ତିଷ୍ଠି ପାରେନାହିଁ ।

 

ବିନୋଦ ଉପରେ ଅଭିମାନ କଲା ବନାନୀ । ସୂର୍ଯ୍ୟଙ୍କର ଶେଷ ରଶ୍ମୀ ବି ଅନ୍ତର୍ହିତ ହୋଇଗଲା ଧରଣୀ ଉପରୁ ।

 

ଦିନ ଏବଂ ରାତି ମଝିରେ ଥିବା ସନ୍ଧିକ୍ଷଣ ସମାଗତ ଦେଖି ଶୀତେଇ ଉଠିଲା ବନାନୀ ।

 

ଗୋଟେ ବିକଟାଳ ଶବ୍ଦ ଭାସିଆସିଲା ଅରଣ୍ୟ ଭିତରୁ ।

 

ପଛକୁ ଚାହିଁଲା ବନାନୀ ।

 

ଆଗକୁ ଯିବା ଯେତେ ସହଜ ପଛକୁ ଫେରିବା ବେଳେ ବେଳେ ଏଡ଼େ ସହଜ ନୁହେଁ ।

 

କିନ୍ତୁ ଏହିଠାରେ ବ୍ୟତିକ୍ରମ ଦେଖିଲା ବନାନୀ ।

 

ଟିକିଏ ସହାୟତା ମିଳିଲେ ପଛକୁ ଫେରନ୍ତା ନାହିଁ ବନାନୀ !

 

ପଛକୁ ଫେରିଯିବା ଅର୍ଥ ଜୀବନର ଦାବିକୁ ଅସ୍ୱୀକାର କରିବା । କିନ୍ତୁ ଆଗକୁ ଯଦି ଯାଇ ହବନାହିଁ, ପଛକୁ ତ ପାଇ ଏକା ସ୍ଥାନରେ ଛିଡ଼ାହୋଇ ରହିବ ?

 

ସ୍ଥାଣୁମାନେ ଏକ ସ୍ଥାନରେ ସ୍ଥିର ହୋଇ ରହନ୍ତି ।

 

ଭୀରୁମାନେ ପଛଘୁଞ୍ଚା ଦିଅନ୍ତି ।

 

ସେ ସ୍ଥାଣୁ ନୁହେଁ କିମ୍ବା ନିଜକୁ ଭୀରୁ ବୋଲି ପରିଚୟ ଦେବାପାଇଁ ଚାହେଁନାହିଁ ।

 

ସାହସ ସଞ୍ଚୟ କରିବାପାଇଁ ଚେଷ୍ଟା କଲା ବନାନୀ । ଛାଇ ଆଡ଼କୁ ଚାହିଁଲା-

 

ଆଉ କିଛି ଦେଖାଯାଉ ନ ଥିଲା । ଏଥର ସତରେ ମନେ ମନେ ଭୟ ପାଇଲା ସେ । ତା’ ସହିତ ଯେଉଁ ଛାଇ ଏଯାଏ ଚାଲି ଆସୁଥିଲା ସେ ବି ଶେଷରେ ତାହାହେଲେ ମୁହଁ ଲୁଚାଇଲା କେଉଁଠାରେ ।

 

ବିଶ୍ୱାସଘାତକ !

 

ତାକୁ ଏକାକୀ ଦେଖି ଯଦି ବାଘ ବା ଭାଲୁ ଆକ୍ରମଣ କରେ ?

 

ମଣିଷମାନଙ୍କ ଭିତରେ ବି ବାଘଠାରୁ ହିଂସ୍ର ଏବଂ ଭୟାନକ ଅନେକ ଲୋକ ଅଛନ୍ତି ।

 

ସେଭଳି ମଣିଷ ଜଣେ ଯଦି ତା’ର ଏକାକୀ ଅବସ୍ଥାର ସୁଯୋଗ ନବାପାଇଁ ଚେଷ୍ଟା କରେ ?

 

ମଣିଷ ପଶୁଠାରୁ ଆହୁରି ହିଂସ୍ର, ଆହୁରି ଭୟାନକ ।

ସନ୍ଧ୍ୟା । ରାତି ଆସିବାପାଇଁ ଆଉ ଅଧିକ ବିଳମ୍ବ ନାହିଁ । ଏହି ଅରଣ୍ୟ ଆହୁରି କର୍ମଚଞ୍ଚଳ ଏବଂ ଜୀବନ୍ତ ହେବ ରାତ୍ରିର ଅନ୍ଧକାରରେ । ଯେତିକି ଘନୀଭୂତ ଏବଂ ନିବିଡ଼ ହେବ ରାତ୍ରି, ପାଶବିକ ପ୍ରବୃତ୍ତି, ସରୀସୃପ ଓ ଶ୍ୱାପଦମାନଙ୍କର ଜୀବନ ଓ ଜାନ୍ତବ ନିଶା ସେତିକି ପ୍ରଖର ହୋଇଉଠିବ । ସମବେତ ଏଇ ଅରଣ୍ୟକୁ ଅସଭ୍ୟତା’ର ମୁକାବିଲା କରିବାପାଇଁ ଶକ୍ତି ଲୋଡ଼ା, ସମବେତ ଉଦ୍ୟମ ଆବଶ୍ୟକ ।

ଏହି ପ୍ରଥମ ଅବସାଦ ଅନୁଭବ କଲା ବନାନୀ । ଏ ଯାଏ ସେ ସଂଗ୍ରାମୀ ଜୀବନର ସ୍ୱାଦ, ସ୍ୱତନ୍ତ୍ର ହବାର ଉଲ୍ଲାସ ଅନୁଭବ କରୁଥିଲା । କିନ୍ତୁ ଆଉ ଯେପରି ଏକା ପଥ ଚାଲିପାରିବ ନାହିଁ, ଏକା ଅନେକର ମୁକାବିଲା କରି ପାରିବନାହିଁ-ଏହା ଅନୁଭବ କରିବାକୁ ଲାଗିଲା ।

ଅବସାଦ ଆସିଲେ ଉତ୍ସାହ ସରିଯାଏ, ଉତ୍ସାହ ନଥିଲେ ସର୍ବାଙ୍ଗରେ ଶିଥିଳତା ଆସେ-ସଂଗ୍ରାମ କରିବାପାଇଁ ଶୋଣିତର ଡାକ ଶୁଭେ ନାହିଁ । କାନ ପାରି ଶୁଣିବାକୁ ଚେଷ୍ଟା କଲା ବନାନୀ କେହି କେଉଁ ଆଡ଼ୁ ଆସୁଛି କି ନାହିଁ ।

ମଣିଷର ଉପସ୍ଥିତି ସେହି ମୁହୂର୍ତ୍ତରେ କାମନା କଲା ସେ ।

କିନ୍ତୁ କାହାକୁ ଦେଖିପାରିଲା ନାହିଁ । ଆଗରେ ଅରଣ୍ୟ- ଅନିଶ୍ଚିତ, ଅବିଶ୍ୱାସ ଏବଂ ଏକ ଅସହନୀୟ ଉପସ୍ଥିତି । ପଛରେ ସ୍ୱତନ୍ତ୍ର ଜୀବନର ଆହ୍ଲାଦ, ଏବଂ ଯେଉଁଠି ଛିଡ଼ାହୋଇଛି ସେଠାରେ କେବଳ ଯନ୍ତ୍ରଣା ଜୀବନର ଅମାପ, ଅସରନ୍ତି ଯନ୍ତ୍ରଣା ।

ଆଉ ସହିପାରୁ ନ ଥିଲା ବନାନୀ ।

 

ବିନୋଦ ଏଡ଼େ ନିଷ୍ଠୁର ହୋଇ ଅନ୍ୟ ରାସ୍ତାରେ ଚାଲିଯାଇ ପାରିଲା ।

 

ଅଥଚ ଏକା ସାଙ୍ଗରେ ବାଟ ଚାଲିବାପାଇଁ ଦୁହେଁ ସଂକଳ୍ପ କରିଥିଲେ, ଆଜୀବନ ପରସ୍ପରର ପରିପୂରକ ହବାପାଇଁ ଦୁହେଁ ସିଦ୍ଧାନ୍ତ କରିଥିଲେ ।

 

ସେସବୁ ଆଜି ବହିର ପ୍ରବଚନ ପରି ମନେହେଉଛି ।

 

ରାତି ସହିତ ଏକ ଅସଂସ୍କୃତ, କୁତ୍ସିତ ଅନ୍ଧକାର କ୍ରମଶଃ ଘନୀଭୂତ ହେଉଥିଲା ।

 

ଚମକି ପଡ଼ିଲା ବନାନୀ ।

 

କିଏ ଯେପରି ଦୂରରୁ ଆସୁଥିଲା ତା’ ଆଡ଼କୁ ଲକ୍ଷ୍ୟ କରି ।

 

ମୁହଁ ଦେଖାଯାଉନଥିଲା । ନିର୍ଦ୍ଦିଷ୍ଟ ଭାବରେ ସେ ଜାଣିପାରୁ ନ ଥିଲା କଅଣ ହବାକୁଯାଉଛି ବୋଲି ।

 

ସର୍ବାଙ୍ଗରେ ପୁଞ୍ଜି ପୁଞ୍ଜିସ୍ୱେଦ ।

 

ଶବ୍ଦ କ୍ରମଶଃ ତା’ ଆଡ଼କୁ ଅଗ୍ରସର ହେଉଥିଲା ।

 

ସେ ସହାୟତାପାଇଁ ପ୍ରାର୍ଥନା କଲା । ନିଜର ଛାଇ କିନ୍ତୁ ନ ଥିଲା ତା’ ପାଖରେ ସମବେଦନା ଜଣାଇବାପାଇଁ ବା ତା’ ଉପସ୍ଥିତିକୁ ପ୍ରମାଣ କରିବାପାଇଁ ।

 

ଛାଇଟା ବି ଶେଷରେ ଚାଲିଗଲା ।

 

ଅନ୍ଧକାର ହେଲେ ଛାଇ ବି ସେଥିରେ ବିଲୀନ ହୋଇଯାଏ ।

 

ବୃହତ୍ତର ପାଖରେ କ୍ଷୁଦ୍ରତ୍ତର ତିଷ୍ଠି ରହିପାରେ ନାହିଁ ।

 

ଏତେ ଅନ୍ଧକାର ଆଉ ସହ୍ୟ କରିପାରିବ ନାହିଁ ବନାନୀ ।

 

ଅତି ପାଖରେ କାହାର ପଦଶବ୍ଦ ଶୁଣି ଆତଙ୍କରେ ଚିତ୍କାର କରି ଉଠିଲା ସେ...

 

ଆଉ ସେହି ପରମ ମୁହୂର୍ତ୍ତରେ ତା’ର ଶିହରିତ ଦେହକୁ ନିଜ ଛାତି ଉପରକୁ ଆଉଜାଇ ନେଇ ଆଶ୍ୱାସନା ଦେଇ କହିଲା ବିନୋଦ- ଛାଇପରି ମୁଁ ତୁମ ପଛେ ପଛେ ଆସୁଥିଲି ବନାନୀ ! କେବଳ ସ୍ୱତନ୍ତ୍ରତା ନୁହେଁ-ସହଯୋଗ, ସହାବସ୍ଥାନହିଁ ଶକ୍ତିର ଉତ୍ସ ।

 

ଅରଣ୍ୟର ପୁଞ୍ଜିଭୂତ ଅନ୍ଧକାର ହଠାତ୍ ଲକ୍ଷ ଲକ୍ଷ ଚନ୍ଦ୍ରର ଆଲୋକଦ୍ୱାରା ଅନ୍ତର୍ହିତ ହୋଇଗଲା ।

 

ବନାନୀ ଆଲୋକର ଆବାହନ ଶୁଣି ଆଖି ବୁଜିଲା ନିଶ୍ଚିତ ସ୍ୱସ୍ତି ଏବଂ ଶାନ୍ତିରେ ।

Image

 

Unknown

ବୋଝ

 

ମୁଁ ପହଞ୍ଚିଲାବେଳକୁ ଲେକୋସେଡ଼ରେ ଖୁବ୍ ଭିଡ଼ ଜମିଥାଏ । ଦିନ ସିଫ୍ଟର ସବୁ କର୍ମଚାରୀ ଠୂଳ ହୋଇଥାଆନ୍ତି କାମ ଶେଷ ହେବା ପରେ, ଆଉ ଯେଉଁମାନେ ରାତି ସିଫ୍ଟ ସେ କାମ କରିବା କଥା ସେମାନେ ବି ଆସି ଜମା ହୋଇଥାଆନ୍ତି ଏକା ସାଙ୍ଗରେ । ସେଡ଼୍‌ର ଚାରିଆଡ଼େ ଅନେକ ଇଞ୍ଜିନ୍ କଳା ପ୍ରହରୀ ଭଳି ଛିଡ଼ାହୋଇ ଥାଆନ୍ତି । କେତୋଟିର ଚିମିନିରୁ କଳା ଧୂଆଁ ବାହାରୁ ଥାଏ । ଆଉ କେତୋଟି ମୁର୍ଦାର ଭଳି ପଡ଼ିଥାଆନ୍ତି । ଧୂଆଁ ଇଞ୍ଜିନର ଜୀବନ । ଇଞ୍ଜିନର ଜୀବନ ଥିଲେ ଧୂଆଁ ଥାଏ, ନିଆଁ ଥାଏ ।

 

ମୁଁ ଗୋଟିଏ ଇଞ୍ଜିନକୁ ଅତିକ୍ରମ କରି ଆସି ପହଞ୍ଚିଗଲା ମାତ୍ରେ ଚାରିଆଡ଼ୁ ଗୁଞ୍ଜନର ଏକ ମଧୁର ଆଭାସ କାନରେ ଲାଗିଲା ଆସି । ମୋ ପାଇଁ ସେ ସମସ୍ତେ ଏଯାଏ ଛିଡ଼ାହୋଇ ମୋତେ ଅପେକ୍ଷା କରୁଥିଲେ ଏହା ବେଶ ସ୍ପଷ୍ଟ ହୋଇଗଲା । ଫୋରମ୍ୟାନ୍‌ ମୋତେ ପାଛୋଟି ନେଇ ଯେଉଁଠି ସେମିନାର ହେବା କଥା ସେଇଠି ସଭାମୁଣ୍ଡରେ ରଖାଯାଇଥିବା ଏକ ଟେବୁଲ୍‌କୁ ଲାଗି ପଡ଼ିଥିବା ଚୌକିରେ ବସାଇଦେଲେ ।

 

ସଙ୍ଗେ ସଙ୍ଗେ ସେଡ଼୍‌ର ବୟୋଜ୍ୟେଷ୍ଠ କର୍ମଚାରୀ ଆଲ୍‌ତାଫ୍‌ ହୁସେନ ଆସି ମୋ ବେକରେ ଫୁଲମାଳଟିଏ ଲମ୍ବାଇ ଦେଇ କହିଲା-ଖୋଦାତାଲ୍ଲା ହଜୁରଙ୍କ ଭଲ କରନ୍ତୁ ।

 

କରତାଳି ବନ୍ଦ ହେବା ପରେ ମାଇକ୍ ପାଖରେ ମୁହଁରଖି ମୁଁ କହିଲି- ଆଜିର ଏହି ସେମିନାରରେ ଯୋଗଦେବାର ସୁଯୋଗ ପାଇ ମୁଁ ବେଶ୍ ଆନନ୍ଦିତ । ସେମିନାର୍ ଆରମ୍ଭ ହେବା ପୂର୍ବରୁ ଫୋରମ୍ୟାନ୍ କୃତୀ କର୍ମଚାରୀମାନଙ୍କର ନାମ ଘୋଷଣା କରିବେ ଏବଂ ତାହା ପରେ ପରେ ଯେଉଁମାନଙ୍କର ନାମ ଘୋଷଣା କରାଯିବ ସେମାନେ ଜଣେ ଜଣେ ଆସି ନିଜ ନିଜର ପୁରସ୍କାର ଗ୍ରହଣ କରିବେ ।

 

ଯେଉଁମାନେ ପୁରସ୍କାର ପାଇବେ ସେମାନଙ୍କୁ ଅଭିନନ୍ଦନ ଜଣାଇ, ଯେଉଁମାନେ ରେଳଗାଡ଼ିର ଚଳାଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାପାଇଁ, କର୍ମଚାରୀମାନଙ୍କର ସୁରକ୍ଷା ବ୍ୟବସ୍ଥାରେ ସଚେତନ କରାଇବାପାଇଁ ଏହି ସେମିନାରର ଆୟୋଜନ କରିଥିଲେ, ସେମାନଙ୍କୁ ସାଧୁବାଦ ଜଣାଇ ଏବଂ ସେମାନଙ୍କ ଉଦ୍ୟମର ସଫଳତା କାମନା କରି ମୁଁ ସମସ୍ତଙ୍କୁ ଆହ୍ୱାନ କରି କହିଲି.ନିଜର ସୁଖ ସୁବିଧାଠାରୁ ସମୂହର ସୁଖ ସୁବିଧା, ସମାଜର ସୁଖ ସୁବିଧା ଆହୁରି ବଡ଼ । ବ୍ୟକ୍ତିଗତ ଅଭାବ ଅସୁବିଧାକୁ ବଡ଼ ନ କରି ଯେଉଁମାନେ ସମୂହ ଓ ସମାଜର ସୁଖ ଏବଂ ସୁବିଧା କରିଦିଅନ୍ତି ସେହିମାନଙ୍କୁ ମୁଁ ସଲାମ୍ କରୁଛି ।

 

ପ୍ରଚଣ୍ଡ କରତାଳିରେ ଲୋକୋସେଡ଼୍‌ର ବାୟୁମଣ୍ଡଳ ବେଶ୍ ଉତ୍‌ଫୁଲ୍ଲ ହୋଇ ଉଠିଲା ।

 

ଗୋଟେ ଇଞ୍ଜିନସେଡ଼୍ ଭିତରୁ ଷ୍ଟେସନ ଆଡ଼କୁ ଚାଲି ଯାଉଁ ଯାଉଁ ବିଗୁଲ ବଜାଇ ଜଣାଇ ଦେଇଗଲା ତାହାର ସମର୍ଥନ । ସେ ଜଗତ ପାଇଁ ନୁହେଁ, ସମୂହ ପାଇଁ କର୍ତ୍ତବ୍ୟ କରିବାପାଇଁ ଅଗ୍ରସର ହେଉଥିଲା ।

 

ଜଣ ଜଣ କରି ସାତଜଣ କର୍ମଚାରୀଙ୍କ ନାମ ଘୋଷଣା କଲେ ଫୋରମ୍ୟାନ୍‌ । ଜଣେ ଜଣେ ଆସି ପୁରସ୍କାର ନେଇଗଲେ ମୋ ହାତରୁ । କିନ୍ତୁ ଶେଷରେ କୃତୀ କର୍ମଚାରୀ ମାଧବ ରାଉତ ମୋ ହାତରୁ ପୁରସ୍କାର ନେଲାବେଳେ ଫୋରମ୍ୟାନ୍‌ ମୋ କାନ ପାଖେ ପାଖେ କହିଲେ- ଏଇ ହେଉଛି ମାଧବ ରାଉତ । ଅନ୍ୟର ସୁଖପାଇଁ ନିଜ ଦୁଃଖକୁ ଭୁଲିଯାଇ ପାରିଛି ।

 

ମୁଁ ଆଶ୍ଚର୍ଯ୍ୟ ହୋଇଯାଇ ଟିକିଏ ବେଶୀ କରି ଅନାଇଲି ତା’ ମୁହଁକୁ ।

 

ସାଧାରଣ କାମିକା ମୁହଁ । ଦାଢ଼ି ସଫା କରିବାକୁ ବୋଧହୁଏ ବେଳ ପାଇନାହିଁ । ହନୁହାଡ଼ ମୁହଁ ଉପରେ ଦୁଇ ପାଖରେ ବେଶ୍ ସୁସ୍ପଷ୍ଟ ହୋଇଉଠିଛି ।

 

ମଥାରେ ବାଳ ଅସଜଡ଼ା । ଦେହରେ ଖାକି ହାଫ୍‌ପ୍ୟାଣ୍ଟ ଏବଂ ହାଫ୍‌ସାର୍ଟ ବାଙ୍ଗରା ଲୋକଟିଏ, ବାରି ହୋଇପଡ଼ିଲା ପରି ବ୍ୟକ୍ତିତ୍ୱର ଅଭାବ ।

 

ମୁଁ କହିଲି- ବେଶ୍ ଖୁସି ହେଲି ତୁମକୁ ଦେଖି ମାଧବ ରାଉତ । ଆହୁରି ଭଲ କାମ କର, ଆହୁରି ପୁରସ୍କାର ପାଇବ । ନିଜ କଥାଟା ବଡ଼ ନୁହେଁ, ବଡ଼ ଅନ୍ୟର କଥା । ନିଜ କାମଠାରୁ ବଡ଼ ଅନ୍ୟର କାମ ।

 

ସେ ପୁରସ୍କାରଟି ମୋ ହାତରୁ ନେଲାବେଳେ ମଥା ହଲାଇଲା ସମ୍ମତ୍ତିରେ । ମୁଁ ତା’କାନ୍ଧ ଉପରେ ହାତରଖି କହିଲି- ଯେ ନିଜ କାନ୍ଧରେ ପରର ବୋଝ ହସି ହସି ବୋହିପାରେ ସେଇହିଁ ପ୍ରକୃତରେ ବଡ଼ ମଣିଷ ।

 

ସେ ଚାଲିଯାଉଥିଲା, କିନ୍ତୁ ଦଣ୍ଡେ ଛିଡ଼ା ହୋଇ ମୋ ମୁହଁକୁ ଚାହିଁଲା ଏବଂ କହିଲା- ଆମେ ଛୋଟ ମଣିଷ ବଡ଼ସାହେବ, ଛୋଟ କାନ୍ଧରେ ଏତେ ବଳ କାହିଁକି ଯେ...

 

ସମ୍ପୂର୍ଣ୍ଣ କରିପାରିଲା ନାହିଁ ସେ । ଶେଷ ଶବ୍ଦ କେତୋଟି ଫୁଟିପାରିଲା ନାହିଁ ତା’ ମୁହଁରୁ-। ଫୋରମ୍ୟାନ୍‌ ତାକୁ ଆଖିଠାରି ଚାଲିଯିବାକୁ କହିଲେ । ସେ ଧୀରେ ଧୀରେ ସେଇ ଭିଡ଼ ଭିତରେ ଅଦୃଶ୍ୟ ହୋଇଗଲା ।

 

ସେମିନାର୍‌ରେ ଉଦ୍‌ବୋଧନ ଦେଲି, ଫୋରମ୍ୟାନ୍‌ ରିପୋର୍ଟ ପଢ଼ିଲେ, ଦୁଇଜଣ ସୁପରଭାଇଜର ବେଶ୍ ଗରମ ଗରମ ବକ୍ତୃତା ଦେଲେ ଅନ୍ୟର କର୍ତ୍ତବ୍ୟ ସମ୍ପର୍କରେ, ଚାରି ପାଞ୍ଚ ଜଣ ସମସ୍ତଙ୍କର ସାଧାରଣ ଅବହେଳା ଉପରେ କହିଲେ ଇତ୍ୟାଦି ।

 

ସନ୍ଧ୍ୟା ହବା ଆଗରୁ ମୁଁ ଲେକୋସେଡ଼୍‌ରୁ ବାହାରି ଆସିଲି । ମୋର ଆମ୍ବାସଡ଼ର ଗାଡ଼ିଟା ଧୂଳି ଉଡ଼ାଇ ଅଣଓସାରିଆ ରାସ୍ତା ଦେଇ ଆଗକୁ ଚାଲି ଆସୁଥିଲା ।

 

ଦୋଛକି ଉପରେ ଡାହାଣକୁ ଗାଡ଼ିମୋଡ଼ ଭାଙ୍ଗିଲାବେଳେ, ଡାହାଣରୁ ବାଆଁଆଡ଼କୁ ରାସ୍ତା ଅତିକ୍ରମ କରିବାକୁ ଯାଇ ଜଣେ ଲୋକ ଗାଡ଼ି ଆଗରେ ପ୍ରାୟ ପଡ଼ିଗଲା । ଜୋର୍‌ରେ ଗାଡ଼ିର ବ୍ରେକ କଷି ଡ୍ରାଇଭର ଗର୍ଜନ କଲା...ଶଳା, ସୁଆ‌ର୍‌ କା ବଚ୍ଚା-ଏଇନେ ମରିଥାଆନ୍ତୁ ନାହିଁ ଯେ ଆମକୁ ବି ମାରି ଥାଆନ୍ତୁ ।

 

ସନ୍ଧ୍ୟା ହୋଇ ନ ଥିଲେ ବି ଆଲୋକ ସିମିତ ହୋଇଆସିଥିଲା । ମୁଁ ସେଇ ଲୋକଟାକୁ ଭଲ ଭାବରେ ଦେଖି ନ ପାରିଲେ ବି କେଉଁଠି ଦେଖିଥିଲା ପରି ମନେକଲି ।

 

ସେ ଡ୍ରାଇଭରର ଗାଳିରେ ଆହୁରି ଲୋଚା କୋଚା ହୋଇ ଛିଡ଼ା ହେଲାରୁ ଅତି ଛୋଟ ଦେଖାଯାଉଥିଲା ।

 

ମୁଁ ଗାଡ଼ି ଚଳାଇବାପାଇଁ ଡ଼୍ରାଇଭରକୁ କହି ତା’ ଆଡ଼କୁ ଲକ୍ଷ୍ୟ କରି କହିଲି- ନିଜ କଥା ବା ନିଜର ସୁବିଧା ସବୁବେଳେ ନ ଭାବି ଅନ୍ୟର କଥା ଓ ଅନ୍ୟର ସୁବିଧା କଥା ଟିକିଏ ମନେପକାଅ ।

 

ଡ଼୍ରାଇଭର ସୁରାକ ପାଇ କହିଲା- ସାର୍, ଏ ଶଳେ ଯଦି ଅନ୍ୟ କଥା ଭାବିବେ ହଜୁରଙ୍କ କାନ୍ଧ ଉପରେ ପରର ଏତେ ବୋଝ ରହିବ କାହିଁକି ? ଏପରି ହଜାରେ ଲୋକ ନ ଥିଲେ ଚଳିବ, କିନ୍ତୁ ହଜୁରଙ୍କ ପରି ଜଣେ ନ ଥିଲେ ଜଟଣୀ କାହିଁକି ଜିଲ୍ଲାଟାଯାକ ଅନ୍ଧାର ହୋଇଯିବନି !

 

ମୁଁ ପଛ ସିଟ୍‌ର ଗଦି ଉପରେ ଦେହକୁ ଆହୁରି ଭଲ ଭାବରେ ମେଲାଇ ଦେଇ କହିଲି...ସାଢ଼େ ଛଅଟା ବାଜିଗଲା ଆଲାମ୍ !

 

ଗାଡ଼ି ଚଳାଉ ଚଳାଉ ଡ୍ରାଇଭର କହିଲା...ଏତେ ଖଟିଲେ ଚଳିବ ହଜୁର ? ଦେହକୁ ଜଗିରଖି ଚଳନ୍ତୁ ।

 

ଘରକୁ ଫେରି ଜଳଖିଆ ଖାଇ, ଚାହା କପ୍‌ରେ ମୁହଁ ଛୁଆଁଇଲାବେଳେ ସୀତା କହିଲା- ଗୋଟେ ଲୋକ ଦେଖା କରିବ ବୋଲି ବାହାରେ ଛିଡ଼ାହୋଇ ରହିଛି ।

 

ମୁଁ ଚାହାରେ ଚୁମକ୍ ଦେଇ କହିଲି- ସାତଟା ବାଜି ଗଲାଣି- ଏଇନେ ଆଉ ଦେଖା କରିବା ସମ୍ଭବ ନୁହେଁ-ମନାକରି ପଠାଅ ।

 

ସୀତା କହିଲା- କାକୁସ୍ଥ ହୋଇ କହୁଛି ଲୋକଟା- ଟିକେ ଶୁଣି ଆସ-ହୁଏତ କେଉଁ ଦୁଃଖରେ ଆସିଥିବ ବିଚରା...

 

ଇଚ୍ଛା ନ ଥିଲେ ବି ଉଠି ବସିଲି । ବାହାରକୁ ଯାଇ କହିଲି...କିଏ ?

 

ପୋଟିକୋର ଗୋଟେ କୋଣରୁ ପାହୁଣ୍ଡେ ଆଗେଇ ଆସି ସଲାମ୍ କରି ଛିଡ଼ା ହେଲା ଆଗରେ ।

 

ମୁଁ ତା’ ମୁହଁକୁ ଭଲକରି ଚାହିଁଲି ଏବଂ ସେହି ଲୋକଟିକୁ ବେଶ୍ ଚିହ୍ନିପାରିଲି ।

 

ମାଧବ ରାଉତ ।

 

ଏଇ ଘଣ୍ଟାକ ଆଗରୁ ତା’ ସହିତ ଲେକୋସେଡ଼୍‌ରେ ଦେଖା ହୋଇଥିଲା ।

 

‘‘ତମ ନାଁ ମାଧବ ରାଉତ ନା ?’’ ମୁଁ କହିଲି ।

 

‘‘ହଜୁର ଠିକ୍ ମନେରଖିଛନ୍ତି ।’’ ହାତଯୋଡ଼ି ସମୀହା କରି କହିଲା ।

 

‘‘କାମ ଭଲ କର ମାଧବ ରାଉତ, ଆହୁରି ପୁରସ୍କାର ପାଇବ ।’’ ମୁଁ କହି ପକାଇଲି ।

 

ସେ କହିଲା, ‘‘ସେଇ କଥା କହିବାପାଇଁ ଆସୁଥିଲି ହଜୁର । ପୁରସ୍କାର ପାଇବା ଆଗରୁ ବେଶ୍ ଭଲଥିଲି । ପୁରସ୍କାରଟା ପାଇବା ପରେ ତା’ର ବୋଝ ବୋହିବାପାଇଁ ଆଉ ସାହସ ହଉନାହିଁ-।’’

 

ମୁଁ ଅବାକ୍ ହୋଇଯାଇ କହିଲି- ମାନେ ?

 

‘‘ହଜୁରବଡ଼ ସାହେବ, ଗରିବର ବାପ ମା । ହଜୁରଙ୍କୁ ନ କହିବି ତ କହିବି କାହାକୁ ? ସେଇଥିପାଇଁ ତ ସାହସ ବାନ୍ଧି ଚାଲିଆସିଲି ବଙ୍ଗଳାକୁ ।’’

 

ରାଉତକୁ ବସିବାପାଇଁ କହିପାରିଲି ନାହିଁ, ମୁଁ ମଧ୍ୟ ବସିପାରିଲି ନାହିଁ । ଛିଡ଼ାହୋଇ ତା’ କଥା ଶୁଣିବାକୁ ଲାଗିଲି ।

 

ମାଧବ ରାଉତ କିପରି ରେଳବାଇରେ ଭର୍ତ୍ତିହେଲା, ତା’ର ସ୍ପଷ୍ଟ ମନେଅଛି । ସେତେବେଳକୁ ତାକୁ କୋଡ଼ିଏ । ଦିନେ ତା’ କକେଇ ସହିତ ରେଳପୋଲ ମରାମତି ଦେଖିବାପାଇଁ ଯାଇଥିଲା । କକେଇ ରେଳବାଇରେ ମିସ୍ତ୍ରୀ କାମ କରୁଥିଲା । ତା’ର ବଳିଷ୍ଠ ଚେହେରା ଦେଖି ଇନ୍‌ପେକ୍ଟର ଖୁସି ହୋଇ ତାକୁ ଫାଟକବାଲାରେ ବାହାଲ କରିଦେଲା । ସେହିଦିନୁ ଆଜିକୁ ପ୍ରାୟ କୋଡ଼ିଏ ବର୍ଷ ହେବ ଫାଟକବାଲାରେ କାମ କରିଆସୁଛି ମାଧବ ରାଉତ ।

 

ବମିଖାଲ ପଟୁ ମାଲଗୋଦାମ ରାସ୍ତା ଦେଇ ସେଣ୍ଟ ଯୋସେଫ କନଭେଣ୍ଟଆଡ଼କୁ ଯେଉଁ ସଡ଼କ ରେଳପଥ ଉପର ଦେଇ ମାଡ଼ିଆସିଛି, ସେହି ଲେଭଲ୍‌ କ୍ରସିଂର ଫାଟକରେ ପାଞ୍ଚ ବରଷ ହେଲା କାମ କରୁଛି ସେ । ରେଳଗାଡ଼ି ଆସିବାର ସଂକେତ ପାଇଲେ ଫାଟକର ଦୁଇପାଖରେ ଥିବା ବାଡ଼କୁ ପକାଇ ଦେଇ ତାଲା ବନ୍ଦ କରେ ରାଉତ । ତା’ପରେ ମାଡ଼ି ଆସୁଥିବା ରେଳଗାଡ଼ି ଆଡ଼କୁ ଅନାଇ ଫାଟକ ମଝିରେ ଛିଡ଼ାହୋଇ ରହେ ଗୋଟିଏ ହାତରେ ସବୁଜ ଓ ଅନ୍ୟ ହାତରେ ଲାଲ ରଙ୍ଗର ପତାକା ଧରି ।

 

ଗାଡ଼ିଟା ହୁସ୍‌ହାସ୍ କରି ଫାଟକ ଅତିକ୍ରମ କରି ଚାଲିଯାଏ ମାଧବ ରାଉତକୁ ଉପେକ୍ଷା କରି । କିନ୍ତୁ ଡ୍ରାଇଭର ଓ ଫାୟାରମ୍ୟାନମାନେ ମୁହଁ ଦେଖି ଦେଖି ପରିଚିତ ହୋଇ ଗଲେଣି । ତା’ ନାମ ସେମାନେ ନ ଜାଣିଲେ ବି, ଗୋଟିଏ ଅନୁଷ୍ଠାନର ପାରିବାରିକ ଏକତ୍ୱ ସେମାନଙ୍କୁ କେବଳ ମୁହଁ ଚାହାଁଚୁହିଁଦ୍ୱାରା ଏକ କରିଦିଏ । ମାଧବ ରାଉତର ମୁହଁକୁ ଚାହିଁ ହସିଦିଏ ଡ୍ରାଇଭର । ପଳାଇ ଯାଉଥିବା ରେଳଗାଡ଼ିର ଶେଷ ଡବାରେ ଛିଡ଼ା ହୋଇ ଫାଟକ ଆଡ଼କୁ ଅନାଇଥିବା ଗାର୍ଡ଼ବାବୁଙ୍କୁ ଲକ୍ଷ୍ୟ କରି ନମସ୍କାର କରେ ମାଧବ ।

 

ଗାଡ଼ିଟା ଚାଲିଗଲା ପରେ ସେ ଫାଟକ ଖୋଲିଦିଏ, ସଡ଼କ ଉପରେ ଅଟକି ଯାଇଥିବା ଗାଡ଼ି ମଟର ପୁଣି ଯିବା ଆସିବା କରନ୍ତି । ଦିନେ ଦିନେ ବେଶୀ ସମୟ ଅଟକି ଗଲେ କେହି କେହି ଆସି ତାକୁ ଗାଳି ବି ଦିଅନ୍ତି, ହେଲେ ସେ ଓଲଟାଇ ଦିଏ ନାହିଁ । ବୁଝାଇ ଦିଏ ସେମାନଙ୍କୁ ନେହୁରା ହୋଇ, ଦୁଇ ମିନିଟ୍ ଅପେକ୍ଷା କରିବାକୁ ଅନୁନୟ କରେ ।

 

ସେଦିନ ଅଶୋକାଷ୍ଟମୀପାଇଁ ଅନେକ ଭିଡ଼ ସହରରେ । ଗାଡ଼ି ମଟରର ଯିବା ଆସିବା ବହୁତ ବେଶୀ । ରିକ୍‌ସା, ସାଇକେଲ, ଟାକସି, ବସର ସୁଅ ଛୁଟୁଥିଲା ଯେପରି । ଏଣେ ଗୋଟିକ ପରେ ଗୋଟିଏ ଗାଡ଼ି ଆସୁଥିଲା । ଟିକେ ଫୁରୁସତ ନ ଥିଲା ମାଧବର । ଟିକିଏ ଆଗରୁ ଗୋଟିଏ ପାଖର ଫାଟକ ବାଡ଼ ପକାଇ ତାଲା ଦେଇ ଅନ୍ୟ ପାଖକୁ ଆସିବାବେଳକୁ ଗୋଟେ ଟ୍ରକ୍ ଫାଟକ ଉପରକୁ ମାଡ଼ି ଆସିଥିଲା । ଧଇଁସଇଁ ହୋଇ ଦଉଡ଼ି ଆସି ମାଧବ କହିଲା- ପଛା, ପଛା ଗାଡ଼ି ଆସୁଛି ।

 

ଡ୍ରାଇଭରଟା ବୋଧେ ନିଶା କରିଥିଲା । ତା’ କଥା ନ ଶୁଣି ଓଲଟା ଗାଳିଗୁଲଜ କଲା ।

 

ପଛଆଡ଼ୁ ତା ସ୍ତ୍ରୀ ପାଟିକଲା- ବନ୍ଧୁ ବାନ୍ଧବ ଆସି ପହଞ୍ଚି ଗଲେଣି । ଟିକେ ଦେଖାକରି ଯାଅ । କୁନି ଖେଳୁଛି ବାହାରେ, ଟିକେ ଅନିସା କରିଥିବ ।

 

ମାଧବ ରାଉତ ସ୍ତ୍ରୀ ଆଡ଼କୁ ନିଘା ନ କରି ଡ୍ରାଇଭରକୁ ଅନୁମୟ କରି ଚାଲିଲା- ନେହୁରା ହେଉଛି ଭାଇ, ମୋ କସୁର ମାଫ କରି ଗାଡ଼ି ପଛେଇ ନିଅ । ରେଳଗାଡ଼ି ଆସିଗଲା କୁହ-

 

ତା’ ଆଡ଼କୁ ମେଞ୍ଚାଏ ଛେପ ପକେଇ ଦେଇ ଟ୍ରକ୍ ପଛକୁ କଲା ଡ୍ରାଇଭର ।

 

ସେଆଡ଼ୁ କଳା ଧୂଆଁ ଛାଡ଼ି, ବିଗୁଲ ବଜାଇ ମାଡ଼ି ଆସୁଥିବା ମାଲଗାଡ଼ିର ପଥ ପରିଷ୍କାର କରିବାପାଇଁ ତରତର ହୋଇ ଏ ପାଖରେ ଫାଟକ ବାଡ଼ ବନ୍ଦକରି ତାଲା ଦଉଥିବାବେଳେ ପଛଉଥିବା ଟ୍ରକ୍ର ପଛପଟେ ଚାପା ପଡ଼ିଯାଇ କ୍ଷଣକ ପାଇଁ ଆର୍ତ୍ତନାଦ କରି ଉଠିଲା କିଏ ।

 

ରେଳଗାଡ଼ିର ଗାର୍ଡ଼ବାବୁ ତା’ ଆଡ଼କୁ ଚାହିଁ ହସିଲା ଟିକିଏ, ସେ କିନ୍ତୁ ସେତେବେଳକୁ ପଛଆଡ଼କୁ ଦଉଡ଼ି ଆସି ଯାହା ଦେଖିଲା ସେଥିରେ ହୁଲୁକା ଶୁଖିଗଲା ତା’ର ।

 

ସେତେବେଳକୁ ଫାଟକ ପାଖରେ ଅଟକି ଯାଇଥିବା ଗାଡ଼ି, ରିକ୍‌ସା, ସାଇକେଲ୍ ଚାଳକ ଏବଂ ଯାତ୍ରୀମାନେ ଠୂଳହୋଇ ସାରିଲେଣି ସେଠାରେ । କିଏ କିଏ ଟ୍ରକ୍‌ ଡ୍ରାଇଭରଙ୍କୁ ଧରି ଭିଡ଼ୁଥାଆନ୍ତି । ଏହି ସମୟରେ କିଏ ଜଣେ ଟ୍ରକ ତଳୁ ରକ୍ତାକ୍ତ ଏକ ଶିଶୁର ଶବକୁ ଦୁଇ ହାତରେ ଉଠେଇ ଆଣି ଯେତେବେଳେ ଫାଟକ ପାଖରେ ଥିବା କ୍ୱାଟର୍ର ପିଣ୍ଡା ଉପରେ ରଖିଦେଲେ, ଆଖିବୁଜି ଏକ ସ୍ୱରରେ ଚିତ୍କାର କରି ଉଠିଲେ ମାଧବ ରାଉତ, ତା’ର ସ୍ତ୍ରୀ ନେତ, ତା’ ବୁଢ଼ାବାପା, ଆଉ ତା’ର ବଡ଼ପୁଅ ।

 

-ଏ ମା’ କାହିଁ ଗଲୁରେ ।

 

-ତୋତେ କିଏ କୋଳରୁ ଘେନିଗଲାରେ !

 

-କୁହ ମୋତେ ତୋ ସାଙ୍ଗରେ ନେଇ ଯାଆରେ !

 

ଆଖି ଖୋଲିଲାବେଳକୁ ଚାରିଆଡ଼ ଅନ୍ଧାର ଦିଶୁଥିଲା ମାଧବ ରାଉତକୁ, ଦେହଟା ଥରୁଥିଲା, ପାଦଯୋଡ଼ିକ ବୋଲ ମାନୁ ନ ଥିଲେ, ହେଲେ ସଡ଼କ ଉପରେ ଅଟକି ରହିଥିବା ଗାଡ଼ି ମଟରକୁ ପାର କରିଦେବାପାଇଁ ଟଳି ଟଳି ଯାଇ ଫାଟକ ବାଡ଼ ଖୋଲିଦେଇ ପୁଣି ଫେରିଆସି କୁନିର ଶବ ପାଖରେ ଅଚେତ ହୋଇପଡ଼ିଗଲା ମାଧବ ରାଉତ ।

 

କୁନି ତା’ର ତିନି ବରଷର କୋଡ଼ପୋଛା ସାନଝିଅ ।

 

ବହୁତ ବାହୁନିଲା ମାଧବ ରାଉତର ସ୍ତ୍ରୀ ନେତ । ବହୁତ ଅଳିକଲା ତା’ର ଅଶୀ ବର୍ଷର ବୁଢ଼ା ବାପ-ହେଲେ ଆଉ ସେ ଫେରିଆସିଲାନି । ତା’ ମୁହଁ ଉପରେ ପାଣି ଛିଞ୍ଚି, ପଙ୍ଖା କରି, ଘଣ୍ଟାକ ପରେ ତାକୁ ଚେତା କଲାବେଳକୁ ଦେଖିଲା ମାଧବ ରାଉତ ଇନ୍‌ପେକ୍ଟର ତା’ ମଥା ପାଖରେ ବସି ତା’ ଆଡ଼କୁ ଅନାଇ ରହିଛନ୍ତି ।

 

ପ୍ରଥମେ କିଛି ବୁଝି ନ ପାରି କାମରେ ଅବହେଳା ହୋଇଛି ବୋଲି ଭାବି ବିଳିବିଳେଇ ଉଠିଲା ମାଧବ ରାଉତ ହଜୁର ମା’ ବାପ, କାମରେ ହେଳା କରିନି, ଫାଟକ ଠିକ୍ ବନ୍ଦ କରିଥିଲି...ମୋ ଦୋଷ କ୍ଷମା ହେଉ ।

 

ମଥା ଉପରେ ହାତ ବୁଲାଇ ମାଧବର ଓ ସାନ୍ତ୍ୱନା ଦେଇ କହିଲେ ଇନ୍‌ପେକ୍ଟର...ତୁମର ଦୋଷ ନୁହେଁ, ଆମ ସମସ୍ତଙ୍କର ଦୋଷ । ସମସ୍ତଙ୍କୁ କ୍ଷମାକର ମାଧବ ରାଉତ !

 

ଏତେବେଳକୁ ହୋସ୍ ଆସିଲା ରାଉତର । ତା’ ପାଖରେ ବାହୁନୁଥିବା ତା’ ସ୍ତ୍ରୀ ଆଡ଼କୁ ଚାହିଁଲାବେଳକୁ ହେତୁ ଆସିଲା ତା’ର, ସେ ଭାଙ୍ଗି ପଡ଼ିଲା କୋହରେ ।

 

ତା’ ଦେହରେ ହାତ ବୁଲାଇ ତାକୁ ସାନ୍ତ୍ୱନା ଆଉ ସାହସ ଦେଇ କହିଲେ ଇନ୍‌ପେକ୍ଟର...ତୋର କାନ୍ଧ ଛୋଟ ହେଲେ କ’ଣ ହବରେ ରାଉତ, ବଡ଼ ବୋଝ ଗୋଟେ ବୋହି ନେଇପାରିଲୁ । ନିଜ କଥା ଭାବୁଥିଲେ ତୋ ଝିଅଟା ବଞ୍ଚିଯାଇଥାଆନ୍ତା, ହେଲେ ପରକଥା ଭାବି ସେମାନଙ୍କୁ ବଞ୍ଚାଇ ଦେଲୁ ତୁ..., ତୁ ଛୋଟ ହେଲେ ବି ଆମଠାରୁ ଅନେକ ବଡ଼-ଅନେକ ବଡ଼ ମାଧବ ରାଉତ !

 

x

x

x

x

x

 

ମୁଁ ମାଧବ ରାଉତର ଗପ ଶୁଣୁଥିଲି ।

 

ସେ କହିସାରି କିଛି ସମୟ ଛିଡ଼ାହୋଇ ରହିଗଲା ।

 

ମୁଁ ତା’ ପରେ କହିଲି- ସତରେ ତୁମେ ଅନେକ ବଡ଼ କାମ କରିଛ ରାଉତ !

 

ସେ କିଛି କହି ପାରିଲା ନାହିଁ । ତା’ର ନୁଖୁରା ମୁହଁଟାକୁ ଅନେଇଲାବେଳକୁ ଦେଖିଲି ତା’ର ଆଖିର ଦୁଇ କୂଳ ଲୁହରେ ଭର୍ତ୍ତିହୋଇ ଉଠୁଛି ।

 

ସେ ହାତଯୋଡ଼ି ସମୀହା କରି କହିଲା- ଏତେବଡ଼ କଥା କହିବେନି ହଜୁର । ଛୋଟ କାନ୍ଧ ଆମର, ବଡ଼ ବୋଝ ବୋହିବାପାଇଁ ସାହସ ହେବ କେଉଁଠୁ ? ହେଲେ ଆଜି ଯେଉଁ ପୁରସ୍କାରଟା ଦେଲେ ହଜୁର ମୋ ମନକୁ ବଡ଼ ବାଧୁଛି । ଆମେ ଛୋଟ, ଗରିବ, ମୂରୁଖ କର୍ମଚାରୀ ବଡ଼ ସାହେବ, ବୋଝ ଉଠେଇବା ଆମର କାମ । ଯେତେ ବଳ ନାହିଁ ସେତେ ବଡ଼ ବୋଝ ବୋହୁ- ଜାଣିପାରୁନା- ହେଲେ ପୁରସ୍କାର ପାଇ ଆଉ ସେ ବୋଝ ବୋହି ପାରୁନାହିଁ ବଡ଼ ସାହେବ !

 

ତା’ ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼ିଲା ବାଧା ନ ମାନି ।

 

ମୁଁ ତା’ କାନ୍ଧ ଉପରୁ ବୋଝ ସିନା ଉତାରି ନେଇପାରିଲି ନାହିଁ, ହେଲେ ତା’ କାନ୍ଧ ଉପରେ ହାତ ରଖି କହିଲି- ମୋର ଅନେକ ଭୁଲ ହୋଇ ଯାଇଛି ମାଧବ ରାଉତ ।

 

-ନା, ନା ହଜୁର, ସେ ପରି କୁହନ୍ତୁ ନାହିଁ । ହଜୁର ବଡ଼ ଲୋକ । ବଡ଼ ଲୋକମାନେ ଅଛନ୍ତି ବୋଲି ସିନା ଏତେ ବଡ଼ ପୃଥିବୀଟା ଆତଯାତ ହଉଛି ।

 

ସେ ମୋତେ କୁହାଇ ନ ଦେଇ କହିଲା ।

 

ମୁଁ ଆଉ ସେଠାରେ ଛିଡ଼ାହୋଇ ପାରିଲି ନାହିଁ । ମୋ କାନ୍ଧ ଉପରେ କିଏ ଯୋଡ଼େ ମହଣକିଆ ପଥର ଲଦିଦେଇଛି ଯେପରି, ସେହିପରି ଅନୁଭବ କଲି ।

Image

 

ରଥଯାତ୍ରାର ହସ

 

ତିନି ପୁରୁଷ ଭିଟାମାଟି ଖଣ୍ଡକ ହାତଛଡ଼ା ହୋଇଗଲା ପରେ ଆଶା ଏବଂ ଆଶ୍ରୟପାଇଁ ଆଉକିଛି ରହିଲା ନାହିଁ ମଧୁର ।

 

ପିଲାମାନଙ୍କୁ ନେଇ ଗାଁ ଛାଡ଼ି ସହରକୁ ଯେଉଁଦିନ ପଳାଇ ଆସିଥିଲା, ସେତେବେଳେ ନିର୍ଦ୍ଦିଷ୍ଟ ଲକ୍ଷ ବି ନ ଥିଲା, ନିର୍ଦ୍ଧାରିତ ପଥ ବି ଦେଖାଯାଉ ନ ଥିଲା । ବଞ୍ଚିବାପାଇଁ ହବ ବୋଲି ମରି ଯାଇପାରିଲା ନାହିଁ । ସ୍ତ୍ରୀର ହାତ ଧରି, ଝିଅକୁ ତା’ ମା କୋଳରୁ ଟେକିଦେଇ, ପୁଅକୁ କାନ୍ଧରେ ବସାଇ ଘରର ସମସ୍ତ ସମ୍ପଦକୁ ଦୁଇଟି ଗଣ୍ଠିଲିରେ ବାନ୍ଧି ସେ ଗାଁ ଛାଡ଼ିଥିଲା ଆଖିରେ ଲୁହ ନେଇ । ଅଚିହ୍ନା ଅଜଣା ସହରକୁ ଆସି ଆଖି ତା’ର ଝଲସି ଯାଇଥିଲା । ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଟିକିଏ ନ ପାଇ କଚେରୀ ହତା ପାଖରେ ବରଗଛ ଘେରି ଯେଉଁ ସିମେଣ୍ଟ ଚଉତରା ଥିଲା ସେଇଠାରେ ପାଞ୍ଚ ଦିନ ରହିଯାଇଥିଲା ।

 

ସହରର ଆଖି ନାହିଁ । ଏଠାରେ ଜଣେ ଆଉ ଜଣକୁ ଚିହ୍ନିପାରେ ନାହିଁ । ଜଣକର ଦୁଃଖ ନେବାପାଇଁ ଆଉ ଜଣେ ହାତ ବଢ଼ାଇ ଦିଏ ନାହିଁ । ଝୁଣ୍ଟିପଡ଼ିଲେ ଆହା କହି ଠିଆ ହେବାପାଇଁ ଏଠାରେ କାହାରି ଫୁରୁସତ୍ ନାହିଁ ।

 

ସେଇଦିନୁ ପାଞ୍ଚବର୍ଷ ହେଲା ଏହି ଅଚିହ୍ନା ଅଜଣା ସହରକୁ ସେ ଆପଣାର କରିବାପାଇଁ କେତେ ବା ଚେଷ୍ଟା ନ କରିଛି । ସହର ତାକୁ ଆପଣାର କରି ପାରିନାହିଁ ସତ, ସେ କିନ୍ତୁ ସମସ୍ତଙ୍କୁ ନିଜର କରିବାପାଇଁ ହେଳା କରିନାହିଁ ।

 

ଷ୍ଟେସନରେ କୁଲି କାମ କରି ଚଳିଯାଏ ମଧୁ । ଷ୍ଟେସନ ପାଖରେ ରେଳବାଇ ଜମିରେ ଖଣ୍ଡେ କୁଡ଼ିଆ ତୋଳିଥିଲା ସେ । ସେଠାରେ ବି ଏବେ ଅଡ଼ୁଆ ସୃଷ୍ଟି ହେଲାଣି । ସରକାରୀ ଜମି ଜବର ଦଖଲ କରିଥିବାରୁ ନୋଟିସ ବି ଲାଗିଗଲା ।

ଶୂନ୍ୟକୁ ଚାହିଁ ଚାହିଁ କେବଳ ଦୀର୍ଘ ନିଶ୍ୱାସଟିଏ ଛାଡ଼ିଲା ସେ ।

ଜବର ଦଖଲ ସେ କରିନାହିଁ । ଜବରଦସ୍ତି ସରକାରୀ ସମ୍ପତ୍ତିକୁ ସେ ଆପଣାର କରି ନେଇ ନାହିଁ । ମୁଣ୍ଡ ଗୁଞ୍ଜିବାପାଇଁ ସ୍ଥାନଟିକ ତା’ର ଦରକାର ଥିଲା । ଆଉ କେଉଁଠି ଆଶ୍ରୟ ନ ପାଇ ରହିଯାଇଥିଲା ଏଇଠି । ଦାନ୍ତରେ କୁଟା କାମୁଡ଼ି ସବୁ ଦୋଷପାଇଁ କ୍ଷମା ମାଗିବାପାଇଁ ସେ ପ୍ରସ୍ତୁତ । କିନ୍ତୁ ଏ ଦୋଷର କ୍ଷମା କେବଳ କୁଡ଼ିଆ ଖଣ୍ଡକ ଭାଙ୍ଗି ଚାଲିଯିବାପାଇଁ ।

ମଧୁର ମଥା ଘୂରିଗଲା ।

ସେ କାମକୁ ଯିବାବେଳେ ଅନ୍ୟମନସ୍କ ହୋଇ ଝୁଣ୍ଟି ପଡ଼ିଲା ପ୍ଳାଟଫର୍ମ ପାଖରେ । ଡାହାଣ ପାଦର ବୁଢ଼ା ଆଙ୍ଗୁଳି ନଖଟା ଉଠି ଯାଇ ରକ୍ତ ବୋହିଲା କିଛି । ପାସେଞ୍ଜରଗାଡ଼ିର ଶେଷ ଘଣ୍ଟି ଶୁଣି ସବୁ କଷ୍ଟ ଭୁଲିଯାଇ ଆଙ୍ଗୁଳି ଟେକି ଟେକି ଦଉଡ଼ିଲା ମଧୁ ।

ମୁଣ୍ଡ ଉପରେ ଗୋଟେ ଚାଉଳ ବସ୍ତା; ତା’ ଉପରେ ଗୋଟିଏ ଟିଣ, ହାତରେ ଗୋଟେ ସୁଟ୍‌କେଶ ଏବଂ କାଖ ତଳେ ଗୋଟିଏ ଛତା ଜାକି ଧରି ଧୀରେ ଧୀରେ ପ୍ଳାଟଫର୍ମ ବାହାରକୁ ଆସି ରିକ୍‌ସା ଉପରେ ଥୋଇ ଦେଇ ହାତ ପତାଇଲା ମଧୁ ।

ପଚାଷ ପଇସିର ନୂଆ ମୁଦ୍ରାଟିଏ ହାତ ଉପରେ ଚକ୍‌ଚକ୍‌ କରିଉଠିଲା ।

ଯାତ୍ରୀ ଜଣକ ବଡ଼ଲୋକ । ଆଉ କିଛି କହିବାର ଅବସର ନ ଦେଇ ରିକ୍‌ସା ଉପରେ ଏକା କୁଦାକେ ବସିପଡ଼ି ଅନ୍ତର୍ଦ୍ଧାନ ହୋଇଗଲେ ଆଖି ଆଗରୁ ।

ଥକ୍କାହୋଇ ଥରେ ଉପରକୁ ଏବଂ ଆଉ ଥରେ ନିଜର ରକ୍ତାତ ପାଦ ଆଙ୍ଗୁଳିକୁ ଏକ ଲକ୍ଷ୍ୟହୀନ ଦୃଷ୍ଟିରେ ଅନାଇଲା ମଧୁ ।

ମଣିଷ ନିଃସହାୟ ନିଃସମ୍ବଳ ହୋଇଗଲେ ଲକ୍ଷ୍ୟହୀନ ହୋଇଯାଏ ।

ଲକ୍ଷ୍ୟ ନ ଥିଲେ ଆଶା ନ ଥାଏ ।

ମଧୁର ଆଶା ନ ଥିଲା, କେବଳ ପ୍ରତି ମୁହୂର୍ତ୍ତରେ ଲାଗି ଉଠୁଥିଲା ଆଶଙ୍କା ।

ଯଦି ଘର ଖଣ୍ଡିକ ଭାଙ୍ଗିଦିଏ ତାହାଲେ ରହିବ କେଉଁଠି ? ପିଲାମାନେ ବର୍ଷା ଶୀତରେ ରହିବେ କିପରି ?

ମେହେନତ୍ କରା ମଣିଷର ସମୟ ହୁଏ ନାହିଁ ନିଜ କଥା ଭାବିବାପାଇଁ । ସେ ଅନ୍ୟକଥା ଭାବେ, ଅନ୍ୟପେଟ ପୂରଣ କରିବାପାଇଁ ପରିଶ୍ରମ କରେ ବୋଲି ନିଜ ପେଟ ଚାଖଣ୍ଡକ ଅପୂରା ରହିଯାଏ ।

ମଧୁ ଅନ୍ୟମାନଙ୍କ କଥା ଭାବୁଥିଲା । ବଡ଼ସାହେବଙ୍କ ପୁଅ ବିଭାଘରର ବଡ଼ଭୋଜିରେ ବାସନ ଧୂଆ କାମ ପାଇଛି ମାଳତୀ । ପାଞ୍ଚଟଙ୍କା ମିଳିବ । କିଛି ବଳିଗଲେ ଖାଇବାପାଇଁ ମଧ୍ୟ ଅଭାବ ହବ ନାହିଁ । ପାଞ୍ଚଟଙ୍କା ନ ଦେଇ ଯଦି ଦଶ ଟଙ୍କା ଦିଅନ୍ତେ ସେଥିରେ ଦିନକର ରୋଜଗାର ମିଶାଇ ବାର ଟଙ୍କା ଦେଇ ମୋଟା କସ୍ତା ଖଣ୍ଡେ ଆଣନ୍ତା । ମାଳତୀର ଦେହ ଆଉ ଲୁଚୁ ନାହିଁ । ବଡ଼ ବାବୁଙ୍କ ପୁଅ ହେଲାବେଳେ ତାଙ୍କ ସ୍ତ୍ରୀ ଯେଉଁ ପାଲଟା ଲୁଗା ଖଣ୍ଡିକ ମାଳତୀ ହାତକୁ ବଢ଼ାଇ ଦେଇଥିଲେ, ସେଥିରେ ଆଉ କେତେ ଦିନ ଚଳନ୍ତା !

 

ମଧୁ ଭାବିଲା, ଯଦି ତାକୁ ବି ବଡ଼ ସାହେବ ଡାକି ଥାଆନ୍ତେ ସେ କଅଣ ଛୋଟ ଛୋଟ କାମଗୁଡ଼ା କରି ଦିଅନ୍ତା ନାହିଁ ? ସତରଞ୍ଜ ପାରିବା, ଧୂଳି ନ ଉଡ଼ିବା ପାଇଁ ଘରଦାଣ୍ଡରେ ପାଣି ଛିଞ୍ଚିବା, ଚୌକି ବେଞ୍ଚ ପୋଛିବା ପ୍ରଭୃତି କାମପାଇଁ ଲୋକର ଦରକାର ହୁଏ ବିଭାଘରେ ।

 

ବଡ଼ସାହେବଙ୍କ ହାତରୁ ତ ସେ ଆଉ ପଇସା ନିଅନ୍ତା ନାହିଁ, ପେଟ ପୂରେଇ ବକତେ ଖାଇ ଆସନ୍ତା ଝିଅ ପୁଅ ସହିତ । ବଡ଼ଲୋକ ଘରେ ଓଳିଏ ଭଲ ଜିନିଷ ଖାଇ ଜୀବନ ଯାକ ମନେରଖନ୍ତେ ପିଲାଗୁଡ଼ା ।

 

କିନ୍ତୁ ତା’ କଥା ମନେପଡ଼ିଲା ନାହିଁ ବଡ଼ସାହେବଙ୍କର । ମାଳତୀ ଯାଇଛି ଯେ ଫେରୁ ଫେରୁ ରାତି ଅଧ ହବ । ରୋଷେଇ କରିବ କି ନାହିଁ କିଛି ଠିକ୍ କରିପାରିଲା ନାହିଁ ମଧୁ । ଯଦି ବଳକା କିଛି ପତରରେ ନେଇ ଆସେ ମାଳତୀ !

 

ଗୋଟେ କଥା ମନେପଡ଼ିଗଲା ମଧୁର । ପାଞ୍ଚ ବରଷ ତଳେ ବିନୋବା ଏଇ ସହରକୁ ଆସିଥାନ୍ତି । ଷ୍ଟେସନ ପାଖ ପଡ଼ିଆରେ ଗୋଟେ ବଡ଼ ସଭା ହେଉଥାଏ । ସେ ବି ଯାଇଥିଲା ଆଉ ଦଶଜଣଙ୍କ ସହିତ ଶୁଣିବାପାଇଁ, ଦେଖିବାପାଇଁ ।

 

ସେ ଦିନ ଗୋଟିଏ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

 

ସେ କହିଲେ...ଦେଶର ସମ୍ପଦ କାହାରି ଜଣକର ନୁହେଁ...ସମସ୍ତଙ୍କର । ପାଣି ପବନ ପରି ଏହା ବି ଭଗବାନ ମଣିଷକୁ ଦାନ କରିଛନ୍ତି । ଯାହା ଅଛି କେତେ ଜଣ ଲୁଚାଇ ନରଖି ସମସ୍ତେ ବାଣ୍ଟି କୁଣ୍ଟି ନିଅ । ସମସ୍ତେ ସମସ୍ତଙ୍କର ସୁଖଦୁଃଖରେ ଭାଗୀ ହୁଅ । ଏ ଦେଶକୁ ନିଜର ବୋଲି ଭାବ ।

 

କେଡ଼େ ସୁନ୍ଦର ସରଳ କଥାଟି । ସେଇଦିନୁ କେତେଥର ଭାବିଛି ସେ । ଏଇ ଦେଶକୁ ମଥା ନୁଆଇଁ ନମସ୍କାର କରିଛି ।

 

ବଡ଼ଲୋକମାନେ ତାହାହେଲେ ଛୋଟ ଲୋକମାନଙ୍କ କଥାବି ଭାବନ୍ତି !

 

ସମସ୍ତେ ନ ଭାବିଲେ ବି ଜଣେ ଅଧେ ତ ଭାବନ୍ତି ! ସମସ୍ତଙ୍କର ସୁଖପାଇଁ ପ୍ରାର୍ଥନା କରନ୍ତି ।

 

ଏଇ ଷ୍ଟେସନ ପାଖରେ ଜମି ଖଣ୍ଡକ କାହାରି କାମରେ ଆସୁ ନ ଥିଲା । ସେ ନିରୁପାୟ ହୋଇ କୁଡ଼ିଆ ତୋଳିଥିଲା ସେଠାରେ । ପାଣି ପବନ ପରି ରହିବାପାଇଁ ଘରଟିଏ, ଖାଇବାପାଇଁ ଦାନା, ଆଉ ପିନ୍ଧିବାପାଇଁ କନା ଖଣ୍ଡେ ନ ଥିଲେ ମଣିଷ ତ ଆଉ ଚଳିପାରିବ ନାହିଁ ।

 

ପିଲାଦିନେ ମାଷ୍ଟ୍ରେ କହୁଥିଲେ...ଆଦିମ ମଣିଷର ଲୁଗା ନ ଥିଲା, ଘର ବି ନ ଥିଲା ସମ୍ପତ୍ତି ବି ନ ଥିଲା ।

 

କିନ୍ତୁ ମଣିଷ ଆଦିମ ହୋଇ ଆଉ ରହିନାହିଁ । ଶହ ଶହ ପଦଯାତ୍ରାରେ ସେ ବଦଳି ଯାଇଛି ଅନେକ, ବଦଳି ଯାଇଚି ତା’ର ପରିବେଶ, ପ୍ରକୃତି, ଜୀବନଧାରା ।

 

ମଧୁ ବି କଅଣ ବଦଳି ଯାଇନି ? ଗାଁର ମଧୁ ଆଉ ସହରର ମଧୁ ସମାନ ନୁହନ୍ତି ।

 

ସେ କେବଳ ବଦଳି ନାହିଁ, ସହର ହୋଇ ଯିବାପାଇଁ ଗାଁମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଛି ଯେପରି । ଏହି ପ୍ରତିଯୋଗିତାରେ ହାରିଯାଇ ପଛରେ ପଡ଼ିରହୁଛି ସରଳ ନିରୀହ ସାଧାରଣ ମଣିଷ ।

 

ମଧୁ କିନ୍ତୁ ଜୀବନରେ ହାର ମାନିଲା ନାହିଁ ବୋଲି ସିନା ଚାଲିଆସିଲା ସହରକୁ । ସହର ତାକୁ ଜୀବନ ଦେଇନି, ଦେଇଛି କେବଳ ବଞ୍ଚିବାର ଏକ ଅବଲମ୍ବନ ।

 

କିନ୍ତୁ ଘର ଖଣ୍ଡିକ ନ ହେଲେ କେଉଁଠି ମୁଣ୍ଡ ଗୁଞ୍ଜିବେ ପିଲାମାନେ ?

 

ବିନୋବାଙ୍କ କଥା ମନେପଡ଼ିଲା ମଧୁର । ଏଇ ଦେଶ ଏତେବଡ଼ ଯେ ଏଥିରେ ଦୁଃଖୀ, ରଙ୍କୀ, ଧନୀ, ନିର୍ଦ୍ଧନ ସମସ୍ତଙ୍କପାଇଁ ସ୍ଥାନ ଅଛି । ଯେଉଁମାନେ ଥିଲାବାଲା ନ ଥିଲାବାଲାଙ୍କୁ ଦୟାକରି ନୁହେଁ, ଭୁଲି ଯାଇଥିବା କର୍ତ୍ତବ୍ୟ ପୂର୍ଣ୍ଣ କରିବାପାଇଁ ଦିଅନ୍ତୁ ।

 

କିଏ ଦବ ଘର ଡିହ ଖଣ୍ଡକ ?

 

ମଧୁ ଆଉ ଭାବି ପାରିଲା ନାହିଁ ।

 

ରାତି ବେଶୀ ହେଉଥିଲା । ପିଲାମାନେ ପଖାଳ ମୁଠିଏ ଖାଇ ଶୋଇ ଗଲେଣି । ସେ ଶୋଇ ପାରୁନାହିଁ । ମାଳତୀ ନ ଫେରିବାଯାଏ ସେ ଶୋଇପାରିବ ନାହିଁ ।

 

ଆକାଶକୁ ଚାହିଁଲା କ୍ଷଣି ବର୍ଣ୍ଣବୋଧରେ ପିଲାଦିନେ ପଢ଼ିଥିବା କବିତାଟି ମନେପଡ଼ିଗଲା । ଗୁଣୁ ଗୁଣୁହୋଇ ସୁର ଧରିଲା ମଧୁ ।

 

ଆକାଶ ଦିଶେ କି ସୁନ୍ଦର

ତାହାକୁ ରଚିଲେ ଈଶ୍ୱର ।

 

ସବୁ ଈଶ୍ୱରଙ୍କ ରଚନା । ଏହି ସବୁ ତାଙ୍କର ଖେଳ । ସେ ନ ଚାହିଁଲେ ଗଛରେ ପତର ଖଣ୍ଡେ ବି ହଲିବ ନାହିଁ । ଅସହାୟ ମଣିଷର ଦୁଃଖ ଦେଖି ସେବି ବୋଧହୁଏ ଆଉ ସହି ପାରୁନାହାନ୍ତି । ସେଇଥିପାଇଁ ଜଣଜଣଙ୍କ ମୁହଁରେ ଗରିବଙ୍କ କଥା ଶୁଣାନ୍ତି ।

 

ସେ ବି ବହୁତ ଶୁଣିଲାଣି । କଥା ଆଉ କାମ ଭିତରେ ଫରକ୍ ଏତେ ଯେ ତା’ପରି ଅତି ସାଧାରଣ ମଣିଷ ଥଳକୂଳ ପାଉନାହିଁ ।

 

ତାକୁ ବାହାହେଲା ପରେ ମାଳତୀ କେବଳ ଗୋଟିଏ ଅଳି କରିଥିଲା-

 

ନିଜର ଘର ଖଣ୍ଡେ କରିବନା ?

 

-ହଁ...

 

ଆତ୍ମପ୍ରତ୍ୟୟ ପ୍ରକାଶପାଇଥିଲା ତା’ର ଛୋଟ ଉତ୍ତରରେ ।

 

ମାଳତୀକୁ ଦେଇଥିବା ସେଇ ପ୍ରତିଶ୍ରୁତି ପୁରୁଣା ହୋଇଗଲେ ବି ପୂର୍ଣ୍ଣ ହୋଇନି । ତାକୁ କାର୍ଯ୍ୟରେ ପରିଣତ କରିନି ମଧୁ ।

 

କାଲି ସକାଳ ହେଲେ ପୁଣି ପିଆଦା ଆସିବ, ଘର ଖଣ୍ଡକ ଭାଙ୍ଗି ଦେଇ ସରକାରୀ ଜାଗା ଖାଲି କରିଦେବାପାଇଁ ଜିଗର କରିବ ।

 

ଏତେ କଷ୍ଟରେ ଯେଉଁ ଘର ଖଣ୍ଡିକ ଗଢ଼ିଥିଲା, ଭାଙ୍ଗି ଦବାପାଇଁ ଟିକିଏ ମେହେନତ୍ ଲୋଡ଼ା ହେବ ଖାଲି । ଗଢ଼ିବାର ଆନନ୍ଦ ଭାଙ୍ଗିବାରେ ନ ଥାଏ । ଆନନ୍ଦ ପାଇବ ବୋଲି ସିନା ମଣିଷ କଷ୍ଟ କରେ !

 

ସେ ସବୁ କଷ୍ଟ ସହିବାପାଇଁ ପ୍ରସ୍ତୁତ ଥିଲା । କୁଲିଗିରି କରି ସଂସାର ଚଳେଇ ହୁଏ ନାହିଁ-। ଭୋକ ଓପାସରେ ରହି ସେ ଚଳିଯାଉଥିଲା । ମାଳତୀର ଛପି ରହିଥିବା ଚେହେରାଟିକୁ ଦେଖିଲେ ମନ ଭିତରଟା ଗୋଳେଇ ଘାଣ୍ଟି ହୁଏ, ପିଲା ଦୁଇଟାର ଶୁଖିଲା ମୁହଁ ଦେଖିଲେ ଆଖି ଓଦା ହୁଏ ।

 

ସେ ଲଢ଼ିବ, ଲଗାମ ଛାଡ଼ିଦେଇ ଓହରି ଯିବ ନାହିଁ । ସାଧାରଣ ମଣିଷ ସଂଗ୍ରାମ ଭିତରେ ବଞ୍ଚେ । ମଝିରେ ମଝିରେ ଅସାଧାରଣ ଆସି ସାଧାରଣ ମଣିଷର ସୁଖ ସୁବିଧା କରିଦିଏ । ପୁରାଣ କଥା ମିଛ ହେବ ନାହିଁ । ନିଃସହାୟକୁ ସହାୟ ହବାପାଇଁ ନିଶ୍ଚୟ କିଏ ଆସିବ ।

 

ଯୁଗ ଯୁଗର ବିଶ୍ୱାସ ଏତେ ଦୁଃଖରେ ବି ମରିଯାଇ ନାହିଁ ଏ ଦେଶର ମଣିଷ ମନରୁ । ସେ ଅପେକ୍ଷା କରିଛି ଅସରନ୍ତି ଧୈର୍ଯ୍ୟ ନେଇ ଏବଂ ଅକଳନ୍ତି ଆଶା ନେଇ ।

 

ବହୁତ ରାତିରେ ମାଳତୀ ଫେରିଲା କିନ୍ତୁ ।

 

ତୋ ହାତରେ ଗୋଟିଏ ଗଣ୍ଠିଲି।

 

ସେ ପଚାରିବା ଆଗରୁ ମୁହଁ ଉପରେ ହସ ଖେଳାଇ ପଚାରିଲା ସେ- ପିଲାମାନେ ଶୋଇଲେଣି ?

 

-ହଁ, ଏତେ ରାତି ହେଲାଣି ।

 

-ତୁମେ ତ ଚାହିଁଛ ! ମାଳତୀର ଆଖିରେ କୌତୁକର ଝଲକ ।

 

-ତୋହରି ଫେରିବା ପଥକୁ ଅନିସା କରିଛି । ଶୋଇପାରିଲି ନାହିଁ ।

 

ଖୁସି ହୋଇଗଲା ମାଳତୀ । ତା’ ପାଇଁ ଅନିସା କରିବାପାଇଁ ଜଣେ ଅଛି, ତା’ର ଫେରିବା ପଥକୁ ଅନାଇଁ ଅପେକ୍ଷା କରିବାପାଇଁ ଜଣେ ଅଛି । ସେ ତା’ ହେଲେ ଏକା ନୁହେଁ । ସାଙ୍ଗ ଥିଲେ ଚାଲିବା ସହଜ ହୁଏ ।

 

ମାଳତୀ କହିଲା- ଆସ, ଖାଇନିଅ ଆଗ, ତା’ ପରେ ଗପିବ ।

 

-ତୁ ଖାଇବୁ ନାହିଁ ?

 

-ନା, ଖାଇ ଆସିଛି । ପେଟ ପୂରେଇ ଖାଇଛି । ମେମ୍ ସାହେବଙ୍କ ମନ ବଡ଼ । ନିଜେ ଦିଆ କରେଇଲେ ।

 

-ମଣିଷ ଭିତରେ ମାଆର ମନ ଥିଲେ ସେ ସହଜରେ ଦେଇପାରେ ମାଳ !

 

-ପୁରୁଷ ତମେ । ମାଆ କିନ୍ତୁ ହୋଇପାରିବ ନାହିଁ । ହସି ଦେଇ କହିଲା ମାଳତୀ ।

 

ପତର ପାଖରେ ବସିପଡ଼ି କହିଲା ମଧୁ...ମାଆ ସିନା ହୋଇ ପାରିନାହିଁ ଲୋ, ମାଆର ମନ ଦେଇ ଦେଖିବାପାଇଁ କିଏ ମନା କରୁଛି ?

 

-ଏଥର ହାର ମାନିଲ ତ ? କହିଲା ମାଳତୀ ।

 

କାନିକାରୁ ଗୁଣ୍ଡାଏ ପାଟିରେ ଭର୍ତ୍ତି କରିବା ଆଗରୁ କହିଲା ମଧୁ- ମାନିଲି, ବାପ ନୁହେଁ-ମାଆ ବଡ଼ ।

 

ମାଳତୀ ମନ ପୂରେଇ ଭଲ ଭଲ ଜିନିଷ ଖୁଆଇଲା ମଧୁକୁ । ଏତେ ପ୍ରକାର ଖାଇବା ଜିନିଷ...ଏତେ ସୁଆଦିଆ ମହକ-ପେଟ ପାଇଁ ପୁଣି ଏତେ ଆୟୋଜନ ! ସେଥିପାଇଁ ବୋଧେ ଏତେ ଭୋକ ଲାଗେ ବଡ଼ ଲୋକମାନଙ୍କୁ ।

 

ଖାଇସାରି ମୁହଁ ଧୋଇ ମସିଣା ଉପରେ ଶୋଇପଡ଼ି କହିଲା ମଧୁ- ଏଇ କୁଡ଼ିଆ ଭିତରେ ଆଜି ରାତିଟା ସୁଖରେ କଟୁ ଭଗବାନ ! ରାତି ପାହିଲେ କଅଣ ହବ କିଏ ଜାଣେ ?

 

ଅଇଁଠା ଉଠାଇ ସବୁ ସଫା କରୁଥିଲା ମାଳତୀ । ଚମକି ପଡ଼ି ପଚାରି ଦେଲା- କାଲି ପୁଣି ପିଆଦା ଆସିବ ?

 

-ହଁ, ଧମକ ଦେଇ ଯାଇଥିଲା ତ !

 

-ଆସୁ- ଡରୁଛ କାହିଁକି ? ଶୋଇପଡ଼ । ଆଶ୍ୱାସନା ଦେଲା ମାଳତୀ ।

 

ହେଲେ ଆସ୍ୱସ୍ତ ହୋଇପାରୁ ନ ଥିଲା ମଧୁ । ମାଳତୀର ଏତେ ବୁଦ୍ଧି କାହିଁ ସେ ଯେ ବୁଝିବ ଏତେ ଜଟିଳ ଦୁନିଆଁର କଥା ।

 

ଘର ସଫାକରି, କବାଟ ବନ୍ଦ କରି, ତା’ ପାଖକୁ ପାଖକୁ ଲାଗି ଆସି କହିଲା ମାଳତୀ- ଶୁଣିଲଣି ?

 

-କହୁନୁ ।

 

-ତୁମେ ଚିନ୍ତା କରନା ।

 

-କଉଁ କଥା କହୁଛୁ ଯେ ?

 

-ଏଇ ଘରଡିହ କଥା ମ !

 

-କାଲି ଉଠେଇଦବ କହିଛି । ଚିନ୍ତା କରିବିନି ? ଟିକିଏ ବିରକ୍ତ ହୋଇ କହିଲା ମଧୁ ।

 

-ଆଉ ଉଠେଇ ପାରିବନି ଯେ ! ଉପରୁ ଅର୍ଡ଼ର ଆସିଛି ।

 

-କିଏ କହିଲା ତୋତେ ?

 

-ବଡ଼ ସାହେବଙ୍କ ଘରେ ଶୁଣିଲି ।

 

-କିଏ କହିଲା-ବଡ଼ସାହେବ ?

 

-ଏଇ ତୁମର ବୁଦ୍ଧି ? ବଡ଼ସାହେବ ମୋତେ ବସେଇ କୁହନ୍ତେ, ନା ?

 

ଶୁଣିବାପାଇଁ ଆଗ୍ରହ ଉଠୁଥିଲା ମଧୁର । ଉଠି ବସି ସେ କହିଲା- ଉଛୁର କରନା, ଜଲ୍‌ଦି କହିପକା ।

 

-ତାଙ୍କ ରୋଷ ଘରେ ପରା ବାବୁମାନେ ଆଲୋଚନା କରୁଥିଲେ । ଯେଉଁମାନଙ୍କର ଘରଡିହ ନାହିଁ ସେମାନଙ୍କୁ ଘରଡିହ ମିଳିବ । ସରକାରୀ ଜମିରେ ବସତି ବାନ୍ଧିଥିଲେ ପଟ୍ଟା ମିଳିଯିବ-

 

ମଧୁ ନୂଆ କଥା ଶୁଣୁଥିଲା ।

 

ହୁଏତ ତାହାର ପରି ଶହ ଶହ ହଜାର ହଜାର ମଣିଷ ଇମିତି ନୂଆ କଥା ଶୁଣିଥିବେ ।

 

ଏଇ ଦେଶକୁ ନିଜର ଭାବି ଯେଉଁ କୋଟି କୋଟି ଲୋକ ନିଜର ରକ୍ତ ଆଣି କରି ଖଟନ୍ତି ପ୍ରତିଦିନ, ସେଇମାନଙ୍କର କଥା ତା’ହେଲେ ଭଗବାନ ଶୁଣିଲେ ।

 

ଧର୍ମ ଅଛି ।

 

ଚନ୍ଦ୍ର ସୂର୍ଯ୍ୟ ଅଛନ୍ତି ।

 

ପବନ ବହୁଛି ।

 

ନଦୀର ପାଣି ଶୁଖି ଯାଇନାହିଁ ।

 

ମଧୁ ଭାବିଲା, କେବଳ ତା’ କଥା ସେ ନିଜେ ଭାବୁ ନାହିଁ, ଅନ୍ୟ ଲୋକ ବି ଭାବୁଛନ୍ତି ।

 

ସେ ଖୁସି ହୋଇଯାଇ କହିଲା- ତା’ହାଲେ ଆମ କଥା ବଡ଼ ବଡ଼ମାନେ ଭାବନ୍ତିଲୋ ମାଳତୀ !

 

-ହଁ ନିଶ୍ଚୟ ଭାବିନ୍ତି । ଦେଖୁନ କାଲି ସକାଳ ହେଲେ ଆମେ ତ ପୁଣି ଘର ଭାଙ୍ଗି ପଳେଇ ଯାଇ ଥାଆନ୍ତେ ।

 

-କିନ୍ତୁ ? ନିଃସନ୍ଦେହ ହୋଇ ନ ପାରି କହିଲା ମଧୁ ।

 

-କିନ୍ତୁ ଆଉ କଅଣ ? ସେମାନେ କହୁଥିଲେ କଅଣ ଜାଣ-ଯିଏ ଯେଉଁଠି ଅଛି ସେଇଠି ରହିବ । ତାକୁ ବେଦଖଲି କରାଯିବ ନାହିଁ । ଅନ୍ୟ ଜାଗାରେ ଜମି ଦେଲେ ସେ ସେଇଠିକୁ ଉଠିଯିବ-

 

-ବାଃ ବା, ବେଶ୍ ଭଲ କଥା ଲୋ ମାଳତୀ ! ଇଏତ ଆମର ପୂର୍ବ ପୁରୁଷର ଭିଟାମାଟି ନୁହେଁ, ଯେ ମୁହଁମାଡ଼ି ପଡ଼ି ରହନ୍ତୁ ସବୁଦିନ- ଡିହ ଖଣ୍ଡେ ମିଳିଗଲେ ଉଠିଯିବାପାଇଁ ତର ସହିବ ନାହିଁ ।

 

ମାଳତୀର ଆଖିର ଆଲୁଅରେ ଆଉ ମଧୁର ମନର ମହକରେ ଷ୍ଟେସନ ପାଖରେ ସେଇ ନୂଆଣିଆ ଛୋଟ ଚାଳଘର ଭିତରେ ରଥଯାତ୍ରାର ହସଖୁସି ଲହଡ଼ି ଭାଙ୍ଗୁଥିଲା ।

Image

 

ମଧୁ ଦୃଷ୍ଟି

 

ରାଶି ରାଶି ଅନ୍ଧକାର ଘେରି ରହିଥିଲା ସଂକେତକୁ । ତଥାପି ସେ ବଞ୍ଚିବାପାଇଁ ଚାହୁଁଥିଲା । ସେ କାମନା କରୁଥିଲା ଅନ୍ଧକାର ଅତିକ୍ରମ କରି ଆଲୋକକୁ ଯିବାପାଇଁ, ବଞ୍ଚିବାର ଆନନ୍ଦ ଟିକକ ଚାଖିବାପାଇଁ ।

 

ଏଇ ଆଲୋକ ଟିକକ ହଠାତ୍ ଦିନେ ନିଭି ଯାଇଥିଲା ତା’ର ଚାରିପାଖରୁ । ସରିଯାଇଥିଲା ଆନନ୍ଦର ସରାଗ ।

 

ଆଲୋକ ପଥର ଯାତ୍ରୀ ହବାପାଇଁ କେତେଯୁଗର ସପସ୍ୟା ପରେ ସେ ଜନ୍ମ ନେଇଥିଲା ଧରଣୀରେ । କିନ୍ତୁ ଆଲୋକରେ ଯାତ୍ରା କରିବାର ଆନନ୍ଦ ଟିକକୁ ଅଙ୍ଗେ ଅଙ୍ଗେ ବୋଳିହବା ଆଗରୁ ଏହି ଆଲୋକିତ ପୃଥିବୀରେ ଏତେ ଅନ୍ଧକାର ତାକୁ ନିଶ୍ଚିହ୍ନ କରିଦେବାପାଇଁ ଧାଇଁ ଆସିଲା କେଉଁଠାରୁ !

 

କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରେନାହିଁ, ତଥାପି କେବଳ ଭାବି ଚାଲେ ସଂକେତ ।

 

ପନ୍ଦର ବର୍ଷ ତଳେ ସାମନ୍ତ ଚନ୍ଦ୍ରଶେଖର, କଲେଜରେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲାବେଳେ ହଠାତ୍ ସେ ଅନୁଭବ କଲା, ତା’ ଆଖିର ଜ୍ୟୋତି ନିଷ୍ପ୍ରଭ ହୋଇ ଆସୁଛି । ବିସ୍ମୟ ବିମୂଢ଼ହୋଇ ଧାଇଁଲା ସେ ଚିକିତ୍ସକମାନଙ୍କ ପାଖକୁ । ସମସ୍ତ ଚିକିତ୍ସକଙ୍କ ପ୍ରଯତ୍ନ ଏବଂ ସବୁ ଚିକିତ୍ସା ପଦ୍ଧତିକୁ ଅସାର ପ୍ରମାଣିତ କରି, ଦିନେ ମଧ୍ୟାହ୍ନର ରୌଦ୍ରଦୀପ୍ତ ଧରଣୀରେ ହଠାତ୍ ଚକ୍ଷୁର ସମସ୍ତ ଜ୍ୟୋତି ହରାଇ ଅନ୍ଧ ହୋଇଗଲା ସଂକେତ ।

 

ସେଦିନ ସେ କାନ୍ଦି ନ ଥିଲା, କାତର ହୋଇ ଦେବତା ପାଖରେ ମଥା ପିଟି ନ ଥିଲା । କେବଳ ମଣିଷ ଜୀବନର ସଞ୍ଚିତ ସ୍ନେହସୁଧା ଟିକକୁ ପାଥେୟ କରି ଆଗାମୀ ଜୀବନର ଆହ୍ୱାନକୁ ମୁକାବିଲା କରିବାପାଇଁ ପ୍ରତିଜ୍ଞା କରିଥିଲା ।

 

ସେଦିନର କଥା ଭାବିଲେ ଆଜି ବି ବିସ୍ମୟରେ ସଂକେତ ଅବାକ୍ ହୋଇଯାଏ । ଏତେଶୀଘ୍ର ସେ ଜୀବନରେ ଏତେବଡ଼ ଆଘାତ ଏବଂ ନିଷ୍ଠୁରତାକୁ ସହିଗଲା କିପରି ? ଆଜି ସବୁ ଦେହସୁହା ହୋଇଯାଇଛି ।

 

ଦୃଷ୍ଟିହୀନ ହେବା ପରେ ପରେ ସୁଖ ଓ ସମ୍ପଦର ସାଥୀ ହୋଇ ଯେଉଁମାନେ ଆସିଥିଲେ, ଜଣ ଜଣ କରି ଅନ୍ତର ହୋଇଗଲେ ତା’ର ଚଲାପଥ ଉପରୁ ।

 

ଦୀର୍ଘପଥ ଏକାକୀ ଚାଲିବାପାଇଁ ଶପଥ ନେଇଥିଲା ସଂକେତ ।

 

ରାଶି ରାଶି ଅନ୍ଧକାର ମଧ୍ୟରେ ବେଳେବେଳେ ବିଜୁଳି ଆଲୋକର ବିନ୍ଦୁଏ ଉଜ୍ଜ୍ୱଳତା ଥରେ ଥରେ ଅନୁଭବ କରେ ସେ । ସେହି ବିନ୍ଦୁଏ ଉଜ୍ଜ୍ୱଳତାକୁ ଧରି ରଖିବାପାଇଁ ପାଗଳ ପରି ତା’ ପଛେ ପଛେ ଗୋଡ଼ାଏ ଏବଂ ଯେତେବେଳେ କ୍ଳାନ୍ତ ଓ ଘର୍ମାକ୍ତ ହୋଇପଡ଼ିଯାଏ, ସେତେବେଳେ ଆଉ ସେହି ଟିକକ ଜ୍ୟୋତି ବି ଉଦୟ ହୁଏନା ଆଗରେ ।

 

ଭୟଙ୍କର ଏକ ଶିଥିଳତା ନେଇ ମାଡ଼ିଆସେ ରାଶି ରାଶିନିଷ୍ପ୍ରାଣ ଅନ୍ଧକାର ।

 

ଶ୍ରଦ୍ଧା ବି ଶେଷରେ ତାକୁ ଛାଡ଼ି ଚାଲିଗଲା ତା’ହେଲେ !

 

ଯେଉଁ ଜଣକ ଉପରେ ଆଜୀବନ ଭରସା ରଖି ଆସିଥିଲା ସଂକେତ, ସେ ବି ଆଉ ଦେଖାଗଲା ନାହିଁ ତା’ ଆଗରେ ।

 

ତା’ହେଲେ ଶ୍ରଦ୍ଧା ବି ତାକୁ ଶେଷରେ ଏକାକୀ ଛାଡ଼ି ଦେଇ ଚାଲିଗଲା !

 

ସେଇ ଜଣକୁ ଦେଖି, ତା’ ମୁହଁରୁ ସାନ୍ତ୍ୱନା ଓ ସାହସ ପାଇ ସେ ବଳ ପାଉଥିଲା ଜୀବନ-ଯୁଦ୍ଧରେ ଜୟୀ ହେବାପାଇଁ । ଆଖିରେ ନ ଦେଖୁ, କାନରେ ତା’ର ସପ୍ତରାଗର ମଧୁବୋଳା କଥା କେଇ ପଦ ଶୁଣୁଥିଲା । ଦେହର ପରଶରେ ବିଜୁଳିର ଚମକ ଅନୁଭବ କରୁଥିଲା ।

 

ସେ ଶେଷରେ ତା’ହେଲେ ତାକୁ ଏତେ ବଡ଼ ଅନ୍ଧକାର ପୃଥିବୀରେ ଛାଡ଼ିଦେଇ ଚାଲିଗଲା ।

 

ଏକାକୀ ଅନ୍ୟ ଉପରେ ନିର୍ଭରଶୀଳ ଜୀବନ କିପରି ଅନାକାଙ୍‌କ୍ଷିତ, ତାହା ସେ ବେଳେବେଳେ ଉପଲବ୍ଧି କରୁଥିଲା । ସେଇ ନିର୍ଜନତା ମଧ୍ୟରେ ନିଃସହାୟ ସଂକେତ ଟିକିଏ ସହାୟତା, ଚେନାଏ ସମବେଦନାପାଇଁ ବେଳେବେଳେ ହାତ ପତାଉଥିଲା, ଅନ୍ତର ଖୋଲି ନିବେଦନ କରୁଥିଲା ।

 

ଆଜି ସେ ଏକା ।

 

ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ିଲା ସଂକେତ ।

 

ସମୁଦ୍ର ବେଳେବେଳେ ବେଳାଭୂମି ଲଙ୍ଘି ନ ପାରି ଗୁମୁରି ଗୁମୁରି କାନ୍ଦେ । ଅବ୍ୟକ୍ତ, ଭାଷାହୀନ ସର୍ବବ୍ୟାପକ ସେହି କ୍ରନ୍ଦନ । ମୁକ୍ତିପାଇଁ କି ଅପ୍ରାଣ ପ୍ରଚେଷ୍ଟା, ସୀମା ଲଙ୍ଘନ କରି ଉଛୁର ପଡ଼ିବାପାଇଁ କି ବିପୁଳ ପ୍ରୟାସ !

 

ସେହିପରି ନିଜ ଭିତରେ ନିଜେ ବନ୍ଦୀ ହୋଇ ନିଜର ଆଲୋକିତ ଦିଦ୍‌ବଳୟକୁ ରାଶି ରାଶି ଅନ୍ଧକାର ଭିତରେ ନିମଜ୍ଜିତ ହେବାର ଦେଖି ବେଳେବେଳେ ଗୁମୁରି ଉଠେ, ଆର୍ତ୍ତନାଦ କରେ ସଂକେତ ।

 

ତଥାପି ସେ ହାରିଯିବାପାଇଁ ଚାହେନା ।

 

ପଡ଼ିଯାଇ ଉଠି ବସେ ପୁଣି ।

 

ଶ୍ରଦ୍ଧା ଯଦି ଥାଆନ୍ତା ପାଖରେ !

 

ଅଥଚ ତାକୁ ଯୁଗ ଯୁଗ ଧରି ସାନ୍ନିଧ୍ୟ ଓ ସଙ୍ଗ ଦେବାପାଇଁ ସେ ପ୍ରତିଜ୍ଞା କରିଥିଲା ନା ଦେବାଳୟରେ ?

 

ମଣିଷ ସବୁ ଭୁଲିଯାଏ ।

 

ଶ୍ରଦ୍ଧା ଏତେଶୀଘ୍ର ତାକୁ ଭୁଲିଯିବ, ଏହା କିନ୍ତୁ କଳ୍ପନା କରି ନ ଥିଲା ସଂକେତ ।

 

କେତେଥର ତା’ର ମୁହଁ ଉପରେ ହାତ ବୁଲାଇ, ଆଖି ପତା ଉପରେ ଜମି ଉଠୁଥିବା ଝାଳକୁ ପଣତରେ ପୋଛି ନେଇ, ଦେହରେ ଏଣେତେଣେ ଲାଗିଥିବା ଧୂଳିକୁ ଝାଡ଼ିଦେଇ, ତା’ର ହାତଟିକୁ ଟାଣିନେଇ ଏପାଖ ସେପାଖ କରୁଥିଲା । ପୁଣି ସଂକେତର ଆଙ୍ଗୁଳିଗୁଡ଼ାକୁ ନେଇ କେତେବେଳେ ଚିବୁକରେ ତ କେତେବେଳେ କଣ୍ଠରେ ବା କପୋଳରେ ଚାପି ଧରି ଗୁଞ୍ଜରି ଉଠିଥିଲା- ‘ତୁମେ ଭଲ ହୋଇଯିବ ସଂକେତ, ସାହାସ ହରାଅ ନାହିଁ, ଆଶା ଟିକକୁ ଜୀଆଇ ରଖ ।’

 

ମଣିଷର ଅସରନ୍ତି ଆଶାକୁ ମନେ ପ୍ରାଣେ ବେଶ୍ ହୃଦୟତାର ସହିତ ଲାଳନ କରିଥିଲା ସଂକେତ ।

 

ଶ୍ରଦ୍ଧାର ଟଣା ଟଣା ଭୁରୁ, ମଥା ଭର୍ତ୍ତି ଘନ କୃଷ୍ଣକେଶ, ଉନ୍ନତ ନାସା ଓ ସଫା ଦାନ୍ତ ଦେଖି ମୁଗ୍‌ଧ ହେଉଥିଲା ସେ । ତା’ର ଉଚ୍ଚତା ଏବଂ ଛାତିର ସ୍ଫିତି, ଦେହର ରଙ୍ଗ ଏବଂ ସର୍ବୋପରି ତା’ର ସାନ୍ନିଧ୍ୟର ସୁବାସ ତାକୁ ମୋହିତ କରୁଥିଲା । ଆଜି ସେସବୁ କେବଳ ସ୍ମୃତିର ବସ୍ତୁ ହୋଇ ରହିଛି ।

 

ସେତେବେଳେ ସଂକେତ ନୂଆ ହୋଇ ପେଣ୍ଟିଂ କରୁଥିଲା, ବେତା’ର ନାଟକ ରଚନା କରୁଥିଲା । ମନେଅଛି, ତା’ର ପ୍ରତ୍ୟେକ ପେଣ୍ଟିଂକୁ ଶ୍ରଦ୍ଧା ଦେଖୁଥିଲା ଅସୀମ ଆଗ୍ରହରେ । କଳାର ଭାବକୁ ଉପଲବ୍ଧି କରୁଥିଲା ମୁକୁଳିତ ହୃଦୟରେ । ବେତା’ର ନାଟକଟି ରଚିତ ହୋଇଗଲା ପରେ ନିଜେ ନାୟିକା ହୋଇ ଅଭିନୟ କରୁଥିଲା ସଂଳାପଗୁଡ଼ିକର କ୍ରୀୟାଶୀଳତା ପରଖି ନେବାପାଇଁ । ଦୁହେଁ କେତେଥର ଅଂଶ ଗ୍ରହଣ କରିଥିଲେ ଚରିତ୍ରଗୁଡ଼ିକୁ ଅଧିକ ଜୀବନ୍ତ, ଅଧିକ ହୃଦୟଗ୍ରାହୀ କରିବାପାଇଁ । ଆଜିକାଲି ଯେ ପେଣ୍ଟିଂ କରୁ ନ ଥିଲା ସଂକେତ ତାହା ନୁହେଁ, ଜୀବନର ଭଲ ଦିଗଟା କେବଳ ଆଗରୁ ଉଦ୍ଭାସିତ ହୋଇଥିଲା ପେଣ୍ଟିଂରେ, ନାଟକରେ । ଜୀବନର କେତେ ଜ୍ୱାଳା, ତାହାର ଅଭାବ, ଅପୂର୍ଣ୍ଣତା ଏବେ ତା’ର ତୁଳୀ ଓ ଲେଖନୀକୁ ମୁଖରିତ କରୁଛି ସମାନ ଭାବରେ ।

 

ଜୀବନ କେବଳ ଗୋଲାପ ଫୁଲ ନୁହେଁ ।

 

ଗୋଲାପ ଫୁଲକୁ ଧାରଣ କରିବାପାଇଁ ହେଲେ ତାହାର କଣ୍ଟା ଅଙ୍ଗରେ ଲାଗିଯିବ ବୋଲି ଭୟ କଲେ ଚଳିବ ନାହିଁ ।

 

ସେଇଥିପାଇଁ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଲାଗି ପ୍ରସ୍ତୁତ ହୋଇଥିଲା ସଂକେତ ।

 

ଭୁବନେଶ୍ୱରରେ ଅନ୍ଧମାନଙ୍କ ବିଦ୍ୟାଳୟର ଅଧ୍ୟକ୍ଷ ହୋଇଥିଲା ସଂକେତ । ବିଦ୍ୟାଳୟ-ଭର୍ତ୍ତି ଅନ୍ଧ ଛାତ୍ରମାନଙ୍କ ସମାବେଶରେ ଯେ ଆନନ୍ଦ ଓ ଆଲୋକର ସ୍ନିଗ୍ଧ ମାଧୁର୍ଯ୍ୟ ଉପଲବ୍ଧି କରିବାପାଇଁ ଚେଷ୍ଟାକରେ । ସେ ଆଲୋକର ମହୋତ୍ସବ, ଶିଶୁର ହସ, କିଶୋରର ଚପଳତା, ଯୌବନର ଦୀପ୍ତି, ପ୍ରୌଢ଼ର ପ୍ରଜ୍ଞା ଏବଂ ବୁଦ୍ଧିର ସମର୍ପଣ ଦେଖିଛି । ରଙ୍ଗର ବୈଭବ, ସଙ୍ଗର ମଧୁରତା ପାଇଛି । କିନ୍ତୁ ଯେଉଁ ପିଲାମାନରେ ଆଜନ୍ମ ଅନ୍ଧ ସେମାନେ ତା’ହେଲେ ବଞ୍ଚିତ ହୋଇରହିଲେ ଏହି ବୈଚିତ୍ରମୟୀ ବିପୁଳାର ସୃଷ୍ଟିର ବିଭବକୁ ଅବଲୋକନ କରିବାରୁ । ହୃଦୟର ନିଭୃତ କୋଣରେ ବେଦନା ଅନୁଭବ କରେ ସଂକେତ ।

 

ସବୁଦିନ ପରି ସକାଳେ ଆଜି ବି ବଉଳ ଗଛ ମୂଳର ସିମେଣ୍ଟ ଚଉତରା ଉପରେ ବସିଥିଲା ସେ । ବଉଳ ଗଛକୁ ପ୍ରଦକ୍ଷିଣ କରିଥିଲେ ମଲ୍ଲୀ ଫୁଲର ଗଛମାନେ । ଫଗୁଣର ସବୁ ମହକ ଚୋରି କରି ନେଇ ମହକି ଉଠୁଥିଲେ ସକାଳର ମଲ୍ଲୀଫୁଲ ଓ ଆମ୍ବ ଗଛର ବଉଳମାନେ । ସେମାନଙ୍କର ସୁବାସ ସ୍ପର୍ଶ କରୁଥିଲା ତା’ର ଅନ୍ତରକୁ ।

 

ଅତୀତର ସୌନ୍ଦର୍ଯ୍ୟ ଥିଲା ଏହି ଫୁଟନ୍ତା ଫୁଲମାନଙ୍କ ପରି । ସେ ମୁଗ୍‌ଧ ମୋହିତହୋଇ ଅନାଉଥିଲା ଅତୀତକୁ ।

 

X

X

X

X

X

 

ଶ୍ରଦ୍ଧା ଭୁବନେଶ୍ୱରର ଅନ୍ଧ ବିଦ୍ୟାଳୟକୁ ସ୍ୱାମୀଙ୍କ ସହିତ ପରିଦର୍ଶନ କରିବାକୁ ଆସି କୋହରେ ଭାଙ୍ଗି ପଡ଼ିଲା । ସ୍ୱପ୍ନରେ ସେ କେବେ କଳ୍ପନା କରି ନ ଥିଲା ଏପରି ଦୀନହୀନ ଅବସ୍ଥାରେ ସଂକେତକୁ ଦେଖିବ ବୋଲି । ତାକୁ ସେଠାରେ ଦେଖି, ତା’ର ବିଷର୍ଣ୍ଣ ଦେହ ଉପରେ ଆଖି ପକାଇ, ସେ ପ୍ରଥମେ ସ୍ତବ୍‌ଧ ହୋଇଯାଇଥିଲା । ସ୍ୱାମୀଙ୍କ ସହିତ ଥିବାରୁ ଆଳାପ କରିବାପାଇଁ, ପରିଚୟ ଦେଇ ପୂର୍ବରାଗକୁ ଫେରାଇ ଆଣିବାପାଇଁ ଏବଂ ସଂକେତର ସ୍ୱାଭିମାନୀ ମନଟିକୁ ପୋଛି ଦେବାପାଇଁ ସାହସ ହୋଇ ନ ଥିଲା ମନରେ । ତା’ର ସ୍ୱର ଥରେ ନୁହେଁ, ଦୁଇଥର ଶୁଣି ସଂକେତ ପ୍ରଶ୍ନବାଚୀ ଭାଙ୍ଗୀରେ ତା’ ଆଡ଼କୁ ମୁହଁ ଫେରାଇ ବୋଧହୁଏ ଆଉକିଛି ଶୁଣି ନ ପାରିବା ବା ଦେଖିବାରୁ ବଞ୍ଚିତ ହୋଇ ଦୀର୍ଘନିଶ୍ୱାସ ପକାଇ ବିସ୍ମୃତି ଗର୍ଭରେ ସେହି ମଧୁର ମହିମାମୟ ପରିଚୟକୁ ହଜାଇ ଦେଲା ପୁଣି । କିନ୍ତୁ ଶ୍ରଦ୍ଧାର ଆଖି ଥିଲା, ସେ ଦିବାଲୋକରେ ସ୍ପଷ୍ଟଭାବରେ ଦେଖିପାରୁଥିଲା ସଂକେତକୁ । ତା’ ପାଖକୁ ଯାଇ ପଦେ କଥା, ଟିକିଏ ମନଛୁଆଁ ପରଶ ଦେଇ କହିପାରିଲା ନାହିଁ- ମୁଁ ଆସିଛି ସଂକେତ !

 

ଛି ଛି, ଏତେ ସ୍ୱାର୍ଥପର ହୋଇଯାଇ ପାରିଲା ସେ ! ନିଜକୁ ବାରମ୍ବାର ସେ ଧିକ୍କାର କଲା । କୋହର ଉଚ୍ଛ୍ୱାସ ଭିତରେ ସେ ଭୁଲିଗଲା ଯେ, ସେ କମିଶନରଙ୍କ ସ୍ତ୍ରୀ, ଦୁଇଟି ସନ୍ତାନର ଜନନୀ ଓ ଗୋଟିଏ ପରିବାରର କର୍ତ୍ତ୍ରୀ । କେବଳ ପ୍ରାଣକୁ ତା’ର ବାରମ୍ବାର ଆଲୋଡ଼ନ କଲା ଅତୀତର ଗୋଟିଏ ଅନନ୍ୟ ପରିଚୟ । ସେ ଥିଲା ଜଣକର ମାନସୀ, କଳ୍ପନାଲୋକର ସାମ୍ରାଜ୍ଞୀ, ସ୍ପର୍ଶଲୋକର ରୋମାଞ୍ଚ । କେବଳ ତା’ର ମନେପଡ଼ୁଥିଲା, ସେ ଥିଲା ସେହି ଅନ୍ଧ ଅଧ୍ୟକ୍ଷର ମାନସ ପ୍ରତିମା, ପ୍ରେମର ଫଲ୍‌ଗୁଧାର ଏବଂ ଯୌବନର ଯାଚନା ।

 

ଆଉ ଯେତିକି ଭାବିଲା ସେତିକି ଫୁଲି ଫୁଲି କାନ୍ଦିଲା ଶ୍ରଦ୍ଧା ।

 

ଗୃହକର୍ମ ସମାପନ କରି ରୌଦ୍ରଦୀପ୍ତ ମଧ୍ୟାହ୍ନର ବହ୍ନିମାନ ଆଲୋକରେ କାଲିର ଭୁଲକୁ ସଂଶୋଧନ କରିବାପାଇଁ ବିଦ୍ୟାଳୟରେ ଯାଇ ପହଞ୍ଚିଗଲା ଶ୍ରଦ୍ଧା ।

 

ସଂକେତ ବିଦ୍ୟାଳୟ ଛୁଟି ହବା ପରେ ନିଜର ପ୍ରକୋଷ୍ଠ ଭିତରେ ବିଶ୍ରାମ କରୁଥିଲା ।

 

ବିଦ୍ୟାଳୟର ପିଅନ ଶ୍ରଦ୍ଧାକୁ ଆଣି ଛାଡ଼ିଦେଇ ଗଲା ସଂକେତର ପ୍ରକୋଷ୍ଠ ଭିତରେ । ସୂଚନା ପାଇ ତରତର ହୋଇ ଉଠି ବସି ନମସ୍କାର ଜଣାଇ ଶ୍ରଦ୍ଧାକୁ ଗୋଟିଏ ଚୌକିରେ ବସିବାପାଇଁ ସବିନୟ ଅନୁରୋଧ ଜଣାଇ କହିଲା । ସଂକେତ-‘‘ଆପଣଙ୍କ ସ୍ୱାମୀ ଆଉ ଆପଣଙ୍କର ଏ ବିଦ୍ୟାଳୟ ପ୍ରତି ଦରଦ ଆମର ଚିରଦିନ ମନେରହିବ । ଆଉଟିକେ ଆଗରୁ ଆସିଥିଲେ ଆପଣଙ୍କୁ ଆନନ୍ଦର ସହିତ ନିଜେ ସବୁ ଶ୍ରେଣୀଗୁଡ଼ିକ ବୁଲେଇ ବୁଲେଇ ଦେଖାଇ ଥାଆନ୍ତି ।’’

 

ଚୌକି ଉପରେ ବସି ସଂକେତକୁ କିପରି ପରିଚୟ ଦବ ସେଇ ବ୍ୟଥାରେ ଆକୁଳିତ ହୋଇ ପଡ଼ୁଥିଲା ଶ୍ରଦ୍ଧା । ଯଥା ସମ୍ଭବ ନିଜର ଉଦ୍‌ଗତ ଅଶ୍ରୁକୁ ଚାପି ରଖି ସେ କହିଲା- ମୋର ସ୍ୱର କେବେ ଶୁଣିବାର ମନେପଡ଼ୁଛି ?

 

ଚମକି ଉଠିଲା ପରି ଦେଖାଗଲା ସଂକେତ । ସେ ଏପାଖ ସେପାଖ ହୋଇ ନିସ୍ତବ୍‌ଧତାକୁ ସଞ୍ଜୀବିତ କରି ଘୋଷଣା କଲା- ନିଜର ନିଶ୍ୱାସ ପରି ଆପଣାର ଅତି ଏକ ପରିଚିତ ସ୍ୱରର ମାଧୁର୍ଯ୍ୟ କାନରେ ଶୁଣି ବି ବିଶ୍ୱାସ କରିପାରୁ ନାହିଁ । ଦୃଷ୍ଟି ତ ନାହିଁ ଦେଖିବାପାଇଁ !

 

ସଂକେତର ଅନୁତାପ-ଦଗ୍ଧ ଉତ୍ତର ଶୁଣି ଆଉ ନିଜକୁ ବଡ଼ ଲୋକୀର ଓଢ଼ଣା ତଳେ ଲୁଚାଇ ରଖିପାରିଲା ନାହିଁ ଶ୍ରଦ୍ଧା । ସେ କମ୍ପିତ କଣ୍ଠରେ ଭଙ୍ଗା ଭଙ୍ଗା ଭାଷାରେ କହିଲା- ମୋତେ ଚିହ୍ନି ପାରୁନ ସଂକେତ ?

 

ଗଭୀର ନୈରାଶ୍ୟ ମଧ୍ୟରେ ଚେନାଏ ଆଶା ପାଇଲେ ମଣିଷ ଯେତିକି ଉଲ୍ଲସିତ, ଉଦ୍ଭାସିତ ହୁଏ, ସେହିପରି ଉଲ୍ଲସିତ ହୋଇ ଉଠିଲା ସଂକେତ । ସେ ଏଥିର ନିଃସନ୍ଦେହ ହୋଇଗଲା, କିଏ ଆସିଛି ତା’ ପାଖକୁ । ଉଚ୍ଛ୍ୱସିତ କଣ୍ଠରେ କହିଲା ସେ- ଏତେଦିନ ପରେ ଆସିଲ ଶ୍ରଦ୍ଧା ! ଏତେଦିନ ପରେ ମନେପଡ଼ିଲା... ?

 

ଆହୁରି କଅଣ କହିଥାଆନ୍ତା ସଂକେତ କିନ୍ତୁ କଣ୍ଠ ତା’ର ଭରି ଆସୁଥିଲା ।

 

ଶ୍ରଦ୍ଧା ସହସା କିଛି ଉତ୍ତର ଦେଇପାରି ନ ଥିଲା । ସେ ସଂକେତକୁ ସାନ୍ତ୍ୱନା ଦେବାକୁ ଯାଇ ନିଜକୁ ସାନ୍ତ୍ୱନା ଦେବାପରି ସ୍ୱଗତୋକ୍ତି କଲା- ଏତେଦିନ ଏହିପରି ସ୍ନେହକାଙ୍ଗାଳ ନିଃସହାୟ ଲୋକଟିକୁ ଜନାକୀର୍ଣ୍ଣ ପୃଥିବୀରେ ଏକାକୀ ପଥ ଚାଲିବାପାଇଁ ଛାଡ଼ିଦେଇ ନିଜ ପଥରେ ଆଗେଇ ଯାଇ ପାରିଲି ।

ସଂକେତ ବଦଳି ଯାଇ ନାହିଁ ।

ଆଜି ବି ଲକ୍ଷ କଲା ଶ୍ରଦ୍ଧା, ତା’ର ଦୃଷ୍ଟିହୀନ ଆଖିରେ ଆକୃତି, ତା’ର ସାନ୍ନିଧ୍ୟ ପାଇ ଉଜ୍ୱଳି ଉଛୁଳି ଉଠିଥିବା ମୁଖର ମନଛୁଆ ଲାବଣ୍ୟ ।

କିନ୍ତୁ ସେ ତା’ହେଲେ ଏତେ ବଦଳିଗଲା କାହିଁକି ?

ସ୍ୱାର୍ଥପର ହୋଇଗଲା ନିଜର ସୁଖ ଟିକକୁ ସଞ୍ଚୟ କରିବାପାଇଁ ?

ସେ ଏକ ସମୟରେ ଧୀରେ ଧୀରେ ସଂକେତର ଗୋଟିଏ ହାତ ଟାଣିନେଇ କହିଲା- ମୋତେ କ୍ଷମା କରିବ ନାହିଁ ସଂକେତ ?

ତା’ର କମ୍ପିତ କଣ୍ଠରେ ଆନ୍ତରିକତାର ଅଭାବ ନ ଥିଲା ।

ଏଭଳି ଅନ୍ତର ଭିଜାଇ କଥା କହେ ଶ୍ରଦ୍ଧା । ପ୍ରାଣର ସବୁ ରସଟିକକ ନିଗାଡ଼ି ଦେଇ ପ୍ରବଣ ହେବାପାଇଁ ସେ ଚେଷ୍ଟାକରେ ।

ସେହି ଐକାନ୍ତିକ ଆନ୍ତରିକ ସ୍ପର୍ଶ ପାଇ ପୁଲକିତ ହେଲା ସଂକେତ । ଦୃଷ୍ଟିହୀନ ହେଲେ ବି ବହୁ ବର୍ଷ ପରେ ଶ୍ରଦ୍ଧାର ସଙ୍ଗ ପାଇ ସେ ତା’ର ପ୍ରତି ଲୋମକୂପ ମୂଳରେ ଏକ ଉଷ୍ମସାନ୍ନିଧ୍ୟ ଅନୁଭବ କଲା । ପ୍ରସନ୍ନତାର ଝଲକରେ ତା’ର ମୁଖମଣ୍ଡଳ ପ୍ରଦୀପ୍ତ ହୋଇଉଠିଲା ।

ସେ ଶ୍ରଦ୍ଧାର ଆଙ୍ଗୁଳିଗୁଡ଼ିକୁ ସ୍ପର୍ଶ କରୁ କରୁ କହିଲା...ତମକୁ ଦେଖିବାପାଇଁ ବଡ଼ ଇଚ୍ଛା ହୁଏ ଶ୍ରଦ୍ଧା...

 

ଶ୍ରଦ୍ଧା ଅବନତ ହୋଇ କହିଲା- କିନ୍ତୁ ମୋ ପ୍ରଶ୍ନର ଉତ୍ତର ଏଡ଼ିଗଲ ଯେ...

 

‘‘ତୁମେ ମୋତେ ବହୁତ ଦେଇଛ । ସବୁଦିନପାଇଁ ମୋ ସଙ୍ଗରେ ରହିପାରିଲ ନାହିଁ ବୋଲି ତୁମକୁ ସ୍ୱାର୍ଥପର କହି ନିଜକୁ ଏତେ ନୀଚ କରିଦେବି ଶ୍ରଦ୍ଧା ? ପୃଥିବୀର ଯନ୍ତ୍ରଣା ପାଇ ମୁଁ ଧନ୍ୟ ହୋଇଛି । ତୁମର ପ୍ରେମ ପାଇ ପୂର୍ଣ୍ଣ ହୋଇଛି । ମୋର ଅଭାବ କିଛି ଦେଖିପାରୁଛ ଶ୍ରଦ୍ଧା ?’’

 

ଏଥର ଶ୍ରଦ୍ଧାର ଆଖି ସତରେ ଭିଜି ଆସିଲା ଉଦ୍‌ଗତ କୋହର ଛିଟାରେ ।

 

ସେ କହିଲା...ତୁମେ ମୋତେ ତଳେ ପକାଇ ଏତେ ଉପରକୁ ଉଠିଗଲ ସଂକେତ !

 

ସଂକେତ କହିଲା-ଉପରକୁ ଉଠିଲେ ଯାଇ ମଣିଷର ଅନ୍ତର-ନିଗିଡ଼ା ପ୍ରେମର ମହତ୍ୱ କଳ୍ପନା କରିପାରିବ, ମାଟିର ଆକର୍ଷଣ ହୃଦୟଙ୍ଗମ ହୋଇପାରିବ ଶ୍ରଦ୍ଧା !

 

ଶ୍ରଦ୍ଧା ଯେତିକି ଜାଣିଲା, ସଂକେତ ସତେକି ଜଣେ ପୁରାତନ ପରିଚିତ ମଣିଷ ଭିତରେ ଅଭାବନୀୟ ନୂତନତ୍ୱର ପ୍ରକାଶ ଦେଖୁଥିଲା ବିଦଗ୍ଧ ଦୃଷ୍ଟି ଦେଇ ।

 

ଏଇ ସଂକେତ ସତରେ କେତେ ଭଲପାଉଥିଲା ଏହି ଧରଣୀକୁ, ତାହାର ଅଗଣିତ ଛୋଟବଡ଼ ମଣିଷକୁ । ଜୀବନର ଜ୍ୱାଳାକୁ ସେ କେବେ ଭ୍ରୂକ୍ଷେପ କରିନାହିଁ, ବିଷର ପ୍ରତିକ୍ରିୟାରେ ସେ କେବେ ବିକୃତ ହୋଇନି । ବରଂ ନୀଳକଣ୍ଠ ପରି ସବୁ ବିଷ ପାନକରି ମଧ୍ୟ ଜୀବନକୁ ଆନନ୍ଦ ଓ ଆଲୋକଆଡ଼କୁ ଟାଣିବାପାଇଁ ପ୍ରୟାସ କରିଛି ।

 

ସଂକେତ କହିଲା ସାବଲୀଳ ସ୍ୱରରେ-ଏତେଦିନ ପରେ ଆସିଲ...ସତରେ ତୁମକୁ ଦେଖିବାପାଇଁ ବଡ଼ ଲୋଭ ହୁଏ ଶ୍ରଦ୍ଧା !

 

ଶ୍ରଦ୍ଧା କାନ୍ଦି ପକାଇଲା ସଂକେତର କଥା ଶୁଣି । ତାକୁ କେତେ ଥର ନ ଦେଖିଛି, କେତେ ଆଦର ନ କରିଛି ସଂକେତ ! ସେ ଅପେକ୍ଷା କରିପାରିଲାନାହିଁ ବୋଲି ସିନା ଆଜି ଅଳି କରୁଛି ସଂକେତ ତାକୁ ଟିକିଏ ଦେଖିବାପାଇଁ, ମନ ପୂରାଇ ଅନୁଭବ କରିବାପାଇଁ ।

 

ସେ କହିଲା ବାଷ୍ପାକୁଳ କଣ୍ଠରେ- ମୋର ସୌଭାଗ୍ୟ ହେଲାନାହିଁ ସଂକେତ.....। ଆଉକିଛି କହି ନ ପାରି କୋହରେ ରୁଦ୍ଧ ହୋଇଗଲା ସେ । ତା’ର ମଥା ଉପରେ ହାତ ବୁଲାଇ ଘନ କୁନ୍ତଳଗୁଡ଼ିକୁ ସଜାଡ଼ି ଦେଇ କହିଲା ସଂକେତ-ଏତେ ଭାଙ୍ଗିପଡ଼ିଲେ ଚଳିବ ଶ୍ରଦ୍ଧା ? ମନେରଖ, ତୁମେ ଜାୟା ଓ ଜନନୀ... । ତୁମ ଉପରେ ଗୋଟିଏ ସଂସାରର ସୁଖ...

 

ତାକୁ ଆଉ କୁହାଇ ନ ଦେଇ କହିଲା ଶ୍ରଦ୍ଧା- ଜାୟା ଓ ଜନନୀ ହେବା ଆଗରୁ ମୋର ତ ପୁଣି ଆଉ ଗୋଟେ ପରିଚୟ ଥିଲା ସଂକେତ ?

 

ସଂକେତ ସ୍ତବ୍‌ଧହୋଇ ପ୍ରକମ୍ପିତ ଅଧରରେ ଶ୍ରଦ୍ଧାଆଡ଼କୁ ମୁହଁକଲା ।

 

ପ୍ରଥମ ପ୍ରେମର ପରାଗବୋଳା ଅତୀତକୁ ଯେତିକି ଅବଲୋନ କଲା ଶ୍ରଦ୍ଧା, ସେତିକି ନିବେଦିତାର ମହିମାଲୋକରେ ସେ ଉଦ୍ଭାସିତ ହୋଇ ଉଠିଲା । ଅଙ୍ଗେ ଅଙ୍ଗେ ଏକ ସ୍ନିଗ୍ଧ ସୁଷମାର ନୃତ୍ୟ ଆରମ୍ଭ ହୋଇଗଲା ।

ହଁ ସତେ ତ ! ପରମ ବିସ୍ମୟରେ ସେଇ ଗୋଟିଏ କଥାର ଝଙ୍କାରକୁ ଅନ୍ତରର ଅନୁଭୂତି ଦେଇ ବୁଝିବାପାଇଁ ପ୍ରୟାସ କରୁଥିଲା ସଂକେତ ।

ଜାୟା ଓ ଜନନୀ ହେବା ଆଗରୁ ସେ ଥିଲା ପ୍ରେମିକା । ପୂଜାରିଣୀର ସୀମା ତା’ହେଲେ ଶେଷ ହୁଏନା ! ଅସରନ୍ତି ଆକୁଳତାରେ ଦଗ୍ଧହୋଇ କହିଲା ସଂକେତ-ସେ ପରିଚୟ ଆଉ ବଞ୍ଚି ରହିପାରିବ ଶ୍ରଦ୍ଧା ?

ଶ୍ରଦ୍ଧା କହିଲା-ନ ପାରିବ କାହିଁକି ? ସେ ସ୍ଥାନରେ ପ୍ରତିଦ୍ୱନ୍ଦିତା ନାହିଁ, ପ୍ରତିଦ୍ୱନ୍ଦି ନାହାନ୍ତି ସେଠାରେ ସଂକେତ । ସେ ଏକକର ଅନନ୍ୟତାରେ ମୁଖରିତ, ଅନ୍ତରର ଅନୁରାଗରେ ଅନୁରଞ୍ଜିତ ।

ମୁଗ୍‌ଧମୋହିତ ସଂକେତ ନିଜର ଅସହାୟ ଅବସ୍ଥାକୁ କଳନା କରୁଥିଲା ।

ଶ୍ରଦ୍ଧା ନିଭୃତରେ ତାକୁ ଅନ୍ତଃସ୍ଥଳରେ ଯେଉଁ ସ୍ଥାନ ଦେଇଛି, ସେଠାରେ ତା’ହେଲେ ତା’ର ଏକଛତ୍ର ରାଜତ୍ୱ !

ଦୃଷ୍ଟିହୀନ ସଂକେତ ଅବାକ୍‌ ହୋଇ ମାନସ ଦୃଷ୍ଟିରେ ଦେଖିଲା, ସେ ହଠାତ୍‌ ନିଜର ଲୁଣ୍ଠିତ ସାମ୍ରାଜ୍ୟ ଫେରି ପାଇଛି, ଅବସାରିତ ହୋଇଥିବା ତା’ର ସମସ୍ତ ମହାର୍ଘ ସମ୍ପଦ ହୃଦୟର ଏକ ଉଚ୍ଛ୍ୱାସରେ ଫେରିଆସିଛି ତା’ ପାଖକୁ ।

ସେ ପୁଲକିତ ହୋଇ କହିଲା- ତୁମେ ଟିକେ ପାଖକୁ ଆସ ତ ଶ୍ରଦ୍ଧା ।

 

ଶ୍ରଦ୍ଧା ତା ପାଖକୁ ଲାଗି ଆସି କହିଲା-ଆମ୍ବ ଗଛରେ କୋଇଲି ଡାକୁଛି- ଶୁଣିପାରୁଛ ସଂକେତ ?

 

-ହଁ

 

-ନାକରେ ବାଜୁଛି ତୁମର ବଉଳର ସୁବାସ ?

 

-ହଁ

 

-ଉଦିତ ସୂର୍ଯ୍ୟର ନରମ ଉଷ୍ମତା ଅନୁଭବ କରିପାରୁଛ ?

 

-ହଁ

 

ପକ୍ଷୀର କାକଳି, ମଣିଷର ସ୍ୱର, ପଶୁର ଶବ୍ଦ ବାରିପାରୁଛ ?

 

-ହଁ ।

 

-ତମ ପାଖରେ ନିବେଦିତାର ସାନ୍ନିଧ୍ୟ ଅନୁଭବ କରିପାରୁଛ ସଂକେତ ?

 

ଗୋଟିଏ ରକ୍ତପଦ୍ମକୁ ପୂଜାରିଣୀ ପୁଷ୍ପାଞ୍ଜଳି ଦେବାବେଳେ ଧରିଲା ପରି ସଂକେତ ଦୁଇ ହାତ ପ୍ରସାରିତ କରି ଶ୍ରଦ୍ଧାର ମୁହଁକୁ ଦୁଇ ହାତ ମଝିରେ ରଖି କହିଲା- ତୁମେ ପଦ୍ମପରି ବିକଶିତ ହୋଇଛ ଶ୍ରଦ୍ଧା...

 

ତା’ପରେ ତା’ର କେଶ ଓ କପୋଳ ନାସା, ଚକ୍ଷୁ, ଭ୍ରୁ, ଅଧର ଓ ଚିବୁକ ସ୍ପର୍ଶ କରି ଯୋଗକଲା- ଏହି ଲୀଳା-ପଦ୍ମ ସର୍ବଦା ସଞ୍ଜୀବିତ, ସବୁବେଳେ ମୁକୁଳିତ । ଆଉ ତମର ସତରେ କିଛି ପରିବର୍ତ୍ତନ ହୋଇନାହିଁ ଶ୍ରଦ୍ଧା ।

 

ସଂକେତର ପରଶରେ ଶ୍ରଦ୍ଧା ତା’ ଦେହରେ ଫେରିପାଇବାକୁ ଆରମ୍ଭ କରିଥିବା ରାଗ ଓ ରଙ୍ଗକୁ ସ୍ୱାଗତ ଜଣାଇ କହିଲା- କେବଳ ମୁହଁ ଦେଇ ଦେହ କଥା ଜାଣିପାରିଲ ସଂକେତ !

 

ସଂକେତ କିଛି ନ କହି ଦୃଷ୍ଟି ନ ଥିଲେ ମଧ୍ୟ ବାଳକର ଚପଳତା ନେଇ ତା’ର ଦୁଇ ହାତ ଦେଇ ଶ୍ରଦ୍ଧାର ସର୍ବାଙ୍ଗ ଅନୁଭବ କରିବାରେ ଲାଗିଲା । ପୁଷ୍ଟି ଓ ପୁଷ୍କଳତା ମଧ୍ୟରେ ସେ କେଡ଼େ କୋମଳ, ଲୋଭନୀୟ ହୋଇଛି ସତରେ ! ଆଗର କୃଶ ତନୁରେ ମେଦର ସଞ୍ଚାର ହୋଇଛି ଟିକିଏ, କଟିରେ ଛନ୍ଦ ପଡ଼ିଛି ଠାଏ ଠାଏ- କିନ୍ତୁ ସବୁତ ସେହିପରି ! ଏତେଦିନ ପରେ ବି ଉନ୍ମୁଖ ହୋଇ ରହିପାରିଛି ଶ୍ରଦ୍ଧା ।

 

ଅଙ୍ଗେ ଅଙ୍ଗେ ନୂତନ ରାଗିଣୀ ଶୁଣିଲା ଶ୍ରଦ୍ଧା । ପ୍ରତି ଲୋମକୂପ ମୂଳରେ, ଶୋଣିତର ପ୍ରତ୍ୟେକ ବିନ୍ଦୁରେ ମହାସିନ୍ଧୁର କାମନା ଶୁଣି ଚମକି ପଡ଼ିଲା ସେ ! ଉଷ୍ମ ପ୍ରବାହରେ ବିଗଳିତ ବେଦନାର ଶରୀରରେ ପ୍ରତ୍ୟେକ ଜୀବକୋଷରେ ଗୋଟିଏ ସଙ୍ଗୀତ, ଗୋଟିଏ ସ୍ୱର ଏବଂ ଗୋଟିଏ ମୂର୍ଚ୍ଛନା ଝଙ୍କୃତ ହେବାକୁ ଲାଗିଲା ।

 

ସାମ୍ରାଜ୍ଞୀର ହୃଦୟ ଗୌରବକୁ ଫେରି ପାଇବାପାଇଁ ସଂକେତକୁ ନିଜ ଆଡ଼କୁ ଆକର୍ଷଣ କରି କହିଲା ଶ୍ରଦ୍ଧା-ତମେ ଏବେ ବି ଠିକ୍ ସେହିପରି ରହିଯାଇଛ ସଂକେତ !

 

ସଂକେତ ତା’ର ଚିବୁକ ସ୍ପର୍ଶ କରି କହିଲା-ଆନନ୍ଦ ପାଉଛ ଶ୍ରଦ୍ଧା ?

 

ସେ ଆଖି ମୁଦି କହିଲା-ହଁ ।

 

ସଂକେତ ପୁଣି ପଚାରିଲା- ଯୁଗ ଯୁଗର ରାଶି ରାଶି ଅନ୍ଧକାର ମଧ୍ୟରୁ ମୋତେ ଉଦ୍ଧାର କରି ଚେନାଏ ଆଲୋକ ଦେଖାଇ ଦେଇପାରିବ ଶ୍ରଦ୍ଧା ?

 

ସ୍ୱରରେ ତା’ର ଅନିର୍ବାଣ ଆକୁଳତା ।

 

ସ୍ପର୍ଶରେ ତା’ର ଦୁର୍ନିବାର ଆକର୍ଷଣ ।

 

ତା’ର ଦେହ ମୁହଁ ଉପରେ ହାତ ବୁଲାଇ କହିଲା ଶ୍ରଦ୍ଧା- ମୁଁ ତୁମକୁ ଆନନ୍ଦ ଆଉ ଆଲୋକ ଦେବି ସଂକେତ । ରାଶି ରାଶି ଅନ୍ଧକାର କୁଢ଼ କୁଢ଼ ଅବସାଦ ଏବଂ ନୈରାଶ୍ୟ ମଧ୍ୟରୁ ମୁଁ ତୁମକୁ ହାତ ଉଠାଇ ଆଣିବି ଆଲୋକର ଝଲମଲ ଜଗତକୁ । ସେ ଜଗତରେ ତୁମେ ଦେଖିବ ଆନନ୍ଦ କୋଳାହଳ-ପୂର୍ଣ୍ଣ ପୃଥିବୀକୁ, ଆଶାରେ ପ୍ରଦୀପ୍ତ ବର୍ତ୍ତମାନକୁ । ...କିନ୍ତୁ ତୁମେ କେବଳ ମୋ ଆଡ଼କୁ ଥରେ ସେହି ପ୍ରତୀକ୍ଷିତ ଦୃଷ୍ଟି ଦିଅ ସଂକେତ !

 

ଅବନତ ହୋଇ ଶ୍ରଦ୍ଧା ଆଗରେ ତା’ର ମୁହଁକୁ ତୋଳି ଧରିଲା ସଂକେତ ।

 

ଥର ଥର ସର୍ବାଙ୍ଗରେ ସମୁଦ୍ରର ଶୋଷ ନେଇ, ଆକାଶର ଆଶା ନେଇ, ସାତତାଳ ପାଣିରେ ଉଚ୍ଛ୍ୱାସରେ ଆଖିକୁ ଭସାଇ, ସଂକେତର ଓଠ ଓ ଅଧରରେ, କପୋଳ ଓ କଣ୍ଠରେ ବାରମ୍ବାର ଓଠର ସ୍ପର୍ଶ ଦେଲା ଶ୍ରଦ୍ଧା ।

 

ସର୍ବାଙ୍ଗରେ ଅଫୁରନ୍ତ ଉଷ୍ମତା’ର ଜୁଆର ପୂର୍ଣ୍ଣିମାର ବିଜୟ ଯାତ୍ରୀକୁ ନେଇ ପ୍ରବାହିତ ହେଲା ପ୍ରଖର ବେଗରେ । ସେ ଶ୍ରଦ୍ଧାକୁ ଆକର୍ଷଣ କରି, ଏକ ଅନିର୍ବଚନୀୟ ବିମୋହିତ ପୁଲକରେ ନିଜକୁ ସମର୍ପଣ କରି ଅନୁରଞ୍ଜିତ କଣ୍ଠରେ କହିଲା-ମୁଁ ଆଲୋକ ଦେଖିପାରୁଛି ଶ୍ରଦ୍ଧା...ମୁଁ ଆନନ୍ଦ ଅନୁଭବ କରୁଛି । ମଣିଷର ପ୍ରେମ, ତା’ର ପ୍ରତ୍ୟାଶା, ପୃଥିବୀର ବେଦନା, ସବୁ ମୁଁ ଅନୁଭବ କରିପାରିଛି । ମୁଁ ଦୃଷ୍ଟି ଫେରିପାଇଛି ଶ୍ରଦ୍ଧା ! ମୋର ସର୍ବାଙ୍ଗରେ ସହସ୍ର ରୁଦ୍ଧଦ୍ୱାର ଆଜି ଉନ୍ମୁକ୍ତ । ତୁମର ପ୍ରତ୍ୟେକ ସତ୍ତାର ସେଠାରେ ଅବାରିତ ଶୋଭାଯାତ୍ରା ।

 

ତା’ ମୁହଁ ଉପରୁ ମୁହଁ ଉଠେଇ ଆଣି ଧୀରେ ଧୀରେ ସଂକେତର କାନ ପାଖରେ କହିଲା ଶ୍ରଦ୍ଧା- ମୋତେ ଭଲ ପାଇପାରିବ ସଂକେତ ।

 

କୌଣସି ଉତ୍ତର ଦେଲାନି ସଂକେତ ।

 

ସେ ମହମବତି ପରି ନିଜର ଆଲୋକରେ ଦଗ୍ଧହୋଇ ତରଳିବାକୁ ଆରମ୍ଭ କରିଥିଲା ସେତେବେଳକୁ ।

 

ସଂକେତ ନୂତନ ଆଲୋକିତ ଜଗତର ନୟନାଭିରାମ ରୂପ ଦେଖି ଅଭିଭୂତ ହୋଇପଡ଼ିଲା । ସେ ସେହି ଆଲୋକରେ ଦେଖିଲା, ତା’ର ଚତୁର୍ଦ୍ଦିଗରେ ମଧୁ ବାୟୁ ପ୍ରବାହିତ ହେଉଥିଲା, ଆକାଶ ପାତାଳ ଓ ପୃଥିବୀ ତିନିପୁରରୁ କେବଳ ମଧୁ କ୍ଷରଣ ହେଉଥିଲା ।

 

ବହୁଦିନ ପରେ ଅନ୍ତରାଲୋକରେ ମଧୁ ଦୃଷ୍ଟିର ଅନୁପମ ଶୋଭା ଦେଖି ଅବାକ୍ ହୋଇଗଲା ଶ୍ରଦ୍ଧା ।

Image

 

ମୋନାଲିସାର ହସ

 

ଶାନ୍ତି ନାହିଁ, ସ୍ଥିରତା ନାହିଁ, ସବୁଠାରେ ଅଶାନ୍ତି, ଅସ୍ଥିରତା । ଏହି ଜଗତରେ ଶାନ୍ତିରେ ରହିବାପାଇଁ, ସ୍ଥିର ହୋଇ ଟିକେ ବସିପଡ଼ି ନିଜ ଜୀବନର ଅଙ୍ଗେ ନିଭାଇଥିବା କଥାଗୁଡ଼ିକୁ ମନେପକାଇବା ପାଇଁ ସମୟ ମିଳିଲା ନାହିଁ । ‘ରୁକୁଣାରଥ ଅଣଲେଉଟା’ ପରି ସମୟର ଚକ ଗଡ଼ି ଚାଲିଛି-ଆଉ ଫେରିନାହିଁ । ସେଥିପାଇଁ ଶାନ୍ତିରେ ସ୍ଥିର ହୋଇ ଦଣ୍ଡେ ଭାବିବାପାଇଁ, ଅତୀତକୁ ସ୍ମରଣ କରିବାପାଇଁ ମନ ବଳାଇଲେ ବି ସମୟ ହୁଏ ନାହିଁ, ସ୍ଥିର ହୋଇ ବସିବାପାଇଁ ସୁବିଧା ମିଳେ ନାହିଁ ।

 

ଏଡ଼େ ଅସ୍ଥିର ଅଶାନ୍ତି ହୋଇଯାଇଛି ଆଜିକାଲିର ମଣିଷ ଯେ ତାକୁ ଆଉ ଭାବିବାପାଇଁ ସମୟ ମିଳୁନି, ଭଲ କରି ନିଜକୁ ଦର୍ପଣରେ ଦେଖିବାକୁ ସମୟ ନ ପାଇ ମଥାର ବାଳକୁ ଉପରକୁ ଟେକିଦେଉଛି । ଆଉ ସେ ଅତି ବ୍ୟସ୍ତ, ଅସ୍ଥିର ଓ ଅଶାନ୍ତି, ସେ ବାଳ କୁଣ୍ଡାଇବାପାଇଁ ଭୁଲିଯାଉଛି ।

 

ଦୁନିଆଟା ଏତେଶୀଘ୍ର ଏହିପରି ବଦଳିଯିବ ବୋଲି ଜାଣିଥିଲେ ମାଧବ ହୁଏତ ଜନ୍ମ ହେବାପାଇଁ ଇଚ୍ଛା କରି ନ ଥାନ୍ତା । କିନ୍ତୁ ଜନ୍ମ ହେବା କଅଣ ତା’ ହାତମୁଠା ଭିତରେ ଥିଲା ? ବାପା ମା’ ଜନମ ଦେଇଛନ୍ତି, କରମ ଦେଇ ନାହାନ୍ତି-କରମ ସେ ନିଜେ ଗଢ଼ିବ । କରାମତିପଣିଆ ଦେଖାଇ ମରଦ ପୁଅର ପ୍ରତିଷ୍ଠା ପାଇବ- ଏଇଆ ଥିଲା ତା’ର ମନଭିତରର କଥା । କିନ୍ତୁ ସମୟ ମିଳିଲା ନାହିଁ । କେବେ ଯେ ଛନଛନିଆ ଉଛୁଳା ଯୁବା ବୟସ ପାରିହୋଇ ଜୀବନର ଅଧେ ସୀମା ଡେଇଁ ସେପାରିକୁ ଚାଲିଗଲା ତାହା ଯେତେବେଳେ ଜାଣିଲା, ସେତେବେଳକୁ ତା’ର କାନପାଖର ଦୁଇ ଚାରିଟା ବାଳ ପାଚିବାକୁ ଆରମ୍ଭ କଲାଣି ।

ଏଇ ପାଚିଲା ବାଳ ଦେଖି ଦିନେ ସେ ଚମକିପଡ଼ିଥିଲା ।

ତା’ ମଥାର କଳା କଳା କେଶ ଯେ ଦିନେ ପାଚି ଧଳା ହୋଇଯାଇପାରେ, ଏହା ସେ ଦିନେ ବୟସର ବହପ ଯୋଗୁଁ ଭାବି ବି ପାରି ନ ଥିଲା ।

ମାଧବୀ ଆସି କହିଲା- ପଖାଳ ବାଢ଼ିଦେଲିଣି ଉଠ ।

ମାଧବୀର କଥାକୁ ଏଡ଼ି ଦେବାର ସାହସ ନାହିଁ । ଉଠ କହିଲେ ଉଠିବ, ବସ କହିଲେ ବସିବ । ବେଶ, ଏଥିରେ ତା’ର କ୍ଷତି କଅଣ ଯେ ? ଲୋକେ କହନ୍ତି-ସେ ମାଇପର ପଣତ କାନିରେ ବନ୍ଧା ପଡ଼ିଛି ବୋଲି ! ଭଲ ହେଲା, ବନ୍ଧା ପଡ଼ିଲି । ନିଜକୁ ତ ସମୟ ମିଳେନା- ଅନ୍ୟ କାହାକୁ ବାନ୍ଧିବା ଦୂରେଥାଉ, ନିଜ ମନଟାକୁ କେବଳ ବାନ୍ଧି ରଖିବାପାଇଁ । ଯଦି ଜଣେ ତା’ ଭଲ ମନ୍ଦ ବୁଝିଲା, ଅଳି ଅର୍ଦ୍ଦଳି ସହିଲା, ତା’ ପାଖରେ ଅବୋଧ ଶିଶୁପରି ନିଜକୁ ଟେକି ଦେଲା ତ କ୍ଷତି କଅଣ ହେଲା ଯେ ?

କିନ୍ତୁ ମାଧବୀ କହେ- ତମେ କାମ କାମ ହୋଇ ପାଗଳ ହୋଇଗଲେ ମୋ କରମ ଫାଟିଯିବ । ମୁଁ ଯେ ଏତେଆଶା କରି ହାତ ଧରି ଆସିଲି ତମ ଘରକୁ, ମୋ କଥା ଦିନେ ଶୁଣୁଛ, ମୋ ମୁହଁକୁ ଦଣ୍ଡେ ଅନେଇଛ ?

ନାଁ, ଅନେଇଁ ନାହିଁ । ଶୁଣିନାହିଁ । ସେଥିପାଇଁ ଆଜି ମନଟା ବ୍ୟାକୁଳ ହେଉଥିଲା ସକାଳୁ-। ବୟସର ଅଫେରା ମୋଡ଼ ଉପରେ ନିଜ ଅଏସର ଅକୁହା କଥାଗୁଡ଼ାକ କେଉଁଠାରେ ଛାଡ଼ି ଦେଇ ଆସିଛି, ତାହା ଆଉ ମନେପଡ଼ୁ ନ ଥିଲା ।

ପଖାଳ ବାଢ଼ି ଦେଇ ଯେତେବେଳେ ଆସି ଡାକିଲା ମାଧବୀ, ସେ ତା’ ଆଡ଼କୁ ଅର୍ଥ ନ ଥିବା ଭସା ଭସା ଆଖିରେ ଅନାଇଲା ।

 

ତା’ ମୁହଁର ଏଇ ଅବୋଧ ଭାବ ଦେଖିଲେ ଚିଡ଼ିଯାଏ ମାଧବୀ । ଯେତେବେଳେ ବହୁ ଭାବ ଲୋଡ଼ିଥିଲା ସେ ସ୍ୱାମୀ ପାଖରୁ, ସେତେବେଳେ ଅଭାବର ଆଘାତରେ ମୁହଁମାଡ଼ି ପଡ଼ି ରହିଥିଲା ତା’ ଭିତରର କେତେ ଅଳି, ଅନୁରାଗ । ମୁହଁ ଖୋଲି ଯେଉଁଦିନ କହିବ ବୋଲି ଆଗକୁ ଆସିଲା- ଦେଖିଲା ତା’ ଆଗରେ ଯେଉଁ ମାଧବ ଛିଡ଼ା ହୋଇଛି, ସେ ଯେପରି ବଡ଼ ପୁରୁଣା ହୋଇଯାଇଛି । ଆଖି ଆଗରେ ବଡ଼ଦାଣ୍ଡ ଉପରେ ନିତି କେତେ ମଣିଷ ଦେଖେ ସେ । ସେମାନଙ୍କ ମଧ୍ୟରେ ଯାହା ଦେଖୁଥିଲା, ଏହାର ଭିତରେ ସେଇ ମଣିଷର ପୁରୁଣାକାଳିଆ ଯିବା ଆସିବା ଝଟକି ଉଠୁଛି ।

 

ଚମକି ପଡ଼ିଲା ମାଧବୀ ।

 

ଏତେ ଶୀଘ୍ର ବୁଢ଼ାହୋଇଗଲା ତା’ ବର । ନିଜେ ନ ଖାଇ ଯାହାକୁ ସବୁ ଭଲ ଭଲ ଜିନିଷ ଖୁଆଇଥିଲା, ନିଜେ ନ ଶୋଇ ଯାହାକୁ ଟିକେ ଆରାମ ଦବାପାଇଁ ମଶିଣା ପାରି ଶୁଆଇ ଦେଇଥିଲା, ନିଜ କପାଳ ଉପରୁ ଝାଳ ପୋଛି ଯାହାର କପାଳ ଉପରେ କେତେ ଆଖିର ଅଶେଷ ଆକୁଳତା ଲେପି ଦେଉଥିଲା, ସେ ଏଡ଼େଶୀଘ୍ର ତାକୁ ଡେଇଁ ଦୁଇଟା ଦଶନ୍ଧିର ସେପାରିରେ ଥିବା ଅପରିଚିତ ଅନ୍ଧକାର ମଧ୍ୟରେ ହଜିଯିବ, ଏଇଆ କ’ଣ ସେ ଜାଣିଥିଲା ଆଗରୁ ?

 

ପଖାଳ କଂସା ପାଖରେ ବସିପଡ଼ି ଲୁଣ ମେଞ୍ଚାଏ ଆଣି ଗୋଳାଇଲା ମାଧବ ।

 

ତା’ କାନ ପାଖରେ କେରାକେରା ପାଚିଲା ବାଳ ଦେଖି ନିଦାରୁଣ କୋହରେ ହଠାତ୍‌ ଭାଙ୍ଗି ପଡ଼ିଲା ମାଧବୀ ।

 

କଇଁ କଇଁହୋଇ ସେ କାନ୍ଦି ଉଠିଲା ।

 

ଗୁଣ୍ଡାଏ ପଖାଳ ପାଟିରେ ପୁରାଇ ପିଆଜ ଭଜାରୁ ଖଣ୍ଡେ କଳରେ ଜାକିବାକୁ ଯାଇ ଅଟକିଗଲା ମାଧବ ।

 

-କିଲୋ କାନ୍ଦୁଛୁ ଯେ ?

 

ପଖାଳତକ ପେଟ ଭିତରକୁ ଗିଳିଦେଇ ପଚାରିଲା ମାଧବ ।

 

ମାଧବୀ ଉତ୍ତର ଦେଲା-ନାହିଁ । ସେ ଆହୁରି କଇଁ କଇଁହୋଇ କାନ୍ଦିବାରେ ଲାଗିଲା ।

 

ପଖାଳ ନ ଖାଇ, ତା’ ପାଖକୁ ଉଠିଯାଇ ତାକୁ ପ୍ରବୋଧ ଦେବାପାଇଁ ଚେଷ୍ଟା କଲା ମାଧବ ।

 

ତା’ ହାତଟାକୁ ନିଜ କାନ୍ଧ ଉପରୁ ଆଡ଼େଇ ଦେଇ ସେଠାରୁ ଉଠିଗଲା ମାଧବୀ ।

 

ହତଚକିତ ହୋଇ ତା’ ଆଡ଼କୁ ସେ ଅନାଇ ରହିଲା ।

 

ବହୁତ କଥା ବୁଝେ ନାହିଁ ମଣିଷ । ଆଜି ସ୍ତ୍ରୀର ଆଚରଣ ବି ବୁଝିପାରିଲା ନାହିଁ ସେ । ବହୁ ମାନ ଅଭିମାନ ଯାଇଛି । ମାଧବୀ କିନ୍ତୁ କୌଣସି ଦିନ ତାକୁ ଅସମ୍ମାନ କରିନାହିଁ...ତା’ର ଅନୁରାଗ ସହିତ ଅସହଯୋଗ କରିନାହିଁ ।

 

ପଖାଳ କଂସା ସେହିପରି ପଡ଼ିରହିଲା । ହାତ ଧୋଇ ସେ ମାଧବୀକୁ ଖୋଜିବାପାଇଁ ଗଲା ।

 

ବହୁତ ଦୂରରେ, ଚଲାପଥ ଉପରେ ଛାଡ଼ିଆସିଥିବା ଅନେକ ପଛରେ ପଡ଼ିରହିଥିବା ଏକ ମୋଡ଼ ଉପରେ ମଣିଷ ଦିନେ ଭୁଲକରି ଆଗେଇ ଆସିଥିଲା ଦଣ୍ଡେ ଛିଡ଼ା ନ ହୋଇ । କାନପାରି କଣ୍ଠଲଗ୍ନାର ନିଶ୍ୱାସ ଟିକକର ପରଶ ଅନୁଭବ କରିବାପାଇଁ ସେତେବେଳେ ସମୟ ହୋଇ ନ ଥିଲା । ପଛକୁ ନ ଚାହିଁ ସେ କେବଳ ଆଗେଇ ଆସିଥିଲା ।

 

ସେଇଦିନୁ ଅସହାୟ କଣ୍ଠର ଏକ କରୁଣ କାକୁତି ଏକାକିନୀ ଜୀବନର ଅବୋଧ ବେଦନା ପରି ଅଥୟ କରିଛି ମଣିଷକୁ ।

 

ସେଇ ମୋଡ଼ ଉପରେ ସେଦିନ ମାଧବୀକୁ ଭଲକରି ଥରେ ଦେଖିନେଇ, ନିଜ ଉପରକୁ ଆଉଜାଇ ନବାପାଇଁ ସମୟ ହୋଇ ନ ଥିଲା ମାଧବର ।

 

ନୂଆ ହୋଇ ସହରରେ ଚାକିରି କରିଥାଏ ସେତେବେଳେ ।

 

କୋଇଲା ଖଣି ଭିତରେ ନୂତନ ଏକ ରାଜ୍ୟର ସନ୍ଧାନ ସେ ପାଇଥିଲା କାମ ଭିତରେ ।

 

ଅଣନିଶ୍ୱାସୀହୋଇ କାମ କରିଛି । ଦେହର ଝାଳ ଦେହରେ ମରି ଯାଇଛି.ପୋଛି ପାରିନାହିଁ । ଦିନକୁ ଦୁଇଟଙ୍କା ମଜୁରୀ ପାଖରେ ନିଜକୁ ବିକି ଦେଇଥିଲା ଯେ ବଞ୍ଚିବାପାଇଁ, ସଂସାର କରିବାପାଇଁ ।

 

କିନ୍ତୁ ବଞ୍ଚିବାପାଇଁ ଯାଇ ମରିଯିବ ବୋଲି ମଣିଷ କଅଣ କେବେ ଭାବିଥିଲା ? ପୃଥିବୀର ଭେଜାଲ ତେଲ, ଘିଅ, ଦୁଧ, ମହୁ, ଚାଉଳ, ଚିନି, ଅଟା ଖାଇ ନୀଳକଣ୍ଠ ପରି ସବୁ ହଜମ କରିଦେଇ ପାରିବ ବୋଲି ସେ ବି ହୁଏତ ସ୍ୱପ୍ନରେ ଭାବି ନ ଥିଲା । ବଞ୍ଚିବା ଭିତରେ ପ୍ରତିକ୍ଷଣରେ ଯେ ମଣିଷ ମରିଯାଏ, ଏହା କୋଇଲା ଖଣିର ରାଶି ରାଶି ଅନ୍ଧକାର ମଧ୍ୟରେ ସେ ଯେଭଳି ଅନୁଭବ କରିଥିଲା, ତାହା କେବେ ମିଛ ହୋଇଯିବ ?

 

ଆଜି କିନ୍ତୁ ସମସ୍ତ ବିଷ ପାନ କରି ମଧ୍ୟ ବଞ୍ଚିବାପାଇଁ ଇଚ୍ଛା ହେଲା ମାଧବର ।

 

କାନପାରି ଶୁଣିବାପାଇଁ ସାହସ ହେଉ ନ ଥିଲେ ବି ଶୁଣିବାପାଇଁ ନିଜର ନିଶ୍ୱାସଟିକୁ ଅବରୋଧ କରି ନିଶ୍ଚୁପ ହୋଇ ଦୁଆର ପାଖରେ ଛିଡ଼ା ହୋଇଗଲା ସେ । ଦୁଆର ସେ ପାଖରେ ଗୋଟିଏ ଅବହେଳିତ ଅସହାୟ ଆକୁଳତା’ର ନୀରବ ନିବେଦନ ତାକୁ ବିସ୍ମୟ ବିମୂଢ଼ କରିଦେଲା ।

 

ବିମୂଢ଼ହୋଇ ମଣିଷ ନିଜର ପ୍ରତିବିମ୍ବକୁ ଦେଖୁଛି ଆଜି । କେତେ ବଦଳି ଯାଇଛି ସତରେ !

 

କିନ୍ତୁ ମାଧବୀର ଅନୁସରିତ ଅନ୍ତରର ଉଛୁଳା ଆବେଦନ ଆଉ ବାଧା ନ ମାନି କେବଳ ଝରଝର ହୋଇ ବହିଯାଉଥିଲା, ଯିମିତି ହୀରାକୁଦର ପଥରବନ୍ଧ ସତ୍ତ୍ୱେବିଦଗ୍ଧା-ବନ୍ଦିନୀର ମୁକ୍ତି ଶୀର୍ଣ୍ଣ ହେଲେ ବି କେତେ କାମ୍ୟ ।

 

ସାନ୍ତ୍ୱନା ଦେବାପାଇଁ ତୁଣ୍ଡରେ ଭାଷା ନ ଥିଲା ମାଧବର ।

 

ସେ ଦରଜା ଉପରେ ହାତ ରଖିଲା ।

 

ଆହା ବିଚାରୀ !

 

ସେପାଖର ରାଶି ରାଶି ଅନ୍ଧକାର ମଧ୍ୟରୁ ମୋନାଲିସାର ହସ ଟିକକ ନିଜ ମୁହଁ ଉପରେ ବୋଳି ହେବାପାଇଁ ଅନ୍ତରର ସମସ୍ତ ଆକୁଳତା ଦେଇ ନିବେଦନ କରୁଥିଲା ମାଧବୀ ।

 

ସେ ମୋନାଲିସା ହୋଇପାରନ୍ତା କି ?

 

ସତରେ ଏଡ଼େଭାଗ୍ୟ ଆଉ ହେବ ତା’ର !

 

ଶୂନ୍ୟ କୋଳକୁ ଚାହିଁ କଇଁ କଇଁ ହେଇ ଆହୁରି ଯୋର୍‌ରେ କାନ୍ଦି ଉଠିଲା ମାଧବୀ ।

Image

 

Unknown

ମୁଁ ବଡ଼ ଏକାକୀ

 

ସାଗରର ଅଗଣିତ ତରଙ୍ଗମାନଙ୍କ ଲୀଳାୟିତ ଭଙ୍ଗିମା ଦେଖୁ ଦେଖୁ ନିଜକୁ ଭୁଲିଯାଇଥିଲା ବୀଥି । ପ୍ରକୃତିର ଏହି ମୁଖରିତ, ମୁକୁଳିତ ଜୀବନ ପ୍ରବାହଠାରୁ ସେ କେତେ ଅଲଗା, କେଡ଼େଫର୍କ- ଏଇକଥା ଅନ୍ତର ଭିତରେ ଉଦ୍‌ବେଳିତ ସମୁଦ୍ରର ତରଙ୍ଗ ପରି ମଥା ପିଟୁଥିଲା । ନିଜର ଗୋପନୀୟସ୍ୱରୂପର ନିଃସଙ୍ଗ ନିସ୍ତବ୍‌ଧତା ତାକୁ କେତେବେଳେ କରୁଣ, ପୁଣି କେତେବେଳେ ଅସହାୟ କରିଦେଉଥିଲା ।

 

ଜୀବନର ଜୁଆରରେ ଭାସି ଯାଉଁ ଯାଉଁ କେତେବେଳେ ପ୍ରଧାନ ପ୍ରବାହଠାରୁ ବିଚ୍ଛିନ୍ନ ହୋଇଥିଲା ଆଜି ଆଉ ମନେପଡ଼ୁନି । କିନ୍ତୁ ତା’ର ଠିକ୍‌ ମନେଅଛି- ବିଚ୍ଛିନ୍ନ ହେବା ଆଗରୁ ସେ ବି ଏହି ସାଗରର ଆକୁଳତା ପରି ଥିଲା ଆବେଗପୂର୍ଣ୍ଣ ଏବଂ ଏହାର ତରଙ୍ଗ ପରି ଥିଲା ପ୍ରବହମାନା । କେତେବେଳେ କେଉଁଠାରେ ପ୍ରଧାନ ପ୍ରବାହଠାରୁ ସେ ଅଲଗା ହୋଇଯାଇଥିଲା ତାହା ଭାବି ଭାବି କେବେହେଲେ ତାହାର କୂଳ କିନାରା ଠିକ୍‌ କରିପାରିନାହିଁ । ତାହା ଠିକ୍‌ କରିବାକୁ ଯାଇ ବରଂ ଯାହା ଅଛି ତାକୁ କେବଳ ନିଃସହାୟର ବେଦନା ଦେଇ ଅବଲୋକନ କରିଛି ମାତ୍ର ।

 

ସବୁ ଥିବା ରତ୍ନଗର୍ଭା ସମୁଦ୍ର ପରି ଦିନେ ସବୁ ଥିଲା ବୀଥିର । ସେ କେବଳ ବଞ୍ଚିବାପାଇଁ ବଞ୍ଚୁ ନ ଥିଲା-ଜୀବନର ଜୟଗାନ ତାକୁ ପ୍ରଲୁବ୍ଧ କରିଥିଲା, ଆକର୍ଷଣ କରିଥିଲା । ସେ ସେଥିପାଇଁ ଜୀବନ ଯୁଦ୍ଧକୁ ଭୟ ନ କରି ସ୍ୱାଗତ କରିଥିଲା-ଡେଇଁ ପଡ଼ିଥିଲା ତହିଁ ଭିତରକୁ ସୈନିକର ସମସ୍ତ ସାହସ ଓ ଦୃଢ଼ତା ନେଇ ।

 

ବିଜୟନୀ ସେ ହୋଇନାହିଁ, ପରାଜୟ ମଧ୍ୟ ମାନି ନେଇନାହିଁ; କିନ୍ତୁ ପାଦ ତଳର ଚୋରାବାଲିରେ ଖସଡ଼ି ପଡ଼ି କେତେବେଳେ ଶୁଖିଲା ତୁଠ ଉପରେ ବସି ଅସହାୟ ଦର୍ଶକ ପରି ହାୟ ହାୟ କରିବାପାଇଁ ଆରମ୍ଭ କରିଦେଇଥିଲା- ଆଜି ଛବି ମଧ୍ୟ ସ୍ଥିର କରିପାରୁନାହିଁ ।

 

ସାଗରର ତରଙ୍ଗ ମଥା ପିଟୁଛି ବେଳାଭୂମିର ପାଦ ଦେଶରେ । ଅନନ୍ତ କାଳରୁ ଏଇ ଅସରନ୍ତି ଆକୃତି ଓ ଅଖଣ୍ଡ ଆକୁଳତା । ଏହାର ନିରବଚ୍ଛିନ୍ନ ଆବେଦନ ଶିଥିଳ ହୋଇନାହିଁ, ଶେଷ ହୋଇନାହିଁ ସାଗର କୂଳରେ ବଡ଼ହୋଇଛି ସେ । ସାଗରର ସଙ୍ଗୀତ ଶୁଣି ଶୁଣି ନିଜର କୈଶୋର ଅତିବାହିତ କରିଛି, ନିଜର ଯୌବନକୁ ଆଲୋକିତ କରିଛି । ସାଗରର ଅସରନ୍ତି ନିବେଦନ ପରି ତା’ର ନିବେଦନ ମଧ୍ୟ ଅସରନ୍ତି, ଅକଳନ୍ତି । କିନ୍ତୁ ନିବେଦନ ନୈବେଦ୍ୟ ହୋଇନାହିଁ, ହୃଦୟ ମନ୍ଦିର ନିର୍ଜନ ହୋଇ ରହିଛି ।

 

ହଠାତ ଗୋଟିଏ ବଡ଼ ଢେଉ ଭାଙ୍ଗି ଫେଣ ମିଶା ପାଣି ଦଉଡ଼ି ଆସି ପାଦତଳ ଧୋଇ ଦେଇଗଲା । ପାଦ ଗୋଟାଇ ନ ଆଣି ସେହିପରି ସହିଷ୍ଣୁ ହୋଇ ବସିରହିଲା ବୀଥି ।

 

ଜୀବନ ପ୍ରତି ସେ କେବେହେଲେ ଅସହିଷ୍ଣୁ ହୋଇନାହିଁ, ତାହା ସହିତ ଅସହଯୋଗ କରିନାହିଁ । କିନ୍ତୁ ତା’ର ଦୁର୍ଭାଗ୍ୟ, ସମସ୍ତେ ତା’ ସହିତ ଯେପରି ଅସହଯୋଗ କରିଆସିଛନ୍ତି, ତା’ ପ୍ରତି ଅସହିଷ୍ଣୁ ହୋଇଉଠିଛନ୍ତି । ସେଇଥିପାଇଁ ଏତେ ବଡ଼ ପ୍ରସାରିତ ଦୁନିଆର ସମସ୍ତ ରାଜପଥ ଉପରେ ସେ କାହାର ସ୍ୱର ଶୁଣି ନାହିଁ । ନିଜକୁ ଅତି ଏକାକୀ ମନେକରିଛି ।

 

ବେଳାଭୂମିର ପାଦତଳେ ତରଙ୍ଗର ଭାଙ୍ଗିପଡ଼ିବା ଯଦି ସୁଶୋଭନ ସଂହତିପୂର୍ଣ୍ଣ ଜୀବନ ଯାତ୍ରାର କମନୀୟ ସଂକେତ, ତା’ହେଲେ ମାନସ ହାତରେ ନିଜକୁ ତୋଳି ଦେବାପାଇଁ ଦଉଡ଼ି ଯାଇଥିଲା ବୋଲି ତାକୁ ଏତେ କଟାକ୍ଷ, ଗଞ୍ଜଣା ସହିବାପାଇଁ ହେଲା କାହିଁକି ? ମାନସ ସହିତ ଏକ ହୋଇଯିବା ଆଗରୁ ସେ ଅଲଗା ହୋଇଯାଇଥିଲା । ସେ ପ୍ରାୟ ପନ୍ଦର ବର୍ଷ ପୂର୍ବର କଥା । ସେତେବେଳେ ସେ ଥିଲା ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ରୀ । ମାନସ ନୂଆ ହୋଇ ଅଧ୍ୟାପକ ହୋଇ ଆସିଥିଲା ପୁରୀ କଲେଜକୁ । ଦୁହିଁଙ୍କର ସାନ୍ନିଧ୍ୟ ନଦୀର ଦୁଇଟି ପ୍ରବାହ ପରି ଏକ ହୋଇ ପୁଣି ପ୍ରଧାନ ପ୍ରବାହଠାରୁ ପୃଥକ୍‌ ହୋଇଯାଇଥିଲା । ନଦୀର ପ୍ରବାହ ଉପନଦୀରେ ନାହିଁ । ଉପନଦୀର ବେଦନା ତା’ର ଏକାକୀର । ପ୍ରଧାନ ପ୍ରବାହ ସହିତ ପୁଣି ମିଶିବାପାଇଁ ବହୁ ଆୟାସ କରିଛି, ଉଦ୍ୟମ ଓ ଅପେକ୍ଷା କରିଛି, କିନ୍ତୁ ସଙ୍ଗରେ ସନ୍ଧାନ ପାଇନାହିଁ । ମାନସ ଦିଗ୍‌ବଳୟର ସନ୍ଧ୍ୟାତାରା ପରି ସବୁବେଳେ ମାନସପଟରେ ରହିଛି, କିନ୍ତୁ ହାତ ମୁଠାକୁ ଆସି ପାରିନାହିଁ । ତା’ର ଛବି କ୍ରମଶଃ ଅନ୍ତର ଭିତରେ ସାଇତି ରଖିବା ଛବି ପରି ଶୋଭା ପାଇଛି । ସମୟର ଚଳଣିରେ ଧୂଳି ଧୂସରିତ ହୋଇ ଅସ୍ପଷ୍ଟ ହୋଇଯାଇଛି, କିନ୍ତୁ ଲିଭିଯାଇନାହିଁ । ଅଳ୍ପ କେଇଦିନ ତଳର ଅନୁଭୂତିଦ୍ୱାରା ସେଇ ସ୍ମୃତି ପୁଣି ଚହଟି ଉଠିଛି, ଚିକ୍କଣ ଦିଶୁଛି ।

 

ଆଜି ସାଗର କୂଳରେ ବସି ସ୍ପଷ୍ଟ ଭାବରେ ସେଇ ପୁରୁଣା କଥା ପୁଣି ମନେପକାଇଲା ବୀଥି ।

 

ସୂର୍ଯ୍ୟ ବିଦାୟ ନେବାପାଇଁ ଇଶାରା ଦେଲେଣି । ସମୁଦ୍ର ଆକାଶ ସହିତ ମିଶିଯିବାପାଇଁ ରାତ୍ରିର ଅପେକ୍ଷା କରି ଆହୁରି ଅଶାନ୍ତ, ଅସ୍ଥିର ହୋଇଉଠିଛି । ତା’ର ଆକୁଳ ହୃଦୟ ମଧ୍ୟ ଅଶାନ୍ତ, ଅସ୍ଥିର ହୋଇଉଠିଛି, ସେ ଚାହେଁ ଗୋଟିଏ ସିଦ୍ଧାନ୍ତରେ ଉପନୀତ ହେବାପାଇଁ । ପନ୍ଦର ବର୍ଷର ବ୍ୟବଧାନ ଥିଲେ ଏହି ଅସମୟରେ ପୁଣି ସମୟ ତାକୁ ସିଦ୍ଧାନ୍ତ କରିବାର ସୁଯୋଗ ଆଣିଦେବ-ସେ କଅଣ ସ୍ୱପ୍ନରେ ହେଲେ ବି କେବେ ଭାବିଥିଲା । ମାନସପଟରେ ଝଲକି ଉଠିଲା ଅଳ୍ପ ଦିନ ତଳର ଚିତ୍ରଟି ।

 

ଟାଟାନଗରେ ଷ୍ଟେସନର ପ୍ରେକ୍ଷାଳୟରେ ଅପେକ୍ଷା କରୁଥିଲା ବୀଥି । ଏମିତି ସମୟରେ ହଠାତ୍‌ ଦେଖା ହୋଇଯାଇଥିଲା ଗାଡ଼ି ଅପେକ୍ଷାରେ ଥିବା ଆଉ ଜଣେ ସହଯାତ୍ରୀ ସହିତ । ଆଗରୁ କେଉଁଠି ଦେଖିଥିବା ପରି ମନେହେଲା ବୀଥିର କିନ୍ତୁ ସମୟ ଯେ ମଣିଷକୁ ଏତେ ବଦଳେଇ ଦେଇପାରେ ଏହା କଅଣ ନିଜ ଦେହକୁ ଦେଖି କେବେ ସେ ବିଶ୍ୱାସ କରିପାରିବ ? ସମୟ ତାକୁ ଘଷି ମାଜି ଏଯାଏ ଚିକ୍କଣ, କମନୀୟ କରିଛି ସିନା, ଦୀପ୍ତିହୀନ କରିନାହିଁ । କୋଡ଼ିଏ ବର୍ଷର ତାରୁଣ୍ୟ ବନ୍ଦୀ ହୋଇ ରହିଯାଇଛି ପଇଁତିରିଶ ବର୍ଷରେ । ବନ୍ଦୀର ବେଦନାର ଅପରିସୀମ ଜ୍ୱାଳା ଅଛି, ଦଗ୍ଧ ହେବାର କାରୁଣ୍ୟ ଅଛି, କିନ୍ତୁ ମୁକ୍ତିର ସ୍ୱାଦ ନାହିଁ । କିନ୍ତୁ ପରିଚିତ ବି ଅପରିଚିତ ହୋଇଯାଏ । ସମୟ ସମସ୍ତଙ୍କ ପାଖରେ ବନ୍ଦୀ ହୋଇ ରହିବାପାଇଁ ପସନ୍ଦ କରେ ନାହିଁ । ସ୍ମରଣ କରିବାପାଇଁ ଚେଷ୍ଟା କରି ମଧ୍ୟ ସହଜରେ ମନେପକାଇ ପାରିଲା ନାହିଁ । ନାରୀର ଦ୍ୱିଧା ନେଇ ଅନାଇ ରହିଲା କେବଳ କେତୋଟି ମୁହୂର୍ତ୍ତ । ସେ କିନ୍ତୁ ବଦଳି ଯାଇଥିଲେ ବି ଆଖିର ଦୃଷ୍ଟି, ମନର ରଙ୍ଗ ପୂର୍ବପରି ଅକ୍ଷୁର୍ଣ୍ଣ ଥିଲା ସେହି ବିସ୍ମୃତ ପୁରୁଷର । ସହଜରେ ଚିହ୍ନି ପାରିଲା ମାନସ । ଆଉ ତା’ପରେ ବୀଥି ତ ବଦଳି ଯାଇ ନ ଥିଲା ଉପରେ !

 

ଏତେ ବର୍ଷର ବ୍ୟବଧାନ ପରେ ହଠାତ୍ ଅପ୍ରତ୍ୟାଶିତ ଭାବରେ ଥିଲାବେଳେ ବୀଥି ସହିତ ସାକ୍ଷାତ୍‌ ହୋଇଯିବ ଏହା କେବେ କଳ୍ପନା କରି ନ ଥିଲା ମାନସ । ପୁରୁଣା ଅନୁରାଗର ଅନୁରଞ୍ଜିତ ଆଭା ଉକୁଟି ଉଠିଲା ଦେହରେ ମୁହଁରେ । ତାଙ୍କ ଭସା ଭସା ଆଖି ଯୋଡ଼ିକର ଅନ୍ୱେଷା ଆହୁରି ତୀକ୍ଷଣ, ଆହୁରି ଅନ୍ତର୍ଭେଦୀ ହୋଇ ଉଠିଲା । ମାନସ ମୁହଁ ଉପରେ ସହସ୍ର ଜହ୍ନିଫୁଲର ହସ ଖେଳାଇ ଅତି ଆପଣାର ମନଛୁଆଁସ୍ୱରରେ ପଚାରିଦେଲା-ବୀଥି ନା !

 

ସେତେବେଳକୁ ତାକୁ ଚିହ୍ନି ପାରିଥିଲା ବୀଥି । ଦେହରେ ବିଦ୍ୟୁତ୍‌ର ଚମକ, ମନରେ ଫୁଟନ୍ତା ରଜନୀଗନ୍ଧାର ମହକ ।

 

ବୀଥି ପ୍ରଥମେ ଚିହ୍ନି ପାରି ନ ଥିବାର ବେଦନା ନେଇ ବ୍ୟକ୍ତକଲା- ଏତେଶୀଘ୍ର ଏଡ଼େ ସହଜରେ ଚିହ୍ନିପାରିଲ ମାନସ ?

 

ବୀଥିର କଣ୍ଠରେ ବେଦନାର ସ୍ପର୍ଶ ପାଇଲା ସେ । ତା’ ମୁହଁକୁ ଚାହିଁଲା ଆଉଥରେ । ସହଜରେ ସେ ସବୁବେଳେ ଚିହ୍ନି ଆସିଛି, ପରିଚୟକୁ ଭାସ୍ୱର କରି ଆସିଛି । ଯେଉଁ ମାନସକୁ ଖୋଜୁଥିଲା ବୀଥି, ସେ ମାନସ କେବଳ ଯେ ଉପରେ ବଦଳି ଯାଇଛି ତା’ ନୁହେଁ, ଭିତରେ ମଧ୍ୟ ଶୁଖି ଯାଇଛି ଅନେକ ବେଶୀ । ହୁଏତ ମରିଯାଇଛି ଅତୀତର ଭଲପାଇବା । କବର ଭିତରୁ ନିଶ୍ଚେଷ୍ଟତା ନେଇ ଯେଉଁ ଶବକୁ ବାହାରକୁ ଅଣାଯାଏ ସେଥିରେ ସ୍ପନ୍ଦନ ନ ଥାଏ, ନ ଥାଏ ଦୀପ୍ତି । ମାନସର ମୁହଁ କଅଣ ସେହିପରି ଦିଶୁଛି ? ପୁରୁଷକୁ ସହଜରେ ବିଶ୍ୱାସ କରି ଠକି ଯାଇଥିଲା ବୀଥି-। ଆଜି ଭୟ ହୁଏ ଅଧିକ ଜାଣିବାପାଇଁ, ପଚାରିବାପାଇଁ ।

 

ତାକୁ ଆପଣାର କରିବାପାଇଁ ପଚାରିଲା ମାନସ- ଏତେଦିନ ପରେ ଦେଖା ଅଥଚ କେତେ ବଦଳି ଯାଇଛି ଦୁନିଆ...

 

-କେବଳ ଦୁନିଆ ବଦଳି ଯାଇନାହିଁ ମାନସ, ମଣିଷ ବଦଳିଛି, ମନ ବି ବଦଳିଛି- ଯୋଗ କଲା ବୀଥି ।

 

-କିନ୍ତୁ ଦେଖିଲ...ତମେ ମୋତେ ଚିହ୍ନି ବି ପାରିଲନି ।

 

-ସେ ମାନସକୁ ଯେଉଁଠି ଯେପରି ଭାବରେ ଛାଡ଼ି ଆସିଥିଲି, ତାହା କଅଣ ଆଉ ଅକ୍ଷତ ଅବସ୍ଥାରେ ସେଇଠି ସେହିପରି ଭାବରେ ଥିବ ବୋଲି କେବେ କଳ୍ପନା କରିଥିଲି ମୁଁ ?

 

-ଏବେ ତାକୁ ସେଇ ଆଖି, ସେଇ ମନ ଦେଇ ଦେଖିପାରିବ ବୀଥି ? ସାହସ କରି ପଚାରିଦେଲା ମାନସ ।

 

-ସେ ସାହସ ମୋର ଅଛି ମାନସ ।

 

-କିନ୍ତୁ...

 

-କିନ୍ତୁ ଆଉ କାହିଁକି ? କଅଣ କହିବ କୁହ ।

 

ମାନସ କଥା ଖୋଜି ପାଇଲା ନାହିଁ କହିବାପାଇଁ । ଏତେଶୀଘ୍ର ମୁହାଁମୁହିଁ ଛିଡ଼ାହୋଇ ଜବାବ ଚାହିଁବ ବୀଥି ଏହା ସେ ଭାବିପାରି ନ ଥିଲା ।

 

କିନ୍ତୁ ବୀଥି ପଚାରିଦେଲା ।

 

ମାନସ ନିଜର ମରିଯାଇଥିବା ଅତୀତର ପାଉଁଶ ଗଦା ଭିତରୁ ସ୍ମୃତି ଭସ୍ମ ତୋଳୁଥିଲା ଦୁଇ ହାତରେ ।

 

ବୀଥି ତାକୁ ସହଜ କରିଦେବାପାଇଁ କହିଲା- ଭାଉଜ କାହାନ୍ତି ଯେ ?

 

-ସବୁ ଖବର ତା’ହେଲେ ରଖିବ, ନା ?

 

ଲାଜେଇ ଗଲା ବୀଥି । ଏତେଶୀଘ୍ର ଯେ ତା’ ମନ ଭିତରେ ଗୁମୁରୁଥିବା ବେଦନା ଟିକକୁ ଧରିପାରିବ ମାନସ ସେ ଭାବି ପାରି ନ ଥିଲା ।

 

-କାହିଁ, ଉତ୍ତର ନ ଦେଇ ଚୁପ୍‌ ହୋଇଗଲ ଯେ ?

 

କଅଣ ଉତ୍ତର ଦବ ଆଉ ସେ-ଉତ୍ତର ଦେବାର ବେଳ ଗଡ଼ିଯାଇଛି । ଯେଉଁ ଉତ୍ତିଷ୍ଠ ପୁରୁଷ ତା’ର ଉତ୍ତର ଶୁଣିଲେ ଜଳନ୍ତା ମହମବତି ପରି ତରଳି ପଡ଼ନ୍ତା ସେହି ଜାଗ୍ରତ ପୁରୁଷକୁ ଅନେକ ଦୂରରେ ଛାଡ଼ିଆସିଛି ବୀଥି ।

 

କିନ୍ତୁ ଛାଡ଼ି ଦେଇ ପାରି ନ ଥିଲା ମାନସ । ସଂସାରର ଚାପରେ, ବଞ୍ଚିବାର ବେଦନାରେ ଅତିଷ୍ଠ ହୋଇ ଜୀବନର ମଧୁ ଟିକକ ଚାଖିବାପାଇଁ ସମୟ ସେ ପାଇ ନ ଥିଲା । ବୀଥି ବି ଆଗପରି ନାହିଁ- ସେ ବି ବଦଳି ଯାଇଛି ଅନେକ । ଏହାସତ୍ତ୍ୱେ ଅନ୍ତରତମ ପ୍ରଦେଶର ଅଲିଭା ଧାରଟି ଏବେ ବି ଶୁଖି ଯାଇନାହିଁ । ସମୟର ପ୍ରବାହରେ, ଜୀବନ ଯନ୍ତ୍ରଣାରେ ସେ ଧାରଟି ଅସ୍ପଷ୍ଟ ହୋଇ ଯାଇଛି ମାତ୍ର ।

ଏହିଠାରେ ଭୁଲିଯାଏ ମଣିଷ, ଭୁଲ ମଧ୍ୟ କରେ ସେ । ମଣିଷ ମଣିଷକୁ ଭୁଲିଯିବାପାଇଁ ଚାହିଁଲେ ବି ପାରେ ନାହିଁ, ପୁଣି ବେଳେ ବେଳେ ଚାହିଁଲେ ବି କେତେବେଳେ ଯେ ଭୁଲିଯାଏ ସେ ନିଜେ ବି ଜାଣିପାରେ ନାହିଁ । ଏକଠାରୁ ଅନେକ ହେବା ପରି ଜୀବନର ଅଖଣ୍ଡ ଅପ୍ରତିହତ ପ୍ରବାହ ପ୍ରତିହତ ହୁଏ, ଖଣ୍ଡିତ ହୁଏ । ସେହି ବିଭକ୍ତ ଧାର ମରୁଭୂମିର ରାଶି ରାଶି ବାଲୁକା ଶେଯ ତଳେ ନିଶ୍ଚିହ୍ନ ହୋଇଯାଏ ।

କିନ୍ତୁ ମରୁଝରଣା ପରି ବି କେବେ କେଉଁଠି ବଞ୍ଚି ରହେ ସଲିଳ ଧାର । ତାକୁ ଆଶ୍ରୟ କରି ମଥା ତୋଳେ ସବୁଜ ସୁକୋମଳ ଲତା ଗୁଳ୍ମ ।

ବୀଥି ନିଜ ଭିତରକୁ ଅବଲୋକନ କରି ଚମକି ପଡ଼ିଲା ସେଇ ସୁଶୋଭିତ, ସୁଶ୍ୟାମଳ ଚାରଣଭୂମିର ସୌନ୍ଦର୍ଯ୍ୟ ଦେଖି । ତା’ର ଅନ୍ତର ଭିତରେ ମିଟି ମିଟି ହୋଇ ଯେ ଏକ ପ୍ରଦୀପ ଶିଖା ଜଳୁଥିଲା ଏ ଯାଏ, ତାହା ସେ ଜାଣି ବି ଜାଣି ନ ଥିଲା ଏପରି ଭଲ ଭାବରେ । ଅନୁକୂଳ ମଳୟର ପରଶ ପାଇ ଅନୁଚାରିତ ଏଇ ପୁଲକର ମାଧୁରୀମାରେ ବାହୁଡ଼ା ବିଜୟର ଗୌରବ ନେଇ ସେଇ ଅସମୟରେ ବି ସେ ଉତୁରି ପଡ଼ିଲା ଫୁଟନ୍ତା ଫୁଲର ବ୍ୟାକୁଳତା ନେଇ ।

ମାନସ ମନର ସ୍ଫୀତିରେ କହିଲା-ଆଜି ହୁଏତ ଆମର ପରିଚୟ ନିସ୍ତେଜ..ନିରୁତ୍ତାପ...କିନ୍ତୁ..

ଆଉ ତିଳେ ମାତ୍ର ବିଳମ୍ବ ନ କରି କହିଲା ବୀଥି- ବର୍ତ୍ତମାନ କଅଣ ମଣିଷ ଜୀବନର ସର୍ବସ୍ୱ ମାନସ ? ବିଗତ ବୈଭବକୁ ଥରେ ଅନୁଭବ କର, ଯାହା ଥିଲା ତାକୁ ନେଇ ମୁଗ୍‌ଧ ମୋହିତ ହେବାପାଇଁ ଚେଷ୍ଟା କର ।

ଆଶ୍ଚର୍ଯ୍ୟ ହୋଇଗଲା ମାନସ ତା’ର କଥା ଶୁଣି । ହଁ, ସତ କହିଛ ବୀଥି । କେବଳ ବର୍ତ୍ତମାନକୁ ନେଇ ଯେଉଁଠାରେ ମୁହଁ ମାଡ଼ିପଡ଼ିଯାଏ ମଣିଷ, ସେଠାରେ କେବଳ ଯନ୍ତ୍ରଣାରେ କାତର ହୋଇ ହାୟ ହାୟ ନ କରି ଅତୀତର ସମ୍ପଦକୁ ଫେରି ଚାହିଁଲେ ବି ଅନେକ ସନ୍ତୋଷ, ଅଶେଷ ମାଧୂର୍ଯ୍ୟ ଆସି ପାରନ୍ତା ଜୀବନରେ ।

ସେ ଟିକିଏ ପାଖକୁ ଆସି କହିଲା- ତମେ ଭିତରେ ସେହିପରି ଅଲିଭା ସଳିତା’ର ସୌନ୍ଦର୍ଯ୍ୟ ନେଇ ରହିପାରିବ ବୀଥି ।

ଆଉ ତମେ ?

ଉତ୍ତର ଦେବା ଆଗରୁ ମୁହୁର୍ତ୍ତକପାଇଁ ଭାବିନେଲା ମାନସ । ତା’ ପରେ ଧୀରେ ଧୀରେ କହିଲା-କେବଳ ଜଳିଗଲେ ଚଳିବ କିପରି ବୀଥି ? ତମର ଟିକିଏ ଆଲୋକ, ଟିକିଏ ଉତ୍ତାପ ଦେଇପାରିବନି ମୋତେ ?

ପ୍ରେକ୍ଷାଳୟର ଏକ କାଉଚ୍ ଉପରେ ଦେହଟାକୁ ଛାଡ଼ିଦେଇ ତା’ ଆଡ଼କୁ ଝୁଲି ପଡ଼ିଥିବା ଦ୍ୱିତୀୟା ଚନ୍ଦ୍ରର ବଢ଼ନ୍ତ ଚାହଁଣୀକୁ ସର୍ବାଙ୍ଗରେ ବୋଳି ନେଇ କହିଲା ସେ- ଏଇ ଅସମୟରେ ବି ତମକଥା ଶୁଣିଲେ ଅତୀତକୁ ନିରେଖିବାର ବିଳାସ ମନରେ ସତେଜ ହୋଇଉଠେ ମାନସ !

-ତମେ ଏଇଲାଗେ କହୁଥିଲ ନା କେବଳ ବର୍ତ୍ତମାନକୁ ନ ଚାହିଁ ଅତୀତକୁ ଚାହିଁବାପାଇଁ, ଅତୀତର ମହିମା ଟିକକୁ ଅନୁଭବ କରିବାପାଇଁ !

-ତମେ ମୋ ସହିତ ଏକମତ ତା’ହେଲେ ?

ରଙ୍ଗୀନ ପୃଥିବୀର ଶୋଭା ଦେଖିଲେ ରଙ୍ଗ ଲାଗେ ମନରେ, ଅନୁରାଗ ଜାତହୁଏ ହୃଦୟରେ ।

ଦିନେ ବୀଥିକୁ କେନ୍ଦ୍ର କରି ସେ ଆଲୋକ ପାଇଥିଲା, ଉତ୍ତାପ ପାଇଥିଲା । ସୂର୍ଯ୍ୟଠାରୁ ଧାରକରା ଆଲୋକରେ ଚନ୍ଦ୍ର ଯେପରି ଜଳିଉଠେ, ସେହିପରି ଜଳି ଉଠିଥିଲା ମାନସ । କିନ୍ତୁ ସେଇ ଜଳିବାର ଦାହ ଟିକକ ସହିବାପାଇଁ ତା’ହେଲେ ସାହସ କରି ପାରି ନ ଥିଲା କାହିଁକି ?

ବୀଥିକୁ ଆକର୍ଷଣ କରିବାପାଇଁ କହିଲା-କଫି ପିଇବ ବୀଥି ?

-ସବୁବେଳେ ପ୍ରଶ୍ନ ବେଶ୍‌ ପଚାରିପାର ତୁମେ ଉତ୍ତର ଦେବାପାଇଁ ଶିଖିନାହଁ ଯେପରି !

ଟିକିଏ ହସିଦେଇ ଉଠି ବସିଲା ବୀଥି ରେସ୍ତୋଁରାଆଡ଼କୁ ଯିବାପାଇଁ ।

ମାନସକୁ ଭଲ ଲାଗୁଥିଲା ତା’ କଥା ଶୁଣିବାପାଇଁ, ତା’ ଗହଣରେ ଚାଲିବାପାଇଁ ।

ହଁ, ସେ କେବଳ ପ୍ରଶ୍ନ ପଚାରି ଆସିଛି । ଜୀବନଟା ସାରା ପ୍ରଶ୍ନବାଚୀର ନିଃସହାୟ ନିସ୍ତବ୍‌ଧତାରେ ରହିନି ଉଠିଛି କେବଳ । ଉତ୍ତର ପାଇନାହିଁ, ଉତ୍ତାପ ଅନୁଭବ କରିନାହିଁ । ରାଶି ରାଶି ଅନ୍ଧକାର ମଧ୍ୟରେ, ଯୁଗଯୁଗର ଜମାଟବନ୍ଧା ବରଫର ଶୀତଳତା ଭିତରେ ସେ ଆଲୋକ ଦେଖିନାହିଁ, ଆନନ୍ଦ ପାଇ ନାହିଁ ।

ମହମବତି ତରଳିବାର ଆନନ୍ଦରେ ଜଳେ ।

ରେସ୍ତୋଁରାର ଗୋଟିଏ ଛୋଟିଆ ଟେବୁଲର ବ୍ୟବଧାନ ରଖି ବସିଲେ ଦୁହେଁ । ଗରମ ପକୋଡ଼ି ଭଲପାଏ ବୀଥି । ସେଇଥିରୁ ଗୋଟେ ପାଟିରେ ପୂରାଇ କଫି କପ୍‌ରେ ଚୁମ୍ବନ ଦେବାବେଳକୁ ପାଦ ଉପରେ ପନ୍ଦର ବର୍ଷ ତଳର ଏକ ଶିହରିତ ପରଶ ଲାଗିଲା ଆସି ।

 

ସେ ବିସ୍ମୟ ବିମୂଢ଼ହୋଇ ଚାହିଁ ଦେଖିଲା- ବୀଥି ଥରୁଛି...କପାଳରେ ତା’ର ବିନ୍ଦୁ ବିନ୍ଦୁ ଝାଳ ।

 

ତା’ ହାତର ଆଙ୍ଗୁଳି ଉପରେ ହାତ ରଖି କହିଲା ମାନସ-ଏବେ ବି ସମୟ ଅଛି ବୀଥି !

 

କଫି ପିଇସାରି ଦୁହେଁ ବାହାରକୁ ଆସିଲେ । ଗାଡ଼ି ଘଣ୍ଟାଏ ବିଳମ୍ବରେ ଆସିବ ।

 

ଜୀବନରେ ଆଉ ବିଳମ୍ବକୁ ସହ୍ୟ କରିପାରୁ ନ ଥିଲା ବୀଥି ।

 

-ସବୁଥିରେ ବିଳମ୍ବ କିଛି ଭଲ ଲାଗେନା ମାନସ । ଏଇ ଗାଡ଼ିଗୁଡ଼ା ଠିକ୍‌ ସମୟରେ ଆସନ୍ତିନି କାହିଁକି ଯେ !

 

-ବିଳମ୍ବର ବି ଛନ୍ଦ ଅଛି ବୀଥି । ଠିକ୍‌ ସମୟରେ ଆସୁଥିଲେ ତମ ସହିତ ଏଠାରେ ଦେଖା ହୁଅନ୍ତାନି ।

 

ଷ୍ଟେସନ୍‌ ବାହାରେ ପଳାଶ ଗଛର ରାଶି ରାଶି ଫୁଟନ୍ତ ଫୁଲର ଶୋଭାରେ ଚହଟି ଉଠିଥିଲା ପରିବେଶ ।

 

ମାସକ ତଳର ସେହି ସଂଧ୍ୟାର ମାନସର ଶେଷ କଥା ପଦକ ସାଗର ତରଙ୍ଗର ଉଚ୍ଛ୍ୱାସ ନେଇ ନିବେଦନ କରୁଥିଲା ତା’ ପାଦତଳେ-

 

ଏବେ ବି ସମୟ ସରିଯାଇ ନାହିଁ । ଆଲୋକର ଆନନ୍ଦ ଟିକକୁ ଗ୍ରହଣ ନକରି ଅନ୍ଧକାର ଭିତରେ ନିଃଶେଷ ହୋଇଯିବାର ସ୍ୱପ୍ନ ଦେଖିବ କାହିଁକି ?

 

ଆଜି ପୁଣିଥରେ ଭାବିବାପାଇଁ, ବିଚାର କରି ଦେଖିବାପାଇଁ ଏକାକିନୀ ଆସିଥିଲା ବୀଥି-

 

ସମୁଦ୍ର ଉପରେ ନଇଁଆସୁଥିବା ସଂଧ୍ୟାକୁ ସ୍ୱାଗତ ଜଣାଇ ସାଗର ବକ୍ଷରେ ନିଜର ପ୍ରସାରିତ ପ୍ରଶସ୍ତ ରୂପକୁ ଦେଖି ନେବାପାଇଁ ଚନ୍ଦ୍ରାଲୋକରେ ନଇଁପଡ଼ିଥିଲା ଆକାଶ ।

 

ମନେପଡ଼ିଲା ବୀଥିର । ସେଦିନ ମାନସ କହିଥିଲା- ଯଦି ତୁମେ ବାସ୍ତବ ଜୀବନକୁ ସ୍ୱୀକୃତି ଦେବାପାଇଁ ସିଦ୍ଧାନ୍ତ କର, ତା’ହେଲେ ମୋତେ ନିଶ୍ଚିତ ଜଣାଇବ ବୀଥି । ମୁଁ ଏବେ ନିଃସ୍ୱ ନୁହେଁ । ହୁଏତ ଟିକିଏ ସହାୟତା, ଟିକିଏ ସମବେଦନା ଦେବାର ସମ୍ବଳ ଏବେ ବି ଶେଷ ହୋଇଯାଇନାହିଁ ।

 

ନିଛାଟିଆ ଜୀବନରେ ଗୋଟିଏ ସ୍ୱରର ମୂର୍ଚ୍ଛନା କ’ଣ କମ୍ !

 

ଏକକ ଜୀବନରେ ବହୁ ହେବାର ସ୍ୱପ୍ନ କ’ଣ ଶେଷ ହୁଏ ?

 

ସାଗର କୂଳରେ ବସି ବସି ଆଉ କେତେଦିନ ରଙ୍ଗହୀନ ଅନୁରାଗବିହୀନ ଜୀବନ ନେଇ ସେ କେବଳ ଢେଉ ଗଣିବ ?

 

ସାଗର ଅଭିମାନରେ ଫୁଲିଉଠୁଥିଲା । ବହୁ ସମୟ ପ୍ରତୀକ୍ଷା କଲା ପରେ ଧୀରେ ଧୀରେ ଆସୁଛି ଆକାଶ । ଆସିବାରେ ବ୍ୟଗ୍ରତା ଅଛି, ତୀବ୍ରତା ଅଛି, ଉତ୍କଣ୍ଠା ଅଛି ।

 

ସନ୍ଧ୍ୟାର ମୁହଁଲୁଚା ପରିବେଶରେ ଅସମୟ ଏଡ଼ି ଆଗେଇ ଆସେ ଆକାଶ । ସେ ଆସିବାରେ ଅନନ୍ତ କାଳର ପଦଧ୍ୱନି, ସୃଷ୍ଟିର ସନାତନ ଜୀବନ ଛନ୍ଦର ସଙ୍ଗୀତ ।

 

ଧୀରେ ହେଲେ ବି ନିଶ୍ଚିତ ଗତିରେ ନଇଁ ଆସୁଥିଲା ଆକାଶ ଅଭିମାନିନୀର ନିରୋଳା ଜୀବନକୁ ସଙ୍ଗ ଦେବାପାଇଁ, ସୁଖ ଦେବାପାଇଁ ।

 

ସେହି ସନ୍ଧ୍ୟାରେ ଘରକୁ ଫେରିଆସି ଚିଠି ଗୋଟେ ଲେଖି ପଠାଇଦେଲା ବୀଥି । ଅତି ସଂକ୍ଷିପ୍ତ, ଅତି ଆପଣାର...

 

‘‘ସାଗର କୂଳରେ ଶାମୁକା ସଂଗ୍ରହ ନ କରି ମୁକ୍ତା ଆହରଣ କରିବାପାଇଁ ସାତତାଳ ପାଣି ଭିତରେ ଲମ୍ଫ ଦେବାପାଇଁ ସିଦ୍ଧାନ୍ତ କଲି ମାନସ । ମୁଁ ଏକା...ବଡ଼ ଏକାକିନୀ...ତମେ ଆସିପାରିବ ?’’

Image

 

ରଙ୍ଗ ବଦଳେ

 

ଟୁ ବି ଅର ନଟୁ ବି ?

 

ହେବ କି ହେବ ନାହିଁ ?

 

ସେକ୍ରେଟାରୀଏଟ୍‌ର ରିସେପ୍‌ସନ୍‌ ରୁମ୍‌ରେ ବସି ବସି ଏଇ କଥାହିଁ କହୁଥିଲା ଶ୍ରୀଲା ନାୟକ ।

 

ହେବାର ଓ ଆନନ୍ଦ ଉତ୍ତେଜନା ଟିକକ ନ ହେବାର ନିରୁତ୍ତାପ ଶିଥିଳତାରେ ନାହିଁ ।

 

କିନ୍ତୁ...

 

କିନ୍ତୁ ଆଉ କାହିଁକି ?

 

ହେବାପାଇଁ ଯଦି ତା’ର ସିଦ୍ଧାନ୍ତ ଅପରିବର୍ତ୍ତନୀୟ ନ ହେବ, ପଥର ସବୁ କଣ୍ଟା ଗୋଟି ଗୋଟି କରି ବାହାର କରି ଦୂରକୁ ଫିଙ୍ଗିଦେବାହିଁ ମଣିଷର ଧର୍ମ । ସେଥିରେ ଦ୍ୱିଧା କଲେ ଚଳିବ ନାହିଁ ।

 

କଣ୍ଟା ନ ହେଲେ ଆଉ କଅଣ ଯେ !

 

ଶ୍ୟାମଳ ଗୋଟାଏ ସେଣ୍ଟିମେଣ୍ଟ ନେଇ ଭାସୁଥାଉ । ବାସ୍ତବ ଦୁନିଆର ଦାବି ଟିକକୁ ଅସ୍ୱୀକାର କରି କେତେଦିନ ଭାବପ୍ରବଣତାରେ ଭାସି ବୁଲିବ ମଣିଷ । ଅନ୍ତତଃ ସେ ପାରିବ ନାହିଁ ।

 

ସେ ପାରିବ ନାହିଁ ବୋଲି ତ ଏତେ ଭାବନା, ବସି ବସି ଏତେ ଅନ୍ତର୍ଦନ୍ଦ୍ୱ ।

 

ଏଇ ଶ୍ୟାମଳଟା ଯଦି ଆର୍ଟିଷ୍ଟ ନ ହୋଇ ଆଇ.ଏ.ଏସ୍. .ବା କମର୍ସିଆଲ ଫାର୍ମର ଅଫିସର ହୋଇଥାଆନ୍ତା ।

 

ଭାବପ୍ରବଣତାକୁ ମୂଳଧନ କରି ଆର୍ଟିଷ୍ଟ ହୋଇ ଛବି ଆଙ୍କିବାଟାକୁ ଜୀବନର ପରମ ବ୍ରତ ଭାବରେ ଗ୍ରହଣ କରିନେଇଥିଲା ଶ୍ୟାମଳ । ଯଦି ବାସ୍ତବତା ପ୍ରତି ଟିକିଏ ଦୃଷ୍ଟି ଦେଇ ଭାବିଥାଆନ୍ତା, ଏତେ ବଡ଼ ଭୁଲ ଏଡ଼େ ସହଜରେ କରିପାରି ନ ଥାଆନ୍ତା ସେ ।

 

ଭାବପ୍ରବଣତାରେ ଭାସି ବୁଲିଲେ ମଣିଷ ଏଇପରି ଭୁଲ କରେ । କିନ୍ତୁ ସେଇ ଭୁଲ କରି କେଉଁ ଦୁଃଖରେ ଶ୍ରୀଲା ନାୟକ ନିଜର ବର୍ତ୍ତମାନ ଓ ଭବିଷ୍ୟତକୁ ପୋଡ଼ିଜାଳି ପାଉଁଶ କରିଦବ-? ବାସ୍ତବତାକୁ ସ୍ୱୀକାର କରିନେଇ ଆଗେଇ ଯିବ ସେ । ଶ୍ୟାମଳ ଯଦି ପଛରେ ପଡ଼ିରହେ ଅନ୍ତରର ଆକୁଳତା ନେଇ, ସେ ନିରୁପାୟ ।

 

ଶ୍ୟାମଳ ହୁଏତ କାତର ହୋଇପଡ଼ିବ । ବହୁତ ଭାବି ଭାବି ଆର୍ଟିଷ୍ଟର ଇମୋସନ୍‌ର ପ୍ରବଳତାରେ ଆହୁରି ବଢ଼ିଯିବ ତା’ର ପାଗଳ ଭାବଟା । ପ୍ରଗଳ୍ଭତା ସ୍ଥାନରେ ହୁଏତ ବଢ଼ି ଉଠିବ ବିମୁଖତା । କିନ୍ତୁ କି କରିପାରିବ ଶ୍ରୀଲା ।

 

କିଛି କରିବାର ନାହିଁ । ମନେ ମନେ ଯୁକ୍ତି କଲା ସେ ।

 

ସବୁ ଜାଣି ଶୁଣି ଶ୍ୟାମଳ ଆର୍ଟ ସ୍କୁଲର ଶିକ୍ଷକ ହୋଇ ଛବି ଆଙ୍କିବାଟାକୁ ଜ୍ୱଳନ୍ତ ଜୀବନର ପରମ ବ୍ରତ ଭାବରେ ଗ୍ରହଣ କରିନେଲା । କାହିଁ, ସେ ଥରେ ହେଲେ ତ ତା କଥା ଭାବିଲା ନାହିଁ ?

 

ତା’ ମନର ଦ୍ୱନ୍ଦ୍ୱ ବୋଧହୁଏ ଜାଣିପାରିଥିଲା ଶ୍ୟାମଳ । ସେଇଥିପାଇଁ ସେଦିନ କହିଥିଲା ସେ- କଳା ଭିତରେ ମଣିଷର ଚିରନ୍ତନୀ ସୃଜନୀ ଶକ୍ତି ମୁକ୍ତି ପାଏ ଶ୍ରୀଲା । ମୁକ୍ତିରେ ଯଦି ମଣିଷର ଆନନ୍ଦ, ତା’ହେଲେ ଅନ୍ୟଆଡ଼କୁ ଚାହିଁ ବନ୍ଧନକୁ ଦୃଢ଼ କରିବ କାହିଁକି ? ହୁଏତ କମର୍ସିଆଲ ଆର୍ଟିଷ୍ଟ ହୋଇଥିଲେ ମୁଁ ଆଜିର ଦୁଇଶହ ସ୍ଥାନରେ ଦୁଇହଜାର ରୋଜଗାର କରନ୍ତି, କିନ୍ତୁ ପ୍ରକୃତ କଳାର ହତ୍ୟା କରି ବଡ଼ ହେବାପାଇଁ ଚାହେଁନା ମୁଁ ।

 

ସେତେବେଳେ ତା’ କୋଳ ଉପରେ ମଥା ରଖି ଆବେଗର ଉଲ୍ଲାସରେ ଭାସିଯାଇ କୌଣସି ଉତ୍ତର ନ ଦେଇ ଭୁଲ କରିଥିଲା ସେ । ସେଇ ଭୁଲକୁ ସଂଶୋଧନ କରିନେବାର ବେଳ ଆସିଛି ଆଜି ।

 

ହୁଏତ ସୂକ୍ଷ୍ମକଳା ସୃଷ୍ଟି କରି ସୃଜନୀ ଶକ୍ତିର ପରିଚୟ ଦେବ ଶ୍ୟାମଳ । ସକ୍‌ସେସ୍‌ଫୁଲ୍‌ ହେବ କଳାକାର ଭାବରେ । କଳା ଆକାଡେମିଦ୍ୱାରା ପୁରସ୍କୃତ ବି ହୋଇପାରେ । କିନ୍ତୁ ସକ୍‌ସେସ୍‌ଫୁଲ୍‌ ଓ ସୁଖ ଏକା କଥା ନୁହେଁ । ଯେଉଁ ସମ୍ପୂର୍ଣ୍ଣତା ଜୀବନକୁ ସୁଖରେ ଭସାଇ ନେବାପାଇଁ ଅକ୍ଷମ, ତାହା ମମି ପରି ଦର୍ଶନୀୟ କିନ୍ତୁ ତା ସହିତ ସଂସାର କରି ସୁଖ ପାଇବା ସହଜ ନୁହେଁ ।

 

ଏଇଥିପାଇଁ ତା’ ଠାରୁ ମଝିରେ ଦୂରେଇ ଯାଇ ବି ତା’ ମନର ଅଧିକ ନିକଟବର୍ତ୍ତୀ ହୋଇଛି ସୁପ୍ରିୟ । ସକ୍ସେସ୍ ଆଉ ସୁଖ ଦୁଇର ଆଧାର ସେ । କମର୍ସିଆଲ ଫାର୍ମର କଭେନେଣ୍ଟେଡ୍ ଅଫିସର । ଜୀବନ ସ୍ରୋତରେ କେବଳ ଭାସି ନ ଯାଇ ନିଜକୁ ଭସାଇ ରଖିବାର କାଏଦା ଜାଣେ ସୁପ୍ରିୟ ।

 

ସେଇଥିପାଇଁ ସୁପ୍ରିୟକୁ ଧରିବାପାଇଁ ରାଜପଥ ଉପରେ ଏତେ ଭିଡ଼ ଝିଅମାନଙ୍କର । ସେଦିନ ବାରବାଟୀ ଷ୍ଟାଡ଼ିଅମ୍‌ରେ ଯେଉଁ ଏକକ କଳା ପ୍ରଦର୍ଶନ ହେଲା ଶ୍ୟାମଳକୁ ସମ୍ବର୍ଦ୍ଧନା ଜଣାଇବାପାଇଁ, ସେଇଠାରେ ହଠାତ୍‌ ବହୁତ ଦିନପରେ ଦେଖା ହୋଇଯାଇଥିଲା ସୁପ୍ରିୟ ସହିତ ।

 

ନିର୍ଭେଜାଲ ସାହେବୀପୋଷାକ ଭିତରୁ ଛିଟିକି ପଡ଼ୁଥିଲା ଗୋଟାଏ ନୂତନ ଆଭିଜାତ୍ୟ । କଥାକଥାକେ ତା’ର ଏଟିକେଟ ମଧ୍ୟରୁ ଉପୁଡି ପଡ଼ୁଥିଲା ପ୍ରବହମାନ ଜୀବନଧାରାର ପ୍ରଗଳ୍ଭତା । ବାଃ ! ଏଇତ ସକ୍‌ସେସ୍‌ଫୁଲ୍‌ ମଣିଷର ଏକାତ୍ମ ପରିଚୟ ।

 

କିନ୍ତୁ କଳାକାର ହୋଇ ମଧ୍ୟ କଳ ପରି ନିର୍ବିକାର ହୋଇଯାଏ ଶ୍ୟାମଳ ସଂସାର କଥା ଉଠିଲେ । ଦିନେ ସେ ଅଳି କରିଥିଲା ସିନେମା ଯିବାପାଇଁ । କିନ୍ତୁ ଗୋଟିଏ ଛବିକୁ ଶେଷ କରିବାପାଇଁ ଯାଇ ଅଟକି ଯାଇଥିଲା ସେ । ଟିକଟ କିଣି ତେଣେ ଅପେକ୍ଷା କରି କରି ବାରମ୍ବାର ବାହାରକୁ ଅନାଉଥିଲା ଶ୍ରୀଲା । ଅନେକ ପରେ ଯେତେବେଳେ ଆସିଲା ଶ୍ୟାମଳ, ସେତେବେଳକୁ ସିନେମା ଦେଖିବାର ମନଟି ଆଉ ନ ଥିଲା ତା’ର ।

 

ଏଇ ଶ୍ୟାମଳକୁ ନେଇ ବୁଲି ଯାଇ ହୁଏ, ତା’ ପାଖରେ ବସି ମେଘ ମେଦୁର ଆକାଶକୁ ଘଣ୍ଟା ଘଣ୍ଟା ଧରି ଅନାଇ ରହିହୁଏ, କିନ୍ତୁ ତା’ ସହିତ ଏକ ହୋଇଯାଇ ସଂସାର କରିବା ଚଳେନା । ତେଲ, ଲୁଣର କଥା ନୁହେଁ, ଗୋଟାଏ ଫ୍ଳାଟ ଏବଂ ଫିଆଟ୍‌ର କଥା ଆଲୋଡ଼ନ କରେ ମନକୁ । ସେଇଥିପାଇଁ ସେଦିନ କଳା ପ୍ରଦର୍ଶନୀରୁ ଫେରିବାବେଳେ ଶ୍ୟାମଳ ସହିତ ଆସିବାପାଇଁ ଅପେକ୍ଷା ନ କରି ସୁପ୍ରିୟର ଗାଡ଼ି ଭିତରେ ପଶିଯାଇଥିଲା ଶ୍ରୀଲା ।

 

ଏକ୍ସିଲେଟର ଜାକି ଗାଡ଼ିର ସ୍ପୀଡ଼ ବଢ଼ାଇ ଦେଇ ତା’ର ଉଡ଼ି ଆସୁଥିବା ପଣତଟାକୁ ଆଘ୍ରାଣ କରି କହିଥିଲା ସୁପ୍ରିୟ- ତମେ କେଉଁ କ୍ଳାସ୍‌ର ଜାଣିଛ ଶ୍ରୀ ?

 

କଥାଟା ବୁଝି ନ ପାରି ବୋକା ପରି ତା’ ଆଡ଼କୁ ଅନାଇଥିଲା ଶ୍ରୀଲା ।

 

ତା’ର ଅଧାଖୋଲା କାନ୍ଧ ଉପରେ ବାମ ହାତଟିକୁ ଶୁଆଇ ଦେଇ କହିଥିଲା ସୁପ୍ରିୟ- ଆଇ ମିନ୍.ଆମର ପ୍ରାଚୀନ ସାହିତ୍ୟରେ ମହିଳାମାନଙ୍କୁ ତିନି ବା ଚାରି ଶ୍ରେଣୀରେ ବିଭକ୍ତ କରାଯାଇଛି ନା ! ସେଇ କଥା ମନେପଡ଼ିଗଲା ତୁମ ଶାଢ଼ୀର ସୁବାସ ପାଇ ।

 

ତା’ ଉପରକୁ ଆଉଜି ପଡ଼ି କହିଥିଲା ଶ୍ରୀଲା- ତମେ ଆଜିକାଲି ବଡ଼ ଦୁଷ୍ଟ ହୋଇଯାଇଛ ନା ?

 

-ଦୁଷ୍ଟ ନ ହେଲେ ଯେ ପଦ୍ମିନୀ ଜାତିର ଶିଷ୍ଟାମାନେ ପାଖ ବି ମାଡ଼ନ୍ତିନି ଶ୍ରୀ !

 

-ଇସ୍, କି ସ୍ପୀଡ଼୍‌ରେ ନେଉଚ ଗାଡ଼ି ?

 

ସୁପ୍ରିୟର କାନ୍ଧ ଉପରେ ମଥା ରଖି କହିଲା ଶ୍ରୀଲା ।

 

-ଏଇଟା କିନ୍ତୁ ସହଜ, ସ୍ୱାଭାବିକ । ସ୍ପୀଡ଼୍‌ର ଯୁଗ ଏ । ପଛରେ ପଡ଼ି ରହିଲେ ଚଳିବ କେମିତି ?

 

କହିଥିଲା ସୁପ୍ରିୟ ।

 

କିନ୍ତୁ ଏତେଦିନ ଧରି ସତରେ ପଛରେ ପଡ଼ି ରହିଥିଲା ଶ୍ରୀଲା । ତା ନ ହେଲେ କି ଶ୍ୟାମଳ ସହିତ ସାଇକେଲ ରିକ୍‌ସାର ଧକମଧକ୍କା ସହି ସହି ମନକୁ ସନ୍ତୁଷ୍ଟ କରି ରଖିପାରିଥାଆନ୍ତା-?

 

ନା, ଆଉ ନୁହେଁ ।

 

ଖୋଲା ପ୍ରାନ୍ତର ଉପରକୁ ଆସି ଆକାଶର ସମ୍ପୂର୍ଣ୍ଣତାକୁ ଅନୁଭବ ନ କରି, ଘର ଭିତରେ ଥାଇ ଝରକା ଦେଇ ଚେନାଏ ଆକାଶ ଦେଖି ମନକୁ ମଜାଇ ପାରିବ ନାହିଁ । ଏ ମନରେ ଏତେ ରାଗ ଓ ରଙ୍ଗର ଫୁଆାରା କେଉଁଠାରେ ଲୁଚି ରହିଥିଲା ଏତେ ଦିନ ଯାଏ, ତାହା କଅଣ ସହଜରେ ଜାଣିପାରିଥିଲା ସେ !

 

ନା, ଆଉ ନୁହେଁ ।

 

ପଛରେ ପଡ଼ିରହି ଜୀବନଟାକୁ କ୍ଷୟରୋଗୀର କରୁଣତାରେ ଦଗ୍‌ଧ କରିପାରିବ ନାହିଁ ।

 

ବେଗ ହିଁ ଉନ୍ନତିର ଲକ୍ଷଣ ।

 

ଯେତେଶୀଘ୍ର ସେ ସିଦ୍ଧାନ୍ତ କରି ଏକ୍ସିଲେଟର ଜାକିବ, ସେତେ ଶୀଘ୍ର ଆଗେଇ ଯିବ ଆଗକୁ । ଆଗେଇ ଯିବାହିଁ ତ ଟୁ ବି ଅର୍‌ ନଟ ଟୁ ବି ର ଶେଷ କଥା । ତାହାହିଁ ତ ସକ୍‌ସେସ୍‌ଫୁଲ୍‌ ଜୀବନର ସିଂହଦ୍ୱାର ।

 

ସେ ଆଗେଇଯିବ, ପଛକୁ ଫେରି ଚାହିଁବ ନାହିଁ । ଚାହିଁବାପାଇଁ ବେଳ ମଧ୍ୟ ନାହିଁ ।

 

ସେଇକ୍ଷଣି ସେକ୍ରେଟାରୀଏଟ୍‌ର ଅଭ୍ୟର୍ଥନାକାରିଣୀ ଶ୍ରୀଲା ନାୟକ ନିଜ ଫୋନ୍‌ରୁ ଡାଏଲକଲା ହିନ୍ଦୁସ୍ଥାନ ମେଟାଲ୍ସର କଭେନେଣ୍ଟେଡ଼ ଅଫିସର ସୁପ୍ରିୟ ପ୍ରଧାନ ପାଖକୁ ।

 

-ହ୍ୟାଲୋ ! କିଏ...ସୁପ୍ରିୟ...ଶ୍ରୀଲା କହୁଛି । ମୁଁ ଡେସିସନ୍‌ ନେଇଛି । ହଁ...ଫାଇନାଲ୍...ଆଜି ସଂଧ୍ୟା ସୋ..ରାଜି । ମୁଁ ସେକ୍ରେଟାରିଏଟ୍‌ର କଫି କର୍ଣ୍ଣରରେ ଅପେକ୍ଷା କରିବି...ହଁ...ପ୍ଳିଜ୍, ପିକ୍‌ ମି ଅପ୍...

 

ରିସିଭରଟା ରଖିଦେଇ ଯେତେବେଳେ ଚାହିଁଲା ଶ୍ରୀଲା, ଦେଖିଲା ଗୋଟିଏ ପୁରୁଣା ଧତଡ଼ା ସାଇକେଲରୁ ଓହ୍ଲାଇ ଧୋତି ପଞ୍ଜାବି ପରିହିତ ଜଣେ ଲୋକ ଅବିନ୍ୟସ୍ତ ଭାବରେ ଆଗେଇ ଆସୁଥିଲା ତା ଆଡ଼କୁ ସବୁଦିନ ପରି ।

 

ଘଡ଼ିରେ ଚାରିଟା ବାଜିଯାଇଥିଲା ।

 

ନା, ଆଉ ନୁହେଁ ।

 

ତରତର ହୋଇପଛପାଖ ଦୁଆର ଦେଇ କଫି କର୍ଣ୍ଣରକୁ ଏକା ନିଶ୍ୱାସରେ ପଶିଗଲା ଶ୍ରୀଲା ।

Image

 

ଚା’ କପେ

 

ସୁମତି ଅଫିସରୁ ଫେରି ଅବସନ୍ନ ଦେହଟାକୁ ଟିକିଏ ସତେଜ କରିନେବାପାଇଁ ଚା’ କପେ ପିଇଲା । ଗରମ ଚା’ ପେଟରେ ପଡ଼ିଲେ ଅବସାଦ କମିଯାଏ, ଦେହ ଏବଂ ମନ ତାଜା ହୋଇଯାଏ । ଆଗେ ଚା’ ପିଉ ନ ଥିଲା ସେ । ଚାକିରୀ କରିବା ପରେ ପରେ କେବେ କିମିତି କପେ ଦୁଇ କପ୍‌ ବନ୍ଧୁମାନଙ୍କ ସାଙ୍ଗରେ ପିଉଁ ପିଉଁ ଆଜି ଆସି ଅଭ୍ୟାସରେ ପରିଣତ ହୋଇଯାଇଛି-। ସକାଳ ସଂଧ୍ୟା ଏବଂ ମଧ୍ୟାହ୍ନରେ କପେ କପେ ଚା’ ଆବଶ୍ୟକ, ନ ହେଲେ ମଥା ଧରେ, ମନଟା ଅବସନ୍ନ ହୋଇଯାଏ ।

 

ପ୍ରଥମ ଯେଉଁଦିନ ଚା’ ପାନ କଲା ସୁମତି, ଏବେବି ସ୍ପଷ୍ଟ ମନେଅଛି ତା’ର । ପ୍ରଭାତ ନୂଆ ହୋଇ ଆସି ଯୋଗ ଦେଇଥାଏ ଆସିଷ୍ଟାଣ୍ଟ ଭାବରେ । ଡେଙ୍ଗା, ପତଳା, ଗହମ ରଙ୍ଗର ପ୍ରଭାତର ଚେହେରା ଦେଖି ତା’ ମନର ଅନ୍ଧିସନ୍ଧିରେ ଟିକିଏ ଲଘୁଚାପ ସୃଷ୍ଟି ହାଇଥିଲା । କିନ୍ତୁ ସେ କ’ଣ ସେତେବେଳେ ଜାଣିଥିଲା ଯେ ବଡ଼ବାବୁ ତା’ରି ପାଖରେ କାମ ଶିଖିବାପାଇଁ ପ୍ରଭାତକୁ ବସାଇ ଦେଇଯିବେ ?

 

ତା’ ସହିତ ପ୍ରଭାତକୁ ପରିଚୟ କରାଇ ଦେଇ ବଡ଼ବାବୁ କହିଥିଲେ-ସୁମତି ! ପ୍ରଭାତକୁ ତମେ କାମ ଶିଖାଅ । ନୂଆ ହେଲେ ବି ବୁଦ୍ଧିମାନ୍‌ ପିଲା । ଇକନମିକ୍‌ସରେ ଏମ୍.ଏ । ଆଉ ତମର ବି ତ ସେଇ ସବ୍‌ଜେକ୍ଟ ବି.ଏ.ରେ ଥିଲା ନା !

 

ହସି ହସି ପ୍ରସ୍ଥାନ କଲେ ବଡ଼ବାବୁ । ସୁମତି ଟିକିଏ କିମିତି ଅପ୍ରତିଭ ହୋଇଗଲା ପ୍ରଥମେ । ନିଜକୁ କିନ୍ତୁ କ୍ଷଣକରେ ସଜାଡ଼ି ନେଲା ସେ । ସାମ୍ନା ଚୌକୀରେ ବସିବାପାଇଁ କହିଲା ପ୍ରଭାତକୁ ।

 

ବସୁ ନ ବସୁଣୁ ପ୍ରଭାତ କହିଲା କ୍ଷମାକରିବେ, ପ୍ରାୟ ଏଗାରଟା ହେଲାଣି । ଟିକିଏ ଚା’ ନ ପିଇଲେ ଭଲଲାଗିବନି ମୋତେ। ଆପଣଙ୍କର ଯଦି ଆପତ୍ତି ନ ଥାଏ...

 

ସୁମତି ମନେ ମନେ ଟିକିଏ ବିରକ୍ତ ହେଲା । ପରିଚୟ ପରେ ବସୁ ନ ବସୁଣୁ କାମ ଶିଖିବା ଦୂରେ ଥାଉ ଆଗ ଚା’ ପିଇବା ଆବଶ୍ୟକ । କିନ୍ତୁ କିଛି କହିପାରିଲାନି ପ୍ରତିବାଦ କରି ।

 

ପ୍ରଭାତ କ’ଣ ଭାବିଲା କେଜାଣି, କହିଲା- ଚାଲନ୍ତୁ ନା ଆପଣ । ଷ୍ଟାପ୍‌ କ୍ୟାଣ୍ଟିନ୍‌ରେ କପେ ଚା’ ପିଇ ଆସିବେ ।

 

ସେ ଚାହିଁଲା ତା ମୁହଁକୁ । ପ୍ରଭାତର ଆଖିରେ କି ଭାଷା ଥିଲା କେଜାଣି ମନା କରିପାରିଲାନି ସୁମତି । ସେ ଯେ ଚା’ ପିଏନା କହିବାପାଇଁ କିଏ ଯେପରି କଣ୍ଠରୋଧ କଲା ତା’ର । ବରଂ-

 

ସେ କୃତକୃତ୍ୟ ମନେକଲା ଏ ନିମନ୍ତ୍ରଣ ପାଇ । ପ୍ରତ୍ୟାଖାନର ପ୍ରଶ୍ନ ନୁହେଁ । ପ୍ରତ୍ୟାଶାର ଅଙ୍କୁରୋଦ୍‌ଗମ ହେଲା ତା’ ମନ ଭିତରେ ।

 

କିନ୍ତୁ ଷ୍ଟାଫ୍‌କ୍ୟାଣ୍ଟିନ୍‌କୁ ନ ଯାଇ ଚା’ ଦୁଇକପ୍‌ ମଗାଇ ନେଲା ସୁମତି ।

 

ଚା’ ଖାଉ ଖାଉ କହିଲା ପ୍ରଭାତ- ବାଃ, ବେଶ୍‌ ଭଲ ଚା’ ତ ।

 

ଗରମ ଚା’ ଜିଭ ଉପରେ ଲାଗିଲାକ୍ଷଣି ସୁମତି କହି ଉଠିଲା...ଇସ୍, କି ଗରମ !

 

-ଲାଗିଲା ବୋଧେ...

 

ପ୍ରଭାତର ସରଳ ପ୍ରଶ୍ନ ।

 

-ହଁ

 

ଉତ୍ତର ଦେଉଁ ଦେଉଁ ଲାଜେଇଗଲା ସୁମତି । ସେ କେବେ ଚା’ ପିଇ ନ ଥିଲା ଆଗରୁ ।

 

ମୁଁ କିନ୍ତୁ ଗରମ ଚା’ ପିଇବାପାଇଁ ପସନ୍ଦ କରେ ।

 

ମୋତେ ବି ଭଲ ଲାଗେ ପ୍ରଭାତ ବାବୁ । ଆପେ ଆପେ ଅନଭିପ୍ରେତ ଏଇ ପଦକ କଥା ଖସିଗଲା ତା ମୁହଁରୁ ।

 

ପ୍ରଭାତ ତା’ ମୁହଁକୁ ଚାହିଁଲା । ତା’ର ଆଖି ଯୋଡ଼ାକର କଳା ଡୋଳା ଦୁଇଟା ଘୂରୁଥିଲା କ’ଣ ଖୋଜିଖୋଜି-

 

କ’ଣ ଖୋଜୁଛି ପ୍ରଭାତ ?

 

କ’ଣ ଚାହେଁ ସେ ?

 

ମନକୁ ମନ ବାରମ୍ବାର ପଚାରିଲା ସୁମତି ! ଅନ୍ୟମନସ୍କ ଅନଭ୍ୟସ୍ତ ହାତରୁ ତା’ର ଚା’ କପ୍‌ଟା ଖସିଯାଇ ଟେବୁଲ ଉପରେ ପଡ଼ିଗଲା- ଆଉ ସଙ୍ଗେ ସଙ୍ଗେ ଗରମ ଚା’ ଯାଇ ପଡ଼ିଲା ତା’ର ହାତରେ, ଜଙ୍ଘରେ ଓ ଚିବୁକରେ ।

 

ପ୍ରାୟ ଚିତ୍କାର କରି ଉଠିଲା ସୁମତି, ବଡ଼ ବାବୁ ଦଉଡ଼ି ଆସି କହିଲେ- କ’ଣ ହେଲା ଯେ-

 

ସେ ଉତ୍ତର ଦେବା ଆଗରୁ ପ୍ରଭାତ କହିଲା ଚା’ କପ୍‌ଟା ଖସିଗଲା ହାତରୁ ।

 

ସୁମତି ଚା’ ପିଉଥିଲା ଶୁଣି ଆଶ୍ଚର୍ଯ୍ୟ ହେଲେ ବଡ଼ ବାବୁ । କିନ୍ତୁ କୌଣସି ପ୍ରଶ୍ନ ନ ପଚାରି କହିଲେ- ଟିକିଏ ବରନଲ ଫାଷ୍ଟଏଡ଼୍‌ ବକ୍ସରୁ ନେଇ ଲଗାଇ ଦିଅ । ଫେରିଗଲେ ବଡ଼ ବାବୁ-

 

ପ୍ରଭାତ କହିଲା- ସତ କଥା ! ନ ହେଲେ ଫୋଟକା ହୋଇପାରେ ।

 

ତାତିଲା ଚା’ ହାତ ଏବଂ ଚିବୁକ ଉପରୁ ପୋଛି ଦେଇ, ଟେବୁଲ ଉପରଟା ସଫା କରି ଦେଲା ସୁମତି । ତା’ପରେ ପ୍ରସ୍ତୁତ ହୋଇ କହିଲା- କ୍ଷମା କରିବେ, କପ୍‌ଟା ହାତରୁ ଖସିଗଲା-

 

-ନା, ନା, ଦୁଃଖିତ ହେବାର କୌଣସି କାରଣ ନାହିଁ । ବରଂ ମୁଁ ବାଧ୍ୟ କଲି ଆପଣଙ୍କୁ ଚା’ ପିଇବାପାଇଁ ।

 

ଅନୁଯୋଗ କଲା ପ୍ରଭାତ ।

 

-ସେଥିରେ ଆପଣଙ୍କର ଦୋଷ ରହିଲା କେଉଁଠି ଯେ-

 

-ଆପଣଙ୍କୁ ଦଳ ଭୁକ୍ତ କଲି-

 

ନିର୍ଲିପ୍ତ ପ୍ରଭାତର ସହଜ ମୁହଁଟାକୁ ଆଉ ଚାହିଁପାରିଲାନି ସୁମତି । ତା’ର ମୁହଁ, ନାକ ଏବଂ କାନରେ ଯେପରି ତୀକ୍ଷ୍‌ଣ ଏକ ଅନନୁଭୂତ ଉତ୍ତାପ କିଏ ବୋଳି ଦେଇଗଲା ।

 

ତା’ପରେ ମାସ ବର୍ଷ ଗଡ଼ି ଯାଇଛି । ମହାନଦୀର ପ୍ରସାରିତ ବକ୍ଷରେ ବହି ଯାଇଛି କେତେ ପାଣି । ଚା’ ପିଉ ପିଉ ଆଜି ତାହା ଅଭ୍ୟାସରେ ପରିଣତ ହୋଇଛି ସୁମତିର । ବରଂ କପେ ଅଧିକ ହେଲେ ବେଶୀ ଭଲ ଲାଗେ ତାକୁ ।

 

ଆଉ ପ୍ରଭାତ !

 

ତା’ କଥା ଭୁଲିଯିବାପାଇଁ ଚେଷ୍ଟା କରି ମଧ୍ୟ ଭୁଲିପାରି ନ ଥିଲା ସୁମତି ! ତା କଥା ମନେ ନ ପକେଇବାପାଇଁ ଚା ଛାଡ଼ିବାପାଇଁ ସଂକଳ୍ପ କରିଥିଲା, ସାଧ୍ୟ ସାଧନା ମଧ୍ୟ କରିଥିଲା । କିନ୍ତୁ ହେଲାନି, ସବୁ ସଂକଳ୍ପ ଏବଂ ପ୍ରତିଜ୍ଞା ପାଣି ଫୋଟକା ପରି ମିଳେଇଗଲା ଚା’ ପିଇବାର ବେଳ ହେବାକ୍ଷଣି ।

 

ଚା’ ପିଏ । କିନ୍ତୁ ଶୋଷ ମରେନା ସୁମତିର ।

 

ପାଣି ପିଏ, କିନ୍ତୁ ତୃପ୍ତି ପାଏନା !

 

କାହିଁକି ?

 

ଉତ୍ତର ଖୋଜି ଖୋଜି ହଜିଯାଏ ଅନୁଚ୍ଚାରିତ ଉତ୍ତରର ଉତ୍ତପ୍ତ ଅପାଙ୍ଗ ଦେଖି ।

 

ଶ୍ରାବଣର ଶେଷ ଯାମରେ, ଫଗୁଣର ମଧ୍ୟ ରାତ୍ରରେ ବା ଶୀତର ପାହାନ୍ତାରେ ପ୍ରଭାତର କଥା ମନେପଡ଼େ ତା’ର । ଷ୍ଟୋଭ ଜାଳି, ସଙ୍ଗେ ସଙ୍ଗେ ଚା’ କରି ଅଧର ଭିଜାଏ ସୁମତି । ଦେହ ଓ ମନ ଅଗ୍ନି ପ୍ରବାହର ଅଫୁରନ୍ତ ସ୍ପର୍ଶ ପାଇ ପୁଣି ସତେଜ ହୁଏ-ବଞ୍ଚି ରହିବାପାଇଁ ଇଚ୍ଛା ହୁଏ; କାଳେ ଅବା ମିଳିଯିବ ସେ ! ହୁଏତ ଦିନେ ଅଚାନକ ଭାବରେ ମହାନଦୀର ଖରାଦିନିଆ ରାସ୍ତା ଉପରେ, କୌଣସି ଅଜଣା ରେସ୍ତୋରାଁ ବା ଷ୍ଟେସନର ତୃତୀୟ ଶ୍ରେଣୀ ପ୍ରେକ୍ଷାଳୟର ଏକ ଅନାଦୃତ ଅଳିଆପୂର୍ଣ୍ଣ କୋଣରେ ଦେଖାହୋଇଯିବ ତା’ ସହିତ ।

 

କିନ୍ତୁ ଦେଖାହୋଇନି !

 

ଖୋଜିବା ବନ୍ଦ ହୋଇନି ସୁମତିର । ସେ ମନ ଓ ପ୍ରାଣର ସମସ୍ତ ଆକୁଳତା ଏବଂ ଆବେଗ ଦେଇ ଖୋଜିଚାଲିଛି। ହୁଏତ ଅବା ମିଳିଯିବ ।

 

ସେଦିନ ସତକୁସତ ମିଳିଗଲା ଯାହା ଏତେଦିନ ଧରି ଖୋଜୁଥିଲା ସେ ।

 

ବାରବାଟୀ ଷ୍ଟାଡ଼ିଅମ୍‌ରେ ଫୁଟ୍‌ବଲ୍‌ ଖେଳ ହେଉଥାଏ । ବାହାରେ ଚିନାବାଦାମ, ପାମ୍ପଡ଼, ପକୋଡ଼ି ଓ ଚା’ର ପସରା ।

 

ରିକ୍‌ସା ବନ୍ଦ କରି ଦୁର୍‌ଦୁର ଛାତିରେ ଓହ୍ଲାଇ ପ୍ରାୟ ଦଉଡ଼ି ଆସିଲା ସୁମତି ।

 

ଆରେ ପ୍ରଭାତ ଯେ !

 

ଚା’ ପିଉଥିବା ଜଣେ ଯୌବନୋତ୍ତୀର୍ଣ୍ଣ ପୁରୁଷକୁ ପଛରୁ ଡାକୁ ଡାକୁ ସମ୍ଭାଷଣ କଲା ସୁମତି ।

 

-କିଏ ?

 

ଫେରି ଚାହିଁଲେ ଭଦ୍ରଲୋକ । ଅଚିହ୍ନା ଏକ ଭଦ୍ରମହିଳା ସହସ୍ର ସମ୍ଭାଷଣର ଆଲୋକ ଆଖିର ଚାହାଣିରେ ଜାଳି ଅନାଇଥିଲା ତାଙ୍କ ମୁହଁକୁ ।

 

ଅପ୍ରତ୍ୟାଶିତ ଧକ୍‌କା ଖାଇ ଅବସନ୍ନ ଶରୀରଟା ତା’ର ଆଗେଇ ଯାଇ ପାରିଲାନି ଆଉ-

 

-ଆପଣ ମୋତେ କିଛି କହୁଛନ୍ତି ?

 

-ନା ନା, ମୁଁ ପ୍ରଭାତବାବୁଙ୍କୁ ଖୋଜୁଥିଲି ।

 

-ପ୍ରଭାତବାବୁ ? କେଉଁ ପ୍ରଭାତବାବୁ ଜାଣିପାରେକି ?

 

-ପ୍ରଭାତ ମିଶ୍ର-ପତଳା, ଲମ୍ବା, ଗୋରା । ଇକନମିକ୍ସ୍‌ରେ ଏମ୍.ଏ.-ବହୁତ ଚା’ ପିଅନ୍ତି !

 

-ଆରେ ତାକୁ ମୁଁ ଜାଣିନି ! ସେ ମୋର ବନ୍ଧୁ ପରା !

 

କମ୍ପି ଉଠିଲା ସୁମତିର ଛାତି । ଅନ୍ତରାତ୍ମାର ଅନ୍ତରତମ ପ୍ରଦେଶରେ ଅସ୍ତରାଗର ନିସ୍ତବ୍‌ଧତା ପରେ ନବାରୁଣର ରକ୍ତିମ ଆଭା ଉକୁଟି ଉଠିଲା ପୁଣି । ଦୁର୍‌ଦୁର୍‌ ଛାତି, ଗୁରୁ ଗୁରୁ ମନରେ ପଚାରି ପକାଇଲା-

 

-କେଉଁଠି ଅଛନ୍ତି ସେ ?

 

-ଏଇ ଅଳ୍ପ ଦୂରରେ । ଚାକିରୀରୁ ଛଟେଇ ହେବା ପରେ ହତାଶ୍‌ ଏବଂ ବିତୃଷ୍ଣାରେ, ପରାଜୟ ଏବଂ ପରାଭବରେ ଦବି ଯାଉଁ ଯାଉଁ ନିଜକୁ ଟେକି ଧରିବାପାଇଁ ବାର୍‌ ଖୋଲିଛି ମହାନଦୀ କୂଳରେ ।

 

-ବାର୍ !

 

ଶୀତେଇ ଉଠିଲା ସୁମତି । କିନ୍ତୁ ସେଥିରେ ତା’ର ଯାଏ ଆସେ କ’ଣ ? ସେ ଚାହେଁ ପ୍ରଭାତକୁ । ତା’ର ପ୍ରୟୋଜନ ପ୍ରଭାତର ନିବିଡ଼ ସାନ୍ନିଧ୍ୟ ।

 

-ବେଶ୍‌ ଚଳିଯାଉଛି ପିଲାପିଲି ନେଇ ।

 

ଚମକିପଡ଼ି ପଡ଼ି ଯାଉଁ ଯାଉଁ ରିକ୍‌ସାର ହୁଡ଼୍‌ଟାକୁ ଧରି ଅଟକିଗଲା ସୁମତି ।

 

-ପିଲାପିଲି ?

 

ଆପେ ଆପେ ଖସିଗଲା ତୁଣ୍ଡରୁ ।

 

ହଁ ହଁ, ଗୋଟିଏ ଝିଅ, ଗୋଟିଏ ପୁଅ । ସେଇ ଯେ କଳାଶ୍ରୀ ଥିଏଟରରେ ଆଗରୁ ଯେଉଁ ଝିଅଟି ନାଚୁଥିଲା-ସୁମତି ନା କଅଣ, ତାକୁଇ ତ ବାହା ହେଇଥିଲେ ପାଞ୍ଚବର୍ଷ ଆଗରୁ !

 

ନା, ଆଉ ନୁହେଁ, ଯଥେଷ୍ଟ ପରିଚୟ ପାଇଛି ସୁମତି ।

 

ଥରିଲା ଥରିଲା ଅଧର ଦୁଇଟି ହଲିଲା ଟିକିଏ । କିନ୍ତୁ କିଛି ଫୁଟିଲା ନାହିଁ ତୁଣ୍ଡରୁ । ସାରା ଦେହରେ ଏତେ ଝାଳ ଆସିଲା କେଉଁଠୁ ?

 

-ମା’ ଚା’ ଦେବି ?

 

ପଚାରିଲା ପିଲାଟି !

 

-ନା-ଚା’ ପିଏନା ରେ !

 

ଭାଙ୍ଗି ପଡ଼ୁ ପଡ଼ୁ କହିଲା ସୁମତି । ରିକ୍‌ସା ଚାଲିଲା ।

 

-କେଉଁଆଡ଼େ ଯିବ ମା’ ?

 

-ସେଇ ଯେ ବାଟ ଟା ଅଛି ଆଗରେ-ସେଇ ରାସ୍ତା ଦେଇ ଚାଲ ।

Image

 

ସକାଳପାଇଁ

 

ହସପିଟାଲ୍‌ର ଗୋଟାଏ ସାଧାରଣ ଶଯ୍ୟାରେ ଶୋଇଶୋଇ ସକାଳପାଇଁ ଅପେକ୍ଷା କରୁଥିଲା ଅରୁଣା ।

 

ସେଇ ପ୍ରତୀକ୍ଷିତ ସକାଳଟି ଆସିବାପାଇଁ ଯେପରି ଅଯଥା ବିଳମ୍ବ ହେଉଛି, ଅତିରିକ୍ତ ସମୟ ଲାଗୁଛି । ଅସ୍ଥିର ଅଶାନ୍ତ ହୋଇ ଉଠୁଥିଲା ମନଟି । କେତେ ସମୟ ଏପରି ଆଉ ଅପେକ୍ଷା କରିବି ? କେତେ ସମୟ ଅନ୍ଧାର ଭିତରେ ନିଜକୁ ଓ ଅନ୍ୟମାନଙ୍କୁ ଅବିଶ୍ୱାସ, ନିଶ୍ଚେଷ୍ଟତା ମଧ୍ୟରେ ଆତ୍ମଗୋପନ କରିବାର ଦେଖିବ ? ରାତିଟା ସତରେ ଏତେ ଲମ୍ବା ? ଅସ୍ୱାଭାବିକ ମନେହେଉଥିଲା ଅରୁଣାର । କଡ଼ ଲେଉଟାଇ ଏପାଖ ସେପାଖ ଚାହିଁଲା ସେ । ନା, ସମସ୍ତେ ଶୋଇପଡ଼ିଛନ୍ତି । ହୁଏତ ଶୋଇ ଶୋଇ ନିଜର ଗ୍ଳାନି, ଅକ୍ଷମତା, ଅଭାବ ଏବଂ ହତାଶାଟିକକୁ ଭୁଲିଯିବା ପାଇଁ ଉଦ୍ୟମ କରୁଥିବେ । ନ ହେଲେ ଏତେ ସମୟ ଧରି ଏଇ ଅଶାନ୍ତ, ପୀଡ଼ିତ ଶରୀରରେ କେହି କ’ଣ କେବେ ଶୋଇପାରେ ?

 

ଆଦୌ ଭଲ ଲାଗୁ ନ ଥିଲା ତାକୁ । କେତୋଟି ନୀଳ ବତି ବ୍ୟତୀତ ସବୁ ଆଲୋକ ଲିଭାଇ ଦିଆଯାଇଥିଲା। ସେଇ ନିଷ୍ପ୍ରଭ ଆଲୋକରେ କିନ୍ତୁ ହଲ ଭିତରେ ସମସ୍ତଙ୍କୁ ସହଜରେ ଦେଖିପାରୁଥିଲା ଅରୁଣା । ସମସ୍ତେ ରୋଗୀ; ଅସହାୟ ଭାବରେ ପଡ଼ିରହିଛନ୍ତି ନିଜ ନିଜ ଶଯ୍ୟା ଉପରେ ।

 

ସେ ବି ଶୋଇ ପାରୁ ନ ଥିଲା । କେତେ ଆଉ ଶୋଇବ ? ଶୋଇ ଶୋଇ ତ ପଚିଶ ବର୍ଷ ଅତିବାହିତ ହୋଇଗଲାଣି । କେତେ କରିବାପାଇଁ ଥିଲା, କିନ୍ତୁ କିଛି ବି କରିପାରିଲା ନାହିଁ । ଦିନଗୁଡ଼ା ଏଡ଼େ ଶୀଘ୍ର ପୁଣି ଗଡ଼ିଯାଏ ! ପଚିଶ ବର୍ଷ ଗଡ଼ିଗଲା ଏ ଭିତରେ, ଅଥଚ ମନେରଖିଲା ଭଳି କିଛି ବି ସେ କରିପାରିଲା ନାହିଁ । କେବେ ସେ ବଡ଼ ହେଉ ହେଉ ରୋଗରେ ସଢ଼ିବାକୁ ଆରମ୍ଭ କରିଥିଲା ତାହା ଜାଣିଲାବେଳକୁ ଅନେକ ବିଳମ୍ବ ହୋଇଯାଇଥିଲା ସତରେ ! ସବୁ କଥା ଜାଣି ହୁଏନା । ଜାଣିବାର ଆବଶ୍ୟକତା ନ ଥାଏ । କିନ୍ତୁ ଯାହା ଜାଣିବାର କଥା-ଯେପରି କି ସେ ବଞ୍ଚିରହିବ କି ନାହିଁ-ଏହା ଜାଣିବାପାଇଁ ଦିନେ ହେଲେ ସେ ଅଳି କରିନାହିଁ । ଆବଦାର କରି ପଚାରି ନାହିଁ ସେ ବଞ୍ଚିବ କି ନାହିଁ । ତା’ ସମ୍ପର୍କରେ ଯାହା କୁହାଯାଇଛି ତାହା ନିର୍ବୋଧ ମଣିଷ ପରି ସବୁ ସେ ଗ୍ରହଣ କରିନେଇଛି । ନିଶ୍ଚେଷ୍ଟ, ନିର୍ଦ୍ୱନ୍ଦ, ନିରୁତ୍ତାପ ଭାବରେ ପଡ଼ିରହିଛି । ଏହା ଆଗରୁ ସେ ତ ଏପରି ନ ଥିଲା ! ଜନ୍ମିଲାବେଳେ ଜୀବନର ସମସ୍ତ ଚଞ୍ଚଳତା ନେଇ ଆସିଥିଲା ସେ । ସ୍ୱାସ୍ଥ୍ୟ ଥିଲା, ଶ୍ରୀ ବି ଥିଲା, ଥିଲା ଅଙ୍ଗେ ଅଙ୍ଗେ ଅଗ୍ନିର ଦହନ ଶକ୍ତି । କିନ୍ତୁ କିଛି କାମରେ ଲଗାଇ ପାରିଲା ନାହିଁ । କିଛି କରିବା ଆଗରୁ କ୍ଷୟରୋଗ ପଙ୍ଗୁ କରିଦେଲା ତା’ର ପ୍ରାଣୋଚ୍ଛ୍ୱାସକୁ ।

 

ସଂକଳ୍ପ କିନ୍ତୁ ସେ କରିଥିଲା ଶିଶୁ ଅବସ୍ଥାରେ । ସାଧନା ବି ଆରମ୍ଭ କରିଥିଲା । କିନ୍ତୁ ଯେତେ ସ୍ୱପ୍ନ ସେ ଦେଖିଥିଲା, ସେ ସବୁ ବର୍ଷାଦିନର ବୁଦ୍‌ବୁଦ୍‌ ପରି ମନରେ ଉଦୟ ହୋଇ ପୁଣି ସେଇ ମନ ଭିତରେ ଅସ୍ତ ହୋଇ ଯାଇଥିଲା ।

 

ପଚିଶ ବର୍ଷ ତଳେ, ସେ ଠିକ୍ ଏଇ ତାରିଖରେ ଏହିପରି ଏକ ରାତିରେ ଜନ୍ମଗ୍ରହଣ କରିଥିଲା । କିନ୍ତୁ ସେ ରାତି ଆଜିପରି ନିସ୍ତବ୍‌ଧ ନ ଥିଲା, ନିଶୂନ୍ନ ଥିଲା । କେବଳ କ’ଣ ତା’ର କାନ୍ଦଣା ଶୁଭୁଥିଲା ସମସ୍ତଙ୍କୁ ? ବାପା କହୁଥିଲେ ସେଇ ରାତିରେ ସାରାପୃଥିବୀ ଶୋଇପଡ଼ିଥିଲାବେଳେ ଠିକ୍‌ ମଧ୍ୟରାତ୍ରିର ସନ୍ଧିକ୍ଷଣରେ କ୍ୟାଲେଣ୍ଡରର ଗୋଟିଏ ତାରିଖ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଜାଗି ଉଠିଥିଲେ ଏ ଦେଶର କୋଟି କୋଟି ଜନତା, ଜାଗି ଉଠିଥିଲା ଭାରତବର୍ଷ । ଅନ୍ଧକାର ଘୁଞ୍ଚି ଯାଇଥିଲା ନୂତନର ଆଗମନରେ । ଆଲୋକ, ଆନନ୍ଦ ଏବଂ ଆବେଗର ଉଚ୍ଛ୍ୱାସ ଜାଗିଥିଲା ସବୁଠାରେ । ସ୍ୱାଧୀନ ଭାରତ ଜନ୍ମଗ୍ରହଣ କରିଥିଲା ସେଇ ମୁଖରିତ ରାତ୍ରିର ଆଲୋକିତ ନଗର, ଜନପଦ, ନଦୀ, ନାଳ, ସାଗର, ସରିତ, ଶସ୍ୟଶ୍ୟାମଳା ଭାରତବର୍ଷରେ । ଗୋଟିଏ ସାର୍ବଭୌମ ସ୍ୱାଧୀନ ଜାତିର ନାଗରିକ ହେବାର ସୁଯୋଗ ନେଇ ଜନ୍ମଗ୍ରହଣ କରିଥିଲା ଅରୁଣା ।

 

ସେ କଥା ଆଜି ଅନେକଙ୍କର ମନେନାହିଁ । ଇତିହାସ ହୋଇଯାଇଛି ସେଦିନର ଘଟଣା-। ପୁରୁଣା ହୋଇଯାଇଛି ସେ ଦିନର ସ୍ମୃତି । କଳଙ୍କି ଲାଗିଯାଇଛି ସେଦିନର ସଂକଳ୍ପ, ସାଧନା, ସଫଳତାର ଝଲମଲ ରୂପରେ । ତା’ ଦେହ ଭିତରେ ଯେପରି କ୍ଷୟରୋଗର ସହସ୍ର ଜୀବାଣୁ କିଲ୍‌ବିଲ୍‌ କରି ପ୍ରତି ମୁହୂର୍ତ୍ତରେ ହତ୍ୟା କରୁଛନ୍ତି ତାକୁ । ସେଇପରି ଏଇ ଜାତିର ଶ୍ରୀ, ସୌନ୍ଦର୍ଯ୍ୟ, ଶୌର୍ଯ୍ୟ, ବୀର୍ଯ୍ୟ ଏବଂ ସ୍ଥିତିକୁ ହତ୍ୟା କରିବାପାଇଁ ଉଦ୍ୟମ କରୁଛନ୍ତି ଅନେକ ଜୀବାଣୁ- ଯେଉଁମାନେ ମଣିଷର ଲେଲିହାନ ଲୋଭ ଓ ସ୍ୱାର୍ଥପରତାରେ ଲାଳିତ, ଅନ୍ଧବିଶ୍ୱାସ ଏବଂ ଅନିୟନ୍ତ୍ରିତ ସ୍ୱୈରାଚାରିତାରେ କଳୁଷିତ । ନ ହେଲେ କି କ୍ଷୟରୋଗୀପାଇଁ ଆସିଥିବା ଚାରିଖଣ୍ଡ କଲିଜା ଭଜାରୁ ଦୁଇଖଣ୍ଡ ଅପହୃତ ହୋଇ ଚାଲିଯାଆନ୍ତା ଅନଭିପ୍ରେତ ସ୍ଥାନକୁ । ସେମାନଙ୍କୁ ବଞ୍ଚିବାପାଇଁ ସମ୍ବଳ ଯୋଗାଇବାପାଇଁ ଯେଉଁ ଗିଲାସେ ଲେଖାଏଁ ଖାଣ୍ଟି ଦୁଧ ଦେବା କଥା ତାହା କ’ଣ ଅଧାରୁ ବେଶୀ ପାଣିରେ ପରିଣତ ହୋଇଯାଆନ୍ତା ସ୍ପଷ୍ଟ ଦିବାଲୋକରେ !

 

ଭାବୁ ଭାବୁ ମଥା ବୁଲିଗଲା ଅରୁଣାର । ସେ କଅଣ ଏଇଥିପାଇଁ ସ୍ୱାଧୀନ ଭାରତବର୍ଷର ସାର୍ବଭୌମ ନାଗରିକବୋଲି ଗର୍ବ କରେ ? ଏଇଥିପାଇଁ ତା’ର ବୁକୁତଳେ ମରିବାଠାରୁ ବଞ୍ଚିବାର ସ୍ୱପ୍ନଟା ଅଧିକ ଜୋର୍‌ କରି ଜାବୁଡ଼ି ଧରେ ତାକୁ ? ସବୁଦିନ କେହି ବଞ୍ଚି ନାହିଁ, ସେ ବି ବଞ୍ଚିବ ନାହିଁ-। କିନ୍ତୁ ଏଇ ଦେଶର ପୀଡ଼ିତ ମୁହଁରେ ବଞ୍ଚିବାର ଆଶା, ବଞ୍ଚିତର ପ୍ରାଣରେ ଆଗାମୀ ସଫଳତା’ର ନିଶା, କ୍ଷୁଧିତ ଦେହରେ ବଞ୍ଚିରହିବାର ଉଦ୍ୟମ ଦେଖି ଦେଖିଯଦି ମରିପାରନ୍ତା ସେ, ଆଉ କ୍ଷୋଭ ରହନ୍ତା ନାହିଁ, ଅବସାଦ ଆସନ୍ତା ନାହିଁ । ସେ ମରିବା ମଧ୍ୟରେ ଅମର ହେବାର ସ୍ୱାଦ ଅନୁଭବ କରନ୍ତା, ସରିଯିବା ଭିତରେ ପୁଣି ଭରିଯିବାର ବାସନା ଉପଲବ୍ଧି କରନ୍ତା ।

 

ଅରୁଣା ଚାହିଁଲା କାନ୍ଥକୁ । କ୍ୟାଲେଣ୍ଡରର ତାରିଖଗୁଡ଼ା ଜଳ ଜଳହୋଇ ଜଳୁଛି ଯେପରି-। ସମୟର ସନ୍ଧିକ୍ଷଣ ଅଗଷ୍ଟ ଚଉଦ ଶେଷ ହୋଇ ଆସୁଛି ଅଗଷ୍ଟ ପନ୍ଦର । ଅନ୍ଧକାର କଟିଯାଇ ଆସୁଛି ଉଷାର ନବାଲୋକ ।

 

କିନ୍ତୁ ଏଇ ଆସିବାର ମନ୍ଥରତା ଦେଖି ଉଦ୍‌ବିଗ୍ନ ହେଉଥିଲା ଅରୁଣା । ଯାହା ଆସିବା ନିଶ୍ଚିତ ଏବଂ ଅବଧାରିତ ତାହା ଏତେ ବିଳମ୍ବ କରି ଆସୁଛି କାହିଁକି ? ଭାବୁ ଭାବୁ ଥକିଗଲା ଅରୁଣା-। କଡ଼ ଲେଉଟାଇଲା ଅନ୍ୟ ପାଖକୁ । ବାପୁଙ୍କର ହସ ହସ ଅଭୟଝରା ମୁହଁଟି ଟଙ୍ଗା ହୋଇଥିବା ଛବିରୁ ଭାସି ଉଠୁଚି । ଇସ୍ ! ଏଇ ଅନ୍ଧକାର ଏବଂ ଅବସାଦ ମଧ୍ୟରେ ତାଙ୍କର ମୁହଁଟି କେଡ଼େ ଉଜ୍ଜ୍ୱଳ ! ଆଖି ଦିଓଟିର ପ୍ରଦୀପ୍ତ ଦୃଷ୍ଟି କେଡ଼େ ଆକର୍ଷଣୀୟ ଏବଂ ମୁହଁ ଉପରେ ଲାଗିରହିଥିବା ସଦାନନ୍ଦ ହସର ମାଧୁରୀ କେଡ଼େ ଶାନ୍ତିଦାୟକ ! ସେ ଯଦି ଥାଆନ୍ତେ...ଥାଆନ୍ତେ ଯଦି ଦୀନବନ୍ଧୁ ଦାସେ ଆପଣେ !

 

ନା, ସେମାନେ ରହିଲେ ନାହିଁ । ସେମାନଙ୍କ ସ୍ୱପ୍ନରସାକାର ରୂପ ଦେଖିବାପାଇଁ ସେମାନେ ରହି ପାରିଲେ ନାହିଁ । କିନ୍ତୁ ସେମାନଙ୍କର ଏଇ ପ୍ରିୟ ମାଟି ଉପରେ ଛାଡ଼ିଯାଇଛନ୍ତି ପଞ୍ଚାବନ କୋଟି ମଣିଷ...ଆଶୀର୍ବାଦ କରୁଛନ୍ତି ସ୍ୱର୍ଗରୁ...ବହୁତ ଶୋଇଲଣି ବାବା...ଆଉ ନୁହେଁ...ଏଥର ଉଠ...ଜାଗ୍ରତ ହୁଅ...ଆଗକୁ ଚାଲ...ସିଦ୍ଧିଲାଭ ନ କଲା ପର୍ଯ୍ୟନ୍ତ ବିରତ ହୁଅ ନାହିଁ ।

 

କିଏ ଯେପରି ହସ୍ପିଟାଲ ସଂଲଗ୍ନ ସେପାରି କେନାଲ କୂଳର ପୁଞ୍ଜୀଭୂତ ଅନ୍ଧକାର ମଧ୍ୟରୁ ହାତଠାରି ଡାକିଲା ତାକୁ । ଅଣନିଃଶ୍ୱାସୀହୋଇ ଆକୁଳ ଆବେଗର ସହିତ ଅନାଇ ରହିଲା ସେ ।

 

କିଏ ?

 

କିଏ ?

 

କିଏ ଡାକୁଛ ଏତେ ରାତିରେ ?

 

ଯେତିକି ମନୁକମନ ପଚାରିଲା ସେ, ସେତିକି କିଏ ଯେପରି ଗୁଞ୍ଜରି ଉଠିଲା ବାରମ୍ବାର...ମୁଁ...ମୁଁ...ମୁଁ ଡାକୁଛି...ଉଠ...ଉଦ୍ୟତ କର...ଅଗ୍ରସର ହୁଅ...ମୋତେ ଚିହ୍ନିପାରୁନ...ମୁଁ ଯେ ତୁମର ଅତି ପରିଚିତ ଅତି ଆପଣାର...ବାଃ, ବେଶ୍‌ ତ, ମୋତେ ଏତେ ଶୀଘ୍ର ଭୁଲିଗଲ...ମୁଁ ତୁମର ଜନନୀ...ମୁଁ ତୁମର ଜନ୍ମଭୂମି !

 

ଅଶାନ୍ତ ଅରୁଣାର ଅଙ୍ଗେ ଅଙ୍ଗେ ସ୍ଫୁଲିଙ୍ଗର ଜୟଯାତ୍ରା । ଶଯ୍ୟାରୁ ଉଠି ବସିଲା ସେ ଅପୂର୍ବ ଉଲ୍ଲାସରେ ।

 

ମାଗୋ...ପାଣି ମୁନ୍ଦିଏ...

 

ପାଖ ଶଯ୍ୟା ଉପରେ କାତର ହୋଇ ପ୍ରାର୍ଥନା କଲା ଗୋଟିଏ ରୋଗିଣୀ ।

 

ସମସ୍ତେ ଶୋଇପଡ଼ିଥିଲେ । ଡାକ୍ତର, ନର୍ସ ସମସ୍ତେ ଅବସାଦ ମେଣ୍ଟାଇ ନବାପାଇଁ ବିଶ୍ରାମ କରୁଥିଲେ ଟିକିଏ...

 

ମା...ମା...ଗୋ...ବଡ଼ଶୋଷ...ବଡ଼ କଷ୍ଟ...

 

ନିଜର ଅକ୍ଷମତା, ଜ୍ୱାଳା ଯନ୍ତ୍ରଣାସବୁ ଭୁଲିଗଲା ଅରୁଣା । ଡାକ୍ତରଙ୍କ ନିଷେଧାଜ୍ଞ ଅମାନ୍ୟ କରି ଏକ ଅସୀମ ଉତ୍ତେଜନାରେ ତଳକୁ ଓହ୍ଲାଇ ଆସି ଟିକିଏ ଦୂରରେ ଥିବା କଳସୀରୁ ପାଣି ଗିଲାସେ ଆଣି ରୋଗିଣୀର ମୁହଁ ପାଖରେ ଧରି ଧୀରେ ଧୀରେ କେଇଟୋପା ପାଣି ଢାଳିଦେଲା ମୁହଁରେ ।

 

ଆଃ...

 

ପାଣି ଟିକିଏ ପାଟିରେ ପଡ଼ିବାରୁ ପରମ ତୃପ୍ତିର ନିଶ୍ୱାସଛାଡ଼ି ତା’ ମୁହଁକୁ ଅନାଇଁଲା ପାର୍ଶ୍ଵବର୍ତ୍ତିନୀ ରୋଗିଣୀ ।

 

ତା’ର ସେଇ ଚାହାଣୀରେ ବଞ୍ଚିବାର ବିପୁଳ ବାସନା ଦେଖି ବିହ୍ୱଳ ହୋଇଗଲା ଅରୁଣା-

 

ତା’ ଅଧର ଉପରେ ଲାଗିରହିଥିବା ପାଣିଛଟା ପୋଛିଦେଇ ଚଦରଟିକୁ ଭଲକରି ଟାଣିଦେଇ ଘଇଡ଼ାଇ ଦେଲେ ଅରୁଣା । ରୋଗିଣୀ ପରମ ନିଶ୍ଚିନ୍ତରେ ଆଖିବୁଜିଲା ଆଉ ଟିକିଏ ବିଶ୍ରାମ କରିବାପାଇଁ ।

 

ଏଇ ରୋଗିଣୀ ପରି ଏଇ କାନି ମନ ଚାହେଁ ଟିକିଏ ନିଃସ୍ୱାର୍ଥପର ସେବା ଦାବିକରେ ଅବଗୁଣ୍ଠନ ଉଦ୍ୟମ ଶୀଳତା, ଅବମିଶ୍ରିତ ନିଷ୍ଠା । ସେଇ ଟିକକ ଦେବାପାଇଁ ଏ ଦେଶର ଅଗଣିତ ଜନତା କଅଣ ଅସମର୍ଥ ?

 

ନା, ନା, ନା...

 

କିଏ ଯେପରି ରାତ୍ରିର ନୀରବତା ଭଙ୍ଗ କରି ଚିତ୍କାର କରି ଉଠିଲା । ନିଜ ବିଛଣା ଉପରେ ବସି କାନପାରି ଶୁଣିବାପାଇଁ ଚେଷ୍ଟା କଲା ଅରୁଣା ।

 

ପାଖ ଓ୍ୱାର୍ଡ଼ରୁ ଶିଶୁର କାନ୍ଦଣା ଭାସିଆସୁଥିଲା ।

 

କୁଆଁ...କୁଆଁ...କୁଆଁ...

 

ଜନ୍ମଗ୍ରହଣ କଲା ଆଉ ଗୋଟିଏ ନୂତନ ଶିଶୁ...ଗୋଟିଏ ନୂତନ ଜୀବନର ଅଫୁରନ୍ତ ପ୍ରାଣାବେଗ ।

 

ପାଖକୁ ଯାଇ ନବ ଜାତକକୁ ସ୍ୱାଗତ ଜଣାଇବାପାଇଁ ମନହେଲା ଅରୁଣାର ।

 

ଉଠି ଛିଡ଼ାହେଲା ସେ । ଚାରିଆଡ଼କୁ ଚାହିଁଲା । ସମସ୍ତେ ଶୋଇଥିଲେ ସେହିପରି । ନୂତନକୁ ଅଭିଷେକ କରିବାପାଇଁ ପ୍ରାଣର ପୁଲକ ଅଥୟ କରୁଥିଲା ତାକୁ । ଧୀରେ ଧୀରେ କାନ୍ଥ ଉପରେ ଭରା ଦେଇ ଦେଇ ସେ ଅଗ୍ରସର ହେଲା ।

 

ଅଳ୍ପ ଦୂର ଚାଲିଆସି ଦମ୍ ନେବାପାଇଁ ଛିଡ଼ାହେଲା ଟିକିଏ । ଛାତି ଭିତରର ସ୍ପନ୍ଦନ ଦୃଢ଼ତର ହେଉଥିଲା । ଯଦି କେହି ଦେଖିନିଏ...ଯଦି ଡାକ୍ତର ବା ନର୍ସ ଜାଣିଯାଆନ୍ତି ତାକୁ ହୁଏତ ଆଉ ଯିବାକୁ ଦେବେ ନାହିଁ । ନୂତନକୁ ଦେଖିବାର, ତାକୁ ସ୍ୱାଗତ କରିବାର ଇଚ୍ଛା ଟିକକ ମଉଳିଯିବ...ପୂର୍ଣ୍ଣ ହୋଇପାରିବ ନାହିଁ । ମନକୁ ଦୃଢ଼ କରୁଥିଲା ଅରୁଣା ।

 

କୁଆଁ...କୁଆଁ...କୁଆଁ...

 

ଏଥର ଅନେକ ପାଖରେ ସେଇ ପରିଚିତ ଉଦାତ୍ତ ଘୋଷଣା ଶୁଣି ପାରିଲା ସେ ।

 

ହୁଏତ ସେଇ ରୋଗିଣୀଟି ହୋଇଥିବ ଯିଏ ଆସିଥିଲା କ୍ଷୟରୋଗ ସହିତ ନବଜାତକକୁ ଗର୍ଭରେ ଧାରଣ କରି । ଆହାରେ !

 

କିନ୍ତୁ ଆଉ ଆଗକୁ ଯିବା ପୂର୍ବରୁ ପାଖ ପର୍ଦ୍ଦାଟା ଚହଲିଗଲା ଟିକିଏ । କାହାର ଫିସ୍‌ଫିସ୍‌ କଣ୍ଠସ୍ୱର କାନରେ ବାଜିଲା ଆସି ।

 

ପଛକୁ ହଟି ଯାଇ ଶଙ୍କିତ ଚିତ୍ତ ଓ ସ୍ପନ୍ଦିତ ବକ୍ଷରେ ଦ୍ୱାରର ଏ ପାଖରେ ଛିଡ଼ାହୋଇଗଲା ଅରୁଣା ।

 

ପର୍ଦ୍ଦା ଦୋହଲାଇ ସେ ପାଖରୁ ଭାସିଆସିଲା ଦୁଇଜଣଙ୍କର ସଂଳାପ-

 

-ଏବେ ରାତିରେ ଆପଣ ଏଠାକୁ ଆସିଛନ୍ତି କାହିଁକି ?

 

-ଆଜିକୁ ସାତଦିନ ହେବ ଆପଣଙ୍କ ବଙ୍ଗଳାକୁ ବାରମ୍ବାର ଯାଇ ନିରାଶ ହୋଇ ଫେରିଆସିଛି ଡାକ୍ତରବାବୁ । ଦେଖା ପାଇପାରିନାହିଁ ।

 

-ମୋ ସାଙ୍ଗରେ ଦେଖା କରିବାର ଏପରି କି ଅନିବାର୍ଯ୍ୟ ଅବଶ୍ୟକତା ଅଛି ଯେ ଆପଣ ଏତେ ରାତିରେ, ପୁଣି ମୁଁ ଯେତେବେଳେ ଅଚାନକ ପରିଦର୍ଶନରେ ହସ୍ପିଟାଲକୁ ଆସିଛି, ସେତିକିବେଳେ ଛପି ଛପି ମୋ ପଛେ ପଛେ ଚାଲି ଆସିଛନ୍ତି ?

 

-ଅପରାଧ ମାର୍ଜନା କରନ୍ତୁ ସାର୍ ! ଆପଣଙ୍କ ଡ୍ରାଇଭର ପାଖରୁ ଶୁଣିଲି ଯେ ଆପଣ ଅଧରାତିରେ ହସ୍ପିଟାଲ ଯିବେ ସରପ୍ରାଇଜ୍‌ ଭିଜିଟପାଇଁ ।

 

-ବେଶ୍‌ ବୁଝିପାରୁଛି । ଆପଣ ତାକୁ ତା’ହେଲେ ହାତ କରି ନେଇଛନ୍ତି !

 

-କ୍ଷମା କରିବେ ସାର୍ ! ଆଉ ଉପାୟ ନ ଥିଲା । ହସ୍ପିଟାଲ୍‌ର ଖାଦ୍ୟଦ୍ରବ୍ୟ, ଦୁଧ, ରୋଟି ମୁଁ ଯୋଗାଇଥାଏ ।

 

-ଆପଣଙ୍କ ଉପସ୍ଥିତିର ଆବଶ୍ୟକତା ଏ ସମୟରେ ମୁଁ ଆଦୌ ଅନୁଭବ କରୁନାହିଁ । ଆପଣ ଦୟାକରି ଚାଲିଯାଆନ୍ତୁ ଏଠାରୁ ।

 

-ଚାଲିଯିବି । କିନ୍ତୁ ଶୁଣିଲି ଆପଣ ଜଏନ କଲାପରେ ମୋର ଲାଇସେନ୍ସ କ୍ୟାନସେଲ କରିବାପାଇଁ ରିପୋର୍ଟ କରିଛନ୍ତି ସରକାରଙ୍କୁ । ଆପଣ ଯଦି ରକ୍ଷା ନ କରନ୍ତି...

 

ଏହା ପରେ ଖସ୍‌ ଖସ୍‌ ଶବ୍ଦ ହେଲା ଟିକିଏ । ତାପରେ ହଠାତ୍‌ ଗୋଟାଏ ପ୍ରବଳ ଚାପୁଡ଼ାର ଆବାଜ ଶୁଣି ସ୍ତବ୍‌ଧ ହୋଇଗଲା ଅରୁଣା । ତା’ପରେ ହସ୍ପିଟାଲ୍‌ର ଆଭ୍ୟନ୍ତରୀଣ ସୁପରିଟେଣ୍ଡେଣ୍ଟଙ୍କ ତୀବ୍ର କଣ୍ଠସ୍ୱର ଭାସି ଆସିଲା ପରଦା ସେପାଖରୁ...

 

ଶୟତାନ୍...କଳାବଜାରୀ...ଜାଲିୟାତ୍ !

 

ପରଦା ଠେଲି ନୋଟ୍‌ବିଡ଼ା ହାତରେ ଧରି ମାଡ଼ଖିଆ କୁକୁର ପରି ଥରି ଥରି ଦ୍ରୁତ ପଦରେ ଚାଲିଯିବାର ଦେଖିଲା ସେ ଗୋଟିଏ ମଣିଷକୁ ।

 

ମଣିଷର ରୂପ ପୁଣି ଏତେ କୁତ୍ସିତ ହୋଇପାରେ-ଏୟା ଭାବୁ ଭାବୁ ଆଉ ଆଗକୁ ନ ଯାଇ ସେଇଠାରେ ଛିଡ଼ାହୋଇ ରହିଲା ସେ । କିନ୍ତୁ ଡାକ୍ତରଙ୍କର କର୍ତ୍ତବ୍ୟନିଷ୍ଠା ତାକୁ ବିହ୍ୱଳ କରିପକାଇଲା । ଆଉ ମୁଗ୍‌ଧ ବିସ୍ମିତ ହୋଇ ସେ ଦେଖିଲା ମଣିଷର ଅଫୂରନ୍ତ ସୌନ୍ଦର୍ଯ୍ୟ, ତା’ର ଅକଳନ୍ତି ମହିମା...। ମନେ ମନେ କହିଲା ଅରୁଣା-ଏବେବି ବଞ୍ଚିଛି ଏ ଦେଶ, ମରିଯାଇନାହିଁ...ମରିପାରେନା ତା’ର ଆତ୍ମା ।

 

କୁଆଁ...କୁଆଁ...କୁଆଁ...

 

ଶହେବର୍ଷ ତଳେ ଠିକ୍‌ ସମୟର ଏହିପରି ଏକ ସନ୍ଧିକ୍ଷଣରେ ମାଟି ଉପରେ ପାଦ ପକାଇ ଗୋଟିଏ ଅମୃତ ଶିଶୁ ତା’ର କୁଆଁକୁଆଁ ଶବ୍ଦରେ ଜାଗ୍ରତ କରି ଦେଇଥିଲା ସମସ୍ତଙ୍କୁ । ଆଜି ବି ନବଜାତକର ପ୍ରଥମ କ୍ରନ୍ଦନରେ ସେହି ଅମୃତ ଶିଶୁର ଚିରବାଞ୍ଛିତ ଆନନ୍ଦାଲୋକ, ମଙ୍ଗଳାଲୋକର ବାଣୀ ଯେପରି ଧ୍ୱନିତ ହେଉଥିଲା ପୁଣି । ଏ ଦେଶ, ପଚିଶ ବର୍ଷର ଯାତ୍ରା ସହିତ ତାଙ୍କର ଶହେ ବର୍ଷର ଦୀର୍ଘଯାତ୍ରା ପଥର ଗୋଟିଏ ଅବିସ୍ମରଣୀୟ ସ୍ଳୋଗାନ-ସଂକଳ୍ପ, ସାଧନା ଆଉ ସମର୍ପଣ ହିଁ ଏ ଦେଶର ଏ ଜାତିର ଏବଂ ଏହାର ଅଧିବାସୀମାନଙ୍କର ଆଣିବ ରୂପାନ୍ତର ।

 

ଝଲକାଏ ଥଣ୍ଡା ପବନ ଦେହରେ ବାଜିଲା ଆସି । ନିଜ ଶଯ୍ୟା ପାଖକୁ ଫେରିବା ପଥରେ ବାତାୟନ ପାଖରେ ଛିଡ଼ାହୋଇ ବାହାରକୁ ଅନାଁଇଲା ଅରୁଣା । ଉଦୟାଚଳରେ ନବ ପ୍ରଭାତର ଆଗମନ ଘୋଷଣା କରି ସେତେବେଳକୁ କୁଆଁତାରା ଉଠିଥିଲା ଆକାଶରେ । ସେଇ ନିଶ୍ଚିତ ନୂତନ ସକାଳର ଆଗମନପାଇଁ ଅଧୀର ଆଗ୍ରହରେ ଅପେକ୍ଷା କରି ରହିଲା ଅରୁଣା । ମନେ ମନେଗୁଞ୍ଜରି ଉଠିଲା ଋଗ୍‌ ବେଦର ସେଇ ଅମର ବାଣୀ-

 

ସଂଗଚ୍ଛଧ୍ୱଂ ସବଦଧ୍ୱଂ ସଂବୋମନାଂ ସିଜାନତାମ୍

ଦେବାଭାଗଂ ୟଥାପୂବଂ ସଂଜାନାନା ଉପାସତେ ।

Image

 

ଏ ଆଶା ହତାଶାର

 

ବହୁତ ସମୟ ନିଜ ଜମି ଉପରେ ଛିଡ଼ାହୋଇ ଦେଖିଲା ସାଧୁ । କେତେ ବା ଜମି, ତଥାପି ଯେଉଁ ଟିକକ ଅଛି ସେଇତକ ଯଥେଷ୍ଟ । ବିପଦ ଆପଦରେ ଏଇ ଜମି ଖଣ୍ଡକ ଭରସା । ଟଙ୍କା ସୁନା ନାହିଁ, ମଣିଷ ବଳ ବି ନାହିଁ । ସେଇଥିପାଇଁ ଜମି ଖଣ୍ଡକୁ ଚାହିଁଲେ ବଳ ପାଏ ସାଧୁ । ତା’ ମନ ଭରିଯାଏ । ଅଞ୍ଜୁଳାଏ ମାଟି ନାକ ପାଖକୁ ନେଇ ଶୁଙ୍ଘେ । କପାଳରେ ଏବଂ ଛାତିରେ ଲଗାଇ ପୁଣି ପକାଇଦିଏ ତଳକୁ । ଏଇ ମାଟି ଟିକକୁ ଆଶ୍ରା କରି ତା’ ବାପ ଗୋସେଇଁ ବାପ, ସାତପୁରୁଷ ମନମଉଜରେ କାଳ କାଟିଛନ୍ତି । ସେ ବି ଦୁଃଖରେ ନାହିଁ । କିନ୍ତୁ କୁଟୁମ୍ବ ବଢ଼ିଛି । ‘ବାସୁଦେବ ଚକ’ ସମୟକ୍ରମେ ପାଞ୍ଚ ଭାଗରେ ବିଭକ୍ତ ହୋଇଯାଇଛି । ତଥାପି ଯେଉଁ ତିନିମାଣ ପାଞ୍ଚଗୁଣ୍ଠସାତବିଶ୍ୱା ଜମି ଅଛି ତା’ ଭାଗରେ ତାହା କ’ଣ କମ୍ ! ସୁନା ଫଳେ ‘ବାସୁଦେବ ଚକ’ରେ । ଅସରାଏ ବର୍ଷା ହୋଇଗଲେ ଦାଣ୍ଡର ପାଣି ଟିକକ ଧୋଇହୋଇ ଆସି ପଡ଼େ ଜମିରେ । ଦାଣ୍ଡ ପାଣିର ସାର ପାଇ ଫୁଲି ଉଠେ ଫସଲ । ମନ ଭରିଯାଏ ସାଧୁ ସାହାଣୀର ।

ସେଇ ଚକ ଉପରେ ବହୁତ ସମୟ ଧରି ଜମି ଉପରକୁ ଚାହିଁଥିଲା ସେ । ହେଲେ ମନ ଆଉ ପୂରି ଉଠୁ ନଥିଲା, ବରଂ ଛାତି ଭିତରେ ହାହାକାରର ଗୋଟିଏ ତତଲା ନିଶ୍ୱାସ ବାହାରକୁ ବାହାରି ଆସିଲା ଥରି ଥରି । ଖରାରେ ଫାଟି ଆଁ କରିଥିବା ଜମି ଖଣ୍ଡକୁ ଦେଖି ଝାଳ ବୋହିଗଲା ତା’ ଦିହରୁ । କେତେ ଟୋପା ଝାଳ କପାଳ ଉପରୁ ଗଡ଼ି ଆସି ପାଟି ଭିତରକୁ ପଶି ଯାଇ ଜିଭରେ ଲାଗିଲା । କେତେ ଟୋପା ଝାଳ ଦେହରୁ ଗଡ଼ିପଡ଼ିଲା ‘ବାସୁଦେବ ଚକ’ର ତୃଷାର୍ତ୍ତ ଜମି ଉପରେ । ଚଁ ଚଁ କରି କେଉଁଆଡ଼େ ଅଦୃଶ୍ୟ ହୋଇଗଲା ଜମି ଉପରେ ଗଡ଼ିପଡ଼ିଥିବା କେଇଟୋପା ଝାଳ । ଶେଷରେ ଥରୁଛି ବସୁନ୍ଧରା । ମୂଷଳ ଧାରାର ବର୍ଷା ହେଲେ ଶୋଷ ଶାନ୍ତ ହୁଅନ୍ତା । ଜିଭରେ ଝାଳ ଲାଗି ଲୁଣିଆ ହୋଇଯାଇଥିଲା, ଏଇ ଜମିର ମାଟି ବି ଲୁଣିଆ । ସେ ଦିନେ ଚାଖି ପରଖି ନେଇଥିଲା । ସେଇଥିପାଇଁ ତା’ ଦେହପରି ପ୍ରିୟ ଏଇ ଜମି ଖଣ୍ଡକ । ଏହାର ଲୁଣ ଖାଇ ବଢ଼ି ଆସିଛି ସେ, ବଢ଼ିଥିଲେ ବାପ, ଗୋସେଇଁ ବାପ, ଚଉଦ ପୁରୁଷ । ଏହାର ଗୁଣ ନ ଗାଇ ଅବିଶ୍ୱାସୀ କେବେ କେହି ହୋଇନାହିଁ ସାହାଣୀ ବଂଶରେ ।

ଚାରି ଆଡ଼କୁ ଚାହିଁଲା । କାହିଁ, ଆଶାର ଚିହ୍ନ ବି ଦେଖିଲା ନାହିଁ । ଜ୍ୟେଷ୍ଠ ମାସର ଖରାରେ ଧୁଧୁହୋଇ ଜଳୁଥିଲା ଚାରିଆଡ଼ । ପୋଖରୀଟା ବି ଶୁଖି ଆସିଲାଣି । କୋଶେ ଦୂରରେ ଯେଉଁ ବଳଙ୍ଗର ଧାର କୁଳୁ କୁଳୁ କରୁଥାଏ ଶୁଖି ଯାଇ ଖିଏ ପାଣି ପଡ଼ି ରହିଛି ଗୋଟିଏ ଧାରରେ । ଜ୍ୟେଷ୍ଠ ଶେଷ ହେବା ଉପରେ । ଗଲା ଚାରି ମାସ ଭିତରେ ଟୋପାଏ ପାଣି ବି ପଡ଼ିନାହିଁ ମାଟି ଉପରେ ।

ସାହସୀ ଲୋକର ଦମ୍ଭ ଅଟକିଯିବ ଏପରି ଦୃଶ୍ୟ ଦେଖିଲେ । ଖରାରେ ପାଣି ମୁନ୍ଦିଏ ନ ପାଇ ଶୋଷରେ ଯେପରି ଶୁଖିଯାଏ ତଣ୍ଟି, ସେଇପରି ପାଣି ଅଭାବରେ ଫାଟି ଯାଇଛି ଧରିତ୍ରୀ । ଆହା ! କେଡ଼େ କଷ୍ଟ ହେଉ ନ ଥିବ ମା’ ବସୁନ୍ଧରାକୁ !

ହୀନ କପାଳ, ନ ହେଲେ କି ବୈଶାଖ ଯାଇ ଜ୍ୟେଷ୍ଠ ଶେଷହେବାକୁ ବସିଲାଣି ଅସରାଏ ବର୍ଷା ବି ହେଲା ନାହିଁ !

ପାପ, ମହାପାପର ଫଳ ଏ । ଧର୍ମ କର୍ମକୁ କେହି ମାନୁନାହାନ୍ତି, ବିଶ୍ୱାସ ନାହିଁ ଠାକୁର ଦେବତାରେ । ବଡ଼ ସାନ ପ୍ରତି ଶ୍ରଦ୍ଧା ନାହିଁ । ନୀତି ଅନୀତି ପ୍ରତି ଆଦର ଏବଂ ଭୟ ନାହିଁ । ଘୋର କଳିକାଳ। ଏ ଯାତ୍ରାରୁ ଉଧୁରି ଯିବାର ବାଟ ଦିଶୁନି । ପଥ ବଣା ହୋଇଯାଉଛି ମଣିଷ ।

ଆଉ କେତେ ଭାବିବ ସାଧୁ ସାହାଣୀ ? ଭାବିଲେ ଯଦି ଭାବଗ୍ରାହୀ ମିଳିଯାଆନ୍ତେ, ତା’ହେଲେ କେଉଁଦିନୁ ବରଷା ପାଣି ଆସି ଧୋଇ ଦେଇ ଚାଲି ଯାଆନ୍ତାଣି ‘ବାସୁଦେବ ଚକ’କୁ । କିନ୍ତୁ କଳିକାଳରେ ଭଗବାନ ବି ଭକ୍ତର ଦୁଃଖ ଦେଖି ସାହସ କରନ୍ତି ନାହିଁ ଆସିବାପାଇଁ । ଅବିଶ୍ୱାସୀ ମନ ସଭିଙ୍କର । ଭକ୍ତି ଥିଲେ ସିନା ପାଆନ୍ତେ, ତର୍କରେ ପାଇବେ କେଉଁଠି ?

ପର ଦରବ, ପର ମାଇପ ସୁନ୍ଦର; ସେଇଥିରେ ଏ ଯୁଗର ଆକର୍ଷଣ ଅଧିକ । ନ ହେଲେ କି ଲୋଭ ଲାଳସାରେ ଅନ୍ଧ ହୋଇଯାଇଥାଆନ୍ତା ମଣିଷ ? ଏଇ ଗାଆଁ ଦାଣ୍ଡରେ ନିର୍ଭୟରେ ଚାଲୁଥିଲେ ଗାଆଁର ଝିଅ, ବୋହୂ, ମା’, ଭଉଣୀ, ପିଉସୀ, ମାଉସୀ । ଆଜି ସେସବୁ ସପନ ହୋଇଯାଇଛି । ଷୋହଳ ସତର ବରଷର ଝିଅଟିଏ କି ନୂଆ ହୋଇ ଆସିଥିବା ବୋହୂ ଜଣେ ଚାଲିଗଲେ ଦାଣ୍ଡରେ ସୁସୁରି ବଜାଇ ଜଳୁଥିବା ଆଖି କେଇଟା ଲାଗିରହେ ସେମାନଙ୍କ ଦେହ ଚାରି ପାଖରେ । ଛି ! ଛି ! ! ପାଠପଢ଼ି ବଡ଼ ନ ହୋଇ ଏତେ ଛୋଟ ହୋଇଯାଏ ମନ, ୟା କଅଣ କେବେ ଭାବିଥିଲା ସେ !

ମହା ପାପର ଫଳ ଭୋଗ କରିବେ ସଭିଏଁ । ‘ଆପଣା କଲା କର୍ମମାନ, ଆଗୁ ହୋଇବ ସାବଧାନ ।’ ଏ ଭାଗବତ ବାଣୀ ମିଛ ହୋଇଯିବ ? କିନ୍ତୁ ସେ ବି ବାଦ ପଡ଼ିବ ନାହିଁ । ସେ ବି ତ ସମସ୍ତଙ୍କ ମଧ୍ୟରୁ ଜଣେ । କାମିନୀ କାଞ୍ଚନ ପ୍ରତି ଆସକ୍ତି ଥରେ ଥରେ ତାକୁ ବି ଛୁଏଁ । ନହେଲେ ନୂଆହୋଇ ଯେଉଁ ସ୍କୁଲ ମାଷ୍ଟ୍ରାଣୀ ଆସିଛନ୍ତି ତାଙ୍କର ପେଣ୍ଡୁଦିଆ ଫୁଲାଣିଆ ଜୁଡ଼ାଟିକୁ ଦେଖି ସେଦିନ ସେ ଏତେ ଆଶ୍ଚର୍ଯ୍ୟହୋଇ ଅପଲକ ନୟନରେ ଚାହିଁ ରହିଥାଆନ୍ତା କିପରି ? ସେଦିନର ସତରେ ଲାଜେଇ ଯାଇଥିଲା ସେ । ତା’ ମନକଥା ବୁଝିପାରି ତା’ ପାଖକୁ ଲାଗିଆସି ତା’ କାନ ପାଖେ କହିଥିଲା ସଦେଇ- ଏତେ ବଡ଼ ଜୁଡ଼ା ଦେଖି ତୋ ଆଖିରେ ଭେଳିକି ଲାଗିଯାଇଛି ନା ! ହେଲେ ତା’ ଭିତରେ ବାଳ ନାହିଁ ମ, ଅଛି ବଲ ପରି କଳା ପେଣ୍ଡୁଟିଏ ।

 

ଆଶ୍ଚର୍ଯ୍ୟ ହୋଇଯାଇଥିଲା ସାଧୁ ସାହାଣୀ । ତା’ ସ୍ତ୍ରୀ ଲଳିତା’ର ଜୁଡ଼ା ଏହାଠୁ ବଡ଼ ନ ହେଲେ ମଧ୍ୟ ଛୋଟ ନୁହେଁ, କିନ୍ତୁ ସେ ତ ପେଣ୍ଡୁ ଦେଇ ବାଳ ବାନ୍ଧିନାହିଁ କେବେ ? ସେଦିନ ଲଳିତାକୁ ପାଖକୁ ଆଉଜାଇ ନେଇ ଗୁପତ କଥାଟା କହିଦେଇ ହସି ହସି ଗଡ଼ି ଯାଇଥିଲା ସାଧୁ ସାହାଣୀ । ଲଳିତା କିନ୍ତୁ ମୁରୁକି ହସି ସାଧୁର ଓଠ ଉପରେ ହାତ ରଖି କହିଥିଲା- ପର ଝିଅର ଜୁଡ଼ାକୁ ଏତେ ଚାହୁଁଥିଲ କିଆଁ ମ ? ମନ ରସିଲାଣି କି ?

 

ଛି, ଛି, କାନ ମୋଡ଼ି ପ୍ରତିଜ୍ଞା କରିଥିଲା ସାଧୁ ସାହାଣୀ ଆଉ ଦିନେ ହେଲେ କାହାକୁ ସେପରି ଚାହିଁବ ନାହିଁ ବୋଲି । ସେଇଦିନୁ ସତରେ ଆଉ ଦିନେହେଲେ କେହି ଝିଅ ବୋହୂ ଚାଲିଗଲେ ହାଁ କରି ସେମାନଙ୍କ ଆଡ଼କୁ ଅନାଇଁ ନ ରହି ଆଖି ଫେରାଏ ସାଧୁ । ବହୁ ବର୍ଷ ତଳେ ମାଷ୍ଟରଙ୍କ କହିଥିବା କଥା ପଦକ ମନେପଡ଼ିଗଲା-ମାତୃବତ୍‌ ପରଦାରେଷୁ ।

 

ପାପ ସବୁ ଜମି ଜମି ଶିମିଳିପାଳ ପର୍ବତଠାରୁ ବଡ଼ ହୋଇଛି । ପାପ ପାହାଡ଼ରେ ଦକ୍ଷିଣା ପବନ ବାଜିଲେ ସିନା ଯାଇ ବରଷା ହେବ । ନା, ସେ ଆଶା ମଉଳିଯିବା ଉପରେ । ଗତ ବର୍ଷ ଜଳ ବହୁଳ ହୋଇ ଧୋଇହୋଇ ଯାଇଥିଲା ଅନେକ ଜମି । ଏ ବର୍ଷ ଜଳ ବିହୁନେ ସୃଷ୍ଟି ନାଶ ହେବ ପରା !

 

ସନ୍ଧ୍ୟା ହେବା ଆଗରୁ ସହଳ ସହଳ ଧୁଆଧୋଇ ହୋଇ ଘରକୁ ଫେରି ଆସିଲା ସାଧୁ ସାହାଣୀ । ଲଳିତା ସନ୍ଧ୍ୟା ଦୀପ ସଜାଉଥିଲା ତୁଳସୀ ଚଉରା ପାଖରେ । ତାକୁ ଦେଖିପକାଇ ପଚାରିଦେଲା-ଏଡ଼େ ବେଗି ବେଗି ଯେ...

 

ଓଦା ଲୁଗାଟା ଶୁଖାଉ ଶୁଖାଉ କହିଲା ସାଧୁ, ‘‘ଭୁଲିଯାଇଥିଲି କହିବାପାଇଁ । ସନ୍ଧ୍ୟାବେଳେ ନାଟମନ୍ଦିରରେ ସଭା ହେବ । ଖରାରେ ଲୋକମାନଙ୍କର ଦୁର୍ଗତି ଦେଖିବାପାଇଁ ସ୍ୱୟଂ କମିସନର ସାହେବ ଆସିବେ । ଇସ୍କୁଲପଡ଼ିଆରେ ସଭା ହେବ ସୋମବାର ସକାଳେ ।’’

 

ଲଳିତା ତା’ ପାଖକୁ ଲାଗିଆସି କହିଲା- କହନ୍ତନି ତାଙ୍କୁ ଥରେ- ପାଣି ପମ୍ପ ନା କଅଣ ଦିଆଯାଉଛି ପରା ! ଯଦି ଦିଅନ୍ତେ ଆମକୁ ଗୋଟିଏ !

 

ନିଜ ତୁଣ୍ଡର କଥା ଛଡ଼ାଇ ନେଲା ଲଳିତା । ତା’ କଥା ଶୁଣି ବଡ ଖୁସି ହୋଇଗଲା ସାଧୁ-। ଦୁଇତୁଣ୍ଡରୁ ସମାନ କଥାଟା ଉଠିଛି ଯେତେବେଳେ ଶୁଭ ହେବ ନିଶ୍ଚୟ । ସେ ମଥାରେ ହାତ ଲଗାଇ କହିଲା- କହିବି, କହିବି । ମୁଁ ବି ସେଇ କଥା ଭାବୁଥିଲି ଲୋ ଲଳିତା ।

 

ତୁଳସୀ ଚଉରା ମୂଳେ ସନ୍ଧ୍ୟାଦୀପ ଜାଳିଦେଇ ପ୍ରଣାମ କଲା ଲଳିତା- ସ୍ୱାମୀର ମଙ୍ଗଳ ହେଉ, ସଂସାର ସୁଖରେ ଯାଉ, ସମସ୍ତଙ୍କର ଶୁଭ ହେଉ, ଭଗବାନ୍... !

 

ସହଳ ସହଳ ପଖାଳ ଗଣ୍ଡେ ଖାଇଦେଇ ସଭାରେ ଯୋଗ ଦବାପାଇଁ ବାହାରିପଡ଼ିଲା ସାଧୁ ସାହାଣୀ ।

 

ସଭାର ନିଷ୍ପତ୍ତି ଅନୁସାରେ କମିସନର ଖରାରେ ଲୋକମାନଙ୍କ ଦୁର୍ଗତି ଦେଖିବାପାଇଁ ଆସିଲେ; ଅଭ୍ୟର୍ଥନା କରିବାପାଇଁ ସ୍ଥିରହୋଇ ସମସ୍ତ ଆୟୋଜନ ଚାଲିଲା । ବସନ୍ତପୁର ଓ ଆଖ ପାଖ ପାଞ୍ଚ ଖଣ୍ଡ ଗାଆଁରେ ଉତ୍ତେଜନା ଓ ଉତ୍ସାହ ଦେଖାଦେଲା । ଏ ପର୍ଯ୍ୟନ୍ତ ଏତେବଡ଼ ଅଫିସର୍‌ ଏ ଅଞ୍ଚଳକୁ ଆସି ନ ଥିଲେ । ଗତବରଷ ଧୋୟା ଅଞ୍ଚଳ ଦେଖିବାପାଇଁ ମନ୍ତ୍ରୀମହୋଦୟ ଆସିବାର ଥିଲା । କିନ୍ତୁ କାଦୁଅରେ ତାଙ୍କ ଗାଡ଼ି ଅଧବାଟରେ ଅଟକିଯିବାରୁ ସେ ଆଉ ଆସି ପାରିଲେ ନାହିଁ । ମନ୍ତ୍ରୀ ସିନା କାମର ଚାପରେ ଆସିପାରିଲେ ନାହିଁ, କିନ୍ତୁ ତାଙ୍କ ସଦରଦପ୍ତରର ବଡ଼ ସାହେବ କମିସନର ନିଜେ ଆସୁଛନ୍ତି ଅବସ୍ଥାର ସରଜମିନ ତଦନ୍ତ କରିଯିବାପାଇଁ । ମାମଲତକାର, ଟାଉଟର ଓ ଅନ୍ୟାନ୍ୟ ଅଞ୍ଚଳ ପ୍ରତିନିଧିମାନେ ବ୍ୟସ୍ତ ହୋଇପଡ଼ିଲେ । କିଏ କିଏ ଗାଆଁରୁ ସହରକୁ ଯିବା ଆସିବା କରିବାକୁ ଲାଗିଲେ । କିଏ କିଏ ଅଭିନନ୍ଦନ ପତ୍ର ଲେଖିବା, ତାହା ଯାଞ୍ଚ କରାଇବା ପ୍ରଭୃତି କାର୍ଯ୍ୟରେ ମନୋନିବେଶ କଲେ । ସଡ଼କ ପାଖରୁ ଗାଆଁ ଦାଣ୍ଡ ପର୍ଯ୍ୟନ୍ତ ପାଞ୍ଚୋଟି ତୋରଣ ଏବଂ ଆନୁସଙ୍ଗିକ ସାଜସଜ୍ଜାର ଭାର ପଡ଼ିଥିଲା ସାଧୁ ଉପରେ । ଜ୍ୟେଷ୍ଠ ମାସର ପ୍ରବଳ ଖରାକୁ ନ ମାନି ସେ ଆଉ ଦୁଇ ଚାରି ଜଣଙ୍କୁ ଧରି ଲାଗିଗଲା କାମରେ । ସମସ୍ତଙ୍କଠାରୁ ତା’ର ଉତ୍ସାହ ଯେପରି ବେଶୀ ! ନିଜ ବାଡ଼ିରୁ ବାଉଁଶ କାଟିଲା, ଘରୁ ବୋବେଇ ଦଉଡ଼ି ନେଲା, ନିଜ ଘରୁ ତିନି ଟଙ୍କା ଦେଇ ନାଲି ନୀଳ କାଗଜ ଆଣିବାପାଇଁ ପିଲାମାନଙ୍କୁ ଦୋକାନକୁ ପଠାଇଦେଲା । ଆମ୍ବ ଗଛରୁ ଆମ୍ବଡ଼ାଳ ଭାଙ୍ଗି ଆଣି ତୋରଣ ବାନ୍ଧିବାରେ ଲାଗିଗଲା । ଏଡ଼ିକି ଖରାର ଉତ୍ତାପ ଦେହ ମୁଣ୍ଡରେ ଲାଗିଲା ତା’ର, କିନ୍ତୁ ପଛେଇ ଗଲାନି ସାଧୁ ସାହାଣୀ ।

 

ଅନେକ ଲୋକ ଥାଆନ୍ତି ସେମାନେ କାମ କରନ୍ତୁ ବା ନ କରନ୍ତୁ କାମ କରିବାର ପ୍ରଶଂସା ଟିକକ ପାଇବା ପାଇଁ ଭିଡ଼ କରନ୍ତି । ଆଉ ଅଳପ କେତେକ ଥାଆନ୍ତି, ଯେଉଁମାନେ କାମ କରିବାର ପ୍ରଶଂସା ପ୍ରାପ୍ୟ ଅଛି କି ନାହିଁ ନ ଜାଣି ନ ଭାବି କେବଳ କାମ କରିଯାଆନ୍ତି ମନ ଆନନ୍ଦରେ । ଶେଷୋକ୍ତ ଦଳର ଯେଉଁମାନେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଅନ୍ୟମାନଙ୍କୁ ବାଟ ଛାଡ଼ି ଦିଅନ୍ତି, ନିଜ କାମର ପ୍ରଶଂସା ଗୋଟେଇବାପାଇଁ, ସେମାନଙ୍କ ମଧ୍ୟରେ ସାଧୁ ସାହାଣୀ ଅନ୍ୟତମ । ସରପଞ୍ଚ ତାକୁ ଯେଉଁ କାମର ଭାର ଦେଇଥିଲେ ତାହା ନିଶ୍ଚୟ ପୂରଣ କରିବ ସେ । ସେଥିରେ ଅବହେଳା ହେବାର ଉପାୟ ନାହିଁ ।

 

ଦୁଇଦିନ ମଧ୍ୟରେ ବସନ୍ତପୁର ଗାଆଁଟି କମିସନ୍‌ର ସାହେବଙ୍କୁ ଅଭ୍ୟର୍ଥନା କରିବାପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲା । ଗାଆଁ ଦାଣ୍ଡ ସଫା ହେଲା, ପୋଖରୀହିଡ଼ ଉପରେ ଜମିଥିବା ମଇଳା ଫିଙ୍ଗି ଦିଆଗଲା, ରାସ୍ତା ଉପରେ ତୋରଣ ଉଠିଲା । ନାଲି ନେଳି ହଳଦିଆ ରଙ୍ଗର କାଗଜରେ ତିଆରି ସୁନ୍ଦର କାଗଜ ଫୁଲର ମାଳ ଝୁଲାଇ ଦିଆଗଲା ରାସ୍ତା ଉପରେ ।

 

ଦୁଇଦିନ କଠିନ ପରିଶ୍ରମ କରି କଳା ପଡ଼ିଗଲା ସାଧୁ ସାହାଣୀର ଗୋରା ଦେହ ଖଣ୍ଡକ, କିନ୍ତୁ ସେ ଆଡ଼କୁ ନଜର ନ ଥିଲା ତା’ର । ଅଧିକ ଉତ୍ସାହ, ଅଧିକ ବଳ ପାଉଥିଲା ସେ ମନରେ । ମନ୍ତ୍ରୀ ଆସିଥିଲେ ଦେଖି ଖୁସି ହୋଇ ଯାଇ ଥାଆନ୍ତେ । କାମିକାଲୋକ- ସବୁ ଆଡ଼କୁ ଯିବେ କିପରି ? ତାଙ୍କ ଦପ୍ତରର ସ୍ୱୟଂ କମିସନର ସାହେବଙ୍କୁ ସରଜମିନ ତଦନ୍ତ କରିବାପାଇଁ ପଠାଉଛନ୍ତି । ସେ ଦେଖିଗଲେ ବି ହେବ ଯେ ! ସେଇ ଭୋଟବେଳେ ସେ ଦେଖିଥିଲା ମନ୍ତ୍ରୀଙ୍କୁ- ମନେଅଛି ସାଧୁ ସାହାଣୀର । କେଡ଼େ ପାରିବାର ଲୋକ । ଦେଶର ହଜାରେ କଥା ବୁଝିବା ପରେ ଥକି ଯାଆନ୍ତିନି କିପରି ? ଆଶ୍ଚର୍ଯ୍ୟ ହୁଏ ସାଧୁ ସାହାଣୀ । ବଡ଼ବଡ଼ ହାକିମ ହୁକୁମା, କମିସନର୍, ମନ୍ତ୍ରୀଙ୍କ ମୁଣ୍ଡ ଥଣ୍ଡା ନ ରହିଲେ ଏତେ ସମସ୍ୟାର ସମାଧାନ କିଏ କରିବ ? ସେଇଥିପାଇଁ ସରପଞ୍ଚ କହୁଥିଲେ ସେମାନଙ୍କ ଅଫିସ୍‌ ଘରେ ଗରମ ନ ହୋଇ ଥଣ୍ଡା ହୁଏ, ଶୀତ ନ ହୋଇ ଗରମ ହୁଏ-ଜଳ ଖଞ୍ଜା ହୋଇଛି ସେମାନଙ୍କ ବସିବା ଘରେ ।

 

କେତେ ଗୁରୁତର ସମସ୍ୟା, କେତେ ଜରୁରୀ ସରକାରୀ କାମ ପଛରେ ପକାଇ ସ୍ୱଂୟ କମିସନର ଆସୁଛନ୍ତି ଅବସ୍ଥା ଦେଖିଯିବାପାଇଁ । ନିଜ ଆଖିରେ ଲୋକଙ୍କ ଦହଗଞ୍ଜ ଦେଖିଯିବେ । କାଗଜ ରିପୋର୍ଟ ବହୁତ ପଢ଼ିଲେଣି । ନିଜ ଆଖିରେ ନ ଦେଖିଲେ ପରତେ ଯିବେ କିପରି ? ସେଇଥିପାଇଁ ତାଙ୍କ ରହଣୀକୁ ଯଥାସମ୍ଭବ ସୁଖପ୍ରଦ ନ କଲେ ଚଳିବ କିପରି ? ସକାଳୁ ସରପଞ୍ଚଙ୍କ ପୁଅ ମୋହନ ସହରକୁ ଯାଇ ମହଣେ ବରଫ ନେଇ ଆସିଛି । ମଫସଲର ଗରମ ପାଣି ପିଇଲେ ଶୁଖିଲା ତାଳୁରୁ ଅଠା ଝରେ । ବସାଦହିର ସରବତ୍‌ରେ ବରଫ ମିଶାଇ ଉପରେ ଜିରା ଗୁଣ୍ଡ, ଗୋଲାପ ଜଳ ଛିଞ୍ଚିଦେଇ ପାଇପ୍‌ ଖଣ୍ଡିଏ ପକାଇ ତାଙ୍କ ହାତକୁ ବଢ଼ାଇଦେଲେ କେଡ଼େ ଖୁସି ହେବେ ସେ ! ବସନ୍ତପୁର ମୌଜାର ମାନ ମହତ ବଢ଼ିଯିବ । ବି.ଡି.ଓ ବାବୁଙ୍କ ନାମ ରହିଯିବ । ସରକାରୀ ହାକିମ ହୁକୁମା ସମୀହ କରି ଚଳିବେ ଏ ଗାଆଁର ଅଧିବାସିମାନଙ୍କୁ ।

 

ସାଧୁର ଚେହେରା ଖଣ୍ଡକ ଦେଖି ଶଙ୍କିଯାଇ କହି ପକାଇଲା ଲଳିତା- କ’ଣ କଲଣି ଦିହକୁ ? ବାଧିକି ପଡ଼ିଲେ କିଏ ସାହା ହେବ ଶୁଣେ !

 

ଉତ୍ତର ନ ଦେଇ ମୁରୁକି ହସିଲା ସାଧୁ ସାହାଣୀ । କିଏ ସାହା ହେବ ଆଉ, ଭଲ ମନ୍ଦରେ ଗୋଡ଼ ବା ମଥା ଉପରେ ହାତ ବୁଲାଇ ଦେବାପାଇଁ ଭଗବାନ ତା’ ସହିତ ଛନ୍ଦି ଦେଇଛନ୍ତି ଲଳିତାକୁ । ଲଳିତା ଏକଥା ବୁଝେ । ସାଧୁର ମନକଥା ଅଛପା ରହେ ନାହିଁ ତା’ ପାଖରେ । କିନ୍ତୁ ତା’ ବୋଲି ଏଡ଼େ ବେପରୁଆ ହେଲେ ଦେହ ସହିପାରିବ ? ପ୍ରଭୁଙ୍କୁ ମନେ ମନେ ପ୍ରାର୍ଥନା କରେ ଲଳିତା- ଦେହ ଭଲ ରହୁ, କାଚ ବଜ୍ରକର ଭଗବାନ୍ !

 

ଆଜି ସଂଧ୍ୟାରେ କମିସନର୍‌ ବିଜେ କରିବେ । ଚାରିଆଡ଼େ ଧୁମ୍‌ଧାମ୍‌ ଜାନିଯାତ୍ରା ହେଲେ ଏତେ ଭିଡ଼ ହୁଏନା ଗାଆଁ ଦାଣ୍ଡରେ । ସମସ୍ତେ ଧୋବଧାଉଳିଆ । ସଫା ଲୁଗା, ଜାମା ସମସ୍ତଙ୍କ ଦେହରେ । ଛୋଟଛୋଟ ପୁଅ ଝିଅମାନେ ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି, ମୁଣ୍ଡ କୁଣ୍ଡେଇ ଆନନ୍ଦରେ ଅପେକ୍ଷା କରୁଛନ୍ତି ହାତରେ ଫୁଲମାଳ ଧରି । ସରପଞ୍ଚେ ବଜାରରୁ କିଣା ହୋଇ ଆସିଥିବା କର୍ପୂର ମାଳ ଧରି ହନ୍ତସନ୍ତ ହୋଇ ଅପେକ୍ଷା କରୁଛନ୍ତି । ଧାଡ଼ିବାନ୍ଧି ଛିଡ଼ା ହୋଇଛନ୍ତି ଗାଆଁ ଓ ଆଖପାଖର ମାନ୍ୟଗଣ୍ୟ ଲୋକମାନେ । କିଏ କିଏସ୍ଳୋଗାନ ଦେଉଛନ୍ତି-

 

-ସରକାର କାହାର ?

 

-ତୁମର, ଆମର ସମସ୍ତଙ୍କର ।

 

-ଏ ହେଉଛି ଅସଲ କଥା-

 

-ଆମରି ଦେଶ, ଆମରି ନେତା ।

 

ସାଧୁ ସାହାଣୀ ସଫା ଧୋତୀ ପଞ୍ଜାବୀ ପିନ୍ଧିଛି । ଗୋଡ଼ରେ ଚପଲ ହଳେ । ସାମ୍ନାରେ ରହି ସ୍ଳୋଗାନ ଦେଉଛି ତଣ୍ଟି ଫଟାଇ ।

 

ସେଦିନ ଲଳିତା ତାକୁ ସେହି କଥାଟି କହିଥିଲା ତାହା ସେ ଭୁଲି ଯାଇନାହିଁ । ଏତେ ଲୋକ ଏତେ ସମସ୍ୟା ଭିତରେ ସେ ଯଦି ସମୟ ପାଏ ନିଶ୍ଚୟ କମିସନରଙ୍କୁ କିମ୍ବା କଲେକ୍ଟରଙ୍କୁ ଜଣାଇବ ନିଜର ଗୁହାରି । ପାଣିକଳ ଗୋଟିଏ ହେଲେ ଜମିରେ ଦୁଇଦୁଇଟା ଫସଲ ସେ ଅମଳ କରିପାରିବ ‘ବାସୁଦେବ ଚକ’ ଚିର ଶ୍ୟାମଳ ହୋଇ ହସିଉଠିବ ।

 

ଗାଆଁ ମୁଣ୍ଡର ଚାନ୍ଦୁଆ ଟଣା ହୋଇଛି । ସେଇ ଚାନ୍ଦୁଆ ତଳେ ଅଭ୍ୟର୍ଥନା କରାଯିବ ବିଶିଷ୍ଟ ଅତିଥିମାନଙ୍କୁ । ସମସ୍ତେ ବ୍ୟାକୁଳ ହୋଇ ଅନାଇଁ ରହିଛନ୍ତି ରାସ୍ତା ଉପରକୁ ।

 

ସଡ଼କ ଉପରେ ଗୋଟିଏ କଳା ମୋଟରଗାଡ଼ି ଓ ପଛେ ପଛେ ଗୋଟିଏ ଜିପ୍‌ଗାଡ଼ି ଆସିବାର ଦେଖାଗଲା । ଧୂଳି ଉଡ଼ାଇ ଆଗେଇ ଆଗେଇ ଆସୁଥିଲେ ଗାଡ଼ି ଦୁଇଟି ।

 

ଗୁଞ୍ଜନ ସୃଷ୍ଟି ହୋଇ ଶେଷରେ ଆନନ୍ଦ କୋଳାହଳରେ ପରିଣତ ହେଲା । ସମସ୍ତେ ଚିତ୍କାର କରି ଉଠିଲେ-ଏଇ ଆସିଗଲେ ।

 

ଗାଆଁଇସ୍କୁଲର ତିନିଜଣ ଝିଅ ବନ୍ଦାପନା ଥାଳୀ ଧରି ଆଗେଇ ଆସିଲେ ମାଷ୍ଟରାଣୀଙ୍କ ଗହଣରେ । ଜଣକ ହାତରେ ବନ୍ଦାପନା ଥାଳୀ, ତହିଁରେ ଫୁଲ ଚନ୍ଦନ, ଆଉ ଜଣକ ହାତରେ ଶଙ୍ଖ, ଆଉ ଜଣକ ହାତରେ ଫୁଲମାଳ ।

 

ଗାଡ଼ି ଦୁଇଟି ଆସି ଚାନ୍ଦୁଆ ପାଖରେ ଅଟକିଗଲା । ଧୂଳି ଝଡ଼ଗୋଟେ ବହି ଆସି ଲାଗିଲା ଛିଡ଼ା ହୋଇଥିବା ଲୋକମାନଙ୍କ ଦେହରେ ମୁହଁରେ । ପେଟ୍ରୋଲର ପୋଡ଼ା ଗନ୍ଧ ମହ ମହ କରି ଉଠିଲା । ଗାଡ଼ିର ଦରଜା ଖୋଲି ଛିଡ଼ା ହୋଇଗଲେ ସଦର ହାକିମ । ହସି ହସି ଏମ୍.ଏଲ୍.ଏ.ଙ୍କ ସାଙ୍ଗରେ ଓହ୍ଲାଇ ଆସିଲେ ଗାଡ଼ିରୁ, ହାତଯୋଡ଼ି ନମସ୍କାର ଜଣାଇଲେ ଉପସ୍ଥିତ ଜନତାକୁ ।

 

ଜୟନାଦରେ ପୂରିଉଠିଲା ଆକାଶ ବତାସ ।

 

ଆଗେଇ ଗଲେ ଝିଅ ତିନିଜଣ । ଆଗେଇ ଗଲେ ସରପଞ୍ଚ ଗୋକୁଳ ଚୂଡ଼ାମଣି ।

 

ହସି ହସି ମଥା ନୁଆଇଁ ଦେଲେ ଏମ୍.ଏଲ.ଏ., କମିସନର ଓ କଲେକ୍ଟର ସାହେବ । ସଙ୍ଗେ ସଙ୍ଗେ ହୁଳହୁଳି, ଜୟଧ୍ୱନି ଭାସିଆସିଲା ଚାରି କଡ଼ରୁ ।

 

ଭିଡ଼ ଜମିଗଲା ତାଙ୍କ ଚାରି ପାଖରେ । ଭିଡ଼ ବାହାରେ ପଡ଼ିଗଲା ସାଧୁ ସାହାଣୀ ।

 

ଚୌକି ଉପରେ ବିରାଜମାନ କରିବା ପରେ ସରପଞ୍ଚ ସଦର ହାକିମଙ୍କ ଆଖିର ଇଙ୍ଗିତ ପାଇ ଅଭିନନ୍ଦନ ପତ୍ର ପାଠ କରିବା ଆରମ୍ଭ କରିଦେଲେ ।

 

ମୁଣ୍ଡ ହଲାଇ ବଡ଼ ସାହେବ ସବୁ ଶୁଣିଲେ । ଆଖିରୁ ଝରି ପଡ଼ିଲା ସହାନୁଭୂତିର ଭାଷା-। ଆହାରେ !

 

ଥଣ୍ଡା ଦହି ସରବତ୍‌ ଗିଲାସେ ଗିଲାସେ ଅତିଥିମାନଙ୍କ ହାତକୁ ପରମ ଯତ୍ନରେ ବଢ଼ାଇଦେଲେ ଠିକାଦାରବାବୁ । ସରବତ ପାନ ପରେ ବଜ୍ରଗମ୍ଭୀର ସ୍ୱରରେ ରିଲିଫ କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇ ଦେଲେ ଏମ୍.ଏଲ.ଏ. ଓ କମିସନର ସାହେବ । ଯାହା ସମ୍ଭବ ସବୁ କରିବାପାଇଁ ପ୍ରତିଶ୍ରୁତି ଦେଲେ । ଗ୍ରାମବାସୀମାନଙ୍କୁ ପରମୁଖାପେକ୍ଷୀ ନ ହୋଇ ନିଜ ଗୋଡ଼ରେ ଛିଡ଼ା ହେବାପାଇଁ ଉପଦେଶ ଦେଲେ । ବକ୍ତୃତା ଶେଷ ହେଲାରୁ ସଭାସ୍ଥଳ କମ୍ପିଉଠିଲା ଜୟନାଦରେ ।

 

ବିଳମ୍ବ ହୋଇଯାଉଥିଲା । ଭିଡ଼ ଠେଲି ଆଗେଇ ଗଲା ସାଧୁ ସାହାଣୀ । ପରେ ପରେ ଆହୁରି ପାଞ୍ଚ ଖଣ୍ଡ ଗାଆଁକୁ ଯିବାକୁ ହେବ ସେମାନଙ୍କୁ । ନିଜ ଆଖିରେ ଦେଖିଯିବେ ଲୋକମାନଙ୍କ ସୁଖ ଦୁଃଖ । କମିସନର, ଏମ୍.ଏଲ୍.ଏ., କଲେକ୍ଟର ଯୋଡ଼ହସ୍ତରେ ସମସ୍ତଙ୍କୁ ନମସ୍କାର କରି ବିଦାୟ ନେଇ ଗାଡ଼ିଆଡ଼କୁ ଆଗ୍ରସର ହେଲେ । ସାଧୁ ସାହାଣୀ ଶେଷ ସୁଯୋଗ ହାତଛଡ଼ା ନ କରି ଦଣ୍ଡବତ କରି ଛିଡ଼ା ହୋଇଗଲା ଗାଡ଼ିର ଦରଜା ପାଖରେ ।

 

ହାଁ, ହାଁ...ସେତିକି ସେତିକି-କହି ଆଗେଇ ଆସିଲେ କମିସନର୍ ।

 

ସାଧୁ ସାହାଣୀ ଖନିବଜା ତୁଣ୍ଡରେ ଖନେଇ କହିଲା-ହଜୁର ! ପାଣି ପମ୍ପ ଗୋଟେ ହେଲେ ବାସୁଦେବ ଚକ...

 

‘‘ହଁ ହଁ, ନିଶ୍ଚୟ ପାଣି ପମ୍ପ ମିଳିବ । ଗୋଟେ ନୁହେଁ ପାଞ୍ଚଟା ମିଳିବ । ଲାଗିଯାଅ କାମରେ ।’’

 

ଗାଡ଼ି ଭିତରକୁ ପଶି ଯାଉ ଯାଉ ଆଶ୍ୱାସ ଦେଲେ କମିସନର୍‌ ସାହେବ । ଦରଜା ବନ୍ଦ ହେବା ସଙ୍ଗେ ସଙ୍ଗେ ଗାଡ଼ିରେ ଷ୍ଟାର୍ଟ ଦେଲା ଡ୍ରାଇଭର । ପୁଣି ଜୟନାଦ ଉଠିଲା ଚାରିଆଡ଼ୁ । ଗାଡ଼ି ଆଗେଇଲା ।

 

ପଛରେ ପଡ଼ି ରହିଲା ବସନ୍ତପୁର । ପଛରେ ଛିଡ଼ାହୋଇ ଆକାଶକୁ ଚାହିଁ ମନେ ମନେ କହୁଥିଲା ସାଧୁ ସାହାଣୀ-ଯେବେ ବରଷିବୁ ବରଷେ, ପମ୍ପ୍‌ ଗୋଟେ ଆସିଗଲେ ତତେ ଏତେ ଚାହିଁବାକୁ ପଡ଼ିବ ନାହିଁରେ ପୁଅ... ।

 

ରାତି ଘଡ଼ିଏ ବେଳକୁ ଘରକୁ ଫେରିଲା ସାଧୁ । ଲଳିତା ଆଗେଇ ଆସି ପଚାରିଲା- କହିଲା ପମ୍ପ କଥା ?

 

‘‘ହଁ ହଁ, କିହିଛି । ଆଉ କେହି କହି ପାରିଲେ ନାହିଁ । ମୁଁ କିନ୍ତୁ କହିଛି ।’’

 

ଆଶା ଓ ଉତ୍ସାହ କେଳି କରୁଥିଲା ସାଧୁ ସାହାଣୀର ଆଖିରେ । ସ୍ୱାମୀର ସାହସ ଦେଖି ଫୁଲିଉଠିଲା ଲଳିତା ।

 

ଜ୍ୟେଷ୍ଠ ଯାଇ ଅଶିଣ ଆସିଛି । ଶାରଦୀୟ ଉତ୍ସବ ଲାଗିବ ଆଉ ଅଳପ ଦିନ ପରେ । ବରଷା ନ ହୋଇ ପାଣି ଅଭାବରେ ଶୁଖିଯାଇଛି ଧାନ କିଆରି ।

 

ସଦର ମହକୁମା ଅଫିସକୁ ଥରେ ନୁହେଁ ଦଶଥର ଦଉଡ଼ି ଦଉଡ଼ି ଥକି ଗଲାଣି ସାଧୁ ସାହାଣୀ । ହାତଗୁଞ୍ଜା ଦେଇ ହାତ ଚିକ୍କଣ କରିଛି କେତେ ବାବୁଙ୍କର, ହେଲେ ପାଣି ପମ୍ପର ବ୍ୟବସ୍ଥା ହୋଇପାରିନାହିଁ । ଗଦା ଗଦା ନାଲି ଫିତା ଲଗା ଫାଇଲ୍‌ ଭିତରେ ସାଧୁ ସାହାଣୀ ପରି ସହସ୍ର ଲୋକଙ୍କର କେତେ ଉତ୍ସାହ, ଅଭିଳାଷ, ଆଶା ଏବଂ ସଂକଳ୍ପ ବନ୍ଦୀ ହୋଇ ରହି ଯାଇଛି କିଏ ଜାଣେ, କିଏ କହିବ ?

Image

 

ପଙ୍କଜ

 

ସାରୁଗଛର କଅଁଳ ଡଙ୍କଗୁଡ଼ିକୁ ସେ ଅତି ଯତ୍ନର ସହିତ ଧୋଉଥିଲା । ରୋଷଘରକୁ ପଶିଆସି ପଚାରିଦେଲେ ପଡ଼ିଶାଘରର ଖୁଡ଼ୀ- ଆଜି କ’ଣ ତରକାରି କରୁଛୁ ମୀରା ? ସେ ତରତର ହୋଇ ଧୁଆ ଅଧୁଆ ସବୁ ସାରୁଡଙ୍କକୁ ପାଛିଆ ଭିତରେ ଢାଙ୍କିଦେଇ ଖୁଡ଼ୀଙ୍କ ଆଡ଼କୁ ପିଢ଼ାଗୋଟେ ବଢ଼ାଇଦେଇ କହିଲା-ବସ ଖୁଡ଼ୀ !

 

ଖୁଡ଼ୀ ବସିପଡ଼ି କହିଲେ- ପିଲାଗୁଡ଼ାକ ସ୍କୁଲରୁ ଫେରି ନାହାନ୍ତି । ସେ ତ ଆସନ୍ତି ଅନେକ ଡେରିରେ । ଗପ କରିବାପାଇଁ ଚାଲିଆସିଲି ।

 

-ଭଲକଲ । ମୁଁ ବି ପ୍ରତିଦିନ ଯିବି ଯିବି ହୁଏ; କିନ୍ତୁ କାମ ପଡ଼ିଯାଏ, ଯାଇପାରେନା ।

 

-କାମ ବି କର ଆଉ ବୁଲି ବି ଯାଅ । ଖାଲି ଘର ଭିତରେ ମୁହଁମାଡ଼ି ପଡ଼ିରହିଲେ ଏଇ କଅଁଳ ବଅସର ଶିରୀ ରହିବ ?

 

ସତ କଥା, ଖୁଡ଼ୀ ଅନେକ ସମୟରେ ଏଇ କଥାଟା କୁହନ୍ତି ତାକୁ; ଆଜି ବି କହିଲେ । ମୀରା କିନ୍ତୁ ସବୁ ଦିନପରି କଥାଟାକୁ ଆଉ ଏଡ଼ି ଯାଇପାରିଲା ନାହିଁ । ତା ଆଖି ପଡ଼ିଲା ଯାଇ ନିଜ ହାତ ଗୋଡ଼ ଉପରେ । ଦେହକୁ ଢାଙ୍କି ଥିବା ଲୁଗାଖଣ୍ଡକ ଅତି ମଇଳା ହୋଇଗଲାଣି । ପାଞ୍ଚଦିନ ହେଲା ସୋଢ଼ା ଦେଇ ଧୋଇପାରିନାହିଁ । ଦର ଦିନୁଦିନ ବଢ଼ିବାରେ ଲାଗିଛି । ଏତେ ପଇସା ହାତରେ ନାହିଁ ଏସବୁ କିଣିବାପାଇଁ ।

 

ପୁଣି ଆଉଥରେ ସେଇ ଅଡ଼ୁଆ ପ୍ରଶ୍ନଟା କଲେ ଖୁଡ଼ୀ- କଅଣ ତରକାରି କଲୁ ଯେ ? ଏଇନେ ତ ଅଫିସ୍‌ରୁ ଫେରିଆସିବ ରଜତ ।

 

ଖରାଦିନର ସକାଳ ଅଫିସ ଗୋଟାକବେଳେ ବନ୍ଦ ହୋଇଯାଏ । ବାରଟା ବାଜିଗଲାଣି-। ମନେ ମନେ ତରତର ହେଉଥିଲା ମୀରା । ସାରୁଡଙ୍କର ପତୁଆଟା ଏଯାଏ ବସାଇ ଦେଇପାରିଲା ନାହିଁ ।

 

ଖୁଡ଼ୀଙ୍କ ପ୍ରଶ୍ନ ଆଉ ଏଡ଼ି ନ ଯାଇ, ତାଙ୍କ ଆଡ଼କୁ ଗୋଟେ ହାତ ପଙ୍ଖା ଆଗେଇ ଦେଇ କହିଲା-କଅଣ ଆଉ କରିବାପାଇଁ ମିଳୁଛି କୁହ ? କାଲି ବଜାରରୁ ଫେରି କହୁଥିଲେ ଯେ, ମୁଗଡ଼ାଲି କିଲେ କୁଆଡ଼େ ତିନିଟଙ୍କା ହୋଇଗଲାଣି ।

 

-ସେଇଥିପାଇଁ ମୁଁ ମହଣେ ଲେଖାଏ ମୁଗ ଆଉ ହରଡ଼ ଡାଲିରୁ ରଖିଦେଇଛି । ଦର ବଢ଼ୁଛି ପ୍ରତିଦିନ । ହୁଏତ କିଛି ଦିନ ପରେ ଏଇ ଜିନିଷ ବି ମିଳିବ ନାହିଁ ବଜାରରେ ।

 

-ସତ, ଦେଖୁନ, ଅମୁଲ ଟିକେ ପୁଅଟା ଖାଉଥିଲା ଯେ, ଆଜିକୁ ସାତଦିନ ହେଲା ସେ ବି ଅମିଳ । ଏଡ଼େ ବକଟେ ପିଲା, ଦୁଧ ଟିକେ ପାଟିକୁ ଯାଉନାହିଁ ।

 

-ଅମିଳ ନୁହେଁ କିଛି, ଟିକେ ବେଶୀ ଦେବାକୁ ପଡ଼ିବ । କାଲି ସେ ଦୁଇଟା ବଡ଼ବଡ଼ ଅମୁଲ ସ୍ପ୍ରେ ଆଣିଥିଲେ । ସକାଳୁ ବଡ଼ଝିଅ ପାଖକୁ ଗୋଟେ ପଠାଇଦେଲି ।

 

ତା’ପାଇଁ ବି ଗୋଟେ ଆଣିଦେବାପାଇଁ ଖୁଡ଼ୀଙ୍କୁ ଅନୁରୋଧ କରିବାପାଇଁ ଇଚ୍ଛା ହେଉଥିଲା ମୀରାର । କିନ୍ତୁ ସେଇ ବଳବତୀ ଇଚ୍ଛାଟିକୁ ଅନ୍ୟାନ୍ୟ ଅନେକ ଆଶା ଆକାଙ୍‌କ୍ଷା ସହିତ ନିଜ ଭିତରେ ଅବରୋଧ କରି ବିକ୍ରୀକର ବିଭାଗର ବଡ଼ବାବୁଙ୍କ ସ୍ତ୍ରୀକୁ ପଚାରିଦେଲା ମୀରା- ଆଜି କଅଣ ସବୁ ପିଲାଙ୍କପାଇଁ କରିଛ ଖୁଡ଼ୀ ?

 

-ମାଛ ବେସର ଆଉ ପୋଟଳ ରସା, ମୁଁ ନିଜେ କରି ଦେଇ ଆସିଛି । ମଧୁ ଡାଲି ମହୁର କରିସାରି ପିଲାଙ୍କ ଫେରିବା ସମୟକୁ ହୁଏତ ଅପେକ୍ଷା କରିଥିବ । ମୁଁ ଗଲେ ଶାଗ ଭାଜିବି ।

 

ଏତେଗୁଡ଼ିଏ ତିଅଣର ନାମ ଶୁଣି ମୀରାର ମନଟା ବି ଛଟପଟ ହେଲା । ଆଜିକୁ ତିନିଦିନ ହେବ ପୁଅ ଲଗେଇଛି କୁନ୍ଦୁରା ଭଜା ଖାଇବାପାଇଁ । ମାସ ଶେଷ । ତେଲ ଆଣିବାପାଇଁ ହାତରେ ପଇସା ନାହିଁ । ଅନ୍ୟକଥା କହି ବୁଲାଇ ଦେଇଛି ଇନ୍ଦ୍ରଜିତକୁ ।

 

ଖୁଡ଼ୀ ଆହୁରି ଗପ କରିଥାଆନ୍ତେ, କିନ୍ତୁ ଚାକରାଣୀ କୋଇଲି ଆସି କହିଲା-ଶୀଘ୍ର ଆସ ମା’ । ସାଆନ୍ତେ ଗୋଟେ ବଡ଼ ରୋହିମାଛ ନେଇ ଏଇନେ ଆସିଲେ ।

 

ତା’ ମୁହଁକୁ ଅନାଇଁ ମୁଚୁକି ହସି କହିଲେ ଖୁଡ଼ୀ- ଯାଏଁ ଲୋ ମା’ ! ଏଇ ଅବେଳରେ ପୁଣି ମାଛ ଆସି ପହଞ୍ଚିଲାଣି । ମୁଁ ଆଉ ପାରୁନି ବାବୁ ! ସୁରଜମଲ ଦୋକାନରୁ ଗୋଟେ ପୂରା ଟିଣ ସୋରିଷତେଲ ପନ୍ଦର ଦିନ ଆଗରୁ ଆଣିଥିଲେ ଯେ, ପ୍ରାୟ ତିନି ଅଂଶ ଏଇ ମାଛଭଜା, ମାଉଁସ କଷାରେ ଗଲାଣି । ଖୁଚୁରା ଆଣିଲେ ଭେଜାଲ ଛଡ଼ା ଆଉ କଅଣ କିଛି ମିଳିବ ?

 

ଖୁଡ଼ୀ ଚଞ୍ଚଳ ହୋଇ ଉଠିପଡ଼ିଲେ । ଜଲ୍‌ଦି ନ ଗଲେ ତଟକା ମାଛଭଜାର ସୁଆଦ ହୁଏତ କମି ଯାଇପାରେ । ତାଙ୍କୁ ଦାଣ୍ଡ ପର୍ଯ୍ୟନ୍ତ ଆଗେଇଦେଇ କହିଲା ମୀରା- ପରେ ସମୟ ହେଲେ ଆସିବ ଖୁଡ଼ୀ ।

 

-ହଁ ମା’, କିନ୍ତୁ ସମୟ ମିଳୁଛି କୋଉଠୁ ! ସନ୍ଧ୍ୟାବେଳକୁ ପିଲାଏ ସିନେମା ଦେଖି ଯିବେ ବୋଲି ଜିଦ୍‌ କରିଛନ୍ତି ।

 

-ଯିବନି କାହିଁକି ଯେ ? ମନ ବି ଟିକେ ହାଲୁକା ହୋଇଯିବ ।

 

ସେ ବଅସ ତୋର ବି ଅଛିଲୋ ମୀରା । ନୂଆ ଛବି ଆସିଲେ ସେ ନିଶ୍ଚୟ ଯିବେ । ଏବେ ‘ବବି’ ଚାଲିଛି ଯେ ସହରାଟାଯାକ ଭାଜି ପଡ଼ୁଛି ‘ନିରୁପମା’ରେ ।

 

ଆଉ ସମୟ ନ ଥିଲା ଖୁଡ଼ୀଙ୍କର । ସେ ଚାଲିଗଲେ, ତାଙ୍କର ନୂଆ ହୋଇ ତୋଳା ହୋଇଥିବା କୋଠାଘରକୁ । କାହିଁକି କେଜାଣି ତାଙ୍କ ଯିବା ପଥକୁ ଅନେକ ବେଳ ଯାଏ ସେହିପରି ଏକଲୟରେ ଚାହିଁ ରହିଲା ମୀରା ।

 

ଖୁଡ଼ୀଙ୍କ ଘର ଆଗରେ ଗୋଟେ ରିକ୍‌ସା ଆସି ଛିଡ଼ାହେଲା । ମୁହଁ ଫେରାଇ ଘର ଭିତରକୁ ପଶିଯିବାବେଳେ ଗୋଟେ ଫିଙ୍ଗା ଦୃଷ୍ଟିରେ ଦେଖିନେଲା- ସେ ରିକ୍‌ସାରୁ ଗୋଟେ ମୋଟା ଲୋକ ଦୁଇଝୁଡ଼ି ଆମ୍ବ ଓହ୍ଲାଉଛି ।

 

ମନଟା କାହିଁକି କେଜାଣି ମରିଗଲା । ନିଜର ଦେହ ଉପରେ ନଜର ପଡ଼ିଲା । ମୁହଁ ଉପରେ ଆପଣା ଛାଏଁ ହାତ ବୁଲାଇ ଆଣିଲା । କେତେ ଆଶା ଆକାଙ୍‌କ୍ଷା ସଙ୍ଗେ ସଙ୍ଗେ ଦେହର ଶିରୀ ବି ହଜିଗଲାଣି । ଚବିଶ ବର୍ଷରେ ଏତେ ବୁଢ଼ୀହୋଇଯିବ ସେ ବି ବିଶ୍ୱାସ କରି ପାରି ନ ଥିଲା-

 

କିଲଟରୀ ଅଫିସରେ କାମକରେ ରଜତ । ଅଳ୍ପ ପଇସା । ସଂସାର ଆଉ ଚଳୁନାହିଁ ।

 

ବେଳ ନ ଥିଲା ହାତରେ । ତର ତର ହୋଇ ସାରୁଡ଼ଙ୍କଗୁଡ଼ାକୁ ଧୋଇ ଟିକେ ବେସର ବୋଳିଦେଇ ପତର ଢାଙ୍କି ନିଆଁ ତଳେ ଗୁଞ୍ଜିଦେଲା ମୀରା ।

 

ଇନ୍ଦ୍ରଜିତ ପାଟିକଲା ଦାଣ୍ଡପଟୁ । ଦୁଆର ଖୋଲିଦେଇ ତାକୁ କୋଳ ଉପରକୁ ଟେକି ନେଇ କହିଲା ସେ, ‘‘ଏତେ ଡେରିରେ ଫେରିଲୁ ଯେ ବାପା !’’

 

ଇନିସ୍ପେକ୍ଟର ଆସିଥିଲେ ମା’, ସ୍କୁଲକୁ । ଆଉ ଜାଣୁ, ସେ ଯେତେ ପ୍ରଶ୍ନ ପଚାରିଲେ ମୁଁ ସବୁର ଉତ୍ତର ଦେଇଛି ବୋଲି ଖୁସି ହୋଇ ପାଞ୍ଚଟଙ୍କା ପୁରସ୍କାର ଦେଇଛନ୍ତି ।

 

ଅତି ମନ ଖୁସିରେ ତା’ ଗାଲରେ ବାରମ୍ବାର ଚୁମା ଦେଇ କହିଲା ମୀରା- ସୁନାପୁଅ, ବଡ଼ ହୁଅ, ଭଲ ହୁଅ, ଭଗବାନ ମଙ୍ଗଳ କରନ୍ତୁ ...

 

ମା’ କୋଳ ଉପରୁ ଓହ୍ଲାଇବା ବେଳେ ଧୀରେ ଧୀରେ କହିଲା ଇନ୍ଦ୍ରଜିତ, ‘‘ତୁମର ଜାମା ନ ଥିଲା ବୋଲି ବାହାରକୁ ଯାଇ ପାରୁ ନ ଥିଲ ନା ମା’ !’’ ଏଇ ପାଞ୍ଚ ଟଙ୍କାରେ ହବନି ?

 

ତାକୁ ଉତ୍ତର ଦେବାପାଇଁ ସାହସ ହେଲାନି ମୀରାର । ସେ ଅନ୍ୟଆଡ଼କୁ ମୁହଁଟା ଫେରାଇନେଲା ଗଡ଼ିଆସୁଥିବା ଲୁହ ଧାରକୁ ଲୁଚାଇ ରଖିବାପାଇଁ ।

 

ମା ହାତରେ ପାଞ୍ଚଟଙ୍କାର ନୋଟଟି ଗୁଞ୍ଜିଦେଇ କହିଲା ଇନ୍ଦ୍ରଜିତ ଏଇ ନିଅ, ସନ୍ଧ୍ୟାବେଳେ ବଜାରକୁ ଗଲେ ମୋତେ ବି କିନ୍ତୁ ବୁଲାଇ ଆଣିବ ମା’ !

 

ଆଉ ସମ୍ଭାଳି ନ ପାରି ପୁଅକୁ କୋଳ ଉପରେ ଜାକି ଧରି ତା’ କପାଳରେ ବାରମ୍ବାର ବୋକ ଦେଇ କେବଳ ଅବୋଧ ଶିଶୁ ପରି ବାହୁନି ଉଠିଲା ମୀରା ।

 

ମଣିଷ ଅତି ଦୁଃଖରେ ଛୋଟ ହୋଇ ବି ବଡ଼ ହୋଇଯାଏ । ଭଲ ହୁଏ, ଉଚ୍ଚକୁ ଉଠେ-। ଅନ୍ତର ଭିତରେ ଉପରକୁ ଉଠିବାର ଯେଉଁ ଅଲିଅଳ ବାସନାଟା ଲୁଚିଛପି ଥାଏ ସଭିଙ୍କର, ତାହା ସୁବିଧା ପାଇଲେ ପାଣି ଆଲୁଅ ପାଇ ଅଙ୍କୁର ଉପରକୁ ଉଠିଲା ପରି, ଉପରକୁ ଉଠେ । ସେଇ ଊର୍ଦ୍ଧମୁଖୀ ଜୀବନଧାରାକୁ ଆବାହନ କରିବାକୁ ଯାଇ ସେ ସହେ ଗ୍ରୀଷ୍ମର ଦାହ, ଝଡ଼ର ମାଡ଼ ଆଉ ଶୀତର ସଙ୍କୋଚନ । କିନ୍ତୁ ଛୋଟ ନ ହୋଇ ବଡ଼ ହେବାକୁ ହେଲେ ଦବିଗଲେ, ହାରିଗଲେ ମଣିଷ ତଳେ ପଡ଼ିରହେ ।

 

ସେଇ ତଳର ମଣିଷଗୁଡ଼ାକ ଏବେ ବଡ଼ ବୋଲାଉଛନ୍ତି ଦୁନିଆରେ । ଯେଉଁମାନେ ଊର୍ଦ୍ଧ୍ୱମୁଖୀ ଚେତନାକୁ ଅବରୋଧ କରି ନିମ୍ନମୁଖୀ ସୁଖ ସମ୍ଭୋଗ ଭୋଗ କରୁଛନ୍ତି ସେମାନଙ୍କୁ ସମାଜ ଆଦର କରୁଛି, ବଡ଼ବାବୁଙ୍କର ପ୍ରତିଷ୍ଠା ଦେଇଛି, ବଡ଼ଲୋକର ସମ୍ମାନ ଦେଇଛି । ସେହିପରି ସେ ହୋଇ ପାରିଲା ନାହିଁ, ହବାପାଇଁ ରଜତକୁ ଉତ୍ସାହ ଦେଇ ପାରିଲା ନାହିଁ ।

 

ଷୋହଳ ବର୍ଷରେ ବିଭାହୋଇ ସ୍ୱାମୀର ସଂସାରକୁ ଆସିଥିଲା ମୀରା । କେତେ ସୁନେଲି ସୁଖ ସ୍ୱପ୍ନ ଦେଖିଥିଲା, କେତେ ଆଶା କରିଥିଲା । ସେ କଥା ମନେପଡ଼ିଲେ ଥରେ ଥରେ ମୁହଁ ମାଡ଼ି ପଡ଼ିରହେ । ଅନ୍ତର ଭିତରଟା ହୁ ହୁ କରି ଜଳି ଉଠେ ।

 

କିନ୍ତୁ ସ୍ୱାମୀର ନିଷ୍ପାପ ମୁହଁକୁ ଚାହିଁ, ପୁଅର ସରଳ ହସକୁ ଦେଖି ସେ ଭୁଲିଯାଇଛି ନିଜର ଅନେକ ପ୍ରୟୋଜନକୁ, ଦବାଇ ଦେଇଛି ଅନ୍ତରେ ଅନେକ ଦାବିକୁ । ସେ ନ ଥିବା ସଂସାରର ଅଭାବ ଭିତରେ ସ୍ୱାମୀସୋହାଗିନୀ ହୋଇଛି, ଜନନୀର ଅସରନ୍ତି ଶିହରଣ ଅନୁଭବ କରିଛି ।

 

ରଜତ ଆସି ପହଞ୍ଚିଲା କିଲଟରୀରୁ ।

 

ଆଖିର ଲୁହରେ ରଜତର ଫେରନ୍ତା ପଥକୁ ଧୋଇଦେଇ ତା’ ଆଗରେ ଆସି ଛିଡ଼ାହେଲା ମୀରା ପୁଅକୁ କୋଳରେ ନେଇ ।

 

ସ୍ୱାମୀକୋଳକୁ ଇନ୍ଦ୍ରଜିତକୁ ଟେକିଦେଇ କହିଲା ସେ ଛାତି ଫୁଲାଇ- ମୁନା ସ୍କୁଲରେ ଫାଷ୍ଟ ହୋଇଛି ପୁରସ୍କାର ପାଇଛି । ଇନ୍‌ସପେକ୍ଟର ଖୁସି ହୋଇ ପାଞ୍ଚଟଙ୍କା ଦେଇଛନ୍ତି ।

 

ରଜତ ଆନନ୍ଦରେ ନାଚିଗଲା ପୁଅକୁ କାନ୍ଧରେ ବସାଇ । କଚେରିର କ୍ଳାନ୍ତି, ଅଫିସ ଜୀବନର ଅବସାଦ ରହିଲା ନାହିଁ ଆଉ । ଭୁଲିଗଲା ସେ ସଂସାରର ଅଭାବ ଅନଟନ ।

 

ଏଇ ସଂସାର ଉଜ୍ଜ୍ୱଳି ଉଠେ ମାନବିକ ଗୁଣର ବିକାଶ ହେଲେ । ପୁଣି ଏଇ ସଂସାର ବି ବେଳେବେଳେ ଜଳିପୋଡ଼ି ପାଉଁଶ ହୋଇଯାଏ ଏହାର ଅଭାବରୁ ।

 

ରଜତ ମୀରା ଆଡ଼କୁ ଲାଗିଆସି କହିଲା- ଭଗବାନଙ୍କର ଆଜିର ଏଇ ଆଶୀର୍ବାଦକୁ କ’ଣ ଖୁଆଇ ସ୍ମରଣୀୟ କରି ରଖିବ ମୀରା ।

 

ମୁହଁରୁ ହସ ଝରାଇ କହିଲା ସେ- ଲୁଗା ବଦଳାଇ ଆସି ବସ । ବାଢ଼ୁଛି, ଖାଇଲେ ଜାଣିବ ଯେ !

 

ହାତବାକ୍‌ସ ଯେ ଶୂନ୍ୟ ହୋଇଯାଇଛି ସେ କଥା ମନେଥିଲା ରଜତର । ତଥାପି ଭାବିବାପାଇଁ ଇଚ୍ଛା ହେଉଥିଲା, ଭଲ ତିଅଣ ଖାଇବାପାଇଁ, ପୁଅ ମୁହଁରେ ଖୁସିରେ ମାଛ ଟିକେ ଗୁଞ୍ଜିଦେବା ପାଇଁ ।

 

ବାପ ପୁଅଙ୍କୁ ଭାତ, ଡାଲି ଆଉ ସାରୁଡ଼ଙ୍କର ପତୁଆବାଢ଼ିଦେଇ ହାତ ପଙ୍ଖା ବୁଲାଇଲା ମୀରା ।

 

ପତୁଆରୁ ଟିକେ ପାଟିରେ ଦେଇ କହିଲା ଇନ୍ଦ୍ରଜିତ- ଆଜି ସବୁଠୁ ବଳି ସୁଆଦ ହୋଇଛି ମା’ !

 

ତାକୁ ସମର୍ଥନ ଜଣାଇ କହିଲା ରଜତ- ଏହାର ସୁଆଦ ମୁନାର ପୁରସ୍କାର ପରି ସବୁଦିନ ମନେରହିବ ମୀରା !

 

ଭାତ ଆଣିବାର ବାହାନା କରି ଉଦ୍‌ଗତ କୋହକୁ ଚାପି ରଖିବାପାଇଁ ରୋଷଘରଆଡ଼କୁ ଚାଲିଗଲା ସେ ।

 

ଖିରୀ, ପୁରୀ, କାନିକାଠାରୁ ଭଲ ଲାଗେ ଭାତ ମୁଠେ, ଡାଲି ଟିକିଏ, ସେଥିରେ ମାଆର ସ୍ନେହ, ସ୍ତ୍ରୀର ସୋହାଗ, ଭଗିନୀର ମମତା ମିଶିଥାଏ ବୋଲି । ଯେଉଁମାନେ ଭାଗ୍ୟହୀନ ସେଇମାନେହିଁ ସେଇ ମହାର୍ଘ ସୁଆଦ ଖୋଜି ବୁଲନ୍ତି ପଥଭ୍ରଷ୍ଟ ପଥିକ ପରି ହୋଟେଲର ପଚିଶ ପ୍ରକାର ବ୍ୟଞ୍ଜନ ମଧ୍ୟରେ, ରେସ୍ତାରାଁର ଲୋଭନୀୟ ପରିବେଷଣରେ ।

 

ଅଭାବ କଷ୍ଟ ଦେଇଛି, ଅନଟନ ମନକୁ ଚଞ୍ଚଳ କରିଛି, କିନ୍ତୁ ଦବିଯାଇନାହିଁ ମୀରା । ଚାଲିବା ପଥ ଛାଡ଼ି ଅନ୍ୟ ପଥ ବାଛି ନେଇ ନାହିଁ ରଜତ ।

 

ବିକ୍ରୀକର ବିଭାଗର ବଡ଼ବାବୁଙ୍କ ଘରୁ ମାଛ ଭଜାର ଗନ୍ଧ ଆସୁଛି, ବାଇଗଣପଲି ଆମ୍ବର ବାସନା ଆସୁଛି ।

 

ପରିତୃପ୍ତିର ସହିତ ଆହାର ସମାପ୍ତ କରି କହିଲା ରଜତ୍- ଏଇ ଟଙ୍କାରେ ମୁନା ପାଇଁ ଭଲ ଜାମା ଖଣ୍ଡେ ଆଣିଦିଅ ମୀରା ।

 

-ନା ବାବା, ମାଆ ପାଇଁ ଆଣ । ଜାମା ନାହିଁ ବୋଲି ସେ ବାହାରକୁ ଯାଇପାରୁ ନାହାନ୍ତି ଯେ...

 

ପୁଅ ମୁହଁକୁ ଅପଲକ ଆଖିରେ ଚାହିଁରହିଲା ରଜତ ।

 

ଅଇଁଠା ବାସନ ଗୋଟାଇ ନେଉଥିଲାବେଳେ ମୀରା ମୁଗ୍‌ଧ ହୋଇ ଚାହିଁଲା ପୁଅର ମୁହଁକୁ ।

 

ଇନ୍ଦ୍ରଜିତ କହିଲା-ଆଜି ଗୋଟେ ନୂଆ କଥା ଶିଖାଇଛନ୍ତି ମାଷ୍ଟ୍ରେ ।

 

ବାପା ମାଆଙ୍କ ପାଖରେ ନ କହିବାପାଇଁ ତାଗିଦକୁ ଅପେକ୍ଷା ନ କରି ସେ କହିଲା-

 

‘‘ମା’ ମ”, ବାପା ବାପା,-ତାଙ୍କ ସଙ୍ଗେ ଆଉ କିଛି ନୁହଁଇ ସମାନ । ମୋ ମାଆ ବାପାରୂପେ ଅବତୀର୍ଣ୍ଣ ମର୍ତ୍ତ୍ୟେ ଭଗବାନ ।’’

 

ଆଜି ଦିନଟିକୁ କେବଳ ଧନ୍ୟ ନୁହେଁ ପୂର୍ଣ୍ଣ ମନେକରୁଥିଲା ମୀରା ।

 

ରଜତର ମନେହେଉଥିଲା ସେ ସମସ୍ତ ଗ୍ଳାନି ଅତିକ୍ରମ କରି ସାତ ଇଞ୍ଚ ଅଧିକ ଉଚ୍ଚ ହୋଇଯାଇଛି ।

 

ବାହାରେ କୋଳାହଳ ଶୁଣାଗଲା ।

 

ଝରକା ବାଟେ ବାହାରକୁ ଚାହିଁ ଦେଖିଲେ ସମସ୍ତେ ପୋଲିସ ଭର୍ତ୍ତି, ଭିଜିଲାନ୍ସ ବିଭାଗର ଦୁଇଟା ଜିପ୍‌ ଗାଡ଼ି ଆସି ଛିଡ଼ା ହେଲାବଡ଼ବାବୁଙ୍କ ଘର ସାମ୍ନାରେ ।

 

ବାରିପଟ ଦେଇ ସନ୍ତ୍ରସ୍ତ ପାଦରେ ଭିତରକୁ ପଶି ଆସି ଗୋଟେ ବଡ଼ପୋଟଳି ଠାକୁର ଘର ଭିତରକୁ ଫିଙ୍ଗିଦେଇ ଯେତେବେଳେ ତା’ ଆଗରେ ଆସି ଥରି ଥରିଛିଡ଼ା ହେଲେ ଖୁଡ଼ୀ, ସେତେବେଳେ ତାଙ୍କୁ ଦେଖି ଚକିତ ହୋଇଗଲା ମୀରା ।

 

ମଣିଷକୁ ଏଡ଼େ ଭୀରୁ, ଏତେ ଦୁର୍ବଳ ଏବଂ ଏପରି ଆତଙ୍କିତ ହେବାର ସେ କେବେ କେଉଁଠାରେ ଦେଖି ନ ଥିଲା, କଳ୍ପନା ବି କରି ପାରି ନ ଥିଲା ।

 

ଧୂଳିର ପଦ୍ମ ପରି ମାଟି ଘରର ଚଟାଣ ଉପରେ ବିକଶିତ ହେଉଥିଲା ଇନ୍ଦ୍ରଜିତ । ସେ କିଛି ପଚାରିଦେବା ଆଗରୁ ତାକୁ ଶୋଇବାପାଇଁ କହି ସେତେବେଳେ ଝରକା ବନ୍ଦ କରିଦେଲା ମୀରା, ଖୁଡ଼ୀ କୃତଜ୍ଞତାରେ ତାକୁ ଜାବୁଡ଼ି ଧରି ବାହୁନି ଉଠିଲେ- ବଡ଼ବାବୁ ସମସ୍ତଙ୍କ ଆଖିର ଅତି ଛୋଟ ହୋଇଗଲେ; ଆମର ସମସ୍ତ ବଡ଼ପଣିଆ ପାଣିଫୋଟକା ପରି କେଉଁଆଡ଼େ ଉଭାଇଗଲା ମୀରା ।

 

ମୀରା ପ୍ରବୋଧ ଦେବାପାଇଁ କିଛି ଖୋଜି ପାଉ ନ ଥିଲା । ସେ କେବଳ ନିବେଦନ କରୁଥିଲା ପ୍ରଭୁଙ୍କ ପାଖରେ- ମୋତେ ଯେଉଁ ସୁଖ ଶରଧା ଦେଇଛ ସେଥିରୁ ବଞ୍ଚିତ କରନା ଭଗବାନ ! ଯୁଗ ଯୁଗ ଧରି ମୋତେ ସମର୍ପିତା’ର ସମ୍ମାନ ଦିଅ, ସ୍ତ୍ରୀର ସିନ୍ଦୂର ଦିଅ, ଜନନୀର ଗୌରବ ଦିଅ !

 

ବଡ଼ବାବୁଙ୍କୁ ପୁଲିସ୍‌ ନେଇଗଲାବେଳେ ତାଙ୍କୁ ଦୂରରୁ ମଧ୍ୟ ଦେଖିବାପାଇଁ ସାହସ ହେଲା ନାହିଁ ବଡ଼ବାବୁଆଣୀଙ୍କର ।

Image

 

ବଞ୍ଚିବାର ଆଶା

 

ମଧୁମିତା ସେଦିନ ବି ଆସିବାର କୌଣସି ସୂଚନା ନ ଦେଇ ଅତି ସନ୍ତର୍ପଣରେ ପାଦ ଚିପି ଚିପି ନିଜର କୋଠରୀ ଭିତରକୁ ପଶିଆସି ଦରଜା ବନ୍ଦ କରିଦେଲା । ସାନଭଉଣୀ ବିଭାସିତା ଶୋଇ ଆସୁଥିଲା, କିନ୍ତୁ ନାନୀ ଆସିବାର ଶବ୍ଦ ବାରି ଉଠି ବସିଲା ଧୀରେ ଧୀରେ ।

 

‘‘ଏତେ ଡ଼େରିରେ...’’

 

ତାକୁ ଆଉ କୁହାଇ ନ ଦେଇ, ତା’ମୁହଁ ଉପରେ ନିଜ ହାତ ଚାପିରଖି ଫିସ୍‌ଫସ୍‌ କରି କହିଲା ମିତା- ‘‘ଶୋଇପଡ଼...କଥା କହନା...ବାପା ଶୁଣିବେ...।’’

 

ହାତ ଚାପା ପଡ଼ିଥିବା ମୁହଁ ଭିତରୁ ଆହୁରି ଧୀରେ ଆହୁରି ଅସ୍ପଷ୍ଟ ଭାବରେ କହିଲା ବିଭା- ‘‘ଖାଇବୁନି ?’’

 

ମଥା ହଲାଇ ନାହିଁ କଲା ମିତା । ଶୋଇପଡ଼ିଲା ବିଭା । ନାନୀକୁ ବାରମ୍ବାର ଚାହିଁଲା । ତା’ର ଆପାଦମସ୍ତକ ଭଲ କରି ଥରେ ନୁହେଁ ଦୁଇଚାରିଥର ଦେଖି ନେଲା ସେ । ସବୁଦିନ ପରି ନୀରବରେ ଆଜି ବି ଫେରିଆସିଛି ମିତା । ଗହଳ କରିବାର କୌଣସି କାରଣ ନାହିଁ । ଚହଳ ପକାଇବାର ପ୍ରୟୋଜନ ହୋଇନାହିଁ । କିନ୍ତୁ ସବୁଦିନର ଯିବା ଓ ଆସିବା ସହିତ ଆଜିର ଯିବା ଓ ଆସିବା ମଧ୍ୟରେ ଏକତ୍ୱ ନାହିଁ, ପାର୍ଥକ୍ୟ ଯେପରି ବେଶି । ବିଭାସିତା ମଧୁମିତା ପାଖରୁ ସାତ ବର୍ଷ ସାନ । ସେ ତ ଆଉ ଛୋଟ ଶିଶୁଟି ହୋଇ ରହିନାହିଁ ଯେ କିଛି ବୁଝିପାରିବ ନାହିଁ, ଜାଣିପାରିବ ନାହିଁ । ଏଇ ଚଉଦ ପୂରି ପନ୍ଦରରେ ପଡ଼ିଛି ସେ । ମିତାକୁଏକୋଇଶି ପୂରି ବାଇଶି ।

 

ବିଭାର ଚାହାଣୀରେ ଜାଣିବାର ବାସନା ଟିକକ ମୂର୍ତ୍ତ ହୋଇ ଉଠୁଥିଲା । ଲୁଗାଟା ବଦଳାଇବାପାଇଁ ଗୋଟିଏ କଡ଼କୁ ଚାଲି ଯାଉଁ ଯାଉଁ ଫିସ୍‌ଫସ୍‌ କରି କହିଲା ମିତା- ‘‘ଇମିତି କଡ଼ ମଡ଼ କରି ଡାହାଣୀ ପରି କ’ଣ ଦେଖୁଛୁ କିଲୋ ?’’

 

କିଛି ଉତ୍ତର ଦେଲାନି ବିଭା । କ’ଣ କହିବ କିଛି ସ୍ଥିର କରି ନ ପାରି ସେଇପରି ଅପଲକ ନୟନରେ ଚାହିଁ ରହିଲା ତା’ଆଡ଼େ । ଯେଉଁ ଚାହାଣୀରେ ଝରେ ସ୍ନେହ, ସେଇ ଚାହାଣୀରୁ ଆଜି ଯେପରି ବାଧା ନ ମାନି ଝରି ପଡ଼ିଲା ସଂଶୟ ।

 

ମିତା ଭଲ ଲୁଗା ଖଣ୍ଡିକ ବଦଳାଇ ଶସ୍ତା ନାଲି କସ୍ତା ଖଣ୍ଡକ ପିନ୍ଧିଲା । ବ୍ଳାଉଜ, ବ୍ରା ସବୁ ବଦଳାଇ ଗୋଟି ଗୋଟି କରି ସାଇତି ରଖିଲା । ମୁହଁ ଉପରେ ଚହଟି ଉଠୁଥିବା ନାଲି ରଙ୍ଗ ଟିକକ ଲୁଗାକାନିରେ ପୋଛି ପକାଇଲା । ଚିବୁକ ଉପରେ ଚହଟି ଉଠୁଥିବା ଫିକା ଗୋଲାପୀ ରଙ୍ଗ ପୋଛିପକାଇ ସଫା କରିଦେଲା ମୁହଁଟି ।

 

ଏସବୁ ସତ୍ତ୍ୱେ ଘରର ଆଲୋକରେ ତା’ର ରୂପ ଜଳିଉଠୁଥିଲା ଯେପରି । ଯେତିକି ଲିଭାଇଲା ମିତା ସେତିକି ଯେପରି ଚହଟି ଉଠିଲା ସେଇ ସ୍ଥାନ ବିଶେଷର ଫୁଲା ଫୁଲାଦାଗଗୁଡ଼ାକ-। ଦର୍ପଣକୁ ଚାହିଁବା ଆଗରୁ ବିଭା ଆଉ ସମ୍ଭାଳି ନ ପାରି ଗୁମୁରି ଉଠିଲା- ଇସ୍, କି ହୋଇଛି ତୋ’ ମୁହଁରେ !

 

ହୃଦୟର ସ୍ପନ୍ଦନ ବୃଦ୍ଧି ପାଇଲା ମିତାର । ବିଭା ତା’ହେଲେ ଜାଣିଗଲା ସବୁ ? ସେ ଦର୍ପଣ ଆଗରେ ଆଉଥରେ ମୁହଁଟି ଦେଖିନେଇ ଶିହର ଉଠିଲା ଶଙ୍କାରେ । ଇସ୍, ଏ ଦାଗ ଲିଭିବ ନାହିଁ, ଲିଭିବାର ନୁହେଁ । ଥରି ଉଠିଲା ଛାତି । ସଂକୁଚିତ ହୋଇଗଲା ମନଟି । ସେଇ ଦାଗଗୁଡ଼ାକୁ ଲିଭାଇବାପାଇଁ ଯାଇ ଆହୁରି ଯେପରି ସେଗୁଡ଼ିକର ପ୍ରକାଶକୁ ଉଜ୍ଜ୍ୱଳ ଓ ଅଲିଭା କରିଦେଲା ମିତା-। ସରକାରୀ ଅଫିସ୍‌ର ବଡ଼ସାହେବଙ୍କ କୋଠରୀ ଦରଜାର ପିତଳ ହ୍ୟାଣ୍ଡଲ ଏବଂ ବୋଲ୍‌ଟଗୁଡ଼ାକୁ ଘଷିଲେ ମାଜିଲେ ଯେମିତି ଅଧିକ ଚିକ୍‌କଣ ଦିଶେ, ସେହିପରି ଯେତିକି ଚେଷ୍ଟାକଲା ସେ ଲୁଚାଇ ରଖିବାପାଇଁ, ସେତିକି ନଗ୍ନ ଭାବରେ ଫୁଟି ଉଠିଲା ଦାଗଗୁଡ଼ାକ ।

 

ଇସ୍ !

 

ଚମକି ପଡ଼ିଲା ବିଭା । ହଠାତ୍‌ କାହିଁକି କେଜାଣି ମୁହଁମାଡ଼ି କାନ୍ଦିବାପାଇଁ ଇଚ୍ଛାହେଲା ତା’ର । ନାନୀକୁ କିଛି କହିପାରିଲା ନାହିଁ, ପଚାରି ପାରିଲା ନାହିଁ । ତକିଆ ଉପରେ ମୁହଁମାଡ଼ି ପଡ଼ିରହିଲା କେବଳ ।

 

ଆଲୁଅ ଲିଭାଇ ଦେଇ ତା’ ପାଖରେ ଆସି ସନ୍ତର୍ପଣରେ ଶୋଇପଡ଼ିଲା ମିତା ।

 

ସମସ୍ତେ ଶୋଇପଡ଼ିଥିଲେ ।

 

ଶୋଇପଡ଼ିଥିଲା ଶାନ୍ତ ପୃଥିବୀ ।

 

କିନ୍ତୁ ଚେଇଁଉଠିଲେ ସୀତାନାଥ- ମଧୁମିତା’ର ପିତା । ଅଥର୍ବ, ରୁଗ୍‌ଣ ବୃଦ୍ଧ । କଡ଼ ଲେଉଟାଇ ପଚାରିଲେ ସ୍ତ୍ରୀଙ୍କୁ- ମିତା ଫେରିଲା ?

 

ଉତ୍ତର ଦେବାପାଇଁ ଇଚ୍ଛା ନ ଥିଲା ଇନ୍ଦୁମତୀଙ୍କର । ପ୍ରତିଦିନ ଏକା ଉତ୍ତର ଦେଇ ଦେଇ ଥକିଗଲେଣି ସେ । ଅଥଚ କିମିତି ସେଇ ଏକା କଥା ଶୁଣିବାପାଇଁ ଇଚ୍ଛା ହୁଏ ସ୍ୱାମୀଙ୍କର ବୁଝିପାରିଲେ ନାହିଁ ସେ । ମନେ ମନେ ବିରକ୍ତ ହେଲେ । କୌଣସି ଉତ୍ତର ନ ଦେଇ ଶୋଇରହିଲେ ସେହିପରି ।

 

-ଶୋଇ ଗଲକି ? ପଚାରୁଛି ପରା ମିତା ଫେରିଲା କି ନାହିଁ ?

 

ବିରକ୍ତ ହୋଇ ଉତ୍ତର ଦେଲେ ଇନ୍ଦୁମତୀ- ଫେରିଲେ ଯାହା ନ ଫେରିଲେ ସେୟା । ଯେଉଁ କୂଳ ଭାଙ୍ଗିଯାଇଛି ନଈ ସୁଅରେ ତାହା ଆଉ ଗଢ଼ି ହୁଏନା, ଗଢ଼ାଯାଏନା ।

 

-ତମରି ଯୋଗୁ । ଏସବୁ ପାଇଁ ତୁମେ ଦାୟୀ । ବିଭା କରାଇ ଦେଇଥିଲେ ଏତେ ଜଞ୍ଜାଳ ନ ଥାନ୍ତା ଆଜି ।

 

କଥା ଶୁଣିବାପାଇଁ ଭଲ ଲାଗୁ ନ ଥିଲା ଇନ୍ଦୁମତୀଙ୍କୁ । ତାଙ୍କ ଉପରେ ସବୁ ଦୋଷ ଲଦି ଦେବାର ଦେଖି ଚିଡ଼ିଯାଇ କହିଲେ ସେ-ବିଭା କରି ଦେଇଥିଲେ ଏଡ଼େ ସୁଖରେ ଶୋଇ ଶୋଇ ବିଡ଼ି ଟାଣିବାପାଇଁ ପଇସା ଆସନ୍ତା କୁଆଡ଼ୁ ଯେ ! କରମ ଇମିତି ଯେ ଯୋଡ଼େ ଯୋଡ଼େ ଭେଣ୍ଡିଆ ପୁଅ ଅକର୍ମ ହୋଇ ଘରେ ବସିଛନ୍ତି ପାଞ୍ଚ ବରଷ ହେଲା । ଆଉ ମୋ ଉପରେ ସବୁ ଦୋଷ ଲଦି ଦେଇ ବେ ନିଶ୍ଚିନ୍ତହୋଇ ପଡ଼ି ରହିପାରୁଛ ନା ?

 

ଇନ୍ଦୁମତୀଙ୍କ ବେଦନାର୍ତ୍ତ କଣ୍ଠର ଝଙ୍କାର ବେଶ୍‌ ଶୁଣି ପାରିଲା ମିତା । ଏତେ ରାତିରେ ଏଡ଼େ ପାଟିକରି କଅଣ କହୁଛି ମା’-କାନ ଦେଇ ଶୁଣିବାପାଇଁ ଚେଷ୍ଟା କଲା ସେ ।

 

ବିଭାସିତା ଶୋଇପାରିଲା ନାହିଁ । ମୁହଁ ଫେରାଇ ଦେଖିଲା, ନାନୀ ତା’ ପାଖରେ ଶୋଇଛି, କିନ୍ତୁ ସବୁଦିନ ପରି ତା’ ଦେହ ଉପରେ ହାତ ରଖି ତାକୁ ଜାକି ଧରି ଶୋଇନାହିଁ । ଆଜି ଯେପରି ସେ ଏକା, ସ୍ୱତନ୍ତ୍ର । ଲାଗିଯାଇ ନାନୀ ଦେହକୁ ଘସିହୋଇ ଶୋଇବାପାଇଁ ଇଚ୍ଛା ହେଲା ବିଭାର, କିନ୍ତୁ ଘୁଞ୍ଚିଯାଇ ପାରିଲା ନାହିଁ । ନାନୀକୁ କୁଣ୍ଢାଇ ନିଃସଂକୋଚରେ ନିଃଶଙ୍କ ଚିତ୍ତରେ ଶୋଇବାପାଇଁ ବାରମ୍ବାର ମନସ୍ଥ କରି ମଧ୍ୟ ଆଉ ଆଗେଇ ପାରିଲା ନାହିଁ । ପ୍ରତିଦିନ ଦୁଇ ଭଉଣୀ ପାଖାପାଖି ଶୁଅନ୍ତି ଏହିପରି । ଦୁହେଁ ଦୁହିଁଙ୍କ ଆଦର ଅନୁଭବ କରନ୍ତି । ଆଜି କିନ୍ତୁ ସେଇ ଦୁଇଜଣ ଏତେ ପାଖରେ ଥାଇ ମଧ୍ୟ ନିଜ ନିଜକୁ ଆଦରରେ ପାଖକୁ ଟାଣି ଆଣି ପାରିଲେ ନାହିଁ । ଯେପରି କେଉଁ ଏକ ଅଲଂଘ୍ୟ ଅବରୋଧ ଗଢ଼ି ଉଠିଛି ସେମାନଙ୍କ ମଧ୍ୟରେ ।

 

କାହିଁକି ଏପରି ହେଲା ? ଭାବି ଭାବି କିଛି କୂଳ କିନାରା ପାଇଲା ନାହିଁ ବିଭାସିତା ।

 

ଅବଶାଦଭରା ଦେହର ସବୁ ଭାର ବହନ କରି ମା’ର କଥା ଶୁଣିବା ପାଇଁ ଜାଗି ରହିଲା ମିତା ।

 

-ଚୁପ୍‌ କର, ଚୁପ୍‌ କର ! ନିଜ ଝିଅର ସୁଗୁଣ ଆଉ କୁହନା ଏଡ଼େ ପାଟିକରି । ରାତି ଅଧରେ ବି ଲୋକ ଚାହିଁ ବସିଥିବେ ଆମ କଥା ଶୁଣିବାପାଇଁ ।

 

-କାନ୍ଥ ବାଡ଼ର ବି କାନ ଅଛି ଇନ୍ଦୁ !

 

-ଶୁଣନ୍ତୁ । କେଉଁ କଥା ଅଛପା ଅଛି ଯେ ଜାଣିଯିବେ ଶୁଣିଯିବେ କହିଲ ?

 

-ମୁଁ ଅପାରଗ, ଅଚଳ ବୋଲି ଏତେକଥା ଏକାବେଳକେ କହି ଯାଇପାରୁଛ ନା ?

 

-ନୋହିଲେ ମୋ ତୋଟି ଚିପିଦିଅନ୍ତ, ଏୟାତ ? କ’ଣ ବାକି ରଖିଛ ଯେ, ଆଉ ସେତକ କରିଥିଲେ ଅରମାନ ମେଣ୍ଟିଯାଆନ୍ତା ତୁମର ?

 

ଆଉ ଶୁଣିବାପାଇଁ ସାହସ ହେଉ ନ ଥିଲା ମିତାର । କିନ୍ତୁ ଏସବୁପାଇଁ ସେ କ’ଣ କେବଳ ଏକା ଦାୟୀ ? ଏହାର ଉତ୍ତର ସେ ଏକା ଦେଇପାରିବ ?

 

ପ୍ରତିଦିନ ସେ ଫେରେ ଏହିପରି ଚୁପି ଚୁପି, ପାଦ ଚିପି ଚିପି ପ୍ରତିଦିନ ତାକୁ କେନ୍ଦ୍ର କରି କଥା ଉଠେ, ଉଠେ ଝଡ଼ । ସେହି ଝଡ଼ର ଧୂଳି, ମଳି, କୁଟାକାଠି ବିଞ୍ଚି ହୋଇପଡ଼େ ଚାରିଆଡ଼େ। ଅଳିଆ ଗଦା ହୋଇ ମଇଳା ହୋଇଯାଏ ଘରସଂସାର । ଫେର ଶାନ୍ତିରେ ଶୋଇ ପଡ଼ନ୍ତି ସଭିଏଁ । ସମସ୍ତେ ଜାଣନ୍ତି ସେ ଯେପରି ଯାଏ ସନ୍ତର୍ପଣରେ, ଫେରି ଆସେ ସେହିପରି ସଂକୁଚିତ ହୋଇ । ଯିବାବେଳକୁ ଯେପରି ଦରଜା ପାଖରେ କେହି ବିଦାୟ ଦିଏନା, ଫେରିବାବେଳକୁ କାହାରି ପ୍ରତୀକ୍ଷିତ ଚକ୍ଷୁ ଦୁଇଟି ତା’ର ସଂକ୍ରାମିତ ବେଦନାକ୍ଳିଷ୍ଟ ଶରୀରକୁ ଆଦର କରି ପାଛୋଟି ଆଣେନା-। ସେ ଯାଏ ଯେପରି ଏକା ଏକା, ଫେରେ ସେଇପରି ନିଶୂନ ହୋଇ ।

 

ଆଉ ନ ଫେରି ଯଦି ରହିଯାଆନ୍ତା ଏକ ବିଶାଳ ବ୍ୟସ୍ତ ପୃଥିବୀରେ, ତାକୁ ହୁଏତ କେହି ଖୋଜନ୍ତେ ନାହିଁ, ଲୋଡ଼ନ୍ତେ ନାହିଁ । ପ୍ରଥମେ ପ୍ରଥମେ ମା’ ଚାହିଁ ରହୁଥିଲା ଆକୁଳ ହୋଇ । ସେ ଆକୁଳତା ଅଭ୍ୟାସରେ ପରିଣତ ହୋଇ ଅନ୍ତର୍ହିତ ହୋଇଛି । ଅନ୍ତରର ସେଇ ଆକୁତି ଟିକକ ଶୁଖିଯାଇଛି ବାହାରେ ପ୍ରଖରତାରେ ।

 

ଏଇ କେତେଦିନରେ ସବୁ ଯେପରି ଦେହସୁହା ହୋଇଯାଇଛି । ସମସ୍ତେ ଯେପରି ଯାହା ଅବଧାରିତ, ନିଶ୍ଚିତ, ତାହାର ପ୍ରତୀକ୍ଷା କରୁଥିଲେ ଆଜିଯାଏ । ଯାହା ଘଟିଲା ତାହା ଯେପରି ଅପ୍ରମାଣିତ, ଅଚାନକ ନୁହେଁ । ଆଜି ସେ କେବଳ ଏକ ସୂଚନା, ତା’ର ସ୍ଥିତି ନାହିଁ, ବ୍ୟାପ୍ତି ନାହିଁ । ସେ ନିଃଶେଷ ହୋଇ ଅନ୍ୟମାନଙ୍କୁ ଶାନ୍ତ ଶୀତଳ କରିବାପାଇଁ ଉଦ୍ୟମ କରିଆସିଛି । ନିଜକୁ ଅପୂର୍ଣ୍ଣ, ଅଭୁକ୍ତ ରଖି ଅନ୍ୟମାନଙ୍କୁ ପୂର୍ଣ୍ଣ ସୁଖୀ କରିବାପାଇଁ ଚେଷ୍ଟା କରିଛି । କିନ୍ତୁ ସେ ଯେଉଁମାନଙ୍କ ଆବଶ୍ୟକତା ପୂରଣ କରିବାପାଇଁ ଆହୁତି ଦେଲା ନିଜକୁ, ଏତେଶୀଘ୍ର ସେମାନଙ୍କର ଆଦର ଲିଭିଯାଇ ପାରିଲା ତା ପାଖରୁ ?

 

ଆହାରେ !

 

ଏଇ ନିରଭିମାନୀ ଜୀବନର ଏତେ ବେଦନା ଲୁଚି ରହିଥିଲା କେଉଁଠି ? ଏତେଶୀଘ୍ର ଯେଉଁମାନେ ତା’ର ଅତି ଆପଣାର ତାକୁ ସେମାନଙ୍କ ମଧ୍ୟରେ ଜଣେ ବୋଲି ଗଣିବାପାଇଁ ଭୁଲିଗଲେ କିପରି ?

 

ଅଥଚ ଏଇମାନଙ୍କ ମୁହଁକୁ ଆହାର ଉଠାଇ ଦେବାପାଇଁ ନିଜ ମୁହଁ ଉପରେ ସ୍ନୋ ପାଉଡ଼ରର ରଙ୍ଗ ବୋଳି, ଅଧର ନାଲି କରି, ଶସ୍ତା ହସର ସଂକ୍ରମଣରେ ଚୋରା ଚାହାଣୀ ହାଣି ପରକୁ ଆପଣାର କରିବାପାଇଁ ଛଳନା କରିଛି ସେ । ଏଇମାନଙ୍କୁ ବଞ୍ଚାଇବାପାଇଁ ଯାଇ ବିଷ ପାନ କରିବାପାଇଁ ନିଜକୁ ଖେଳନା ପରି ଟେକିଦେଇଛି ଅନ୍ୟମାନଙ୍କ ହାତରେ ।

 

ପ୍ରଥମ ଫୁଲର ସୁବାସ ପରି ମା’ ବାପର ସଂସାରରେ ମହକି ଉଠିଥିଲା ସେ । ଆମୋଦିତ ହୋଇଥିଲେ ସମସ୍ତେ-ସାଙ୍ଗସାଥୀ, ସାଇପଡ଼ିଶା । କିନ୍ତୁ ସେ ସୁବାସଟିକୁ ସମର୍ପିତାର ସମ୍ମାନ ନେଇ ସମର୍ପଣ କରିବା ପୂର୍ବରୁ ବାପା ପକ୍ଷାଘାତରେ ପଙ୍ଗୁ ହୋଇ ଚାକିରୀ ହରାଇଲେ । ଘରର ଏକମାତ୍ର ଉପାର୍ଜନର ଉତ୍ସ ସବୁଦିନପାଇଁ ଶୁଷ୍କ ହୋଇଗଲା । ମଣିଷ ରୋଗବ୍ୟାଧି ସହି ସହି ଅନେକ ଦିନ ବଞ୍ଚିପାରେ, ଅଭାବ ଅପମାନ ଭିତରେ ଦଗ୍ଧହୋଇ ମଧ୍ୟ ନିଜର ସାନ୍ତ୍ୱନାଦ୍ୱାରା ବଞ୍ଚି ରହିପାରେ । କିନ୍ତୁ ଦିନ ଦିନ ମାସ ମାସ ଉପବାସରେ ରୁହାଯାଏନା, ରହିବା ଅସମ୍ଭବ । ଅନନ୍ୟୋପାୟ ହୋଇ ଶ୍ରମ ଦେଇ ସମ୍ମାନ ଅର୍ଜନ କରିବାରୁ ବଞ୍ଚିତ ହୋଇ ବଡ଼ଦାଣ୍ଡରେ ନିଜକୁ ମେଲାଇ ଧରିଥିଲା ସେ । ସିନେମା ହଲ ସାମ୍ନାରେ, ପାର୍କର ଅପେକ୍ଷାକୃତ ନିଭୃତ ଅଞ୍ଚଳରେ, ଅବା ସାୟାହ୍ନରେ ବନସ୍ପତିର ଶାଖା ପ୍ରଦତ୍ତ ସୁଶୀତଳ ଛାୟା ତଳେ ନିଜର ହସ ଦେଇ, ସାନ୍ନିଧ୍ୟ ଲେପି ଆକର୍ଷଣ କରିଥିଲା ସେ ଅନ୍ୟମାନଙ୍କୁ । ସେମାନଙ୍କ ପାଖରେ ତା’ର ପରିଚୟ ଅଳୀକ, ଅନାବଶ୍ୟକ; କିନ୍ତୁ ତା’ର ଉପସ୍ଥିତି ଥିଲା ଉତ୍ତରଳ, ଉନ୍ମାଦନାପୂର୍ଣ୍ଣ ।
 

ସେଦିନ ବର୍ଷା ହେଉଥିଲା । ସେଇ ବର୍ଷାରେ ତିନ୍ତି ତିନ୍ତି ନିରାଶ ହୋଇ ପାର୍କରୁ ଫେରୁଥିଲା ସେ ପାଦରେ ଚାଲି ଚାଲି । ବୃତ୍ତିହୀନ ଜୀବନର ବେଦନାରେ ମଳିନ ଦିଶୁଥିଲା ତା’ର ସର୍ବାଙ୍ଗ । ବହୁ ଚେଷ୍ଟା କରି ସରକାରୀ ବେସରକାରୀ କୌଣସି ପ୍ରତିଷ୍ଠାନରେ କିଛି କାମ ଯୋଗାଡ଼ କରି ନ ପାରି ଯେତେବେଳେ ଅପତ୍ୟାଶିତ ପୁରଷର ପରୀକ୍ଷା କରୁଥିଲା ସେ ପାର୍କର ଏକ ନିବୃତ୍ତ, ନିଶ୍ଚଳ କୋଣରେ ବର୍ଷା ଆସିଲା । ଅଦିନିଆ ବର୍ଷାରେ ତିନ୍ତିଗଲା ସେ । ବର୍ଷା ଧାରାରେ ମଳିଧୂଳି ଧୋଇହୋଇ ସୁନ୍ଦର ଦିଶିଲା ପୃଥିବୀ, ପ୍ରାନ୍ତର, ବନସ୍ପତି । କିନ୍ତୁ ସିକ୍ତ ବସନ ତଳୁ ବିକଶିତ ହୋଇଉଠିଲା ଯୌବନର ଗୋପନ ସମ୍ପଦ । ମଉନାବତୀ ପରି ମୁହଁ ପୋତି, ଛାତି ଉପରେ ଦୃଷ୍ଟି ନିବଦ୍ଧ କରି, ଯେତେବେଳେ ପାଦ ଚିପି ଚିପି ଚାଲିଯାଉଥିଲା ମିତା, ସେତିକିବେଳେ ଆଗେଇ ଆସିଲା ଆଉ ଜଣେ ।

 

ପଥରୋଧ କରି ତା ଆଗରେ ଆସି ଛିଡ଼ାହେଲା ଫାଲ୍‌ଗୁନୀ । ବର୍ଷାର ଏତେ ଶୀତଳତା ସତ୍ତ୍ୱେ ବି ଆଖିରେ ତୃଷାର ଆଲେଖ୍ୟ, ମୁଗ୍‌ଧ ପୃଥିବୀରେ ଅନନ୍ତ ସୌନ୍ଦର୍ଯ୍ୟ ମଧ୍ୟରେ କ୍ଷୁବ୍ଧ ଏକ ଅନ୍ତରର ଅଦମନୀୟ ଆବେଦନ ।

 

ତା’ର ଭିଜା ଲୁଗାର ଅନ୍ତରାଳରୁ ଉଠିଆସୁଥିବା ଅଭିଜାତ ଯୌବନର ଉଦ୍ଧୃତ ଅଂଶ ଉପରେ ନିଜର ଉତ୍ତୀର୍ଣ୍ଣ ଦୃଷ୍ଟି ଧରି ରଖି କହିଲା ଫାଲ୍‌ଗୁନୀ- ଆସ, ଏଇ ପାଖ ହୋଟେଲ୍‌ରେ ମୁଁ ରହେ । ଅସୁବିଧା ହେବନି ।

 

ସେଇ ମଣିଷର ମୁହଁକୁ ନ ଚାହିଁ ବି ତା’ କଣ୍ଠର ଦରଦଭରା କଥା କେଇପଦ ଚହଲାଇ ଦେଇଥିଲା ତାକୁ । ଅନୁରୋଧ ନୁହେଁ, ଏକ ଅଲଂଘ୍ୟ ଆଦେଶର ଅନୁସରଣ କରି ସେଇ ଅପରିଚିତ ସଙ୍ଗେ ଚାଲିଯାଇଥିଲା ସେ । ଆଗରୁ କେତେ ଲୋକଙ୍କ ସେଙ୍ଗେ ଗଳ୍ପ କରିଛି, ସାନ୍ନିଧ୍ୟ ଦେଇଛି; କିନ୍ତୁ ଆଉ ଆଗେଇ ନାହିଁ । ଅପସରି ଆସିଛି ଅବସାଦରେ । ସଙ୍କୁଚିତ ହୋଇଯାଇଛି ଅନ୍ତରର ଅନ୍ତର୍ଦାହରେ । ଆଜି ସନ୍ଧ୍ୟାବେଳେ ଆଉ କିନ୍ତୁ ପାରିଲା ନାହିଁ ସେ ।

 

ଫାଲ୍‌ଗୁନୀର ଛାତି ଉପରେ ନିଜକୁ ସମର୍ପି ଦେଇ ଅବୁଝା ପିଲାପରି ଅନେକ ସମୟ ଧରି କାନ୍ଦିଥିଲା ମିତା । ତା’ର ମନକୁ ସାର୍ଥକ କରି ଫାଲ୍‌ଗୁନୀ ଫାଲଗୁନର ମଳୟ ପରି ମଧୁମିତା ଦେହର ସୁବାସକୁ ଗ୍ରହଣ କରିଥିଲା ଅସୀମ ପୁଲକରେ । ସେଇ ଉଲ୍ଲସିତ ମାଧୁର୍ଯ୍ୟର ସଂକେତ ଆଙ୍କି ଦେଇଥିଲା ମୁକୁଳିତା ମଧୁମିତା’ର ଅଙ୍ଗେ ଅଙ୍ଗେ ରଙ୍ଗ ବୋଳି ।

 

ଏକ ନୂତନ ଚେତନାର ଭୂମିକମ୍ପରେ ସମଗ୍ର ଅବୟବ ଶିହର ଉଠିଥିଲା ମଧୁମିତାର । ଏକ ଅନନୁଭୂତ ମାଧୁରୀମାର ମାଦକତାରେ ସେ ହଜାଇ ଦେଇଥିଲା ନିଜକୁ । ସେଇ ସମର୍ପଣର ସଂକେତକୁ ପୋଛି ଦେବାପାଇଁ ଚେଷ୍ଟା କରିବି ପାରିଲା ନାହିଁ । ମୁହଁରେ, ଦେହରେ ସେଇ ସ୍ୱାକ୍ଷରିତ ସଂକେତ ଆହୁରି ସ୍ପଷ୍ଟ ହୋଇ ଉଠିଲା ଯେପରି !

 

ଏତେଦିନ ଧରି ଯେଉଁ ନିଜସ୍ୱ ଟିକକପାଇଁ ଗର୍ବରେ ଛାତି ପୁଲାଇ ପାଦ ପକାଉଥିଲା ସେ, ଆଜିଠାରୁ ନିଃଶେଷ ହୋଇଗଲା ତାହା । ପୁଲକିତ ଅନ୍ତରର ଶିହରିତ ଅରଣ୍ୟ ମଧ୍ୟରେ କସ୍ତୁରୀମୃଗପରି ଏତେଦିନ ବୁଲି ବୁଲି ଆଜି ବର୍ଷାଧାରର ଅସୀମ ସମ୍ଭାବନା ମଧ୍ୟରେ ନିଜକୁ ପ୍ରଥମ କରି ଆବିଷ୍କାର କଲା ମଧୁମିତା ।

 

ସେ ଫାଲ୍‌ଗୁନୀର !

 

ଫାଲ୍‌ଗୁନୀ କଥାଦେଇଛି ସେ ତା’ର...

 

କିନ୍ତୁ ତଥାପି ମା’ର କଥା ଶୁଣିବାପାଇଁ ଆଉ ସାହସ ହେଉ ନ ଥିଲା ତା’ର । ବାପାଙ୍କ ପାଦତଳେ ପ୍ରଣାମ କରି ପତିତାର ପାପରୁ ମୁକ୍ତିପାଇଁ ଆଶୀର୍ବାଦ ମାଗିବାପାଇଁ ଭରସା କରିପାରୁ ନ ଥିଲା । ସତରେ, ସକାଳ ହେଲେ ଯଦି ସୂର୍ଯ୍ୟର ଆଲୋକରେ ତା’ର ସର୍ବାଙ୍ଗରେ ଫୁଲିଉଠିଥିବା ନାଲି ନାଲି ଦାଗଗୁଡ଼ାକ ଦେଖେ ମା’, ଦେଖନ୍ତି ଭାଇ ଭଉଣୀମାନେ, କି ଉତ୍ତର ଦେବ ? କଅଣ କହି ବୁଝାଇ ପାରିବ ସେମାନଙ୍କୁ ?

 

କୁମାରୀର କୋମଳତା ଆଜିଠାରୁ ଶେଷ ହୋଇଗଲା । ଆଜିଠାରୁ ଶେଷ ହେଇଗଲା ଏକ ପ୍ରଲୁବ୍ଧ ଅବୟବର ଆତ୍ମାନୁସନ୍ଦିଚ୍ଛା ।

 

ବିଭାଆଡ଼କୁ କଡ଼ ଲେଉଟାଇ ତା’ ଦେହ ଉପରେ ହାତ ରଖିଲେ ମିତା ।

 

ବିଭା ଜାଗିଥିଲା ଆଖି ବନ୍ଦକରି । ଆଖି କିନ୍ତୁ ଖୋଲିଲା ନାହିଁ । ସେଇପରି ଶୀର୍ଣ୍ଣ, ସଂକୀର୍ଣ୍ଣ ହୋଇ ଶୋଇରହିଲା ।

 

ବିଭା ବି ତା’ହେଲେ ତାକୁ ପରିତ୍ୟାଗ କରିଛି ? ଅନୁଜ କଣ୍ଠରେ ତା’ର ମୁହଁ ପାଖରେ ମୁହଁ ରଖି କହିଲା ମିତା-ବିଭା...ବିଭା ଲୋ !

 

ତା’ ହାତଟିକୁ ଆଡ଼େଇ ଦେଇ କହିଲା ବିଭା- ଏୟା କଲୁ ଶେଷରେ... ?

 

ତା’ ଉପରେ କୋହରେ ଭାଙ୍ଗିପଡ଼ି କହିଲା ମିତା- ମତେ ସମସ୍ତେ ଅନାଦର କର ପଛେ, ଫିଙ୍ଗିଦିଅନା ଲୋ...ଦୂରେଇ ଦିଅନା... । ସବୁରି ପାଇଁ ଶହୀଦ ହୋଇ ଯଦି ବଞ୍ଚାଇପାରେ ସଭିଙ୍କୁ ସେଇ ହେବ ମୋର ଚରମ ସାଧନା...ପରମ ସାନ୍ତ୍ୱନା... ।

 

ତାକୁ ଆଉ କୁହାଇ ନ ଦେଇ, କୁଣ୍ଢେଇ ପକାଇ ଆଖିରେ ଅବାରିତ ଅଶ୍ରୁଝରଣାଦ୍ୱାରା ତା’ ଦେହରେ ଜମିଥିବା ଧୂଳି ମଳି ଧୋଇ ଦେବାପାଇଁ ଚେଷ୍ଟାକଲା ବିଭା । ଦୁହେଁ ଦୁହିଁଙ୍କୁ ଧରି ଅନେକ ସମୟ ଯାଏଁ କାନ୍ଦିଲେ, ଆହାତ ଅନ୍ତରରୁ ଅନୁପମ ବେଦନାର ବିନିମୟରେ ପରସ୍ପରକୁ ଆତ୍ମିକ ନିବିଡ଼, ଅଧିକ ଆପଣାର କରି ଅନୁଭବ କଲେ ।

 

ବାପା ମା’ କେହି ଶୋଇପାରୁ ନ ଥିଲେ । ବଞ୍ଚିବାର ବ୍ୟଥାରେ କ୍ଷତବିକ୍ଷତ ଅନ୍ତରର ଯନ୍ତ୍ରଣାଦ୍ୱାରା ଅସ୍ଥିର ହେଉଥିଲେ ନୁହେଁ । ମଧୁମିତା ଶୁଣୁଥିଲା ସେମାନଙ୍କର ସଂଳାପ ।

 

କଥା କହୁଁକହୁଁ ହଠାତ୍ କାନ୍ଦିଉଠିଲେ ମଧୁମତୀ ।

 

-କାନ୍ଦିଲେ, ମୁଣ୍ଡ କୋଡ଼ିଲେ କିଛି ଲାଭ ନାହିଁ ଇନ୍ଦୁ । ଆଜିଯାଏ ନ ଖାଇ ନ ପିଇ, ଏତେ ଓଷା ବ୍ରତ କରି ସେ ନିବେଦନ କଲା, ଠାକୁର ପାଖରେ ସେ ସବୁ ନିଷ୍ଫଳ ହୋଇଗଲା...ସବୁ ଅକାରଣ ହୋଇଗଲା । କେହି ଶୁଣିଲେ ନାହିଁ, କେହି ଏ ପକ୍ଷାଘାତ ରୋଗୀର ଗୋଡ଼ ହାତରେ ଜୀବନ ସଞ୍ଚାର କରିପାରିଲେ ନାହିଁ ।

 

ବାଷ୍ପାକୁଳ ଆଖି କୋଣ ପୋଛିଦେଇ ଆଶ୍ୱାସ ଦେଲେ ସୀତାନାଥ ।

 

ନିଶୁନ ନିଝୁମ ରାତିରେ, ସେଇ କିଟିକିଟିଆ ଅନ୍ଧକାର ଭିତରେ ଅଣନିଶ୍ୱାସୀ ହୋଇ କାନପାରି ଶୁଣୁଥିଲା ମଧୁମିତା ।

 

-ମରଣ ହେଉ, ମରଣ ହେଉ ମତେ । ଶେଷରେ ଝିଅର ଦେହ ବିକା ଧନ ଭୋଗ କରିବାପାଇଁ ବଞ୍ଚିରହିଲି ମୁଁ ?

 

ବିଳାପ କଲେ ଇନ୍ଦୁମତୀ ।

 

-ଆହୁରି ଅନେକ କିଛି ଦେଖିବାପାଇଁ ବଞ୍ଚି ରହିବାକୁ ହେବ ଇନ୍ଦୁ ! ଏଇତ ଆରମ୍ଭ ! ସାହିର ସାର୍ବଜନୀନ ଦୁର୍ଗାପୂଜା ପାଇଁ, ପଡ଼ୋଶୀ ମାଧବାନନ୍ଦ ବାବୁଙ୍କ ଗୃହଦେବୀ ଭୁବନେଶ୍ୱରୀଙ୍କ ବାର୍ଷିକ ପୂଜାପାଇଁ କଷ୍ଟ କରି ସେମାନଙ୍କୁ ଆଉ ବେଶ୍ୟାଦ୍ୱାର ମୃର୍ତ୍ତିକା ସଂଗ୍ରହ କରିବାପାଇଁ ସୁଦୂର କଲିକତାର ଦୋକାନକୁ ଦଉଡ଼ିବାପାଇଁ ପଡ଼ିବ ନାହିଁ । ଏଇଠି ସବୁ ମଳିବ । ଏଇ ଆମ ପିଣ୍ଡାତଳର ମାଟି ପୂତ ପବିତ୍ର ହୋଇଉଠିବ ।

 

କହିସାରି, ଟିକିଏ ଦମ ନେଇ, ଭୋଭୋ କରି କାନ୍ଦିଉଠିଲେ ସୀତାନାଥ ।

 

କାନ୍ଦିବାପାଇଁ ଆଉ ସାହସ ନ ଥିଲା ମଧୁମିତାର । ଆଙ୍ଗୁଳିରେ ଫାଲ୍‌ଗୁନୀ ପିନ୍ଧାଇ ଦେଇଥିବା ସୁନା ମୁଦିଟିକୁ ବାହାର କରିଆଣି କାହିଁକି କେଜାଣି ଦୂରକୁ ଫିଙ୍ଗି ଦେଲା ସେ ।

 

ମଧ୍ୟରାତ୍ରିରେ ସଞ୍ଚରିତ ବେଦନା ଜଳ ସ୍ଥଳ ଆକାଶକୁ ଭରିଦେଇଥିଲା କରୁଣତାରେ ।

Image